ଲେଖା: ଦେଵ ତ୍ରିପାଠୀ
“ଛି ଛି ମଦ ପିଇବି ନାହିଁ ଲୋ କଳାପାଣି ପରି ଦିଶେ,
ସେଇ କଳାପାଣି ପେଟରେ ପଡ଼ିଲେ ଚଉଦ ଭୂବନ ଦିଶେ”
ଏପରି ସୁଲଳିତ ଓ ବୋଧଗମ୍ୟ ପଦାବଳୀକୁ ନାଟକୀୟ ଅଭିନୟ ମାଧ୍ୟମରେ ସମାଜରେ ନିଶାନିବାରଣ ତଥା ଛୁଆଁଅଛୁଆଁ ଭଳି ସାମାଜିକ କୁସଂସ୍କାର, ଇଂରେଜ ଶାସନର ଅତ୍ୟାଚାର, ମାଦକ ବର୍ଜନ, ଓଡ଼ିଆଙ୍କ କୁଲିଗିରି ଆଦିର ସମାଲୋଚନା; ସମାଜରେ ନିଷ୍ପେସିତ ଗରିବ ଲୋକମାନଙ୍କ ଦୁଃଖ-ଦୁର୍ଦ୍ଦଶା, ଚାଳିଚଳଣି ଆଦି ଉପସ୍ଥାପନା ଦ୍ଵାରା ତତ୍କାଳୀନ ଓଡ଼ିଶାରେ ସାଂସ୍କୃତିକ ଜାଗରଣ ସୃଷ୍ଟି କରିବା ସହିତ ଓଡ଼ିଆ ସାହିତ୍ୟ ଜଗତରେ ସ୍ବତନ୍ତ୍ର ସ୍ଥାନ ଓ ପରିଚୟ ସୃଷ୍ଟି କରିପାରିଛନ୍ତି ସେ ହେଉଛନ୍ତି ‘ଜନମାନସର କବି’, ‘ଆଶୁକବି’, ‘ବିଦଗ୍ଧକବି’, ‘ଗଣକବି’ ବୈଷ୍ଣବ ପାଣି ।
ବହୁମୁଖୀ ପ୍ରତିଭାର ଅଧିକାରୀ ବୈଷ୍ଣବ ପାଣି ପାଲାଗାୟକ ଭାବରେ ରାମାୟଣ, ମହାଭାରତ, ସାରଳା ମହାଭାରତ, ଭାଗବତ, ନୃସିଂହ ପୁରାଣ, ଦାଣ୍ଡି ରାମାୟଣ ଓ ବିଲଙ୍କା ରାମାୟଣ ଆଦି ଅଧ୍ୟୟନ କରି ସେଥିରୁ ଉପାଖ୍ୟାନମାନ ଆହରଣ କରିଥିଲେ। ଏହା ତାଙ୍କ ନାଟକ ରଚନାରେ ପରିଲକ୍ଷିତ । ପାଲାକାର ଜୀବନରୁ ତାଙ୍କର ଆଶୁ କବିତା ଲିଖନ ଆରମ୍ଭ ହୋଇଥିଲା । ତାଙ୍କର ଗୀତାଭିନୟ ପ୍ରହସନ ଗୁଡ଼ିକରେ ସଂଯୋଜିତ ସଙ୍ଗୀତଗୁଡ଼ିକ ପାଇଁ ସେ ଗଣକବି ଭାବରେ ଜଣାଶୁଣା । ଏଥିରେ ଗଣଜୀବନର ଭାଷା, ସୁଖ ଦୁଃଖ, ପଲ୍ଲୀ ପ୍ରାଣତା ଓ ବାସ୍ତବ ଜୀବନର ଚିତ୍ର ପରିଲକ୍ଷିତ ।
‘ଶକୁନ୍ତଳା’ ଓ ‘ଛାନ୍ଦ କିଶୋରୀ ବିଳାପ’ ତାଙ୍କର ଦୁଇଟି ଗାଥାକାବ୍ୟ । ଏଥିରେ ବିଦଗ୍ଧ କାବ୍ୟିକତା ଦେଖିବାକୁ ମିଳିଥାଏ ।
ମହାକବି କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍ ଓ ସ୍ଵଭାବକବି ଗଙ୍ଗାଧରଙ୍କ ‘ପ୍ରଣୟ ବଲ୍ଲରୀ’ କାବ୍ୟ ଅନୁସରଣ କରି ବୈଷ୍ଣବ ପାଣି ରଚନା କରିଛନ୍ତି ‘ଶକୁନ୍ତଳା’ କାବ୍ୟ । ‘ଛାନ୍ଦ କିଶୋରୀ ବିଳାପ’ ଗଣକବିଙ୍କ ମର୍ମସ୍ପର୍ଶୀ ରଚନା । ବିଭିନ୍ନ ରାଗରାଗୀଣି ସମ୍ବଳିତ ଛନ୍ଦ ଏହି କାବ୍ୟର ଗୀତିଧର୍ମ କାବ୍ୟିକତାର ସ୍ଵରୂପ ବହନ କରିଛି । ଚଉତିଶା, ଚଉପଦୀ, ଭଜନ, ଜଣାଣ, ମାହାତ୍ମ୍ୟ, ମାଳିକା, ଶୋକଗୀତି, କୀର୍ତ୍ତନ ଆଦି ବିବିଧ କବିତା ରଚନା କରି ସେ ଓଡ଼ିଆ ପଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ।