ଲେଖା: ଅମ୍ରିତେଶ ଖଟୁଆ
କଟକ ଜିଲ୍ଲାର ସାଲେପୁରର ସରେଇ ଠାରେ ୧୯୪୫ ମସିହା ୨୫ ଅଗଷ୍ଟ ଗଣେଶ ଚତୁର୍ଥୀ ତିଥିରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ସାହିତ୍ୟ ସଙ୍ଗଠକ ଓ ନାଟ୍ୟକାର ରତ୍ନାକର ଚଇନି। ସମକାଳୀନ ସାହିତ୍ୟ ସଂରଚନାରେ ନବନାଟ୍ୟ ଆନ୍ଦୋଳନ ମଧ୍ୟରେ ‘ଉଦ୍ଭଟ ନାଟ୍ୟ ପରମ୍ପରା’ ବିଶ୍ଳେଷଣ ତଥା ‘କଳଙ୍କିତ ସୂର୍ଯ୍ୟ’ ପରି ଅଜସ୍ରସ୍ରାବୀ ଲେଖକୀୟତାରେ ସେ ଯେଉଁ ଅନିୟମ୍ୟ ପରିକଳ୍ପନା ଦ୍ଵାରା ଯେଉଁ ପରିବର୍ତ୍ତନାର୍ହ ପ୍ରସଙ୍ଗକୁ ଉତ୍ଥାପନ କରାଇପାରିଥିଲେ, ତାହା ସାହିତ୍ୟପ୍ରେମୀଙ୍କ ମନରେ ଗୋଟିଏ ଆନ୍ଦୋଳନାତ୍ମକ ଚିତ୍ରଣ କରିବାରେ ଅଦ୍ୟାବଧି ମଧ୍ୟ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ପିତା ଥିଲେ ବ୍ରଜବନ୍ଧୁ ଚଇନି ଏବଂ ମାତା ଶ୍ରୀମତୀ । ସିଏ ପୂର୍ବରୁ ସୋଗାଲ ଠାରେ ରହୁଥିଲେ ପିତାଙ୍କ ସହ, ହେଲେ ପରବର୍ତ୍ତୀ କାଳରେ ଅରେଇକୁ ଚାଲିଆସିଥିଲେ। ନେମାଳ ହାଇସ୍କୁଲରେ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେଇ, ଖ୍ରୀଷ୍ଟ କଲେଜ୍ରୁ ଗ୍ରାଜୁଏସନ୍ ପାସ୍ କରିଥିଲେ। ୧୯୬୯ରେ ରେଭେନ୍ସା କଲେଜରେ ଅଧ୍ୟୟନ ଓ ପରେ ସେଠାରେ ଅଧ୍ୟାପନା।
ପାଠ ପଢୁଥିଲା ବେଳେ ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ରେ ୧୯୬୩ ମସିହାରୁ ୧୯୬୯ ମସିହା ପର୍ଯ୍ୟନ୍ତ କର୍ମସଂସ୍ଥାନ। ୧୯୬୯ ମସିହା ଡିସେମ୍ବର ପହିଲାରୁ ସରକାରୀ କଲେଜରେ ଅଧ୍ୟାପନା ବୃତ୍ତି ଆରମ୍ଭ କରନ୍ତି। ସେ ହାଇସ୍କୁଲ ଜୀବନରୁ ‘ମୀନାବଜାର’ ଓ ସାମୟିକ ପତ୍ରପତ୍ରିକାରେ ତାଙ୍କର ଲେଖନୀ ଆରମ୍ଭ କରିଥିଲେ। ରେଭେନ୍ସା ସ୍ଵୟଂଶାସିତ କଲେଜରେ ପରୀକ୍ଷା ନିୟନ୍ତ୍ରକ ଭାବେ ତାଙ୍କର ଦକ୍ଷତା ଅବିସ୍ମରଣୀୟ। ଏଥି ସହ ଅନେକ ସମାବର୍ତ୍ତନ ଉତ୍ସବ ଓ ଆଲୋଚନା ସଭାରେ ସେ ଯୋଗ ଦେଇ ମଧ୍ୟ ନିଜର ନୈପୁଣ୍ୟ ସମାନୁରୂପ ପ୍ରତିପାଦିତ କରିପାରିଛନ୍ତି।
ଏମ୍.ଏ ପଢୁଥିବା କାଳରେ ନାଟ୍ୟକାର ରତ୍ନାକର ଚଇନି ଲେଖିଥିଲେ ‘ରାଜହଂସ’। ସେ ରାଜେନ୍ଦ୍ର କଲେଜରେ ଯୋଗ ଦେଲା ପରେ ସେଠାରେ ଏ ନାଟକକୁ ମଞ୍ଚସ୍ଥ କରାଯାଇଥିଲା। ରାଜେନ୍ଦ୍ର କଲେଜରେ ଛାତ୍ରମାନଙ୍କ ପ୍ରତି ବତ୍ସଳତାଭାବ ସହ ଜଣେ ସରଳ ଓ ସ୍ପଷ୍ଟବାଦୀ ଶିକ୍ଷାବିତ୍ ରୂପେ ତାଙ୍କର ପରିଚିତି ତାଙ୍କୁ ସେମାନଙ୍କର ଛାତ୍ରମାନଙ୍କ ପ୍ରତି ଥିଲା ଗୋଟିଏ ଦିବ୍ୟ ଉପଢୌକନ ପରି। ଏକଦା ଏଇ ନାଟକର ଅଭିନୟ ଦେଖି କବିଚନ୍ଦ୍ର କାଳୀଚରଣ କହିଥିଲେ, “ଏଥିରେ ଯେଉଁ ମାନସିକତାକୁ ଧରିଛି ସେ ନାୟକର ଆତ୍ମା ଭିତରେ ତୁମେ ହିଁ ଅଛ।” ‘ରାଜହଂସ’ରେ ବାର୍ତ୍ତା ମଣିଷ ଯିଏ ଯେଉଁ ବୃତ୍ତି କରୁ ନା କାହିଁକି ତାର ସ୍ବାତନ୍ତ୍ର୍ୟ ପ୍ରବୃତ୍ତିରୁ ଜଣାପଡ଼େ। ବୃତ୍ତି ଓ ପ୍ରବୃତ୍ତି ଅଲଗା ଜିନିଷ। ଜଣେ ଡାକ୍ତର ହୋଇ ମଧ୍ୟ ଲେଖକ ହୋଇପାରିବ। ଯାହା ପାଖରେ ପଇସା ଅଛି ସେ ପ୍ରତିଭାବାନ୍ ବ୍ୟକ୍ତି, ଏହା କାଳେ କାଳେ ଭୁଲ ବୋଲି ପ୍ରମାଣିତ ହୋଇଛି। ବୃତ୍ତି ଓ ପ୍ରବୃତ୍ତିର ମାନସିକ ସ୍ତରୀୟ ସଂଘର୍ଷରେ ମଣିଷ ଯାହା ନ କରିବା କଥା କରିପକାଏ। ଏହା ପରେ ସେ ୧୯୭୮ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ନାଟ୍ଯ ସାହିତ୍ୟରେ ପିଏଚଡି ଲାଭ କରିଥିଲେ। ଏହାପରେ ୧୯୭୯ରୁ ବିଭିନ୍ନ ସରକାରୀ କଲେଜରେ ଅଧ୍ୟାପନା କରିଥିଲେ। ଶେଷରେ ଶୈଳବାଳା ମହିଳା କଲେଜ୍ରୁ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥିଲେ। ଅଧ୍ୟାପକ ଭାବରେ ସେ ଥିଲେ ଜଣେ ଛାତ୍ରବତ୍ସଳ। ତାଙ୍କ ଅଧିନରେ ପ୍ରାୟ ୧୮ ଜଣ ଗବେଷକ ଓ ଗବେଷିକା ପିଏଡ୍ ଓ ଡି.ଲିଟ୍ ଉପାଧି ଲାଭ କରିଛନ୍ତି। ଏମିତିକି ରତ୍ନାକର ଚଇନିଙ୍କ କୃତି ଉପରେ ଗବେଷଣା କରି ୭ ଜଣ ଗବେଷକ ପିଏଚ୍ଡି ଲାଭ କରିଛନ୍ତି।
‘ଶେଷ ଅଶ୍ରୁ’ (୧୯୬୬), ‘ଅସ୍ତରାଗର ଚନ୍ଦ୍ର’ (୧୯୬୭) ‘ମଞ୍ଚନାୟିକା’ (୧୯୬୮), ‘ରାଜହଂସ’ (୧୯୭୦), ‘ଅପଦେବତା’ (୧୯୭୩), ‘ପୁନଶ୍ଚ ପୃଥିବୀ’ (୧୯୭୭), ‘କଳଙ୍କିତ ସୂର୍ଯ୍ୟ’ (୧୯୭୪), ‘ମୁଖା’ (୧୯୮୦), ‘ଅଥଚ ଚାଣକ୍ୟ’ (୧୯୮୨), ‘ପକ୍ଷ ଓ ଚରିତ୍ର’ (୧୯୮୭), ‘ନାଟ୍ୟ ରତ୍ନାକର’ (୨୦୭), ‘ତ୍ରିଆରା’ (୨୦୦୬), ‘ସୁନାକଳସ’ (୧୯୯୮), ‘ଅନେକ କ୍ୟାକଟସ୍’ (୧୯୭୬) ଆଦି ନାଟକ, ଗଳ୍ପ ମଧ୍ୟରେ – ‘ମୁଠାଏ ଶୂନ୍ୟତା’ (୧୯୭୩) ‘କହ ଲଳିତା’ (୧୯୭୭), ‘ସୂର୍ଯ୍ୟାସ୍ତର ଉପବନ’ (୧୯୭୯), ‘ଋତୁର ନାମ ପିପାସା’ (୧୯୮୩), ‘ନିଷିଦ୍ଧ ଶୃଙ୍ଗାର’ (୧୯୮୪), ଉପନ୍ଯାସ ମଧ୍ୟରେ ‘ତ୍ରୀର ରଜନୀଗନ୍ଧା’ (୧୯୬୫), ‘ଅବ୍ୟକ୍ତ ଗୋଧୂଳି’ (୧୯୬୭), ‘ଲୁହ ଲହରୀ’ (୧୯୬୩), ‘ଫୁଲ ଫଗୁଣ’ (୧୯୬୮), ‘କାଚ ଟ୍ରେନ୍’ (୨୦୦୧), ‘ସ୍ନାୟୁ ସନ୍ନ୍ୟାସୀ ଓ ଅନ୍ୟମାନେ’ (୨୦୦୨), ‘ବିଷବଳୟ’ (୧୯୬୬), ‘ମୋ ଆଖିର ମୂଲ’ (୧୯୬୮), ଅନୁବାଦ ମଧ୍ୟରେ ଭିରେଶ ଲିଙ୍ଗମ୍ (ସାହିତ୍ୟ ଏକାଡ଼େମୀ ନୂଆଦିଲ୍ଲୀ) ପଞ୍ଜାବୀ ଏକାଙ୍କିକା (ଏନ୍.ବି.ଟି. ନୂଆଦିଲ୍ଲୀ) ସହ ସମାଲୋଚନା ଓ ସମ୍ପାଦନାରେ ଓଡ଼ିଆ ନାଟକର ଉଦ୍ଭବ ବିକାଶ (୧୯୭୮, ପି.ଏଚ୍.ଡ଼ି. ଉପାଧି ସନ୍ଦର୍ଭ), ସନ୍ଥକବି ଅଚ୍ୟୁତାନନ୍ଦ (୧୯୯୮), ଆଧୁନିକ ଓଡ଼ିଆ ନାଟକ ଏକ ତୁଳନାତ୍ମକ ଅଧ୍ୟାୟ (୨୦୦୧) ଓ ସନ୍ଥ ସାହିତ୍ୟ କୋଷ (୧୯୯୮) ବୈଷ୍ଣବ ସାହିତ୍ୟ ଅଭିଧାନ, ଆଧୁନିକ ଓଡ଼ିଆ ନାଟକ: ଏକ ତୁଳନାତ୍ମକ ଅଧ୍ୟୟନ ( ୨୦୦୯ ), ସନ୍ଥ ସାହିତ୍ୟକୋଷ ପ୍ରଭୃତି ସାରସ୍ଵତ କୃତୀତ୍ଵ ତାଙ୍କର ଉଲ୍ଲେଖଯୋଗ୍ୟ ସାହିତ୍ୟିକ ପରିଚର୍ଯ୍ୟାର ଗୋଟିଏ ଗୋଟିଏ ସଫଳତା।
ତାଙ୍କ ଦ୍ଵାରା ରଚିତ କାହାଣୀ ‘ଶୂନ୍ୟସ୍ଵରୂପ’ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶନାରେ ୧୯୯୭ରେ ମୁକ୍ତିଲାଭ କରିଥିଲା। ଏହା ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ରୂପେ ଜାତୀୟସ୍ତରରେ ପୁରସ୍କୃତ ହେବା ସହ ରତ୍ନାକର ଚଇନି ଶ୍ରେଷ୍ଠ ସଂଳାପ ଲେଖକ ରୂପେ ପୁରସ୍କୃତ ହୁଅନ୍ତି। ଏହି ଚଳଚ୍ଚିତ୍ର ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ, ବର୍ଲିନରେ ମଧ୍ୟ ପ୍ରଦର୍ଶିତ ହୋଇପାରିଛି। ‘ଅଥଚ ଚାଣକ୍ୟ’ ଥିଲା ମିଥ୍ ଧର୍ମୀ ପଟ୍ଟଭୂମିରୁ ଭାରତୀୟ ଐତିହ୍ୟର ଯୁଗୋପଯୋଗୀ ଧାରଣାରେ ଗୋଟିଏ ନିଚ୍ଛକ ଚିତ୍ରଣ ରୂପେ ଓଡ଼ିଆ ବିଦ୍ବାନମଣ୍ଡଳୀଙ୍କ ମଧ୍ୟରେ ଆଦୃତ। ଚନ୍ଦ୍ରଗୁପ୍ତ ଓ ଚାଣକ୍ୟଙ୍କ ଉପରେ ଅନୁଶୀଳନ ― ମନୁଷ୍ୟର ସନ୍ତୁଳିତ ଯନ୍ତ୍ରଣାକୁ ସଜ୍ୟ କରିପାରି ନଥିବ। ଚନ୍ଦ୍ରଗୁପ୍ତ ଭଳି ଏକ ଶିଷ୍ୟକୁ ମୂର୍ତ୍ତିମନ୍ତ କରିଥିବ। ତାର ଅବଶିଷ୍ଟ ଜୀବନରେ ସ୍ବପ୍ନକୁ ଚନ୍ଦ୍ରଗୁପ୍ତ ମାଧ୍ୟମରେ ଜାଣିବାକୁ ଚାହିଁଛନ୍ତି ଦ୍ରଷ୍ଟା ।
ଯଦି ମଣିଷର ମାନସିକତା ଓ ସମ୍ବେଦନଶୀଳତା ନ ବଦଳିବ ତାହେଲେ ଶୋଷଣ ଶାସନ ଏକ ଭାବରେ ଚାଲିବ ― ଏହା ସର୍ବକାଳୀନ କାହାଣୀ। ଶାସନ ଓ ଶୋଷଣର ସୂତ୍ର ଏକ ― କାଳେ କାଳେ ଶାସନ ଓ ଶୋଷଣର ଏହି ସୂତ୍ର ଏକ ― ଯାହାର ପୃଷ୍ଠଭୂମିରେ ଏହା ରଚିତ। ମିଥ୍ ଧର୍ମିତାକୁ ପରୀକ୍ଷାବାଦିତାରେ ସେ ଯେଉଁ ପରିବର୍ତ୍ତନଶୀଳ ଚିତ୍ରଣ କରିଥିଲେ ତାହାର ଏକ ଅନନ୍ୟ ଉଦାହରଣ ଥିଲା ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟକ ‘କଳଙ୍କିତ ସୂର୍ଯ୍ୟ’। ଏହି ନାଟକ ପ୍ରଥମ କରି ୧୯୭୪ ମସିହାରେ ସମ୍ଵଲପୁର ସ୍ଥିତ ଧନୁପାଲିର ଚେତନା ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ପ୍ରଥମେ ଅଭିନୀତ ହୋଇଥିଲା।
ଚାରିତ୍ରିକତା ଅସଂଲଗ୍ନ, ହେଲେ ହେଁ ବୈଚିତ୍ର୍ୟ-ପ୍ରସୂତ ଅଟନ୍ତି। ଧୂମ୍ରାଭ ଭାବାବେଗରୁ ମତାନୈକ୍ୟ ମଧ୍ୟରେ ପରିବର୍ତ୍ତନ ଯେ ଗୋଟିଏ ତତ୍ତ୍ବ ଥିଲା – ମତଦ୍ଵୈଧ ପରି କଳ୍ପନାରେ ଯେ ଚାରି ଅନ୍ଧ ହାତୀକୁ ଛୁଇଁ ବର୍ଣ୍ଣନା କରିବାର ଯେଉଁ ଆଖ୍ୟାନ ରହୁଥିଲା – ତାହାକୁ ଦେଇଥିଲେ ଏକନିଷ୍ଠ ଦିଗ। ୨୦୧୦ ମସିହାରେ ସଂସ୍କାର ଭାରତୀ ଓ ଉତ୍କଳ ସାହିତ୍ୟ ସମାଜର ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିଲେ । ଜୀବନ କାଳ ମଧ୍ୟରେ ସିଏ ପାଇଥିଲେ ଏକାଧିକ ସନନ୍ଦ ଓ ପୁରସ୍କାର – ଓଡ଼ିଆ ସାହିତ୍ୟ ଏକାଡେମୀଠାରୁ ନେଇ ଏକାଧିକ ଅନୁଷ୍ଠାନ ପକ୍ଷରୁ ନିଜର ଏହି ଅନବଦ୍ୟ ସାରସ୍ଵତ କୃତୀତ୍ଵ ନିମନ୍ତେ। ତାଙ୍କ ଆତ୍ମଜୀବନୀ ହେଉଛି ‘ଜୀବନ କମାରଶାଳ’।
୨୦୨୦ ମସିହା ଏପ୍ରିଲ ୧୮ ତାରିଖରେ ନାଟ୍ୟକାର ରତ୍ନାକର ଚଇନି ପରଲୋକ ଗମନ କରିଥିଲେ I ତାଙ୍କର ଏହି ସାହିତ୍ୟ ସଂରଚନା ମଧ୍ୟରେ ସେ ଯେଉଁ ସୃଷ୍ଟିଶୀଳତା, ସାଙ୍ଗଠନିକତା ସହ ସୃଜନଧାରାର ପ୍ରୟୋଗାତ୍ମକ ଅଭିନିବେଶ ଥିଲା, ତାହାର ଅନେକ ଅନେକ ଅଂଶ ଆଜି ମଧ୍ୟ ଓଡ଼ିଆବାସୀଙ୍କ ହୃଦୟରେ ସନ୍ନିହିତ ହୋଇ ରହିଅଛି। ଅମରାତ୍ମାଙ୍କୁ ମୋର ସଶ୍ରଦ୍ଧ ସଦ୍ଗତି ପ୍ରାର୍ଥନା ସହ ଅନୁରାଗଧେୟ।