ସୌରଭିତ ସୃଷ୍ଟି: ଚନ୍ଦନ ହଜୁରୀ (ଚାଖିଖୁଣ୍ଟିଆ)
ସେ ଥିଲେ ସିପାହୀ ବିଦ୍ରୋହର ଅନ୍ୟତମ ରଥୀ। ଦେଶପ୍ରେମୀ। ପୁଣି ଶ୍ରୀଜଗନ୍ନାଥଙ୍କ ପରମ ସେବକ। ସେ ଚନ୍ଦନ ହଜୁରୀ, ସିପାହୀ ବିଦ୍ରୋହର ଚାଖି ଖୁଣ୍ଟିଆ। ପ୍ରାତଃ ସ୍ମରଣୀୟ ଅସାଧାରଣ ଓଡ଼ିଆ ବୀର । ସେବକ ଜଗନ୍ନାଥଙ୍କର ସିଏ। ସମର୍ପିତ ଭକ୍ତ, ଭଣିତା କରିଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ‘ଚକାନୟନକୁ ପତିତ କେହି’ ଜଣାଣ ମାଧ୍ୟମରେ। ତାଙ୍କ ଲିଖିତ ଭଣିତା ଉପସ୍ଥାପନ କରି ସେହି ମହାନ ଦେଶପ୍ରେମୀଙ୍କୁ ଭକ୍ତିପୂତ ପ୍ରଣାମ କରୁଛି ‘ଅନ୍ତରଙ୍ଗ କଳିଙ୍ଗ’। ଏହି ଜଣାଣ ୧୮୫୦ ମସିହାର ବୋଲି ସମାଲୋଚକ ମାନେ ମତ ଦେଇଛନ୍ତି।
~ ଚକାନୟନକୁ ପତିତ କେହି ~
ଚକାନୟନକୁ ପତିତ କେହି
ତକାଇ ଖର ନିଶ୍ଵାସ ପକାଇ
ଡକା ପକାଇ ଗରୁଡ ପଛରେ
ବକାରି ! ମୋ’ ଆର୍ତ୍ତ ଶୁଣ ସତ୍ଵରେ ହେ
ଢକକା ବାଜୁଛି ମହିମା ହେ
ଠକାର କରି କର୍ଣ୍ଣେ ଗିର ନଶୁଣ
କାହିଁକି ବିଚିତ୍ର କର୍ମା ହେ। (୧)
କରୀ-ହରିଣୀ ଦ୍ରୌପଦୀ-ବିପତ୍ତି
ହରି ! ହରିଛ ପରା ଡେରି ଶ୍ରୁତି
ଦରିଦ୍ର ସୁଦାମାକୁ କୋଟିନିଧି
ପରିପୂର୍ଣ୍ଣେ ଦେଲେ କୃପାବାରିଧି ହେ
ଧରିଯା ମହିମା ଚିତ୍ତେ ହେ
ସରି ତ ଯାଉଛି ହରି ! ଆଉ ଥରେ
ନ ଚାହିଁଲ କୃପା ନେତ୍ରେ ହେ । (୨)
ଅଜାନୁବାହୁ ! ମୁଁ ପତିତ ଜଣେ
ଅଜାମିଳୁଁ ବଳି ସହସ୍ର ଗୁଣେ
ଲଜ୍ଵା ହରି ନ ତାରିଲେ ନିକର
ଧ୍ଵଜା ଚକ୍ର ରୁ ବହନ ଉତ୍ତାର ହେ
ମଜ୍ଜାରେ ମୁଁ ଏହା ଭାବେ ହେ
ବଜାଇ ଜୟ ଆର୍ତ୍ତତ୍ରାଣ ଡିଣ୍ଡିମ
ହଜାଇ ଦେଉଛି ଏବେ ହେ । (୩)
ଧଣ୍ଡାମାଳ ବୁହା ! ଦୁର୍ଦ୍ଦଶା ରାହୁ
ଚଣ୍ଡାଳ ଗ୍ରାସୁଅଛି ଚାହୁଁ ଚାହୁଁ
ଭଣ୍ଡାରେ ଖଣ୍ଡା ନାହିଁକି ମଣିମା।
ଗଣ୍ଡାକର ଦିଶୁନାହିଁ ମଣିମା ହେ
ହଣ୍ଡା ମୋ’ ଯାଉଛି ଫାଟି ହେ
ଥଣ୍ଡା କରି କୃପା ଜଳ ବୃଷ୍ଟି କରି
ମୋ’ ଚିତ୍ତ-ଚାତକ ପାଟି ହେ । (୪)
ମନ୍ଦରଧର ନୀଳଗିରିବାସୀ
କନ୍ଦରବାସୀ ପ୍ରାୟେ ଅଛ ବସି
ପନ୍ଦର ନେତ୍ର ଧାତା ପୁରନ୍ଦର
ବନ୍ଦନ କରନ୍ତି ଯେଉଁ ପୟର ହେ
ଛନ୍ଦ ଛାଡ଼ ଦେବରାଜେ ହେ !
ନନ୍ଦନନ୍ଦନ ଶ୍ରୀ ଚରଣାର ବିନ୍ଦେ
ଚନ୍ଦନ ହଜୁରୀ ଭଜେ ହେ । (୫)
ଉପସ୍ଥାପନା: ଅନ୍ନପୂର୍ଣ୍ଣା ସାହୁ
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…