ଲେଖା ଅରବିନ୍ଦ ମହାନ୍ତି

ଓଡ଼ିଆ ଘରର ଅନ୍ୟ ଏକ ବୈଶିଷ୍ଟ୍ୟ ଓ ପରିଚୟ ହେଉଛି ଚୈତ୍ର ମଙ୍ଗଳବାର ଓଷା। ମାଣବସା ଭଳି ପ୍ରତ୍ୟେକ ଘରର ଏହା ପର୍ବ। ମା ମଙ୍ଗଳାଙ୍କୁ ସୁମରଣା କରି ଗାଁ ଠାରୁ ସହର ଯାଏ ପ୍ରତି ଓଡ଼ିଆଙ୍କ ଦାଣ୍ଡରେ ଚୈତ୍ର ମଙ୍ଗଳବାରରେ ପନ୍ଥେଇ ପୂଜା ନିଶ୍ଚୟ ଦେଖିବାକୁ ମିଳେ। ପ୍ରତ୍ୟକ ମା’ ପୁତ୍ର,ନାତି, ସ୍ୱାମୀ ଓ ଘରର ମଙ୍ଗଳ ପାଈଁ ଏହି ଓଷା କରିଥାନ୍ତି।

ପୂଜାର ବିଧାନ
ଏହି ପୂଜା ପାଈଁ ସେତେ ଆଡମ୍ବରର ଆବଶ୍ୟକତା ନଥାଏ। ମା’ ମାନେ ଏକାଠି ହୋଇ ଏହି ପୂଜା କରିଥାନ୍ତି। ଏକ ଚତୁଃସ୍କୋଣି କିମ୍ବା ତ୍ରିକୋଣି ଆକାରର ପନ୍ଥେଇ ଦାଣ୍ଡ ମାଟିରେ ଖୋଳା ଯାଇଥାଏ ଯେଉଁଥିରେ ମଝିରେ ଏକ ଗର୍ତ୍ତ ମଧ୍ୟ କରାଯାଇଥାଏ। ଗୋବର ପାଣିରେ ଲିପି ଏହାକୁ ଶୁଦ୍ଧ କରାଯାଏ। ଏହାପରେ ମା ମଙ୍ଗଳାଙ୍କ ପ୍ରତୀକ ସ୍ୱରୂପ ଏକ ଗୁଆ ତା ମଧ୍ୟରେ ରଖାଯାଏ। ତାକୁ ଚୁଆ ହଳଦୀ ପାଣିରେ ଗାଧେଇଦେଇ ଶଙ୍ଖାସିନ୍ଦୂର, ମନ୍ଦାର ପୁଷ୍ପମାନ ଆଦି ପିନ୍ଧାଇ ଦିଆଯାଏ। ଏହାପରେ ସେଇ ଗୁଆ ଥିବା ଗର୍ତ୍ତରେ ଛେନା, କଦଳୀ, ନଡିଆ, କ୍ଷୀର, ଗୁଡ ଆଦି ମିଶ୍ରିତ ପଣା ସେଥିରେ ସମର୍ପଣ କରାଯାଏ। ପୂଜା ପରେ ଏହି ପ୍ରସାଦରୁ କିଛି ପାଇ ଆଉ ସବୁ ସେଥିରେ ସେମିତି ଛାଡ଼ି ଦିଅନ୍ତି।

ପୂଜାର ବିଶେଷତ୍ୱ:
ଏହି ପ୍ରତୀକ ପୂଜା ଯେପରି ତନ୍ତ୍ରୋକ୍ତ ପୂଜା ଭଳି ମନେହୁଏ। ସେମିତି କୌଣସି ମୁଣ୍ମୟୀ ଦେବୀଙ୍କ ପୂଜା ଏଥିରେ ନଥାଏ। ଚତୁଃସ୍କୋଣି କିମ୍ବା ତ୍ରିକୋଣି ଆକାରର ପନ୍ଥେଇ ଶାକ୍ତ ଯନ୍ତ୍ରର ପ୍ରତୀକ ଓ ଆମେ ଜାଣିଛେ ପ୍ରତି ଯନ୍ତ୍ରର ଆକାର ଅନୁସାରେ କିଛି ନା ଶକ୍ତି ନିଶ୍ଚୟ ରହିଥାଏ। ମଝିରେ ଗର୍ତ୍ତରେ ଥିବା ଗୁଆ ମହାଶକ୍ତିଙ୍କର ପ୍ରତୀକ ଅଟେ ଯାହା ଏହି ଯନ୍ତ୍ରର କେନ୍ଦ୍ରବିନ୍ଦୁ ଅଟେ। ଆଉ ସବୁଠାରୁ ବିଶେଷ ହେଲା ସମର୍ପିତ ପଣା। ଜଣାନାହିଁ ଏହି ପଣା ଉପଚାର କାହିଁ କେଉଁ ଅନାଦି କାଳରୁ ଓଡ଼ିଆର ବିଶେଷତା ହୋଇ ଆସିଛି। ବୋଧହୁଏ ଦୁଷ୍ଟଶକ୍ତି ମାନଙ୍କୁ ଘରେ ପ୍ରବେଶ ନକରିବାକୁ ଦେଇ ଏହିଠାରେ ତୁଷ୍ଟ କରିବା ହିଁ ହେଉଛି ଏହି ପୂଜାର ପ୍ରୟୋଜନ। ହୋଇପାରେ ଚୈତ୍ର ମାସ ଯେହେତୁ ଋତୁ ପରିବର୍ତ୍ତନର ସମୟ ତେଣୁ ଏହି ସମୟରେ ମହାବ୍ୟାଧି ମାନ ହେବା ସ୍ଵାଭାବିକ କଥା। ତେଣୁ ପ୍ରତି ଘରମାନଙ୍କ ଦ୍ୱାର ଦେଶରେ ଏହି ପୂଜା କରିବା ଦ୍ୱାରା ଦୁଷ୍ଟ ଶକ୍ତି ମାନେ ଆମ ଘରେ ପ୍ରବେଶ ନ କରି ପାରିବେ ବୋଲି ଏହି ବ୍ୟବସ୍ଥା କରାଯାଇଅଛି। ଯେପରି ମା’ ମଙ୍ଗଳା ଓଡ଼ିଆର ଇଷ୍ଟ ଦେବୀ ଅଟନ୍ତି ସେଇଭଳି ଏହି ପନ୍ଥେଇ ପୂଜା ପ୍ରତି ଓଡ଼ିଆଙ୍କର ପରିଚୟ ଅଟେ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago