ଲେଖା: ଆଦିତ୍ୟ କୁମାର ନାୟକ
ଓଡ଼ିଶାର ଅନାଲୋଚିତ ଲୋକନୃତ୍ୟ ଚାଙ୍ଗୁନୃତ୍ୟ ।
ପାହାଡ଼ି ଝରଣାର ମନମତାଣିଆ କୁଳୁକୁଳୁ ନାଦ ପରି ଆଦିବାସୀଙ୍କର ଜୀବନର ପ୍ରତିଟି ମୁହୂର୍ତ୍ତ ନୃତ୍ୟସଙ୍ଗୀତରେ ପରିପୂର୍ଣ୍ଣ । ନୃତ୍ୟ ଗୀତ ଆଦିବାସୀଙ୍କର ଜୀବନର ଏକ ଅବିଛେଦ୍ୟ ଅଙ୍ଗ । ଆଉ ସବୁଠୁ ବଡ଼ କଥା ହେଲା ଅନ୍ୟ ନର୍ତ୍ତକନର୍ତ୍ତକୀ  ଅନ୍ୟର ମନରଞ୍ଜନ ପାଇଁ ନାଚୁଥିବା ବେଳେ ଆଦିବାସୀମାନେ କେବେଳ ନିଜର ଏବଂ କେବଳ ନିଜକୁ ହିଁ ଆମୋଦିତ କରିବା ପାଇଁ ନୃତ୍ୟଗୀତ କରନ୍ତି । ଆଦିବାସୀଙ୍କର ସମସ୍ତ ନୃତ୍ୟ ଦଳଗତ ନୃତ୍ୟ ହୋଇଥାଏ । ଆଦିବାସୀ କୁଳର ଲୋକେ ହାତକୁ ହାତ ଛନ୍ଦି ମାତିଯାନ୍ତି ନୃତ୍ୟର ଆସରରେ । ଏହା ଆଦିବାସୀ ସମାଜର ଏକତାର ପରିଚୟ ଦେଇଥାଏ । ସେଇଭଳି ଏକ ଆଦିବାସୀ ଲୋକନୃତ୍ୟ ହେଉଛି ଚାଙ୍ଗୁନୃତ୍ୟ ।
ଷଷ୍ଠ-ସପ୍ତମ ଶତାବ୍ଦୀ ବେଳକୁ ଆର୍ଯ୍ୟମାନଙ୍କର ପ୍ରବେଶ ପୂର୍ବରୁ ଓଡ଼ିଶାର ଉତ୍ତରାଞ୍ଚଳ ଥିଲା ପ୍ରଭୁ ବଡ଼ାମଙ୍କର କ୍ଷେତ୍ର । ଏ ଅଞ୍ଚଳରେ ମୂଳ ରୂପରେ ବସବାସ କରୁ ଥିବା ବାଥୁଡି, ଭୁୟାଁ, ଶବର ଆଦି ଜନଜାତି ପ୍ରଭୁ ବଡାମଙ୍କୁ ପୂଜା କରୁଥିଲେ । ଏହି ବଡ଼ାମ ମହା ପ୍ରଭୁଙ୍କର ନୃତ୍ୟ ହେଉଛି ଚାଙ୍ଗୁନୃତ୍ୟ । ବର୍ତ୍ତମାନ ଉତ୍ତର ଓଡ଼ିଶାରେ ବସବାସ କରୁଥିବା ବାଥୁଡି, ଭୂୟାଁ, ଶବର, ଜୁଆଙ୍ଗ, ଖଡ଼ିଆ, ସାଉନ୍ତି ଆଦି ଜନଜାତିଙ୍କର ପ୍ରମୁଖ ନୃତ୍ୟ ହେଉଛି ଚାଙ୍ଗୁନୃତ୍ୟ । ଉପରୋକ୍ତ ଜନଜାତି ସମୂହ ଚାଙ୍ଗୁବାଦ୍ୟ ବଜେଇ ଚାଙ୍ଗୁନୃତ୍ୟ କରନ୍ତି ସତ କିନ୍ତୁ ଚାଙ୍ଗୁନୃତ୍ୟ ପରିବେଷଣ କରିବା ଶୈଳୀ ଭିନ୍ନ ଭିନ୍ନ ଅଟେ ।
ପ୍ରଭୁ ବଡ଼ାମଙ୍କର ପ୍ରିୟବାଦ୍ୟ ହଉଛି ଚାଙ୍ଗୁବାଦ୍ୟ । ଏହି ଚାଙ୍ଗୁବାଦ୍ୟକୁ ବଜାଇ ସମସ୍ତେ ପବିତ୍ର ମନରେ ଢାଳିଦିଅନ୍ତି ଭକ୍ତି ଅର୍ଘ୍ୟ ନିଜର ବଡାମ ଠାକୁରଙ୍କ ଉଦେଶ୍ୟରେ । ଏହି ଚାଙ୍ଗୁବାଦ୍ୟ ଏକ ଦେବ ବାଦ୍ୟ ହେଇଥିବାରୁ ଏହାକୁ କେବଳ ଶୁଦ୍ଧ ହୋଇ ପବିତ୍ର ଶ୍ଵେତ ପୋଷାକ (ପୁରୁଷମାନେ ଧଳାଧୋତି ଓ ଗଞ୍ଜି, ନାରୀମାନେ ଧଳା ଲକ୍ଷ୍ମୀଶାଢୀ) ପିନ୍ଧି ହିଁ ସ୍ପର୍ଶ କରିବାର ନିୟମ ରହିଛି । ଏହାର ଗଠନ ଶୈଳୀକୁ ଲକ୍ଷ୍ୟ କଲେ ଦେଖାଯାଏ ଯେ, ଏହା ଏକ ଅନାବଦ୍ଧ ବାଦ୍ୟ । ପାଣି ବେଗୁନା, ବରଗଛ ଓହଳ ଆଦି କାଠକୁ ଆଣି ପ୍ରଥମେ କୁଣ୍ଡଳା ତିଆରି କରାଯାଏ । କୁଣ୍ଡଳା ତିରିଆ କରି ଏହାକୁ ଶୁଖିବାକୁ କିଛି ଦିନ ଛାଡି ଦିଆହୁଏ । କାଠ ଶୁଖି ଗଲା ପରେ ତା ଉପରେ ଛାଗଳ ଛାଲ ଛାଇ ଦିଆହୁଏ, ଏବଂ ସେଥିରେ ୩୩ଟି କିଳା ଦିଆଯାଏ । ଏହି ୩୩ଟି କିଳା ୩୩ କୋଟି ଦେବା ଦେବୀ ଙ୍କର ପ୍ରତୀକ ଅଟେ । ଏହି ପରି ଭାବେ ଚାଙ୍ଗୁର ନିର୍ମାଣ କରାଯାଏ । ଏହି କୁଣ୍ଡଳାକାର ବାଦ୍ୟର ତାଳ ଯେ କେହି ଶ୍ରବଣ ମାତ୍ରେ ବାଇ ହୋଇପଡନ୍ତି ତେଣୁ ଏହାର ଅନ୍ୟ ନାମ ବାଇକୁଣ୍ଡଳ ଅଟେ ।
ଏହି ନୃତ୍ୟରେ ଉଭୟ ପୁରୁଷ ଓ ନାରୀ ଭାଗ ନେଇଥାନ୍ତି । ପୁରୁଷମାନେ ଚାଙ୍ଗୁବାଦ୍ୟ ବଜେଇ ଗୀତ ଗାଇ ନୃତ୍ୟ କରିଥାନ୍ତି । ତାଙ୍କ ଆଗରେ ନାରୀ ମାନେ ରକ୍ଷଣଶୀଳ ଢ଼ଙ୍ଗରେ ମୁଣ୍ଡରେ ସମ୍ପୁର୍ଣ୍ଣ ଓଢଣା ଦେଇ ମୁହଁକୁ ଢାଙ୍କି ନୃତ୍ୟ କରିଥାନ୍ତି । ଉପରୁ ଏ ନୃତ୍ୟ ସହଜ ଦେଖା ଯାଉଥିଲେ ମଧ୍ୟ ବାସ୍ତବରେ ଏହା ଅତ୍ୟନ୍ତ କଷ୍ଟକର ନୃତ୍ୟ । ଏହି ନୃତ୍ୟରେ ପୁରୁଷଙ୍କୁ ଏକା ବେଳେ ନୃତ୍ୟ, ଗାନ, ବାଦନ ଆଦି ୩ଟି କାର୍ଯ୍ୟ ଏକା ସମୟରେ ହିଁ ସଠିକ ରାଗରେ ସମ୍ପାଦନ କରିବା ପାଇଁ ପଡିଥାଏ ।
ଚାଙ୍ଗୁନୃତ୍ୟର ଗୀତ ଅତ୍ୟନ୍ତ ମଧୁର ହେବା ସହ ଭିନ୍ନ ସ୍ୱାଦରର ହୋଇଥାଏ । ଚାଙ୍ଗୁଗୀତରେ ଛାନ୍ଦ ଚଉପଦୀଠୁ ଆରମ୍ଭ କରି ବଡାମଙ୍କ ଜଣାଣ ସହ ନୀତିଦିନିଆ ଜୀବନର ରସପୂର୍ଣ୍ଣ ଅଭିବ୍ୟକ୍ତି ପ୍ରକାଶ ପାଇଥାଏ । ବଡାମଙ୍କର ପ୍ରଥମ ଭକ୍ତି ଜଣାଣ ହଉଛି:
“ଶିରି ରାମ ରାମ ଯେ ଗୋବିନ୍ଦ ରାମ ରାମ
ଶିତଳ ବଉଳ ମୂଳେ ଦଣ୍ଡେ ବିଶିରାମ”
~ ଓଡ଼ିଶାରେ ଜଗନ୍ନାଥ ଝାଡ଼ଖଣ୍ଡରେ ବଡ଼ାମ ~
ଏଠାରେ ଝାଡ଼ଖଣ୍ଡ କହିଲେ, ବର୍ତ୍ତମାନର ଝାଡ଼ଖଣ୍ଡ ରାଜ୍ୟ ନୁହଁ । ଆମର ଦେଶୀ ଭାଷାରେ ଝାଡ଼ କହିଲେ ନିଝାଡ଼ ନିଘଞ୍ଚ ଜଙ୍ଗଲ, ଖଣ୍ଡର ଅର୍ଥ ଅଂଶ । ଏଠାରେ ନିଘଞ୍ଚ ଜଙ୍ଗଲର ଅଂଶ କହିଲେ ଶିମିଳିପାଳକୁ ବୁଝେଇ ଥାଏ । ସେହିଭଳି,
“ଠାକୁର ହେ ଠାକୁର ହେ ବଡ଼ାମ ଠାକୁର
ଶିମିଳି ପାହାଡ଼େ ଅଠର ଦେଉଳେ
ମଉନେ ରହିଲ କିମ୍ପା ଏଥର ।।
ବାରଦଣ୍ଡା ଶିମିଳିପାଳ
ମେଘା ସନ ଉଚ୍ଚ ଶଇଳ
ସବୁଠି ରହିଛ ବଡ଼ ବଲାଉଛ
ରାମ ରାଜା ଦୁଆର ଶୁଣି
ଯାଉ ରନ୍ଧା ବରେଇ ପାଣି
ଅସୁରିଆ ହାଡ ଶିମୁଳିଆ ଗଢ଼ ।
ଆଦରି ରହିଛ ସେ ବିସି ପୁର
ଠାକୁର ହେ ଠାକୁର …ll
ବୁଢ଼ୀପାଟ ବଉଳା ଶୁଣି
ଚମ୍ପା ଘାଟି ସେ ଦୁଧିଆଣି
ମାନବ ଦେଉଳ ଈଶ୍ୱର ଦେଉଳ
ବଡ଼ ଦେଉଳକୁ ଲାଗି ଲକ୍ଷ୍ମୀ ଭଣ୍ଡାର
ଠାକୁର ହେ ….ll
ଗଢ଼ ମା’ ତୁ ବିରାଟ ପାଟ
ସମି ବୃକ୍ଷ ସେ ଦେବକୁଣ୍ଡ
ସାହାଡ଼ା ସୁନ୍ଦରୀ ମହାବୀର ଦଣ୍ଡା
ତନଖା ଯମୁନା ବିଷ୍ଣୁଙ୍କୁ ମନ୍ଦିର
ଠାକୁର ହେ ଠାକୁର.. ll
ବାରଖଣ୍ଡା ବାମନା ବୀର
ଯଶିପୁର ଗଢଠାକୁର
ଛତ୍ରୀ ମହାବୀର ପୟରେ ତୋହର
ଦିନ ଅକିଞ୍ଚନ କରେ ଜୁହାର
ଠାକୁର ହେ ଠାକୁର ..” ll
ଏଠାରେ ବାଥୁଡି ସମ୍ପ୍ରଦାୟର ପବିତ୍ର ପୀଠ ଶିମିଳିପାହାଡ଼ର ଅଠର ଦେଉଳ କଥା ବର୍ଣ୍ଣିତ । ସେହିପରି,
“ଏ ସିଂହ ଦୁଆରେ ଘଣ୍ଟି ଘଣ୍ଟା ବାଜେ
ଚଉକି ପହରା ଭାଇ
ଧନ୍ୟ ଧନ୍ୟ ମୟୂରଭଞ୍ଜ ରାଜା ବହାଦୁରୀ
ଆଗେ ଆଗେ ଚାଲେ ମୂଲିଆ କୁଲି
ତାହାର ପଛ ରେ ଢୋଲ ମହୁରୀ
ଶଙ୍ଖ ବାଜେ ଘୁରି ଫେରି
ଧନ୍ୟ ଧନ୍ୟ ମୟୂରଭଞ୍ଜ ରାଜା ବାହାଦୁରୀ
ତୀର ବାଇଁସ ଛେଲିଆ ଟାଙ୍ଗୀ
କିଏ ମାରେ କୁଆ କୁଲି
ମୟୂରଭଞ୍ଜ ରାଜା ଦଣ୍ଡବତ ତାଙ୍କୁ
ବାଇଶି ଜଣ ଜମିଦାରୀ
ଧନ୍ୟ ଧନ୍ୟ ମୟୂରଭଞ୍ଜ ରାଜା ବାହାଦୁରୀ
ଉଣେ ରସାନନ୍ଦ କବି କୂଳଚନ୍ଦ୍ର
ଧନ୍ୟ ସେ ବାଙ୍କବିହାରୀ
ଧନ୍ୟ ଧନ୍ୟ ମୟୂରଭଞ୍ଜ ରାଜା ବାହାଦୁରୀ”
ରାଜରାଜୁଡା ସମୟରେ ବାଥୁଡିମାନେ ଯୋଦ୍ଧାର ଦାୟିତ୍ୱ ନିର୍ବାହ କରୁଥିଲେ । ଏଇ ଚାଙ୍ଗୁଗୀତ କୌଣସି ଏକ ଯୁଦ୍ଧ ଜୟ ପରର ଖୁସିର ମୁହୂର୍ତ୍ତକୁ ବୟାନ କରୁଛି । ସେହିଭଳି କୃଷି ଚାଙ୍ଗୁଗୀତ ମଧ୍ୟରେ,
“ବିଲ ବାଛି ଗଲି ହାତେ
ବିଲ ବଛା ଭାଇ ମଜୁରୀ କେତେ
ପଚାରି ନଭୁଚୁଁ ତୋତେ ।
ସରି ଗେଲା ବିଲ କାମ
ନେଖି ରଖି ଥିବ ମହରି ନାମ
କାଳେ ନେଇଯିଆ ଯମ” ।।
ସେଇଭଳି ଚାଙ୍ଗୁଗୀତରେ ଯୁବକଯୁବତୀଙ୍କ ପ୍ରେମମୟ ଗୀତ ବି ଦେଖିବା ପାଇଁ ମିଳେ । ଯଥା-
“ଆସ ଆସ ସଙ୍ଗାତ
ଆସ ଆସ ଗୋ ମିତ
ଗାଇ ଦେବି ନନୀ ଇନା ରସିକ ଗୀତ
ମୋର କଣ୍ଟା ମାରିଷ
ଏତେ ଭାବୁଛ କିସ
ରାଗ ଛାଡି ନନୀ ଏବେ ପାଖକୁ ଆସ
ଆହା ଗୋଲାପ ଫୁଲ
ଏବେ ଲାଗୁଛ ଭଲ
କି ଉପମା ଦେବି ତୁମ ନାହିଁ ତ ମୂଲ
ମୋର ପାଣି ବେଗୁନା
କାହିଁ କରୁ ଭାବନା
ତୋର ବିନା ଚମ୍ପା ମଲି ନାହିଁ ବାସନା
ଚମ୍ପା ମଲି ବାସନା
ଆଉ ଭଲ ଲାଗେନା
କି ଅତର ନାଇ ଅଛ ଥରେ କୁହ ନା”
ସେହି ଭଳି –
“ଆଖିରେ କଜଳ ଗାର
ଦିଶୁଅଛି କି ସୁନ୍ଦର
ପୂର୍ଣ୍ଣମୀ ଚାନ୍ଦ ପରିମୁଖ ତାହାର
ମଥାରେ ବାନ୍ଧିଛି ବେଣୀ
ଫୁଲ କଣ୍ଟା ଅଣ୍ଟା ପୁଣି
ତାକୁ ଦେଖିଲେ, ହରେ ଦୁଃଖ ମୋହର”
ଚାଙ୍ଗୁନୃତ୍ୟର ଗୀତର ଥାଏ ପୌରାଣିକ ଆଖ୍ୟାନ, ସାମାଜିକ ଚଳଣି ଓ ପରମ୍ପରାର ନିଖୁଣ ଚିତ୍ର, ବିଶେଷତ୍ୱ ବାଥୁଡି ସମ୍ପ୍ରଦାୟରେ ଏହି ନୃତ୍ୟ ନିଶା ବର୍ଜିତ ହୋଇଥିବାରୁ ଏଥିରେ ଶାଶ୍ୱତ ଭାବନା ପ୍ରକାଶ ପାଏ । ଏଭଳି ଏକ ଉଚ୍ଚ ପରମ୍ପରା ସମ୍ପର୍ଣ୍ଣ ଲୋକନୃତ୍ୟ ଶହ ଶହ ବର୍ଷ ଧରି ଏ ଧରା ମାଟିରେ ଆଜି ବି ବାଥୁଡି କୁଳର ପୁର ପଲ୍ଲୀରେ ବଞ୍ଚି ରହିଛି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago