ଜଣା ଅଜଣା

ଢେଙ୍କାନାଳର ଆଦ୍ୟଦେବୀ

ଲେଖା: ସୋମେନ୍ଦୁ ଶତପଥୀ
~ ଢେଙ୍କାନାଳର ଆଦ୍ୟଦେବୀ ~
ଆମ ଢେଙ୍କାନାଳର ଆଦ୍ୟଦେବୀ କିଏ ? ନିଶ୍ଚିତ ଭାବରେ ଯିଏ ଏହି ଯାଗାଟିକୁ ପ୍ରଥମେ ସ୍ଥାପନ କରିଥିବ ସେ ଯଦି ନିଜେ କେଉଁ ଦେବାତା ବା ଦେବୀଙ୍କର ମୂର୍ତ୍ତିସ୍ଥାପନ କରିଥିବ ସେ ହିଁ ଢେଙ୍କାନାଳର ଆଦ୍ୟଦେବୀ ବା ଦେବତା ହୋଇଥିବେ।
ପିଲାଦିନର କଥା ମନେପଡ଼ିଲା। ବାପା କହିଥଲେ ଢେଙ୍କା ବୋଲି ଜଣେ ଶବର ରାଜା ଥିଲେ। ତାହାରି ନାମ ଅନୁସାରେ ବର୍ତ୍ତମାନର ଢେଙ୍କାନାଳ ସହର। ଏହି ଢେଙ୍କା ଶବର ପାଣି ଓହଳା ପାହାଡ଼ର ପାଦ ଦେଶରେ ଶବର ମାନଙ୍କ ସୀମିତ ବସ୍ତି ଅଞ୍ଚଳ ଯାହାକୁ ନାଳୀ କୁହାଯାଏ ସେହି ଢେଙ୍କା ନାଳୀର ସେ ରାଜା ଥିଲା। ପରବର୍ତ୍ତୀ କାଳରେ ଢେଙ୍କାନାଳୀ ସହିତ ଗୁଡ଼ିଆନାଳୀ, କଣ୍ଟା ନାଳୀ, ମଥୁରାନାଳୀ ବର୍ତ୍ତମାନର ଦକ୍ଷିଣ କାଳୀ, କାଡ଼ନାଳୀ ବର୍ତ୍ତମାନର ଚାନ୍ଦମାରୀ ସାହି, ଦୁଧିଆନାଳୀ ବର୍ତ୍ତମାନର କାଠଗଡ଼ା, ଗୁଣ୍ଡିଚାନାଳୀ ବର୍ତ୍ତମାନର ଭାଗବନପୁର ପରି ସାତୋଟି ନାଳୀ ଅଞ୍ଚଳକୁ ନେଇ ଏକ ବୃହତ ଢେଙ୍କାନାଳୀ ହୋଇଥିଲା।
ସମ୍ଭବତଃ ଏହା ଦ୍ଵିତୀୟ ଶତାବ୍ଦୀ ପୂର୍ବ ସମୟର। କାରଣ ଏହିଠାରୁ ପ୍ରଥମେ ଶାତବାହନ ଓ ସମୟକ୍ରମେ ବିଭିନ୍ନ ରାଜ ବଂଶର ଶାସକମାନେ ଢେଙ୍କାନାଳୀକୁ ଶାସନ କରିଥିଲେ ବୋଲି ଐତିହାସିକଙ୍କ ମତ ଓ ତଥ୍ୟ। ସେ ଯାହା ହେଉ ଏହି ପରିପ୍ରେକ୍ଷୀରେ ଆଉ ଅଧିକ ଇତିହାସକୁ ଯିବାର କୌଣସି ଅଭିପ୍ରାୟ ନାହିଁ। ତେବେ ପରବର୍ତ୍ତୀ ସମୟରେ ଏହି ଢେଙ୍କାନାଳୀ ଆପଭ୍ରଂଶ ହୋଇ ଢେଙ୍କାନାଳ ହୋଇଛି।
ଜିଜ୍ଞାସା ହେଉଛି ! ଢେଙ୍କା ଶବର କେତେ ପଢ଼ିଥିଲେ ଓ କେତେ ଜାଣିଥିଲେ ଯେ, ଦେବୀଙ୍କର ପୂଜା କରୁଥିଲେ ? ଏଇ ଯେମିତି ଆଉ ଜଣେ ଥିଲେ ଶବର ରାଜା ବିଶ୍ୱାବସୁ, ସେ ଯେମିତି ନୀଳମାଧବଙ୍କୁ ନିଜର ସବୁକିଛି ମାନି ନେଇଥିଲେ। କଥା ହେଉଛି ପୂର୍ବ ସମୟରେ ଶାସ୍ତ୍ରବାଣୀ ଶୁଣି ଶୁଣି ମନେ ରଖୁଥିଲେ। ତେଣୁ ତାକୁ ଶୃତି କୁହାଯାଏ। ଅର୍ଥାତ ସେମାନେ ଜାଣିଥିଲେ ଯେ, ଈଶ୍ୱର କିଏ ? ଓ ତାଙ୍କର ସ୍ୱରୂପ କିପରି ? ଉଭୟ ଶବର ରାଜା ଓ ତାଙ୍କ ସମ୍ପ୍ରଦାୟରେ ମୂର୍ତ୍ତି ପୂଜା ଓ ତାହାର ମାହାତ୍ମ୍ୟ ଜାଣିଥିଲେ। ଜଣେ ଶାକ୍ତ ଓ ଜଣେ ବୈଷ୍ଣବ ଉପାସକ ଥିଲେ ହେଁ ବସ୍ତୁତଃ ଈଶ୍ୱରଙ୍କର ମାତୃ ଓ ପିତୃ ସ୍ୱଭାବକୁ ବୁଝିଥିଲେ।
ସନାତନ ଈଶ୍ୱର ଯିଏ ଇଚ୍ଛା କରି “ଏକରୁ ଅନେକ” ହେଲେ ସେ ହିଁ ଶ୍ରୀମଦ ଭଗବଦ ଗୀତାରେ ସୃଷ୍ଟିନିୟନ୍ତା ପ୍ରତିପାଦ୍ୟ “ପିତା” ଓ ସେ ହିଁ ସପ୍ତଶତୀ ଚଣ୍ଡୀ ରେ ପ୍ରତିପାଦ୍ୟ ଆଦ୍ୟ ଜନନୀ “ମା”। ସେ ହିଁ “ବ୍ରହ୍ମ” ସେ ହିଁ “ପରଂବ୍ରହ୍ମ”। ଯେ, ଜନ୍ମ ଦିଏ ସେ ଜନନୀ। ତେଣୁ ଈଶ୍ୱରଙ୍କର ଏହି ସୃଜନୀ ଶକ୍ତି କୁ ହିଁ “ମା” ରୂପରେ ଉପାସନା କରାଯାଏ। ସେ ହିଁ ପ୍ରକୃତି ଓ ସେ ହିଁ ପୁରୁଷ। ସେ ହିଁ ସର୍ଵ ଶକ୍ତିମାନ। ଶକ୍ତିମାନ ଓ ଶକ୍ତି ଏକ ଏବଂ ଅଭିନ୍ନ। ସେ ହିଁ ବ୍ରହ୍ମା, ବିଷ୍ଣୁ ଓ ମହେଶ ଙ୍କର ସୃଷ୍ଟି କର୍ତ୍ତା। ସେ ହିଁ ଲକ୍ଷ୍ମୀ, କାଳୀ ଓ ସରସ୍ୱତୀଙ୍କର ସୃଷ୍ଟିର କାରଣ। ଈଶ୍ୱର ବା ଈଶ୍ୱରୀ ଯେ, ସାଧାରଣ ଲିଙ୍ଗ ଭେଦରୁ ଉର୍ଦ୍ଧ୍ବରେ। ସେ କୁମ୍ଭାର ପରି ଉପାଦାନ ସଂଗ୍ରହ କରି ସୃଷ୍ଟି ରଚନା କରି ନଥାନ୍ତି। ବସ୍ତୁତଃ ତାଙ୍କର ସୃଷ୍ଟି ରଚନା ବୁଢ଼ିଆଣି ପରି ନିଜ ଠାରୁ ସବୁ ସଂସାରିକ ବସ୍ତୁ, ପଦାର୍ଥ ଓ ଶକ୍ତି ଆଦି ଉତ୍ପନ୍ନ କରିଥାନ୍ତି ଓ ସେଥିରେ ହିଁ ବିଦ୍ୟମାନ ରହିଥାଏ ଏବଂ ପ୍ରଳୟ କାଳରେ ତାଙ୍କଠାରେ ହିଁ ସବୁକିଛି ସମାହିତ ହୋଇଥାଏ। ଯେପରି ଶ୍ରୀ ଭଗବାନ ଗୀତରେ କୁହନ୍ତି ଯେ, ତୁମେ ଯାହାର ବି ଉପାସନା କର ତାହା ମୋତେ ସମର୍ପିତ ହୁଏ। ଏହି କଥାକୁ ଦୁର୍ଗା ସପ୍ତଶତୀରେ ମାତା କହୁଛନ୍ତି, “ମୁଁ ବ୍ରହ୍ମାଣ୍ଡର ଅଧୀଶ୍ଵରୀ। ମୁଁ ହିଁ ସବୁ କର୍ମ ଫଳ ଭୋଗ କାରିଣୀ। ମୁଁ ଚେତନ ଏବଂ ସର୍ବଜ୍ଞ। ମୁଁ ହିଁ ଜନ୍ମ ଓ ମୃତ୍ୟୁ ର କାରଣ। ଶତ୍ରୁ ସଂହାର କରି ମୁଁ ହିଁ ଶାନ୍ତି ସ୍ଥାପନ କରେ। ମୁଁ ହିଁ ଭୁଲୋକ ଓ ସ୍ୱର୍ଗ ଲୋକ ବିସ୍ତାର କାରିଣି। ମୁଁ ନିଜ ଇଚ୍ଛାରେ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡର ରଚନା କରେ। ମୁଁ ସର୍ବଦା ସ୍ୱତନ୍ତ୍ର। ମୋ ଠାରେ କାହାର ପ୍ରଭୁତ୍ୱ ଚଳେ ନାହିଁ। ମୁଁ ଆକାଶ ଓ ପୃଥିବୀର ଉର୍ଦ୍ଧ୍ବ ରେ। ସମଗ୍ର ବିଶ୍ୱ ମୋର ବିଭୁତି ମାତ୍ର। ମୁଁ ନିଜ ଶକ୍ତି ରେ ସବୁକିଛି ଅଟେ, ଯାହା ତୁମ ଭାବନାର ବାହାରେ। ମୁଁ ହିଁ ପିତା ହୋଇ ବୀର୍ଯ୍ୟ ସ୍ଥାପନ କରେ ଓ ମୁଁ ହିଁ ମାତା ହୋଇ ଗର୍ଭଧାରଣ କରେ। ଶେଷରେ ମୁଁ ହିଁ ସୃଷ୍ଟି କୁ ପ୍ରସବ କରେ। ମୁଁ ହିଁ ସନାତନ ପୁରୁଷ ଓ ମୁଁ ହିଁ ସନାତନ ପ୍ରକୃତି। ମୁଁ ହିଁ ବୈଷ୍ଣବଙ୍କର ବିଷ୍ଣୁ, ମୁଁ ହିଁ ବୈଷ୍ଣବୀ ଙ୍କର ଶକ୍ତି ଓ ମୁଁ ହିଁ ଶିବ ଓ ମୁଁ ହିଁ ଶିବା। ମୁଁ ଏବଂ ମୋର ଶକ୍ତି ଏକ ଏବଂ ଅଭିନ୍ନ। ମୁଁ ହିଁ ସୂର୍ଯ୍ୟଙ୍କର ସୃଷ୍ଟି କର୍ତ୍ତା ଓ ମୁଁ ହିଁ ସୂର୍ଯ୍ୟ ଙ୍କର ଦାହିକା ଶକ୍ତି। ମୁଁ ହିଁ ବିରାଟ ସ୍ୱରୂପ। ମୋ ବିନା କିଛି ବି ନାହିଁ।
ଢେଙ୍କା ଶବର ରାଜା ଏହି କଥା ନିଶ୍ଚିତ ଭାବରେ ବୁଝିଥିଲେ ତେଣୁ ସେ ମାତୃ ଶକ୍ତିର ଉପାସକ ହୋଇ ଜେନା ଦେଈ ଠାକୁରାଣୀ ଙ୍କର ସ୍ଥାପନ କରିଥିଲେ ଓ ଗୋଡି ପୋଖରୀ ଖୋଲାଇଥିଲେ। ଯାହା ଅଧୁନା ଆମ ଢେଙ୍କାନାଳ ସହର ଦୁର୍ଗା ବଜାରସ୍ଥ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାର୍ଶ୍ୱରେ ଅବସ୍ଥିତ। ତେବେ ଏଠାରେ କୌଣସି ବସ୍ତି ନାହିଁ କି ତାହାର କିଛି ସଂକେତ ନାହିଁ। ଏହାର କାରଣ ଢେଙ୍କା ରାଜା ବାହ୍ୟଶତ୍ରୁ ଆକ୍ରମଣରେ ଛତ୍ରଭଙ୍ଗ ଦେଇଛନ୍ତି କିମ୍ବା ନିଜର ମୃତ୍ୟୁ ପରେ ରାଜବଂଶ ଶାସନ ହେତୁ ସେହି ନାଳୀର ଲୋକମାନେ ଅନ୍ୟ ନାଳୀରେ ମିଶି ଯାଇଛନ୍ତି। ବିଭିନ୍ନ ନାଳୀର ଦେବୀଙ୍କ ନିକଟରେ ଥିବା ବୃହତକାୟ ଓସ୍ତ ବା ବରଗଛମାନେ ସାକ୍ଷୀ ବହନ କରି ଆଜି ବି ଛିଡ଼ା ହୋଇଛନ୍ତି। ପରବର୍ତ୍ତୀ ସମୟରେ ବ୍ରାହ୍ମଣୀଦେଈ, ସୁନ୍ଦରସୁଣି, ମଙ୍ଗଳାଦେଈ (ଦକ୍ଷିଣକାଳୀ ମନ୍ଦିର ପରିସର), ବୁଢ଼ୀଦେଈ ଠାକୁରାଣୀ ସ୍ଥାପନ ହୋଇଛନ୍ତି।
କେହି ଏଠାରେ ଯୁକ୍ତି କରି ପାରନ୍ତି ଯେ, ଢେଙ୍କାନାଳର ଚତୁଃପାଶ୍ୱର୍ରେ ଥିବା ଅନ୍ୟ ଦେବୀମାନେ ଢେଙ୍କାନାଳର ଆଦ୍ୟ କାହିଁକି ନୁହେଁ ? ଏହି ପ୍ରଶ୍ନରେ ହିଁ ଉତ୍ତର ଓ ଏହା ସ୍ୱତଃସିଦ୍ଧ ଯେ, ପ୍ରଶ୍ନ ଢେଙ୍କାନାଳର ନା କି ଅନ୍ୟ କୌଣସି ନାଳୀର ଏବଂ “ଢେଙ୍କା” ରାଜା ଥିଲେ ଢେଙ୍କାନାଳୀର। ଏହା ସ୍ୱାଭାବିକ ଯେ, ରାଜା ହିଁ ପ୍ରଥମେ ନିଜ ନାଳୀର ଦେବୀଙ୍କର ପ୍ରତିଷ୍ଠାତା ହୋଇଥାନ୍ତି। (ଯେପରି ଗୃହକର୍ତ୍ତା ନିଜ ଗୃହ ଚତୁଃପାଶ୍ୱର୍ରେ ପ୍ରଥମେ ପ୍ରାଚୀର ଦେଇଥାନ୍ତି। ନାହିଁ କି ନିଜର ଅନ୍ୟ କୌଣସି ଖାଲି ସ୍ଥାନର।) ତେବେ ପରବର୍ତ୍ତୀ ସ୍ୱଳ୍ପ ବ୍ୟବଧାନରେ ଅନ୍ୟ ନାଳୀ ମାନଙ୍କର ଦେବୀ ମାନେ ସ୍ଥାପିତ ହୋଇଥିବେ। ମୂର୍ତ୍ତିକାର ଯେ କେହି ହୁଅନ୍ତୁ ନା କାହିଁକି ପ୍ରତିଷ୍ଠାତାଙ୍କର ନାମ ହିଁ ଆଲୋଚ୍ୟ ହୋଇଥାଏ। ଯେପରିକି ବିଶ୍ୱାବସୁଙ୍କର ନୀଳମାଧବ। ନୀଳମାଧବଙ୍କ ଶିଳ୍ପକାର କିଏ ତାହାର କୌଣସି ପ୍ରାସଙ୍ଗିକତା ନଥାଏ।
ମା’ ଜେନା ଦେବୀ, ଢେଙ୍କାନାଳର ଆଦ୍ୟଦେବୀ
Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

4 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

4 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

5 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago