ଲେଖା: ଶ୍ରୀକାନ୍ତ ସିଂହ
~ ଝଙ୍କଡ଼େଶ୍ୱର ମହାଦେବ ମନ୍ଦିର ~
ଗ୍ରାମ ଝଙ୍କେଶ୍ୱର, ବିରିତୋଳ ଗ୍ରାମପଞ୍ଚାୟତ, ବ୍ଲକ ତିର୍ତ୍ତୋଲ, ଜିଲ୍ଲା ଜଗତସିଂହପୁର, ଓଡ଼ିଶା l
ଅଷ୍ଟମ ଶତାବ୍ଦୀରୁ ପ୍ରତିଷ୍ଠିତ ଝଙ୍କଡ଼ ପ୍ରଗଣାର ଭଗବତୀ, ଦେବୀ ଶାରଳା ଠାକୁରାଣୀଙ୍କ ପୀଠଟି ତତ୍କାଳୀନ ଓଡ଼ିଶା କାହିଁକି ସାରା ଭାରତରେ ଏକ ପ୍ରମୁଖ ତନ୍ତ୍ର ପୀଠ ରୂପେ ପରିଚିତ ଥିଲା ଏବଂ ଦେବୀ ଶାରଳାଙ୍କୁ ତନ୍ତ୍ରଦେବୀ ରୂପେ ପୂଜା କରାଯାଉଥିଲା l ପରବର୍ତ୍ତୀ ଗଙ୍ଗବଂଶୀ ଶାସକଙ୍କ ଶାସନ ସମୟରେ ବୈଷ୍ଣବ ଧର୍ମର ପ୍ରଚାର ପ୍ରସାର ଓ ସଂସ୍ପର୍ଶରେ ଆସି ଦେବୀଙ୍କୁ ପରମ ବୈଷ୍ଣଵୀ ରୂପେ ମଧ୍ୟ ଆରାଧନା କରାଗଲା l
ଦେବୀ ଶାରଳାଙ୍କୁ କେନ୍ଦ୍ର କରି, ଶାରଳା ପୀଠର ଚତୁଃପାର୍ଶ୍ୱ ଝଙ୍କଡ଼ ପ୍ରଗଣାରେ ଅନେକ ଗୁଡ଼ିଏ ଦେବୀପୀଠ ଅତୀତରେ ଗଢ଼ି ଉଠିଥିଲା l ତନ୍ମଧ୍ୟରେ ତନ୍ତ୍ର ଆଧାରିତ ଦେବଦେବୀଙ୍କ ପ୍ରତିମା ଓ ମନ୍ଦିର ଥିଲା ପ୍ରମୁଖ l ଝଙ୍କଡ଼ ପ୍ରଗଣାର ଅଧିଷ୍ଠାତ୍ରୀ ଦେବୀ ରୂପେ ମା’ ଶାରଳା ପୂଜିତ ହେଉଥିବାବେଳେ, ଦେବତା ରୂପେ ଝଙ୍କଡ଼େଶ୍ୱର ମହାଦେବ ପୂଜା ପାଉଛନ୍ତି l
ଏହି ଝଙ୍କଡ଼େଶ୍ୱର ମହାଦେବ (ଯାହାକି କାଳକ୍ରମେ ଲୋକ ମୁଖରେ ଝଙ୍କେଶ୍ୱର ମହାଦେବ ରୂପେ ପରିଚିତ) ମନ୍ଦିରଟି ବିରିତୋଳ ପଞ୍ଚାୟତରେ ଥିବା ଝଙ୍କେଶ୍ୱର ଗ୍ରାମରେ ଅବସ୍ଥିତ l ମନ୍ଦିରର ପ୍ରାଚୀନ ଇତିହାସ, ନିର୍ମାଣ ସମୟ ଓ ନିର୍ମାତାଙ୍କ ସମ୍ପର୍କରେ କୌଣସି ସଠିକ୍ ତଥ୍ୟ କାହାରି ପାଖରେ ନ ଥିଲେ ହେଁ ଝଙ୍କଡ଼େଶ୍ୱର ମହାଦେବ ମନ୍ଦିର ଗାତ୍ରରେ ଓ ଗର୍ଭଗୃହରେ ଥିବା ପ୍ରତିମାରୁ ମନ୍ଦିରର ପ୍ରାଚୀନତା ସମ୍ପର୍କରେ ଅନୁମାନ କରିହୁଏ l
ଝଙ୍କଡ଼ ପ୍ରଗଣାର ଅଧିଷ୍ଠାତ୍ରୀ ଦେବୀ ଶାରଳାଙ୍କ ମନ୍ଦିରଟି ଅଷ୍ଟମ ଶତାବ୍ଦୀରେ ନିର୍ମାଣ ହୋଇଥିବା ଇତିହାସକାରମାନେ ବର୍ଣ୍ଣନା କରିଛନ୍ତି I ଅତଏବ ଝଙ୍କଡ଼ର ଅଧୀଶ୍ୱର ଝଙ୍କଡ଼େଶ୍ୱର ମହାଦେବଙ୍କ ମନ୍ଦିରଟି ମଧ୍ୟ ସମସାମୟିକ ହୋଇଥିବା ଅନୁମାନ କରାଯାଏ l କାଳକ୍ରମେ ସେହି ପ୍ରାଚୀନ ମନ୍ଦିରଟି କଳାପାହାଡ଼ ଦ୍ୱାରା ଧ୍ୱସ୍ତଵିଧ୍ଵସ୍ତ ହୋଇ, ଏକ ପଥରଗଦା ରୂପେ ଅନେକ କାଳ ପଡ଼ି ରହିଥିଲା ଯାହାକି ପରବର୍ତ୍ତୀ ସମୟରେ ତେନ୍ତୁଳୀପଦାର ଜମିଦାର ସ୍ବର୍ଗତ ଚିନ୍ତାମଣି ପରିଜାଙ୍କ ସମୟରେ ପୁନଃରୁଦ୍ଧାର କରାଯାଇଥିବା ସ୍ଥାନୀୟ ଅଧିବାସୀ ତଥା ମନ୍ଦିରର ଭୋପା ବା ରାଉଳ ଶ୍ରୀ ମହେଶ୍ୱର ଦାସ ଯାହା କୁହନ୍ତି l
ତାଙ୍କ କହିବାନୁଯାୟୀ ଗୋଟେ ସମୟରେ ଝଙ୍କଡ଼େଶ୍ୱର ମହାଦେବ ମନ୍ଦିର ଗର୍ଭଗୃହରେ ଥିବା ଅନ୍ତର୍ଭେଦୀ ଶିବଲିଙ୍ଗକୁ ଉର୍ଦ୍ଧ୍ଵ ଦେଶକୁ ଆଣିବା ଉଦ୍ଦେଶ୍ୟରେ ଜମିଦାରଙ୍କ ନିର୍ଦ୍ଦେଶରେ ଖୋଳା ଯାଉଥିଲା ମାତ୍ର ଅନେକ ଖୋଲିବା ପରେ ମଧ୍ୟ ଶିବଲିଙ୍ଗର ଶେଷ ସୀମାନ୍ତ ପର୍ଯ୍ୟନ୍ତ ପହଞ୍ଚି ହେଲା ନାହିଁ l ଅନ୍ୟ ପକ୍ଷରେ ଦୀର୍ଘ ଲମ୍ବ ବିଶିଷ୍ଟ ଏହି ଶିବଲିଙ୍ଗଟି ଭାରସାମ୍ୟ ହରାଇ ମଝିରୁ ଭାଙ୍ଗି ଯିବାର ସମ୍ଭାବନା ଦେଖା ଯିବାରୁ ପୁନର୍ବାର ଯଥାପୂର୍ଵ ରଖି ଦିଆ ଯାଇଥିଲା l
ବର୍ତ୍ତମାନର ମନ୍ଦିରଟି ପ୍ରାଚୀନ ମନ୍ଦିରର ଭଗ୍ନାଵଶେଷ ଉପରେ ନିର୍ମାଣ କରାଯାଇଥିବା ଏକ ପୀଢ଼ଶୈଳୀର ମନ୍ଦିର l ଜଗମୋହନଟି ଏକ ସମତଳ ଛାତ ବିଶିଷ୍ଟ ଯାହାକି ପ୍ରାଚୀନ ଭଗ୍ନାବଶେଷ ଉପରେ ଛାତ ପଡ଼ିଛି ଯାହା l ବର୍ତ୍ତମାନର ଦେଉଳଟି ଏକ ଆଧୁନିକ ନିର୍ମାଣ ହୋଇଥିଲେ ମଧ୍ୟ ମନ୍ଦିର ଗାତ୍ରରେ ଥିବା ପାର୍ଶ୍ୱ ଦେବଦେବୀଙ୍କ ପ୍ରତିମାଗୁଡ଼ିକ ବହୁ ପ୍ରାଚୀନ, ଯାହାକି ସମୟର କରାଳ ସ୍ରୋତରେ ଅନେକାଂଶରେ ଘୋରି ହୋଇଗଲାଣି l ପାର୍ଶ୍ୱ ଦେବଦେବୀଙ୍କ ପ୍ରତିମା ରୂପେ ଦକ୍ଷିଣରେ ଶ୍ରୀଗଣେଶ, ପଶ୍ଚିମରେ କାର୍ତ୍ତିକେୟ ଓ ଉତ୍ତରରେ ପାର୍ବତୀଙ୍କ ପ୍ରତିମା ରହିଛି l
ସବୁଠୁ ବଡ଼ କଥାହେଲା ଝଙ୍କଡ଼େଶ୍ୱର ମହାଦେବ ମନ୍ଦିର ଜଗମୋହନର ଦକ୍ଷିଣ ପାର୍ଶ୍ୱରେ ଏକ ଅଜୈକପାଦ ବା ଏକପାଦୀ ଭୈରଵଙ୍କ ପ୍ରତିମା ରହିଥିବାବେଳେ ଦକ୍ଷିଣ ପାର୍ଶ୍ୱରେ ଅଷ୍ଟଭୁଜା ଦୁର୍ଗାଙ୍କ ପ୍ରତିମା ରହିଛି l ଚତୁର୍ଭୁଜ ଏହି ଭୈରବଙ୍କ ମୁଖମଣ୍ଡଳରେ ସ୍ମିତହାସ୍ୟ ସ୍ପଷ୍ଟ ଦୃଷ୍ଟିଗୋଚର ହେବା ସହ ଶରୀରରେ ମୁଣ୍ଡମାଳ ଧାରଣ କରିଛନ୍ତି l ସେହିପରି ଜଗମୋହନ ଭିତର ଦକ୍ଷିଣ ପାର୍ଶ୍ୱରେ ହର ପାର୍ବତୀଙ୍କ ଏକ ପୂର୍ଣ୍ଣlବୟବ ପ୍ରତିମା ରହିଛି l ଏହି ପ୍ରତିମାଟି ଦେଖିବାକୁ ଯେତିକି ସୁନ୍ଦର ନିର୍ମାଣ ମଧ୍ୟ ଖୁବ୍ ଚମତ୍କାର l
ଗର୍ଭଗୃହର ବାମପାର୍ଶ୍ୱରେ ଆଉ ଏକ ପ୍ରାଚୀନ ମୂର୍ତ୍ତି ରହିଛି l ଯେଉଁଥିରେ ଜଣେ ପୁରୁଷ ଜଣେ ନାରୀଙ୍କ କୋଳରେ ଶୋଇଛନ୍ତି ଓ ନିମ୍ନ ଭାଗରେ ଏକ ସର୍ପ ରହିଛି l ସାଧାରଣତଃ ଏହି ମୂର୍ତ୍ତିକୁ ଲୋକେ ସାବିତ୍ରୀ ଓ ସତ୍ୟବାନ ବୋଲି କୁହନ୍ତି ମାତ୍ର ଏହା ହେଉଛି ଆସ୍ତିକ ଜରାତ୍କାରୁ ବିଗ୍ରହ l ନାଗଦେବୀ ମନସା ଯିଏ କି ନିଜ ପତି ଋଷି ଜରାତ୍କାରୁଙ୍କୁ କୋଳରେ ଶାୟିତ ଅବସ୍ଥାରେ ଧାରଣ କରିଅଛନ୍ତି l ଯେହେତୁ ତାଙ୍କ ଗର୍ଭରେ ଅଜନ୍ମିତ ଆସ୍ତିକ ଅଛନ୍ତି ଏଣୁ ଏହାକୁ ଆସ୍ତିକ ଜରାତ୍କାରୁ ବିଗ୍ରହ ବୋଲି କୁହାଯାଏ l
(ଆସ୍ତିକ ଜରାତ୍କାରୁ ବିଗ୍ରହ)
ଅନ୍ୟପକ୍ଷରେ ଏହି ପ୍ରତିମାକୁ ମନସା ଦେବୀ ମଧ୍ୟ କୁହାଯାଏ l ମହାଦେବଙ୍କ ମାନସ ପୁତ୍ରୀ ଯିଏ କି ନାଗଲୋକର କଲ୍ୟାଣ ଉଦ୍ଦେଶ୍ୟରେ ଜନ୍ମଗ୍ରହଣ କରିଥିଲେ l ଓଡ଼ିଶାରେ ନାଗ ଉପାସନାର ପ୍ରତୀକ ସ୍ୱରୂପ ପ୍ରାଚୀନ ଶିବମନ୍ଦିର ଗୁଡ଼ିକରେ ନାଗଦେବୀ ମନସାଙ୍କର ଏହିପରି ପ୍ରତିମା ଦେଖିବାକୁ ମିଳେ ଯାହାଙ୍କୁ ଆମେ ଭୁଲବଶତଃ ସାବିତ୍ରୀ ସତ୍ୟବାନ ବୋଲି କହିଥାଉ l
Village Jhankeswar, Biritol Panchayat, Block Tirtol, District Jagatsinghpur
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago