ଲେଖା: ଦେଵ ତ୍ରିପାଠୀ
“ପାଇଲି ଅସଲ ଚିଜ ହେଉ ତାହା ଛଡ଼ା,
ନିରୋଳ ଓଡ଼ିଆ କଥା ଥିଲା ମୋର ଲୋଡା,
ପଢିଲି ସାହିତ୍ୟ ବସି ପହରେକ ଆଜ,
ଠିକ୍ ଠିକ୍ ଗାଇ ଯାଇଛନ୍ତି ପ୍ରହରାଜ . . “
ଯାହାଙ୍କ ପ୍ରଶଂସାରେ ବ୍ୟାସକବି ଫକୀରମୋହନ ଏପରି ଶତମୁଖ ହୋଇପଡ଼ିଥିଲେ, ସେଇ ମହାନ ସ୍ରଷ୍ଟା କିନ୍ତୁ ଆମ ଭାଷାସାହିତ୍ୟର ଉନ୍ନତି ପାଇଁ କରିଥିଲେ ସର୍ବସ୍ବ ତ୍ୟାଗ, ବାଜି ଲଗାଇଥିଲେ ଜୀବନ ଓ ଜୀବିକାକୁ, ଜଳାଞ୍ଜଳି ଦେଇଥିଲେ ଜୀବନର ୩୦ଟି ବର୍ଷ, ଆମ ସାହିତ୍ୟର ଅନୁପମ କୋଣାର୍କ ଗଢିବା ପାଇଁ ସେ ହରାଇଥିଲେ କଟକର ପ୍ରାସାଦ ପରି ବାସଗୃହ ଆଉ ଅଚଳାଚଳ ସମ୍ପତ୍ତି, ସେ ଥିଲେ ସେଇ କୋଣାର୍କର ଶିବେଇ, ସେ ବି ଥିଲେ ଵିଶୁ ମହାରଣା, ଧରମା ସାଜି ସେଇ ଐତିହାସିକ କୃତିର ମୁଣ୍ଡି ମାରିଥିଲେ, ନିଜ ଜୀବନକୁ ତିଳ ତିଳ କରି ଓଡ଼ିଆ ଜାତିକୁ ଅର୍ପଣ କରିଥିଲେ ସର୍ବଶ୍ରେଷ୍ଠ ଉପାଦାନ ଓଡ଼ିଆ ଶବ୍ଦକୋଷ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
ପେଷାରେ ଜଣେ ଓକିଲ ହୋଇଥିଲେ ମଧ୍ୟ ଗୋପାଳଚନ୍ଦ୍ର ସୃଷ୍ଟି କରିଥିଲେ ସାମାଜିକ, ରାଜନୀତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତିଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ । ସେ ଫକୀରମୋହନଙ୍କ ପଥକୁ ଅନୁସରଣ କରି ଓଡ଼ିଆ ବ୍ୟଙ୍ଗସାହିତ୍ୟକୁ ପହଞ୍ଚାଇଥିଲେ ଏକ ଉଲ୍ଲେଖନୀୟ ସୋପାନରେ ।
“ଉତ୍କଳ କାହାଣୀ”, “ଭାଗବତ ଟୁଙ୍ଗୀରେ ସନ୍ଧ୍ୟା”, “ବାଇ ମାହାନ୍ତି ପାଞ୍ଜି”, “ଦୁନିଆର ହାଲଚାଲ”, “ନନାଙ୍କ ବସ୍ତାନି”, “ଆମ ଘରର ହାଲଚାଲ”, ମିଆଁ ସାହେବଙ୍କ ଭୋଜନାଳୟ”, “ବାଇନନାଙ୍କ ବୁଜୁଳି” “ସ୍ୱପ୍ନରେ ରାଜଯୋଗ” ପରି ବହୁ କାଳଜୟୀ ବ୍ୟଙ୍ଗରଚନା ଓ ଅଗଣିତ ପ୍ରବନ୍ଧ ତଥା “ଧୋ ରେ ବାୟା ଧୋ”, “ଜେଜେ ବାପାଙ୍କ ଟୁଣିମୁଣି” ପରି ଶିଶୁସାହିତ୍ୟ ସହିତ ୯୪୫୦ ପୃଷ୍ଠା ସମ୍ବଳିତ ତଥା ୧,୮୫,୦୦୦ ଶବ୍ଦର ବିଶଦ ବିବରଣୀ ସଙ୍କଳିତ #ପ୍ରଥମ #ଓଡ଼ିଆ ଭାଷାକୋଷ (୭ ଖଣ୍ଡ) ରଚନା କରି ସେ ଓଡ଼ିଆ ଜାତିକୁ କରିଛନ୍ତି ମହିମାମଣ୍ଡିତ ।
ଯେତେ ଜ୍ଞାନୀ, ପଣ୍ଡିତ ହେଲେ ମଧ୍ୟ ସେସବୁ ଓଡ଼ିଆ ଶବ୍ଦ ବିଷୟରେ ଜ୍ଞାତ ଥିବେ ଏହା ସମ୍ଭବ ନୁହେଁ । ତେବେ ଆମ ଭାଷାର ସମସ୍ତ ବ୍ୟବହୃତ ଶବ୍ଦର ନିର୍ଭୁଲ ବନାନ ପାଇଁ ଆମ ନିକଟରେ ଉଜ୍ଜ୍ୱଳ ଦର୍ପଣ ପରି ରହିଛି ଅନବଦ୍ୟ ସୃଷ୍ଟି #ପୂର୍ଣ୍ଣଚନ୍ଦ୍ର #ଭାଷାକୋଷ । ଏଇ ଭାଷାକୋଷର ପ୍ରକାଶନ ପାଇଁ କେତେ କଷ୍ଟ ସହିନାହାଁନ୍ତି ଗୋପାଳଚନ୍ଦ୍ର ପ୍ରହରାଜ । କେତେ ଓକିଲ, ମହନ୍ତ, ସାହୁକାର, ଜମିଦାର, ରାଜାମହାରାଜାଙ୍କ ନିକଟରେ ହାତପତାଇ ନାହାଁନ୍ତି ସେ । ଖଡ଼ିଆଳର ଓଡ଼ିଆପ୍ରାଣ ମହାରାଜା ଆର୍ତ୍ତତ୍ରାଣ ଦେବ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ମୁଦ୍ରଣ ଓ ପ୍ରକାଶନ ବାବଦ ସମସ୍ତ ଅର୍ଥରାଶି ପ୍ରଦାନ କରିଥିଲେ, ମାତ୍ର କୌଣସି କାରଣରୁ ଗୋପାଳଚନ୍ଦ୍ର ପ୍ରହରାଜ ଉକ୍ତ ଅର୍ଥର ସଦୁପଯୋଗ କରି ପରି ନ ଥିଲେ ।
ଶେଷରେ ତତ୍କାଳୀନ ମୟୁରଭଞ୍ଜ ରାଜାଙ୍କ ସର୍ତ୍ତକୁ ଗ୍ରହଣ କରି ତାଙ୍କ ବଡ଼ଭାଇ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ରଙ୍କ ନାମରେ ହିଁ ପ୍ରକାଶ କରାଇଥିଲେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ କୃତିକୁ, ତାଙ୍କ ମାନସପୁତ୍ରକୁ – ଏଇ ଭାଷାକୋଷକୁ ! ତେବେ କନିକା ଗଡ଼ଜାତର ସଂସ୍କୃତିପ୍ରେମୀ ମହାରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ୧ମ ଓ ୭ମ ଭାଗର ପ୍ରକାଶନର ଖର୍ଚ୍ଚ ବହନ କରିଥିଲେ I
ପ୍ରକୃତରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏକ Lexicon। ପ୍ରତ୍ୟେକ ଶବ୍ଦର ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଭାଷାରେ ଅର୍ଥ ଏଥିରେ ଦର୍ଶାଯାଇଛି। ଆଉ କେଉଁ ଭାରତୀୟ ଭାଷାରେ ଏପରି ଏକ ଶବ୍ଦକୋଷ ଉଦାହରଣ ଥିବା ଜଣାନାହିଁ। ଗୋପାଳଚନ୍ଦ୍ର ପ୍ରହରାଜ ମହୋଦୟ ଏହାକୁ ସଙ୍କଳିତ କରି ଓଡ଼ିଆ ଭାଷାସାହିତ୍ୟକୁ ଏକ ପୂର୍ଣ୍ଣ ଚନ୍ଦ୍ର ପ୍ରଦାନ କରିଛନ୍ତି। ତେବେ ଏହାର ପୁନଃ ପ୍ରକାଶନ ବିଭିନ୍ନ ଆଇନ ଗତ କାରଣରୁ ଅଟକି ରହିଥିଲା ଏବେ ସଙ୍କଳନ ମିଳୁଛି କି ନାହିଁ ଜଣାନାହିଁ।
୧୯୪୫ ମସିହା ମଇ ୧୬ ତାରିଖରେ କଟକସ୍ଥିତ ବାସଭବନରେ ସେଇ ଭାଷାପ୍ରାଣ ମହାନରଥୀ ଗୋପାଳଚନ୍ଦ୍ର ପ୍ରହରାଜ ଦେହତ୍ୟାଗ କରିଥିଲେ ।
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago