ଲେଖା: ଶିଶିର ସାହୁ ମନୋଜ

“ଦାରୁ” ଭାରୋପୀୟ ଭାଷାପରିଵାରର ଶବ୍ଦ ନା ଏକ ଆଷ୍ଟ୍ରୋଏସୀୟ ଶବ୍ଦ ?

ଖଡି଼ଆ, ମୁଣ୍ଡା ଓ ହୋ ଆଦି ଜନଜାତୀୟ ଭାଷାରେ ଗଛକୁ ଦାରୁ କୁହାଯାଏ ବୋଲି କିଛି ଲୋକ ଭାଵନ୍ତି ଏହି ଦାରୁ ଶବ୍ଦଟି ଜନଜାତୀୟ ମୂଳର ଶବ୍ଦ ହୋଇଥିଵ ।

ତେବେ ଋକଵେଦ ଓ ମହାଭାରତ ଇତ୍ଯାଦି ଅନେକ ପୁରାତନ ଗ୍ରନ୍ଥରେ ଦାରୁ ଶବ୍ଦର ଵ୍ଯଵହାର ଦୃଶ୍ୟ ହୋଇଥାଏ ।

ଋକଵେଦର ସୂକ୍ତ ୬:୩ରେ ଦାରୁ ଶବ୍ଦର ଵ୍ଯଵହାର:
“ତିଗ୍ମଂ ଚିଦେମ ମହି ଵର୍ପୋ ଅସ୍ଯ ଭସଦଶ୍ଵୋ ନ ଯମସାନ ଆସା ।
ଵିଜେହମାନଃ ପରଶୁର୍ନ ଜିହ୍ଵାଂ ଦ୍ରଵିର୍ନ ଦ୍ରାଵୟତି ଦାରୁ ଧକ୍ଷତ୍ ॥୪॥”

ଅନେକ ଭାରୋପୀୟ ଭାଷାରେ ମଧ୍ୟ ଦାରୁ ସମସାଦୃଶ୍ଯ ଶବ୍ଦ ରହିଛି ଯହିଁର ଵୃକ୍ଷ, କାଷ୍ଠ ଓ ଶକ୍ତ ଵା ଟାଣ ଆଦି ଅର୍ଥରେ ଵ୍ଯଵହାର ଦୃଷ୍ଟିଗୋଚର ହୋଇଥାଏ । ଉଦାହରଣ ସ୍ୱରୂପ:

ପ୍ରାକ୍ ଭାରୋପୀୟ ମୂଳ ଶବ୍ଦ deru ଵା *drew (“hard, firm, strong, solid”)
ଲାଟିନ — dūrus (“hard, rough”),
ପ୍ରାଚୀନ ଇଂରାଜୀ — trum (“strong, firm”)
ପ୍ରାଚୀନ ଗ୍ରୀକ୍ — δροόν (droón, “strong, mighty”)
ପ୍ରାଚୀନ ଗ୍ରୀକ୍ — δόρῠ(dóru) ଗଛ,କାଠ
ପ୍ରାଚୀନ ଗ୍ରୀକ୍ — δρῦς(drûs) ଓକ୍ ଓ ଟିମ୍ବର ଜାତୀୟ ଗଛ
ହିଟାଇଟ୍ — ?? (taru) ଗଛ, କାଠ
ଭାରୋଇରାନୀୟ — *dā́ru ;ଵୃକ୍ଷ,କାଠ
ଟୋଚାରିଆନ୍ — or(କାଠ)
ଓ୍ଵେଲ୍ସ — derw(ଓକ୍ ଗଛ)
ଜର୍ମାନିକ୍ — *trewą (ଗଛ; ଏହା ଇଂରାଜୀ tree ଶବ୍ଦର ମୂଳ ରୂପ)
ସଂସ୍କୃତ — ଦ୍ରୋଣ (wooden vessel, bucket,
a Soma vessel, ଏକ ଜାତୀୟ ଗଛକୁ ବି ଦ୍ରୋଣ କୁହାଯାଏ)
ସ୍ଲାଭିକ୍ — *drъ̏vo (ଗଛ,କାଠ)
ଆଲବେନୀୟ—dru(ଗଛ,କାଠ)
ସଂସ୍କୃତ — ଦର୍ଵି(କାଠର ଚଟକା ଅଣକ ଚଟୁ,କରଚୁଲୀ)
ରୁଷୀ ଭାଷା— дром (drom;ବଡଗଛ)
ସଂସ୍କୃତ — ଦ୍ରୁମ(ଵିଶାଳକାୟ ଵୃକ୍ଷ)
ବ୍ରେଟନ୍ ଭାଷା — derv(ଓକ୍ ଗଛ)
ପ୍ରାଚୀନ ଆର୍ମେନୀୟ ଭାଷା — անտառ  (antaṙ; ଜଙ୍ଗଲ)
ପାର୍ସୀ —ଦାର(କାଠ)

ବହୁତ ଲୋକ ଜାଣିନଥିବେ ଯେ ଇଂରାଜୀରେ ଆଜି ଯେଉଁ tree ଶବ୍ଦଟି ଵ୍ଯଵହାର ହେଉଅଛି ତାହାର ସଂସ୍କୃତ ଦାରୁ ଶବ୍ଦ ସହ ଶାବ୍ଦିକ ସମ୍ପର୍କ ରହିଛି । ପ୍ରକୃତରେ ଇଂରାଜୀରେ tree ଶବ୍ଦଟି  tre, tree, treo, treou, trew, trow ଆଦି ଵିଭିନ୍ନ ରୂପରେ ଭିନ୍ନ ଭିନ୍ନ ସମୟରେ ଚଳୁଥିଲା । ପୁରୁଣା ଇଂରାଜୀରେ  trēo, trēow ଶବ୍ଦ ଗଛ, କାଠ, ବାଡ଼ି ଆଦି ଅର୍ଥରେ ଵ୍ଯଵହାର ହେଉଥିଲା । ତେବେ ଇଂରାଜୀର ଏହି tree ଶବ୍ଦଟି ଜର୍ମାନ୍ ମୂଳର  *trewą (“ଗଛ, କାଠ”) ଶବ୍ଦର ଆଧୁନିକ ଇଂରାଜୀ ରୂପ ଅଟେ ଏଵଂ ଆଧୁନିକ ଭାଷାଵିଦମାନଙ୍କ ଅନୁସାରେ ଜର୍ମାନ୍ *trewą ଶବ୍ଦଟି ଆଗେ *dréwom ଥିଲା ଏଵଂ ଏହାର ମୂଳ ପ୍ରାକ୍ ଭାରୋପୀୟ ଶବ୍ଦରୂପ  *dóru (“ଗଛ”) ଅଟେ ।


“ଭାରତୀୟ ଶାସ୍ତ୍ରୀୟ ନିରୁକ୍ତି ନିର୍ଣ୍ଣୟ ପ୍ରଣାଳୀ”ରେ ଦାରୁ ଶବ୍ଦର ମୂଳ “ଦୃ ଧାତୁ” ବୋଲି ନିର୍ଣ୍ଣିତ ହୋଇଅଛି । ଦୃ ଧାତୁର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ଦୃଶ୍ୟ ହୁଏ ।୧. ଵିଦୀର୍ଣ୍ଣ କରିଵା
୨. ପୂଜା କରିଵା
୩. ସମ୍ମାନ କରିଵା
୪. ଶ୍ରଦ୍ଧା କରିଵା
୫. ପାଳନ କରିଵା
୬. ଧ୍ୟାନ ଦେଵା
୭. ଭୟକରିଵା(ଦର=ଭୟ; ଏହାର ତଦ୍ଭଵ ରୂପ ‘ଡର’ )
୮. ହତ୍ୟା କରିଵା ଇତ୍ଯାଦି ଇତ୍ଯାଦି . .

ସ୍କନ୍ଧ ପୁରାଣର ‘ଉତ୍କଳଖଣ୍ଡ’ରେ ‘ଦାରୁ’ର ବ୍ୟୁତ୍ପତ୍ତି ନିମ୍ନପ୍ରକାରେ କଥିତ ଅଛି:
“ଖଣ୍ଡନାତ ସର୍ଵଦୁଃଖାନାମଖଣ୍ଡାନନ୍ଦ ଦାନତଃ ।
⁠ସ୍ୱଭାଵାଦ ଦାରୁରେଷୋ ହି ପରଂବ୍ରହ୍ମାଭିଧୀୟତେ ।” (୨୮-୩୯)

ତେବେ ଦାରୁ ଶବ୍ଦର କେଵଳ ଗଛ ଓ କାଠ ନୁହେଁ, ଆହୁରି ଅନେକ ଅର୍ଥ ରହିଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦାରୁ ଶବ୍ଦର ନିମ୍ନୋକ୍ତ ଅର୍ଥସବୁ ଉଲ୍ଲେଖ କରାଯାଇଛି ।

~ ଵିଶେଷ୍ଯ ~
?କାଷ୍ଠ ଵା କାଠ
?କାଷ୍ଠ ଖଣ୍ଡ
? ଜାଳଇନ୍ଧନ
?ଦେଵଦାରୁ ବୃକ୍ଷ
?ପିତ୍ତଳ
?ଶିଳ୍ପକର ଵା ଶିଳ୍ପୀ
?ବଢ଼େଇ
?ଦାତା ବ୍ୟକ୍ତି (ଦା ଧାତୁ)

~ ଵିଶେଷଣ ~
?ବିଦାରକ (ଦୋ ଧାତୁ)
?ଛେଦକ
?ଦାନଶୀଳ (ଦା ଧାତୁ)
?ଖଣ୍ଡନଶୀଳ/ମସକା

~ ଦେଶଜ ଵିଶେଷ୍ଯ ~
?ବାରୁଦ (ପାର୍ସୀ —ବାରୁଦ)
?ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣରେ ଵ୍ଯଵହୃତ ନିମ୍ବ କାଠ
?ମଦ (ପାର୍ସୀ)
?ଔଷଧ (ପାର୍ସୀ; ତୁଳନା— ଦୱାଦାରୁ)
?ନିମ୍ବ ଗଛ(ଉତ୍ତର ଓଡ଼ିଶା)

ଆମ୍ଭ ଓଡ଼ିଆ ଭାଷାର ସାହିତ୍ୟରେ ଦାରୁ ଶବ୍ଦର ଯେତେ ଵ୍ଯଵହାର ହୋଇଅଛି ତେତେ ସଂସ୍କୃତ ଭିନ୍ନ ଅନ୍ଯ କୌଣସି ଭାରତୀୟ ଭାଷାରେ ଦୃଶ୍ୟ ହୁଏନାହିଁ ।

ଭୀମଭୋଇଙ୍କ ଏକ ଭଜନରେ ଆମେ ଦାରୁ ଶବ୍ଦର ବଡ଼ ଵୃକ୍ଷ ଅର୍ଥରେ ଵ୍ଯଵହାର ହୋଇଥିଵା ଦେଖିଥାଉ,
“ସତ୍ୟ ଯେବେ ସଦଗୁରୁ
ଦୂବ କରି ପାର ‘ଦାରୁ’
ସିଦ୍ଧ ଵଚନ ଆଜ୍ଞାରୁ
କାହାକୁ ମୋ ନାହିଁ ଭୟେ ।୩।”

ପୁଣି ତାଙ୍କର ଅନ୍ଯ ଏକ ଭଜନରେ ଦାରୁ ଶବ୍ଦ କାଠ ଵା ନିମ୍ବ କାଠ ଅର୍ଥରେ ଦାରୁ ପ୍ରତିମା ଶବ୍ଦ ପ୍ରୟୋଗ ହୋଇଛି ।
“ଦାରୁ ପ୍ରତିମା ମୂର୍ତ୍ତି ଦେବୀ ଦେବତା
ସବୁଠାରୁ ଚିତ୍ତ ଛାଡିଦେଲେ ।
ମନ୍ତ୍ର ଯନ୍ତ୍ର ତନ୍ତ୍ର ଚାରିବେଦ ସବୁ
ଏମାନଙ୍କୁ ଏଡି ଚାଲିଗଲେ ।।”

ଭୀମଭୋଇଙ୍କ ଭଜନରେ ଯେମିତି ଦୁଵ ସହ ଦାରୁ ଶବ୍ଦର ଵ୍ଯଵହାର ହୋଇଛି ସମାନ ଭାବେ କଵି ବଳରାମ ଦାସ ତାଙ୍କ କମଳଲୋଚନ ଚଉତିଶାରେ ଏହିପରି ଭାବେ କରିଅଛନ୍ତି
“ନୀଳେନ୍ଦ୍ରୀ ଜଳେ ପଦ୍ମ ଆଖି ।
ନିସ୍ତରିଯିଵା ନରେ ଦେଖି ।।
ଟେକିଲେ ଦୂବ କରେ ଦାରୁ ।
ଟାଣପଣରେ ଭାଙ୍ଗେ ମେରୁ ।।”

କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଵୈଦେହୀଶ ଵିଳାସ କାଵ୍ଯରେ “ଚନ୍ଦନ ଦାରୁ” ଶବ୍ଦ ପ୍ରୟୋଗ ହୋଇଛି । ଏଠାରେ ଦାରୁ ଶବ୍ଦକୁ କଵିସମ୍ରାଟ ଗଛ ଅର୍ଥରେ ଵ୍ଯଵହାର କରିଛନ୍ତି ।
ଵିଦୁର ଲକ୍ଷ୍ମଣ ଘନ ପଵନ ଭଗ୍ନ ଚନ୍ଦନ ଦାରୁ
ଆଣି ଚାରୁଵାସ ବିହି ଯେ ।
ଵିଦ୍ରୁମେ ତାହାର ଛାଇ ବାଡ଼ ନଳଦରେ ଦେଇ
କସ୍ତୁରୀ ଗୈରିକେ ଚିତ୍ର ଲିହି ଯେ । ୩ ।
(ଵୈଦେହୀଶ ଵିଳାସ)

ଅତିବଡ଼ ଜଗନ୍ନାଥ ଦାସଙ୍କ ଭାଗଵତର ଅନେକ ସ୍ଥାନରେ ଦାରୁ ଶବ୍ଦଟି କାଠ ଅର୍ଥରେ ଵ୍ଯଵହୃତ ହୋଇଅଛି । ଯଥା:
ସଂସାର ନିସ୍ତାରଣ ସାଧ୍ଯେ
ଅନଳ ଯେହ୍ନେ ଦାରୁ ମଧ୍ୟେ ।”
(ସପ୍ତମ ସ୍କନ୍ଧ, ଭାଗଵତ)

ଦାରୁ-ସଂଯୋଗେ ଅଗ୍ନି ଯେହ୍ନେ ।
ତେଜ ପ୍ରକାଶେ ଅନୁଦିନେ ।।
(ଅଷ୍ଟମ ସ୍କନ୍ଧ, ଭାଗଵତ)

ପତ୍ର କୁସୁମ ଫଳ ଛାଇ ।
ମୂଳ ବକଳ ଦାରୁ ଦେଇ ।।
(ଦଶମ ସ୍କନ୍ଧ, ଭାଗଵତ)

ଦାରୁ ପାଷାଣ ଧାତୁମୟୀ ।
ଲେପ ଲେଖନ ଯେତେ ହୋଇ ।।
(ଏକାଦଶ ସ୍କନ୍ଧ, ଭାଗଵତ)

ସାରଳା ମହାଭାରତରେ ମଧ୍ୟ ସାରଳା ଦାସ ଦାରୁ ଶବ୍ଦକୁ ବଡ଼ଗଛ ଵା ଦ୍ରୁମ ଅର୍ଥରେ ପ୍ରୟୋଗ କରିଯାଇଛନ୍ତି ।
ଵୃକ୍ଷକୁ ଚାହିଂଲା ଅଟଇ କେଡେ ଦାରୁ
ମନେ ମନେ ଵିଚାରି ହସିଲା ରାଜା ଗୁରୁ ।।
(ଆଦିପର୍ଵ, ସାରଳା ମହାଭାରତ)

ଆଧୁନିକ ଯୁଗରେ ଦାରୁ ଶବ୍ଦଟି ଆମଭାଷାର କଥିତ ଭାଷାରେ କ୍ରମେ ବାରୁଦ, ଔଷଧ ଓ ମଦ ଅର୍ଥରେ ଵ୍ଯଵହାର ହେଵାକୁ ଲାଗିଲା ।

ବ୍ରଜନାଥ ବଡ଼ଜେନା ତାଙ୍କ ସମରତରଙ୍ଗରେ ବାରୁଦ ଅର୍ଥରେ
ଦାରୁ ଶବ୍ଦର ଵ୍ଯଵହାର କରିଯାଇଛନ୍ତି ।
କାଣ୍ଡ ଗୁଳା ଯାରୁ ଗୁଳି,
ଚାଉଳ କିରି କଦଳୀ
ତମାଖୁ ଲୁଣ ଆଦି ଆଗ ସେ
କିରିହପାଳଠାରୁ ଦେଲେ ଚାଳି।

ତେବେ ଶ୍ରୀଜଗନ୍ନାଥଙ୍କୁ ଆମେ ଦାରୁଦିଅଁ ଓ ଦାରୁବ୍ରହ୍ମ କହିଥାନ୍ତି । ସାଧାରଣ ମତାନୁସାରେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ନିମ୍ବଦାରୁରେ ଗଠିତ ହେଉଥିଵା ହେତୁ ତାଙ୍କୁ ଏପରି ଅଭିହିତ କରାଯାଇଛି କିନ୍ତୁ ଆଧ୍ୟାତ୍ମିକ ଵ୍ଯାଖ୍ଯାକାରଙ୍କ ମତରେ

‘ଦାରୁ’ ଶବ୍ଦକୁ ‘ଦୃ’ ଧାତୁ,  ‘ଦା’ ଧାତୁ ଓ ‘ଦୋ’ ଧାତୁରୁ ନିଷ୍ପନ୍ନ କରାଯାଇଛି ।
? ‘ଦୃ’ ଧାତୁର ଅର୍ଥ ଵିଦୀର୍ଣ୍ଣ କରିଵା, ପୂଜା କରିଵା, ପାଳନ କରିଵା
? ‘ଦା’ର ଅର୍ଥ ଦାନ କରିଵା
? ‘ଦୋ’ ଧାତୁର ଅର୍ଥ ଖଣ୍ଡନ କରିଵା

ସୁତରାଂ, ଯିଏ ସଂସାରର ପାଳନକର୍ତ୍ତା, ଯିଏ ସର୍ଵଜୀଵଙ୍କ ଦ୍ଵାରା ପୂଜନୀୟ,ଯିଏ ପାପୀଙ୍କର ପାପକୁ ଵିଦୀର୍ଣ୍ଣ କରିଦିଅନ୍ତି, ଯେ ଅଖଣ୍ଡ ଆନନ୍ଦଦାନ ଓ ସର୍ବଦୁଃଖ ଖଣ୍ଡନକାରୀ ସେ ହେଉଛନ୍ତି ଦାରୁବିଗ୍ରହ ରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

5 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

6 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 week ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 week ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago