ଲେଖା: ଶିଶିର ସାହୁ ମନୋଜ
ଓଡ଼ିଶାର କେତେକ ଅଞ୍ଚଳରେ ladle spoon ବା ଡଙ୍କି କୁ ଅଞ୍ଚଳ ଭେଦରେ ଭିନ୍ନ ଭିନ୍ନ ନାମରେ ଜଣାଯାଏ ।
ବାଲେଶ୍ବରରେ ଡଙ୍କିକୁ କୁହନ୍ତି କୁଡ଼ୁକା । ଏହା ମାନକ କୁଡି଼କା = ଗିନା ଶବ୍ଦ ସହ ସମଧୃତ ହୋଇଥାଇପାରେ ।
ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳ ଵସ୍ତରରେ ଡଙ୍କିକୁ ଚେଟୁ କୁହାଯାଏ । ଗଡ଼ଜାତରେ କେଉଁଠି କେଉଁଠି ଡଙ୍କି ଅର୍ଥରେ ଚଟୁ ଶବ୍ଦ ଚଳୁଥିଲେ ହେଁ ଢେଙ୍କାନାଳରେ ହାଣ୍ଡିରୁ ଭାତକଢା ଯାଉଥିଵା ଛିଦ୍ରଯୁକ୍ତ ବଡ଼ ଚାମୁଚାକୁ ଚଟୁ କୁହାଯାଏ ।
ଓଡ଼ିଶାର ପଶ୍ଚିମାଞ୍ଚଳରେ ଡଙ୍କି ପାଇଁ ଵିଭିନ୍ନ ପ୍ରତିଶବ୍ଦ ଚଳୁଥିଲାବେଳେ ଭାଷାକୋଷରେ ଏ ଅଞ୍ଚଳରେ ଡୁହା ଶବ୍ଦ ଚଳୁଥିଵା ଉଲ୍ଲେଖ ମିଳେ । ଏ ଶବ୍ଦ ମାନକ ଦ୍ରୋଣକ ଶବ୍ଦ ସହ ସମଧୃତ । କେଉଁଠି କେଉଁଠି ଏ ଶବ୍ଦ ଭାତକଢା଼ ଚଟୁ ଅର୍ଥରେ ଚଳୁଥିଵା ଭାଷାକୋଷରେ କୁହାଯାଇଛି ।
ତେଵେ ଭାତ ତିଅଣ ଆଦି ଘାଣ୍ଟିବା ଓ ପରଷିବା ପାଇଁ ଵ୍ୟଵହୃତ ବେଣ୍ଟ ଲଗା ଷଢ଼େଇ ଡଙ୍କିକୁ ଓଡ଼ିଶାରେ ଅଣକ କୁହାଯାଏ । ଏ ଶବ୍ଦର ସଂସ୍କୃତ ରୂପ ‘ଅଢ଼କ’ ଏଵଂ ଏହାର ଅନେକ ଦେଶଜ ରୂପ ବି ଵିଭିନ୍ନ ଅଞ୍ଚଳରେ ଚଳୁଅଛି, ଯଥା:
ଅଢ଼ା—ପ୍ରାଚୀନ ଓଡ଼ିଆ ସାହିତ୍ୟ
ଅଣକା—ନଡ଼ିଆ ଷଢେ଼ଇରେ ତିଆରି ବେଲା, ଡଙ୍କି (ଗଞ୍ଜାମ, କଟକ)
ଅଣଖ―ଡାଲି ଵା ତିଅଣ ବାଢି଼ଵା ପାଇଁ ଵ୍ୟଵହୃତ ବାଉଁଶ ଦଣ୍ଡ ଓ ନଡ଼ିଆ ଷଢ଼େଇର ଚାମଚ (କ)
ଅନ୍’କା – ଢିଙ୍କି, ଲାଉତୁମ୍ବା (ବୌଦ୍ଧ, କନ୍ଧମାଳ, ସମ୍ବଲପୁର, କଳାହାଣ୍ଡି )
ଅନଖା-ଡଙ୍କି, ଅଣାକ (କଳାହାଣ୍ଡି)
ଅଲକ/ଅଲଖା—ଅଣକ (ଗଡ଼ଜାତ)
ଅଣକ ଓ କଣକା ଶବ୍ଦଟି ପୁରୀ ଅଞ୍ଚଳରେ ଆଜି ବି ଷଢେ଼ଇ ଡଙ୍କି ଅର୍ଥରେ ଚଳୁଅଛି । ଆଗେ ପୁରୀ ଜିଲ୍ଲାର ରାହାଙ୍ଗ ବ୍ରାହ୍ମଣ ଶାସନ ମାନଙ୍କର କୁଳୀନ ସାମନ୍ତମାନଙ୍କ ଭୋଜନ ସଭାରେ ଯେଉଁ କୁଳୀନ ବ୍ରାହ୍ମଣମାନେ (ଯଥା, ଭଟ୍ଟ ମିଶ୍ରେ ଇତ୍ୟାଦି) ଅଣକ ଓ ହାଣ୍ଡି ଧରି ପରଷିବାରେ ଅଧିକାରୀ ହେଉଥିଲେ, ସେମାନଙ୍କୁ ‘ଅଣକଧରା’ ବା ‘ହାଣ୍ଡିଧରା’ ବୋଲି ଡକାଯାଉଥିଲା ।
© ଶିଶିର ସାହୁ ମନୋଜ
~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…
~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ…
ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି…
~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…