ଉପସ୍ଥାପନା: ଦେଵ ତ୍ରିପାଠୀ
“ସାଧୁସନ୍ଥ ଜନଙ୍କର ପରମ କାରଣ
ଦୁଷ୍ଟ ଜନଙ୍କର ଗର୍ବର ଗଞ୍ଜନ,
ସନ୍ଥ ପ୍ରାଣୀଙ୍କର ଆରତ ତରୁଥିବ
ରାମ ରାମ ବାଇଲେ କି ଛାଡିଯିବ ପାପ
ଏ ଘଟରୁ ମୁକ୍ତ କରହେ ପ୍ରଭୁ ରାମ
ସଦା ତୁଣ୍ଡେ ନେଉ ଅଛି ତୁମ୍ଭରି ହେ ନାମ ।”
ମାଣବସା, ସୁଦଶାବ୍ରତ, ବାଟଓଷା ଭଳି ବ୍ରତ ଉପବାସ ଅନ୍ତରାଳେ ଯେପରି ଧାର୍ମିକ ଆଚରଣ ଯୋଡ଼ି ହୋଇ ରହିଥାଏ; ରଜପର୍ବ, ପ୍ରଥମାଷ୍ଟମୀ, ଖୁଦୁରୁକୁଣୀ ସହିତ ରହିଥାଏ ଅଧିକତର ପ୍ରାଣସ୍ଫୂର୍ତ୍ତିମୟ ଏକ ଉଲ୍ଲାସ । ଜୀବନ ଭୂଗୋଳକୁ ଅଧିକ ଅନୁଭୂତି ସର୍ବସ୍ବ, ବ୍ୟାପକ ଓ ସଦିଚ୍ଛାମୟ କରିବାରେ ଏହା ଆଙ୍କେ ଅନେକ ସଚିତ୍ର ନକ୍ସା । ଅଷ୍ଟପ୍ରହରୀ ଭଳି ନିରୁତା ବୈଷ୍ଣବୀୟ ଉଦଣ୍ଡ କୀର୍ତ୍ତନ କି ହୋଲି ପରି ଏକ ରଙ୍ଗରସମୟ ପର୍ବର ଇତିହାସ ଆମ ପରମ୍ପରାର ପେଡ଼ି ଭିତରେ ସାଇତା ନୂଆ ବଉଳଫୁଲିଆ ପାଟ ଖଣ୍ଡେ । କିନ୍ତୁ ଆଜି କିଛି ପର୍ବପର୍ବାଣୀର ପାଟଶାଢ଼ୀ ରୁଖିଆ କଟା ହୋଇ ସେମିତି ପଡି ରହିଥାନ୍ତି – ନା ତା’କୁ ପିନ୍ଧି ହୁଏ ନା ଫିଙ୍ଗି ହୁଏ । କିନ୍ତୁ ପରମ୍ପରାର ମହାଦ୍ରୁମ ଶିଖରରେ ସଦା କଅଁଳୁଥାଏ ନୂଆପତ୍ର ଏବଂ ସେହି ଅନୁପାତରେ ଚେର ବି ମାଟିତଳକୁ ସେତିକି ବିସ୍ତାର ଲାଭ କରିଚାଲେ ।
ସେମିତି ଏକ ଗଭୀର ଚେର ଲଟେଇଥିବା ପ୍ରାଚୀନ ପରମ୍ପରା – ଜାନୁଘଣ୍ଟ । ଇଏ ସତ୍ଯଯୁଗରୁ ଏ ଯାଏଁ ପ୍ରଚଳିତ ଏକ ଧାରା – ଜଣେ ବ୍ୟକ୍ତି ବିଶେଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ପଦାଙ୍କ ଅନୁସରଣର ଏକ ପ୍ରଚେଷ୍ଟା । କିମ୍ବଦନ୍ତୀ କହେ, ସତ୍ୟଯୁଗରେ ରାଜତ୍ଵ କରିଥିବା ନୃପତି ମାନଙ୍କ ମଧ୍ୟରୁ ଛଅଜଣ ଥିଲେ ରାଜଚକ୍ରବର୍ତ୍ତୀ – ବଳି, ବେଣ, ମାନ୍ଧାତା, ପୁରୁରବା, ଜାନୁଘଣ୍ଟପର୍ଶୁରାମ । ଏମାନଙ୍କ ମଧ୍ୟରୁ ବଳି ଓ ପର୍ଶୁରାମ ବିଶେଷ ଭାବରେ ଖ୍ୟାତ । ମାନ୍ଧାତା ଓ ପୁରୁରବା ମଧ୍ୟ ଅପରିଚିତ ନୁହଁନ୍ତି । ଅତି ପ୍ରାଚୀନ କାଳକୁ ସୂଚାଇବାକୁ ଯାଇ ‘ମାନ୍ଧାତା ବେଳର କଥା’ ବୋଲି ଆମେ କହିଥାଉ । ଏହି ଷଡଚକ୍ରବର୍ତ୍ତୀ ଥିଲେ ଦାନ, ଧର୍ମ, ଦୟା ଓ ନ୍ୟାୟର ଦୁର୍ଲଭ ଦୃଷ୍ଟାନ୍ତ ଏବଂ ଭାରତର କୌଣସି ନା କୌଣସି ପ୍ରାନ୍ତରେ ସେମାନଙ୍କୁ ସ୍ମରଣ ପୂର୍ବକ କିଛି ଉତ୍ସବ ପାଳନ କରାଯାଏ, ମାତ୍ର ଏମାନେ ଇତିହାସର ସୀମା ସରହଦ ସେପାରିରେ ରହିଯାଇଛନ୍ତି । ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି ‘ଜାନୁଘଣ୍ଟ’ଙ୍କ ନାମ । କିଛି ସଂସ୍କୃତଗ୍ରନ୍ଥରେ ‘ଜାନୁଘଣ୍ଟ’ ପରିବର୍ତ୍ତେ ‘ଧୁନ୍ଦୁମାର’ ଏବଂ ‘ପର୍ଶୁରାମ’ଙ୍କ ବଦଳରେ ‘କୀର୍ତ୍ତବୀର୍ଯ୍ୟ’ଙ୍କ ନାମ ଉଲ୍ଲେଖ ରହିଛି ।
ତେବେ ଆମ ଓଡ଼ିଶାରେ ଏକ ବିଶେଷ ସମ୍ପ୍ରଦାୟ ନିଜକୁ ଜାନୁଘଣ୍ଟଙ୍କ ଅନୁଗାମୀ ରୂପେ ପରିଚୟ ଦିଅନ୍ତି ଏବଂ ପର୍ଶୁରାମଙ୍କ ଭକ୍ତ ବୋଲି କହନ୍ତି । ରାଜା ଜାନୁଘଣ୍ଟଙ୍କ ପରି ଏମାନେ ନିଜ ଜଙ୍ଘରେ ଏକ ଡୋରରେ ଘଣ୍ଟି ବାନ୍ଧି ଝୁଲାଇଥାନ୍ତି । ବେକରେ ଥାଏ ତୁଳସୀ ମାଳା, ଦେହ ଚନ୍ଦନ ଚର୍ଚ୍ଚିତ ଓ ମୁକ୍ତ, ଆଣ୍ଠୁ ଉପରକୁ ଖଣ୍ଡେ ଗେରୁଆ ବସ୍ତ୍ର, କାନ୍ଧରେ ଫାର୍ସା, କର୍ଣ୍ଣରେ କୁଣ୍ଡଳ, ହାତରେ ମାଟିକୁମ୍ଭ ଧରି ପଞ୍ଚମୁଖୀ ଶଙ୍ଖଧ୍ୱନି କରି ଏମାନେ ଭିକ୍ଷା କରନ୍ତି; ମାତ୍ର ଭିକ୍ଷା ପାଇଁ କାହାର ଦ୍ଵାରସ୍ଥ ହୁଅନ୍ତି ନାହିଁ । ଶଙ୍ଖଧ୍ୱନି ଶୁଣି ଯେଉଁ ଗୃହିଣୀ ସ୍ବେଛାକୃତ ଭାବେ ଯାହା କିଛି ଅର୍ପଣ କରେ ସେମାନେ ଗ୍ରହଣ କରନ୍ତି । ସୂର୍ଯ୍ୟାସ୍ତ ପରେ ସେମାନେ ଭିକ୍ଷା ଗ୍ରହଣ କରନ୍ତି ନାହିଁ ଏବଂ ଜାନୁଦେଶରୁ ଘଣ୍ଟିଟିକୁ ଖୋଲି ଦିଅନ୍ତି । ଘଣ୍ଟି ଖୋଲିଲା ପରେ ସେମାନେ ମୌନ ଅବଲମ୍ବନ କରିଥାନ୍ତି । ପଥପ୍ରାନ୍ତ ରେ ବୁଲିବା ସମୟରେ ସେମାନେ ବିଭିନ୍ନ ଭକ୍ତିଭାବପୂର୍ଣ୍ଣ ଗୀତ ଗାଇ ଚାଲନ୍ତି ।
ଦିନ ଥିଲା, ଜାନୁଘଣ୍ଟ ଏକ ଚାରଣ ସମ୍ପ୍ରଦାୟ ଥିଲେ । ସମ୍ପ୍ରତି କେତେକ ସ୍ଥାନରେ ସେମାନେ ସ୍ଥାୟୀ ଭାବେ ବସବାସ କରିଲେଣି । ବିଭିନ୍ନ ବ୍ୟାଧିରୁ ମୁକ୍ତିଲାଭ ପାଇଁ ସେମାନେ ଚେରମୂଳି ଦେବା ଏବଂ ବିଶେଷ ଭାବରେ ନିଃସନ୍ତାନ ନାରୀମାନଙ୍କୁ ଏକ ପ୍ରକାର ଚରୁଅନ୍ନ ପ୍ରଦାନ କରି ସନ୍ତାନ ସମ୍ଭବା କରାଇବା ସେମାନଙ୍କର ଅନ୍ୟତମ ବୃତ୍ତି । ସେମାନଙ୍କର ଗୁରୁଶିଷ୍ୟ ପରମ୍ପରା ମଧ୍ୟ ରହିଛି ।
Information & Image: Sachitra Vijaya
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago