ଲେଖା: ଅମ୍ବିକା ପଟ୍ଟନାୟକ

~ ଦିଗପହଣ୍ଡିର ଡ୍ରଇଂମାଷ୍ଟ୍ରେ: ଡ. ଦିନନାଥ ପାଠୀ ~
ସେ ଥିଲେ ଏକାଧାରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚିତ୍ରକର, ଲେଖକ, ଗବେଷକ, ଅଧ୍ୟାପକ, ସଂଗଠକ, ସମ୍ପାଦକ, କଳା ଐତିହାସିକ, ଅନୁଷ୍ଠାନ ନିର୍ମାତା, କବି ଏବଂ ସର୍ବୋପରି ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଏକ ନିଷ୍ଠାପର ଆତ୍ମା l ତଥାପି ନିଜକୁ “ଡ୍ରଇଁମାଷ୍ଟ୍ରେ” ଘୋଷଣା କରିବାରେ ଖୁଵ ତୃପ୍ତି ବୋଧ କରୁଥିଲେ l ସେଥିପାଇଁ ଆତ୍ମଜୀବନୀରେ ଲେଖିଛନ୍ତି “ଡ୍ରଇଁମାଷ୍ଟ୍ରେ ଟିଏ ହେବାର ସାର୍ଥକତା ମୋତେ ଖୁଵ ଆନନ୍ଦ ଦେଇଛି ଏଣୁ ସେସବୁ ଅନୁଭୂତିକୁ ଅନ୍ୟମାନଙ୍କ ଆଗରେ ବଖାଣିବାରେ ଦ୍ଵିଧା ବୋଧ କାହିଁକି କରିବି ?”
ସେ ଦିଗପହଣ୍ଡିର ଡ୍ରଇଂମାଷ୍ଟ୍ରେ: ଡ. ଦିନନାଥ ପାଠୀ, ଗାଁର ବରିଷ୍ଠ/ସମବୟସୀଙ୍କ ମୁହଁରେ “ଦିନ୍ନାଥ” l ବି. କେ. କଲେଜ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ, କେଦାରନାଥ ଗବେଷଣା ପରିଷଦର ପ୍ରତିଷ୍ଠାତା ସଭ୍ୟ, ୱାର୍କିଂ ଆର୍ଟିଷ୍ଟସ ଆସୋସିଏସନ, ଚିତ୍ରମ କଳା ବିଦ୍ୟାଳୟର ପ୍ରତିଷ୍ଠାତା, ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀର ସମ୍ପାଦକ, ଓଡିଶା ଲଳିତ କଳା ଏକାଡେମୀର ସଭାପତି, ବାରାଣସୀ ସ୍ଥିତ ଆଲିସ ବୋନର ଗବେଷଣା ପ୍ରତିଷ୍ଠାନର ନିର୍ଦେଶକ ଇତ୍ୟାଦି ପଦ ସବୁ ସୁଚାରୁ ରୂପେ ନିର୍ବାହ କରିଛନ୍ତି l
1942 ମେ 9 ତାରିଖରେ ଦିଗପହଣ୍ଡି ବ୍ରାହ୍ମଣ ସାହିରେ ପିତା ଶ୍ୟାମସୁନ୍ଦର ପାଠୀ ଓ ମାତା କମଳା ଦେବୀଙ୍କ କନିଷ୍ଠ ପୁତ୍ର ଭାବେ ଦିନନାଥ ପାଠୀ (ପ୍ରମାଦ ବଶତଃ ଅନେକେ “ଦୀନନାଥ ପାଠୀ” ଲେଖିବାରେ ଅଭ୍ୟସ୍ତ) ଜନ୍ମଗ୍ରହଣ କରିଥିଲେ l ରାଜାଙ୍କ “ଵୈଦ୍ୟରତ୍ନ” ଏହି ପରିବାର ଚିତ୍ର ବିଦ୍ୟା ଓ ସଂଗୀତରେ ମଧ୍ୟ ପ୍ରବୀଣ ଥିଲେ l ପିତା ଆଶୁକବି ମଧ୍ୟ୍ ଥିଲେ l ବଡ଼ ଭାଇ ଶ୍ରୀ ଲୋକନାଥ ପାଠୀ ନିଜ ଘରକୁ “ଶିଳ୍ପକଳା ମନ୍ଦିର” ନାମ ଦେଇ ଚିତ୍ର ଅଙ୍କା, ନାଟକ ପାଇଁ ସିନେରୀ ତିଆରି କରିବା, ଅଭିନେତା ମାନଙ୍କ ପାଇଁ ବିଭିନ୍ନ ପୋଷାକ ଓ ସରଞ୍ଜାମ ତିଆରି, କଣ୍ଢେଇ, ହରିଣ, ସମ୍ବର ଓ ମଇଁଷି ଶିଙ୍ଗ ନେଇ ହରିଣ, ସମ୍ବର ଓ ମଇଁଷି ମୁହଁ ତିଆରି କରୁ ଥିଲେ l ପିଲାବେଳୁ ବଡ଼ଭାଇଙ୍କ ପାଖରେ ରହି ତାଙ୍କୁ ସାହାଯ୍ୟ କରୁ କରୁ ନିଜେ ମଧ୍ୟ କ୍ରମଶଃ ପ୍ରବୀଣ ହୋଇ ଉଠୁ ଥିଲେ l ମୂଳତଃ ଚିତ୍ରାଙ୍କନ ଖଡ଼ି ଛୁଆଁ ପାରିବାରିକ ପରିବେଶ ମଧ୍ୟରେ ହୋଇଥିଲା l ଏମିତିରେ ଉଚ୍ଚ ବିଦ୍ୟାଳୟ ଛାତ୍ର ଜୀବନରେ କ୍ରମାଗତ ତିନିଥର “ଗଞ୍ଜାମ ଚିତ୍ରକର ସଂଘ” ତରଫରୁ ଆୟୋଜିତ ବାର୍ଷିକ ସର୍ବଭାରତୀୟ ଶିଶୁ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ହୋଇ ସ୍ବର୍ଣ୍ଣ ପଦକ ପାଇଥିଲେ l
ଛାତ୍ର ଦିନନାଥ ଖୁଵ ମେଧାବୀ ଥିଲେ l କିନ୍ତୁ ଅସମୟରେ ପିତୃବିୟୋଗ ଓ ତାପରେ ଶାରୀରିକ ଅସୁସ୍ଥତାର ଫଳ ସ୍ୱରୂପ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ l ଅର୍ଥାଭାବ ତାଙ୍କୁ ବାଧ୍ୟ କରିଥି ଟିଉସନ ପଢ଼ାଇବା ବା ନିକଟସ୍ଥ ଓଡାସିଙ୍ଗି ଗ୍ରାମ ସଂସ୍କୃତ ଟୋଉଚ୍ଚ ଶିକ୍ଷା ଛାଡ଼ିଲରେ ଇଂରାଜୀ ଶିକ୍ଷକତା କରିବା l
ପରିଶେଷରେ ସାହସର ସହ ସେ ଯାଇ ଖଲିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅଧ୍ୟୟନ କଲେ l ଏଇଠି ତାଙ୍କ ଦୃଷ୍ଟିଭଙ୍ଗୀ ବ୍ୟାପକତା ଲାଭ କଲା ଓ ପ୍ରତିଭାର ପ୍ରକୃତ ଉନ୍ମେଷ ହେଲା l ପରେ ବିଜେବି ମହାବିଦ୍ୟାଳୟରୁ ସ୍ନାତକ, ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର, 1981ରେ ଓଡିଶାର ପାରମ୍ପରିକ ଚିତ୍ରକଳା ଉପରେ ପିଏଚଡି ଓ 1991ରେ ଶାନ୍ତିନିକେତନରୁ କଳା ଇତିହାସ ଉପରେ ପିଏଚଡି ଲାଭ କରିଥିଲେ l
1964 ରେ ରାଜ୍ୟ ଯୋଜନାବୋର୍ଡରେ ଆର୍ଟିଷ୍ଟ, ପରେ ରାଜ୍ୟ ସଂଗ୍ରହାଳୟରେ Curator, OTDC ର ପ୍ରଚାର ବିଭାଗ ପରିଚାଳକ ଥିଲେ l ବି. କେ. କଲେଜ ଅଫ ଆର୍ଟ୍ସ ଏଣ୍ଡ କ୍ରାଫ୍ଟସର ଅଧ୍ୟକ୍ଷ ମଧ୍ୟ ଥିଲେ l
ଓଡ଼ିଶାର କଳା, ଚିତ୍ରକଳା, ସଂସ୍କୃତିର ପର୍ଯ୍ୟାଲୋଚନା ପାଇଁ ସମଗ୍ର ଓଡିଶାର ଅନ୍ଦି କନ୍ଦି ଘୁରି ତଥ୍ୟ ସଂଗ୍ରହ କରିଛନ୍ତି l ଓଡ଼ିଆପ୍ରାଣ ଦିନନାଥ ଅକ୍ଲାନ୍ତ ପରିଶ୍ରମ କରି ସୁଇଜରଲାଣ୍ଡ, ବ୍ରିଟେନ, ଜର୍ମାନୀ, ଜାପାନ, ଫ୍ରାନ୍ସ, ଗ୍ରୀସ, ଇଟାଲୀ, ଚୀନ, ଇଣ୍ଡୋନେସିଆ, ଆମେରିକା ପ୍ରଭୃତି ଦେଶରେ ଓଡିଶା ଚିତ୍ରକଳାର ଐତିହ୍ୟ ଓ ପରମ୍ପରାକୁ ପପ୍ରତିଷ୍ଠିତ କରାଇ ପାରିଛନ୍ତି l ଅନେକ ଦେଶରେ କଳା ସଂଗ୍ରହାଳୟରେ ତାଙ୍କ ଅଙ୍କିତ ଚିତ୍ର ସ୍ଥାନ ପାଇ ଓଡିଶାର ଗୌରବ ବଢ଼ାଇଛନ୍ତି l
ବ୍ୟକ୍ତି ହିସାବରେ ଡ. ଦିନନାଥ ପାଠୀ ଅମାୟିକ, ମିଷ୍ଟଭାଷୀ ଥିଲେ l କିନ୍ତୁ ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟର ଦୁରବସ୍ଥା ତାଙ୍କୁ ଯେମିତି ଏକ ଦିଗରେ ନିର୍ଭୀକ ସ୍ପଷ୍ଟବାଦୀ କରିଥିଲା ଅନ୍ୟ ଦିଗରେ ସେମିତି ସମସ୍ୟାକୁ ହସି ହସି ସାମ୍ନା କରିବା ମଧ୍ୟ ଶିଖାଇ ଥିଲା l ଦିଲ୍ଲୀରେ ଥିବାବେଳେ କିଛି ବନ୍ଧୁଙ୍କ ସହ ସବୁବେଳେ ଭାତ ଡାଲମା (ଆର୍ଥିକ ପରିସ୍ଥିତି ନେଇ ) ଖାଉଥିବାରୁ ସ୍ବର୍ଗତ ଅସୀମ ବସୁ ଥରେ ପ୍ରଶ୍ନ କଲେ “ସବୁବେଳେ ଏକା ପ୍ରକାର ଖାଉଛ, ବିରକ୍ତ ଲାଗୁନି?”
“ଦାଦା, ଆମେ ସକାଳେ ଭାତ ଡାଲମା ଖାଉ ଆଉ ରାତିରେ ଡାଲମା ଭାତ, ଏକା ପ୍ରକାର କେମିତି ହେଲା ‘? ଉତ୍ତର l
ତାଙ୍କ ବାପା ଭାଲୁ ଶିକାରରେ ଆଗ୍ରହର ସହ ଯୋଗ ଦେଉଥିଲେ କିନ୍ତୁ ନିଜ ଆମ୍ବ ତୋଟାରେ ମାଙ୍କଡ଼ ଉତ୍ପାତ ସହ୍ୟ କରୁଥିଲେ l ସେ ବିଷୟରେ ଲେଖିଛନ୍ତି “ହନୁମାନଙ୍କୁ ମନେ ପକେଇ ନନା ମାଙ୍କଡ଼ମାନଙ୍କ କୌଣସି କ୍ଷତି କରୁ ନଥିଲେ, ଯଦି ଜାମ୍ବବାନଙ୍କୁ ମନେ ପକେଇ ଥାନ୍ତେ ତେବେ ଭାଲୁ ଶିକାରରେ ସହଯୋଗ କରୁ ନ ଥାନ୍ତେ’ l
“ରୂପଜୀବି” ଏ ଶବ୍ଦଟିର ପ୍ରଚଳିତ ଅର୍ଥ ପରିତ୍ୟାଗ କରି ସେ ନିଜ ଉପରେ ପ୍ରୟୋଗ କରିଛନ୍ତି l ରୂପ, ରଙ୍ଗ ତୂଳୀ ନେଇ ମୋ ଜୀବିକା ଏଣୁ ମୁଁ ରୂପଜୀବୀ l
ଡ. ଦିନନାଥ ପାଠୀ ଜଣେ ଉଚ୍ଚକୋଟିର ସାହିତ୍ୟିକ ଓ ସମାଲୋଚକ ମଧ୍ୟ ଥିଲେ l ଜର୍ମାନ, ଇଂରାଜୀ ଓ ଓଡ଼ିଆ ଭାଷାରେ ପ୍ରାୟ ପଚାଶ ଖଣ୍ଡ ବହି ଲେଖିଛନ୍ତି l କଳା ସମାଲୋଚନା, ଚିତ୍ରକଳା, ଆତ୍ମଜୀବନୀ, ଉପନ୍ୟାସ, କ୍ଷୁଦ୍ର ଗଳ୍ପ, କବିତା ଓ ଭ୍ରମଣ କାହାଣୀ l ସମାଲୋଚନା ବହି ସବୁ ଗମ୍ଭୀର ଗବେଷଣାତ୍ମକ ଓ ଅନ୍ୟ ସବୁ ସୁଖପାଠ୍ୟ ପାଠ୍ୟ l
ତାଙ୍କ କବିତା ପାଠ କରି ଡକ୍ଟର ସୀତାକାନ୍ତ ମହାପାତ୍ର କହିଥିଲେ “ଦିନନାଥ, ତମେ ଉପନ୍ୟାସ ଛାଡି କବିତା କାହିଁକି ଲେଖୁନ?” 2016 ଅଗଷ୍ଟ 29 ତାରିଖରେ ଓଡିଶାର ଏହି ସୁପୁତ୍ରଙ୍କ ଦେହାନ୍ତ ହୋଇଥିଲା l
କୃତଜ୍ଞତା: ଡ. ଦିନନାଥ ପାଠୀ ଓ ଡକ୍ଟର ଅଶୋକ କୁମାର ରଥଙ୍କ ବହି ସମୂହ l
Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

5 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

5 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

6 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

1 month ago