ଲେଖା: ବନ୍ଧନ ଦଳାଇ

ମହାପ୍ରଭୁ ଶ୍ରୀଜଗନ୍ନାଥ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ ରୂପରେ ସମ୍ବୋଧିତ। ଶ୍ରୀଚୈତନ୍ୟଙ୍କ ଦୃଷ୍ଟିରେ ମହାପ୍ରଭୁ ହେଉଛନ୍ତି ଶ୍ରୀରାଧା ଶ୍ରୀକୃଷ୍ଣଙ୍କର ମିଳିତ ବିଗ୍ରହ ପ୍ରେମ ପୁରୁଷ ଶ୍ରୀକୃଷ୍ଣ ଏବଂ ପ୍ରକୃତି ସ୍ୱରୁପା ଶ୍ରୀରାଧାଙ୍କର ନିତ୍ୟରାସକାଳୀନ ଯୁଗନଦ୍ଧ ରୂପ ହିଁ ରତ୍ନ ସିଂହାସନାରୂଢ ଶ୍ରୀଜଗନ୍ନାଥ।
‘ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ଘେନି ସିଂହାସନ ପରେ,
ବିଜୟ କରିଅଛନ୍ତି ଚତୁର୍ଦ୍ଧା ରୂପରେ’।
(ଶୂନ୍ୟ ସଂହିତା)

କୃଷ୍ଣାବତାର ଲୀଳାର ସର୍ବୋତ୍ତମ ପରିପ୍ରକାଶ ରାସରେ ଘଟିଅଛି । ଦ୍ୱାପର ଯୁଗରେ ଗୋପ ରହଣି ସମୟରେ ଗୋପୀମାନଙ୍କ ସହିତ ଲୀଳାଖେଳା ଥିଲା ଶ୍ରୀକୃଷ୍ଣଙ୍କର ମାଧୁର୍ଯ୍ୟଲୀଳା । ଯେଁ ଲୀଳା ହିଁ ଭଗବତ୍ ପ୍ରାପ୍ତିର ସର୍ବୋତ୍ତମ ମାଧ୍ୟମ । ମାଧୁର୍ଯ୍ୟ ଲୀଳାର ସର୍ବୋତ୍ତମ ପରିପ୍ରକାଶ ହେଉଛି ରାସ। ଗୋପୀମାନଙ୍କ ସହିତ କିଶୋର କୃଷ୍ଣଙ୍କର ମିଳନକୁ ରାସ କୁହାଯାଇଥାଏ।


ଶ୍ରୀମନ୍ଦିରରେ ଅନୁଷ୍ଠିତ ପୂଜା ପାର୍ବଣ ମଧ୍ୟରେ ରାସୋତ୍ସବର ପ୍ରାଧାନ୍ୟ ଶ୍ରଦ୍ଧାଳୁ ଭକ୍ତ ଅନୁଭବ କରିଥାଏ। ଦ୍ୱାପର ଯୁଗୀୟ ମାଧୁର୍ଯ୍ୟ ଲୀଳା, ରାସରସିକ ଶ୍ରୀକୃଷ୍ଣରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥ ସମ୍ପାଦନ କରିଥାନ୍ତି।

ବର୍ଷକ ମଧ୍ୟରେ ଶ୍ରୀମନ୍ଦିର ମଧ୍ୟରେ ତିନିଗୋଟି ପ୍ରମୁଖ ରାସଲୀଳା ସମ୍ପାଦିତ ହୋଇଥାଏ, ବସନ୍ତରେ ବସନ୍ତରାସ, ବର୍ଷାରେ ପ୍ରାବୃଟରାସ ଏବଂ ଶରତରେ ଶରତରାସ ଅନୁଷ୍ଠିତ ହୁଏ। ଏହି ରାସୋତ୍ସବରେ ଶ୍ରୀମନ୍ଦିର ଉତ୍ସବ ମୁଖରିତ ହେବା ସହିତ ଶ୍ରଦ୍ଧାଳୁ ଭକ୍ତ ଏହାକୁ ଉପଭୋଗ କରି  ଦ୍ୱାପର ଯୁଗୀୟ ଶ୍ରୀରାଧା କୃଷ୍ଣଙ୍କର ବୃନ୍ଦାବନରେ ସଂଘଟିତ ରାସଲୀଳାକୁ ସ୍ମରଣ କରିଥାନ୍ତି।

ଶ୍ରାବଣ ମାସରେ ଅନୁଷ୍ଠିତ ହୁଏ ପ୍ରାବୃଟ ରାସ। ଏହି ରାସ ଶ୍ରୀମନ୍ଦିରରେ ସାତ ଦିନ ବ୍ୟାପୀ ଅନୁଷ୍ଠିତ ଝୁଲଣଯାତ୍ରା ନାମରେ ପରିଚିତ। ଶ୍ରାବଣ ଶୁକ୍ଲପକ୍ଷ ଦଶମୀଠାରୁ ଭାଦ୍ରବ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଆଡମ୍ବର ସହକାରେ ପାଳନ କରାଯାଇଥାଏ।


ଏହିଯାତ୍ରାର ବିଧି ମହାପ୍ରଭୁଙ୍କର ମଧ୍ୟାହ୍ନଧୂପ ପରେ ଅନୁଷ୍ଠିତ ହୁଏ। ରତ୍ନସିଂହାସନରୁ ଭୂଦେବୀଶ୍ରୀଦେବୀ ମହାଜନମାନଙ୍କ ଦ୍ୱାରା ଦକ୍ଷିଣ ଘର ଖଟ ଉପରେ ବିଜେ କରନ୍ତି। ଏହା ପରେ ଦକ୍ଷିଣଘରୁ ମଦନମୋହନଙ୍କୁ ଆଣି ଖଟ ଉପରେ ବିଜେ କରାଯାଏ। ପୂଜାପଣ୍ଡାଙ୍କ ଦ୍ୱାରା ମାଣ୍ଡୁଅଭୋଗ ଅନୁଷ୍ଠିତ ହୁଏ। ପରେ ଛାମୁ ଦିହୁଡି ସହିତ ମହାଜନମାନେ ଭୂଦେବୀ ଶ୍ରୀଦେବୀ ଓ ମଦନମୋହନଙ୍କୁ ରତ୍ନସିଂହାସନକୁ ବିଜେ କରାନ୍ତି। କର୍ପୂର ଆଳତୀ ଓ ସଂଧ୍ୟା ଆଳତୀ ପରେ ପୂଜାପଣ୍ଡା ମହାପ୍ରଭୁଙ୍କ ଦକ୍ଷିଣଭୂଜରୁ ଗୋଟିଏ ଆଜ୍ଞାମାଳ ଆଣି ମଦନମୋହନଙ୍କୁ ଏବଂ ବାମଭୁଜରୁ ଆଜ୍ଞାମାଳ ଆଣି ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦିଅନ୍ତି। ଛାମୁ ଦିହୁଡି ସହ ମହାଜନମାନେ ତିନି ପ୍ରତିମାଙ୍କୁ ହାତରେ ବିଜେ କରାଇ ଜଗମୋହନ ଦେଇ ବଟବୃକ୍ଷ ବାଟେ ଝୁଲଣ ମଣ୍ଡପ ବା ଝୁଲଣ କୁଞ୍ଜକୁ ବିଜେ କରାନ୍ତି। ଝୁଲଣ କୁଞ୍ଜ ଦୋଳିରେ ବିରାଜମାନ କରି ପ୍ରାବୃଟ ରାସରେ ନିମଜ୍ଜିତ ହୁଅନ୍ତି। ଏହି ସମୟରେ ବିଡିଆଲାଗି ହୋଇଥାଏ ।

ମୁକ୍ତିମଣ୍ଡପ ତଳେ ରାସଗୀତ,ଓଡିଶୀ, ଚମ୍ପୂ, ଇତ୍ୟାଦି ଶୃଙ୍ଗାର ରସାଶ୍ରିତ ସଂଗୀତ ଗାନ କରାଯାଏ।
ଝୁଲିବେ ତ ଆଜ କୁଞ୍ଜେ ବରଜ ରାଜ
ଦେଉଥିବେ ଦୋହଲାଇ ଗୋ . .


ଝୁଲଣ କୁଞ୍ଜ ସାଜସଜ୍ଜାର ଚମତ୍କାରିତା ଦର୍ଶକ ମନରେ ବୃନ୍ଦାବନର ସେବାକୁଞ୍ଜ ଓ ମଧୁବନର ଭ୍ରମ ସୃଷ୍ଟି କରିଥାଏ।
କି ଶୋଭା ଗୋ କୁଞ୍ଜେ ମଦନମୋହନ
ଚାହାଁରେ ପ୍ରାଣମିତଣି…..
ବାମେ ନବକିଶୋରୀ କିବା ରୂପ ମାଧୁରୀ।
ଘେନି ସର୍ବମନ୍ଜରୀ ମଧ୍ୟେ ଶ୍ରୀବେଣୁପାଣି
ତ୍ରିଭଙ୍ଗି ଭଙ୍ଗେ ଛିଡା ଶିରେମୟୁର ଚୂଡା
ହୋଏ ସେବତୀ ବେଢା ସତୀଙ୍କ ଦମ୍ଭ ଛଡା
ତ୍ରିଭଙ୍ଗିରେ ଚାହାଁଣି ନିଏ ହୃଦୟ କିଣି
କେଡେ ସୁନ୍ଦର ସେ ନାଟୁଆ ନୀଳମଣି।।
Featured Image: Amarnath Patra
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago