ସୌରଭିତ ସୃଷ୍ଟି: ଡ. ସଚ୍ଚିଦାନନ୍ଦ ରାଉତରାୟ

ବହୁବିଧ ସଂସ୍କୃତି, ପରମ୍ପରା ଓ ପାର୍ବଣର ଅନୁଭବ କେବଳ ଓଡ଼ିଶାରେ ହିଁ ଉପଲବ୍ଧ ହୋଇଥାଏ। ସଂସ୍କୃତି-ପରମ୍ପରାରେ ମଗ୍ନ ଏହି ମାଟିର ଅଧିବାସୀ ମାନେ ବିଭିନ୍ନ ପର୍ବପର୍ବାଣି ପାଳନରେ ଦେଶରେ ଆଗୁଆ । ସେଇଥିପାଇଁ ଏଠି ବାର ମାସରେ ତେର ପର୍ବ ! ରଜପର୍ବ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରେ ପାଳିତ ହେଉଥିବା ପର୍ବପର୍ବାଣୀ ମାନଙ୍କ ମଧ୍ୟରେ । ଓଡ଼ିଶାର ବିଭିନ୍ନ କୋଣରେ ଚାରିଦିନ ଧରି ପାଳିତ ହେଉଥିବା ଏହି ପର୍ବ ପହିଲି ରଜ, ସଂକ୍ରାନ୍ତି, ଭୂଇଁ ଦହନ ଓ ବସୁମତୀ ସ୍ନାନର ମିଳିତ ଆବେଗରେ ମହକିତ ହୋଇଥାଏ । ପଲ୍ଲୀ ଜୀବନ ସହିତ ସହର ମଧ୍ୟ ମୁଖରିତ ହୋଇ ଉଠେ ଏହି ସମୟରେ । ବିଭିନ୍ନ ପିଠା, ଦୋଳି ଖେଳ, ଡୁ ଡୁ, କବାଡି଼, ତାସ୍ ଖେଳର ଆସର ଜମେ ଗାଁ ଗାଁ ରେ । ପ୍ରବାସୀ ପୁଅର ଘର ବାହୁଡ଼ାର ପ୍ରକୃଷ୍ଟ ସମୟ ଏହି ରଜପର୍ବ । ଝିଅ ବୋହୁ ମାନଙ୍କର ନୂଆ ବା ପେଡ଼ି ସାଇତା ଲୁଗା ପିନ୍ଧିବା ସହ ପାଦରେ ଅଳତା, ପାଟିରେ ତାମ୍ବୁଳ ମନ ମୋହେ ପଲ୍ଲୀଜୀବନ।ହଳନିଷେଧ, ମାଟି ମା’କୁ ସମ୍ମାନ ସହ ପୂଜନ ଏହି ପର୍ବର ଏକ ବିଶେଷତ୍ଵ । ଦୋଳି ଗୀତର ଲହର ମୁଖରିତ କରେ ସମଗ୍ର ଗାଆଁକୁ ।ହସ, ଆନନ୍ଦ ଉଲ୍ଲାସର ଏହି ପର୍ବ ଓଡ଼ିଆ ଜାତିର ଗର୍ବ ଓ ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରି ରଖିଛି ବହୁ ଯୁଗରୁ ,ଯାହାର ଇତିହାସ ଖୋଜିବା ନିଷ୍ପ୍ରୋୟଜନ । ଏହି ସମୟରେ ଝିଅ ମାନଂକ ମୁହଁରେ ଯେଉଁ ଗୀତ ଫୁଟି ଉଠେ  ତାହା ମଧ୍ୟ ଓଡ଼ିଆ ସାହିତ୍ୟର ଏକ ଅନବଦ୍ୟ ଅଙ୍ଗ, ଯଦିଓ ତାହାର ସ୍ରଷ୍ଟା କିଏ ଓ ରଚନା କାଳ ସମ୍ପର୍କରେ ସଠିକ୍ ତଥ୍ୟ ନାହିଁ। ତେବେ ସମୟ କ୍ରମେ ଆମ ସାହିତ୍ୟରେ ଏହି ମହାନ୍ ପର୍ବ ଉପରେ ଅନେକ କିଛି ପଦ୍ୟ, କବିତା ସୃଷ୍ଟି ଓ ସଂକଳନ ହୋଇଛି ।

ରଜପର୍ବ ଭିତ୍ତିକ କବିତା ମାନଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟର ପ୍ରଗତୀବାଦୀ ଚିନ୍ତାଧାରାର ପ୍ରଖ୍ୟାତ କାବ୍ୟ ପୁରୁଷ ପଦ୍ମଶ୍ରୀ ସଚି ରାଉତରାୟ ଯେଉଁ କବିତା ସୃଷ୍ଟି କରିଛନ୍ତି, ତାହା ସର୍ବବିଦିତ ଓ ଅନନ୍ୟ । ନିଖୁଣ ଭାବରେ ଚିତ୍ରିତ ପଲ୍ଲୀଜୀବନ କେତେ ପ୍ରାସଙ୍ଗିକ ଓ ହୃଦୟସ୍ପର୍ଶୀ ହୋଇପାରେ, ତାହା ପାଠ କଲେ ଅନୁଭବ କରିହୁଏ ! ସେହି ମହାନ ସାହିତ୍ୟ ସାଧକ ନିଜେ ତ ହଜିଯାଇଛନ୍ତି, ତା ସହ ପାଠକମାନଙ୍କୁ ତନ୍ମଧ୍ୟରେ ହଜିଯିବାକୁ ସୁଯୋଗ ଦେଇଛନ୍ତି । ଏଭଳି ରଚନା କେବଳ ସଚି ରାଉତରାୟ ହିଁ କରିପାରନ୍ତି !

‘ଅନ୍ତରଙ୍ଗ କଳିଙ୍ଗ’ ତରଫରୁ ସେହି କବିତା ଉପସ୍ଥାପନ କରିବା ସହ ଓଡ଼ିଆ ପଲ୍ଲୀ ଜୀବନ କାନଭାସ୍ ରେ ରଜପର୍ବ ଉପରେ ଆଧାରିତ ଏହି କବିତାଟି ସମର୍ପଣ କରୁଛୁ ଅଗଣିତ ଓଡ଼ିଆ ଭାଇଭଉଣୀଙ୍କ ଉଦ୍ଦେଶ୍ୟରେ । ଆସନ୍ତୁ, ତହିଁ ମଧ୍ୟରେ ନିମଗ୍ନ ହୋଇଯିବା, ଜାଣିବା ଆମର ପଲ୍ଲୀଜୀବନର ଗାଥା ଓ ଟିକିଏ ଭାବିବା ସାହିତ୍ୟ, ସଂସ୍କୃତି ଓ କବିତା ରଚନା କିଭଳି ହୋଇପାରେ !

“ଓଡ଼ିଆ ଜନଜୀବନର ପ୍ରମୁଖ ପର୍ବ ରଜପର୍ବ। ଏହାର ପ୍ରାଣୋଛଳତା ଓ ବର୍ଣ୍ଣବିଭୋରତା ଅତୁଳନୀୟ।ଏ ପ୍ରସଙ୍ଗରେ କବିଙ୍କ ଦୀର୍ଘ କବିତା ‘ପହିଲି ରଜ’ ବର୍ଣ୍ଣନା ଚତ୍ମକାରୀତା ଭାବ ମୁଗ୍ଧ ଆବେଦନ ଯୋଗୁଁ ଏକ ଅନୁପମ ସୃଷ୍ଟି । ପହିଲି ରଜର ବ୍ୟାପକ କାନଭାସ୍ ଉପରେ ଯେଉଁ ଉପମାଚୟନ, ଚିତ୍ରମୟ ବର୍ଣ୍ଣନା ପରିବେଷିତ ସେଥିରେ କବିଙ୍କ ଗ୍ରାମ୍ୟ ସଂପ୍ରିତୀ, ଦୃଶ୍ୟ ମୋହ, କୁମାରୀ-ମାନସିକତାର ରୂପରାଗ ଚିତ୍ରଣ, ଗ୍ରାମ୍ୟ ଜୀବନର ସମସ୍ୟା ସଂକଟର ଅବତାରଣା କଳାତ୍ମକ ରୂପ ଘେନିଛି । ‘ପହିଲି ରଜ’ରେ ବିଛୁରିତ ରଜର ମହକ ମାଧୁର୍ଯ୍ୟ, ଯାହାକୁ ପଲ୍ଲୀର ମହକ ଓ ମାଧୁର୍ଯ୍ୟ ବୋଲି ହିଁ କୁହାଯିବ । ଗ୍ରାମ୍ୟବିଭବର ବହୁଧା ସାମଗ୍ରୀ, ଘଟଣା ଓ ଦୃଶ୍ୟ: ଯଥା, କଉଡ଼ିଖେଳ, ହଳଦୀ ବଟା, ଗାଁ ହାଟ, ତା’ର ସାଂସ୍କୃତିକ ବିଭବ: ଯଥା – ଛୁଞ୍ଚପାଣି, ଗୋବରପାଣି, କଠଉ ପିନ୍ଧା, ଚଉରା ମୂଳର ସଞ୍ଜବତୀ, ପଲ୍ଲୀ ନାରୀର ଅଳଙ୍କାର: ଯଥା – ଚୁଡ଼ି, ବାଜୁ, ଖଡ଼ୁ, ନୋଥପଟି, କାବ୍ୟ ପରମ୍ପରା ସଂପ୍ରୀତି – ଭଞ୍ଜ କବିଙ୍କର ବଜାର ବୋଲି, ହରିବଂଶ, ମହାଭାରତର ନାମୋଲ୍ଲେଖ ପୁଣି ମା’ ଅଳସେଇ, ସାପକଟା ନଈ ଆଦିର ବିପୁଳ ଦୃଶ୍ୟମୟ ଜଗତର ଉନ୍ମୋଚନ କରେ ‘ପହିଲି ରଜ’ କବିତା। ଏ କବିତା ଗଢଣରେ ଯେଉଁ କବିତ୍ଵ, ମର୍ତ୍ତ୍ୟ – ମନସ୍କତା  ଓ ସୌନ୍ଦର୍ଯ୍ୟବୋଧ ଫୁଟିଚି ତା’ ପଟାନ୍ତରହୀନ । ଚିରକୁମାରୀ ଧରିତ୍ରୀକୁ ବର୍ଣ୍ଣନାରେ କବି ଯେଉଁ ମାନ୍ୟ ଓ ପ୍ରଣୋଛଳତା ଦେଇଛନ୍ତି ତା’ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ ।” (ଶତୃଘ୍ନ ପାଣ୍ଡବ )

~ ପହିଲି ରଜ ~

(ଆଗରାତି)
ମହୁଆ ନିଶାର ଗହମ ପହଡ଼
          ଭାଜି ଭଲ ହୋଇ ଭାଜି ତ ନାଇଁ,
ଝିପିଝିପି ପୁଣି ଅଦିନିଆ ମେଘ
           ଥାପୁଡା଼ଇ ତାକୁ ଦିଏ ଶୁଆଇ ।

ପାଇବ ନାହିଁ କି ଆଜି ଏ ରଜନୀ
            ଚାହିଁ ଚାହିଁ କଷା ହେଲାଣି ଆଖି,
ଛାଇଲଗା ନିଦ ମାଡ଼ି ମାଡ଼ି ପଡ଼େ
           ଭାରୀ ପତା ବେନି ରହିଚି ଲାଖି ।

ପୂରୁବ ଦିଗରେ ଫସର ଫାଟିନି
           ରାବିନି ତ କାହିଁ ଡାମରା କାଉ,
ମଶାଣି ବାଟରେ ଶଗଡ଼ିଆ ଭାଇ
            ଗୀତ ତ ନ ଶୁଭେ ସେପରି ଆଉ ।

ସରଗ ଘରର ନୂଆବୋହୂ କେବେ
             କୁହୁଡି଼ ଓଢ଼ଣା ମଥାରେ ଟାଣି,
ବାସି ତରାଫୁଲ ନେବ ଗୋ ଓଳାଇ
             ଛିଂଚି ଦେବ ନାଲି ଗୋବରପାଣି ।

ପୂରୁବ ଅଗଣା ଲିପାପୋଛା କରି
             ଛାଇ ଆଲୁଅରେ ପିଠଉ ଗୋଳି,
ଛୁଂଚକନା ତାର କେବେ ସେ ଆସି ଗୋ
       ମେଘ ଆଢୁଆଳେ ଦେବ ଗୋ ବୋଳି ?

ଅସରନ୍ତି ସତେ ଆଜିର ରଜନୀ
        ଚିଡ଼ି ଲାଗେ ବଡ଼ ନ ପାହେ କିଆଁ,
ତା ସଙ୍ଗେ ଜୁଟିଚି ଅକାଳ ବରଷା
        ପୋଡ଼ପାଡ଼ ମେଘେ ନ ଲାଗେ ନିଆଁ ?

ସଜ-ରଜ-ସଜ ସବୁ ମଉଜକୁ
         ନିଆଁଲଗା ମେଘ ଦେବ କି ସାରି,
କଣ୍ଟା ଲାଗେ ଶେଯ, କଡ଼ ଲେଉଟାଇ
         ଗାଆଁଝିଅ ବେଳ କଳନ୍ତି ବାରି ।।

(ଏ କବିତା ୧୯୩୪ ମସିହାରେ ଲିଖିତ । ସେ ସମୟର ପଲ୍ଲୀ ଜୀବନ ଓ ରଜପର୍ବର ମଉଜ ଭିତରେ ହଜି ଯାଇଥିଲେ କବି ସଚ୍ଚି ରାଉତରାୟ । ସେବେ ସେ ୧୮ ବର୍ଷର କିଶୋର )


ସବୁ କାବ୍ୟଶିଳ୍ପୀ ଗାଁ ମାଟି ପାଇଁ ଅଳ୍ପ ବହୁତେ କବିତା ପ୍ରାୟ ଲେଖିଥିବେ । ଏ ଦୃଷ୍ଟିରୁ ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ଆଦର୍ଶ ଏବଂ ତାଙ୍କର କବିତା ପହିଲି ରଜ’ ଅନନ୍ୟ । ସଚ୍ଚିଦାନନ୍ଦ ରାଉତରାୟଙ୍କ ରାଶି ରାଶି କବିତାରେ ପଲ୍ଲୀ ଓ ପ୍ରକୃତି କିନ୍ତୁ ସମ୍ପୂର୍ଣ୍ଣ ଜୀବନ୍ତ । ବିଭବ ଓ ସୌନ୍ଦର୍ଯ୍ୟ ଅବଶ୍ୟ ନିଆରା । ‘ପହିଲି ରଜ’ କବିତା ଓଡ଼ିଆ ସାହିତ୍ୟର ଏକ ଅନବଦ୍ୟ ସୃଷ୍ଟି । ଏହାର ଆଲେଖ୍ୟ କେତେ ଜୀବନ୍ତ ହୋଇପାରେ, ତାହା ମଧ୍ୟରେ ଥରେ ନିଜକୁ ଡୁବାଇ ଦେଲେ ହିଁ ଜଣାପଡ଼ିବ, ଆମର ସମାଜ ଓ ପଲ୍ଲୀର ମହକ !

ଆଗରୁ କହିଚି ରେବତୀ ଆଈକୁ
         କାନେ କାନେ ତାର ପକାଇ ରାଣ,
“ଡାକିଦେବୁ ମୋତେ ବଡ଼ି ସକାଳୁଟି
     ନୋହିଲେ ଦେଖିଥା ଭାଜିବ ଟାଣ ।

କାଉ ନ ରାବୁଣୁ ସବୁରି ଆଗରୁ
       ଉଠାଇ ଦେବୁଲୋ ଶେଯରୁ ମୋତେ,
ଆଗ ହୋଇ ମୁହିଁ ସୁନାପାଗ ନେବି
       ଦେବୁ କି ନାଇଁ ତୁ କହନି ସତେ ?”

ଡମୁଣି ସଞ୍ଜରୁ ମାଆକୁ ତାହାର
           ତିଆରି କହିଛି ବହୁତ କରି
କାଆ ନ କରୁଣୁ ବୋଉଲୋ ! ତୁ ମୋତେ
            ଉଠାଇ ଦେବୁଟି ସେଦିନ ପରି ।

କାନ୍ଦିବିନି ସତେ ଛୁଉଁଚି ମୁଁ ଆଖି
             ଆର ଥର ପରି ନ କର କୋପ”
କଥା ଶୁଣି ତାର ଆକଟିଲେ ମାଆ
              ତିନିଥର ଦେହେ ପକାଇ ଛେପ !

“ଏଡୁଟିଏ ହେଲୁ ହେଜ ତୋ ନ ହେଲା
              ସାତ ସାନଠଉଁ ହେଲୁ ତୁ ଊଣା
ବକବକ କରି ଅନାଉଚି ଖାଲି
              ସାଇପଡି଼ଶାଏ ଦେବେ ଉଲୁଣା ।

ଇମିତିକା କଥା କହନ୍ତିନି ପରା
           କେତେ ଥର ତୋତେ କରିଚି ମନା
ଉଠାଇବ ଭୂତ ରାତିରେ ନିଚୟେ
           ଏଡ଼େ ଟୋକୀଟାର ବୁଦ୍ଧିକି ଅନା !

ଆଖିଆଗେ ପରା ଘଟିଥାଇ ମୋର
            ଆର ସାଇ ଭୀମା ଗଉଡ଼ ବାଆ
ଦିନେ ପରା ସତେ ଗୋସାଣୀ ହାବୁଡ଼େ
           ପଡ଼ିଯାଇଥିଲା — ଦଇବ ସାହା !

ଆଖୁକିଆରିରେ ଦେଇଥାନ୍ତା ମୋଡ଼ି
          ତେଣ୍ଡା ପଥରରେ, ରଖିଲେ ଦିଅଁ
ମାଆ ଅଳସେଇ କୋଟି ପରଣାମ
    ଡାକିଦେଲେ ପରା କରିବେ ‘ଓ’ ।।”

କେତେ ସୁନ୍ଦର ଗାଉଁଲି ଭାଷା ସତେ । ଓଡ଼ିଆ ପଲ୍ଲୀଜୀବନ ସହିତ ଓତଃପ୍ରୋତ ଭାବେ ଯୋଡ଼ି ଦେଇଛନ୍ତି ପହିଲି ରଜ କବିତାର ପ୍ରତିଟି ପଦରେ । ଦେହରେ ଛେପ ପକାଇବା ଠାରୁ ଡମୁଣି ସଞ୍ଜ, ମାଆ ଅଳସେଇ, ନିଚୟେ, ବାଆ, ପରଣାମ, ଉଲୁଣା ପର୍ଯ୍ୟନ୍ତ କେବଳ ଓଡ଼ିଆ ହିଁ ଓଡ଼ିଆ ! ସେଇଥିପାଇଁ ବୋଧେ ସେ ସଚ୍ଚିଦାନନ୍ଦ ରାଉତରାୟ ନୁହଁନ୍ତି, ସଚି ରାଉତରାୟ !


(ଦ୍ଵିତୀୟ ରଜ)
ତୁଠପଥରରେ ବସି କେ କୁଆଁରୀ 
                   ମାଜୁଥିଲା ତା’ର କନକ ଚୁଡ଼ି
କହିଲା ଛଟକେ, “ବଳିଲାଣି ସତେ
                   ନାନୀ ମୋ କଥାରେ ସପତ ବୁଢ଼ୀ ।”

କଥା ତା ପାଟିରୁ ନ ସରୁ ଆନ କେ
                   କହଇ, “ରଖିଦେ ଛୋପରା ତୋର,
ଘଡ଼ିଏ ଦିହକୁ ମାଜିଲେ ନିଠାଇ
                   ରସିନେବେ ତୋତେ ଆସି ଲୋ ବର ।।

କେତେ ବେଳ ବସି ହେଉଥାଉ ମାଠି
                  ଆଜହୁଁ ଇମିତି ଅଛି ତ କାଳ,
ଘଇତା ଅଇଲେ କେତେ ଛଟା ତୋର
                   ବାହାରିବ ନାଇଁ ଆଲୋ ମାଆ ଲୋ ।”

(ଶେଷରଜ)
ଗାଁ ଝିଅମାନେ ବାହାର ହୁଅନ୍ତେ
                  ସାହି ଟୋକାଙ୍କର ଲାଗିଲା ଭିଡ଼,
କିଏ ପିଟୁଥିଲା ଖତ ବାରିଆଡ଼େ,
                    କିଏ ଛେଲୁଥିଲା ଅବା ପଇଡ଼ ।।

ଥୋକେ କଲିକତା ଫେରନ୍ତା ଭେଣ୍ଡିଆ
                     ଭାଗବତ ଘରେ ଗଞ୍ଜପା ଧରି,
କୋଅଟ ଉପରେ କାମିଜି ଚଢା଼ଇ
                      ଖେଳୁଥିଲେ କାହିଁ ମନ ନ କରି ।।

ସଭିଏଁ ଆସି ଯେ ଦାଣ୍ଡ ମଝିଟାରେ
                       ଚାହୁଁ ଚାହୁଁ ପରା ହୋଇଲେ ଜମା,
କାଶିଆ, ଦନେଇ, ଅଜଗରା, ଚେମା,
                        ଅଇଁଠା, ସଦେଇ, ପୁଣି ଧରମା ।।

ସରବେ ଅନାଇଁ ମୁଚୁକି ହସାରେ
                        ଆଖି ଠାରି କେତେ ଦେଖାନ୍ତି ଠାଣି,
କିଏ ସେ ମାରଇ ଖଣ୍ଡିକାଶ ପୁଣି
                         ଛିଙ୍କ ଆସି ନାକୁ ବହୁଚି ପାଣି ।।

ଆଉରି ମଧ୍ୟ,

କାଠୁଆଏ ପୁଣି ବାଟିଲି ହଳଦୀ ପିଠଉ
ବାଟିଲି ଦୁଇଟା ଶିଳ,
ଭାଉଜକୁ ଯେତେ ଡାକିଲି,
ମାଠେଇ ଚାଲିଗଲା ପରା!
ମଲା ଛଇଳ!!

କଉଡ଼ି ଖେଳରୁ ଚଙ୍କିଲାନି ତିଳେ
କହିଲାରୁ ଦେଲା ମୁହଁକୁ ମୋଡ଼ି,
ଦେଖିନି ଛୋପରା ଗେଲବସର ମୋ
ଭାଇ ବି ତା ସାଥେ ଠିକଣା ଯୋଡ଼ି ।
ରାଇଜରେ ପୁଣି ଘଇତା ମାଇପେ ଅଛନ୍ତି
ନା ଏଇ ହଳକ ଏକା,
ସାତ ରାଣୀଙ୍କଠୁଁ ବଳି ତା ଦିମାକ
ଇମିତିକା ବୋହୂ ନ ଥିଲା ଦେଖା !! 

ପଲ୍ଲୀ ଜୀବନର ନିଖୁଣ ଚିତ୍ର ଏଇ କଥାଟିରେ ଶୁଣିବାକୁ ମିଳେ । ଓଡ଼ିଆ ସାହିତ୍ୟ ଜଗତର ଅଦ୍ୱିତୀୟ ପ୍ରତିଭା ପଦ୍ମଶ୍ରୀ ଡ. ସଚି ରାଉତରାୟ ପ୍ରଣୀତ କବିତା ‘ପହିଲି ରଜ’ ର ପଦ ଦୁଇଟି । ‘

Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

15 hours ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

5 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

7 days ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago