ଲେଖା: ଦେଵ ତ୍ରିପାଠୀ
ଓଡ଼ିଶାର ମଞ୍ଚ, ବେତାର, ଦୂରଦର୍ଶନ ନାଟକ, ଗୀତିନାଟ୍ୟ ଓ ଚିତ୍ରନାଟ୍ୟ ପ୍ରସ୍ତୁତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ଅନନ୍ୟ ସ୍ରଷ୍ଟା ଗୋପାଳ ଛୋଟରାୟ ।
୧୯୪୨-୪୩ ମସିହା । ଦ୍ଵିତୀୟ ବିଶ୍ଵଯୁଦ୍ଧର ଚୁଡାନ୍ତ ପର୍ଯ୍ୟାୟ ! ଯେ କୌଣସି ସମୟରେ ଭାରତକୁ ଜାପାନ ଆକ୍ରମଣ କରିପାରେ ! ଭାରତ ସରକାର ପ୍ରମାଦ ଗଣିଲେ । ଏ ଯୁଦ୍ଧରେ ଭାରତର ବ୍ରିଟିଶ ସରକାରଙ୍କୁ ସମର୍ଥନ କରିବେ ନାହିଁ ବୋଲି କଂଗ୍ରେସ ଜଣାଇଦେଲେ । ପ୍ରତିକାରସ୍ବରୂପ, ଦେଶର ବାମପନ୍ଥୀ ନେତାଏ ସଂସ୍ଥାଟିଏ ଗଢିଲେ #ଜାତୀୟ_ଯୁଦ୍ଧ_ସାମ୍ମୁଖ୍ୟ (#National_War_Front) ନାମରେ, ଏବଂ ଏହାର ଉତ୍କଳୀୟ ଶାଖାଟିଏ ଗଢିଉଠିଲା ରାଜଧାନୀ କଟକର ସାହେବଜାଦା ବଜାରରେ । ତେବେ ଦେଶର ପ୍ରାୟ ସବୁ ଅଞ୍ଚଳରେ ସଂସ୍ଥାଟି ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପରେ ମଗ୍ନ ଥିଲାବେଳେ କଟକ ଶାଖା ଥିଲା କେଇପାଦ ଆଗରେ, ସଂସ୍ଥାର ମୁଖ୍ୟ କର୍ମକର୍ତ୍ତା ଉଦାରପନ୍ଥୀ ନେତା ବ୍ରଜସୁନ୍ଦର ଦାସଙ୍କ ଅଦମ୍ୟ ନେତୃତ୍ୱରେ । ନାଟ୍ୟକାରମାନଙ୍କ ଠାରୁ ନୂତନ ନାଟକମାନ ଲେଖିବାକୁ ଆହ୍ୱାନ ଦେବା ସହିତ ମନୋନୀତ ନାଟକ ଗୁଡ଼ିକୁ ୨୦ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିବା ବାବଦରେ ବିଜ୍ଞାପନଟିଏ ଜାତୀୟ ଯୁଦ୍ଧ ସାମ୍ମୁଖ୍ୟ ତରଫରୁ ନିଜର ପତ୍ରିକା #ମୁକୁର ରେ ପ୍ରକାଶ କରାଇଥିଲେ ବ୍ରଜସୁନ୍ଦର । ଆଶ୍ଚର୍ଯ୍ୟଜନକ ଥିଲା ସେ ବିଜ୍ଞାପନର ପ୍ରଭାବ ! ଅସଂଖ୍ୟ ନାଟକର ପାଣ୍ଡୁଲିପି ଆସି ପହଞ୍ଚିଥିଲା ସାମ୍ମୁଖ୍ୟ କାର୍ଯ୍ୟାଳୟରେ । କିନ୍ତୁ ବ୍ରଜସୁନ୍ଦରଙ୍କ ଆଖି ଖୋଜୁଥିଲା କିଛି ଅସାଧାରଣ ।
ଶୀତୁଆ ଅଳସ ଅପରାହ୍ଣ । ୨୫/୨୬ ବର୍ଷର ସୌମ୍ୟଦର୍ଶୀ ଯୁବକଟିଏ ଆସି ପହଞ୍ଚେ ବ୍ରଜସୁନ୍ଦରଙ୍କ କାର୍ଯ୍ୟାଳୟରେ, ହାତରେ ମୋଟା ଖାତାଟିଏ ଧରି । ତେବେ ପୂର୍ବରୁ ମିଳିଥିବା ନାଟକ ଗୁଡ଼ିକ ପ୍ରତି ବୀତସ୍ପୃହତା କାରଣରୁ ଯୁବକଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ ସେ ! ମାତ୍ର ଯୁବକଟି ଯେ ନଛୋଡବନ୍ଧା ! ଆଖିରେ ଆଖିଏ ସ୍ବପ୍ନ, ମନରେ ଦୃଢ଼ ଆତ୍ମପ୍ରତ୍ୟୟ ନେଇ ସେ ଆସିଛି ସାମ୍ମୁଖ୍ୟ କାର୍ଯ୍ୟାଳୟକୁ ! ନାଟକଟି ଯେ ବ୍ରଜସୁନ୍ଦରଙ୍କୁ ପଢ଼ି ଶୁଣାଇବାର ଅଛି ଯେ କୌଣସି ପ୍ରକାରେ ।
ସଞ୍ଜ ଗଡ଼ି ରାତି ହେଲା । ବ୍ରଜସୁନ୍ଦରଙ୍କ ଅଲକ୍ଷ୍ୟରେ କାର୍ଯ୍ୟାଳୟ ବାହାରେ ଶୀତରେ ଅପେକ୍ଷା କରିରହିଛି ଯୁବକଟି । ଏଥର ଆଉ ମନା କରିବାର ଜୁ ନ ଥିଲା ବ୍ରଜସୁନ୍ଦରଙ୍କର । ଭିତରକୁ ଡକାଇ ଯୁବକଟିର ଦେଢ଼ଘଣ୍ଟା ବ୍ୟାପୀ ନାଟକଟି ଶୁଣିଲେ ବ୍ରଜସୁନ୍ଦର, ସେ ନାଟକ ରଚିଲା ଇତିହାସ !
ନାଟକଟିକୁ ତନ୍ମୟ ହୋଇ ଶୁଣୁଥିବା ବ୍ରଜସୁନ୍ଦରଙ୍କ ଆଖିରୁ ବହି ଚାଲିଥିଲା ଆନନ୍ଦାଶ୍ରୁ ! କାନରେ ତୁହାଇ ତୁହାଇ ବାଜୁଥିଲା ନାୟକ ମୁହଁର ସଂଳାପଟି, “ଏ ଦେଶ ଆମର, ସବୁଦିନ ଆମର ଥିଲା, ଆମର ରହିବ . . “, ଜାତୀୟ ପତାକାକୁ ଜାବୁଡ଼ି ଧରି ଶେଷ ନିଃଶ୍ୱାସ ତ୍ୟାଗପୂର୍ବର ଏଇ କଥାଟି ଦୋହଲାଇ ଦେଇଥିଲା ବ୍ରଜସୁନ୍ଦରଙ୍କ ହୃଦୟକୁ ! ଲେଖାଟିର ପ୍ରଚ୍ଛନ୍ନରେ ଥିବା ଯୁବକଟିର ଆବେଗକୁ ପଢିପାରୁଥିଲେ ସେ ! କୋଟିନିଧି ପାଇଗଲେ ସେ ! ଛାତିରେ ଜାକି ଧରିଲେ ଯୁବକକୁ ! ମୁଣ୍ଡରେ ସ୍ନେହବୋଳା ହାତବୁଲାଇ ଆଣି କହିଲେ ପଦିଏ କଥା, “ତୁ ଲେଖ୍, ଏମିତି ଲେଖିଚାଲ୍, ଯୁଦ୍ଧ ପାଇଁ ତୁ ନିଜକୁ କେଉଁଠି ବିକ୍ରି କରିଦେଇନୁ !”
ଲେଖାର ପାରିଶ୍ରମିକ ବାବଦରେ, ଯୁବକଙ୍କୁ ଯେ ବ୍ରଜସୁନ୍ଦର ୨୦ ଟଙ୍କା ବଦଳରେ ୩୫ ଟଙ୍କା ଦେଇଥିଲେ ସେ କଥା ଏଠାରେ ଅପ୍ରାସଙ୍ଗିକ । ମୂଳନାମ ‘ସଲିଳା’କୁ ବଦଳାଇ #ସହଧର୍ମିଣୀ ରଖିଲେ ସେ । ଦିନ କେଇଟାରେ ମୁକୁର ପ୍ରେସ୍’ରୁ ଛପାଗଲା ନାଟକଟି । ନାଟକଟିର ଆବେଦନ ଯେ ଭାରତବାସୀଙ୍କ ନିକଟରେ ପହଞ୍ଚିବା ଦରକାର ! ବ୍ରଜସୁନ୍ଦରଙ୍କ ପ୍ରେରଣାରେ ରେଭେନ୍ସାର ଜନୈକ ଅଧ୍ୟାପକ କୀର୍ତ୍ତନ ବିହାରୀ ପଟ୍ଟନାୟକ ନାଟକଟିକୁ ଇଂରାଜୀରେ ଅନୁବାଦ କଲେ । ସ୍ବୟଂ ବ୍ରଜସୁନ୍ଦର ହିଁ ଇଂରାଜୀ ନାଟକର ପ୍ରକାଶନ ଏବଂ ସର୍ବଭାରତୀୟ ବଜାରରେ ଉପସ୍ଥିତି ପାଇଁ ଲାଗି ପଡିଲେ ।
କଟକର ସୀମାଚଉହଦୀ ଟପି ଓଡ଼ିଶାର ଜନସାଧାରଣଙ୍କୁ ନିଜ ପ୍ରଚ୍ଛନ୍ନ ଆବେଗରେ ବାନ୍ଧି ରଖିଲା ନାଟକଟି ! ଦେଶର କୋଣ ଅନୁକୋଣରେ ଇଂରାଜୀ ବହିଟି ପହଞ୍ଚିଲାବେଳକୁ ଅନୂଦିତ ହୋଇ ସାରିଥିଲା ଗୁଜରାଟି, ହିନ୍ଦି, ବଙ୍ଗଳା ଇତ୍ୟାଦି ଅନ୍ୟ ଭାରତୀୟ ଭାଷାରେ !
ବ୍ରଜସୁନ୍ଦରଙ୍କ ନିରବଚ୍ଛିନ୍ନ ଉଦ୍ୟମରେ ‘ସହଧର୍ମିଣୀ’ ଭାରତୀୟ ସାହିତ୍ୟରେ ଗ୍ରହଣ କଲା ଗୁରୁତ୍ଵପୂର୍ଣ୍ଣ ଭୂମିକା, ଓଡ଼ିଶାବାସୀଙ୍କ ହୃଦୟରେ ଜାତୀୟତାର ଫଲ୍ଗୁ ବୁହାଇଥିବା ସେଇ ନାଟକର ସ୍ରଷ୍ଟା ୨୬ ବର୍ଷର ଯୁବକ ଜଣକ ବନିଗଲା ଓଡ଼ିଆ ନାଟ୍ୟ ସାହିତ୍ୟର ନୂତନ ଅଧ୍ୟାୟ ଓ ନବଧାରାର ଅବଧାରକ ।
ବ୍ରଜସୁନ୍ଦରଙ୍କ କଥାପଦକୁ ଜୀବନର ମନ୍ତ୍ର ବୋଲି ଗ୍ରହଣ କରି ତାଙ୍କ ଚରଣରେଣୁକୁ ଗଣ୍ଠିଧନ କରି ସେ ଯୁବକର ସୃଜନର ନିର୍ଝରଣୀ ଫିଟିଲା ସେ ବହି ଚାଲିଲା କଳକଳ ହୋଇ, ଦୁଇକୂଳକୁ ସ୍ନିଗ୍ଧଶ୍ୟାମଳ କରି ! ଓଡ଼ିଶାର ମଞ୍ଚ, ବେତାର, ଦୂରଦର୍ଶନ ନାଟକ, ଗୀତିନାଟ୍ୟ ଓ ଚିତ୍ରନାଟ୍ୟ ପ୍ରସ୍ତୁତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ଅନନ୍ୟ ସ୍ରଷ୍ଟା ଗୋପାଳ ଛୋଟରାୟ ଭାବେ ପରିଚିତ ହେଲା ସେ ।
ଆଜି ଓଡ଼ିଶା ମାଟିରେ ସହସ୍ରାଧିକ ପତ୍ରପତ୍ରିକା ସତ ! ମାତ୍ର ‘ମୁକୁର‘ଟିଏ ନାହିଁ କି ବ୍ରଜସୁନ୍ଦର ନାହାଁନ୍ତି ! ସମାଜ ପ୍ରତି, ଦେଶ ପ୍ରତି, ରାଷ୍ଟ୍ର ପ୍ରତି ଦାୟିତ୍ୱ ଅନୁଭବ କରିପାରୁଥିବା ସମ୍ପାଦକ କେହି ନାହାଁନ୍ତି ! ସେଥିପାଇଁ ବୋଧେ ଓଡ଼ିଆ ସାହିତ୍ୟାକାଶରେ ‘ଗୋପାଳ ଛୋଟରାୟ’ ମାନେ ଉତୁରିବାର ଦେଖାଯାଉନି ଆଉ . . !