ଲେଖା: ଅମୃତେଶ ଖଟୁଆ
~ ଓଡିଆ ବୀର ଚନ୍ଦନ ହଜୁରୀ ବା ଚାଖି ଖୁଣ୍ଟିଆ ~
ଭାରତୀୟ ସ୍ଵତନ୍ତ୍ରତା ସେନାନୀମାନଙ୍କ ମଧ୍ୟରେ ଯେଉଁ ଉଦାତ୍ତ ଲୋକଶକ୍ତିର ଉଦୟଲଗ୍ନ ଘଟିଥାଏ, ତହିଁ ମଧ୍ୟରେ ଫିରିଙ୍ଗି ସମଷ୍ଟିକୁ ପ୍ରତିହତ କରିବା ପାଇଁ ଯେଉଁ ସ୍ଵାଧୀନଧର୍ମା ମାନେ ଆଗେଇ ଆସିଥିଲେ, ସେମାନଙ୍କ ମଧ୍ୟରେ ଉତ୍କଳୀୟ ମାନଙ୍କ ଭୂମିକା ମଧ୍ୟ ଗୁରୁସ୍ଥାନୀୟ ରହିଆସିଥିଲା । ଏପରିକି ସମଗ୍ର ଭାରତ ବ୍ରିଟିଶାଧୀନ ହେଇ ଆସିଥିଲା ବେଳେ ଉତ୍କଳୀୟମାନଙ୍କ ମଧ୍ୟରେ ୧୮୦୩ ମସିହାର ସଂଘଟିତ ପାଇକ ବିପ୍ଳବ ତାର ଆଦ୍ୟ ଉଦ୍ଗାର ସ୍ଵରୂପ ଆଜି ମଧ୍ୟ ସ୍ଵଦେଶବତ୍ସଳତାର ଦୃଷ୍ଟାନ୍ତ ହୋଇ ରହି ଆସିଛି । ଉତ୍କଳୀୟ ଇତିବୃତ୍ତର ଅନୁରୂପ ଜଣେ ମହାନାୟକ ଥିଲେ ଏହି ଓଡିଆ ବୀର। ଆଉ ସେହି ଓଡିଆ ବୀର ଥିଲେ ପୁରୀର ଚନ୍ଦନ ହଜୁରୀ ବା ଲୋକପ୍ରସିଦ୍ଧ ଚାଖି ଖୁଣ୍ଟିଆ।
ପୁରୀର ରଘୁନାଥ ଖୁଣ୍ଟିଆ ବା ଭୀମସେନ ହଜୁରୀ ସମଗ୍ର ଭାରତରେ ଥିଲେ ରାଜପଣ୍ଡା ଭାବରେ ପ୍ରଥିତଯଶା । ନାମ ପ୍ରସିଦ୍ଧି ତାଙ୍କୁ ଯେତିକି ଆନନ୍ଦ ଦେଇପାରିନଥିଲା, ହେଲେ ପୁତ୍ର ସନ୍ତାନଟିଏ କୋଳମଣ୍ଡନ କରିନଥିବାର ସେହି ଦୁଃଖ ତାଙ୍କୁ ବ୍ୟାକୁଳଭର କରିସାରିଥିଲା। ସତତ ଜଗନ୍ନାଥଙ୍କ ନିକଟରେ ଅନୁନୟୀ ହୋଇ ସାଧୁ ସନ୍ନ୍ୟାସୀଙ୍କ ନିତ୍ୟ ସେବାରେ ନିୟୋଜିତ ରହୁଥିଲେ । କିମ୍ଵଦନ୍ତୀ ଅନୁସାରେ ୧୮୨୭ ମସିହାରେ ସେ ଶାମ୍ଵ ଦଶମୀ ଦିନ ପୁରୀର ହରଚଣ୍ଡୀ ସାହିରେ ପିତା ଭୀମସେନ ହଜୁରୀ ଓ ମାତା କମଳବତୀଙ୍କ କୋଳମଣ୍ଡନ କରିଥିଲେ ଚନ୍ଦନ ହଜୁରୀ । କୁହାଯାଏ ଯେ ଚନ୍ଦନ ହଜୁରୀ ଭାରି ଚପଳ ଓ ଅବ୍ୟବସ୍ଥିତମନା ଥିଲେ । ଏହିପରି ଚଞ୍ଚଳ ସ୍ଵଭାବରୁ ତାଙ୍କ ଡାକ ନାଁ ଆସିଲା ‘ଚାଖି ଖୁଣ୍ଟିଆ’ ।
ଅନ୍ୟ ଏକ କିମ୍ଵଦନ୍ତୀ ସବୁଠାରୁ ପ୍ରମାଣ- ବିଶ୍ଵସ୍ତ ବୋଲି କୁହାଯାଏ । ୧୯୩୫ ମସିହାରେ ବିଶିଷ୍ଟ ଗବେଷକ ତଥା ଓଡିଆ ସଂସ୍କୃତିବିତ୍ ସଦାଶିବ ରଥଶର୍ମାଙ୍କ ଦ୍ଵାରା ବିରଚିତ ‘ହଜୁରି’ ବଂଶର ଇତିବୃତ୍ତ ଅନ୍ତର୍ଗତ ‘ଚାଖି ଖୁଣ୍ଟିଆ’ ଇତିହାସ ଅନୁସାରେ ସେହି ଘଟଣାକ୍ରମ ହେଉଛି କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥି । ୧୭୪୯ ଶକାବ୍ଦ ବା ୧୮୨୭ ଖ୍ରୀଷ୍ଟାବ୍ଦ ଗୁରୁବାର ଦିନ ପୁରୁଷୋତ୍ତମ କ୍ଷେତ୍ରର ଅଙ୍ଗିଲା ସେବାୟତ ଭୀମସେନ ହଜୁରୀ ଶ୍ରୀମନ୍ଦିରରେ ଦେବୋତ୍ଥାପନୀ ଏକାଦଶୀ ଅବସରରେ ଠାକୁରଙ୍କ ଚନ୍ଦନଲାଗି ସମୟରେ ଗୃହରେ ପୁତ୍ର ସନ୍ତାନଟିଏ ଜନ୍ମ ନେଇଛି । ସର୍ବାଙ୍ଗ ଚନ୍ଦନ ହୋଇଥିବା ନୀଳାଦ୍ରିନାଥଙ୍କୁ ସେ ଚାହିଁ କହିଦେଲେ “ମୋର ଚନ୍ଦନ ଆପଣଙ୍କୁ ଲାଗିଲା । ” ସେହି ଆଶୀର୍ବାଦରୁ ବଢି ଚାଲିଲେ ଚନ୍ଦନ ହଜୁରୀ ।
ଆବାଲ୍ୟ ଚପଳ ଚାଖି ଥିଲେ ଅତ୍ୟନ୍ତ ବଳଶାଳୀ ମଧ୍ୟ। ସେ ନିଜର ଚିନ୍ତାକୁ ଅତୀବ ଗୁରୁତ୍ଵପୂର୍ଣ୍ଣ ମନେ କରୁଥିଲେ । ତାଙ୍କ ବ୍ରତୋପନୟନ ଦିନ ସେ ବିଜୟ ଦ୍ଵାର ନିକଟରେ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଲା ବେଳେ ଜଣେ ଗୋଛିକାର ସେବାୟତ ତାଙ୍କ ହାତରେ ଥିବା ଗୋଟିଏ ନଡିଆ ନେବାକୁ ଉଦ୍ୟତ ହେବାରୁ ସେ ଉକ୍ତ ନଡିଆଟିକୁ ଧରି ତାଙ୍କୁ ଓଲଟି ଆଘାତ ଦେଲେ। ଏହିପରି ଭାବରେ ଚନ୍ଦନ ହଜୁରୀ ନିଜର ବାଲ୍ଯ ଶିକ୍ଷା ସ୍ଵରୂପ ପଣ୍ଡିତ ହରିହର ବ୍ରହ୍ମାଙ୍କ ନିକଟରେ ସଂସ୍କୃତ ପଢିବା ଆରମ୍ଭ କରିଥିଲେ। ହେଲେ ଅନେକ ଅଧ୍ୟୟନ ପରେ ମଧ୍ୟ ସନ୍ତୋଷଜନକ କୃତୀତ୍ଵ ଲାଭ ନ କରିବାରୁ ରାମଦୟାଲ ଠାକୁରଙ୍କ ପାଖରୁ ସେ ହିନ୍ଦୀ ଶିଖି ସଫଳତା ଲାଭ କରନ୍ତି । ପରବର୍ତ୍ତୀ ସମୟରେ ପିତାଙ୍କ ସହ କୌଳିକ ବୃତ୍ତି ଗୁମାସ୍ତାଗିରିରେ ବିଠୁର ଅଞ୍ଚଳକୁ ଗସ୍ତ କରିଲେ।
ତଦାନୀନ୍ତନ ପେଶୱାଙ୍କ ଅଧୀନରେ ଥିବା ଜଣେ ମହାରାଷ୍ଟ୍ରୀୟ ମାଜିଷ୍ଟ୍ରେଟ୍ କୃଷ୍ଣରାୟ ତାମ୍ଵେଙ୍କ ପାତ୍ର ଥିଲେ ବଳବନ୍ତ ରାୟ । ତାଙ୍କ ବଡ଼ଭାଇ ମେରପନ୍ତ ପୁନାରୁ କାଶୀଠାରେ ଦେୱାନ ପଦବୀରେ ନିଯୁକ୍ତ ରହିଲେ। ତାଙ୍କର ୧୮୩୫ ଖ୍ରୀଷ୍ଟାବ୍ଦ ନଭେମ୍ବର ୧୬ ତାରିଖ ଦିନ ଏକ କନ୍ୟା ସନ୍ତାନ ଜାତ ହେବାରୁ ସେ ପୁରୀ ଗସ୍ତ କରିବାର ସଂକଳ୍ପ କରିଥିଲେ। ୧୮୩୭ ମସିହା ଜୁଲାଇ ୭ ତାରିଖ ଦିନ ମେରପନ୍ତ କୁଟୁମ୍ବ ଶିଶୁକନ୍ୟା ମନୁବାଈଙ୍କୁ ଘେନି ପୁରୀ ଆସି ଭୀମସେନ ହଜୁରୀଙ୍କ ସମ୍ପର୍କରେ ଆସିଛନ୍ତି। ଆଉ ଏହି ମନୁବାଈ ଦିନେ ରାଜରାଣୀ ହେବେ ବୋଲି ଭବିଷ୍ୟତ ବାଣୀ କରିଥିଲେ ହଜୁରୀ ଭୀମସେନ।
ହେଲେ ବିଠୁର୍’ରେ ଅବସ୍ଥାନ କରୁଥିଲେ ଚାଖି ଓ ତାଙ୍କ ପିତା। ଆଉ ମନୁବାଈଙ୍କ ବିବାହରେ ସେ ପଦ୍ୟାକାରରେ ଯାହା ଲେଖିଥିଲେ, ସେଥିରୁ ମେରପନ୍ତ ଓ ହଜୁରୀ ପରିବାରର ପାରସ୍ପରିକ ଘନିଷ୍ଠତା ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କର ସଂପୃକ୍ତି ଖୁବ୍ ସ୍ପଷ୍ଟ ବାରି ହୋଇପଡେ:
“ଯେ ସରଳା କୋମଳା ପିଚ୍ଛିଳା ସମତୁଳା
ପରେ ସଜାଇବାକୁ ଅମଙ୍ଗ,
ଶଙ୍ଖ ପ୍ରଚେତା ଧାରା କହିବା କାଳେ ତ୍ଵରା
ନୀଳ କ୍ରାନ୍ତାରେ ଦେଲା ଭାଙ୍ଗ ।
ହରଷେ, ଗାଢେ ବାନ୍ଧ ବୋଲି ବୋଇଲା
କୋମଳ ଧମନୀ ସମର ପାଟବେ
ଦକ୍ଷ ବୋଲି ଅବା କହିଲା।”
ଏହି ମନୁବାଈ ଆଉ କେହି ନଥିଲେ । ଭବିଷ୍ୟରେ ଏହି ମନୁବାଈ ପୁଣି ହୋଇଥିଲେ ଝାନ୍ସୀର ମହାରାଣୀ ଲକ୍ଷ୍ମୀବାଈ, ଯିଏ ୧୮୪୧ ମସିହା କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଝାନ୍ସୀ ଅଧୀଶ୍ଵର ଗଙ୍ଗାଧର ରାଓଙ୍କୁ ବିବାହ କରିଥିଲେ। ଚାଖି ବିଠୁର ଠାରେ ଅବସ୍ଥାନ କରୁଥିଲା ବେଳେ ଶକ୍ତ ପୀଡିତ ହୋଇ ପୁରୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚାଖି ନିୟମିତ ଜାଗା ଆଖଡା ଯାଇ କୁସ୍ତି କସରତ୍ ସହିତ ବିଭିନ୍ନ ଶାରୀରିକ କଳାକୌଶଳ ସମସ୍ତ ଆବୋରିଥିଲେ। ଏଥି ସହ କ୍ରମଶଃ ତତ୍କାଳୀନ ଜାଗା ଘର ସଂସ୍କୃତି ସହ ଜଡିତ ରହି ସୁସଂଗଠିତ ଶାରୀରିକ ସୌଷ୍ଠବ ଲାଭ କରିଲେ । କୁସ୍ତିବିଦ୍ୟାରେ ଜାଗାଘରେ ଯୁବକମାନଙ୍କୁ କୁସ୍ତି କସରତ୍ ଶିକ୍ଷା ଦେଲେ। ଆଉ ଖଣ୍ଡା, ତରବାରୀ, ବର୍ଚ୍ଛା, ମୁଦ୍ଗର, ଲାଠି ପ୍ରଭୃତି ଅସ୍ତ୍ରଶସ୍ତ୍ର ଚାଳନାରେ ଦକ୍ଷ ହେଇ ଯାଇଥିଲେ ଚନ୍ଦନ ହଜୁରୀ।
ହେଲେ ଲକ୍ଷ୍ମୀବାଈଙ୍କ ପାଇଁ ଏ କାଳଖଣ୍ଡ ଦୁର୍ଭାଗ୍ୟରେ ପରିଣତ ହୁଏ । ୧୮୫୦ ମସିହାରେ ଗୋଟିଏ ପୁତ୍ର ସନ୍ତାନ ତାଙ୍କ ଜନ୍ମ ନେବା ପରେ ମୃତ୍ୟୁବରଣ କରେ ଆଉ ଏ ଦୁଃଖରେ ମ୍ରିୟମାଣ ହୋଇ ପ୍ରାଣତ୍ୟାଗ କରିଲେ ଗଙ୍ଗାଧର ରାଓ । ଦୁଃଖଜର୍ଜରା ଲକ୍ଷ୍ମୀବାଈ ବିବ୍ରତ ଥିଲା ବେଳେ ପୁନଶ୍ଚ ଲର୍ଡ ଡେଲ୍ ହାଉସୀ ଭାରତ ଆସି “ରାଜ୍ୟସ୍ଵତ୍ଵ ଲୋପ ନୀତି” ଲାଗୁ କରନ୍ତି, ଯା ଫଳରେ ଉତ୍ତରାଧିକାରୀ ଶୂନ୍ୟ ରାଜନ୍ୟ ବର୍ଗ ଇଂରେଜ ହସ୍ତକୁ ସମର୍ପଣ କରିବେ ନିଜ ରାଜ୍ୟ । ଏହି ସବୁ ବିପଦ ପଡିଥିଲା ବେଳେ ଲକ୍ଷ୍ମୀବାଈ ନିଜେ ଆରାଧନା କରୁଥିବା ଦୁର୍ଗା ବିଗ୍ରହକୁ ପଠେଇଦେଲେ ଚାଖି ଖୁଣ୍ଟିଆଙ୍କ ପାଖକୁ, ଯାହା ଅଦ୍ୟାବଧି ମଧ୍ୟ ଚାଖି ଖୁଣ୍ଟିଆଙ୍କ ବଂଶଧରଙ୍କ ଦ୍ଵାରା ସୁପୂଜିତା । ଆଉ ଏ ସମୟ ମଧ୍ୟରେ ୧୮୫୨ ମସିହାରେ ଅକ୍ଷୟ ତୃତୀୟାରୁ ଜଗନ୍ନାଥଙ୍କ ସେବାରେ ଲାଗିଲେ ଚାଖି ଖୁଣ୍ଟିଆ।
ସେତେବେଳେ ପୁରୀର ବିଖ୍ୟାତ ମଲ୍ଲଯୁଦ୍ଧ ବିଶାରଦ ଓ ଧାର୍ମିକ ରୂପେ ପ୍ରଖ୍ୟାତ ଚନ୍ଦନ ହଜୁରୀ। ପ୍ରତ୍ୟହ ଜଗନ୍ନାଥ ବଲ୍ଲଭ ମଠରେ ଜେନାମଣି ଦିବ୍ୟସିଂହଙ୍କ ସଙ୍ଗେ ବଳ ପରୀକ୍ଷା କରୁଥିଲେ ଓ ଘନିଷ୍ଠ ଭାବେ ତାଙ୍କ ସହ ସମ୍ପର୍କ ପ୍ରତିଷ୍ଠା କରିଥିଲେ। ହେଲେ ଏହି ସମୟରେ ଇଂରେଜମାନେ ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କ ପୋଷ୍ୟପୁତ୍ର ଦାମୋଦରକୁ ଉତ୍ତରାଧିକାରୀ ସୂତ୍ରରେ ଗ୍ରହଣ କରିବାକୁ ଅଗ୍ରାହ୍ୟ କରି ଦତ୍ତକ ପୁତ୍ର କରିବାକୁ ନ ଦେଇ ଝାନ୍ସୀରେ ଉଡାଇଛନ୍ତି ୟୁନିୟନ୍ ଜ୍ୟାକ୍ । ବିଧବା ରାଣୀ ଲକ୍ଷ୍ମୀବାଈଙ୍କୁ ଭତ୍ତା ସ୍ଵରୂପ ପାଞ୍ଚ ହଜାର ଟଙ୍କା ମିଳିଲା ସତ୍ତ୍ଵେ ତାଙ୍କ ଭିତରେ ଜାଗରିତ ହେଇ ସାରିଥିଲା ଇଂରେଜ ବିଦ୍ଵେଷୀ ବହ୍ନି !
ଇଂରେଜଙ୍କ ପ୍ରତି କୃତଜ୍ଞ ହେବାର ସେ ଆଦେଶ ପାଇ ପରିଶେଷରେ ଦୁଃଖ ଓ ଦୁରାଶ୍ରିତ ରହି ଲକ୍ଷ୍ମୀବାଈଙ୍କ ନୟନଦ୍ଵୟରୁ ଧାରାଶ୍ରାବଣ ହୋଇ ଲୁହ ଝରିପଡେ। ଏହିପରି ଗ୍ଳାନିକର ତଥା ଅସମ୍ମାନ ପାଇ ଶେଷକୁ ଉପଲବ୍ଧି କରିଛନ୍ତି ଯେ ସ୍ଵାଧୀନତା ବିନା ଏ ଶାସନଭାର କଦାପି ସଂହତ ହୋଇ ରହିପାରିବନି। ପରାମର୍ଶ ପାଇଁ ଥିବା ମନ୍ତ୍ରୀ ଲକ୍ଷ୍ମଣ ରାଓ ମଧ୍ୟ ନିରୁତ୍ସାହିତ କରିଲେ ଲକ୍ଷ୍ମୀବାଈଙ୍କୁ । ଏହିପରି ଭାବରେ କାଳାତିପାତ କରିଲା ବେଳେ ୧୮୫୪ ମସିହା ମେ ମାସ ୧୧ ତାରିଖରେ ଚାଖି ଖୁଣ୍ଟିଆଙ୍କୁ ପତ୍ର ଲେଖି ସମସ୍ତ ବିଷାଦର କାରଣ ଅବଗତ କରାନ୍ତି । ସେହି ବର୍ଷ ପୁଣି ଚାଖିଙ୍କର ପାଣିଗ୍ରହଣ ପରେ ପିତାଙ୍କର ବିୟୋଗ । ହେଲେ ମଧ୍ୟ ଚାଖି ଖୁଣ୍ଟିଆ ଲକ୍ଷ୍ମୀବାଈଙ୍କୁ ପ୍ରତି ଶୁକ୍ରବାର ଲକ୍ଷ୍ମୀବ୍ରତ କରିବାକୁ ସଦୁପଦେଶ ଦେଇ ତାଙ୍କ ମନସ୍ତାପକୁ ହ୍ରାସ କରେଇଲେ ।
କ୍ରମେ ରାଣୀ ଲକ୍ଷ୍ମୀବାଈ ଅର୍ଥାଭାବ ଦେଇ ଗତି କରିବାରୁ ସେ ବିରକ୍ତ ହୋଇ ଆପଣାର ଋଣ ପରିଶୋଧ ନିମନ୍ତେ ସରକାରଙ୍କୁ ଅର୍ଥରାଶି ଯାଚନା କରିଲେ। ସେତେବେଳେ ତଦାନୀନ୍ତନ ହାମିଲଟନ୍ ସାହେବ ରାଣୀଙ୍କ ପକ୍ଷଭୁକ୍ତ ହୋଇ ମଧ୍ୟ ସରକାର ତାଙ୍କ ଅର୍ଥାନୁଦାନ ପ୍ରତି କର୍ଣ୍ଣପାତ କରିନଥିଲେ। ନିତାନ୍ତ ବ୍ୟସ୍ତବିବ୍ରତ ହୋଇ ଆପଣାର ବଳ ବଢାଇ ସେ ୧୮୫୬ ମସିହା ଜୁନ୍ ୧୮ ତାରିଖରେ ଚାଖି ଖୁଣ୍ଟିଆଙ୍କୁ ପତ୍ର ଲେଖିଲେ ଯାହା ଚାଖି ଖୁଣ୍ଟିଆ ଅଗଷ୍ଟ ୧୩ ତାରିଖରେ ପାଇଥିଲେ। ଉକ୍ତ ପତ୍ର ଅନୁଯାୟୀ ସେତେବେଳେ ଝାନ୍ସୀରେ ଅନବରତ ଗୋବଧ ହେଉଥାଏ । ଆଉ ସେଥିପାଇଁ ଏଭଳି ଦୁର୍ଦ୍ଦିନରେ ଲକ୍ଷ୍ମୀବାଈଙ୍କୁ ସାହାଯ୍ୟ କରିବା ପାଇଁ ତୀର୍ଥଗୁରୁ ତଥା ବିଜ୍ଞ ରାଜପଣ୍ଡା ଭାବେ ଆଗତ ହେବା ପାଇଁ ଅନୁନୟିନୀ ।
ଚାଖି ଖୁଣ୍ଟିଆ ନିହାତି ବିବ୍ରତ ଓ ଅସ୍ଥିର ହୋଇ ପଡିଲେ ଏହି ପତ୍ର ପଢି । ନବବିବାହିତା ଅର୍ଦ୍ଧାଙ୍ଗିନୀଙ୍କୁ ଗୃହର ଦାୟିତ୍ଵ ନ୍ୟସ୍ତ କରିବା ସହ ବନ୍ଧୁ ଦିବ୍ୟସିଂହ ମିଶ୍ରଙ୍କୁ ଦେଇ ଦେଇଥିଲେ ଗୃହର ସମସ୍ତ ଗୁରୁ ଯତ୍ନ । ପୌଷ ରାତିର ଶେଷ ପ୍ରହରରେ ଗୃହିଣୀଙ୍କୁ ସେ ଜଣାଉଛନ୍ତି:
“ବିପଦରେ ପଡି ଚିଟାଉ ଲେଖିଚି
ଝାନ୍ସିର ରାଣୀ ଲକ୍ଷ୍ମୀବାଈ,
କେତେ ଉପହାର କେତେ ସମ୍ପଦ
ପଠାଇ ଦେଇଚି ଆମରି ପାଇଁ ।
କାଳିଆ ଠାକୁର କୃପାକଣା ଘେନି
ଛିଡା ହୋଇଗଲେ ଦୁଆରେ ତାର
କିଞ୍ଚିତ ହେଲେ ଲଘୁ ହୋଇଯିବ
ଦୁଃସ୍ଥ ମନର ବେଦନା ଭାର।
* * *
ପିତା ତୁଲେ ଯାଇ ମନୁର ନଅରେ
କୈଶୋର ମୋର କଟାଇଥିଲି,
ସ୍ମରଣର ପଥେ ଜାଗି ଉଠେ ଆଜି
ଭୁଞ୍ଜୁଥିଲି କି ଅତୁଳ ଶିରୀ !
ସେଇ ସମୟର ପରିଚିତା ମନୁ
ଆଜି ହୋଇଅଛି ଲକ୍ଷ୍ମୀବାଈ,
ଶିରେ ବହିଅଛି ଝାନ୍ସିର ଶିରୀ
ଝାନ୍ସିର ରାଜ-ମୁକୁଟ ପାଇ । “
(‘ଚାଖି ଖୁଣ୍ଟିଆ’, ରାଧାମୋହନ ଗଡ଼ନାୟକ)
ଚାଖି ବଖାଣୁଛନ୍ତି ସେଇ କୃତଜ୍ଞତାପୂର୍ଣ୍ଣ ସ୍ଵରରେ, “ଆଜି ବିପଦାପନ୍ନା ଝାନ୍ସୀର ଅଧୀଶ୍ଵରୀ କେତେ ସମ୍ପଦ ପଠେଇବା ସମେତ ଆମକୁ ଚିଟାଉ ଲେଖିଛି। କାଳିଆ ଠାକୁରଙ୍କ କୃପାବିନ୍ଦୁଟି ବି ଯଦି ନେଇ ମୁଁ ଯାଏ, ଦୁଃସ୍ଥ ମନର ବେଦନା ଭାର ତ ଲାଘବ କରେଇ ପାରିବି। ତୁମେ ତ ଜାଣ ଯେ ଏଇ ମନୁ ଯିଏ ଆଜି ଲକ୍ଷ୍ମୀବାଈ ହେଇ ଶାସନ କରୁଛି, ବିଠୁର୍ ରେ ଥିଲା ବେଳେ ମନୁବାଈର ଭବ୍ୟ ନଅରରେ ଅତୁଲ୍ୟ ଶିରୀ ସମ୍ପଦ ସହ ମୋର କୈଶୋର ବିତାଇଥିଲି। ଆଉ ଯେତେବେଳେ ସେ ମୋତେ ଦୂର ଦେଶରୁ ଡାକୁଛି, ବିପଦରେ ଭଲା ମୁଁ କିପରି ନ ଯିବି ?”
ଚାଖିଙ୍କ ଘରଣୀ ସୁନ୍ଦରମଣି । ସେ ଭାରି ବ୍ୟାକୁଳଭର ହୋଇ କହି ଉଠିଲେ ଯେ, “ଏଡେ ଦୁର୍ବହ ଦିନ ତୁମେ କିପରି ଦୂର ରାଜ୍ୟରେ କାଟିବ ?” ଚାଖି ଗୃହିଣୀଙ୍କ ମଥା ଆଉଁଶି କହିଲେ,
“ଏପରି ହେଲେ କି ଚାଖି ଖୁଣ୍ଟିଆ /
ଦୁନିଆରୁ କିଛି ପାରିବ ଆଣି ?”
ଜଗନ୍ନାଥଙ୍କ ନାମ ସୁମରଣା କରି ସେ କହିଲେ –
“ବଡ଼ ଦେଉଳର କାଳିଆ ଠାକୁର
ଜଗତର ନାଥ ଆମରି ସାହା,
ଘନ ଅନ୍ଧାରେ ବିଦ୍ୟୁତ୍ ପରି
ଗହନେ ଲେଖିବ ଆଶାର ରାହା ।”
(‘ଚାଖି ଖୁଣ୍ଟିଆ’, ରାଧାମୋହନ ଗଡ଼ନାୟକ)
ଏଥର ପୌଷ ମାସ ଅର୍ଥାତ ଜାନୁଆରୀ ମାସର ୨୦ ତାରିଖ ସେ ଝାନ୍ସି ଅଭିମୁଖେ ଯାତ୍ରା କରିଥିଲେ । ହେଲେ ଝାନ୍ସୀରେ ଉତ୍ତୋଳିତ ପ୍ରତିହିଂସାର ନିଆଁ ଜଳୁଥିଲା ବେଳେ କୁଚକ୍ରୀ ମନ୍ତ୍ରୀମାନେ ଇଂରେଜମାନଙ୍କ ତୋଷାମୋଦୀ ସାଜିଥା’ନ୍ତି !
ଇଂରେଜ ବିଦ୍ଵେଷ ତୀବ୍ରତର ହେଉଥିଲେ ମଧ୍ୟ ସେତେବେଳେ ବିଦ୍ରୋହ ଓ ବିପ୍ଳବ ନିମନ୍ତେ କୌଣସି ସଠିକ୍ ପନ୍ଥା ଆବିଷ୍କୃତ ହୋଇନଥାଏ। ଚନ୍ଦନ ହଜୁରୀ ମନସ୍ଥ କରିଲେ ଯେ ପ୍ରଥମତଃ ଦେଶର ଅବସ୍ଥାକୁ ଭଲ ସେ ପର୍ଯ୍ୟବେକ୍ଷଣ ନ କଲେ ବିପ୍ଳବ ପନ୍ଥା ସ୍ଥିର କରିବା ସ୍ଥିତଧୀର କାର୍ଯ୍ୟ ହେବ ନାହିଁ। ହେଲେ କମ୍ପାନୀର ଅନୈତିକ କାର୍ଯ୍ଯକୁ ସହ୍ଯ ନ କରି ଝାନ୍ସୀରେ ବିପ୍ଳବର ସୂତ୍ରପାତ ହୁଏ । ଆଉ ଚନ୍ଦନ ହଜୁରୀ ନଗର ପରିଭ୍ରମଣ ସମୟରେ ଜାଣିବାକୁ ପାଇଥିଲେ ଯେ ପେଶୱା ବାଜିରାଓଙ୍କ ପୋଷ୍ୟ ପୁତ୍ର ନାନା ସାହେବ ଏହି ଝାନ୍ସି ବିପ୍ଳବର ସୂତ୍ରଧର। ନାନା ସାହେବ ଇଂରେଜଙ୍କ ନୂତନ ଆଇନ ସୁଯୋଗରେ ବିକ୍ଷୁବ୍ଧ ଶକ୍ତିଙ୍କୁ ଏକତ୍ର କରି ରାଜପ୍ରାସାଦର ହିସାବ ନବିସ ତାନ୍ତିଆ ତୋପୀଙ୍କୁ ମଧ୍ୟ ଏଥିରେ ପ୍ରତିଭାଗୀ ସଜେଇଲେ ।
ସେତେବେଳେ ଜନୈକ ଇଂରେଜ ଗାର୍ଦନ ସାହେବ ଓ ଝାନ୍ସୀର ଲକ୍ଷ୍ମୀବାଈଙ୍କ ମଧ୍ୟରେ ଏକ ଅଭିସନ୍ଧି ସ୍ଥାପିତ ହୁଏ । ରାଣୀ ଇଂରାଜୀ ମହିଳାଙ୍କ ସମ୍ମାନ ରକ୍ଷା କରୁଥିଲେ। କିନ୍ତୁ, ସିପାହୀମାନଙ୍କ ମଧ୍ୟରୁ ଅନେକ ରାଣୀଙ୍କୁ ବିରୁଦ୍ଧ ପକ୍ଷ ବୋଲି ମନେ କରିଥିଲେ । ସେଥିପାଇଁ ତାଙ୍କ ପ୍ରାସାଦ ଚଢାଉ ହୁଏ । କିନ୍ତୁ ନଗର ପରିଭ୍ରମଣ କାଳରେ ବିଚକ୍ଷଣ ଚାଖି ଖୁଣ୍ଟିଆ ଏକଦା ଏକ ସନ୍ନ୍ୟାସୀଙ୍କ ବାର୍ତ୍ତାଳାପ ମାଧ୍ୟମରେ ଆଗାମୀ ବିପ୍ଳବର ପୂର୍ବାଭାସ ପାଇ କୌଶଳ କ୍ରମେ ଚାଖି ଏହି ଚଢାଉକୁ ପ୍ରତିହତ କରି ପାରି ଥିଲେ। ଅନ୍ୟାନ୍ୟ ସିପାହୀ ଏଣୁ ଲକ୍ଷ୍ମୀ ବାଈଙ୍କୁ ଝାନ୍ସୀର ରାଣୀ ଭାବେ ଗ୍ରହଣ କରିବା ସହ ଘଟଣାଚକ୍ରରେ ଆରମ୍ଭ ହୁଏ ଏକ ବିରାଟ ଭାରତୀୟ ବିପ୍ଳବର ଜାଗରଣ !
ଏହା ପୂର୍ବରୁ ଇଂରେଜ ବିଦ୍ଵେଷୀ ଷଡ଼ଯନ୍ତ୍ରର ପ୍ରକରଣ ନିର୍ଦ୍ଧାରଣ ବେଳେ ବିଠୁର ଠାରେ ପହଞ୍ଚି ଦୁଇ ତିନି ଦିନ ମଧ୍ୟରେ ଚାଖି ନାନା ସାହେବଙ୍କ ସହ ସାକ୍ଷାତକାର କରିଥିଲେ । ହଠାତ୍ ଚାଖି ତୃତୀୟ ଦିନ ଆସି ନିଜର ଅଭିପ୍ରାୟ ଜଣେଇବାରୁ ବିଚଳିତ ହୋଇପଡିଲେ ନାନା ସାହେବ । କାରଣ ଗୋପ୍ୟ ନୀତି ସବୁ ଏତେ ଶୀଘ୍ର ବାହାରେ ପ୍ରଚାରିତ କେମିତି ହେଇଯିବ ? ନାନା ସାହେବଙ୍କ ଅବିଶ୍ଵାସର ବାଣୀକୁ ଉପଶମ ଦେଇ ତାଙ୍କୁ ସମସ୍ତ ବିବରଣୀ ଜଣାଇବା ସହ ଚାଖି ଖୁଣ୍ଟିଆ କହିଲେ, “ପେଶୱା ! ଭାରତର ସ୍ଵାଧୀନତା ମୁଁ ମଧ୍ୟ କାମନା କରେ ଏବଂ ଯେତେବେଳେ ଆପଣ ଏହି ମହତ୍ କାର୍ଯ୍ୟର ନେତୃତ୍ଵ ନେଇଛନ୍ତି, ସେତେବେଳେ ଆପଣଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରିବା ମୋର ପ୍ରଧାନ କର୍ତ୍ତବ୍ୟ ବୋଲି ମୁଁ ମନେ କରେ . .”
ତୀର୍ଥଗୁରୁ ଚାଖି ଖୁଣ୍ଟିଆଙ୍କ ଏହି ବୁଦ୍ଧିମତ୍ତାରେ ପ୍ରସନ୍ନ ନାନା ସାହେବ କହିଲେ, “ଦେଖନ୍ତୁ ତୀର୍ଥଗୁରୁ ମହାଶୟ ! ଆଗାମୀ ବିଦ୍ରୋହ କେବଳ ଦେଶୀୟ ନୃପତିମାନଙ୍କର ଇଂରେଜ ସରକାର ବିରୋଧରେ ନୁହେଁ କି ହିନ୍ଦୁମାନଙ୍କ ବିଦେଶୀ ଶକ୍ତି ବିରୋଧରେ ନୁହେଁ । ଏହା ହେବ ଭାରତୀୟ ଜନତାର ସଂଗଠିତ ଐକ୍ୟବଦ୍ଧ ବିଦ୍ରୋହ । ଆପଣଙ୍କର କର୍ତ୍ତବ୍ୟ ହେବ, ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ଝାନ୍ସିର ଜନଶକ୍ତିକୁ ଆଗାମୀ ମୁକ୍ତିଯୁଦ୍ଧ ଲାଗି ସଂଗଠିତ କରିବା। ” ସେହି ସମୟରେ ପୁଣି ବିଷଣ୍ଣମାନସୀ ଲକ୍ଷ୍ମୀବାଈଙ୍କୁ ଦମ୍ଭୋକ୍ତି ଦେଇ ଚାଖି କହିଥିଲେ,
“ସହିବାର ନୁହେଁ ଝାନ୍ସି ରାଣୀ ଗୋ
ସହିବାର ନୁହେଁ . . ସହିବାର ନାହିଁ
ଜାଗୃତି ଆଜି କାମ୍ୟ ଆମର
ବନ୍ଦୀ ଦେଶର ମୁକ୍ତି ପାଇଁ ।
ସୁପ୍ତ ଭାରତ ନ ଜାଗିବ ଯେବେ
ନ କରିବ ଯେବେ ନିଗଡ଼ ଦୂର
ବିଦେଶୀ ଶାସନ ଧର୍ମ କର୍ମ
ଜ୍ଞାନ ଗୌରବ କରିବ ଜୂର ।
ଆଜି ସେଥି ଲାଗି ପ୍ରସ୍ତୁତ ହୁଅ
ଭାରତ ଯୁବକ, ଭାରତ ନାରୀ,
ଭାରତର ଯେତେ ରାଜା ଜମିଦାର
ହୁଅ ଜାଗ୍ରତ ଅସ୍ତ୍ରଧାରୀ ।”
(‘ଚାଖି ଖୁଣ୍ଟିଆ’, ରାଧାମୋହନ ଗଡ଼ନାୟକ)
ସେତେବେଳେ ଦେଶରେ ଦୁର୍ଦ୍ଧର୍ଷ ସିପାହୀ ବିଦ୍ରୋହ ଚାଲିଥାଏ। ସମଗ୍ର ଉତ୍ତର ଭାରତ ସେତେବେଳେ ବିପ୍ଳବୀ ଆବହରେ ଅନୁରଞ୍ଜିତ । ବିକ୍ଷିପ୍ତ ଭାବରେ ଭାରତର ବିବିଧ ପ୍ରାନ୍ତରରେ ଫିରିଙ୍ଗି ବାହିନୀକୁ ପ୍ରତିହତ କରେଇବାର ମହା ସଂଗ୍ରାମ ଅବିରତ ଚାଲିଥାଏ। ସେତେବେଳେ ଝାନ୍ସୀର ଇଂରେଜ ଅଧିକୃତ ଦୁର୍ଗ ଆଗରେ ବିଶାଳ ଜନସମାଗମ ଝଡ଼ ସମାନ ଦଣ୍ଡାୟମାନ । ଇଂରେଜମାନଙ୍କୁ ପ୍ରତିରୋଧ କରି ଏହି ଉତ୍-ଫୁଲ୍ଲ ଜନତାର ଜୟ ଓ ଉଲ୍ଲାସର ଗାନରେ ଭାସି ଉଠୁଥିଲା। ହେଲେ କ୍ରମଶଃ ବିଦ୍ରୋହୀମାନେ ସଂହତିରହିତ ଥିଲେ । ଯାହାର ସୁଯୋଗ ନେଇ ସାର୍ କ୍ୟାମ୍ପବେଲ୍ ବିରାଟ ଏକ ବାହିନୀ ଧରି ପୁଣି ଥରେ ସବୁ ଦୁର୍ଗ ଓ ସହର ଅଧିକାର କରି ନେଲେ । ଝାନ୍ସୀ ଲକ୍ଷ୍ମୀବାଈଙ୍କୁ ପଠାଯାଏ ଆତ୍ମସମର୍ପଣ ଦାବି କରୁଥିବା ଏକ ପତ୍ର।
ଏପରି ବିରାଟ ଶତ୍ରୁ ଛାଉଣି ଆଗରେ ତ୍ରସ୍ତ ବିଦ୍ରୋହୀଗଣ । ଭୟରେ ଅଥବା ସ୍ଵକୀୟ ନିରାପତ୍ତା ଆଳରେ ବହୁ ଦେଶୀୟ ନେତୃତ୍ୱ ଭୁଲିଗଲେ ନିଜର ପ୍ରତିଶ୍ରୁତି ଆଉ ଇଂରେଜ ସହ ସମ୍ପୃକ୍ତ ହୋଇ ଭାରତୀୟଙ୍କୁ ବିଶ୍ଵାସଘାତକତାର ଏକ କରାଳ ଚିତ୍ର ଦେଖାଇଲେ । ଆସନ୍ନ ଦୁର୍ଯୋଗ ବେଳେ ଝାନ୍ସୀର ଦୁର୍ବଳ ମନ୍ତ୍ରୀ ଲକ୍ଷ୍ମଣ ରାଓ ଓ ଅମାତ୍ୟଗଣଙ୍କ ନିଷ୍ପ୍ରଭ ଭୂମିକା ନିହାତି ନିରୁତ୍ସାହଜନକ ଥିଲା। ଏପରିକି ପ୍ରାଣକାତର ଲକ୍ଷ୍ମଣ ରାଓ ମଧ୍ୟ ରାଣୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ପରାମର୍ଶ ଦେଲେ, ହେଲେ ବିକ୍ଷୋଭରେ ଜଳିଉଠୁଥିବା ରାଣୀ ଲକ୍ଷ୍ମୀବାଈ ଏହାକୁ ଅଗ୍ରାହ୍ୟ କରିଥିଲେ । ଇତି ମଧ୍ୟରେ ଚନ୍ଦନ ହଜୁରୀ ପ୍ରଧାନ ସେନାପତି ଖୋଦାବକ୍ସଙ୍କ ସହ ମନ୍ତ୍ରଣାରତ ।
ନୀରବତା ଭଗ୍ନ କରି ଚାଖି କହିଲେ, “ମହାରାଣୀ ! ଝାନ୍ସୀର ବୀର ସୈନ୍ୟ ବାହିନୀ ନିଜର ଶୋଣିତ ବଦଳରେ ଯେଉଁ ସ୍ଵାଧୀନତା ହାସଲ କରିଛନ୍ତି , ଏହି ବିପଦ ସମ୍ମୁଖରେ ମଧ୍ୟ ସେମାନେ ନିଜର ରକ୍ତ ବଦଳରେ ତାହାକୁ ରକ୍ଷା କରିବାକୁ ଦୃଢ ପ୍ରତିଜ୍ଞ । . . ଆଜି ଯଦି ଏଭଳି ଅବସ୍ଥାନରେ କାହାର ଅମର୍ଯ୍ଯାଦା କରାଯାଏ, ତେବେ ସେ ପାପ , ସେ ଗ୍ଳାନି , ସେ କଳଙ୍କ ଶତ ଚେଷ୍ଟା ସତ୍ତ୍ଵେ ଲିଭା ଯାଇପାରିବ ନାହିଁ । ମହାରାଣୀ ! ଆପଣଙ୍କ ଦେହରେ କଣ ସେହି ପବିତ୍ର ମହାରାଷ୍ଟ୍ର ରକ୍ତ ପ୍ରବାହିତ ହେଉନାହିଁ ? ମରହଟ୍ଟା ଜାତିର ସେହି ବିରାଟ ଐତିହ୍ୟ କଣ ଆପଣ ଭୁଲିଗଲେ ? . .
“. . ମନେ ରଖନ୍ତୁ ମହାରାଣୀ ! ବୀର ମରହଟ୍ଟାର ତିଳତିଳ ରକ୍ତ ଦାନେ ଯେଉଁ ବିରାଟ ମହାରାଷ୍ଟ୍ର ଜାତି ଗଢି ଉଠିଛି, ସେ ଆପଣଙ୍କ କାର୍ଯ୍ୟ ଯୋଗୁଁ ଚିରକାଳ ଲାଗି ନିନ୍ଦିତ, କଳଙ୍କିତ ଓ ଅବହେଳିତ ହୋଇଯିବ । ମନେ ରଖନ୍ତୁ ! ଦେଶର ସ୍ଵାଧୀନତା ଚିରଞ୍ଜୀବୀ । ଆତ୍ମସମର୍ପଣ ଦ୍ଵାରା ଆପଣ ତାହା ପ୍ରତି ବିଶ୍ଵାସଘାତକତା କରିବାକୁ ଯାଉଛନ୍ତି । ଆତ୍ମସମର୍ପଣ ଦ୍ଵାରା ଝାନ୍ସୀରେ ଶାନ୍ତି ଆସିବ ନାହିଁ । ଅରାଜକତା ସୁନିଶ୍ଚିତ। ଝାନ୍ସିର ସ୍ଵାଧୀନତା ଅକ୍ଷୁଣ୍ଣ ରହିବାର ଦାୟିତ୍ଵ ଆପଣଙ୍କ ଉପରେ । ନିଜର ଦାୟିତ୍ଵରେ ହେଳା କରନ୍ତୁ ନାହିଁ । ଆତ୍ମସମର୍ପଣର ପ୍ରଶ୍ନ ଉଠୁ ନାହିଁ।”
ଚାଖିଙ୍କର ଏହି ଆଗ୍ନେୟଭରା ବାଣୀରେ ଇନ୍ଧନ ଦେଇ ଖୋଦାବକ୍ସ କୋଷମୁକ୍ତ ହୋଇ କହିଲେ, “ମହାରଣୀ ! ଏ ତରବାରୀ ଆପଣଙ୍କର । ଏହାର ଅମର୍ଯ୍ଯାଦା କରନ୍ତୁ ନାହିଁ।” ଚନ୍ଦନ ହଜୁରୀ ମହାଶୟଙ୍କ ବକ୍ତୃତାରେ ଅଭିମନ୍ତ୍ରିତ ହୋଇ ଉଠିଲା ମନ୍ତ୍ରଣାକକ୍ଷ। ଯେଉଁ ପ୍ରେରଣା, ଯେଉଁ ଆଗ୍ନେୟଭରା ଉଦ୍ଦୀପନାର ଅପେକ୍ଷାରେ ରାଣୀ ଥିଲେ, ତାହା ହଜୁରୀ ମହାଶୟଙ୍କ ଏହିପରି ଭରାବାଣୀ ଦେଇଛି ଉଦବୋଧନୀ ! ହଠାତ୍ ଇଂରେଜ ଦୂତକୁ ଏକ ହୁଙ୍କାରରେ ରାଣୀ ସନ୍ଦେଶ ଦେଲେ, “କୈହେ ଦିଜିୟେ, ମେରୀ ଝାନ୍ସି , ନହିଁ ଦୁଂଗୀ ।” ଅର୍ଥାତ କହିଦିଅ ଯାଇ ତୁମର ପ୍ରଭୁଙ୍କୁ, ଝାନ୍ସି ମୋର ମୁଁ ତାହାକୁ କଦାପି ଦେବି ନାହିଁ। ସେହି ଝାନ୍ସୀର ରାଣୀଙ୍କ ବର୍ଣ୍ଣନାକୁ ରାଧାମୋହନ ଗଡ଼ନାୟକ ଲେଖନ୍ତି:
“ବିଦେଶୀ ଶାସନ ଚୂର୍ଣ୍ଣିବା ଆମେ
ବଣିକ-ବେପାର କରିବା ଶେଷ,
କେତେ ଦିନ ଆଉ ଧରିଥିବା ଆମେ
ପରାଧୀନତାର ଘୃଣ୍ୟ ବେଶ।
ବିଦ୍ରୋହୀ ଆଜି ହିନ୍ଦୁ ଆମେ ରେ
ବିଦ୍ରୋହୀ ଆମେ ମୁସଲମାନ,
ମୁକ୍ତ କରିବା ଭାରତ ଆମର
ସ୍ଵାଧୀନ କରିବା ହିନ୍ଦୁସ୍ଥାନ।”
ଝାନ୍ସୀ ଡଗର ରଣ ଦୁନ୍ଦୁଭିରେ କମ୍ପମାନ ହୋଇ ଉଠିଲା ! ବିପୁଳ ଓ ଉନ୍ମାଦ ଯୁଦ୍ଧାୟୋଜନ ମଧ୍ୟରେ ସୈନ୍ୟ ବେଶରେ ପୋଷାକ ପିନ୍ଧି ଜଣେ ନାରୀ ଅବତୀର୍ଣ୍ଣା ! ଚନ୍ଦନ ହଜୁରୀ ନିର୍ଦ୍ଦେଶ ଦେଲେ ଯେ ଶତ୍ରୁ ଆଗେଇବା ରାସ୍ତାର ନିକଟବର୍ତ୍ତୀ ସମସ୍ତ ଅଞ୍ଚଳ ଜାଳିପୋଡି ଧ୍ଵଂସ କରି ଦିଆଯାଉ। ଉଦ୍ଦେଶ୍ୟ ହେଲା ଇଂରେଜମାନଙ୍କ ପଥ ମଧ୍ୟରେ ଝାନ୍ସିବାସୀଙ୍କ ଠାରୁ କୌଣସି ପ୍ରକାର କୁଚକ୍ରରେ ସାହାଯ୍ୟ ଯେପରି ନ ପାଆନ୍ତି, ସେଥିପାଇଁ ପୂର୍ବବତ୍ ରଣସଜ୍ଜାର ଏହି କୌଶଳ କରିଲେ ଚନ୍ଦନ ହଜୁରୀ। ୧୮୫୮ ମସିହା ଜାନୁଆରୀ ୨୫ । ଝାନ୍ସୀ ତରୁଣମାନେ ବଳୟ କଙ୍କଣ ମେଘଦୂତର ଯକ୍ଷବତ୍ ତ୍ୟାଗ କରି ସୈନ୍ୟବୃନ୍ଦଙ୍କ ସହ ପ୍ରକୃତ ଯୁଦ୍ଧର ପ୍ରାରବ୍ଧ କରୁଛନ୍ତି।
ଭୟାବହ ଯୁଦ୍ଧ ଅହର୍ନିଶ ବାୟୁମଣ୍ଡଳକୁ ଅବିରାମ ବାରୁଦ ଭର୍ତ୍ତି ଧୂମାନଳରେ ଦିନରେ ରାତ୍ରିର ଅନ୍ଧକାର କରି ଦେଉଥାଏ ! ଗୋଳା ବର୍ଷଣ ସହ ଅବିରତ ଆକ୍ରମଣରେ ଧରାଶାୟୀ ବହୁବିଧ ସୈନ୍ୟସମୂହ । ଏହି ଦୁର୍ବିସହ ଯୁଦ୍ଧଘୋର ପରିବେଶରେ ସପ୍ତମ ଦିନ ଉପଗତ ହେବା ଉତ୍ତାରୁ ଇଂରେଜର କମାଣ ମାଡରେ ଧ୍ଵଂସ ହୁଏ ଝାନ୍ସୀ ଦୁର୍ଗପ୍ରାଚୀରର ବାମ ଦିଗ। ଅବିରତ ଗୋଳାବର୍ଷଣ ସତ୍ତ୍ଵେ ଅସମ୍ଭବ ମନେ ହେଉଥିବା ଏହି ପ୍ରାଚୀର ମରାମତି କାର୍ଯ୍ଯକୁ ସୁଚାରୁରୂପେ ସମ୍ପାଦନ କରିଥିଲେ ୧୧ ଜଣ ବୀର ଯଶୋଦେହା ସୈନିକ । ଆଉ ପରପ୍ରଭାତରେ ଭଗ୍ନାଂଶର ଏଡେ ତ୍ବରାନ୍ବିତ ମରାମତି ଦେଖି ବିସ୍ମୟାଭିଭୂତ ହୋଇପଡିଲେ ଇଂରେଜମାନେ। ହେଲେ ପରବର୍ତ୍ତୀ ଦିନ ଘଟେ ଆଉ ଏକ ବ୍ୟତିକ୍ରମ ।
ଯୁଦ୍ଧର ରଣକୌଶଳକୁ ପଣ୍ଡ କରିଦିଅନ୍ତି ଇଂରେଜ ବାହିନୀ। ପୂର୍ବରୁ ଗୁପ୍ତଚର ମାଧ୍ୟମରେ ସୂଚନା ଆଣି ତାନ୍ତିଆ ତୋପ୍ ଙ୍କ କ୍ଷୁଦ୍ର ସୈନ୍ୟ ବେଷ୍ଟନୀକୁ ପରାଜୟ ଉନ୍ମୁଖ କରିଦେଲା ବିରାଟ ଇଂରେଜଙ୍କ ସୈନ୍ଯଛାଉଣି । ଆଉ ଠିକ୍ ଏହି ଦିନ ବିଶ୍ଵାସଘାତକ ବୁନ୍ଦେଲାର ସର୍ଦ୍ଦାର ଠାକୁର ଲାଲାଜୀ ଚନ୍ଦନ ହଜୁରୀଙ୍କ ଆଖିରେ ଧୂଳିଦେଇ ଶତ୍ରୁର ସୁବିଧା ନିମନ୍ତେ ଦୁର୍ଗର ସେ ଦ୍ଵାର ଖୋଲିଦେଲେ। ଅନ୍ଧକାରର ସୁଯୋଗ ନେଇ ଶତ୍ରୁବାହିନୀ ସମୁଦ୍ରର ଉତ୍ତାଳ ଲହରୀ ସଦୃଶ ଉତ୍-ଫେଣ ହୋଇ ଉଠି ଦୁର୍ଗ ଭିତରୁ ମାଡିଗଲେ ।
ହେଲେ ୧୮୫୮ ମସିହାରେ ଓଡିଆ ଗଜପତି ଦିବ୍ୟସିଂହ ଦେବ ଗାଦିନାସୀନ ହେବାର ସ୍ଥିର ହେଲା ଓ ବନ୍ଧୁତା ସୂତ୍ରେ ନିୟମାନୁଯାୟୀ ଚନ୍ଦନ ହଜୁରୀଙ୍କ ନିକଟକୁ ରାମଚନ୍ଦ୍ର ପାଟ ସାହାଣି ନାମକ ଏକ ବ୍ୟକ୍ତି ଗଲେ। ମାତ୍ର ବିପ୍ଳବର ଧାରାରେ ଉତ୍-ପ୍ଳାବିତ ଝାନ୍ସିରେ ସାକ୍ଷାତକାର ନିହାତି ଅସମ୍ଭବ । ୧୮୫୮ ମସିହା ଅକ୍ଟୋବର ୩ ତାରିଖରେ ଚନ୍ଦନ ହଜୁରୀ ପାଟ ସାହାଣୀଙ୍କ ଘେନା ସମ୍ବାଦ ଲାଭ କରି ଝାନ୍ସୀର ଅଶାନ୍ତି ବିଷୟରେ ଲେଖି ଜଣାଇଲେ । ହେଲେ ଝାନ୍ସୀରେ ଲକ୍ଷ୍ମଣ ରାଓଙ୍କ ନିଧନାନ୍ତେ ନୂଆ ଦେୱାନ୍ କମ୍ପାନୀ ପାଖକୁ ଚାଖିଙ୍କ ସହ ଗଲା ବେଳେ ଚାଖିଙ୍କୁ ଅନ୍ୟତ୍ର ରଖି ଝାନ୍ସୀକୁ ଗୁଡିଏ ମିଥ୍ଯା ସମ୍ଵାଦ ପଠାଏ। ହେଲେ ଚାଖି ଫେରି ଆସି ସମସ୍ତ ରହସ୍ଯ ପ୍ରକାଶ କରିବାରୁ ଦେୱାନ୍ ଧମକ ଦେଲେ । ଫଳରେ ଚାଖି ଫେରି ପାରିନଥିଲେ ଶ୍ରୀକ୍ଷେତ୍ର କିନ୍ତୁ ଝାନ୍ସିର ପତନ ଆରମ୍ଭ ହୁଏ ।
ରାଣୀଙ୍କର ଓଲନ୍ଦାଜ୍ ସୈନ୍ୟ, ଭାରତୀୟ ସୈନ୍ୟ ଓ ତାନ୍ତିଆ ତୋପଙ୍କ ନେତୃତ୍ଵାଧୀନ ୨୮ ତୋପର ଆକ୍ରମଣ ସତ୍ତ୍ଵେ ଝାନ୍ସୀ ପତନୋନ୍ମୁଖ ହୁଏ । ୧୮୫୯ ମସିହାରେ ରାଣୀ ଓ ଚାଖିଙ୍କ ସହ ମେରପନ୍ତ କୁଟୁମ୍ବ ସ୍ଥାନ ତ୍ଯାଗ କରିବାରୁ ଇଂରେଜ ମାନେ ମେରପନ୍ତଙ୍କୁ ଚିହ୍ନଟ କରି ଫାଶୀଦଣ୍ଡ ଦେଲେ। ହେଲେ ସୌଭାଗ୍ୟକୁ ରାଣୀ ଗ୍ବାଲିୟର ଅନ୍ତର୍ଗତ କାଲପି ନାମକ ସ୍ଥାନରେ ଆଶ୍ରୟ ନେଇ ରହିଗଲେ । ତେଜୀୟାନ୍ ଚାଖି ବନେ ବନେ ବୁଲି ବୁଲି ପରିଶେଷରେ ବହୁ କ୍ଳେଶ , ଗ୍ଳାନି ଓ କ୍ଲାନ୍ତି ସହ୍ଯ କରି ପହଞ୍ଚିଲେ । ଚାଖି ଗ୍ବାଲିୟର ରାୟସାହେବଙ୍କ ଦଶହରା ଉତ୍ସବରେ ହେଉଥିବା ବ୍ରାହ୍ମଣ ଭୋଜନରେ ବ୍ରାହ୍ମଣମାନଙ୍କ ସହ ମିଶି ଆସି ସମର କ୍ଷେତ୍ରରେ ଛତା ପକାଇ ଆତ୍ମ ଗୋପନରେ ରହିଲେ।
ହେଲେ ଜୁନ୍ ୧୮, ୧୮୫୮ ବେଳକୁ ରାଣୀ ଦୁର୍ଦ୍ଧର୍ଷ ଯୁଦ୍ଧାଶ୍ଵ ଧରି ଯାଉଥିଲା ବେଳେ ଜନୈକ ଗୋରା ସବାର ରାଣୀଙ୍କୁ ଆଘାତ ଦିଏ । ରାଣୀଙ୍କ ଦେହ ରକ୍ତାକ୍ତ ହୋଇପଡିଲା। ଅଶ୍ଵପୃଷ୍ଠରୁ ଭୂପୃଷ୍ଠକୁ ପତିତା ରାଣୀଙ୍କୁ ଘେନିଗଲେ ରାମଚନ୍ଦ୍ର ରାୟ ଦେଶମୁଖ ନାମକ ଜଣେ ବ୍ୟକ୍ତି । ରାଣୀଙ୍କର ଏତାଦୃଶ ଅବସ୍ଥାରେ ମ୍ରିୟମାଣ ଚାଖି ଖୁଣ୍ଟିଆ ଆପଣା ପାଖରେ ଥିବା ଗଙ୍ଗାଜଳରେ ତାଙ୍କୁ ସ୍ନାନ କରାଇଲେ । ସ୍ନାନ ପରେ ହେଲେ ରାଣୀଙ୍କ ଜୀବନ ନାଟିକା ସରିଗଲା ଓ ସେ ଇହଲୀଳା ସମ୍ବରଣ କରନ୍ତି। ଏତେ ବେଳକୁ ଗ୍ବାଲିୟର, କାଶୀ ଭଳି ରାଜ୍ୟ ମଧ୍ୟ ଇଂରେଜ ମାନଙ୍କ ଦଖଲକୁ ଆସିଯାଇଥାଏ। ଆନର୍ମଦା-ହିମାଳୟ ଅଞ୍ଚଳ ସମସ୍ତ ବର୍ତ୍ତମାନ ଇଂରେଜର କରାଳ କବଳରେ। ବିପ୍ଳବୀମାନେ ନୀରବ, ସମ୍ଵଳହୀନ, ରାଜ୍ୟହୀନ ଓ ଦୁର୍ଗହୀନ !
ହେଲେ ମନେ ପଡେ ଯେତେବେଳେ ଅଶ୍ଵପୃଷ୍ଠରୁ ପତିତା ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ଚାଖି ଖୁଣ୍ଟିଆଙ୍କ ବୀରତ୍ଵର ଅମୃତ ମହନୀୟତାକୁ ପ୍ରଶଂସି କହିଥିଲେ, “ଗୋଟିଏ ତୁମେ ଗୋ ଭାରତ ଭୂଇଁରେ
କୋଟି ଶକ୍ତିରେ ଜନ୍ମ ନେବ,
ଭାରତ ଏ ଲାଗେ ମୁକ୍ତ ହେଉନି
ସେତେବେଳେ ଯାଇ ମୁକ୍ତ ହେବ !”
ଦିଲ୍ଲୀପତି ବାଦଶାହା ବାହାଦୁର୍ ଶାହା ଜଫର୍ ବନ୍ଦୀ, ନାନା ସାହେବ ପଳାୟନ କରି ଚାଲିଗଲେ ନେପାଳର ଘଞ୍ଚ ବନାନୀକୁ। ଚାଖି ଖୁଣ୍ଟିଆ ମଧ୍ୟ ବର୍ତ୍ତମାନ ଫେରି ଆସି ବଡ଼ କଷ୍ଟରେ ବିଶ୍ଵାସ ଘାତକ ତଥା ଫିରିଙ୍ଗିଙ୍କ କବଳରୁ ମୁକ୍ତ ହୋଇ ଖସି ଗଲା ପରେ ସର୍ଦ୍ଦାର ରାମଚନ୍ଦ୍ର ରାୟ ନାମକ ସେନାଧ୍ୟକ୍ଷ ପୁରୀକୁ ସମ୍ବାଦ ପଠାଏ ଯେ ଚାଖିଙ୍କ ଦେହାନ୍ତ ହୋଇଛି।
ପୁରୀରେ ସେବାୟତମାନେ ମ୍ରିୟମାଣ ହୋଇ ବିଧିବଦ୍ଧ ଭାବରେ ଯଥାସମୟରେ ନୀତି ସମ୍ପାଦନ ନ କରି ଅକ୍ଷମ ସାଜିଲେ । ପୁରୀରେ ସମସ୍ତେ ଅତି କାତରତାର ସହ ଥିଲଖ ବେଳେ ଚାଖିଙ୍କ ଅତି ବିଶ୍ଵସ୍ତା ପାରିନାନୀ ଦୁଃଖର ସହ ଚାଖିଙ୍କ ଯୁବତୀ ସ୍ତ୍ରୀ ସୁନ୍ଦରମଣିଙ୍କୁ ବିଧବା ସଜେଇଥିଲେ। ହେଲେ ସେହି ସମୟରେ ଚାଖି ବନବନ ବୁଲିଲା ପରେ ପରିଶେଷରେ ପହଞ୍ଚି ଯାଇଛନ୍ତି କାଲାକାଙ୍କର ନାମକ ସ୍ଥାନରେ । ସେଠାରେ ଅନେକ ଯଜମାନ ତାଙ୍କର ରହିଥିଲେ ଓ ସେମାନଙ୍କ ସାହଚର୍ଯ୍ୟ ମାଧ୍ୟମରେ ନିଜର ପରିଚୟ କରାଇଲେ। ଆଉ ସେହି ରାଜବାଟୀ ଠାରେ ଚାରି ବର୍ଷ ରହଣି ପରେ ୧୮୬୫ ମସିହା କୁମାର ପୂର୍ଣ୍ଣିମା ଦିନ ଗୋପନରେ ପୁରୀରେ ନିଜ ବନ୍ଧୁ ଦିବ୍ୟସିଂହ ମିଶ୍ରଙ୍କ ଘରେ ପହଞ୍ଚିଲେ ଚନ୍ଦନ ହଜୁରୀ ।
ଇତି ମଧ୍ୟରେ ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ଚାଲିଥାଏ । ସେଥିପାଇଁ ଏକମାସ ଆତ୍ମଗୋପନରେ ରହିଲେ ଚାଖି ଖୁଣ୍ଟିଆ । କାର୍ତ୍ତିକ ମାସ ଯାକ ପୂରା ରହିବା ଭିତରେ ଏକଦା ପାରି ନାନୀ ତାଙ୍କର ତାଙ୍କୁ ଚିହ୍ନଟ କରି କହିଥିଲେ;
“ନଈରେ ବାଲିଆ ଚହଟିଲା
କଜଳ ସିନ୍ଦୂର ନାଆ ଲୋ ରାଣ୍ଡ
ପୁଣି ଚାଖିଆ ନେଉଟିଲା।”
ଚାଖି ବୈପ୍ଳବିକ ଘନଘଟା ମଧ୍ୟରୁ ମୁକ୍ତି ପାଇ ଏଥର ସ୍ବସ୍ତି ପାଇ ଫେରି ଆସିଛନ୍ତି। ସେ ବିଦେଶରେ ରହି କୌଳିକ କ୍ରିୟାକର୍ମାଦି ଅନୁଷ୍ଠାନ କରିପାରିନଥିବାରୁ ସେ ୧୮୬୫ ମସିହାରେ କାର୍ତ୍ତିକ ଶୁକ୍ଳ ନବମୀ ବା ଅଁଳା ନବମୀ ତିଥିରେ ଯଜ୍ଞ ଅନୁଷ୍ଠାନ ପ୍ରଭୃତି କରି ଜଗନ୍ନାଥଙ୍କ ସେବାରେ ଯୋଗଦାନ ପାଇଁ ଶ୍ରୀମନ୍ଦିରରେ ଯୋଗ ଦେଇଛନ୍ତି। ଆଉ ଏହି ସମୟରେ ତାଙ୍କ କବିତ୍ଵ ଶକ୍ତି ମଧ୍ୟ ଅଫୁରନ୍ତ ଗତିରେ ବାହାରି ପଡେ, ଯାହାର ଉଦାହରଣ ହେଉଛି ତାଙ୍କର ପ୍ରସିଦ୍ଧ ସ୍ତୁତି, “ଚକାନୟନକୁ ପତିତ କେହି“:
“ଚକାନୟନକୁ ପତିତ କେହି
ତକାଇ ଖର ନିଃଶ୍ଵାସ ପକାଇ
ଡକା ପକାଇ ଗରୁଡ଼ ପଛରେ
ବକାରି ମୋ ଆର୍ତ୍ତ ଶୁଣ ସତ୍ଵର ହେ,
ଢକ୍କା ବାଜୁଛି ମହିମା ହେ,
ଠକାର କରି କର୍ଣ୍ଣେ ଗିର ନ ଶୁଣ
କାହିଁକି ବିଚିତ୍ରକର୍ମା ହେ ।
xxx xxx xxx
ନାନା ଅବାଞ୍ଛନୀୟ ପରିସ୍ଥିତି ଓ ଭାଗ୍ୟ ବିପର୍ଯ୍ୟୟ ମଧ୍ୟରେ ଗତି କରି ସୁଦ୍ଧା ମଧ୍ୟ ତାଙ୍କର ମହାପ୍ରଭୁଙ୍କ ପ୍ରତି ଅଚଳାଚଳ ଭକ୍ତିର କସ୍ମିନ୍ କାଳେ ଊଣା ହେବାର ପରିଲକ୍ଷିତ ହେବା ଅପେକ୍ଷା ଏହାର ଭାବବ୍ୟଞ୍ଜକ ଓ ହୃଦୟସ୍ପର୍ଶୀ ଉପଲକ୍ଷ୍ୟ ଏଥିରୁ ମିଳେ । ଏହା ପ୍ରମାଣିତ କରିବା ସହ ସେ ଛାମୁ ଖୁଣ୍ଟିଆ ପାଳିଆ ଭାବେ ରତ୍ନସିଂହାସନ ତଳେ ଉପସ୍ଥିତ ହେଲେ । ସେବାୟତ ଗୋଷ୍ଠୀ ମହୋଲ୍ଲାସରେ ଉଚ୍ଛଳ ହେଇପଡିଥାନ୍ତି । ବନ୍ଧୁପୂର୍ଣ୍ଣ ପରିସର ମଧ୍ୟରେ ଚାଖି ବାଣୀ ମାଧବଙ୍କର ଚରଣାରବିନ୍ଦ ସେବାରେ ମଜ୍ଜିତ ରହିଲେ। ହେଲେ ଘଟଣା ବିଶେଷରେ ଏକଦା ଯେତେବେଳେ ଯେତେବେଳେ ଶ୍ରୀମନ୍ଦିରରେ ସ୍ଵାମୀ ଚନ୍ଦନ ହଜୁରୀଙ୍କୁ ସୁନ୍ଦରମଣି ଭେଟିଲେ, ଅଶ୍ରୁସଜଳ ହୋଇ କହିଲେ,
“ଜଗତ ଠାକୁର କରୁଣା କରିଲେ
କଟିଲା ଆମର କଷଣ ଘୋର,
ତୁମରି ଛାତିରେ ମରିଯାଏ ମୁହିଁ
କଜଳ ସିନ୍ଦୂର ପାଇଲି ମୋର ।”
ହେଲେ ସିପାହୀ ବିଦ୍ରୋହରେ ନେତୃତ୍ୱ ନେଇଥିବାର ଅଭିଯୋଗରେ ଚନ୍ଦନ ହଜୁରୀଙ୍କ ଘରେ ପୁଲିସ୍ ଆସି ତଦନ୍ତ କରିଲେ । ଏହିପରି ନିରର୍ଥକ ଖାନତଲାସରେ ଚାଖି ନିତାନ୍ତ ବ୍ୟସ୍ତ ହୋଇପଡିଲେ। ସେ ଏହିପରି ଆକସ୍ମିକ ବିପଦର ପ୍ରତିକାର ଭାବେ ନିଜ ପତ୍ନୀଙ୍କୁ ବିଶ୍ଵନାଥ ମହାସୁଆରଙ୍କ ଘରକୁ ପଠାଇ ଦେଲେ ଓ ଦୟା ବେହେରା ନାମକ ବିଶ୍ଵସ୍ତ ଭୃତ୍ୟ ହାତରେ କିଛି ପୈତୃକ ସଞ୍ଚିତ ଧନ ମଧ୍ୟ ହସ୍ତାନ୍ତର କରିଥିଲେ । ପରମ୍ପରାକ୍ରମେ ଜଗନ୍ନାଥଙ୍କ ସେବାରେ ନିୟୋଜିତ ରହିଲେ ଚନ୍ଦନ ହଜୁରୀ । ଆଉ ଏକଦିନ ସେ ବନ୍ଧୁମାନଙ୍କ ଅନୁରୋଧକ୍ରମେ ପୁରୀ ସହରର ବଳଶାଳୀ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ବଳପରୀକ୍ଷା ଦେଖାଇଲେ । ସିଂହଦ୍ଵାର ସମ୍ମୁଖରେ ଥିବା ବିଶାଳ ରଥଚକ ଦୁଇଟି ନିଜର ଭୁଜ ଦଣ୍ଡରେ ଗଡାଇ ଗଡାଇ ଚାଲିବାକୁ ଲାଗିଲେ।
ଉତ୍ସାହୀ ଜନତାଙ୍କ ମଧ୍ୟରୁ ପୁଲିସ୍ ବାହିନୀ ହଠାତ୍ ଆସି ଚାଖିଙ୍କ ଚାଲିଚଳଣରୁ ସନ୍ଧାନ ଆରମ୍ଭ କରିଦେଲେ । ସେତେବେଳେ ଆଜିମୁଲ୍ଲା ଖାଁ ନାମିତ ଜଣେ ବିପ୍ଳବୀଙ୍କୁ ପୁଲିସ୍ ଖୋଜୁଥିଲା, ଯାହା ବିଷୟରେ ଚାଖି ଜାଣିଥିବାର ଅଭିଯୋଗ କରି ତଦାନୀନ୍ତନ ଓଡିଶାର କମିଶନର୍ ତାଙ୍କୁ ନୋଟିସ୍ ପଠେଇଲେ । ଆଉ ଆଦେଶନାମା ଅନୁସାରେ ଚାଖି ଦୈନିକ ଫାଣ୍ଡି ଯାଇ ସାକ୍ଷାତ୍ ଦେଇ ଆସିବା ସହ କୌଣସି ନିଦର୍ଶନ ମିଳିନଥିଲା ପୁଲିସ୍’କୁ। ସେତେବେଳେ ଚାଖିଙ୍କୁ ପୁରୀରେ ଅଟକବନ୍ଦୀ ରଖାଗଲା ଯେହେତୁ ସେ ସିପାହୀ ବିଦ୍ରୋହର ନେତୃତ୍ୱରେ ମଧ୍ୟ ରହି ଆସିଥିଲେ। ହେଲେ ଯେତେବେଳେ ପତ୍ନୀ ଏହା ପଚାରିଲେ ଯେ ପୁଲିସ କଣ ପାଇଁ ଆସିଥିଲେ, ଚାଖିଙ୍କ ବିଚକ୍ଷଣ ଉତ୍ତର ଥିଲା:
“ଡର ନାହିଁ ତୁମେ” ଚାଖିଆ କହଇ
“ଡର ନାହିଁ ଆଉ କୋଉଥି ପାଇଁ,
ତୁମରି ପାଶେ ମୁଁ ଅଟକବନ୍ଦୀ
ପୁରୀ ଆଉ କେବେ ଛାଡିବି ନାହିଁ ।”
ଅବଶିଷ୍ଟ ଜୀବନ ସାରସ୍ଵତ ପରିଚର୍ଯ୍ୟା ଓ ମହାପ୍ରଭୁଙ୍କ ସେବାରେ ବିନିଯୋଗ କରି ଅତିବାହିତ କରିଲେ ଚନ୍ଦନ ହଜୁରୀ । ହେଲେ ଏହି ଗୌରବମୟ ମହାମହିମ ୧୮୭୦ ମସିହାରେ ଇହଲୀଳା ସମ୍ବରଣ କରିଲା ପରେ ଓଡିଆ ମାଟି ପାଇଁ ଏହା ଥିଲା ଏକ ଦୁରପନେୟ ଅବସାନ । ହେଲେ ଭାରତୀୟ ସଂଗ୍ରାମର ଏକ ଅକ୍ଷୁଣ୍ଣ ପୃଷ୍ଠାର ଅନିର୍ବଚନୀୟ ଅକ୍ଷରରେ ଆଉ ଓଡିଆ ମାଟିରେ କବିତ୍ଵ ସହ ବୀରତ୍ଵର ଅନବଦ୍ୟ ସଂଗମରୁ ଉତ୍ପତ୍ତି ଲାଭ କରିଥିବା ଏହି ଜାହ୍ନବୀର ଧାରା ଅବଶ୍ୟ ସରିନାହିଁ, ହେଲେ ଆଜି ଏହି ଜାହ୍ନବୀର ଧାରା ବହେ ସେହି ଅଖଣ୍ଡ ଓଡିଆ ପ୍ରାଣର ପ୍ରାଣୋଦାର ପ୍ରବଳ ପ୍ରବାହରେ ପ୍ରୀତିମୁଖର ପ୍ରାୟ ।
© ମୋ ପ୍ରିୟତମ ପାଥେୟର ସରଣୀ ଅମୃତେଶ ଖଟୁଆ