ଲେଖା: ଶିବାଶିଷ ମହାପାତ୍ର
ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଅତିପ୍ରିୟ ତୁଳସୀ । ଆଜିର ଦିନରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ନିକଟସ୍ଥ ବଣଜଙ୍ଗଲ ଘେରା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ କାଇଁଶିରେ ଭାରତ ସ୍ବାଧୀନ ହେବାର ଗୋଟିଏ ମାସ ପୁର୍ବରୁ ଜନ୍ମ ଗ୍ରହଣ କରିଥିଲେ ସେହି ତୁଳସୀ, ଯାହାଙ୍କୁ ସମସ୍ତେ ଜାଣନ୍ତି ତୁଳସୀ ମୁଣ୍ଡା ବା ତୁଳସୀ ଅପା ନାମରେ । ବାପା ଶ୍ରୀ ଚରଣ ମୁଣ୍ଡା ଥିଲେ ଗ୍ରାମର ଚଉକିଆ ଏବଂ ମା ଘାସ ମୁଣ୍ଡା ଥିଲେ ଗୃହିଣୀ । ଛୋଟ ବେଳୁ ବାପା ଚାଲିଯାଇଥିଲେ ଆର ପାରିକୁ । ଖଣି ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ଖଣି ମାନଙ୍କରେ ସାତ ଭାଇ ଭଉଣୀ ମିଶି କାମକରି ପେଟ ପୋଷୁଥିଲେ । ଭାଇ ଭଉଣୀ ଭିତରେ ସବୁଠାରୁ ସାନ ଥିଲେ ଆମର ତୁଳସୀ ଅପା । ଯେତେବେଳେ ତାଙ୍କ ସାଙ୍ଗପିଲା ମାନେ ଗାଁରେ ଛେଳି ଚରାଉଥିଲେ ସେତେବେଳେ ତାଙ୍କ ଅଦମ୍ୟ ଅଭିଳାଷ, ପାଠ ପଢ଼ିବାର ଆଗ୍ରହ କାଟି ଦେଇଥିଲା ସବୁ ପ୍ରତିବନ୍ଧକ କିନ୍ତୁ ସମୟ ସ୍ରୋତରେ ସେ କାମ କରୁଥିଲେ ଖଣିରେ । ସେତେବେଳେ ନିଜ ଗ୍ରାମରେ ନଥିଲା ବିଦ୍ୟାଳୟ କିନ୍ତୁ ସାହାଯ୍ୟ କରିଥିଲେ ଖଣିର ମ୍ୟାନେଜର ଇଂରାଜୀ ଭାଷା ଶିଖାଇବାରେ ।
ସନ୍ଥ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ ୧୪ ବର୍ଷ ବୟସରେ ୧୯୬୧ ମସିହାରେ । ୧୯୬୪ ମସିହାରେ ସନ୍ଥ ଭାବେ ଓଡ଼ିଶା ଆସିଥିଲେ । ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ତୁଳସୀ ଅପା ମଧ୍ୟ ପ୍ରଦେଶ ଯାଇଥିଲେ ଭୂଦାନ ଆନ୍ଦୋଳନର ତାଲିମ ନେବା ପାଇଁ ଶାନ୍ତି ସୈନିକ ଭାବରେ । ସେଠାରେ ଥିଲେ ଓଡ଼ିଶାର ଅନ୍ନପୂର୍ଣ୍ଣା ଦାସ ତଥା ନିର୍ମଳା ଦେଶପାଣ୍ଡେ । ସେମାନଙ୍କ ସହ ମିଶି ସେଠାରେ ଆରମ୍ଭ କଲେ ସମାଜସେବା ।
ତାଲିମ ସାରି ଫେରିଆସିଥିଲେ ନିଜ ଗାଁକୁ । ସେଠାରେ ଖଣିରେ କାମ କରୁଥିବା ପିଲାଙ୍କ ପାଇଁ ବିଦ୍ୟାଳୟ ନଥିବା ତଥା ଅର୍ଥାଭାବ ତାଙ୍କୁ ବ୍ୟଥିତ କରିଥିଲା । ଅନ୍ୟ ସମାଜସେବୀ ମାଳତୀ ଚୌଧୁରୀ, ରମା ଦେବୀ ତଥା ନିର୍ମଳା ଦେଶପାଣ୍ଡେଙ୍କ ସହ ମିଶି ଆରମ୍ଭ କଲେ ନିଃସୁଳ୍କ ବିଦ୍ୟାଳୟ କେନ୍ଦୁଝର ର ବଡ଼ବିଲ ଅଞ୍ଚଳରେ । ଦିନବେଳା ପିଲାମାନେ ବିଭିନ୍ନ ଖଣିରେ କାମ କରୁଥିବା ବେଳେ ସନ୍ଧ୍ୟାରେ ପଦ୍ମଶ୍ରୀ ମୁଣ୍ଡା ସେମାନଙ୍କୁ ଏକ ମହୁଲ ଗଛ ତଳେ ପଢ଼ାଉଥିଲେ । ପ୍ରଥମେ ୨୨ ଜଣ ପାଠପଢ଼ୁଥିଲେ । ଏକ ବିଦ୍ୟାଳୟ ତିଆରି କରିବା ପାଇଁ ଦିନକୁ ୨ ଟଙ୍କା ମଜୁରୀରେ ସେ ଏକ ଖଣିରେ କାମ କରୁଥିଲେ । ଗ୍ରାମବାସୀଙ୍କ ସହାୟତା ତଥା ନିଜ ପ୍ରଚେଷ୍ଟାରେ ଖୋଲିଥିଲେ “ଆଦିବାସୀ ବିକାଶ ମଞ୍ଚ” ଏବଂ ଏଠାରେ ପ୍ରଥମରୁ ଦଶମ ଶ୍ରେଣୀର ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଏ । ଆଜି ଏହି ବିଦ୍ୟାଳୟରେ ପ୍ରାୟ ପାଞ୍ଚ ହଜାର ଆଦିବାସୀ ପିଲା ପାଠ ପଢୁଛନ୍ତି ।
ଶ୍ରୀମତୀ ମୁଣ୍ଡା ଉତ୍କଳ ନବଜୀବନ ମଣ୍ଡଳ, ଉତ୍କଳ ସର୍ବୋଦୟ ମଣ୍ଡଳ, ବନବାସୀ ସେବା ସମିତି, ଗାନ୍ଧୀ ସ୍ମାରକୀ ନିଧି, ରମା ଦେବୀ ଗ୍ରାମ ସଙ୍ଗଠନ, ରେଡକ୍ରସ, ଆମେରିକା-ଇଣ୍ଡିଆ ଲିଟରାସି ପ୍ରୋଜେକ୍ଟ, ତଥା ସ୍ଵିଡେନ ଆଲବମ ସଂସ୍ଥା ସହ କାମ କରିଛନ୍ତି । ଶିକ୍ଷା ପାଇଁ କରିଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ତଥା ଭଲପାଇବା ତାଙ୍କୁ ଆଣିଦେଇଛି ଅନେକ ଯଶକୀର୍ତ୍ତି ।
ଏହି ଆଦିବାସୀ ପିଲାଙ୍କ ପାଇଁ ଭଲପାଇବା, ଶିକ୍ଷାଦାନ, ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ସମାଜସେବା ପାଇଁ ବରପାଲି ମ୍ୟୁନିସିପାଲଟି ଦ୍ବାରା ୧୯୮୧ ମସିହାରେ,  ୧୯୯୭ ରେ ସାହିତ୍ୟ ସଂସ୍କୃତି ଯୋଡ଼ା, ୧୯୯୮ରେ ଆଦିବାସୀ ଆଦିମ ଜାତି ସେବା ସଂଘ, ୨୦୦୦ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ସାହସି ମହିଳା ସମ୍ମାନ,୨୦୦୧ ମସିହାରେ ରାଷ୍ଟ୍ରପତିଙ୍କ ଦ୍ଵାରା ପଦ୍ମଶ୍ରୀ ଉପାଧି, ୨୦୦୮ ମସିହାରେ କାଦମ୍ବିନୀ ସମ୍ମାନ, ୨୦୦୯ ମସିହାରେ ନୂଆଦିଲ୍ଲୀରେ ଲକ୍ଷ୍ମୀ ପାଟ ସିଂଘାନିଆ ଜାତୀୟ ଲିଡରସିପ ଆଦି ବିଭିନ୍ନ ସ୍ଥାନରେ ସମ୍ମାନିତ ହୋଇଛନ୍ତି । ଶ୍ରୀଯୁକ୍ତ ଅମିୟ ପଟ୍ଟନାୟକଙ୍କ ଦ୍ବାରା ତୁଳସୀ ଅପା ନାମରେ ଓଡ଼ିଆରେ ଜୀବନୀ ଚଳଚ୍ଚିତ୍ର କରିଥିଲେ ।
ଆଜି ଏହି ବଣ ତୁଳସୀ ଯିଏ ନିଜର ଅଦମ୍ୟ ଅଭିଳାଷ, ଇଛ୍ଛା ତଥା ସାହସ ପାଇଁ କରିପାରିଛନ୍ତି ଯାତ୍ରା ମହୁଲ ଗଛ ମୂଳରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ । ଅନେକ ଆଦିବାସୀ ଶିଶୁଙ୍କୁ ବଞ୍ଚିବାର ରାହା ଦେଖାଇଛନ୍ତି ଏହି ମହିୟସୀ ମହିଳା । ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଏବଂ ମା ସମଲେଶ୍ଵରୀଙ୍କ ନିକଟରେ ପ୍ରାର୍ଥନା ତାଙ୍କୁ କୋଟି ପରମାୟୁ ଦିଅନ୍ତୁ ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 day ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago