ଲେଖା: ଦେଵ ତ୍ରିପାଠୀ
~ କନିକା ~
ପୂର୍ବ ଆଲୋଚନା ଗୁଡ଼ିକରୁ ଆମେ ଜାଣିଛେ କନିକାର ବୀରଯୋଦ୍ଧାଗଣ ପ୍ରାୟ ଦୁଇଶହ ବର୍ଷ କାଳ ମୁସଲମାନ, ମୋଗଲ, ମରାଠାମାନଙ୍କ ସହ ଓ ଅର୍ଦ୍ଧ ଶତାବ୍ଦୀ କାଳ ବ୍ରିଟିଶ ଶକ୍ତି ବିରୁଦ୍ଧରେ ନିଜର ବିଜୟଯାତ୍ରା ବଜାୟ ରଖିଥିଲେ ।
କନିକାର ବଳ ଦମ୍ଭ ଅତୁଟ ରହିବାର କେତୋଟି ବଳିଷ୍ଠ କାରଣ ଉପସ୍ଥାପିତ କରାଯାଇପାରେ । ପ୍ରଥମତଃ, #କନିକା ରାଜ୍ୟ ଭୟଙ୍କର ନଦୀ, ସମୁଦ୍ର, ଜଙ୍ଗଲଘେରା ଦୁର୍ଭେଦ୍ୟ ଭୌଗୋଳିକ ଭିତ୍ତିଭୂମି ମଧ୍ୟରେ ଅବସ୍ଥିତ ହୋଇଥିବାରୁ ଶତ୍ରୁପକ୍ଷ ସହଜରେ ପ୍ରବେଶ କରିପାରୁ ନ ଥିଲେ; ଯେତେବେଳେ ଆକ୍ରମଣ କରୁଥିଲେ, ସେମାନଙ୍କୁ ପ୍ରତିହତ କରାଯାଇ ପାରୁଥିଲା ।
ଦ୍ବିତୀୟତଃ, କନିକା ରାଜାଙ୍କର ଏକ ଶକ୍ତିଶାଳୀ ନୌବାହିନୀ ଏବଂ ପଦାତିକବାହିନୀ ଥିଲା । ରାଜ୍ୟରେ କେତେଗୁଡ଼ିଏ ଗଡ଼ ବା ଦୁର୍ଗ ଥିଲା ଯେଉଁଠି #ପାଇକ ମାନେ ଯୁଦ୍ଧାସ୍ତ୍ର ସହିତ ଅବସ୍ଥାନ କରୁଥିଲେ । ନଦୀ ଘାଟରେ ରଣତରୀ ସଜ୍ଜିତ ହୋଇ ରହୁଥିଲା । ଜଳଯୁଦ୍ଧ ବିଶାରଦ କନିକା ନୌବାହିନୀ ଶତ୍ରୁ ଆକ୍ରମଣର ମୁକାବିଲା କରିବାକୁ ସଦାଜାଗ୍ରତ ଥିଲା !
ତୃତୀୟତଃ, #ନଦୀନିର୍ଝରମାଳିନୀ_ଶସ୍ୟଶ୍ୟାମଳା_କନିକା ଧନଧାନ୍ୟ ପରିପୂର୍ଣ୍ଣ ଅଞ୍ଚଳ ଏବଂ ସୁଦୃଢ ଆର୍ଥିକ ମାନଦଣ୍ଡର ଅଧିକାରୀ ହେତୁ ବାତ୍ୟା, ବନ୍ୟା, ମରୁଡ଼ିଜନିତ କ୍ଷୟକ୍ଷତି ସହଜରେ ଭରଣା କରାଯାଇ ପାରୁଥିଲା ! ଏହିସବୁ କାରଣରୁ କନିକା ଅତୁଟ ସାମରିକ ଶକ୍ତିର ଅଧିକାରୀ ଓ ବଳଶାଳୀ ଥିଲା !
ଏକଦା ଉତ୍କଳର ଗଜପତିଙ୍କ ଶାସନାଧୀନ ଅଞ୍ଚଳ ଥାଇ ମଧ୍ୟ ଉତ୍କଳ ଆକାଶରେ ଗୌରବଧ୍ବଜା ଉଡ଼ାଇଥିବା କନିକାର ପ୍ରାଚୀନ ଅଧିବାସୀ ଥିଲେ #ସାଧବ ଏବଂ କୈବର୍ତ୍ତ । ପରେ ସେମାନଙ୍କୁ କ୍ଷମତାଚ୍ୟୁତ କରି ଶାସନ କରିଥିଲେ କ୍ଷତ୍ରିୟ ମାନେ। ବହୁ କାଳ ଧରି ସମୁଦ୍ରଘେରା ତ୍ରିକୋଣଭୂମି #ରିଘାଗଡ଼ ଏହି ରାଜ୍ୟର ଶାସନକେନ୍ଦ୍ର ଥିଲା। କନିକାର ଷଷ୍ଠ ରାଜା #ଦିବ୍ୟସିଂହ_ଭଞ୍ଜ ପ୍ରତିବେଶୀ ଦୁଇ ରାଜ୍ୟ #କଳଦ୍ଵୀପ ଓ #କେରଡ଼ା ଜୟ କରି ନିଜ ସାମ୍ରାଜ୍ୟରେ ମିଶାଇ ଥିଲେ। ରାଜା କେରଡ଼ା ଆକ୍ରମଣ କରିବା ପାଇଁ #ହଂସବତୀ ନଦୀର (ଆଜିର #ହଂସୁଆ ନଦୀ) ଯେଉଁ ସ୍ଥାନରେ ଘୋଡ଼ାଗୁଡ଼ିକୁ ପାରକରାଇ ଭିତରଗଡ଼କୁ ଯାତ୍ରା କରିଥିଲେ, ସେ ସ୍ଥାନଟି #ଘୋଡ଼ାପାରିଆ ଘାଟ ଭାବେ ପରିଚିତ ହେଲା ! ଯୁଦ୍ଧଶ୍ରମ ଲାଘବ ପାଇଁ ରାଜା ଯେଉଁ ସ୍ଥାନରେ ବିଶ୍ରାମ ନେଲେ ଓ ନଅରଟିଏ ତୋଳି ରହିଲେ ସେ ସ୍ଥାନ ପ୍ରସିଦ୍ଧ ହେଲା #ରାଜନଗର ଭାବେ ! ସେଇ ରାଜନଗରରେ ରାଜାସଙ୍କଳ୍ପରେ ପ୍ରତିଷ୍ଠିତ ହେଲେ ଜଗନ୍ନାଥଙ୍କର ଦଧିବାମନ ମୂର୍ତ୍ତି ! ରାଜାଙ୍କ ନାମାନୁସାରେ ଗଢ଼ିଉଠିଲା #ଦଧିବାମନପୁର ଶାସନ ! ଧର୍ମପରାୟଣ ରାଜା ଅନେକ ଦେବାଳୟ ଗଢ଼ିବା ସହିତ କେରଡ଼ା ଜଗନ୍ନାଥ ମନ୍ଦିରର ପୁନଃନିର୍ମାଣ ତଥା ରାଜନଗର ଓ #ପେଣ୍ଠ ଠାରେ ରଥଯାତ୍ରା ଆରମ୍ଭ କରିଥିଲେ ।
ଭଞ୍ଜରାଜତ୍ଵର ପ୍ରାୟ ୧୨୦ ବର୍ଷ ବେଳକୁ ଦିବ୍ୟସିଂହ ଭଞ୍ଜଙ୍କ କନିଷ୍ଠଭ୍ରାତା ବ୍ରାହ୍ମଣୀ ନଦୀକୂଳ #ଭିତରକନିକା ଜଙ୍ଗଲ ମଧ୍ୟରେ ରିଘାଗଡ଼ ଦୁର୍ଗ ନିର୍ମାଣ କରିଥିଲେ । ‘ରିଘା’ ଶବ୍ଦ ‘ଅରିଘା’ ଶବ୍ଦର ଅପଭ୍ରଂଶ ବୋଲି ଧରାଯାଇ ପାରେ ! ମାଟିପଥର ମିଶା କାନ୍ଥରେ ନିର୍ମିତ ରିଘାଗଡ଼ ଏକ ଅଭେଦ୍ୟ ଦୁର୍ଗ ଥିଲା । ବିଶାଳ ପାଚେରୀ, ପାଚେରୀ ଚତୁର୍ଦିଗରେ ପ୍ରାକୃତିକ ପରିବେଷ୍ଟନୀ ରୂପେ ଗଡ଼ଖାଇ, ଗଡ଼ଖାଇରେ ହିଂସ୍ର ଜଳଜନ୍ତୁ କୁମ୍ଭୀର, ଗଡ଼ଖାଇର ଚାରିପଟେ ଭୟପ୍ରଦ ଜଙ୍ଗଲ, ଗଡ଼ମଧ୍ୟରୁ ସମୁଦ୍ର, ନଦୀ ବା ଅନ୍ୟ କୌଣସି ମୁକ୍ତସ୍ଥାନକୁ ନିର୍ବିଘ୍ନରେ ପଳାଇଯିବା ପାଇଁ ଆପାତକାଳୀନ ଗୁପ୍ତ ନିଷ୍କ୍ରମଣ ଦ୍ବାର ରହିଥିଲା ।
“ମନେହୁଏ ରାଜା ଏ ଦୁର୍ଗର ନାମ
କରାଇଥିଲେ ଅରିଘା,
ଲୋକଙ୍କ କହିବା ଦୋଷେ ବୋଲାଉଛି
ସଂପ୍ରତି ଏ ସ୍ଥାନ ରିଘା” !
ରିଘାଗଡ଼ ଦୁର୍ଗ ଓଡ଼ିଶାରେ ଗଡ଼, ଗଡ଼ଜାତ ଓ ରାଜରାଜୁଡ଼ା ଶାସନର ଅନ୍ୟତମ ମୁକସାକ୍ଷୀ । #କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଭାଷାରେ ଏହି ଗଡ଼ ଉତ୍କଳର ବିଶାଳ ପରିଖା ସଦୃଶ ଦଣ୍ଡାୟମାନ !
“ରିଘାଗଡ଼ ଦୁର୍ଗ ପ୍ରାଚୀନ କନିକା
ହେଉ ଉତ୍କଳର ବଶାଳ ପରିଖା” ।
(ବୈତରଣୀ)
ମାତ୍ର ବ୍ରିଟିଶ କନିକା ଅଧିକାର କରିବା ପରେ ଭୁଲୁଣ୍ଠିତ ହେଲା ରିଘାଗଡ଼ ! ଆଉ ହଜିଗଲା କନିକାର ଗୌରବ, ବୀରତ୍ୱ, ବିଭବ ଓ ପ୍ରତିପତ୍ତି ! ଆଜି କେବଳ ଅବଲୁପ୍ତ ଇତିହାସର ମୂକସାକ୍ଷୀରୂପେ ଭଗ୍ନଦୁର୍ଗ ରିଘାଗଡ଼, କେରଡ଼ାଗଡ଼ ଏବଂ କନିକା ରାଜନଅର ଦଣ୍ଡାୟମାନ। ଏଇଠି ମନେପଡ଼େ #କବିବରଙ୍କ ପଦଟିଏ,
“ସେ ମୂକସାକ୍ଷୀଣୀ ଗୌରବ
ମୁଖଶାଳା ମାତର
ପ୍ରତ୍ୟଧ୍ବନି ଛଳେ ପାନ୍ଥକୁ
ଆଜି ଦିଏ ଉତ୍ତର” !
ଇହୋସରୁ ଜଣାଯାଏ ଯେ, #ବଳଭଦ୍ର_ଭଞ୍ଜ ଓଡ଼ିଶା ଉପକୂଳର ଜଣେ ପ୍ରଭାବଶାଳୀ ରାଜା ଥିଲେ । କନିକା ସୈନ୍ୟବାହିନୀକୁ ସଶକ୍ତ କରି ଇତିହାସରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବଳଭଦ୍ରଙ୍କ ସମୟରେ ଇଂରେଜମାନେ ଓଡ଼ିଶା ଦଖଲ କଲେ । ତାଙ୍କୁ ଓଡ଼ିଶାର #ପ୍ରଥମ_ରାଜବନ୍ଦୀ କହିଲେ ଅତ୍ୟୁକ୍ତି ହେବନାହିଁ । ୧୮୧୭ ଖ୍ରୀ.ଅ.ରେ କନିକାର ଶେଷ ସ୍ଵାଧୀନ ନରପତି ସାହସୀ, କୌଶଳୀ ଓ ସ୍ଵାଧୀନଚେତା ବୀରପୁରୁଷ, ସ୍ୱଦେଶପ୍ରେମିକ, ବୀରହୃଦୟ ବଳଭଦ୍ରଙ୍କର ଦେହାବସାନ ହେଲା ।
“ବହିଥିଲେ ପଞ୍ଚଚାଳିଶ ବରଷ
ରାଜଦଣ୍ଡ ଭଞ୍ଜବଂଶେ,
କେବଳ ଏ ବଳଭଦ୍ର ଭଞ୍ଜଦେବ
ଭୁପାଳ ସଂଯମ ବଶେ”
(ଭଞ୍ଜକନିକା)
ମାତୃଭୂମିର ସୁରକ୍ଷା ପାଇଁ କନିକା ରାଜନ୍ୟଗଣଙ୍କ ମହାନତା ଏବଂ କନିକା ପାଇକବାହିନୀର ସାହସିକତା ଉତ୍କଳ ଇତିହାସରେ ଚିରଦିନ ପାଇଁ ଅମର ଅକ୍ଷରରେ ଲିପିବଦ୍ଧ ହୋଇ ରହିବ !
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago