ଲେଖା: ଦେଵ ତ୍ରିପାଠୀ

 

ଦିନ ଥିଲା, ସୁବର୍ଣ୍ଣପୁରର ରାଜବାଟୀ ସାମ୍ନା ପିଣ୍ଡି, ଧରାକୋଟର ବଡ଼ ମନ୍ଦିର ବେଢ଼ା, ପୁରୀର ସାହିମଣ୍ଡପ, ଅବା କଟକ ସାହିଗୁଡିକର ସାହିଘର, ବୁଗୁଡ଼ା, ଦିଗପହଣ୍ଡି ଅଞ୍ଚଳର ଶାସନୀ ଗାଁଗୁଡ଼ିକର ଦୋଳମଣ୍ଡପ ଇତ୍ୟାଦିରେ ମଧ୍ୟବୟସ୍କ ଅବା ବୟୋବୃଦ୍ଧମାନଙ୍କର ହସଖୁସି, ଟାହିଟାପରା ଜଡ଼ିତ ଅବସର ବିନୋଦନ କିମ୍ବା ଶ୍ରମଭାରଲାଘବର ଏକ ଉତ୍ତମ ଓ ବଳିଷ୍ଠ ମାଧ୍ୟମ ଥିଲା ଗଞ୍ଜପା ତାସ୍’ର ଖେଳ । 

ମୋଗଲ ସମ୍ରାଟ ବାବରଙ୍କ ସମୟରୁ କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ସମେତ ଆମ ରାଜ୍ୟର ସୁବର୍ଣ୍ଣପୁର ଓ ଗଞ୍ଜାମ ଜିଲ୍ଲାରେ ପରିପୁଷ୍ଟ ହୋଇଥିବା ଭିନ୍ନ ଭିନ୍ନ ଶୈଳୀର ଗଞ୍ଜପା ଦୃଷ୍ଟିଗୋଚର ହୋଇଥାଏ । ରାଜସ୍ଥାନ, କର୍ଣ୍ଣାଟକ ଓ ଆମ ରାଜ୍ୟ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ଏହି ଗଞ୍ଜପା କଳା ମୁଖ୍ୟତଃ ରାଜାମହାରାଜା କିମ୍ବା ଶାସକଗୋଷ୍ଠୀର ଚାହିଦା ମୁତାବକ ଅଥବା ତୋଷାମଦି ଭାବରେ ତିଆରି କରାଯାଉଥିବା କାରଣରୁ ହୁଏତ କଳାତ୍ମକ ଉତ୍କର୍ଷତା ଲାଭ କରିପାରି ନ ଥିଲା । ତେବେ କର୍ଣ୍ଣାଟକର ଶିଳ୍ପୀଗଣ ନିଜରାଜ୍ୟର ମହାନ ରାଜକୀୟ ଐତିହ୍ୟ, ଗାରିମା ଓ ଇତିହାସର ଗାଥା ଗାନ କରିଥିବା ବେଳେ ରାଜସ୍ଥାନୀ ଶିଳ୍ପୀଗଣ ପୌରାଣିକ କିମ୍ବଦନ୍ତୀ ଏବଂ ରାଜରଜୁଡାଙ୍କର ଐତିହାସିକ କୀର୍ତ୍ତିରାଜିକୁ ସ୍ଥାନିତ କରିଥିଲେ ନିଜ ନିଜ ଗଞ୍ଜପାର ଶୈଳୀରେ । 

ତେବେ ଆମ ଉତ୍କଳର କଳାପ୍ରତି ସମର୍ପିତ ରାଜନ୍ୟବର୍ଗ ତଥା ସୁବର୍ଣ୍ଣପୁରର ମଠମନ୍ଦିର ଏବଂ ଧର୍ମୀୟ ଅନୁଷ୍ଠାନଗୁଡ଼ିକର ପ୍ରୋତ୍ସାହନରେ ସମୃଦ୍ଧ, ପରିବ୍ୟାପ୍ତ ଓ ପ୍ରସିଦ୍ଧ ହୋଇପାରିଥିଲା ଏହି ଅନନ୍ୟ ହସ୍ତକଳା । ସୁବର୍ଣ୍ଣପୁରୀ ଗଞ୍ଜପାରେ ନିରନ୍ତର ପରୀକ୍ଷାନିରୀକ୍ଷା, ନୂତନତ୍ବର ଅବଧାରଣା କରୁଥିବା ଶତାବ୍ଦୀ ଶତାବ୍ଦୀ ଧରି ସମୟର ଜଟିଳ ପଥରେ ଯାତ୍ରାକରି ହୋଇପାରିଥିଲା ମାର୍ଜିତ, ଆକର୍ଷଣୀୟ ଓ ଜନାଭିମୁଖୀ । 

ଦରବାରୀ ଶୈଳୀକୁ ତ୍ୟାଗ କରି ଲୋକାଭିମୁଖୀ ଶୈଳୀକୁ ଆପଣାଇ ସେଥିରେ ଅପୂର୍ବ କଳାକାରିତା ଭରିଦେଇଥିବା କାରଣରୁ ସୁବର୍ଣ୍ଣପୁରୀ ଗଞ୍ଜପା ହୋଇପାରିଥିଲା ସମଗ୍ର ଦେଶରେ ଅଦ୍ୱିତୀୟ ଓ ଦୀର୍ଘସ୍ଥାୟୀ । ପୌରାଣିକ କଥାବସ୍ତୁ, ସମସାମୟିକ ଘଟଣାବଳୀ, ସୁବର୍ଣ୍ଣପୁରୀ ମନ୍ଦିର ଗୁଡ଼ିକର ସ୍ଥାପତ୍ୟ, ବିଭିନ୍ନ ଲୋକନୃତ୍ୟ, ଜଗନ୍ନାଥ ସଂସ୍କୃତି, ମହିମାଧର୍ମ, ତନ୍ତ୍ର, ଦଶାବତାର, ଐତିହାସିକ କଥାବସ୍ତୁ, ଲୋକକାହାଣୀ ଇତ୍ୟାଦିରେ ପରିପୁଷ୍ଟ ଏହି ଗଞ୍ଜପା ଏକଦା ବନିଯାଇଥିଲା ଜନସାଧାରଣଙ୍କ ଧାର୍ମିକ ଓ ଆତ୍ମିକ ଆକର୍ଷଣ । ସ୍ବାଧୀନତା ସଂଗ୍ରାମ କାଳରେ ଅବସର ବିନୋଦନ ମାଧ୍ୟମରେ ଗଞ୍ଜପା ହିଁ ଦେଇଥିଲା ଦେଶପ୍ରେମର ମାର୍ମିକ ଆହ୍ୱାନ । ମୁକ୍ତିଯୁଦ୍ଧର ବାର୍ତ୍ତାକୁ ଜନସାଧାରଣଙ୍କ ମନ ଓ ହୃଦୟରେ ସ୍ଥାନ ଦେବା ପାଇଁ ଅକୁଣ୍ଠ ଶ୍ରମଦାନ କରିଚାଲିଥିଲେ ଗଞ୍ଜପାର ମହାନ ରୂପକାରଗଣ । ଗଞ୍ଜପା ହିଁ ବନିଯାଇଥିଲା ସୁପ୍ତ ଜନତାକୁ ସଂଗ୍ରାମ ଅଭିମୁଖୀ କରାଇବାର ଏକ ଅଦ୍ୱିତୀୟ ବାର୍ତ୍ତାବହ । 

ସୁବର୍ଣ୍ଣପୁରର ଗଞ୍ଜପା ଚିତ୍ରକରମାନଙ୍କର ବର୍ଷ ବର୍ଷର ନିରବଚ୍ଛିନ୍ନ ଓ ନିଷ୍କାମ ଅଧ୍ୟବସାୟକୁ ମିଳିଥିଲା ଜାତୀୟ ତଥା ବିଶ୍ୱସ୍ତରୀୟ ସ୍ବୀକୃତି । ଡେନମାର୍କ, ଜର୍ମାନୀ, ଫ୍ରାନ୍ସ, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର, ଇଟାଲୀ ଆଦି ଦେଶରେ ଅଦ୍ଭୁତପୂର୍ବ ଲୋକପ୍ରିୟତା ହାସଲ କରିଥିଲା ।

ଏହି ଗଞ୍ଜପାର ପ୍ରଶଂସାଗାନ କରିବାକୁ ଯାଇ ଏୟାରଇଣ୍ଡିଆ ନିଜର କ୍ୟାଲେଣ୍ଡର ତଥା ପ୍ରସାର ପୁସ୍ତିକାଗୁଡିକରେ ସ୍ଥାନିତ କରିଥିଲେ ଏହି ଗଞ୍ଜପାକୁ । 

ବିଂଶ ଶତାବ୍ଦୀର ଶେଷ ଦଶକରେ ଡେନମାର୍କରେ ଉକ୍ତ ଶତାବ୍ଦୀର ଶ୍ରେଷ୍ଠ ବିଶ୍ୱସ୍ତରୀୟ ହସ୍ତକଳା ବିଭାଗରେ ଗଞ୍ଜପା ପାଇଥିଲା ଚତୁର୍ଥସ୍ଥାନ । 

ଗଡ଼ଜାତ ଅଞ୍ଚଳର କ୍ଷୁଦ୍ରନଗରୀ ସୁବର୍ଣ୍ଣପୁରକୁ ୟୁରୋପ ଏବଂ ଆମେରିକାର କଳାପ୍ରେମୀଙ୍କ ମଧ୍ୟରେ ପରିଚିତ କରାଇଥିଲା ଏଇ ଗଞ୍ଜପା । ଘୁମେଇ ପଡ଼ିଥିବା ଏଇ ସ୍ବର୍ଣ୍ଣମୟୀ ସୁବର୍ଣ୍ଣପୁର ସମୁଜ୍ଜ୍ୱଳ ହୋଇ ଉଠିଥିଲା ବିଦେଶିନୀ କଳାଗବେଷକ ଜୋଆନା ଉଇଲିଅମସଙ୍କ ଆନ୍ତରିକ ଉଦ୍ୟମରେ ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago