ଲେଖା: ଅଶୋକା ନାୟକ
~ ଶ୍ରୀକ୍ଷେତ୍ରର ନିଆରା ପରମ୍ପରା ଚନ୍ଦନ ମଉଜ ~
ସାଙ୍ଗ, ଭାଙ୍ଗ, ସଙ୍ଗୀତ ଓ ପଙ୍ଗତର କ୍ଷେତ୍ର ଶ୍ରୀକ୍ଷେତ୍ର। ପୁରୀ ଲୋକଙ୍କୁ ବୁଝିବାକୁ ହେଲେ ଏହି ଚାରୋଟି ବିଷୟରେ ଜାଣିବାକୁ ହେବ। ଆଉ ଏହି ଚାରୋଟିର ବ୍ୟାଖ୍ୟା ପାଇଁ ଚନ୍ଦନଯାତ୍ରାରେ ହେଉଥିବା ଚନ୍ଦନ ମଉଜ ବିଷୟରେ ଜାଣିବାକୁ ପଡିବ। କିନ୍ତୁ ଗତ ଦୁଇ ବର୍ଷ ହେଲା କରୋନା ପାଇଁ ଏହି ଯାତ୍ରା ସହ ଜଡ଼ିତ ଏହି ପରମ୍ପରା ଦେଖିବାକୁ ମିଳୁନାହିଁ।
ପୁରୀରେ କେବଳ ଠାକୁରମାନେ ପଟୁଆରରେ ଜଳକ୍ରୀଡା ପାଇଁ ଯାଆନ୍ତି ନାହିଁ ବରଂ ଏଠି ପୁରୀ ବାସିନ୍ଦା ମଧ୍ୟ ପଟୁଆରରେ ଗାଧେଇବା ପାଇଁ ଯାଆନ୍ତି। ହଁ, ଆପଣ ଠିକ୍ ପଢିଲେ, ଗାଧେଇବା ପାଇଁ ପଟୁଆର।
ଚନ୍ଦନଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଚନ୍ଦନ ଗାଧୁଆ ବା ଚନ୍ଦନ ମଉଜ । ଏହି ପରମ୍ପରା ପୁରୀର ଯାଗାଘର ସହ ଜଡ଼ିତ। ଯାଗାଘର ର ସମସ୍ତ ସାଙ୍ଗ ମାନେ ବାଜା, ବାଣ ଓ ରୋଷଣୀର ପଟୁଆରରେ ନରେନ୍ଦ୍ର ପୁଷ୍କରିଣୀକୁ ଯାଆନ୍ତି, ସେଠି ଗାଧୁଆ ପାଧୁଆ କରି ପୁଣି ସେହି ପଟୁଆରରେ ଫେରି ଯାଗାଘରେ ଏକାଠି ପଙ୍ଗତ କରନ୍ତି। ଏହା ବିଷୟରେ ଜାଣିବା ପାଇଁ ଟିକିଏ ପଛକୁ ଫେରିବା। କିଛି ବର୍ଷ ଆଗର ଏହି ଚନ୍ଦନ ମଉଜର ରୂପରେଖ ଟିକିଏ ଜାଣିବାକୁ ଚେଷ୍ଟା କରିବା।
ଚନ୍ଦନ ଗାଧୁଆ ବା ମଉଜ ପାଇଁ ବହୁ ଆଗରୁ ପ୍ରତ୍ୟେକ ଯାଗାଘରେ ବୈଠକ ବସି ପ୍ରସ୍ତୁତି ପର୍ବ ଶେଷ ହେଇଯାଏ। ସମସ୍ତ ଯାଗା ଘରର ସ୍ଵତନ୍ତ୍ର ଦିନ ଧାର୍ଯ୍ୟ ଥାଏ। ୨୧ ଦିନର ଚନ୍ଦନଯାତ୍ରାର ବିଭିନ୍ନ ଦିନ ବିଭିନ୍ନ ଯାଗାଘରକୁ ବଣ୍ଟା ଯାଇଥାଏ। ଆଗରୁ କହିରଖେ ଏହି ପରମ୍ପରା ଯାଗାଘର (ପୁରୀ ଲୋକ ଯେଗାଘର ବୋଲି କୁହନ୍ତି) ସହ ଜଡ଼ିତ ଥିବାରୁ ଏହା ସ୍ଵତନ୍ତ୍ର ଭାବରେ ପୁରୁଷ ପ୍ରଧାନ ବିଷୟ।
ନିର୍ଦିଷ୍ଟ ଦିନର ଉପରବେଳା ଯାଗାଘରେ ସମସ୍ତେ ଏକାଠି ହୋଇ ସେଠାରେ ଭାଙ୍ଗ ସେବନ କରନ୍ତି। ଆଜିକାଲି ଭାଙ୍ଗ କେବଳ ଏକ ମାଦକ ଦ୍ରବ୍ୟ ରୂପେ ପରିଗଣିତ ହେଉଛି। ପ୍ରକୃତରେ କିନ୍ତୁ ପୁରୀର ଭାଙ୍ଗ ଔଷଧ ରୂପେ ନିର୍ଦିଷ୍ଟ ମାପରେ ସେବନ କରାଯାଏ। ଏହାକୁ ପିସ୍ତା ବାଦାମ, ପୋସ୍ତକ, ଗୋଲମରିଚ ସହ ବଟାଯାଇ ବହୁ ଯତ୍ନର ସହିତ ପ୍ରସ୍ତୁତ କରାଯାଏ। ଏହାର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ଏକ କଳା। ପୁରୀ ରେ ଭାଙ୍ଗ ସେବନ ସମ୍ପୂର୍ଣ୍ଣ ରୂପେ ଔଷଧୀୟ ଥିଲା। ଯାଗାଘରେ ପରିଶ୍ରମ କରୁଥିବା ମଲ୍ଲ ଆଉ ଯୋଦ୍ଧା ମାନେ ଏହାକୁ ସେବନ କରୁଥିଲେ। ଯାହାଦ୍ବାରା ସେମାନଙ୍କୁ ସଠିକ ପରିମାଣ ର ନିଦ ଆଉ ଭୋକ ହେଉଥିଲା।
ଚନ୍ଦନ ମଉଜ ଦିନ ଭାଙ୍ଗ ସାରି ସମସ୍ତ ସାଙ୍ଗ ଏକାଠି ହୋଇ ବାହାରନ୍ତି ପଟୁଆରରେ। ଆଗେ ପଟୁଆର ରୋଷଣୀ ରେ କିରୋସିନର ପେଟ୍ରୋମାକ୍ସ ଲାଇଟ୍ ଧରି ଲୋକମାନେ ଯାଉଥିଲେ। ତାହା ସହ ପାରମ୍ପରିକ ବୀର ବାଦ୍ୟ, ଯଥା- ଢୋଲ, ଚାଚେଡି, ଡେମ୍ଫ ଇତ୍ୟାଦିର ତାଳେ ତାଳେ ଯାଗାଘରର ସମସ୍ତ ସାଙ୍ଗ ବୀରଠାଣିରେ ଚାଲି ଚାଲି ଯାଉଥିଲେ।
ଆଗରେ ଥିବ ଯାଗାଘର ର ନିଶାନ। ଆଉ ସେହି ନିଶାନକୁ ନେବାପାଇଁ ମଧ୍ୟ ଯାଗା ଘରର ସବୁଠାରୁ ବଳିଷ୍ଠ, ସୁଦର୍ଶନ ଯୁଆନ ବଛା ହେଇଥିବ। ଉଚ୍ଚା ବାଉଁଶରେ ନିଶାନକୁ ଦୃଢ଼ତାର ସହ ଧରି ରଖିବା ମଧ୍ୟ ସହଜ ନୁହେଁ। ଦୂରରୁ ଦେଖି ଲୋକେ ଠଉରେଇ ଦେଉଥିଲେ କେଉଁ ଯାଗାଘରର ଆଜି ଚନ୍ଦନ ମଉଜ ଯାଉଛି। ନିଶାନର ପଛେ ପଛେ ଯାଗା ଘରର ସମ୍ପାଦକ, ସଭାପତି, ସମ୍ମାନସ୍ପଦ ବ୍ୟକ୍ତି, ମୁରବି, ଆଉ ଅନ୍ୟ ଯାଗା ଘରର ନିମନ୍ତ୍ରିତ ଅତିଥି ଯାଉଥିଲେ। ତାଙ୍କ ପଛକୁ ଅନ୍ୟାନ୍ୟ ସଭ୍ୟ । ମଝିରେ ଯାଗା ଘରର ଯୋଦ୍ଧା, ମଲ୍ଲମାନେ ତାଙ୍କର ସମରକଳା ଦେଖାଇ ଯାଉଥିଲେ। ବନାଟି, ବାଡିଖେଳ ପରି ସମରକଳା ର ପ୍ରଦର୍ଶନ ହେଉଥିଲା।
ସମସ୍ତେ ଗିଲ ପଞ୍ଜାବୀ ପିନ୍ଧି, ପାଟିରେ ଖିଲ ପାନ ପୁରାଇ, ଦେହରେ ଚନ୍ଦନ ଲେପ ଲଗାଇ, ଗଳା ମଲ୍ଲିମାଳ ଲମ୍ବାଇ, ହାତରେ ମଲ୍ଲିଫୁଲର ମାଳ ଗୁଡାଇ ଯାଉଥିଲେ। ଯେତେ ଅଧିକା ମଲ୍ଲିମାଳ, ସେତେ ଅଧିକା ପ୍ରତିପତ୍ତି। କେହି କେହି ମଧ୍ୟ କାନ୍ଧରେ ଓ ହାତ ଆଙ୍ଗୁଠିରେ ପୋଷା ବଣି, ଗୋବରା ଚଢ଼େଇ, ନେଉଳକୁ ମଧ୍ୟ ନେଇ ଯାଉଥିବାର ଦୃଶ୍ୟ ଦର୍ଶକଙ୍କୁ ଆମୋଦିତ କରୁଥିଲା।
ଶୋଭାଯାତ୍ରା ନରେନ୍ଦ୍ରରେ ପହଞ୍ଚିବା ପରେ ପୂର୍ବ ବ୍ୟବସ୍ଥା ଅନୁସାରେ ସେଠାରେ ଜଳପାନ ର ବ୍ୟବସ୍ଥା ସାରି ତୈଳ, ରାମ ରଜ ଇତ୍ୟାଦି ଲଗାଇ ପୋଖରୀରେ ମନଖୁସିରେ ପହଁରି ଗାଧୋଉଥିଲେ। ସେଠାରେ ମଧ୍ୟ ପାରମ୍ପରିକ ଓଡିଶୀ ସଙ୍ଗୀତ ପରିବେଶକୁ ଆହୁରି ମନ୍ତ୍ରମୁଗ୍ଧ କରିଦେଉଥିଲା। ଗାଧୁଆ ସରିବାପରେ ପୁନର୍ବାର ଚନ୍ଦନ ଲଗାଇ ଧୋବ ଲୁଗା ପିନ୍ଧି, ମଲ୍ଲିମାଳ ଲଗାଇ ରାତି ଚାପ ଦେଖି ସେମିତି ରୋଷଣୀରେ ଯାଗାଘରକୁ ଫେରୁଥିଲେ। ଏ ତ ଗଲା ସାଙ୍ଗ, ଭାଙ୍ଗ, ସଙ୍ଗୀତ, ଏବେ ବାକି ରହିଲା ପଙ୍ଗତ। ଯାହା କି ଯାଗାଘରେ ମହାପ୍ରସାଦ ସେବା ଦ୍ଵାରା ସଂପୂର୍ଣ୍ଣ ହୋଇଥାଏ। ପଙ୍ଗତ କହିଲେ କଦଳୀ ପତ୍ରରେ ଖଟଣି ହୋଇଥିବା ଅନ୍ନ ମହାପ୍ରସାଦ, ରାବିଡି, କ୍ଷୀରା-ଛେନା ସମସ୍ତେ ଏକାଠି ବସି ସେବା କରିବା। ଏହି ମହାପ୍ରସାଦ ସେବା ପାଇଁ ମଧ୍ୟ ଅନ୍ୟ ଯାଗା ଘରର ନିମନ୍ତ୍ରିତ ଅତିଥି ମାନେ ଆସିଥାନ୍ତି।
ମୋ ଜେଜେବାପା ତାଙ୍କ ସମୟର ଚନ୍ଦନ ମଉଜ ବିଷୟରେ କହିବା ବେଳେ କହୁଥିଲେ, ସେ’ ଘରୁ ଖିଲ,ତେଲ,ସୋଲ, ଫୁଲ ପାଇଁ ୪ ପଇସା ନେଇ ଯାଉଥିଲେ। ପାଟିରେ ଜାଇଫଳ, ଗୁଜୁରାତି, ଲବଙ୍ଗ ଇତ୍ୟାଦିର ସୁବାସିତ ପାନ ଖିଲ, ଦେହରେ ଲଗାଇବା ପାଇଁ ତେଲ, ପାଣିରେ ଭାସିବା ପାଇଁ ସୋଲ ଓ ହାତରେ ଗୁଡାଇବା ପାଇଁ ଫୁଲ। ପ୍ରତ୍ୟେକ ସାମଗ୍ରୀ ପାଇଁ ଗୋଟିଏ ପଇସା।
ଏବେ ମଧ୍ୟ ଏହିପରି ଭାବରେ ଚନ୍ଦନ ମଉଜ ହେଉଛି କିନ୍ତୁ ଆଧୁନିକତାର କିଛି ଅଂଶ ଏଥିରେ ପଶିଗଲାଣି। ଯେମିତି ଏବେ ଜେନେରେଟର ଲଗାଇ ଆଲୁଅ ଯାଉଛି, ଆଧୁନିକ ଆଲୋକ ବ୍ୟବସ୍ଥା ସାଙ୍ଗକୁ ଆଧୁନିକ ବାଦ୍ୟଯନ୍ତ୍ର ମଧ୍ୟ ସାମିଲ ହେଲାଣି। ଗିଲ ପଞ୍ଜାବି କମିଯାଇ ପ୍ୟାଣ୍ଟ୍ ସାର୍ଟ ପିନ୍ଧା ଯୁବପୀଢ଼ିଙ୍କୁ ସେଥିରେ ଦେଖିବାକୁ ମିଳୁଛି। ଓଡିଶୀ ସଙ୍ଗୀତ ଜାଗାରେ ଅନ୍ୟାନ୍ୟ ଗୀତ ସଙ୍ଗୀତର ବ୍ୟବହାର ହେଉଛି। ସୋଲର ସ୍ଥାନ ନେଇଛି ରବର ଟ୍ୟୁବ୍।
କିନ୍ତୁ କମିନାହିଁ ସେ ଉନ୍ମାଦନା, ସେ ମଲ୍ଲି ମାଳ, ସେ ଠାଣି, ସେ ପଟୁଆର, ସେ ଗାଧୁଆ ଆଉ ସେ ପଙ୍ଗତ। ଏବେ ବି ଆମ ପୁରୀ ଲୋକ ଚନ୍ଦନ ମଉଜ କହିଲେ ଭାବପ୍ରବଣ ହୋଇଯାଆନ୍ତି। ଉତ୍ସାହ ଉଦ୍ଦୀପନା ଭରିଯାଏ ମନରେ। ଏ ମଉଜ ଥରେ ଯିଏ ପାଇଛି, ସେ ହିଁ ଜାଣିଛି।
ଖାଲି ଏତିକି କହିରଖେ, ଆମ ପ୍ରଭୁ ଯେମିତି, ଆମେ ବି ସେମିତି। ସେ ଖାଦ୍ୟ ହେଉ ବା ପାନୀୟ ବା ହେଉ ବିଳାସ ବ୍ୟସନ। ଆମ ସାଆନ୍ତେ ଙ୍କ ପରି ଆମେ ବି ବାସନା ଫୁଲ ଲଗାଇ ପଟୁଆର ରେ ଯାଇ ଜଳକ୍ରୀଡା କରୁ। ସେ ଯେମିତି ଖାଦ୍ୟ ପ୍ରିୟ, ଆମେ ବି ସେମିତି ଖାଦ୍ୟ ପ୍ରିୟ। ଆମ ମଣିମା ଘସା ଜଳ ପାନ କରନ୍ତି ଆଉ ଆମେ କୋଉ କମ୍ କି ? ଆମେ ବି ଜାଇଫଳ, ମଲ୍ଲି ଫୁଲ ପକେଇ ଜଳ ପିଉ।
ସେଥିପାଇଁ ମୁଁ ଅନୁଭବ କରେ, ଆମ ଠାକୁର ସବୁବେଳେ ଆମ ପାଖରେ। ପୁରୀରେ ଜନ୍ମ ହୋଇ ମଧ୍ୟ ଏ ଜନ୍ମରେ ଚନ୍ଦନ ମଉଜର ଅବଶୋଷ ରହିଗଲା।
ମାଲିକେ . .  ଅଧମକୁ, ଆର ଜନ୍ମରେ ଏ ସୁଯୋଗଟି ଦେବେ।
Spread the love
admin

Recent Posts

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

4 days ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

4 days ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

3 weeks ago

ବଗା ପୂଜାରୀ

~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ…

3 weeks ago

ସାହିତ୍ୟ ଭାସ୍କର ମାୟାଧର ମାନସିଂହ

ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି…

3 weeks ago

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

2 months ago