ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

 

ଆଜିକାଲି Search ଅର୍ଥଯୁକ୍ତ ଓଡ଼ିଆ ଭାଷାରେ ଅନେକ ଵୈଦେଶିକ ଶବ୍ଦ ଆସି ଚଳୁଅଛି । ଆମ ଭାଷାରେ ଖୋଜିବା ଭଳି ଵୈଦେଶିକ ଶବ୍ଦ ବହୁଳ ଭାବରେ ଵ୍ୟଵହାର ହେଲାଣି। ସେଇଭଳି ହୁଳିଆ, ତଲିସିବା, ସର୍ଚ୍ଚ କରିବା, ତଦାରଖ କରିବା ଆଦି ଵୈଦେଶିକ ଶବ୍ଦ ଊଣା ଅଧିକେ ଵ୍ୟଵହାର ହେଉଅଛି !

ତେବେ ସତରେ କଣ୍ ଓଡ଼ିଆ ଭାଷାରେ Search ବା ଖୋଜିବା ଅର୍ଥ ପ୍ରକାଶ ପାଇଁ ଉପଯୁକ୍ତ ଶବ୍ଦ ନାହିଁ ?

ଏହି ଅର୍ଥ ଵହନ ହେତୁ ଉପଯୁକ୍ତ ଶବ୍ଦ ନାହିଁ ବୋଲି ଵୈଦେଶିକ ଶବ୍ଦ ଵ୍ୟଵହାର ହେଉଛି ?

ଉତ୍ତର ହେଲା―
ହଁ ଅଛି !!! 
କିନ୍ତୁ ଓଡ଼ିଆ ଲୋକେ ଵ୍ୟଵହାର ଛାଡି଼ଦେଇଛନ୍ତି ଅଥଵା ସାହିତ୍ୟ ମଧ୍ୟରେ ସୀମିତ ରଖିଛନ୍ତି ।

ତେବେ ନିମ୍ନଲିଖିତ ଶବ୍ଦଗୁଡ଼ିକ ଆମେ ଚାହିଁଲେ ‛ଖୋଜିବା’, ‘ତଲିସିବା’, ‛ସର୍ଚ୍ଚ କରିବା’, ‛ତଦାରଖ’, ‛ହୁଳିଆ’ ଆଦି ଵୈଦେଶିକ ଶବ୍ଦ ବଦଳରେ ଵ୍ୟଵହାର କରି ସାହିତ୍ୟ ସର୍ଜନା କରିପାରିବା ଅଥଵା ଆପଣା କଥୋପକଥନକୁ ଆହୁରି ଶୁଦ୍ଧ କରିପାରିବା ।

୧. ଉଣ୍ଡିବା
ଏହାର ସମଧୃତ ଅନୁସନ୍ଧାନ ତଥା ତାମିଳର ଉଣ୍ଡୁ (ତା-ଲୁଚିବା) ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଉଣ୍ଡିବା ଶବ୍ଦର ମୁଖ୍ୟତଃ ―ଅଣ୍ଡାଳିବା ଵା ଦରାଣ୍ଡିବା, ଅନୁଧ୍ୟାନ କରିବା, ଠଉର୍ କରିବା; ଆଖି ବୁଲାଇବା, ଛକାଛକରେ ଖୋଜିବା, ସୁବିଧାସୁଯୋଗ ଖୋଜୁଥିବା, ଦୋଷ ତର୍କଣା କରିବା ବା ସନ୍ଧାନ କରିବା, ନୂଆ ବସ୍ତୁକୁ ପ୍ରଥମେ ଅନୁକୂଳ କରି ପିନ୍ଧିବା ତଥା ଦେଶ, କାଳ, ପାତ୍ର ପ୍ରତି ଦୃଷ୍ଟି ରଖିବା ଆଦି ଅର୍ଥରେ ଵ୍ୟଵହାର କରାଯାଉଥିବାର ଉଲ୍ଲେଖ ଭାଷାକୋଷରେ ରହିଛି । ଉଣ୍ଡିବା ଶବ୍ଦ ସହ ସମଦ୍ଧୃତ ଆଉ କିଛି ଶବ୍ଦ
ଯଥା:
* ଉଣ୍ଡାଉଣ୍ଡି କରିବା –
ଅଭିପ୍ରେତ ପଦାର୍ଥକୁ ଗୋପନରେ ଠଉର କରିବା; ଆଖି ବୁଲାଇବା; ଠିକଣା କରିବା— ୧. ଉତ୍ତମରୂପେ ଖୋଜିବା; ଅନୁସନ୍ଧାନ କରିବା

* ଓର ଉଣ୍ଡିବା –
ଛିଦ୍ର ଖୋଜିବା; ସୁବିଧା ଅନୁସନ୍ଧାନ କରିବା

* କଦର ଉଣ୍ଡିବା –
ଖଞ୍ଜ ବା ସୁବିଧା ଖୋଜିବା

୨. ହେଜିବା
ଏ ଶବ୍ଦର ଆଠଗୋଟି ଅର୍ଥ ମଧ୍ୟରେ ଗୋଟାଏ ହେଉଛି ଉଣ୍ଡିବା ଵା ଖୋଜିବା ।
ଏହି ଅର୍ଥରେ ଭଞ୍ଜ ଲେଖିଲେ
“ଵିଷ୍ଣୁ ଅରି ପ୍ରଜ୍ଜ୍ବଳେ ଅର୍ଦ୍ଧଚନ୍ଦ୍ରର ଛଳେ
ଗୁପ୍ତ ‛ହେଜି’ ପ୍ରଯୋଗ କଲେ ସେ . . ”—
[ଵୈଦେହୀଶଵିଳାସ।]

୩. ଶଙ୍ଖୁଳିବା
ଏ ଶବ୍ଦର ଗୋଟାଏ ଅର୍ଥ ହେଉଛି ଖୋଜିବା ଵା ଲୋଡ଼ିବା ।
ଅତିବଡ଼ି ଜଗନ୍ନାଥ ଦାସଙ୍କ ଯୁଗରେ ଖୋଜିବା ଶବ୍ଦ ନଥିଲା ବୋଲି
ସେ ଭାଗଵତରୁ ପଦେ ଏମନ୍ତ ଲେଖିଲେ
“ତେଣୁ ସେ ସ୍ବାମୀକି ଶଙ୍ଖୁଳେ,
ତା ଯୋଗ୍ଯଵର ନାହିଁ ମିଳେ।”

୪. ଲୋଡ଼ିବା
ଆଵଶ୍ୟକ ଅର୍ଥରେ ଲୋଡ଼ା ଓ ଲୋଡି଼ବା ଶବ୍ଦର ଵ୍ୟଵହାର ବହୁଳ ଭାବେ ଚଳୁଥିବା ବେଳେ କୌଣସି ପଦାର୍ଥ ଖୋଜିବା ଅର୍ଥରେ ଏହାର ଵ୍ୟଵହାର ମଧ୍ଯ ରହିଛି ।
କଵିସୂର୍ଯ୍ୟ ସଙ୍ଗୀତର ଏକ ଉଦାହରଣ―
‛କିଶୋରି ! ଲୋଡ଼ିଲେ ଆଉ କେ ଦେବ ।’

୫. ସନ୍ଧାନ, ସନ୍ଧିବା, ଅନୁସନ୍ଧାନ ଆଦି ଶବ୍ଦ
ଖୋଜିବା ଅର୍ଥରେ ଵ୍ୟଵହାର କରାଯାଇପାରେ । ସନ୍ଧାନ ଓ ଅନୁସନ୍ଧାନ ଭଳି ସନ୍ଧିବା ଶବ୍ଦଟି ଓଡ଼ିଆ ଭାଷାରେ ମଧ୍ଯ ଚଳୁଅଛି । ସନ୍ଧିବା ଶବ୍ଦର ଵିଶେଷ ଵ୍ୟଵହାର ଶର ସନ୍ଧାନ କରିବା ଅର୍ଥରେ ମଧ୍ଯ ହୋଇଛି ।
ଉଦାହରଣ ସ୍ୱରୂପ―
‛ବୀର ସାନୁଜକୁ ଶକ୍ତି ସନ୍ଧି।’
[କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବୈଦେହୀଶବିଳାସ]

ସନ୍ଧାନ ଶବ୍ଦ ଆଉ ଟିକିଏ ରୂପବଦଳେଇ ସାନ୍ଧିବା ହେଲା ଯାହାର ଗୋଟାଏ ଅର୍ଥ ‛ଛିଦ୍ରରେ କୌଣସି ବସ୍ତୁକୁ ପୁରାଇ ଖୋଜିବା’ ହୋଇଅଛି ।

ସେଇଭଳି ଅନୁସନ୍ଧାନ ରୁ ଅନୁସନ୍ଧେୟ ହେଲା ଯହିଁର ଅର୍ଥ ‛ଯାହା ଅନୁସନ୍ଧାନର  ଯୋଗ୍ୟ’ ।

ତତ୍ତ୍ବାନୁସନ୍ଧାନ ଶବ୍ଦ ମଧ୍ଯ କୌଣସି ଵିଷୟରେ ତଥ୍ଯ ଖୋଜିବା ଅର୍ଥରେ ଵ୍ୟଵହାର କରାଯାଇପାରିବ

୬. ଵିଚୟ, ଵିଚୟନ, ଵିଚିକି
ଆଦି ଶବ୍ଦର ଦୁଇଟି ମୁଖ୍ୟ ମଧ୍ୟରେ ଗୋଟାଏ ହେଉଛି ଅନ୍ନେଷଣ କରିବା (ଆନଟି― ସଂଗ୍ରହକରଣ)

୭. ସମ୍ପାଦିବାର ଅନେକ ଅର୍ଥ ମଧ୍ୟରେ ଗୋଟାଏ ଅର୍ଥ ଖୋଜିବା
ଏଵଂ ଏହି ଅର୍ଥ ଆଧାରରେ ଭଞ୍ଜ ଧାଡି଼ଏ ରଚିଯାଇଛନ୍ତି
“ବନ୍ଧୁ ଜୀବ ଯେ, ଅଳ୍ପକେ ଭଜେ,
ମଳିନ ନ ସମ୍ପାଦ”

୮. ହନ୍ଦାଳିବା ଓ ହନ୍ଦାରିବା
ଶବ୍ଦ ଦ୍ଵୟର ଏକ ଅର୍ଥ କୌଣସି ବସ୍ତୁ ନିମିତ୍ତ, କୌଣସି ସ୍ଥାନକୁ ତନ୍ନ ତନ୍ନ କରି ଖୋଜିବା ଵା ଅଣ୍ଡାଳିବା ଏଵଂ ଏ ଶବ୍ଦଗୁଡି଼କ ଆନ୍ଦୋଳନ ଶବ୍ଦ ସହ ସମଧୃତ ଅଟେ ।

୯. ପରିସର୍ପ
ଏ ଶବ୍ଦଟି ଵୈଦେଶିକ ତଲାସୀ ଅର୍ଥରେ ଵ୍ୟଵହାର କରା ଯାଇପାରିବ । ପ୍ରକୃତରେ ପୋଲିସ ଦୋଷୀ ଵିରୋଧରେ ଯେଉଁ ମୁଖ୍ୟ ମୁଖ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ ତନ୍ମଧ୍ୟରୁ ପାଞ୍ଚଟି ଅର୍ଥ ଏ ଶବ୍ଦ ବହନ କରିଥାଏ
ଯଥା:
* କୌଣସି ବସ୍ତୁ ବା ବ୍ଯକ୍ତିକୁ ଖୋଜିବାକୁ ଯିବା (ପୋଲିସ ଦୋଷୀକୁ ଖୋଜିବୁଲେ)
ପଶ୍ଚାଦ୍ଧାଵନ ହେବା (ପୋଲିସ ପଳାଇଯାଉଥିବା ଦୋଷୀ ପଛରେ ଗୋଡାଏ)
* ବେଢ଼ିବା; ପରିବେଷ୍ଟନ (ପୋଲିସ ଦୋଷୀ ଲୁଚିଥିବା ସ୍ଥାନକୁ ଘେରାଉ କରିଥାଏ)
* କୌଣସି ବ୍ଯକ୍ତିର ଠିକଣା ଜଣା ନ ଥିବା ସ୍ଥଳରେ ସେ ଯେଉଁ ବାଟରେ ଯାଇଅଛି ତହିଁରେ ପରିଲକ୍ଷିତ ଚିହ୍ନ, ଖୋଜ ଆଦି ଦ୍ବାରା ଉକ୍ତ ଵ୍ୟକ୍ତିକୁ ଖୋଜିବା (ପୋଲିସ ପ୍ରମାଣ ଧରି ଦୋଷୀ ପଛରେ ପଡି଼ଥାଏ)
* ଭୂମିରେ ଘୁଷୁରି ଘୁଷୁରି ଯିବା (ପୋଲିସ ଦୋଷୀକୁ ଧରିବାକୁ ଯେତେ କଷ୍ଟ ହେଉ ପଛେ ଲାଗିଥାଏ)

୧୦. ଉଦ୍ଦେଶ କରିବା
ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୯୮୧ତମ ପୃଷ୍ଠାରେ ଏ ଶବ୍ଦ ତଳେ ତୃତୀୟ ଅର୍ଥ ଭାବେ ଖୋଜିବା ଲେଖାଅଛି । (ଏହାର ଆନ ଅର୍ଥ ଯଥା―ଲକ୍ଷ୍ଯ ରଖିବା, ଅପେକ୍ଷା କରିବା, ଖବରନେବା, ସଙ୍କେତଦ୍ବାରା ସୂଚନା କରିବା ଇତ୍ୟାଦି)

୧୧. ଏଷଣା, ଅନ୍ବେଷଣ, ଅନ୍ବେଷିବା ଆଦି ସମଧୃତ ଶବ୍ଦ ଗୁଡି଼କ ମଧ୍ଯ ଖୋଜିବା ଅର୍ଥରେ ଵ୍ୟଵହୃତ ହୋଇଥାଏ । ସାଧାରଣତଃ ଖୋଜିବା ଅର୍ଥର ମୌଳିକ ଦେଶୀୟ ଶବ୍ଦର ଅଭାଵ ଯୋଗୁଁ ଅଧିକାଂଶ ଓଡ଼ିଆ ଏ ଶବ୍ଦ ଗୁଡି଼କର ବହୁଳ ଵ୍ୟଵହାର କରିଥାନ୍ତି ।

୧୨. ପରିଷ୍ଟି
ଏ ଶବ୍ଦଟି “ସବୁଆଡ଼େ ଖୋଜିବା” ଅର୍ଥରେ ଵ୍ୟଵହାର କରା ଯାଇଥାଏ ।

୧୩. ଡଗର କରିବା
ଅଖଣ୍ଡ କଳିଙ୍ଗର ଵିଚ୍ଛିନ୍ନାଞ୍ଚଳ ସିଂହଭୂମି ଓ ଷଡୈକଳା ଖରସୁଆଁରେ ଖୋଜିବା ଵା ତଲିସିବା ଅର୍ଥରେ ଵ୍ୟଵହୃତ ଗୋଟାଏ ନିଆରା ଶବ୍ଦ
ଡଗର କରିବା ।

୧୪. ଧୁନ୍ଦଳା, ଧୁନ୍ଦୁଲା, ଧୁନ୍ଧୁଳା, ଢୁଣ୍ଡବା, ଧୁଣ୍ଡାଧୁଣ୍ଡି ଆଦି ଶବ୍ଦ ଗୁଡି଼କ ମଧ୍ଯ ଓଡ଼ିଆ ଭାଷାର କେତେକ ଶୈଳୀରେ ଖୋଜିବା ଅର୍ଥରେ ଚଳୁଅଛି । ଓଡ଼ିଆ ଭାଷାର ଏହି ଶବ୍ଦ ଗୁଡି଼କ ସଂସ୍କୃତ ଭାଷାର ‛ଢୁଂଢନ’ ତଥା ହିନ୍ଦୀଭାଷାର ‛ढुंडना’ ସହିତ ସମଧୃତ । ଏ ସମସ୍ତ ଶବ୍ଦର ଭାରତୀୟ ନିରୁକ୍ତି ଶାସ୍ତ୍ରାନୁସାରେ  ଵୈଜ୍ଞାନିକ କ୍ଷୁଦ୍ରରୂପ ‛ଢୁଣ୍ଡ ଧାତୁ’ ବୋଲି ନିର୍ଣ୍ଣୟ ହୋଇଛି ।

୧୫. ସିଂଗାରି/ସିଂଘାରୀ ହେବା
ଏ ଶବ୍ଦ ଦ୍ଵୟର ଗୋଟାଏ ଅର୍ଥ―ରାଗାନ୍ବିତ ହୋଇ କୌଣସି ଅସତ୍କାର୍ଯ୍ୟ କରିବା ଉଦ୍ଦେଶ୍ଯରେ ବାଟ ଖୋଜିବା ଅଟେ ।

୧୬. ରଞ୍ଜାଳି ହେବା
ବ୍ଯସ୍ତ ହୋଇ ଖୋଜିବା ଅର୍ଥରେ ‛ରଞ୍ଜାଳି ହେବା’ ଶବ୍ଦ ଵ୍ୟଵହାର କରାଯାଇପାରିବ ।

୧୭. ଲମରା ବୁଲା
ଇଂରେଜ ଯୁଗରେ ଗଡ଼ଜାତର ଜଙ୍ଗଲରେ ଶିକାରୀ ବନ୍ଧୁକ ଧରି ଦୁଇ ଜଣ ଲୋକଙ୍କ ସଙ୍ଗେ ଚନ୍ଦ୍ରପକ୍ଷ ରାତିରେ ଲୁଚି ଲୁଚି ବାଘ ପ୍ରଭୃତି ଶିକାର ଖୋଜିବାକୁ ଲମରା ବୁଲା କୁହାଯାଏ ।

୧୮. କୌଣସି ପଦାର୍ଥ ଆଖିରେ ଦିଶୁନଥିଲେ ତାହାକୁ ଆନୁମାନିକ ଖୋଜିବା ଦରଣ୍ଡା ଵା ଦରାଣ୍ଡିବା କୁହାଯାଏ । ସଂସ୍କୃତର ଢୁଣ୍ଡନ୍, ହିନ୍ଦୀର ଢୁଣ୍ଡନା ତଥା ଓଡ଼ିଆ ଭାଷାର ଢୁଣ୍ଡବା ଶବ୍ଦ ସହିତ ଏହା ସମଧୃତ ଅଟେ ।

୧୯. ରନ୍ଥାଳି ହେବା ଵା ରନ୍ଥି ହେବା
ଏହାର ଅର୍ଥ ମଧ୍ଯ ଖୋଜି ହେବା; କୌଣସି ବସ୍ତୁ କେଉଁଠାରେ ଅଛି ତହିଁର ସ୍ଥିରତା ନ ପାଇ ଦରାଣ୍ଡି ହେବା (ଭାଷାକୋଷ) ।

୨୦. ତତ୍ତ୍ବନେବା
ଏ କ୍ରିୟା ଶବ୍ଦକୁ ତଲାସୀ, ତନଖିବା ଆଦି ବଦଳରେ ଵ୍ୟଵହାର କରାଯାଇପାରେ ଯେହେତୁ ଏହାର ତିନୋଟି ମଧ୍ୟରେ ଦୁଇଟି ଅର୍ଥ ପ୍ରୋକ୍ତ ଵୈଦେଶିକ ଶବ୍ଦଦ୍ଵୟ ସହ ମିଶିଯାଏ ।

ଏହା ଵ୍ୟତୀତ ଓଡ଼ିଆ ଭାଷାର ଵିଭିନ୍ନ ଶୈଳୀରେ ଖୋଜିବା ଅର୍ଥ ପ୍ରକାଶ ହେତୁ ଆହୁରି ଅନେକ କ୍ରିୟା ଶବ୍ଦ ଚଳୁଥାଇପାରେ । ଏଠାରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖୋଜିବା ଅର୍ଥରେ ଯୋଡ଼ା ହୋଇଥିବା କେତେକ ଶବ୍ଦ ଉଲ୍ଲେଖ କରାଯାଇଛି । 

Spread the love
admin

View Comments

  • ଓଡ଼ିଆଣୀ ଓ ଓଡ଼ିଆଣି ଶବ୍ଦ ର ଅର୍ଥ ପାର୍ଥକ୍ୟ କଣ?

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

2 days ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

1 week ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

1 week ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

2 weeks ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago