~ ଧାନମାଣିକା ଓଷା, ମାଣବସା ଗୁରୁବାର (ପ୍ରାଚୀନ ପରମ୍ପରାର ବିହଙ୍ଗଦୃଷ୍ଟି) ~
ଲେଖା: ଅମୃତେଶ ଖଟୁଆ
ପ୍ରଶାନ୍ତ ବନରାଜିନୀଳାର ଶ୍ୟାମଳ ପ୍ରକୃତିକୁ ଆଶ୍ରୟ କରି ଆର୍ଯ୍ୟେତର ବନବାସୀ ସମାଜର ଉପକ୍ରମ ସଙ୍ଗେ ପ୍ରାଚୀନ ଆରଣ୍ୟକ ଜନବସତିଠାରୁ ପୁନଶ୍ଚ ପୃଥକ୍ ହୋଇ କ୍ରମେ ଦ୍ରାବିଡ଼ାଦି ଗଣଙ୍କ ଆଗମନରୁ ସାମୂହିକ ଜନସମାଜ ମଧ୍ୟରେ ଅରଣ୍ୟଜୀବୀ ଓ ଆର୍ଯ୍ୟ ପ୍ରଭୃତି ରାଜକୀୟ ବର୍ଗ ଏକତ୍ର ବସବାସ କରିଛନ୍ତି । ଓଡ଼ିଆମାନଙ୍କ ଜାତୀୟ ଜୀବନ ଏପରି ଏକ ପ୍ରଶସ୍ତ ଏବଂ ମନୋହର ସମାବେଶ ଯେ ଭାରତର ଅନ୍ୟ ଅନେକ ପ୍ରାନ୍ତରମାନଙ୍କ ପରି ଏହା ବାହ୍ୟ ସଂସର୍ଗର ବଶ୍ୟତା ଗ୍ରହଣ ନ କରି ବିଷମ-ବିପାକ ବେଳେ ସୁଦ୍ଧା ନିଜ ସମ୍ମିଳିତ ସଂସ୍କୃତିଠାରୁ ବିଚ୍ୟୁତ ହୋଇନାହିଁ । କିମ୍ବଦନ୍ତୀ ଓ ଇତିହାସର ପ୍ରଭୂତ ଉପାଦାନ ମିଶ୍ରିତ ଏକ ଦୀର୍ଘ ନଅଶହ ବର୍ଷର ଇତିହାସ ଏଠି ତାହାର ଏକ ବିଶିଷ୍ଟ ସାକ୍ଷୀ ।
ଏହି ଦୀର୍ଘ ନଅଶହ ବର୍ଷ – ଷଷ୍ଠ ଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ – କେବଳ ଅଧ୍ୟୟନ କରିଲେ ଜଣାପଡ଼ିବ ଗୋଟିଏ ମହୀୟାନ ଜାତିର ପରମ୍ପରାଗତ ଇତିହାସ ବିଭିନ୍ନ ସ୍ତର ଓ ପୃଷ୍ଠଭୂମିରେ କିପରି ଗଠିତ । କୃଷିଭିତ୍ତିକ ଓ ଆରଣ୍ୟକ ସଭ୍ୟତା ସ୍ଥାନୀୟ ଗଣରାଜ୍ୟ ଓ ଗ୍ରାମ ସ୍ଵାୟତ୍ତ ଶାସନସମ୍ଭୂତ ଏକ ସାର୍ବଭୌମ ଗଣରାଜ୍ୟକୁ ପରିଣତ ହୋଇଛି । ସହସ୍ର ସହସ୍ର ରାଜ ବର୍ଗ ଏହି ଭୂମିରେ ପଦାର୍ପଣ କରିଛନ୍ତି, ଏହାର ଗୌରବକୁ ଅଧିକାର କରିବା ବଳରେ ବରଂ ନତଜାନୁ ହୋଇ ନିଜ ଭୂମି ହିଁ ମାନ୍ୟପୂର୍ବକ ପ୍ରଭୂତ ପ୍ରତିପତ୍ତି ତଥା ପରାକାଷ୍ଠାର ପରିଚୟ ପ୍ରଦାନ କରି ଆସିଛନ୍ତି । ଜାଗତିକ ପରିମାଣରେ ଆପାତତଃ ଓଡ଼ିଶା ଏହି ନୈସର୍ଗିକ ପରମ୍ପରାର ରୁଚିକର ଲୀଳାଭୂମି ।
ଅଧିକନ୍ତୁ ଓଡ଼ିଶା ନିଜକୁ ଦେବଦେବୀଙ୍କ ଗରିଷ୍ଠ ଐତିହ୍ୟ ରୂପେ କରେ ମହାର୍ଘ ଭୂସ୍ବର୍ଗର ନିର୍ଦ୍ବନ୍ଦ୍ବରେ ବିବେଚନା । ଏହି ମହା-ମନ୍ଦିରମାନଙ୍କ ଭିତରେ ଓ ବାହାରେ ଦୈନନ୍ଦିନ ଅନୁସୃତ ଅନେକ ଆଚାର-ବ୍ୟବହାର ପୁଣି ଉତ୍କଳୀୟ ଜନତାଙ୍କ ଦୈନିକ କାର୍ଯ୍ୟ ପଦ୍ଧତିର ନିୟମିତ ଖସଡ଼ା ପାଲଟିସାରିଛି ! ଉତ୍କଳୀୟ କଳା ଓ ସ୍ଥାପତ୍ୟ ସମେତ ଏହାର ଇତିହାସରେ ସମାହିତ ବିସ୍ମୟୋତ୍ପାଦକ ଐତିହ୍ୟ । ଦୀର୍ଘ ଐତିହାସିକ କାଳ ଧରି ଓଡ଼ିଆମାନଙ୍କ ଅସାଧାରଣ ସର୍ଜନ ଶକ୍ତି ବଳରେ ନିହିତ ଅଭୂତପୂର୍ବ ମାଦକତା ସମଗ୍ର ବିଶ୍ବକୁ ଆକୃଷ୍ଟ କରେ । ଅନୁରୂପ ଭାବରେ ଓଡ଼ିଆ ସଂସ୍କୃତି କହିଲେ ଆହୁରି ସୂକ୍ଷ୍ମ, ନିଖୁଣ ଏବଂ ପରିଧି ଯେ ବିସ୍ତୃତ ! ଯେତେ ଭେଦ, ସେତେ ଗଭୀର । ଯେତେ ଉଭା ସେତେ ପୋତା ।
ପ୍ରତ୍ୟେକ ସଭ୍ୟତାର ଆଦିମ ପର୍ଯ୍ୟାୟ ଏହାର ପ୍ରକୃତି – ଏହାର ନିଃସର୍ଗ । ପ୍ରକୃତି ପାଖରେ ମନୁଷ୍ୟର ଯେତିକି ଦାବି, ସେତିକିରେ ଆଦିମ ସଭ୍ୟତା ସନ୍ତୁଷ୍ଟ । କାରଣ ବସବାସ ରହିତ ପରିବ୍ରାଜକ ନରନାରୀ ଯେ ଯାଯାବର; ସରଳ ଜୀବନଯାପନ, ଅଳ୍ପରେ ସନ୍ତୁଷ୍ଟି ଏବଂ ନିର୍ଦ୍ଦୋଷ ଆମୋଦ ପ୍ରମୋଦ ଉଦ୍ଦିଷ୍ଟ ଯେଉଁ କେତୋଟି କାର୍ଯ୍ୟକୁ ମୂଳଦୁଆ କରିଥିଲେ, ସେଥିରେ ସବୁ ମଣିଷ ପ୍ରାୟ ସମାନ । ପ୍ରକୃତିର କୋଳରୁ ଦୂରେଇ ଆସି କୃତ୍ରିମ ସଭ୍ୟତାର ଅନ୍ତଃପୁରରେ ତଥାପି ସ୍ଥାୟୀ ହେବା ଆଦିମ ମନୁଷ୍ୟର ନୀତି ପରିପନ୍ଥୀ । କିନ୍ତୁ, ବିବର୍ତ୍ତନ ଚକ୍ର ମନୁଷ୍ୟର କ୍ଷୁଧାଜର୍ଜର ଜଠର ଓ କ୍ରମଶଃ ଦେହର ପୁଷ୍ଟିକୁ ତୀବ୍ର କରିବାରୁ ବଣ ଓ ପର୍ବତକୁ ଖୋଳିଛି ।
ଅରଣ୍ୟର ନିର୍ଜନତାରେ ପର୍ଣ୍ଣ-କୁଟୀର ବାନ୍ଧି ଦେଇ ଦିନାକେତେ ରହି ଯାଉଥିବା ମନୁଷ୍ଯ ଶେଷରେ ପୃଥିବୀର ବିଭିନ୍ନ ଅଞ୍ଚଳମାନଙ୍କରେ ସ୍ଥାୟୀ ହୋଇଛି । ବୃଷ୍ଟି-ବହୁଳ ପାର୍ବତ୍ୟ ବକ୍ଷ ଭେଦ କରି ସମତଳ ଭୂମିରେ କୃଷି କରିଛି ଏବଂ କୃଷି ସହିତ ଜୀବିକା ନିର୍ବାହର ଉପାୟ ଲୋଡ଼ିଛି ପ୍ରକୃତିର ଅନ୍ୟାନ୍ୟ ଅଙ୍ଗରୁ । ତେବେ, ଦୀର୍ଘ ହଜାର ହଜାର ବର୍ଷର ଏହି ବିବର୍ତ୍ତନ ଧାରାରେ ଗୋଟିଏ ବୃହତ୍ କୃଷିଭିତ୍ତିକ ଯାଯାବର ମଣିଷ ସମାଜ ସଭ୍ୟ ସଂସ୍କୃତିର ପ୍ରାଣକେନ୍ଦ୍ର କିପରି ପାଲଟିଗଲା ?
ଆଜିକାଲିର ଗବେଷଣାର ଗୋଟିଏ ଗତାନୁଗତିକ ଧାରା ଏହି ବ୍ୟାଖ୍ୟା କରିଛି ପ୍ରକୃତିକୁ ଭୟ କରି ମାନବର ସଂସ୍କୃତି, ଧର୍ମ, ପୂଜା, ଉପାସନା, ପ୍ରଥା ବିଧିର ଆବିର୍ଭାବ । ଆଦିମ ବିଶ୍ବାସର ଦେବତା ଯେ ଖୁବ୍ ଶକ୍ତିଶାଳୀ ଓ ବିଧ୍ବଂସକାରୀ ବୋଲି ଅନୁମାନ କରିବା ସମ୍ଭବପର, କିନ୍ତୁ ବିବର୍ତ୍ତନ ଚକ୍ରରେ ବିଭିନ୍ନ ଦୁର୍ଘଟଣାର ପ୍ରତୀକସମୂହକୁ ଗୋଟିଏ ସାଧାରଣଭୂତ ଚେତନା ଅତି ସରଳରେ ଗ୍ରହଣ କରେ । ଦେବତା ଯେ ଆରମ୍ଭରେ ଭୟାବହ, ସ୍ରଷ୍ଟା ଯେ ବିଧ୍ବଂସକ ଓ ପ୍ରଳୟଙ୍କରୀ । ମନୁଷ୍ୟକୁ ଧର୍ମଭୀରୁ କରିବା ପ୍ରକୃତି ଉପାସନାର ଯଦି ଅଙ୍ଗ, ତେବେ ଆଜିର ବିସ୍ତୃତ ସମାଜ ଯାହାର ଅଗଣିତ ବିଶ୍ବସ୍ତ ଧର୍ମପନ୍ଥା ଭିତରେ ସମାଜ ଏକ ସାଂସ୍କୃତିକ ସହବନ୍ଧନ ହୋଇରହିଛି, ତାହା ସମୂଳେ ଅନ୍ଧବିଶ୍ୱାସ ବୋଲି ପ୍ରତିପନ୍ନ ହେବା ସଙ୍ଗେ ଲୋପ ପାଇଯିବା ବିଧେୟ ।
କିନ୍ତୁ ସେପରି ନ ହୋଇ ବିବର୍ତ୍ତନ ଚକ୍ରକୁ ସୁଦ୍ଧା ମନୁଷ୍ୟର ଅଧୁନାତନ ସଂସ୍କୃତି ଗ୍ରହଣ କରିପାରିଛି । ଭାରତବର୍ଷର ବୈଦିକ ପୂଜା ଓ ଏହାର ଦ୍ରଷ୍ଟା ମୁନିଋଷିଗଣ ବେଦର ଅମୃତମୟ ଅଭିବ୍ୟକ୍ତି ଛଳରେ ଏହି ଆଦିମ ପ୍ରାକୃତିକ ଉପାଦାନ ଯଥା ଅଗ୍ନି, ବାୟୁ, ଜଳ, ଆକାଶକୁ ସ୍ତୁତି କରିଛନ୍ତି । ପ୍ରକୃତି ଯେ ମାନବ-ହିତୈଷିଣୀ ଓ ଏହା କଳ୍ପନା କରି ସେମାନଙ୍କ ଗୁଣ ବର୍ଣ୍ଣନାପୂର୍ବକ ସଦାସର୍ବଦା ମାନବର ଉପକାର ଲାଗି ଏହି ଦେବତାଙ୍କ ସୃଷ୍ଟି ବିକଶିତ ହେଉ ; ଏହି ବିଚାର ଓ ଅନୁଚିନ୍ତନରେ ନିତ୍ୟ ଉଦ୍ବୁଦ୍ଧ ରୁହନ୍ତି । ଆଉ ଏହି କୃତ୍ରିମ ବିଶ୍ବାସ ଘଟଣାଚକ୍ରରେ କ୍ରମଶଃ ପ୍ରକୃତିର ନିୟମକୁ ମାନି ସମାନ୍ତରାଳରେ ମନୁଷ୍ୟକୁ ନିଜ ଗହଣରେ ଥଇଥାନ କଲା ।
ଆଦିମମାନଙ୍କଠାରୁ ଆଜିର ପୌରାଣିକ ସମ୍ପତ୍ତି, ଲୋକ ଚଳଣିର ସଂସ୍କାର ଓ ବୃତ୍ତାନ୍ତସମ୍ଭୂତ ଅଜସ୍ର କିମ୍ବଦନ୍ତୀର ସମ୍ଭାର । ଯୁଗେ ଯୁଗେ ପୃଥିବୀର ପ୍ରତ୍ୟେକ ପନ୍ଥା ଓ ବିଶ୍ବାସରେ ପରିବର୍ତ୍ତନ ଘଟିଛି ଏବଂ ସେମାନଙ୍କ ମଧ୍ୟରେ ଇତିହାସ ଓ କିମ୍ବଦନ୍ତୀର ସଙ୍ଘର୍ଷ ଠିକ୍ ଏଇ ଆଦିମ ଓ ଆଧୁନିକ ମଣିଷମାନଙ୍କ ବିଚାରଧାରାର ସୁଦୂର ଭେଦ ସଦୃଶ ଜଟିଳ । ଇତିହାସ ଯେ କିମ୍ବଦନ୍ତୀ ବା କିମ୍ବଦନ୍ତୀ ଯେ ଇତିହାସ ଏହା ଯେ ଏକାବେଳକେ ନିରୂପଣ କରିବା ନିହାତି ଅସାଧ୍ୟ । ଆଦିମ ମଣିଷ ପକ୍ଷରେ ଯେଉଁ ସବୁ ବିଶ୍ବାସ ସରଳ ଥିଲା ତାହା ଆଜି ଅବଶ୍ୟ ବିଭିନ୍ନ ପନ୍ଥାରେ ବିଭକ୍ତ ହୋଇ ସମାଜର ବିଭିନ୍ନ ସ୍ରୋତର ବିଭିନ୍ନ ଅବଗାହୀ ଲୋକମାନଙ୍କ ନିମନ୍ତେ ଗ୍ରହଣୀୟ ହୋଇଛି ।
ସେମାନେ ଯେ ଏଥିପାଇଁ ବିଭକ୍ତ ଯେ ସେମାନେ ପରସ୍ପର ବିଚାରଧାରାଠୁ ପୃଥକ୍ ହେଲେ, ତାହା ନୁହେଁ, ବରଂ ଆଦିମ କଳାକୌଶଳ ମଧ୍ୟ ଉନ୍ନତ ଓ ମାର୍ଜିତ । ନିରଳସ ସଙ୍ଗୀତର ମୂର୍ଚ୍ଛନା, ସୁମଧୁର ବାଦ୍ୟଯନ୍ତ୍ରର ସୁଲଳିତ ତାନ ତଥା ଆଦି ନୃତ୍ୟର ଅବିରଳ ଛନ୍ଦପତନରେ ସଭିଏଁ ଥିଲେ ପରସ୍ପର ଆବଦ୍ଧ । ସେମାନଙ୍କ ପାଇଁ ଜାତି ସୃଷ୍ଟି ହେଲା ଏଇ ସମଭାବାପନ୍ନ ସମଷ୍ଟିରୁ । କି ପର୍ବତବାସୀ, କି ମାଳବାସୀ, କି ଅରଣ୍ୟଜୀବୀ, କି ପଲ୍ଲୀବାସୀ, କି ସ୍ତ୍ରୀ ବା କି ପୁରୁଷ । ସମସ୍ତ ଆଦିମ ଭକ୍ତମାନେ ପାଲଟିଗଲେ ପ୍ରଥମତଃ ଗୋଟିଏ ସଂସ୍କୃତି ଓ ଗୋଟିଏ ସମାଜର ବଶମ୍ବଦ । ଉଦାହରଣସ୍ବରୂପ ଆଜି ବି କର୍ମନିରତା ଆଦିମ ରମଣୀମାନଙ୍କ ସଙ୍ଗୀତ ଲହରୀ ଓ ଭ୍ରାମ୍ୟମାଣ ଆଦିମ ଯୁବକମାନଙ୍କ ବଂଶୀ ଧ୍ବନି ଉତ୍କଳର ଗିରି ବନ ମଧ୍ୟରୁ ସମତଳ ପ୍ରଦେଶ ପର୍ଯ୍ୟନ୍ତ ପ୍ରବାହିତ ହୋଇ ଏ ଭୂମିକୁ ମୁଖରିତ କରିଚାଲିଛି ।
ଏହା ହିଁ ଚିରନ୍ତନୀ ଆଦିମ ସଂସ୍କୃତିର କ୍ଷୀଣାଭାସ ମାତ୍ର । କେଉଁ ଅନାଦି କାଳରୁ ଉତ୍କଳଭୂମି ବୈଦିକ ଧର୍ମ ସଂସ୍କୃତିର ପ୍ରତିଷ୍ଠା ହେବା ବହୁ ପୂର୍ବରୁ ନିଜର ଏକ ସ୍ବତନ୍ତ୍ର ସଭ୍ୟତା ଗଠନ କରି ସାରିଥିଲା । ଖ୍ରୀଷ୍ଟଯୁଗର କେତେକ ଶତାବ୍ଦୀ ପୂର୍ବେ ଏବଂ ପରେ ଯେଉଁ ସବୁ ଗ୍ରୀକ୍ ଭୌଗୋଳିକ ଏବଂ ଐତିହାସିକ ଭାରତ ଉପରେ ନିଜ ଦୃଷ୍ଟି ନିକ୍ଷେପ କରିଥିଲେ, ସେମାନଙ୍କ ମଧ୍ୟରୁ ଅନେକଙ୍କ ବିବରଣୀରୁ ଉତ୍କଳରେ ଏହି ଆଦିବାସୀ ‘ଶବର’ମାନଙ୍କ ବିଷୟ ପ୍ରତ୍ୟକ୍ଷ ବା ପରୋକ୍ଷରେ ସୂଚନା ସ୍ବରୂପ ଦେଖାଯାଏ । ସେହି ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ଶବର ଏବଂ ଅପର ଯେତେକ ଆଦିମ ଗୋଷ୍ଠୀମାନ ଉତ୍କଳର ଗଡ଼ଜାତ ଅଞ୍ଚଳରେ ବସବାସ କରି ଆସୁଛନ୍ତି । ପ୍ରାୟତଃ ଓଡ଼ିଶାର ଗଡ଼ଜାତ ଅଞ୍ଚଳରେ ଆଦିବାସୀମାନେ ହିଁ ସଂଖ୍ୟାଗରିଷ୍ଠ ବାସିନ୍ଦା ।
କିନ୍ତୁ, ଉତ୍କଳୀୟ ଧର୍ମ ଓ ସଂସ୍କୃତି ଉପରେ ଯେ ସେମାନଙ୍କ ପ୍ରଭାବ ଅତ୍ୟନ୍ତ ସ୍ବଳ୍ପ, ଏହା ନିଶ୍ଚୟ ଏକ ସଙ୍କୀର୍ଣ୍ଣ ଦୃଷ୍ଟିକୋଣର ପରିଚୟ ଦେବ । ଅତି ବାସ୍ତବ ଦୃଷ୍ଟାନ୍ତ ସହ ନିଶ୍ଚୟ କୁହାଯାଇପାରେ, ଦେଢ଼ ହଜାର ବର୍ଷ ପୂର୍ବରୁ ଗ୍ରୀକ୍ ଭୌଗୋଳିକମାନେ ଭାରତର ପୂର୍ବ ପାର୍ବତ୍ୟ ଘାଟୀମାନଙ୍କରେ କନ୍ଧମାନଙ୍କ ସଭ୍ୟତାକୁ ଠାବ କରିଥିଲେ । ତା’ର ବହୁ ପୂର୍ବରୁ ତଥାକଥିତ ଆର୍ଯ୍ୟମାନଙ୍କ ଦ୍ବାରା ବିତାଡ଼ିତ ହୋଇ କନ୍ଧମାନେ ବୋଧହୁଏ ଉତ୍କଳର ପାହାଡ଼ ଦରୀର ଆଶ୍ରୟ ଗ୍ରହଣ କଲେ । ସବୁ ଦେବତାଙ୍କ ମଧ୍ୟରେ କନ୍ଧମାନେ ମଧ୍ୟ ମାଟି ଦେବତାଙ୍କ ପ୍ରତି ଅଧିକ ମାତ୍ରାରେ ଅନୁରକ୍ତ । ଆଜି ମଧ୍ୟ ଓଡ଼ିଶାର ‘ନିୟମଗିରି’ ପର୍ବତ କନ୍ଧମାନଙ୍କ ପ୍ରଧାନ ଉପାସନାର ପୀଠ ରୂପେ ପରିଚିତ ।
ଆଉ ଏକ ସୁନ୍ଦର ଦୃଷ୍ଟାନ୍ତର ଅବତାରଣା ଆଲୋଚ୍ୟ ପ୍ରସଙ୍ଗର ମାର୍ଗ ପୁଷ୍କଳ କରିବ – କୋରାପୁଟର ଏକ କଳ୍ପିତ ଗାଁ ମିଣିଆପାୟୁ । ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ‘ଅମୃତ ସନ୍ତାନ’ର ଏହି ଅସରନ୍ତି ଅତୀତର ପିତୃପୁରୁଷଙ୍କ ମହାନ ସ୍ମାରକୀର ଅନେକ ଚରିତ୍ର ମଧ୍ୟରେ କନ୍ଧମାନଙ୍କ ବୁଢ଼ା ସର୍ଦ୍ଦାର ସରବୁ ସାଓଁତା, ଦିଉଡୁ, ତା’ର ପିତୃବ୍ୟ ଲେଜୁ, ପତ୍ନୀ ପୁୟୁ ଓ ଭଉଣୀ ପୁବୁଲି । ପ୍ରତ୍ୟେକ ଚରିତ୍ରର ଆରମ୍ଭ ଓ ଅବସାନ ସହିତ ଦିଶୁଥିଲା ନୂଆ ଏକ ଚଳଣିର ଆବିର୍ଭାବ । ତିନିଟା ଗାଁର ତିନିଟି ସାଓଁତା ପରିବାର ବୈବାହିକ ସୂତ୍ରରେ ଆବଦ୍ଧ କିନ୍ତୁ ଯୌନ ଆବେଗର ପ୍ରତିଦ୍ବନ୍ଦ୍ବିତା ଓ ଆର୍ଥିକ ଉନ୍ନତି ସହ କୁଟୁମ୍ବ ସମାଜର ଅଦଉତି ଭିତରେ ତିନି କେ ତିନି ଜଣ ।
ଦାଦା ଲେଜୁ ଓ ପୁତୁରା ଦିଉଡୁର ତିକ୍ତ ସମ୍ବନ୍ଧ ଓ ପୁୟୁ ଭଳି ନାରୀ ଚରିତ୍ରର ଏସବୁ ଭିତରେ ଉଭୟ କୁଟୁମ୍ବର ତିକ୍ତତା ଗ୍ରହଣ କରି ନିଜ ପତ୍ନୀ ଧର୍ମର ଅବଲମ୍ବନ କନ୍ଧ ସମାଜର ସେହି ଆଦିମ ବିଶ୍ବାସର ବିବର୍ତ୍ତିତ ଚକ୍ରକୁ ଦର୍ଶାଉଛି । ଯେଉଁ ପୁୟୁ ଦିନେ ହରିଣୀ ପରି ମନୋହର ଗତିଚଞ୍ଚଳା ଥିଲା ଓ ଆକର୍ଷଣରେ ସମଗ୍ର କନ୍ଧ ଗାଁର ନେତ୍ର ଜିଣି ନେଇଥିଲା, ସେ ପିଲାଟିର ମା’ ହୋଇ ସ୍ବାସ୍ଥ୍ୟଭଙ୍ଗର ସମ୍ମୁଖୀନା । ଏଣେ ସ୍ବାମୀର ଯତ୍ନ ମଧ୍ୟ ଖସିଲା ତଥାପି, ପୁୟୁର ମାତୃତ୍ବ, ପତ୍ନୀବତ ଧର୍ମ ଅବଲମ୍ବନ ଭିତରେ ଯତ୍ନପରାୟଣତା ଓ ଗୃହକର୍ମ ପ୍ରତି ଅସପତ୍ନ ନିଷ୍ଠା ଓ ନୈପୁଣ୍ୟ । ସଙ୍ଘର୍ଷ ଭିତରେ ସେ ଦେଖିଛି – “ଆନନ୍ଦ ପାଇଁ ଆମର ଜନ୍ମ । ନିଜେ ଇଚ୍ଛା ନ କଲେ କାହାର ଶକ୍ତି ଅଛି ଆମ ପ୍ରାଣକୁ ପୀଡ଼ା ଦେବ । ସଂସାରରେ ଦୁଃଖ ନାହିଁ ।” ପୁୟୁ ସକାଳୁ ବାହାରି ପଡ଼ିଛି ନିଜର ଅନ୍ୟ ଏକ ଡିହ ସନ୍ଧାନରେ । “ଟିକି ଚଢ଼େଇର ବସା ଅଛି । ପିମ୍ପୁଡ଼ିର ଅଛି ଆଧାର ।” ଯିବ ପିତା ଘର । ଭେଟିବ ନଣନ୍ଦ ପୁବୁଲିକୁ ଗାଁରେ । ପୂର୍ବ ପରି ସେ ବୁଝିବ ତାକୁ ଉଦିଆନ୍ ସୂର୍ଯ୍ୟ ପରି । ନୂଆ ଜୀବନ ତା’ର ଉଇଁ ଆସିବ ନିଶ୍ଚୟ । “ଜୀବନରେ ସୁଆଦ ଅଛି, ମରଣ ନାହିଁ, ଦୁଃଖ ନାହିଁ ।” ପ୍ରତ୍ୟେକଟି ଚରିତ୍ର ଯେପରି ନୈସର୍ଗିକ ପ୍ରକୃତିର ଆବଶ୍ୟକତା ଓ ସମାଜର ତା’ ସଙ୍ଗେ ଗଢ଼ିଉଠିଥିବା ପ୍ରବୃତ୍ତିଗୁଡ଼ିକୁ ନେଇ ଗୋଟିଏ ସଂସ୍କୃତି ଚଳିଛି । ଏକା ବେଳକେ ସ୍ବାଭାବିକ ଓ ପ୍ରାଣବନ୍ତ । କୌଣସିଟି ଅମାନବିକ କି ଅପ୍ରାକୃତିକ ନୁହେଁ, ବର ତାହା ସବୁ କାଳେ ଓ ସବୁଠି ଅନୁଭୂତ ହେଉଥିବ ।
ପୁୟୁ ନାମକ କନ୍ଧ ନାରୀ ଏଠି ଯେଉଁ ଯୌନ ସମ୍ପର୍କ ରକ୍ଷା ନ କରିପାରି ସ୍ବାର୍ଥର ସ୍ପର୍ଦ୍ଧାରେ ହାରିଛି, କିନ୍ତୁ ଏକ ଅମର ଆହ୍ବାନ ଶେଷରେ ଦେଇଗଲା । ବିନା ଅପରାଧ ବା ବିନା ଦୋଷରେ ପରାଜୟ ବା ନୈରାଶ୍ୟର ଗ୍ଳାନି ସେ ମୁଣ୍ଡେଇବାକୁ ପ୍ରସ୍ତୁତ ନୁହେଁ । ତା’ ପାଇଁ ତା’ର ସଂସ୍କୃତି ଯୁଗ ଯୁଗର ପ୍ରତିଷ୍ଠିତ କନ୍ଧ ସମାଜର ପଟ୍ଟଭୂମି । ସରବୁ ସାଓଁତା ଚାଲିଗଲା, ଦିଉଡୁ ପରକୀୟା ସ୍ତ୍ରୀ ମୋହରେ ନିଜ ଛିନ୍ନମୂଳ କୁଟୁମ୍ବର ନୂଆ ଅବଲମ୍ବନ ଖୋଜିନେଲା । କିନ୍ତୁ, ପୁୟୁ ଭଳି କେତେ କେତେ ଚରିତ୍ରଙ୍କ ଅମାୟିକ ସଙ୍ଘର୍ଷର ଆକଳନ ହୋଇନାହିଁ ଯେ ମାନବୀୟ ମୂଲ୍ୟବୋଧ ଯେ ସବୁ ସଂସ୍କୃତିର ମୂଳଭିତ୍ତି, ଏହା ଏପର୍ଯ୍ୟନ୍ତ ଆକଳନ ହେବା ଲାଗି ଯଥେଷ୍ଟ ଶ୍ରମ ସ୍ବୀକାର କରିବାକୁ ପଡ଼ିଛି – ଉଭୟ ବଚନରେ ଓ କର୍ମରେ !
ଏପରି ଏକ ପ୍ରଶଂସନୀୟ ସମାଜ ଚିତ୍ର ହେଉଛି ନାରୀର ସ୍ଥାନ । ଆଦିମ ରମଣୀ କୌଣସି ଯୁଗରେ ପର୍ଦାନସୀନ କିମ୍ବା ଗୃହକୋଣବନ୍ଦିନୀ ହୋଇ ରହିନାହିଁ । ସେ ଚିର ଦିନ ପୁରୁଷର ସହକର୍ମିଣୀ, ପୁରୁଷ ଅନୁରୂପ କର୍ମବ୍ୟସ୍ତ ଏବଂ ମୁକ୍ତ । ଅଥଚ ପାଶ୍ଚାତ୍ୟ ଦେଶୀୟ ନାରୀ ସ୍ବାଧୀନତାର ବର୍ଜ୍ୟ ଚିନ୍ତନ ତଥାପି ଏହି ମୌଳିକ ଶୃଙ୍ଖଳକୁ ଭାଙ୍ଗିନି । ନାରୀର ସମସ୍ତ ଅଧିକାର ଥିବା ସତ୍ତ୍ବେ ସେ ସ୍ବେଚ୍ଛାଚାରିଣୀ ନୁହେଁ, ପରପୁରୁଷ ବା ବହୁ ପୁରୁଷ ଆସକ୍ତା ନୁହେଁ । ଏପରିକି ଯେ ଓଡ଼ିଶାର କନ୍ଧମାନଙ୍କ ମଧ୍ୟରେ ପ୍ରଥମା ସ୍ତ୍ରୀର ଜୀବିତାବସ୍ଥାରେ ସ୍ବାମୀ ଦ୍ଵିତୀୟ ବିବାହ କରେ ନାହିଁ । ଯଦି କଦବା କ୍ବଚିତ୍ ସେ ପୁରୁଷ ଦ୍ବିତୀୟ ସ୍ତ୍ରୀ ବରଣ କରେ, ତେବେ ତାହା ମଧ୍ୟ ପ୍ରଥମ ସ୍ତ୍ରୀର ଅନୁମତି ସହକାରେ । କାରଣ, ପରିସ୍ଥିତିର ଦାୟରେ ସଂସ୍କୃତି ସ୍ବେଚ୍ଛାଚାରର ଭୁକ୍ତ ନ ହୋଇ ପବିତ୍ର ରହିବା ଆବଶ୍ୟକ ।
ସେହିପରି ସାନ୍ତାଳମାନଙ୍କ ମଧ୍ୟରେ ଅବିବାହିତ ଯୁବକମାନଙ୍କୁ ଅତିଶୟ କଡ଼ା ଦୃଷ୍ଟିରେ ରଖାଯାଏ ଏବଂ ସେଥିପାଇଁ ସାନ୍ତାଳ ବସତିରେ ପୃଥକ୍ କର୍ମଚାରୀଗଣ ନିଯୁକ୍ତ ରୁହନ୍ତି । ଓଡ଼ିଶାର ଜୁଆଙ୍ଗ ସମ୍ପ୍ରଦାୟ ପରିସରରେ ଗୋଟିଏ ବିଧି ରହିଛି, ସମସ୍ତ ବାଳିକାଙ୍କୁ ବଂଶକର୍ତ୍ତା ବା ମୁରବିଙ୍କ ତତ୍ତ୍ଵାବଧାନରେ ଗୋଟିଏ ଗୃହରେ ରାତ୍ରି ଯାପନ କରିବାକୁ ପଡ଼େ । ତତ୍କାଳୀନ ବ୍ରିଟିଶ୍ ଅଧିକାରୀ ହଣ୍ଟର ସାହେବ ମଧ୍ୟ ଦେଖିଛନ୍ତି, ଓଡ଼ିଶାର ଏହି ଉତ୍ତରାଞ୍ଚଳ ନିବାସୀ ଜୁଆଙ୍ଗ ଯୁବକ ଗୋଟିଏ ଗୃହରେ ଆବଦ୍ଧ ରହିବାର ପ୍ରଥା ଓଡ଼ିଶା ସହ ଯେତେକ ଅପହଞ୍ଚ ସୁଦୂର ଜାଙ୍ଗଲିକ ସଭ୍ୟତା ଓ ଆଦିମ ସମ୍ପ୍ରଦାୟମାନଙ୍କ ଏକ ବିଶିଷ୍ଟ ପ୍ରଥା, ଯାହା ସେମାନଙ୍କ ଧର୍ମଭୀରୁତା ଓ ନୀତିଭୀରୁତାକୁ ଖଣ୍ଡନ କରେ ।
ଏଇ ଯେଉଁ ଉପନ୍ୟାସର ଚରିତ୍ର ପୁୟୁ ବିଷୟରେ ଆଲୋଚିତ ହେଲା ଗୋଟିଏ କନ୍ଧ ନାରୀ କିପରି ଏକାଧାରରେ ପ୍ରେମମୟୀ, କରୁଣାମୟୀ ପୁଣି ବିପ୍ଳବିନୀ । ଏକାଧାରରେ ସରଳ ବିଶ୍ବାସର ବୀଜ ବପନ କରି ଜୀବନ ଯାତ୍ରାରେ ପୁନଶ୍ଚ ଯେ କୌଣସି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର ଅଦ୍ଭୁତ ସାମର୍ଥ୍ୟ ଧାରଣ ଲାଗି ସେମାନେ ନୀଳକଣ୍ଠ । କେତେ କେତେ ଦର୍ଶକ, ପର୍ଯ୍ୟଟକ, ଶ୍ରୋତା, ସମାଲୋଚକ ଭଳି ଜାତି ଜାତିର ଶ୍ରେଣୀବଦ୍ଧ ନବାଗନ୍ତୁକ ଆସିଛନ୍ତି ଏହି ଦୃଶ୍ୟ ଦେଖି । ପିଢ଼ି ପରେ ପିଢ଼ି ସେପରି ଜୀବନ-ଇତିହାସ ଏକ କିମ୍ବଦନ୍ତୀର ରୂପ ନିଏ, ଏକ ପୁରାଣର ସର୍ଜନା କରେ ପୁଣି କାବ୍ୟ ବା ଉପନ୍ୟାସ ଭଳି ସାହିତ୍ୟ କୃତିର କଳ୍ପନାର ବିଷୟ ପାଲଟିଯାଏ, ତାହା ପଢ଼ି ମୁଗ୍ଧ ଚକିତ ହେବା ସ୍ବାଭାବିକ ।
ଏହି ନାରୀ ଜାଗରଣ ବା ନାରୀ ସ୍ବାଧୀନତାର ଉନ୍ମେଷ ତେଣୁ, ଆଜିକୁ ନୁହେଁ ବା ସଂସ୍କୃତି ଦ୍ଵାରା ପରମ୍ପରା ସୃଷ୍ଟି କରିବାର ଧାରା ନୂତନ ନୁହେଁ । ଏହା ପ୍ରତି ସଂସ୍କୃତିର ନିତ୍ୟ ପ୍ରକାଶ । ହୃଦୟ ବା ଆତ୍ମାର ବିକାଶ ବିନା ଭୌତିକ କଳେବର ଯେପରି ମୂଲ୍ୟହୀନ, ସଂସ୍କୃତିର ବିକାଶ ବ୍ୟତିରେକ ସଭ୍ୟତା ସେହିପରି ନିରର୍ଥକ ଏବଂ ଅନ୍ତଃସାରଶୂନ୍ୟ । ସମାଜ ବା ସଭ୍ୟତାର ମୂଳ ଗଣ୍ଡି ଭିତରୁ ସଂସ୍କୃତି ଯୁଗେ ଯୁଗେ ନୂତନ ଭାବରେ ଉନ୍ମେଷର ସୂତ୍ରଧର ସାଜି ଉଭା ହୋଇଛି ; ନୂତନ ଆଲୋକ ବିକୀର୍ଣ୍ଣ କରି ସମାଜର ଅନ୍ଧକାର ଦୂର କରିଛି । ପରିବର୍ତ୍ତିତ ସମାଜ ସହିତ ତାଳ ଦେଇ ଏହି ସଂସ୍କୃତି ତେଣୁ, ନୂତନ ଦିଗନ୍ତର ସନ୍ଧାନ ଦେଇଛି ! ସହଜେ ନିଷ୍ପେସିତ ଚଳଣିର ମହୌଷଧି ପାଲଟିଛି ଶେଷରେ ଏହି ସଂସ୍କୃତି ରୂପ ଗନ୍ଧମାର୍ଦ୍ଦନ ।
ଏପରି ଏକ ଦୀର୍ଘ ଉପକ୍ରମଣିକା ହଠାତ କାହିଁକି ଅନେକ ନିଶ୍ଚୟ ସନ୍ଦେହ ପ୍ରକାଶ କରିଥିବେ । କିମ୍ବା ଅନେକଙ୍କୁ ନିଶ୍ଚୟ ଏହା ଅସହଜ ଲାଗିଥିବ ଯେ ସାମାନ୍ୟ ପ୍ରସଙ୍ଗକୁ ଦୁଇ ତିନି ଧାଡ଼ିରେ ସାରି କଥା ମେଣ୍ଟେଇ ଦେଇଥିଲେ ହୋଇଥାନ୍ତା । ଏତେ ଲମ୍ବେଇ ସୂତାଏ କଥାର ପଚାଶ ଧରଣର ଖିଅ କାଢ଼ିବା କି ପ୍ରୟୋଜନ ! ହଁ, ନିଶ୍ଚୟ ଏହା ଗୋଟିଏ ଖିଅ ହିଁ ଯାହା ଗୋଟିଏ ସୂତା ପାଇଁ ଲମ୍ବିଛି । ବିଭିନ୍ନ ପରମ୍ପରା ରୂପକ ଖିଅର ଏକ ସଂସ୍କୃତି ରୂପରେ ଗଠିତ ସୂତ୍ର ଦ୍ବାରା ସଭ୍ୟ ସମାଜରେ ଯେଉଁ ବିପ୍ଳବର ସୂତ୍ରପାତ ହେଲା, ଏହା ତାହାର ଆଦ୍ୟ ଅବତାରଣା । ଏବଂ ଏହା ହିଁ ସମସ୍ତ ଲୋକ ସଂସ୍କୃତି, ଲୋକ ପରମ୍ପରାର ଭିତ୍ତିଭୂମି । ଏଥିରେ ଭେଦଭାବ ବା ସମୟଖଣ୍ଡର ଦୂରତା ବିଚାର୍ଯ୍ୟ ନୁହେଁ, କେବଳ ମନୁଷ୍ୟର ମୂଲ୍ୟବୋଧ ବିଚାରର କଷଟି ପଥରରେ ପରୀକ୍ଷିତ !
ଓଡ଼ିଶାର ସଂସ୍କୃତି କହିଲେ, ଓଡ଼ିଶାର ଲୋକ ପରମ୍ପରା, ଲୋକ ସାହିତ୍ୟ, ଲୋକ ଧର୍ମ, ଲୋକଗୀତ ଓ ଲୋକ କାହାଣୀ ଦ୍ଵାରା ପ୍ରକଟିତ ପ୍ରଚୁର ଲୋକ ଚେତନା । ବୈଦିକ ସଂସ୍କୃତି ଅବଶ୍ୟ ହିଁ ଲୋକ ସଂସ୍କୃତି ସହ ସଂଶ୍ଳିଷ୍ଟ କିନ୍ତୁ ଯଥେଷ୍ଟ ମାତ୍ରାରେ ସ୍ବତନ୍ତ୍ର । ପ୍ରଥମଟି ବିଦ୍ବାନଗଣଙ୍କ ଦ୍ବାରା ସମାଜର ବୃତ୍ତିଧାରୀଙ୍କ କୌଶଳ ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରିତ କରିବାର ବୌଦ୍ଧିକ ପନ୍ଥା । ମାତ୍ର, ଅପରଟି ସମଗ୍ର ଲୋକ ସମାଜର ଜୀବନ ଉପରେ ଆଧାରିତ । ଏ ଭିତରେ ଲୋକସଂସ୍କୃତି ନାରୀ ପୁରୁଷ, ଧନୀ ଦରିଦ୍ର, ସବର୍ଣ୍ଣ ଅସବର୍ଣ୍ଣ ନିର୍ବିଶେଷରେ ଶୈଶବରୁ ଆମ ମନରେ ଲୋକସାହିତ୍ୟ ରୂପେ ଗଢ଼ି ଉଠିଥାଏ । ନାନାବାୟାର ଉଲୁକୁମତା ଗୀତ ହେଉ ଅଥବା ଚୁଲି ମୁଣ୍ଡରେ ବୁଢ଼ୀ ମା’ ମୁହଁରୁ କାହାଣୀ ଶୁଣିବା । ସବୁଥିରେ ଲୋକସାହିତ୍ୟର ଗନ୍ତାଘର ।
ଲୋକ ସାହିତ୍ୟ ହିଁ ଲୋକ ସଂସ୍କୃତିର ପ୍ରଥମ ସାର୍ବଜନୀନ ସମ୍ପତ୍ତି । ଏଥିରେ କାହାରି ବ୍ୟକ୍ତିଗତ ସ୍ବତ୍ବ କେହି ସାବ୍ୟସ୍ତ କରି ନ ପାରନ୍ତି । ସେଥିପାଇଁ ଏହା ନା କିମ୍ବଦନ୍ତୀ ନା ଲିପିବଦ୍ଧ ଇତିହାସ । ଲୋକସାହିତ୍ୟର କୌଣସି ନିର୍ଦ୍ଦିଷ୍ଟ ପାଠ ମଧ୍ୟ ନଥାଏ । କିନ୍ତୁ, ଏହି ଲୋକ ସାହିତ୍ୟ ଭିତର ଦେଇ ଏକ ଦିଗରେ ସଭ୍ୟତାର ଆଦ୍ୟ ଉନ୍ମେଷକାଳୀନ ରହସ୍ୟ-ଯବନିକା ଭେଦର ଯତ୍ନ କିଛି କରିପାରୁ । ଅନ୍ୟ ଦିଗରେ ସୁଦୂର ପଲ୍ଲୀ, ଅଜ୍ଞାତ ଉପତ୍ୟକା, ନଗରରେ ବାସ କରୁଥିବା ଅଗଣିତ ଜନସାଧାରଣଙ୍କ ଅନ୍ତରଙ୍ଗ ହୃଦୟର ପରିଚୟ ପାଇପାରୁ । ସୁଦୀର୍ଘ କାଳ ସହିତ ବିପୁଳ ସ୍ଥାନରେ କଳ୍ପିତ ଏକ ପଟ୍ଟ ଉପରେ ଯେପରି ଆମର ଏଇ ମାନବ ସଭ୍ୟତା ସମୟକ୍ରମେ ବିଭିନ୍ନ ଭାବମୂର୍ତ୍ତି ଘେନି ଅଭିନୟରତ ।
ଏହି ଅଭିନୟ ମଞ୍ଚର ନେପଥ୍ୟରେ ଯେଉଁ ଆବହ ସଙ୍ଗୀତରୂପୀ ସାହିତ୍ୟର ସ୍ବର ସାଧନା କରି ନିତ୍ୟ କାଳ ବିବିଧ ସାମାଜିକ ଚରିତ୍ରମାନଙ୍କ ରୂପ ସମ୍ଭବ, ତାହା ଲୋକ ସଂସ୍କୃତିର ଏକ ସାର୍ଥକ ଉପକ୍ରମ ସାଜେ । ଏପରି ସ୍ଥିତିରେ ଲୋକ ସଂସ୍କୃତିରେ ଲୋକ ସାହିତ୍ୟ କିପରି ବିଦଗ୍ଧ ସାହିତ୍ୟଠାରୁ ସ୍ବତନ୍ତ୍ର, ତାହା ପ୍ରଥମେ ଦେଖାଯାଉ । ବିଦଗ୍ଧ ସାହିତ୍ୟ ଆୟାସସାଧ୍ୟ ଏବଂ ଅତ୍ୟଧିକ କଳ୍ପନା ବିଳାସରେ ଗଢ଼ା । ଉଦ୍ଦେଶ୍ୟ ଓ ରୂପରଚନାର ପ୍ରୟାସରେ କେବଳ ନିର୍ଦ୍ଦିଷ୍ଟ ଲେଖକଙ୍କ ଅନ୍ତଃକରଣରେ ନିହିତ ସେହି ଭାବବସ୍ତୁ ଖୋଜା ଯାଇପାରେ । ଯେଉଁଠି ବ୍ୟକ୍ତି ମନ ଖଣ୍ଡିତ; ସ୍ଥାନ ଓ କାଳର ବଶବର୍ତ୍ତୀ । ଜୀବନର ଅତୃପ୍ତ ବାସନା ଓ ଆକାଂକ୍ଷାରେ ପ୍ରତି ନିୟତ ଜର୍ଜରିତ । ଏହା ସମାଜ ପାଇଁ ସମ୍ବେଦନଶୀଳ ।
ହଁ, କେତେକ ବିଶିଷ୍ଟ ବର୍ଗ ନିଜର କର୍ଣ୍ଣ ରସାୟନ ଓ ମାନସିକ ଶାନ୍ତି ଲାଗି ଏପରି ବିଦଗ୍ଧ ସାହିତ୍ୟ ପ୍ରତି ଆସକ୍ତ ରହି ପାରନ୍ତି । ହୋଇପାରେ, ସେମାନେ ଲେଖକଙ୍କ ଗୁଣଗ୍ରାହୀ ବା ସେହି କାଳଖଣ୍ଡର ଇତିହାସ ପ୍ରତି ମଧ୍ୟ ଅନୁରୂପ ଆସକ୍ତ । ବିଦଗ୍ଧ ସାହିତ୍ୟ ଯେତେ ଶ୍ରେଷ୍ଠ ଲେଖକଙ୍କର ରଚନା ହୋଇଥାଉ ଅବା କାହିଁକି, ସେଥିରେ ଏହି ସବୁ ଅପୂର୍ଣ୍ଣତାର ସ୍ବାକ୍ଷର ମିଳେ । କେତେବେଳେ ଆଦର୍ଶର ଏକ ଉଚ୍ଚ ଶୃଙ୍ଗକୁ ଆରୋହଣ କରି ଦୂର କୋଳାହଳ ବର୍ଜିତ କ୍ଷୀଣ ବାୟୁମଣ୍ଡଳ ଭିତରେ ଠିଆ ହୋଇ ଭାରଶୂନ୍ୟ ବୋଧ କରୁ । ପୁଣି ଏହି ରଚନାରେ ବିଷ-ବାଷ୍ପରେ କେତେବେଳେ ଭାବମର୍ମ ହୁଏ ଖୋଦ୍ ଶ୍ବାସରୁଦ୍ଧ ! ବାସ୍ତବତାର ପରିଣତି କେବଳ ବର୍ଜ୍ୟ ଭାବନାର ବିକ୍ଷିପ୍ତ ଅବଶେଷ । ଏଥିରେ ଲୋକ ସାହିତ୍ୟର ସ୍ଥାନ ନାହିଁ ।
ଚାଞ୍ଚଲ୍ୟ, ଅସ୍ଥିରତା ଏବଂ ଅପୂର୍ଣ୍ଣତାର ଆନୁଗତ୍ୟ ତ୍ୟାଗ କରି ବାସ୍ତବତାର ପଙ୍କିଳ ସରୋବର ମଧ୍ୟରେ ସୁଦ୍ଧା ନିର୍ମଳ ଗଗନର ସୂର୍ଯ୍ୟ ଅଭିମୁଖେ ନିଜର ପୂର୍ଣ୍ଣ ପ୍ରସ୍ଫୁଟିତ ପଦ୍ମବଳୟ ମେଲି ପାରୁଥିବା ଲୋକ ସାହିତ୍ୟ ହିଁ ମାନବ ପ୍ରଜ୍ଞାର ନିତ୍ୟ ସହଚର । ଏହା ଜ୍ଞାନର ଆଲୋକ, ହୃଦୟର ଆବେଗ, ବାସ୍ତବ ଅନୁଭୂତିର କୌତୂହଳ ତଥା ସାଧନାର ମୂଲ୍ୟବୋଧ ନେଇ ସର୍ବଦା ବିଚାର ଜଗତର ଅତଳ ଗୁହା ଆବିଷ୍କାର କରିପାରେ । ରଜା ଓ ପ୍ରଜା ବା ଶାସକ ଓ ଶ୍ରମିକ ଆଦି ଭେଦର ଊର୍ଦ୍ଧ୍ଵରେ ସମାଜର ବାଞ୍ଛିତ ସଂହତିକୁ ସାର୍ବଜନୀନ ରୂପ ପ୍ରଦାନ କରେ । ଅଧିକନ୍ତୁ, ହତଭାଗା ମଣିଷଟିଏ ପାଇଁ ଆତ୍ମୀୟତାର ସ୍ବର ଓ ଶବ୍ଦଲେଖ ରୂପେ ଲୋକ ସାହିତ୍ୟ ଭିତର ଦେଇ ଆମର ଏକାନ୍ତ ପ୍ରିୟ ଓ ପରିଚିତ ଗ୍ରାମ, ପରିବାର, ଜନନୀ, ବଧୂ, ଶିଶୁ ଓ ବନ୍ଧୁ ରୂପେ ସମସ୍ତ ଆପଣା ଜନଙ୍କର ହୁଏ ନିତ୍ୟ ଆବିଷ୍କାର ।
ଓଡ଼ିଶାର ଗିରିକନ୍ଦର ମାଳସମତଳ ଭୂମି ଆଦିରେ ସରଳ ଗ୍ରାମ୍ୟ ଜୀବନ ଯାପନ କରି ବସବାସ କରୁଥିବା ସମସ୍ତ ଅଧିବାସୀ ନିଜ ସ୍ବତନ୍ତ୍ର ଚାଲିଚଳଣି, ପାରମ୍ପରିକ ପର୍ବପର୍ବାଣି, ଦେବଦେବୀଙ୍କ ଆରାଧନା ଓ ତତ୍ ସଂଶ୍ଳିଷ୍ଟ ନୃତ୍ୟଗୀତ ଦ୍ବାରା ଓଡ଼ିଶାର ସାଂସ୍କୃତିକ ଇତିହାସକୁ ପରିପୁଷ୍ଟ କରିଛନ୍ତି । ବିଶେଷ କରି ଓଡ଼ିଆ ଲୋକମାନଙ୍କ ପାରମ୍ପରିକ ଢଙ୍ଗରେ ପାଳିତ ବାର ମାସରେ ବାର ଧରଣର ପର୍ବ ଓ ବିଭିନ୍ନ ଓଷା ବ୍ରତ ପ୍ରଣିଧାନଯୋଗ୍ୟ । ଓଡ଼ିଶା ନିଜ ଭିତରେ ଯେତିକି ଭୂଗୋଳ ଓ ସମାଜ ଦୃଷ୍ଟିରୁ ବହୁଧା ବିଭକ୍ତ, ସେତିକି ସମୃଦ୍ଧ ସୁଦ୍ଧା ! ତେଣୁ, ଗୋଟିଏ ପ୍ରକାର ପର୍ବର ସୂଚନା ପାଇବା ସେତେ ସୁଲଭ ନୁହେଁ, ବରଂ ସଂଖ୍ୟାତୀତ ଓଷାବ୍ରତ ବର୍ଷର ବିଭିନ୍ନ ସମୟରେ ଓଡ଼ିଶାର ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ, ପୂର୍ବାଞ୍ଚଳ ତଥା ଆଭ୍ୟନ୍ତରୀଣ ଅଞ୍ଚଳମାନଙ୍କରେ ପାଳନ କରାଯାଇ ଆସୁଛି ।
ଆଉ ପ୍ରଚଳିତ ଧାରଣା ଅନୁଯାୟୀ ଧର୍ମୀୟ ପ୍ରେରଣାରୁ ହିଁ ଲୋକ ସଂସ୍କୃତି ଓ ଲୋକ ସାହିତ୍ୟର ପ୍ରାଥମିକ ସୃଷ୍ଟି । ଜନସାଧାରଣଙ୍କ ଧର୍ମାନୁରକ୍ତିକୁ ଉଦ୍ଦୀପିତ ରଖିଲେ ଆଦର୍ଶ ଓ ନୀତିନିଷ୍ଠା ଜନ ସମାଜରେ ଅକ୍ଷୁଣ୍ଣ ହୋଇ ରହିବ । ଲୋକେ ନିଜ କୁଳ ବ୍ୟବହାର ଏବଂ ରୀତିନୀତି ପ୍ରତି ସଚେତନ ରହିବେ । ସେଥିପାଇଁ ଧର୍ମାଶ୍ରୟୀ କାବ୍ୟ ନାଟକମାନ ପ୍ରଥମ ପର୍ଯ୍ୟାୟରେ ରଚନା କରାଗଲା । ଧର୍ମ ଚେତନା ଉଦ୍’ବୋଧନ ଓ ନୀତିନିଷ୍ଠ ଜୀବନଯାପନ ଲାଗି ଉତ୍ସାହ ଦାନ ପ୍ରଭୃତି ସାଜିଲା ନାଟ୍ୟ ରଚନା, ସୁଆଙ୍ଗ ଓ କାବ୍ୟ ସୃଷ୍ଟିର ମୌଳିକ ପ୍ରେରଣା ।
ତୀର୍ଥଯାତ୍ରା କରୁଥିବା ଲୋକର ଶ୍ରମ ଅପନୋଦନ, ଓଷାବ୍ରତ ପାଳୁଥିବା ଲୋକଙ୍କ ମନରେ ଇଷ୍ଟ ଦେବତାଙ୍କ ପ୍ରତି ପ୍ରତ୍ୟକ୍ଷ ସାନ୍ନିଧ୍ୟ ଅନୁଭବ ତଥା ସମାଜ ସଂହତି ପାଇଁ ଈଶ୍ବରଙ୍କ ସତ୍ତା ପ୍ରତି ଅବିଚଳିତ ବିଶ୍ବାସ ଓଷାବ୍ରତ ଗ୍ରନ୍ଥମାନଙ୍କ ଉପଜୀବ୍ୟ ପାଲଟିଗଲା । ତନ୍ମଧ୍ୟରେ ସମାଜ ଯେ ନୀତିଭୀରୁ ନୁହେଁ ଏବଂ ଶୃଙ୍ଖଳା ରକ୍ଷାକାରୀ, ଏଥିପାଇଁ ଘଟିଛି ଓଷାବ୍ରତର ପ୍ରବର୍ତ୍ତନ । ଧର୍ମ, ପ୍ରଥମ ନୀତି ଉପଦେଶମୂଳକ ଶ୍ଳୋକ ଓ ପ୍ରବଚନ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚିଛି । କିନ୍ତୁ, ପରବର୍ତ୍ତୀ କାଳରେ ଏହା ସହିତ ଅନେକ କାଳ୍ପନିକ ଘଟଣା ସୁଦ୍ଧା ଯୋଡ଼ି ହୋଇ ଆସିଛି । ଫଳରେ କୃଚ୍ଛ୍ର ଓଷାବ୍ରତର ଉପଦେଶରେ ବିଶୁଷ୍କ ମାନବୀୟ ଚେତନାରେ ମୂଲ୍ୟବୋଧର ରସପ୍ରବାହ କାବ୍ୟ ସ୍ବରୂପରେ ପୁନଃଉତ୍ପନ୍ନ ହୁଏ ।
ପୁରାଣ ଶୁଣିବାରେ ସେତେବେଳେ ଲୋକଙ୍କର ଆଗ୍ରହ ଓ ନିଷ୍ଠା ଲକ୍ଷ୍ୟ କରାଗଲା । ପରେ ପରେ ଦେଖାଗଲା ଯେ ଅନେକ ପୁରାଣ ସାହିତ୍ୟ କେବଳ ବିଦ୍ୱାନ ସମାଜର ଅଳଙ୍କାର ସଦୃଶ ସେମାନଙ୍କ ଗଳା ମଣ୍ଡନ କରି କରି ସମାଜର ଅବଶିଷ୍ଟ ଭାଗର କଣ୍ଠରୋଧ କଲା । ନିର୍ଦ୍ଦିଷ୍ଟ ଅଭିଜାତ ଓ ସମଧର୍ମା ପଣ୍ଡିତ ଗୋଷ୍ଠୀ ହିଁ ସେପରି ପୁରାଣର ବିଷୟ ଉପଭୋଗ କଲେ । ସେଥିରେ ଥିବା ଗୂଢ଼ ବିଦ୍ୟାର ଅର୍ଥ ବିନ୍ୟାସ କରି ନିଜେ ବିଦ୍ୟା ଗଳାଧଃକରଣ କଲେ । ନୂତନ ତତ୍ତ୍ବର ଆବିଷ୍କାର କଲେ । ପୁନଶ୍ଚ ଏହାର ଅଧିକରୁ ଅଧିକତର ବ୍ୟାଖ୍ୟା ଓ ଟୀକାରେ ପାଣ୍ଡିତ୍ୟର ପରାକାଷ୍ଠା ସ୍ଥାପିତ ହେଲା । ହେଲେ ସମାଜର ଅବଶିଷ୍ଟ ବର୍ଗ ଯେ ପୁରାଣର ଗର୍ଭାନୁଶୀଳନରୁ ବଞ୍ଚିତ, ସେମାନଙ୍କ ଉପକାର ଲାଗି କ’ଣ ଏହା ଉଦ୍ଦିଷ୍ଟ ହୋଇନଥିଲା ?
ମୋଟ ଉପରେ ଆମେ ଦେଖିବାକୁ ପାଇବା ଯେ ପ୍ରାଚୀନ ଓଡ଼ିଆମାନେ ନିଜର ଏକ ସୁସଂହତ ଜୀବନ-ଛାଞ୍ଚ ଠିଆ କରାଇ ପାରିଥିଲେ । ଓଡ଼ିଶୀ ମନ୍ଦିର ଓ ତା’ର ବୈଶିଷ୍ଟ୍ୟସମ୍ପନ୍ନ ଓଡ଼ିଶୀ ଭାସ୍କର୍ଯ୍ୟ, ଓଡ଼ିଶୀ ନୃତ୍ୟ, ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଶୀ ଛାନ୍ଦ-କବିତା – ଏ ସବୁଥିରେ ଥିବା ସ୍ଥାନୀୟ ଭାବନାର ମନୋହର ଅବତାରଣା ଅନ୍ୟତ୍ର ଦୁର୍ଲ୍ଲଭ । କିନ୍ତୁ ନଗର ବା ପଲ୍ଲୀ ଭିତରେ ଯଦି କଟକ ଓ ଭୁବନେଶ୍ୱର ଭଳି ନଗର, ଯେ ପୂର୍ବତନ ଗ୍ରାମରୁ ବର୍ତ୍ତମାନ ମହାନଗରୀକୁ ପରିଣତ, ଏ ଦି’ଟାକୁ ଗଣିଦେଲେ ସମ୍ପୂର୍ଣ୍ଣ ଓଡ଼ିଶାର ଗଣନା ଶେଷ ହେଇଗଲା ବୋଲି କୁହାଯିବା ଭୁଲ୍ । ଏପର୍ଯ୍ୟନ୍ତ ସୁଦ୍ଧା ଓଡ଼ିଶାର ଆଭିଜାତ୍ୟ ଏହାର କୃଷିଭିତ୍ତିକ ଗ୍ରାମମାନଙ୍କରେ ନିହିତ ।
ସାଧାରଣ ଓଡ଼ିଆ କହିଲେ ପ୍ରଥମେ ଗୋଟାଏ ଗ୍ରାମବାସୀ ହିଁ ଧରିନେବାକୁ ହେବ । ଲଗାଲଗି ଦୁଇ ଶ୍ରେଣୀ ଚାଳଘର ବା ମଝି ମଝିରେ ଗୋଟିକିଆ ଛୋଟ କୋଠା ଘରଗୁଡ଼ିକର ସମଷ୍ଟି । ସେଥିରେ ପୁଣି ଦୁଇ ଶ୍ରେଣୀର ମଝିରେ ଗାଁ ଦାଣ୍ଡ, ଯାହାର ଗୋଟିଏ ପାଖରେ ମନ୍ଦିର, ଗାଁ ମନ୍ଦିର, ଅନ୍ୟ ପାଖରେ ଭାଗବତ ଘର ବା ଗାଁର ବୈଠକ ଖାନା । ଗାଁ ଘରଗୁଡ଼ିକ ଝାଟିରେ ହୋଇଥିଲେ ବାହାର ପଟୁ ଭିତର ଅଗଣା ଯାଏଁ ଚିତ୍ର ବିଚିତ୍ର ହୋଇଥିବ । ପଛକୁ ବଗିଚା ବା ଢିଙ୍କିଶାଳ ବା ଗୁହାଳ ସାଙ୍ଗରେ ଅମାର କୋଠି । ଗ୍ରାମର ପ୍ରଧାନ ପରିବାର ଯେହେତୁ ଚଷା, ତେଣୁ ଶସ୍ୟ ସଂଗ୍ରହର ଅତି ନିକଟ ବେଳା ଆସି ଉପଗତ ହେବାର ସ୍ବପ୍ନ ଫୁଟି ଉଠୁଥାଏ ପ୍ରଥମେ । ଦ୍ବିତୀୟରେ ମନେ ପଡ଼େ ନୂଆ ଶସ୍ୟ ଲାଗିବ ଘରର ନୂଆ ଚାଉଳ ସକାଶେ ।
ଆଉ ତା ସହ ଭାଦ୍ରବ ମାସର ଭାଗବତ ପାରାୟଣ, କାର୍ତ୍ତିକ ମାସର ନିର୍ଦ୍ଦିଷ୍ଟ ପ୍ରହରରେ ପୁଣି ନୂଆ ଏକ ଓଡ଼ିଆ ପୁରାଣ । ଆଉ ମାର୍ଗଶିର ମାସ ହେଲା ବେଳକୁ ଅଭିଳଷିତ ସ୍ବର୍ଣ୍ଣ ଶସ୍ୟ ବିଲରେ ନିଜ ସୁବର୍ଣ୍ଣ ବେଶ ଧାରଣ କରି ସାରିଥିବା ବେଳେ ନୂଆ ଧାନ ସଂଗ୍ରହ ସହ ଘରେ ଘରେ ବୋହୂମାନଙ୍କ ମାଣ ବସାଇବା ଚିନ୍ତା ଉପୁଜୁଥିବ । ଗାଁ ଗାଁଯାକ ଦେବଦେବୀଙ୍କ ପୂଜାପାଠରେ ଉଠୁଥିବ ପଡୁଥିବ । ଧୂପ, ଦୀପ, କର୍ପୂର, ଚନ୍ଦନ ଓ ଝୁଣା ବାସନା ଚତୁର୍ଦ୍ଦିଗର ମହଳ ଫିକା ବାସ୍ନାକୁ ଟପି ଯାଉଥିବ । ଗାଁ ଦାଣ୍ଡକୁ ସାମାନ୍ୟ ଟପି ଆସିଲେ ପୁଣି ପାଲା, ଦାସକାଠିଆ ନାଚ, ସୁଆଙ୍ଗ ପରିବେଷଣ । ସାହିତ୍ୟ, ସଙ୍ଗୀତ ଓ ନିରକ୍ଷର ଓଡ଼ିଆ ଜନତାର ଚିତ୍ତ ବିନୋଦନ ପାଇଁ ପୁରାଣ ଆବୃତ୍ତି ! ପ୍ରାୟ ପ୍ରତ୍ୟେକ ଓଡ଼ିଆ ଗାଁରେ ଆମର ଏମିତି ଏକ ନିଇତି ପାଠଚକ୍ର ଦେଖିବାକୁ ମିଳିବ । ଓଡ଼ିଶୀ ସଙ୍ଗୀତ ନହେଲେ ଓଡ଼ିଶୀ ପୁରାଣର ଚର୍ଚ୍ଚା । ବ୍ରିଟିଶ୍ ଆଗମନ ଓ ବ୍ରିଟିଶ୍ ପ୍ରତ୍ୟାବର୍ତ୍ତନ ଭିତରେ ଭାରତବର୍ଷ ଓ ଓଡ଼ିଶା ସିନା ମୁଦ୍ରଣଯନ୍ତ୍ର ଭଳି ଲାଭାନ୍ବେଷୀ ଶିଳ୍ପଟିଏ ପାଇଗଲା । ହେଲେ ଯେତେବେଳେ ମୁଦ୍ରଣଯନ୍ତ୍ରର ସୁବିଧା ନଥିଲା, ଆନୁଷଙ୍ଗିକ ଖବର କାଗଜ ବା ବେତାର ରେଡ଼ିଓ ନଥିଲା, ସେତିକି ବେଳେ କିଏ ଆଉ ସାଜୁଥିଲା ଗାଁ ଗାଁରେ ସଂସ୍କାର ଓ ସଂସ୍କୃତିର ଡଗର ? ସରଳ ପଲ୍ଲୀବାସୀ ନିକଟରେ ସେହି ପ୍ରାଚୀନ ଲୌହ ଲେଖନୀ ଓ ତାଳପତ୍ର ଖେଦାରେ ଲେଖା ରହୁଥିଲା ସମାଜ ସଂସ୍କାରର ଅସୁମାରୀ ବାର୍ତ୍ତା !
ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ ନିଜ ‘ଚେତନାର ଦିଗ୍ବଳୟ’ରେ ଏ ସମ୍ପର୍କରେ ଲେଖିଲେ : “ଏକଦା ଗ୍ରାମେ ଗ୍ରାମେ ପୋଥିପାଠ ହେଉଥିଲା । ପାପର ପୁରାଣ ବର୍ଣ୍ଣିତ ଭୟାବହ କର୍ମଫଳ – ନର୍କରେ କାଳ କାଳ ଧରି କଲବଲ ହେବାର ଚେତାବନୀ – ମଣିଷର ପାପ-ପ୍ରବଣ ମନକୁ କ୍ଷାନ୍ତ ରଖୁଥିଲା । ସାମାଜିକ କ୍ରମବିକାଶର ଅନିବାର୍ଯ୍ୟ ନିୟମରେ ଆଜି ସେ ଅନ୍ଧବିଶ୍ୱାସ ଅନ୍ତର୍ହିତ; ଆଜି ନୈତିକ ଅପରାଧବୋଧ ନାହିଁ । ଅଛି ଯାହା କାନୁନ୍ ପ୍ରତି ଭୟ । କାନୁନକୁ ପଙ୍ଗୁ କରିବାର କୌଶଳ ଆଜିର ବିକଶିତ ବୁଦ୍ଧି ସହଜରେ ଉଦ୍ଭାବନ କରିପାରେ । କିନ୍ତୁ ଯେଉଁ ସତ୍ୟ ସେ ବିସ୍ମୃତ, ଅଥଚ ଯେଉଁ ସତ୍ୟ ଦୁର୍ଲଙ୍ଘ୍ୟ, ତାହା ହେଲା କର୍ମଫଳରୁ ଅବ୍ୟାହତି ନାହିଁ । ପ୍ରଦୂଷିତ ବାତାବରଣ ଭଳି ପ୍ରଦୂଷିତ ଚେତନାର କ୍ଳେଶ ଭୋଗରୁ ମୁକ୍ତି ନାହିଁ ।”
ଏହି ସବୁଥିରେ ଉଭା ହୁଏ ‘ଧାନମାଣିକା ଓଷା‘ ବା ମାର୍ଗଶିର ମାସର ଆରମ୍ଭ ଗୁରୁବାରଠାରୁ ଚାରି ପାଳି ପର୍ଯ୍ୟନ୍ତ ବିଖ୍ୟାତ ମାଣବସା ବ୍ରତ । ଓଡ଼ିଆ ପାଇଁ ଜୀବଦ୍ଦଶାରେ ତା’ର ଏଇ କର୍ମଫଳ ଏଇ ଭୂମିରେ ଥିବା ପର୍ଯ୍ୟନ୍ତ । ତା ପାଇଁ ବସୁଧା ନମସ୍ୟ ଓ ସର୍ବୋଚ୍ଚ ତା’ର ଧର୍ମ, ତା’ର କୁଳଧର୍ମ ଏବଂ ମାଣବସା ଗୁରୁବାର ଧାନମାଣିକା ଓଷା ଫଳରେ ଏହି ଶିକ୍ଷା ବିଶେଷ ଭାବରେ ପ୍ରଚାରିତ । ନାରୀ ଜାଗରଣର ଆଦିମ ବିଶ୍ବାସ ଯାହା କନ୍ଧ ସ୍ତ୍ରୀଲୋକଙ୍କ ପାଇଁ ଆମେ ଆଲୋଚନା କରିଥିଲେ, ସେହି ବିଶ୍ବାସ ଅନୁରୂପ ଭାବେ ବଳବତ୍ତର ହୋଇଛି କୁଳୀନ ଓଡ଼ିଆ ଘରର ପ୍ରତିଟି କୁଳବଧୂ ନିମନ୍ତେ । Dhanamanka
Manabasa Gurubara
Odia Festival