ଲେଖା: ରବୀନ୍ଦ୍ର କୁମାର ରଣା

ବୈଦେହୀ ମା’ ସୀତା ଓ ଇଶ୍ୱର ପ୍ରଭୁ ରାମଙ୍କ ପବିତ୍ର ନାମକୁ ଧାରଣ କରୁଥିବା ପୁରାଣ ବର୍ଣ୍ଣିତ ତ୍ରିକୂଟ ଧାମ ହେଉଛି ବୈଦେହୀ-ଶ୍ୱର ବା ବୈଦେଶ୍ୱର ଗ୍ରାମ ।

ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଏଇ ତ୍ରିକୂଟ ଧାମ । ବୈଦେଶ୍ୱର ଗ୍ରାମରେ ସପ୍ତମ ଶତାବ୍ଦୀରେ ନିର୍ମିତ ଦୁର୍ଗା ମନ୍ଦିର, ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ବୈଦ୍ୟନାଥ ମନ୍ଦିର, ରାମନାଥ ମନ୍ଦିର,  ଗୋପିନାଥ ମନ୍ଦିର, ୩୦୦ ବର୍ଷ ପ୍ରାଚୀନ ନୃସିଂହ ମଠ ଓ ପ୍ରସିଦ୍ଧ କଇଁଫୁଲ ମଠ ସହିତ ନବମ ଶତାବ୍ଦୀରେ ନିର୍ମିତ ସିଂହନାଥ ପୀଠ ଅବସ୍ଥିତ ।

(ଗୋପୀନାଥ ମନ୍ଦିର)

(ଦୁର୍ଗା ମନ୍ଦିର)


(ବୈଦ୍ୟନାଥ ମନ୍ଦିର)

ପୌରାଣିକ କଥାବସ୍ତୁ ଆଧାରରେ ଏହି ଗ୍ରାମ ଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର, ମା’ ସୀତା ଓ ଲକ୍ଷ୍ମଣଙ୍କ ସହିତ ବନ ଗମନ ସମୟରେ ମହାନଦୀ କୂଳରେ ଅବସ୍ଥିତ ଏହି ସ୍ଥାନରେ କିଛି ଦିନ ଅବସ୍ଥାନ କରିଥିଲେ. ଏଠାରେ ପ୍ରଭୁ ରାମଚନ୍ଦ୍ରଙ୍କ ଦ୍ଵାରା ରାମନାଥ ମନ୍ଦିର, ମା’ ବୈଦେହୀଙ୍କ ଦ୍ଵାରା ବୈଦ୍ୟନାଥ ମନ୍ଦିର ଏବଂ ଲକ୍ଷ୍ମଣଙ୍କ ଦ୍ଵାରା ସିଂହନାଥ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା ।

ତେବେ ଇତିହାସର ତଥ୍ଯ ଅନୁସାରେ ଭୌମବଂଶୀୟ ରାଜାମାନଙ୍କ ଦ୍ଵାରା ସପ୍ତମ ଶତାବ୍ଦୀରେ ନିର୍ମିତ ଅତି ପ୍ରାଚୀନ ଦୁର୍ଗା ମନ୍ଦିର ଏଠାରେ ଦେଖିବାକୁ ମିଳେ । ଓଡ଼ିଶାରେ ଖାକରା ଶୈଳୀରେ ହାତ ଗଣତି କେତୋଟି ମାତ୍ର ମନ୍ଦିର ଦେଖାଯାଏ । ତନ୍ମଧ୍ୟରୁ ଭୁବନେଶ୍ବରର ବୈତାଳ ମନ୍ଦିର, ଚଉରାଶିର ବରାହୀ ମନ୍ଦିର ଓ ବୈଦେଶ୍ୱରର ଦୁର୍ଗା ମନ୍ଦିର ଅନ୍ୟତମ । କିନ୍ତୁ ଓଡ଼ିଶାରେ ଥିବା ଖାକରା ଶୈଳୀର ମନ୍ଦିରମାନଙ୍କ ଭିତରୁ ସର୍ବପ୍ରାଚୀନ ହେଉଛି ବୈଦେଶ୍ୱରର ଦୁର୍ଗା ମନ୍ଦିର ।

କାରୁକାର୍ଯ୍ୟଖଚିତ ଏହି ମନ୍ଦିରରେ ମହିଷାମର୍ଦ୍ଦିନୀ ଅଷ୍ଟଭୁଜା ମା’ ଦୁର୍ଗାଙ୍କ ମୂର୍ତ୍ତୀ ବିରାଜିତା । ମନ୍ଦିର କାନ୍ଥରେ କାର୍ତ୍ତିକେୟ, ଗଣେଶ, ଅଷ୍ଟଭୁଜା ଦୁର୍ଗା, ନଟରାଜ, ଅଜୈକପାଦ ଭୈରବ, ଅନ୍ଧକାସୁର ବଧ ଇତ୍ଯାଦି ମୂର୍ତ୍ତି ସୁନ୍ଦର ଭାବେ ଖୋଦିତ ହୋଇଛି । ମନ୍ଦିରଟି ବହୁତ ବଡ଼ ନୁହେଁ, ମାତ୍ର ୧୫ରୁ ୨୦ ଫୁଟ ଉଚ୍ଚ ହେବ ।

ମନ୍ଦିର ପରିବେଶ ବହୁତ ସୁନ୍ଦର । ପାଖରେ ବିଶାଳ ମହାନଦୀ, ପାହାଡ଼ ଉପରେ ପ୍ରଭୁ ରାମଚନ୍ଦ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ରାମନାଥ ମନ୍ଦିର, ପାହାଡ଼ ତଳେ ପ୍ରାଚୀନ ଦୁର୍ଗା ମନ୍ଦିର, କଇଁଫୁଲ ବାବାଙ୍କ ମଠ ଓ ବର୍ଷକୁ ଥରେ ମାତ୍ର ଖୋଲୁଥିବା ମା’ ଲୋଭୀ ଠାକୁରାଣୀଙ୍କ ମନ୍ଦିର ଅବସ୍ଥିତ । ସେହିପରି ବୈଦେଶ୍ୱର ଗ୍ରାମର ପଶ୍ଚିମ ପଟେ ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ତଥା ମା’ ସୀତାଙ୍କ ଦ୍ଵାରା ପ୍ରତିଷ୍ଠିତ ପ୍ରସିଦ୍ଧ ବୈଦ୍ୟନାଥ ମନ୍ଦିର ଅବସ୍ଥିତ । ହାତିଆ ପାହାଡ଼ ପାଦଦେଶରେ ତଥା ମହାନଦୀ କୂଳରେ ଏକ ସୁନ୍ଦର ପରିବେଶରେ ଏହି ପ୍ରାଚୀନ ମନ୍ଦିରଟି ଅବସ୍ଥିତ ।

(ରାମନାଥ ମନ୍ଦିର)

(ରାମନାଥ ମନ୍ଦିରକୁ ରାସ୍ତା)

ଇତିହାସର ତଥ୍ଯ ଅନୁସାରେ ୧୪୬୦ ମସିହାରେ ଡ଼ାହାଳବଂଶୀୟ ରାଜାଙ୍କ ଦ୍ଵାରା ଏହି ମନ୍ଦିର ନିର୍ମାଣ ହୋଇଥିବା ଜଣାଯାଏ । ଇତିହାସରେ କାଳଚୁରୀମାନଙ୍କୁ ଡ଼ାହାଳ ବୋଲି ଦର୍ଶାଯାଇଛି। ତେବେ ଏହି କାଳଚୁରିମାନେ ନବମ ଓ ଦଶମ ଶତାବ୍ଦୀ ମଧ୍ୟରେ ପଶ୍ଚିମ ଓଡ଼ିଶା ତଥା ଦକ୍ଷିଣ କୋଶଳ ବା ଆଧୁନିକ ସୋନପୁର ଅଞ୍ଚଳରେ ଶାସନ କରୁଥିଲେ। ପ୍ରାଚୀନ କାଳରେ ମଧ୍ୟ ଭାରତରୁ କଦମ୍ବବଂଶୀୟ, କାଳଚୁରି ବଂଶୀୟ ତଥା ଅନ୍ୟରାଜାମାନେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଓଡ଼ିଶା ଆସୁଥିଲେ ଏବଂ ସେତେବେଳେ ନଦୀ ହଁ ଗମନାଗମନର ମୁଖ୍ୟ ମାଧ୍ୟମ ଥିଲା। ହୁଏତ ସେହି କାଳଚୁରୀ ବା ଡ଼ାହାଳବଂଶୀୟ କେହି ରାଜା ବାଙ୍କୀ ବୈଦେଶ୍ୱର ଅଞ୍ଚଳରେ ରହି ଶାସନ କରୁଥିଲେ ଏବଂ ତାଙ୍କ ଦ୍ଵାରା ଏହି ପ୍ରାଚୀନ ବୈଦ୍ୟନାଥ ମନ୍ଦିର ନିର୍ମାଣ ହୋଇ ଥାଇପାରେ। କିନ୍ତୁ ବାଙ୍କୀ ଇତିହାସରେ ଏହି ଡ଼ାହାଳଙ୍କ ବିଷୟରେ ଏତେ କିଛି ଲେଖା ଯାଇନାହିଁ।

(କଇଁଫୁଲ ମଠ)

ବାଙ୍କୀ ଅଞ୍ଚଳରେ ଧଳବଂଶୀୟ ଓ ଶ୍ରୀଚନ୍ଦନବଂଶୀୟ ରାଜାମାନେ ଶାସନ କରୁଥିଲେ। ବାଙ୍କୀ ରାଜ୍ୟର ପ୍ରଥମ ରାଜା ଶ୍ରୀ ବଳଭଦ୍ର ଧଳ ମଧ୍ୟ ଏ ଅଞ୍ଚଳର ମୂଳ ଅଧିବାସୀ ନଥିଲେ। ସେ ଅନ୍ୟମାନଙ୍କ ଭଳି ପଶ୍ଚିମ ଅଞ୍ଚଳରୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲେ ଓ ପରେ ଏହି ବାଙ୍କୀ ଅଞ୍ଚଳରେ ସ୍ଥାୟୀ ଭାବେ ରହି ଏହି ଅଞ୍ଚଳକୁ ଶାସନ କଲେ। ତେବେ ଆମ ମତରେ ହୁଏତ ଏହି ଡାହାଳ ଶବ୍ଦ ଅପଭ୍ରଂଶ ହୋଇ ଧଳ ହୋଇଥାଇ ପାରେ କିନ୍ତୁ ଏହାର କୌଣସି ଐତିହାସିକ ପ୍ରମାଣ ନାହିଁ।


ବୈଦେଶ୍ୱରର ଏହି ବୈଦ୍ୟନାଥ ମନ୍ଦିର ବ୍ୟତୀତ ଗାଁ ଭିତରେ ୩୦୦ ବର୍ଷର ପ୍ରାଚୀନ ନୃସିଂହ ମଠ ଓ ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ଅତୀବ ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ଗୋପୀନାଥ ମନ୍ଦିର ରହିଛି। ଉପର ବର୍ଣ୍ଣିତ ଏ ସମସ୍ତ ମନ୍ଦିର ବୈଦେଶ୍ୱର ଗ୍ରାମରେ ଅବସ୍ଥିତ। ତେବେ ବୈଦେଶ୍ୱର ଠାରୁ ମାତ୍ର ୧ କି.ମି. ଦୂର ମହାନଦୀ ଭିତରେ ନବମ ଶତାବ୍ଦୀରେ  ଭୌମବଂଶୀ ରାଜାମାନଙ୍କ ଦ୍ଵାରା ନିର୍ମିତ ପ୍ରସିଦ୍ଧ ସିଂହନାଥ ପୀଠ ଅବସ୍ଥିତ । ତେବେ ନିଃସନ୍ଦେହରେ କୁହାଯାଇପାରେ ଯେ, କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ତ୍ରିକୂଟ ଧାମ ବୈଦେଶ୍ୱର ଏକ ଐତିହ୍ଯପୂର୍ଣ୍ଣ ଗ୍ରାମ ଓ ଓଡ଼ିଶା ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ । 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

9 hours ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 day ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

5 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

5 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago