ଲେଖା: ଶିଶିର ସାହୁ ମନୋଜ

Buprestidae ପରିଵାରର ପୋକଗୁଡି଼କୁ ଇଂରାଜୀରେ jewel beetles ଓ ଆମ ଭାଷାରେ ଗୁଞ୍ଜରା ଵା ଗୁଞ୍ଜୁରା କୁହାଯାଏ ।
ଯେମିତି ଜୀଵ ଭେଦରେ ଉକୁଣୀଙ୍କ ଵିଭିନ୍ନ ଜାତି ରହିଛି ଠିକ୍ ସେଇଭଳି ଵୃକ୍ଷଭେଦରେ ଭିନ୍ନ ଭିନ୍ନ ଗୁଞ୍ଜରା ଦେଖାଯାଇଥାନ୍ତି ।

ଏହି ଜୀଵପରିଵାରର Sternocera ଜାତୀୟ ପୋକଙ୍କୁ ଆମେ ଚାକୁଣ୍ଡାଦି ଵର୍ଗର ଗଛରେ ଦେଖିଥାନ୍ତି ।

Sternocera Orissa ନାମକ ଗୁଞ୍ଜରା ପୋକ କଳା ରଙ୍ଗର ହୋଇଥାଏ ଏଵଂ ସମ୍ଭଵତଃ ପ୍ରଥମେ ଏ ପୋକ ଫରାସୀ କୀଟଵିଜ୍ଞାନୀ ଓ ଵ୍ଯାପାରୀ Jean Baptiste Lucien Buquet (୧୮୩୭ରେ) ଓଡ଼ିଶାରେ ପାଇଥିଵାରୁ  ଏହାର ଏଭଳି ନାମକରଣ କରିଥାଇ ପାରନ୍ତି ।


Buprestidae ପରିଵାରର ଆଉ ଏକ ଜାତୀୟ ପୋକ (Amblysterna ?) ଆମ୍ବାଦି ଵର୍ଗର ପାଦପ ମଈଗଛରେ ଦେଖାଯାଆନ୍ତି ।

ବିଂଶ ଶତାବ୍ଦୀଯାଏଁ ଓଡ଼ିଶାର ବାଳୁତମାନେ ଏମାନଙ୍କୁ ଚାକୁଣ୍ଡା ଓ ମଈ ଗଛରୁ ଧରି ଖେଳୁଥିଲେ, ଵର୍ଷାଦିନିଆ ଗୁଞ୍ଜରା ଧରି ପାଳିଵା ଓ ବଡ ହେଲେ ଗଛକୁ ଛାଡି଼ଦେଵା  ସେସମୟର ଖେଳ ଥିଲା ।

କଵି ଦୀନକୃଷ୍ଣ ଦାସଙ୍କ ରସ କଲ୍ଲୋଳରେ ଗୁଞ୍ଜରା ପୋକକୁ ଧରି ପିଲାଏ ଆଗେ କେମିତି ଖେଳୁଥିଲେ ତାହା ଵର୍ଣ୍ଣିତ ହୋଇଅଛି,
“କୁମ୍ଭକାରଚକ୍ର ପ୍ରାୟେ ହୋଇ,
କଣ୍ଠୀରବ ବଇରି ବୁଲଇ ।।
କୁମାରକରରେ ବନ୍ଧନେ ସୂତ୍ରରେ,
ଗୁଞ୍ଜୁରା ଯେହ୍ନେ ଭ୍ରମଇଁ ।।”

ଆଗକାଳରେ ଯେତେବେଳେ କାଗଜ, ଅଭର(ପ୍ଲାଷ୍ଟିକ)ର ପ୍ରଚଳନ ଏ ଦେଶରେ ନଥିଲା ସେ ସମୟରେ ଆମଦେଶର ସ୍ତ୍ରୀଲୋକେ Buprestidae ପରିଵାରର ପୋକମାନଙ୍କର ଦୃଢ଼ ପକ୍ଷର ଵିଭିନ୍ନ ରଙ୍ଗର ଟିକିଲି ଵିଶେଷତଃ ନାଲି ନେଳୀ ଓ କଳା ଟିକିଲି ତିଆରି କରି ଲଗାଉଥିଲେ ।

ଏହି ଟିକିଲି ଆମ ଦେଶରେ ବହୁ ପ୍ରଚଳିତ ଥିଲା ଫଳତଃ ସାହିତ୍ୟରେ ମଧ୍ୟ ଏହାର ଉଲ୍ଲେଖ କରାଯାଇଥିଵା ଦୃଷ୍ଟିଗୋଚର ହୋଇଥାଏ । ତେଣୁ ଆମ ଭାଷାରେ ଗୁଞ୍ଜରପୋକ ସହ ସେ ପୋକର ଖୋଳରୁ ପ୍ରସ୍ତୁତ ଗୋଲାକାର ଟିକିଲିକୁ ମଧ୍ୟ ଗୁଞ୍ଜରା କୁହାଯାଉଥିଲା ।

ଭୂପତି ପଣ୍ତିତଙ୍କ ପ୍ରେମ ପ୍ରଞ୍ଚାମୃତରେ ଏଇ ଜାତୀୟ ଟିକିଲିର
ଉଲ୍ଲେଖ ଥିଵା ଦେଖାଯାଏ !
“ମୟୂର ମୁକୁଟ ଶୋଭନ ଗୁଞ୍ଜ ଗୁଞ୍ଜରା ଗୋରଚନ। “


ତେଵେ ଓଡ଼ିଆ ଭାଷାରେ ଗୁଞ୍ଜରା ଶବ୍ଦର ଆହୁରି ଅନେକ ଅର୍ଥରେ  ଵ୍ଯଵହାର ରହିଛି ।

ଆଗକାଳରେ ମୁଣ୍ଡର ମାଳାପରି ଆଭରଣଵିଶେଷକୁ ଗୁଞ୍ଜରା କୁହାଯାଉଥିଲା । କାଇଞ୍ଚର ମାଳାକୁ ମଧ୍ୟ ଗୁଞ୍ଜରା କୁହାଯାଉଥିଲା ଓ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏହି ଅର୍ଥରେ ଗୁଞ୍ଜରା ଶବ୍ଦଟି ବହୁଳ ଭାବେ ପ୍ରୟୋଗ ହୋଇଅଛି,
“ମଣି ଗୁଞ୍ଜରା ଶିରେ ଧରି
ଗାଈଙ୍କ ପଛେ ବନଚାରୀ।”
(ପଣ୍ଡିତ ଜଗନ୍ନାଥ ଦାସ—ଭାଗବତ।)

ସେହିପରି ସାରାଳାଦାସଙ୍କ ମହାଭାରତରେ ଗୁଞ୍ଜରା ମାଳୀ ଶବ୍ଦ କାଇଁଚମାଳୀ ଅର୍ଥରେ ଵ୍ଯଵହୃତ ହୋଇଅଛି
“କଣ୍ଠେଣ ଗୁଞ୍ଜରା ମାଳୀ ଲୋହିତ ଵର୍ଣ୍ଣ ଆଖି
ଵିଜେ କର୍ଣ୍ଣ କଟାରି ମେଖଳା ଝିଙ୍କ ପକ୍ଷୀ । ୨୫।”

ଓଡ଼ିଆ ଭାଗଵତରେ ଗୁଞ୍ଜରା ପାଟି ବୋଲି ଆଉ ଶବ୍ଦର ମଧ୍ୟ ଵ୍ଯଵହାର ହୋଇଥିଵା ଦେଖାଯାଏ । ଯଥା:
“କଟୀ ମେଖଳା ରତ୍ନ ଛନ୍ଦି ।
ଶିରେ ଗୁଞ୍ଜରା ପାଟି ବାନ୍ଧି ।।୩୧।।
ଶିରେ ମୟୂର ପୁଚ୍ଛ ଚୂଳ ।
କର୍ଣ୍ଣରେ କୋମଳ ପତର ।।୩୨।।”

ପୁଣି ଭାଗଵତର “ଶରଦ ରାସ” ଆଖ୍ୟାନରେ ମଧ୍ୟ କଵି ଜଗନ୍ନାଥ ଦାସ ଗୁଞ୍ଜୁରା ପାଟି ଶବ୍ଦ ଵ୍ଯଵହାର କରି ରଚିଅଛନ୍ତି…
“ନାନା କୁସୁମେ ପରିମଳ ।⁠
ହୃଦେ ଲମ୍ବଇ ବନମାଳ ।
ଗୁଞ୍ଜୁରା ପାଟି ତାଳୁ ଚୂଳ ।⁠
ଶ୍ରବଣେ ମକରକୁଣ୍ଡଳ । ୧୦୦ ।”

ପୂର୍ଵେ ଏକ ଜାତୀୟ ମସ୍ତକାଭରଣକୁ ଗୁଞ୍ଜରା ଵା ଗୁଞ୍ଜରାପାଟି କୁହାଯାଉଥିଲା । ତେଵେ ଏକବିଂଶ ଶତାବ୍ଦୀରେ ଗୁଞ୍ଜରାମାଳ ଓ ଗୁଞ୍ଜରାପାଟି ପିନ୍ଧିଵାର ଚଳଣ ଉଠିଗଲାଣି । ଆଜିକାଲିର ବାଳୁତ ଗୁଞ୍ଜରା ପୋକ କହିଲେ ଜାଣିନଥିଵେ ଵରଂ ଫ୍ରିଫାୟାର୍ କି ପବ୍ଜି କଣ ପଚାରିଲେ ଝଟ୍ ଉତ୍ତର ଦେଇଦେଵେ ।


ଭାରତୀୟ ସଂସ୍କୃତି ପ୍ରକୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ କିନ୍ତୁ ଆଧୁନିକ ମାନଵ ଦିନୁଁ ଦିନ ପ୍ରକୃତି ଠାରୁ ଦୂରେଇ ଯାଉଛି ଫଳରେ ପ୍ରାଚୀନ ପରମ୍ପରା, ଚଳଣି ସହ ତତ୍ ସମ୍ବନ୍ଧୀୟ ଶବ୍ଦ ବି ମରି ହଜି ଯାଉଛନ୍ତି ।

ଆଧୁନିକ ସାହିତ୍ୟିକ ନଗରରେ ବସି ଗୁଞ୍ଜୁରା ପୋକର ପରିଚୟ ପାଇପାରିନାହିଁ ତେଣୁ ସେ ତାକୁ ସାହିତ୍ୟ ରାଜ୍ଯରେ ଲୋକପ୍ରିୟ କରିପାରିନାହିଁ । ନଗରର ଲୋକେ ପୋକ ଦେଖିଲେ ଭୟରେ ତାକୁ ମାରି ଦିଅନ୍ତି ସେମାନେ କ’ଣ କେବେ ଗୁଞ୍ଜରା ପୋକର ମହତ୍ତ୍ଵ ବୁଝିପାରିଵେ ?

ସାହିତ୍ୟ ଜଗତରେ ଏକ ପୋକ ଭାବରେ ଜୁଳୁଜୁଳିଆ ପୋକର ଯୋଉ ପ୍ରସିଦ୍ଧି ତାହା ଅନ୍ୟ ପୋକଙ୍କ ଭାଗ୍ଯରେ ଜୁଟି ନାହିଁ ‌ ।  ସାହିତ୍ୟରେ ଆଉ କଣ ଜୁଳୁଜୁଳିଆ ପୋକ ଭଳି ଖତ ପୋକ, ଘୋଡ଼ା ପୋକ, କଲେଇ ପୋକ ଵା ଝଡି଼ପୋକ, ତେଲୁଣି ଵା ଗମୀ ପୋକ, କଲିକତରା, ସାଧଵଵୋହୂ ପୋକ ଓ ଗୁଞ୍ଜରା ପୋକ ଇତ୍ୟାଦି ସ୍ଥାନ ପାଇପାରିଵେ ?

© ଶବ୍ଦଭେଦ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 months ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 months ago