ଲେଖା: ଅବିନାଶ ପତି
ତିଗିରିଆ ଗଡ଼ଜାତ ରାଜାଙ୍କ କାହାଣୀ। ବିଳାସପୂର୍ଣ୍ଣ ରାଜମହଲରୁ ଆରମ୍ଭ ହୋଇ ମାଟିକୁଡ଼ିଆରେ ଶେଷ ହେଲା ।
ଆଜି ଆମେ ଓଡ଼ିଶାର ଏମିତି ଜଣେ ରାଜାଙ୍କ ବିଷୟରେ କହିବୁ ଯାହାଙ୍କର ଦିନେ ହାତ ଲେଉଟିଲେ ପୃଥି ଲେଉଟୁଥିଲା ବୋଲି ଲୋକେ କହନ୍ତି। ଆଖି ଝଲସିଲା ଭଳି ରାଜପ୍ରାସାଦ। ୨୫ଟି ବିଳାସପୂର୍ଣ୍ଣ କାର, ୩୦ ଦାସୀ ପରିବାର ତାଙ୍କର ରାଜମହଲରେ କାମ କରୁଥିଲେ। କିନ୍ତୁ ଶେଷ ସମୟରେ ତାଙ୍କୁ ରିକ୍ସା ଟାଣି ଜୀବନ ବିତାଇବାକୁ ପଡ଼ିଥିଲା। ରାଜଉଆସ ଛାଡ଼ି ମାଟି କୁଡ଼ିଆରେ ଦିନ କାଟିବାକୁ ପଡ଼ିଥିଲା। ଗଣତନ୍ତ୍ର ଓ ରାଜତନ୍ତ୍ର ଶାସନ ଭିତରେ କେମିତି ପେଷି ହୋଇଗଲା ଏହି ରାଜାଙ୍କ ଭାଗ୍ୟ ଆସନ୍ତୁ ଜାଣିବା।
ସେ ଥିଲେ ପରାଧୀନ ଭାରତର ଶେଷ କରଦ ରାଜା। ସ୍ଥାନୀୟ ଅଞ୍ଚଳରେ ଜଣେ ଶିକାରୀରାଜା ଭାବେ ସେ ପରିଚିତ ଥିଲେ। ନାଁ ତାଙ୍କର ରାଜା ବ୍ରଜରାଜ କ୍ଷତ୍ରୀୟ ବୀରବର ଚମୁପତି ସିଂ ମହାପାତ୍ର। କଟକ ତିଗିରିଆରେ ଥିଲା ତାଙ୍କ ରାଜଧାନୀ ଓ ରାଜବାଟି। ଅମାପ ଧନସମ୍ପତ୍ତି ଭିତରେ ସେ କିନ୍ତୁ ଥିଲେ ଖୁବ୍‌ ଦରଦୀ। ପ୍ରଜାର ପେଟପାଟଣା ତାଙ୍କୁ ହିଁ ଜଣା।
କେମିତି ବଦଳିଗଲା ସ୍ଥିତି
୧୯୪୭ ମସିହାରେ ଦେଶ ସ୍ୱାଧାନୀ ହେବା ପରେ ସବୁ ଗଡ଼ଜାତ ରାଜ୍ୟ ଗୋଟିଏ ଭାରତରେ ବିଲୟ ହେଲା। ସମସ୍ତ କରଦ ରାଜ୍ୟ ଏକତ୍ର ହୋଇଗଲା। ଏହି ସମୟରେ ତିଗିରିଆ ରାଜାଙ୍କୁ ମଧ୍ୟ ତାଙ୍କ ରାଜ୍ୟ ହସ୍ତାନ୍ତର କରିବାକୁ ପଡ଼ିଥିଲା। ଏହା ପରେ ଧୀରେଧୀରେ ରାଜାଙ୍କ ପରିସ୍ଥିତି ବଦଳିବାକୁ ଲାଗିଲା। ସେ ନିଃସ୍ୱ ହେବାକୁ ଲାଗିଲେ। ଓଡ଼ିଶାର ୨୬ ଗଡ଼ଜାତ ରାଜ୍ୟ ଭିତରେ ତିଗିରିଆ ଗଡ଼ଜାତ ଥିଲା ସବୁଠାରୁ ଛୋଟ ଗଡ଼ଜାତ ରାଜ୍ୟ। ଆଉ ତିଗିରିଆ ଭାରତରେ ବିଲୟ ହେବା ପରେ ରାଜା ବ୍ରଜରାଜଙ୍କୁ କେନ୍ଦ୍ର ସରକାରଙ୍କ ଠାରୁ ବର୍ଷକୁ ୧୧,୨୦୦ ଟଙ୍କା ମିଳୁଥିଲା। ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀ ରାଜାରାଜୁଡ଼ା ଶାସନକୁ ସମ୍ପୂର୍ଣ୍ଣ ବିଲୟ କରିଦେଲେ। ସେ ପର୍ଯ୍ୟନ୍ତ ତିଗିରିଆ ଗଡ଼ଜାତ ରାଜାଙ୍କୁ ଏହି ଧନରାଶି ମିଳୁଥିଲା।
ଗଣତନ୍ତ୍ର ଆସିବା ପରେ ରାଜାଙ୍କ ବଂଶଧର ଓ ମହଲର ରାଜକର୍ମଚାରୀ ରାଜନୀତିରେ ମିଶିବାକୁ ଲାଗିଲେ। କିନ୍ତୁ ରାଜାଙ୍କୁ ଏସବୁରେ କୌଣସି ରୁଚି ନଥିଲା। ସେ ରାଜକୀୟ ଠାଣିରେ ବଞ୍ଚିବାକୁ ଭଲ ପାଉଥିଲେ। ତାଙ୍କ ରାଜବଂଶର କିଛି ଲୋକେ ତାଙ୍କୁ ଜଣେ ସୌଖୀନ୍‌ ଓ ବିଳାସପୂର୍ଣ୍ଣ ଲୋକ ବୋଲି କହି ଫୁସଲାଫୁସଲି ହେଲେ। ଏମିତି ବିଳାସପୂର୍ଣ୍ଣ ଜୀବନ ପାଇଁ ଧୀରେ ଧୀରେ ତାଙ୍କ ସଞ୍ଚିତ ଧନ ସରିବାକୁ ଲାଗିଲା।
ରାଜଗାଦି ଚାଲିଯିବା ପରେ ତିଗିରିଆ ଗଡ଼ଜାତ ରାଜା ୧୯୬୦ରେ ତାଙ୍କ ରାଜ ପ୍ରାସାଦକୁ ୭୫ ହଜାର ଟଙ୍କାରେ ସରକାରଙ୍କୁ ବିକ୍ରି କରିଦେଲେ। ଯାହା ଏବେ ବାଳିକା ବିଦ୍ୟାଳୟରେ ପରିଣତ ହୋଇଛି। ତେବେ ସେତେବେଳେ ଏହି ରକମ କିଛି କମ୍‌ ନଥିଲା। ରାଜ ଉଆସ ବିକ୍ରି କରିବା ପରେ ବ୍ରଜରାଜ ଭାଇଙ୍କ ପାଖରେ ରହିବାକୁ ତାଙ୍କ ଜନ୍ମ ସ୍ଥାନକୁ ପଳେଇ ଆସିଲେ। କିନ୍ତୁ ୧୯୮୭ରେ ସେ ପୁଣି ତିଗିରିଆ ଫେରି ଆସିଲେ। ମାଗାଜିନ୍‌ରେ ରାଜାଙ୍କର ଲେଖା ପ୍ରକାଶ ପାଉଥିଲା। ଆଉ ଏଥିରେ ତାଙ୍କୁ ବାର୍ଷିକ ୫୦,୦୦୦ ଟଙ୍କା ମଧ୍ୟ ମିଳୁଥିଲା।  ଏବଂ ସେହି ଟଙ୍କାଙ୍କୁ ସେ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ।
ସ୍ୱାଧୀନ ଦେଶରେ ରାଜଗାଦୀ ହରାଇ ସେ ଆଦୌ ଦୁଃଖୀ ନଥିଲେ। ପ୍ରଜାବତ୍ସଳ ରାଜାଙ୍କୁ ସେଠାକାରେ ଲୋକେ ଖୁବ୍ ଭଲପାଉଥିଲେ। ବୃଦ୍ଧ ବୟସରେ ଲୋକେ ତାଙ୍କୁ ରାଜା ବଦଳରେ ସ୍ନେହରେ ଅଜା ବୋଲି ଡାକୁଥିଲେ ବୋଲି ସ୍ଥାନୀୟ ଲୋକେ କହନ୍ତି।
ଶେଷ ସମୟ
ଏହି ଦରଦୀ ରାଜା ତାଙ୍କ ଶେଷ ସମୟ ଗୋଟିଏ ଆଜବେଷ୍ଟସ୍ ଛାଉଣୀ ମାଟି ଘରେ କାଟିଥିଲେ। ଗୋଟିଏ ଗାଁକୁ ଅନ୍ୟ ଏକ ଗାଁକୁ ଯିବା ପାଇଁ ସେ ରିକ୍ସା ଚଳାଉଥିଲେ। ଆଉ ଗ୍ରାମବାସୀ ପ୍ରିତିଦିନ ତାଙ୍କର ଖାଇବା ପିଇବା କଥା ବୁଝୁଥିଲେ। ମୃତ୍ୟୁ ବେଳକୁ ଘର ଖଣ୍ଡିଏ ନ ଥିବାରୁ ଏକ ଭଙ୍ଗା କୁଡ଼ିଆରେ ସବୁଦିନ ପାଇଁ ସେ ଆଖି ବୁଜିଥିଲେ। ୨୦୧୫ ମସିହାରେ ୯୫ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଲୋକେ ୧୦ ଟଙ୍କା ଲେଖାଏ ଆଦାୟ କରି ତାଙ୍କର ଅତି ଆପଣାର ରାଜାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ତେବେ ରାଜାଙ୍କର ଶେଷ ଇଚ୍ଛା ଥିଲା ତାଙ୍କର ସତ୍କାର ରାଜପ୍ରାସାଦରେ ହେଉ ବୋଲି। କିନ୍ତୁ ଦୁଃଖର କଥା, ପ୍ରଜାମାନେ ତାଙ୍କର ଶେଷ ଇଚ୍ଛା ରକ୍ଷା କରିପାରି ନଥିଲେ। କାରଣ ରାଜପ୍ରାସାଦକୁ ପୂର୍ବରୁ ସେ ସରକାରଙ୍କୁ ବିକ୍ରି କରି ଦେଇଥିଲେ ।
କେମିତି ଥିଲା ରାଜ ଶାସନ
ତାଙ୍କ ରାଜତ୍ୱ ସମୟରେ ଖୁବ୍ ବିଳାସମୟ ଜୀବନ ବିତାଉଥିଲେ ତିଗିରିଆ ଗଡ଼ଜାତ ରାଜା ବ୍ରଜରାଜ କ୍ଷତ୍ରୀୟ ବୀରବର ଚମୁପତି ସିଂ ମହାପାତ୍ର। ତାଙ୍କ ଆଖି ଝଲସିଲା ଭଳି ରାଜମହଲରେ ୩୦ ଜଣ ଦାସୀ ପରିବାର କାମ କରି ପେଟ ପୋଷୁଥିଲେ। ଘୋଡ଼ାଶାଳଠାରୁ ଆରମ୍ଭ କରି ରାଜାଙ୍କ ପାଖରେ ଥିଲା ୫୬ଟି ଗାଡ଼ି। ସେଥିମଧ୍ୟରୁ ୨୫ଟି ବିଳାସପୂର୍ଣ୍ଣ କାର ଥିଲା। ସେ ଏହି କାର୍‌ରେ ବସି ଅନେକ ସମୟରେ ସେତେବେଳର ପଶ୍ଚିମବଙ୍ଗଳାର କଲିକତା ସହର ବୁଲିବାକୁ ଯାଉଥିଲେ। ସେ ସମୟରେ ବ୍ରିଟିଶ୍ ସରକାରଙ୍କର ବହୁ ବଡ଼ବଡ଼ ପଦାଧିକାରୀ ତଥା ଧନଶାଳୀ ବ୍ୟକ୍ତି ତାଙ୍କ ମହଲକୁ ଯିବା ଆସିବା କରୁଥିଲେ। ରଙ୍ଗାରଙ୍ଗ ମାହୋଲ୍‌ ବି ବେଶ୍‌ ଜମୁଥିଲା। ତାଙ୍କ ମହଲ ଆଗରେ ଜାଗୁଆର, ମର୍ସିଟିଜ୍‌ ଭଳି ଦାମି ଦାମି କାର୍‌ ଲାଗୁଥିଲା। ପାଠପଢ଼ାରେ ବି କମ୍‌ ନଥିଲେ ବ୍ରଜରାଜ। ସେ ଛତିଶଗଡ଼ ରାଜଧାନୀ ରାୟପୁର ସ୍ଥିତ ରାଜକୁମାର କଲେଜ୍‌ରେ ଡିପ୍ଲୋମା କରିଥିଲେ।
ଇଏ ତା ରାଜାଙ୍କ ବିଳାସର କଥା। ଏହା ବ୍ୟତୀତ ତାଙ୍କୁ ଓଡ଼ିଶାର ଶିକାରୀରାଜା ବୋଲି କୁହାଯାଉଥିଲା। ଏକ ସକ୍ଷାତ୍‌କାର  ୧୩ଟି ବାଘ ଓ  ୨୮ଟି ଚିତାବାଘ ଶିକାର କରିଥିଲେ ବୋଲି କହିଥିଲେ ଚମୁପତି। ସେ ଜଣେ ଖୁବ୍‌ ଦରଦୀ ରାଜା ବୋଲି ଲୋକେ କହୁଥିଲେ। ଗରିବ ଲୋକଙ୍କୁ ଖୁବ୍‌ ସାହାଯ୍ୟ କରୁଥିଲେ। ସେମାନଙ୍କୁ ନିଜ ଧନ ସମ୍ପତ୍ତି ବାଣ୍ଟି ଦେଉଥିଲେ। ତାଙ୍କ ରାଜ୍ୟରେ କୌଣସି ଜେଲ୍‌ କିମ୍ବା କଠିନ ଦଣ୍ଡ ବ୍ୟବସ୍ଥା ନଥିଲା। କୌଣସି ପ୍ରଜା ଦୋଷୀ ସାବ୍ୟସ୍ତ ହେଲେ, ଦଣ୍ଡ ସ୍ୱରୂପ ରାଜା ତାଙ୍କ ସହିତ କଥା ହେଉନଥିଲେ।
ରାଜାଙ୍କ ପରିବାର
ରାଜକୁମାର କଲେଜ୍‌ରେ ଡିପ୍ଲୋମା ପାସ୍‌ କରିବା ପରେ ବ୍ରଜରାଜଙ୍କ ବାହାଘର ଜୟପଥାନର ଜଣେ ରାଜକୁମାରୀ ରସମଞ୍ଜରୀଙ୍କ ସହିତ ହୋଇଗଲା। ପରେ ରସମଞ୍ଜରୀ ଦେବୀ ତିଗିରିଆର ବିଧାୟିକା ହୋଇଥିଲେ। ବ୍ରଜରାଜଙ୍କର ୩ଟି ପୁଅ ଓ ଦୁଇ ଝିଅ।
ତିଗିରିଆ ଗଡ଼ଜାତ ରାଜବଂଶର ଇତିହାସ
ତିଗିରିଆ ରାଜବଂଶ ମୂଳତଃ ରାଜସ୍ତାନରୁ ଆସିଥିଲେ। ମହାରାଜା ବ୍ରଜରାଜଙ୍କ ପୂର୍ବଜମାନେ ୧୨ଶହ ଶତାବ୍ଦୀରେ ରାଜସ୍ଥାନରୁ ଆସି ଓଡ଼ିଶାରେ ରହିବାକୁ ଲାଗିଲେ। ଆଉ ଏଠି ତିଗିରିଆ ଗଡ଼ଜାତ ରାଜବଂଶର ନିଅଁ ରଖିଲେ। ୧୫ ଅକ୍ଟୋବର ୧୯୨୧ ଜନ୍ମ ହୋଇଥିବା ବ୍ରଜରାଜ କ୍ଷତ୍ରୀୟ ବୀରବର ଚମୁପତି ସିଂ ମହାପାତ୍ର ଏହି ରାଜବଂଶର ଶେଷ ରାଜା ଥିଲେ। ଏ ବିଷୟରେ ଜ୍ଞାନ ରଖୁଥିବା ବୁଦ୍ଧିଜୀବୀଙ୍କ କହିବା କଥା ହେଲା, ପାଖାପାଖି ୮୦ଟି ଗାଁ ଏହି ରାଜବଂଶର ଅଧିନ ଥିଲା, ଯାହାକୁ ତିଗିରିଆ ରାଜବଂଶର ରାଜା ସୁଦର୍ଶନ ମହାପାତ୍ର ବସାଇଥିଲେ। ୧୯୪୩ ମସିହାରେ ସୁଦର୍ଶନଙ୍କ ମୃତ୍ୟୁ ପରେ ବ୍ରଜରାଜଙ୍କର ରାଜ୍ୟାଭିଷେକ କରାଗଲା। ତିଗିରିଆରେ ରାଜାଙ୍କ ଚିତ୍ର ଥିବା ଟଙ୍କା ବି ପ୍ରଚଳନ ହେଉଥିଲା ବୋଲି ଶୁଣାଯାଏ।
Spread the love
admin

Recent Posts

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 day ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

2 days ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

2 days ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

3 days ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

2 weeks ago