ଲେଖା: ଅମୃତେଶ ଖଟୁଆ “ଉଠ ଗୋ ଉତ୍କଳ-କମଳା, ଓଡ଼ିଆମାଟିର ସ୍ଵନାମଧନ୍ଯ କଳାବିତ୍। ଉଚ୍ଚ ବୁନିଆଦି ବଂଶଜଙ୍କ ପୁତ୍ର। ନାଟ୍ୟାମୋଦୀ ଓ ସଙ୍ଗୀତ-ସଉକୀ ! ତରୁଣ ବୟଃପ୍ରାପ୍ତ ହେଲା ଉତ୍ତାରୁ ଓସ୍ତାଦ୍ ହେଇଛନ୍ତି, ନାଟକଦଳ ଗଢିଛନ୍ତି। ଜଣେ ଆଚମ୍ବିତ କରିଦେବା ଭଳି ପ୍ରତିଭୂ ! ଓଡ଼ିଆ ମାଟିର ସଙ୍ଗୀତ, ଚମ୍ପୂ, ଜଣାଣ, ଯାତ୍ରା, ମଞ୍ଚନାଟ୍ଯ ଓ ସର୍ବୋପରି ନିମ୍ନମାନର ମନୋରଞ୍ଜନ ଓ ଅବାଞ୍ଛିତ ଶୃଙ୍ଗାରକୁ ଛାଡି ସେ ପାରମ୍ପରିକ ‘ପାଲା‘ କୁ ଦେଇଥିଲେ ନୂତନ ରୂପଦାନ ! ସେହି ମହୀୟାନ୍ ପ୍ରତିଭୂ ଥିଲେ ‘ଉତ୍କଳ ଗନ୍ଧର୍ବ’ ତଥା କଵିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ! ରସୋତ୍ତୀର୍ଣ୍ଣ କାବ୍ୟଲିଖନ ସହ ତତ୍କାଳୀନ ଓଡିଶାର ମୋଗଲବନ୍ଦୀରୁ ନେଇ କଲିକତା ପର୍ଯ୍ୟନ୍ତ ଦେଶ ଦେଶାନ୍ତର ଯାଏଁ ସେ ଅଭିନୟାଦି କଳା ପ୍ରଦର୍ଶନ କରି ସମକାଳୀନ ଯାତ୍ରା ନାଟ୍ୟକାର ଗୋପାଳ ଦାଶ, ଜଗନ୍ନାଥ ପାଣି, ଗୋପାଳ ଉଡେ, ବୈଷ୍ଣବ ପାଣି ଓ ବାଳକୃଷ୍ଣ ମହାନ୍ତିଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି ପ୍ରତିଷ୍ଠା ଲାଭ କରନ୍ତି। ଏପରିକି ନାନାବିଧ ଲଳିତ ପ୍ରବନ୍ଧମାନ, ଉପନ୍ଯାସିକା ରଚନା କରି ନିଜ ସିଦ୍ଧିର ଦେଇଛନ୍ତି ଅମ୍ଳାନ ସ୍ଵାକ୍ଷର। କଵିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ଜନ୍ମ ହୋଇଥିଲେ ଯାଜପୁର ଜିଲ୍ଲାର କୁଆଁସପୁର ଗ୍ରାମର ଏକ ସମ୍ଭ୍ରାନ୍ତ ବଙ୍ଗୀୟ ପରିବାରରେ। ଦିନ ଅକ୍ଟୋବର ୨୧ ତାରିଖ ୧୮୯୪ ମସିହାର ରବିବାର । ସେଦିନ ଘନକୃଷ୍ଣ ବଉଦ ଘେରା ଆକାଶରୁ ବରଷିଥିବା ତୁମୁଳଧାରାରେ ଯାଜପୁରରେ ବନ୍ୟା ହେଇ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡିଲା। ପୂର୍ବପୁରୁଷ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାର ମାହିନଗରର ପ୍ରସିଦ୍ଧ ଦକ୍ଷିଣ ରାଢୀ ବସୁବଂଶଜ। କବିମଞ୍ଜୁଳଙ୍କ ପିତା ଥିଲେ ଗୋବିନ୍ଦ ପ୍ରସାଦ ବସୁ ଓ ଜନନୀ ବିଷ୍ଣୁପ୍ରିୟା ଦେବୀ। ପିତା ଗୋବିନ୍ଦ ପ୍ରସାଦ ସେତେବେଳେ ଜଣେ ପ୍ରଭାବଶାଳୀ ଜମିଦାର ଥିଲେ ସୁଦ୍ଧା ଜଣେ ଧର୍ମାନୁରକ୍ତ ବ୍ଯକ୍ତି ଥିଲେ। ଆଉ ମାତା ଥିଲେ ଅତିଥିବତ୍ସଳା ତଥା ଧର୍ମପରାୟଣା। ତାଙ୍କର ପିତାମହ ଗୋପୀକାନ୍ତ ବସୁ ଥିଲେ ଜଣେ ଖ୍ୟାତନାମା ଓକିଲ। ଓକିଲାତି ସମୟରେ ପଦେ ହେଲେ ସୁଦ୍ଧା ମିଥ୍ଯାବାଚନା କରିନଥିବାରୁ ସେ ଥିଲେ ସର୍ବଜନାଦୃତ। ଏପରିକି ସେ ସମୟରେ ଉଚ୍ଚପଦସ୍ଥ ହାକିମମାନେ ତାଙ୍କ ବଦାନ୍ୟତା ପାଇଁ ତାଙ୍କ ନାମରେ ପୁରସ୍କାର ପ୍ରଚଳିତ କରିଆସିଥିଲେ। ଗ୍ରାମ ଚାଟଶାଳୀରୁ ତାଙ୍କର ବିଦ୍ୟାରମ୍ଭ ହୋଇଛି। ତାଙ୍କର ଆଦ୍ଯଗୁରୁ ଭଗବାନ ଦାଶ ନାମଧେୟ ଅବଧାନ। ଆଉ ସେତେବେଳେ ନାଲିପାଟର ଓତା, ହାତ ଦୁଇପଟରେ ସୁନାବଳା, ଛାତିରେ ସୁନାର ପଦକମାଳ ସହ କଟିଦେଶରେ ରୂପାର ବେଙ୍ଗପାଟିଆ ଝୁମୁକାକୁ ଦୋଳାଇ ରଖୁଥିଲେ। ଘରୋଇ ଭାବେ ଅଧ୍ୟୟନ ସରିଲା ପରେ ସେ ଯାଜପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ନବମ ଶ୍ରେଣୀରେ ନିଜର ନାମ ଲେଖାଇଲେ। ଆଉ ମେଧାବୀ ଭାବରେ କୃଷ୍ଣପ୍ରସାଦ ଥିଲେ ବିଶେଷ ପରିଚିତ।କବିଙ୍କ ପିତା ଥିଲେ ସଙ୍ଗୀତାମୋଦୀ। ବିରଜା କ୍ଷେତ୍ରକୁ ଆସୁଥିବା ସାଧୁସନ୍ଥଙ୍କୁ ଘରେ ଆଶ୍ରୟ ଦେବା ସହ କୃଷ୍ଣପ୍ରସାଦ ନିଇତି କୀର୍ତ୍ତନରେ ମଜ୍ଜି ରହୁଥିଲେ। ପିଲାଦିନୁ ଜଗନ୍ନାଥ ପାଣିଙ୍କ ସୌମ୍ୟମୂର୍ତ୍ତି ଓ ଗାରିମାପ୍ରସୂତ ଆଶୀର୍ବାଦ ଲାଭ କରି ପିଲାବେଳୁ ସଙ୍ଗୀତଶିକ୍ଷାରେ ମନ କରିଛନ୍ତି। ଅଧ୍ୟୟନ କାଳରେ ଭକ୍ତକବି ମଧୁସୂଦନ ପରିଦର୍ଶନ କରି ଆସି ସ୍ଵରଚିତ ‘ଅଖିଳ ବ୍ରହ୍ମାଣ୍ଡ ପତି’ କବିତାର ଗାନ କୃଷ୍ଣପ୍ରସାଦଙ୍କ କଣ୍ଠରୁ ଶୁଣି ମୁଗ୍ଧ ହୋଇଥିଲେ। ଏଥି ସହ ୧୯୧୨ ମସିହାରେ କଵିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ପ୍ରଥମ ଶ୍ରେଣୀରେ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରେଭେନ୍ସା କଲେଜରେ ଯୋଗ ଦେଲେ। ରେଭେନ୍ସାରେ ପଢିବା ସମୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଚିନ୍ତାମଣି ଆଚାର୍ଯ୍ୟ, ପ୍ରାଣକୃଷ୍ଣ ପରିଜା, ଲକ୍ଷ୍ମୀନାରାୟଣ ସାହୁ, ଆର୍ତ୍ତବଲ୍ଲଭ ମହାନ୍ତି, ବାଙ୍କନିଧି ପଟ୍ଟନାୟକ, ଗୋବିନ୍ଦଚନ୍ଦ୍ର ଶୂରଦେଓଙ୍କ ସହ ମିଶିଛନ୍ତି। ଜାତୀୟକବି ବାଞ୍ଛାନିଧି, କାନ୍ତକବି ଲକ୍ଷ୍ମୀକାନ୍ତ ଓ କଵିମଞ୍ଜୁଳ କୃଷ୍ଣପ୍ରସାଦ ବସୁ – ଏହି ତ୍ରୟୀ ପ୍ରତ୍ୟହ ସନ୍ଧ୍ୟାରେ କାଠଯୋଡ଼ିର ବାଲୁକା ଶଯ୍ୟା ଉପରେ ବସି ସଙ୍ଗୀତ ଚର୍ଚ୍ଚା କରୁଥିଲେ। ଆଉ ସେତେବେଳେ ତାଙ୍କର ପ୍ରମୁଖ ପ୍ରେରଣା ଥିଲେ ଅଧ୍ୟାପକ ସତୀଶ ଚନ୍ଦ୍ର ରାୟ। ଏଥି ସହ ଓଳାଭରର ସଙ୍ଗୀତଜ୍ଞ ଚିନ୍ତାମଣି ବାବୁ ଓ ଆନନ୍ଦପୁର ଦେହୁଡିର ରସିକାନନ୍ଦଙ୍କଠାରୁ ଓଡିଶୀ ସଙ୍ଗୀତର ଶିକ୍ଷା ଗ୍ରହଣ କରନ୍ତି। ଏହା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଆଇ.ଏସ୍.ସି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କଲିକତାର ସେଣ୍ଟ ଜେଭିୟର୍ସ କଲେଜରେ ରସାୟନ ବିଜ୍ଞାନରେ ବି.ଏସ୍.ସି (ଅନର୍ସ) ପଢିଲେ। ତାଙ୍କର ସହାଧ୍ୟାୟୀ Corinthian Theatres” ର ମାଲିକ ଜେ.ମ୍ୟାଡେନଙ୍କ ପୁତ୍ର ଫ୍ରେମଜୀ ମ୍ୟାଡେନଙ୍କ ସାହାଚର୍ଯ୍ଯରେ ସେ ବିଖ୍ୟାତ କଳାକାରମାନଙ୍କଠାରୁ ସଙ୍ଗୀତ ଶିକ୍ଷା ପାଇଥିଲେ।ତଦାନୀନ୍ତନ ବଙ୍ଗଭଙ୍ଗକୁ ବିରୋଧ କରି ସେତେବେଳେ ସ୍ଵାଧୀନତା ଆନ୍ଦୋଳନ ଅନ୍ତର୍ଗତ ସନ୍ତ୍ରାସବାଦୀମାନଙ୍କୁ ସାହାଯ୍ୟ କରିବା ସହ ଯାଜପୁରର ଚୈନପୁରଠାରେ ସଙ୍ଗଠିତ ୧୯୧୪ ମସିହାର ଡକାୟତିରେ ସହଯୋଗ କରି ସଦେଇ ସାହୁ ଘର ଲୁଣ୍ଠନ କରାଗଲା। ‘ଡଗର’ ପତ୍ରିକାର ଏକ ସ୍ଵତନ୍ତ୍ର ଆଲେଖ୍ୟ ‘ମୁଁ କାହିଁକି ଲେଖେ’ ଶୀର୍ଷକ ଆଲେଖ୍ୟରେ ଏହି ଘଟଣାର ଅନେକ ରୋଚକ ବର୍ଣ୍ଣନା ସେ ଦେଇଛନ୍ତି। ପୁଣି କଲିକତାର ସକ୍ରିୟ ‘ବନ୍ଦେ ମାତରମ୍’ ବିପ୍ଳବରେ ଯୋଗ ଦେଇ ଶେଷରେ ପୁଲିସ ଦ୍ଵାରା ଗିରଫ ହୋଇ ଦୁଇମାସ କାରାବରଣ କରିଥିଲେ।ସେ ଅନେକ ଥର ଏହିପରି ବିପ୍ଳବୀ ହେବାର କଥା କହିଛନ୍ତି – “ଆମର ନିଜକୁ ବେମାଲୁମ୍ ― କିନ୍ତୁ ଆମେ କାଳେ ଥିଲୁଁ ଗୋଟାଏ ବିପ୍ଳବୀ ଡ଼କାୟତ୍-ଦଳଙ୍କ ବିଶିଷ୍ଟ ସଭ୍ୟ। × × × ଆମର ବାପା ମା’ଙ୍କୁ ହେଲା ଗୋପନ ତାଗିଦ୍। କେତେ ଥର ଅକାରଣେ କାଳେ ଅକାଳେ ଟଣା ହେଲୁ ଥାନାକୁ ― ଫଳରେ ପଢାପଢି ହୋଇଗଲା ‘ଇତିଶ୍ରୀ’ ―। ଅଗତ୍ଯା vagabondଙ୍କ ପରି ଗାଁରେ ବୁଲିବା, ତାସ୍ ଖେଳିବା ଛଡା ନଥିଲା ଅନ୍ୟ ପନ୍ଥା। କିନ୍ତୁ, କୁହୁଳୁଥାଏ ମନେ ମନେ ଗୋଟାଏ ନିଆଁ। ବିନା ଦୋଷେ ଲାଞ୍ଛନା ― ଅତଏବ ଦରକାର ପ୍ରତିଶୋଧ !” (‘ମୁଁ କାହିଁକି ଲେଖେ’, ‘ଡଗର’ )କାରାବରଣରୁ ମୁକ୍ତ ହେବା ପରେ କିଛିଦିନ ପର୍ଯ୍ୟନ୍ତ ଛଦ୍ମବେଶରେ ଲାଇଟମ୍ୟାନ୍, ଯନ୍ତ୍ରଶିଳ୍ପୀ ଓ ଅଭିନେତା ଭାବରେ ସେହି “କରୋନେଥିଆନ ଥିଏଟର୍ସ” ରେ କାମ କରିଥିଲେ। ସେଠାରେ କିଛି କାଳ ପାଇଁ ତାଲିମ ନେଇ ଚାରଣକବି ମୁକୁନ୍ଦ ଦାସଙ୍କ ‘ସ୍ଵଦେଶୀ ଯାତ୍ରା’ ଦଳରେ ଅଭିନୟ ସହ ଲୋକନାଟ୍ୟ ମାଧ୍ୟମରେ ତାଙ୍କ ସାହଚର୍ଯ୍ୟରେ ସ୍ଵଦେଶପ୍ରେମର ବାର୍ତ୍ତାବହ ସାଜିଥିଲେ। ପରବର୍ତ୍ତୀ ସମୟରେ ମତିଲା ରାୟ, ରାଜକୃଷ୍ଣ ରାୟ, ଗାୟିକା ଆଶ୍ଚର୍ଯ୍ୟମୟୀ, ଅମୃତଲାଲ ବସୁ, ଅମର ଦତ୍ତଙ୍କ ଭଳି କଳାକାରଙ୍କ ସଂସ୍ପର୍ଶରେ ଆସିଥିଲେ।ସଂଗୀତଜ୍ଞା ଆଶ୍ଚର୍ଯ୍ୟମୟୀଙ୍କଠାରୁ ଶ୍ୟାମା ସଙ୍ଗୀତ, ଟପ୍ପା ଓ ଲୀଳା କୀର୍ତ୍ତନରେ ପ୍ରବୀଣ ହୋଇ ‘ତୋ’ ଲାଗି ଗୋପଦାଣ୍ଡ ମନାରେ କାଳିଆ ସୁନା…. ‘ ଭଳି ଅନେକ ଛାନ୍ଦ, ଚମ୍ପୂ, ଓଡିଶୀ ସଙ୍ଗୀତରେ ପଟୁ ହୋଇଲେ। ଏପରିକି କଲିକତାର ପ୍ରସିଦ୍ଧ ଏଚ୍.ଏମ୍.ଭି ରେକର୍ଡରୁ ନେଇ ମୟୂରଭଞ୍ଜ ରାଜବାଟୀରେ ଆଶ୍ଚର୍ଯ୍ୟମୟୀ ତାଙ୍କୁ ନିଜର ଗୁରୁ ରୂପେ ପରିଚିତି ଦେଇ ଆସିଥିଲେ। ଆଉ ଏଥି ସହ ନିଜର ପ୍ରୟାସକୁ ଓଡ଼ିଆ ମାଟିରେ ପ୍ରୟୋଗ କରି ସଫଳ ହେବାର ଉଚ୍ଚାଭିଳାଷ ପୋଷଣ କରି ୧୯୧୬ ମସିହାରେ ଓଡ଼ିଆ ମାଟିକୁ ଫେରିଲେ କଵିମଞ୍ଜୁଳ କୃଷ୍ଣପ୍ରସାଦ ବସୁ।ସେତେବେଳେ ଗୋଲଟେବୁଲ୍ ବୈଠକ ପ୍ରାୟ ନିକଟବର୍ତ୍ତୀ ହେଉଥାଏ ଆଉ କବି ବାଞ୍ଛାନିଧି ଲେଖିଛନ୍ତି ‘ଅରଟ ବନ୍ଦନା’, ‘କପାଚାଷ’, ‘ଖଦଡ଼ ପ୍ରଚାର’, ‘ବନ୍ଦିନୀ ଜନନୀ’, ‘ଆଚ୍ଛା ଗୋଲଟେବୁଲ୍ ପାଲା…” ଭଳି ଅଦ୍ୟାବଧି ମଧ୍ୟ ଯୁଗୋପଯୋଗୀ ଦେଶାତ୍ମବୋଧକ ସଙ୍ଗୀତ। ଆଉ କୃଷ୍ଣପ୍ରସାଦ ନିଜେ ଆରମ୍ଭ କରିଛନ୍ତି ଯାତ୍ରା ପାଇଁ ନାଟକ ଲେଖା। ବାଞ୍ଛାନିଧି ମହାନ୍ତି ଓ କବିମଞ୍ଜୁଳଙ୍କ ମଧ୍ୟରେ ନିଷ୍ପତ୍ତି ହେଲା ଯେ ଜଣେ ଜେଲ୍ ଗଲେ ଆରଜଣକ ଦଳର ନାମ ପରିବର୍ତ୍ତନ କରି ବାଞ୍ଛାନିଧି ହେବେ ପରିଚାଳକ ଓ ପର୍ଯ୍ୟାୟକ୍ରମେ କାରାବାସ ସତ୍ତ୍ଵେ ଦଳଟି ଚଳାଯାଇପାରିବ। ଯାଜପୁରର ଜଣେ ପ୍ରସିଦ୍ଧ ସାହିତ୍ୟିକ ନୀଳମଣି ତର୍କରତ୍ନ। ଅତ୍ୟନ୍ତ ଶୁଚିନିଷ୍ଠ ବ୍ୟକ୍ତି ତଥା ଯାଜପୁର ଉଚ୍ଚ ବିଦ୍ୟାଳୟରେ କୃଷ୍ଣପ୍ରସାଦଙ୍କ ପ୍ରାକ୍ତନ ଶିକ୍ଷକ। ଥରେ ଚଉଦ କୁଲାଟର ଗୋପାଳ ଦାସ୍ ଯାଜପୁରର ବାରୁଣୀ ପଡିଆରେ ‘ସୀତା ବନବାସ’ ନାଟକରେ ଅନେକ ଅଶ୍ଳୀଳ ବ୍ୟଞ୍ଜନାରେ ପଣ୍ଡିତ ନୀଳମଣି ଭାରି ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଅଭିପ୍ରାୟରେ କୃଷ୍ଣପ୍ରସାଦଙ୍କୁ ଯାତ୍ରା ଲେଖିବା ପାଇଁ ପ୍ରେରଣା ଦେଇ ସେ ଏକ ପତ୍ର ମାଧ୍ୟମରେ ସମସ୍ତ ବିବରଣୀ ଦେଇ ଜଣାଇଲେ – “ବଶିଷ୍ଠେ କୁଳର ପୁରୋଧା ଏହି ଉତ୍ସାହବାଣୀରେ ଅଭିପ୍ରେତ କଵିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ନାମାନୁସାରେ ‘ବିରଜା ଅପେରା’ ପ୍ରତିଷ୍ଠା କରି ନିଜେ ‘ହରି ଅନ୍ଵେଷଣ’, ‘ସୀତା ବନବାସ’ ଏବଂ ‘ଶକୁନ୍ତଳା’ ଭଳି ଯାତ୍ରାନାଟକ ଲେଖିଥିଲେ। ବିରଜାଙ୍କ ମନ୍ଦିର ସିଂହଦ୍ଵାରଠାରେ ଖୋଲା ମଞ୍ଚରେ ‘ହରି ଅନ୍ଵେଷଣ’ ପ୍ରଦର୍ଶିତ ହେବା ସହ ପ୍ରଥମ କରି “ଦ୍ଵୈତନୃତ୍ଯ” ବା ‘Duet’କୁ ସ୍ଥାନୀତ କରନ୍ତି। ନାଟ୍ୟରଚନା, ସଂଳାପଧର୍ମିତା ସମେତ ଯନ୍ତ୍ରସଙ୍ଗୀତର ପରିଚାଳନାରେ ତୀକ୍ଷ୍ଣ ଦୃଷ୍ଟି ହେତୁ ଏହା ବେଶ୍ ପ୍ରସିଦ୍ଧି ଅର୍ଜନ କରେ। ଆଠଗୋଟି ଦୃଶ୍ୟ ସମ୍ଵଳିତ ଏହି ଏକାଙ୍କ ନାଟକଟିରେ ଏକ ବ୍ୟାଧ ଏକାଗ୍ର ଚିତ୍ତରେ ଶିକାର କରୁଥିଲା ବେଳେ ଋଷି ଅଗସ୍ତିଙ୍କ ଧ୍ୟାନଭଗ୍ନ କରି ମୁନିଙ୍କ ନିର୍ଦ୍ଦେଶରେ ବୃନ୍ଦାବନ ଯାଇ ଯମୁନା ତୀରରେ ବୁଲିବୁଲି ଫେରିଲା ପରେ କିପରି ରାଧାକୃଷ୍ଣଙ୍କ ଦର୍ଶନ ପାଇ ଦୃଢ ବନ୍ଧନରେ ଆବଦ୍ଧ କରି ମୁନିଙ୍କ ନିକଟକୁ ନେଇ ଆସିଛି – ତାହା ଏହି ‘ହରି ଅନ୍ଵେଷଣ’ର ଏକ ପ୍ରମୁଖ ଉପଜୀବ୍ୟ। ଏହି ନାଟକଟି ପୁନଶ୍ଚ, ବଲାଙ୍ଗୀରରେ ମହାରାଜା ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଶ୍ରାବଣାଭିଷେକ ଉପଲକ୍ଷେ ଶୈଳଶ୍ରୀ ପ୍ରାସାଦରେ ୧୯୪୩ ମସିହା ଅଗଷ୍ଟ ୧୫ ତାରିଖରେ ଅଭିନୀତ ହୋଇଛି।ସେତେବେଳେ ରାଜନ୍ଯ ସମ୍ମେଳନ ନାଟ୍ଯକାରଙ୍କୁ ଆଠହଜାର ଟଙ୍କାର ପୁରସ୍କାର ସହ ବହୁମୂଲ୍ୟ ପରିଚ୍ଛଦ ପୁରସ୍କାର ସ୍ଵରୂପ ପ୍ରଦାନ କରାଇଥିଲେ। ଆଉ, ଏଥି ସହ ଲୋକଙ୍କ ମନରେ ସେ ଯେହେତୁ, ସରକାର ବିରୋଧୀ ମନୋବୃତ୍ତିକୁ ପ୍ରୋତ୍ସାହିତ କରୁଥିଲେ, ସେଥିପାଇଁ ତାଙ୍କୁ ନିବର୍ତ୍ତାଇବା ପାଇଁ ପୋଲିସ୍ ସବଇନିସପେକ୍ଟର ଚାକିରି ମଧ୍ୟ ଯଚାଗଲା। ହେଲେ ସ୍ଵାଧୀନଚେତା କବିମଞ୍ଜୁଳ ଏଥିରେ ନାସ୍ତି କରି ପିତାଙ୍କ ସହ ମନୋମାଳିନ୍ୟ ହେତୁ ଗୃହ ତ୍ଯାଗ କରିଛନ୍ତି ଓ ଜନପ୍ରିୟ “ବିରଜା ଅପେରା’ ସାମୟିକ ଭାବେ ବନ୍ଦ ହୋଇପଡେ।ହେଲେ, ୧୯୨୭ ମସିହା ବେଳକୁ କଵିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ କରି ଅପେରାକୁ ପୁନର୍ବାର ସଙ୍ଗଠିତ କରିଛନ୍ତି । ତାଙ୍କ ରଚିତ ‘ବଭ୍ରୁବାହନ’ ନାଟକ ୧୯୨୭ ମସିହା ଜୁନ ୨୪ ତାରିଖରେ ଅରାଳପଙ୍କରେ ଅଭିନୟ କରିଲା ପରେ ଚମ୍ପୁଆରେ ଅଭିନୟାଦି କରିବା ବେଳେ ଆକସ୍ମିକ ଅଗ୍ନିସଂଯୋଗ ଅପେରା ଦଳର ସମସ୍ତ ସମ୍ପତ୍ତି ଭସ୍ମୀଭୂତ କରିଦିଏ। ଫଳତଃ, ଦ୍ଵିତୀୟ ଥର ପାଇଁ ବନ୍ଦ ହୋଇଛି ‘ବିରଜା ଅପେରା’।ବେଦବ୍ୟାସକୃତ ମହାଭାରତର ମଧ୍ଯପର୍ବ ଅନ୍ତର୍ଗତ ଆଖ୍ୟାୟିକାକୁ ଆଧାର କରି କବିମଞ୍ଜୁଳ କୃଷ୍ଣପ୍ରସାଦ ଏକ ପୂର୍ଣ୍ଣାଙ୍ଗ ନାଟକ ରଚନା କରିଥିଲେ, ଯାହାର ନାମ ଥିଲା ‘ବଭ୍ରୁବାହନ’। ଏଥିରେ ଅନେକ ମୌଳିକ କାହାଣୀ ବିନ୍ୟାସ ସହ ପାଞ୍ଚଟି ଅଙ୍କରେ ବିଭକ୍ତ। ଏହାର ବିଶେଷତ୍ୱ ହେଉଛି ଯେ ଏହା ଅମିତ୍ରାକ୍ଷର ଛନ୍ଦରେ ଥିଲେ ମଧ୍ୟ ଅନେକତ୍ର, ସରଳ ଗଦ୍ୟ ସଂଳାପ ମଧି ଦିଆଯାଇଛି। ଏଥିରେ ଉଲ୍ଲୁପୀ ଚରିତ୍ର ବିଧାତାଙ୍କ ବଜ୍ର ଲେଖନୀକୁ କରିପାରିଛନ୍ତି ଆନ, ଗୋଟିଏ ଶ୍ଵାସରେ ଟଳିଛି ବାସୁକୀର ସ୍ଥାନ ଆଉ ଅଙ୍ଗର ସ୍ଫୁଲିଙ୍ଗ ମେଦିନୀ ପାଇଁ ହୁଏ ଅସହ୍ୟ !“ଏ ଜୀବନେ ନୋହିବ ସାଧନ ସୁମେରୁ ଟଳିବ ପଛେ ସିନ୍ଧୁ ଯିବ ସୁଖି ଖଣ୍ଡ ଖଣ୍ଡ ହୋଇ ଧରା ଯିବ ରସାତଳେ – କ୍ଷତ୍ରିୟ ମୁଁ ବିନା ଯୁଦ୍ଧେ ଦେବି ନାହିଁ ବାଜୀ ଅସ୍ତ୍ରେ ଶସ୍ତ୍ରେ ହେବ ମୋର ପିତୃ ସମ୍ଭାଷଣ ଶରପୁଷ୍ପେ ପୂଜିବି ମୁଁ ଜନକ ପୟର। (୧/୩ ଦୃଶ୍ୟ) × × × ଫାଲ୍ଗୁନିର ବକ୍ଷଧାରା ଶୋଣିତ ତର୍ପଣ ଅସ୍ତ୍ରାଘାତ ଯେତେ ଥର ହୋଇଛି ତୋ ଦେହେ, ସ୍ତରେ ସ୍ତରେ ଲେଖା ଅଛି ବକ୍ଷରେ ମୋହର। ଗଙ୍ଗାହୃଦ ତମାବୃତ ବିକଟ ଶ୍ମଶାନ ଜଳୁଛି ମାତ୍ରକ ତହିଁ ପ୍ରତିହିଂସାନଳ, ଶତ୍ରୁର ଶୋଣିତ ବିନା ନୋହିବ ତର୍ପଣ । (୩/୩ ଦୃଶ୍ୟ ) ଏହା ପରେ ୧୯୩୫ ମସିହାରେ କେନ୍ଦୁଝର ରାଜାଙ୍କ ସହାୟତାରେ ‘ବିରଜା ଅପେରା’ ସଙ୍ଗଠିତ ହେବା ସହ ନାଟ୍ଯାଚାର୍ଯ୍ଯ ରଘୁନାଥ ପଣ୍ଡା ନୂତନ ଭାବରେ ତହିଁରେ ଯୋଗ ଦିଅନ୍ତି। ସେତେବେଳେ ‘ଶକୁନ୍ତଳା’, ‘ବିଲ୍ଵମଙ୍ଗଳ’, ‘ମେଘନାଦ ବଧ‘ ଭଳି ନାଟକରେ କୃଷ୍ଣପ୍ରସାଦ ବସୁ ମୁଖ୍ଯ ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି। ପୁନଶ୍ଚ, ସେଥିରେ ଥିଲେ ଯାଜପୁରର ଯୋଗୀନ୍ଦ୍ର ପତି ଯାତ୍ରା ସଙ୍ଗଠକ ଫକୀର ସାହାଣି, ଅଭିନୟାଦିରେ ପ୍ରହରାଜପୁରର ଲକ୍ଷ୍ମୀଧର ମିଶ୍ର, ଭଣ୍ଡାରି ପୋଖରୀର ଉଦୟନାଥ ଦାସ, ଜଗନ୍ନାଥ ପ୍ରସାଦର ବିମ୍ଵାଧର ସାହାଣି, ବୈଦ୍ୟରାଜପୁରର ଲକ୍ଷ୍ମୀଧର ସାହୁ ଏବଂ ଷୋଳମପୁରର ଦଶରଥ ନାୟକ। ହେଲେ, ତାଲିମପ୍ରାପ୍ତ କଳାକାରମାନେ ନିଜ ନିଜ ଦଳ ଗଠନ କରି ଲାଭବାନ ହେବା ଆଶାରେ ‘ବିରଜା ଅପେରା‘ ଛାଡନ୍ତି ଓ ପରିଶେଷରେ ଏହାର ପତନ ହୁଏ। ଏହାକୁ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ନିଜର ‘ଆଖଡା ଘରେ ବୈଠକ’ ଶୀର୍ଷକ ଆଲେଖ୍ୟରେ ଦର୍ଶାଇଛନ୍ତି – “ଏହିପରି କ୍ଷୁଦ୍ର ବୃହତ୍ ନାନା ସ୍ମୃତି ଆଜି କିଶୋର ପ୍ରାଣକୁ ଆଲୋଡିତ କରୁଛି। ପରିଆର ରଙ୍ଗଢଙ୍ଗ ରୀତିନୀତି ସବୁ ବିଷ ପରି ଜଣାପଡୁଛି। କିନ୍ତୁ ସେ ସଙ୍ଗାତ-ମାହାର୍ଦ୍ଦ ଦେଇ ସଙ୍ଗାତ ବସିଛି। ବାପା ମୋର କି ହୀନବୁଦ୍ଧି ନକଲା, ରାଉତ ବୁଢା ବୁଦ୍ଧିରେ – ଟଙ୍କା ପଚାଶଟାକୁ ବିକିଦେଲା ମୋତେ। ଓସ୍ତାଦଙ୍କୁ କହିଥିଲେ ସେ କଣ ଟଙ୍କା ଶହେ ଦେଇ ନଥାନ୍ତେ। ଏ ସବୁ ମୂଳ ସେହି ରାଉତ ଘର କାଳନେମୀ ! ମୋ ମୁଣ୍ଡତଳକୁ ହେଲା, ମୁଁ ଗୁରୁଦ୍ରୋହୀ ହେଲି ― ଏକ ଦିଗେ ସଙ୍ଗୀତ, ଏକ ଦିଗେ ବାପ, ଅନ୍ୟ ଦିଗେ ଚଳନ୍ତି ଦେବତା ପ୍ରାୟ ଓସ୍ତାଦେ। ତରୁଣମସ୍ତିଷ୍କ ନିଜର କର୍ତ୍ତବ୍ୟ ସ୍ଥିର କରିପାରୁନାହିଁ । “ ଆଳି ରାଜାଙ୍କ ଅନୁରୋଧରେ ନାଟ୍ଯ ପ୍ରଦର୍ଶନ କରି ସେ ସେହିଠାରେ ୧୯୩୯ ମସିହାରେ “କବିମଞ୍ଜୁଳ” ଉପାଧିରେ ଭୂଷିତ ହୋଇଥିଲେ। ଆଉ, ସେତେବେଳେ “ଶ୍ୟାମସୁନ୍ଦର ଥିଏଟର” ମାଧ୍ୟମରେ ‘ଗୟାସୁର ବଧ’, ‘କୃଷ୍ଣଚରିତ’, ‘ଯଯାତି କେଶରୀ’ ଭଳି ନାଟକକୁ ମଞ୍ଚସ୍ଥ କରିବା ସହ ଭଦ୍ରକ ଏଡ଼ତାଳର ମଧୁସୂଦନ ପଲାଇ, ବଂଶୀଧର ପୁହାଣ, ପୁରୁଷୋତ୍ତମ ମହାଳିକ, ଲୋକନାଥ ମହାପାତ୍ର ପ୍ରଭୃତିଙ୍କୁ ନେଇ ସେ ବାଲେଶ୍ଵରରେ ମାସେ ଯାଏଁ ଥିଏଟର କରି ଚହଳ ସୃଷ୍ଟି କରିଦେଲେ ! ହେଲେ, ଦେଶପ୍ରେମ ସଙ୍ଗୀତକୁ ବିରୋଧ କରିଥିଲେ ଭୂୟାଁ ଭାସ୍କରଚନ୍ଦ୍ର। ଏଡତାଳ ଛାଡିଲେ କଵିମଞ୍ଜୁଳ କୃଷ୍ଣପ୍ରସାଦ ବସୁ। ଏହା ସମୟରେ ଯାତ୍ରାନାଟକର ସଙ୍ଗୀତଗୁଡିକୁ ନେଇ ସେ ‘ଫୁଲହାର’ ନାମରେ ଗୀତିକବିତା ସଙ୍କଳିତ କରିବା ସହ ୧୯୨୩ ମସିହାରେ ରଜ ସଂକ୍ରାନ୍ତି ଦିନ ପ୍ରକାଶ କରେଇଥିଲେ। ଆଉ, ସେତେବେଳେ ବାଲେଶ୍ଵରର ବଙ୍ଗଳାଯାତ୍ରାକୁ ପ୍ରତିହତ କରିଲା ଭଳି ଦଳ ଥିଲା “ଶ୍ୟାମସୁନ୍ଦର ଥିଏଟର”। ଓଡ଼ିଆ ଯାତ୍ରା, ଚମ୍ପୂ, ଓଡିଶୀ ରାଗଯୁକ୍ତ ସଙ୍ଗୀତ ସସ ଉତ୍ତର ବାଲେଶ୍ଵର ଅଞ୍ଚଳରେ କବିସୂର୍ଯ୍ୟ ବଳଦେବ ଓ କବିକଳହଂସ ଗୋପାଳକୃଷ୍ଣଙ୍କ ସଙ୍ଗୀତକୁ ପ୍ରଚାର କରି ଶେଷରେ ବଙ୍ଗାଳୀଙ୍କୁ ପ୍ରତିହତ କରିଛନ୍ତି ! ଯାଜପୁରରେ ଶିକ୍ଷକତା କରୁଥିବା ସମୟରେ ବସ୍ତା ଉଚ୍ଚ ବିଦ୍ଯାଳୟର ପ୍ରଧାନଶିକ୍ଷକ ସୋରର ମାଧବ ଚନ୍ଦ୍ର ପାତ୍ର କୃଷ୍ଣପ୍ରସାଦଙ୍କୁ ଯାତ୍ରା ଦଳ ଗଠନ ପାଇଁ ସାହାଯ୍ୟ କରିଥିଲେ। ପୁନଶ୍ଚ, ବସ୍ତାର ପୂର୍ଣ୍ଣଚନ୍ଦ୍ର ମହାନ୍ତି ଏ କ୍ଷେତ୍ରରେ ତାଙ୍କୁ ସହଯୋଗ କରିଥିଲେ। ଏହା ଥିଲା ‘ବାସନ୍ତୀ ଥିଏଟର’ ! ଏହା କିନ୍ତୁ ଅଳ୍ପ ସମୟ ପରେ ବନ୍ଦ ହେଇଯିବାରୁ ହରେକୃଷ୍ଣ ମହତାବଙ୍କ ପ୍ରେରଣାରେ ସେ ଭୋଗରାଇରେ ନାଟ୍ୟଦଳ ଗଠନ କରି ବଙ୍ଗଳା ଯାତ୍ରାକୁ ପ୍ରତିହତ କରିଛନ୍ତି। ଦକ୍ଷିଣ ସଙ୍ଗୀତ ପଦ୍ଧତିରେ ଅଧିକ ଜ୍ଞାନ ଆହରଣ ନିମନ୍ତେ ସେ ଗଞ୍ଜାମ ଗସ୍ତ କରିଲେ। ସେଠାରେ ସେ ନିଜର ତିନି ଚାରିଜଣ ମେଧାବୀ ଛାତ୍ରଙ୍କୁ ନେଇ ଗଞ୍ଜାମରେ ରହି ତେଲେଙ୍ଗୀ ସଙ୍ଗୀତର ପଦ୍ଧତି, ଶିକ୍ଷାପ୍ରଣାଳୀ ଓ ଗୀତ ଆୟତ୍ତ କରିଲେ। ଏହା ପରେ ବ୍ରହ୍ମପୁରରେ ଆସି ଶଶିଭୂଷଣ ରଥ, ଲକ୍ଷ୍ମୀନାରାୟଣ ସାହୁ ଓ ସାରଥୀ ସାହୁଙ୍କ ସହାୟତାରେ “ବ୍ରହ୍ମପୁର ନାଟ୍ଯ ମନ୍ଦିର” ଆରମ୍ଭ କରିଥିଲେ। ଏହାର ଅନ୍ୟନାମ ଥିଲା “ସାରଥୀ ଥିଏଟର” । “ବନମାଳୀ ଆର୍ଟ ଥିଏଟର” ଯେଉଁ ରଙ୍ଗମଞ୍ଚରେ ଅଭିନୟ କରୁଥିଲା ତାହାକୁ ରକ୍ଷା କରିବାର ଅଭିପ୍ରେତ। ଏହିପରି ଭାବରେ ସେ ମ୍ୟାନେଜର ସାରଥି ସାହୁଙ୍କ ସହ ପରିଚାଳନାଗତ ଦକ୍ଷତା ହାସଲ ସହ ପାରଳାଖେମୁଣ୍ଡି, ଜଟଣୀ, ଧରାକୋଟ ଓ ପୁରୀ ଆଦି ଅଞ୍ଚଳରେ ଦଳଯାତ୍ରା ପରିବେଷଣ କରିବା ସହ ବିଶିଷ୍ଟ ଅଭିନେତା ଓ ନାଟ୍ଯକାର କାର୍ତ୍ତିକ କୁମାର ଘୋଷ ଓ ରାମଚନ୍ଦ୍ର ମାଣିଆଙ୍କ ସାହଚର୍ଯ୍ୟ ଲାଭ କରିଥିଲେ। ସେତେବେଳେ କୃଷ୍ଣପ୍ରସାଦଙ୍କ ନିର୍ଦ୍ଦେଶନା ତଥା କଳାତ୍ମକତା ସମଗ୍ର ଓଡିଶାରେ ପ୍ରସିଦ୍ଧି ଲାଭ କରିସାରିଥିଲା। ଜଣେ ଅପ୍ରତିନ୍ଦ୍ଵନ୍ଦ୍ଵୀ ସଙ୍ଗୀତଜ୍ଞ ହେବା ସହ ଶାସ୍ତ୍ରୀୟ ପଦ୍ଧତିରେ ଅସପତ୍ନ ପ୍ରତିଷ୍ଠା ଆହରଣ କରିଥିଲେ। ନିଜ ‘ଆଖଡା ଘରେ ବୈଠକ’ ଆଲେଖ୍ଯରେ ସେ ନିଜର ଓସ୍ତାଦ୍ ଓ ଛାତ୍ରମାନଙ୍କ ସହ ତାଲିମ କାର୍ଯ୍ଯ ସହ ଯାତ୍ରାଦଳର ସାଙ୍ଗଠନିକ ଦୃଢୀକରଣର ଅନେକ ଚମତ୍କାର ଦୃଷ୍ଟାନ୍ତ ଦେଇଛନ୍ତି। ଆଉ ଏଥି ସହ ତାଙ୍କ ପ୍ରସିଦ୍ଧି ଓ କଳାତ୍ମକତାକୁ ଆଧେୟ କରି HMV Company ରେ ତାଲିମଦାତା ରୂପେ ନିଯୁକ୍ତି ପାଇଥିଲେ। ଆଉ ତାଙ୍କରି ନିଯୁକ୍ତି ସମୟରେ ସେ ନିଜେ ଅଗଣିତ ସଙ୍ଗୀତ ରେକର୍ଡିଂ ରଖିବା ସହ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ, ଗୋକୁଳାନନ୍ଦ ମହାନ୍ତି, ଅପର୍ଣ୍ଣା ପାଣିଗ୍ରାହୀ, ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଭଳି ବଦାନ୍ୟ ଶିଳ୍ପୀଙ୍କୁ ପ୍ରୋତ୍ସାହିତ କରନ୍ତି। ଆଉ ଏହି ରେକର୍ଡ ସଙ୍ଗୀତ “ପ୍ରସାଦ ଗୀତାବଳୀ” ନାମକ ଗ୍ରନ୍ଥରେ ପ୍ରକାଶ ପାଏ। ଆଉ ଏହି ସମୟରେ ସ୍ଵରଚିତ ‘ବାମନାବତାର’ ଓ ‘ଧ୍ରୁବଚରିତ’ ଦୁଇଟି କ୍ଷୁଦ୍ରନାଟିକାର ଗ୍ରାମୋଫୋନ୍ ରେକର୍ଡ ପ୍ରସ୍ତୁତ କରିଥିଲେ। ବ୍ୟବସାୟିକ ଦୃଷ୍ଟି ଅପେକ୍ଷା ଗୋଟିଏ ବିଦଗ୍ଧ ସଂଗୀତଜ୍ଞ ରୂପେ ସେ ଜୀବନ ବିତାଉଥିଲେ। କବିମଞ୍ଜୁଳଙ୍କ ସ୍ଵରଚିତ “ଏହି ଯା ଦେଖୁଛୁ ଦୂର ଆକାଶରେ ନୀଳଚକ୍ରଟିଏ ଥାଇ, ନାତୁଣୀଲୋ ବଡ଼ ଦେଉଳଟି ସେହି…… “, ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ କଣ୍ଠରେ ଓଡିଶାରେ ସେତେବେଳେ ଜନପ୍ରିୟ ରେକର୍ଡ ସଙ୍ଗୀତ ଥିଲା। ସେହିପରି କିଛି ଗୀତ ଥିଲା :- (୧) (୨) କ୍ଷୀର ମୋହନ ଚିରଦିନ ମନମୋହନ ତୀର୍ଥ-କିରୀଟିନୀ ଶତ-ସୁଷମା ଖଣି ପୁଣ୍ୟ କେତନ ଶୂନ୍ୟେ ଉଡି ଧିରେ ହେଲେ ଏହାର ପ୍ରତିକ୍ରିୟା ବୈଷ୍ଣବ ପାଣି ଓଡ଼ିଆ ମାଟିରେ ଦେଇଥିଲେ। କରଞ୍ଜିଆ ଯାତ୍ରାରେ କୃଷ୍ଣପ୍ରସାଦଙ୍କୁ ପରାସ୍ତ କରିଦେଲେ ବୈଷ୍ଣବ ପାଣି। ନାଟ୍ୟମଞ୍ଚରେ ତୀବ୍ର ପ୍ରତିଦ୍ବନ୍ଦ୍ଵୀ ସତ୍ତ୍ଵେ ଦୁହେଁ ଥିଲେ ଘନିଷ୍ଠ ମୈତ୍ର। ଯାଜପୁର ସହରରେ ବୈଷ୍ଣବ ପାଣି ନାଟ୍ୟ କରିଲା ବେଳେ କବିମଞ୍ଜୁଳଙ୍କ ସତ୍କାର ଗ୍ରହଣ କରିବା ସହ ବିରଜାଙ୍କ ଦର୍ଶନ ବେଳେ ସଙ୍ଗୀତ ଗାଇ ସ୍ଵାଗତ କରିଥିଲେ କଵିମଞ୍ଜୁଳ କୃଷ୍ଣପ୍ରସାଦ ବସୁ – “ଆସ ଆସ ନନା ବେଗି ବେଗି ଆସ ୧୯୩୭ ମସିହାରେ ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ଅଧିବେଶନରେ ସଭାପତି ଥିଲେ ରାଜେନ୍ଦ୍ର ନାରାୟଣ ସିଂହଦେଓ। ସଂଗୀତ ସମାରୋହର ସମାରୋହର ସଭାପତିତ୍ଵ କରୁଥିବା କୃଷ୍ଣପ୍ରସାଦଙ୍କ ସାଙ୍ଗୀତିକ ପ୍ରତିଭାରେ ସେ ମୁଗ୍ଧ ହୋଇଥିଲେ। ଏହା ପରେ ସେ ୧୯୪୨ ମସିହାରେ ପହଞ୍ଚି ଏହି ରସଗୋଲା ବିଷୟକ ଗୀତଟି ଗାନ କରି ଦର୍ଶକଙ୍କୁ ମୁଗ୍ଧ କରିଥିଲେ। ଆଉ ଏହି ସମୟରେ କଵିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ପାଟଣାରେ ‘ରମାଇ ଦେଓ’, ‘ଦକ୍ଷଯଜ୍ଞ’ ଭଳି ନାଟକଟି ଅଭିନୟ କରାଇଥିଲେ। ଆଉ ସେତେବେଳେ ଟିଟିଲାଗଡ଼ ଠାରେ କୃଷି ଓ ଶିଳ୍ପର ଏକ ପ୍ରଦର୍ଶନୀରେ ମଧ୍ୟ ସଙ୍ଗୀତମାନ ରଚନା କରି କବିମଞ୍ଜୁଳ ଗାନ କରୁଥିଲେ। ଏପରିକି ଏହି ସଙ୍ଗୀତ ସବୁର ଇଂରାଜୀ ଅନୁସୃଜନ ମଧ୍ୟ ନିଜେ କରି କଟକର ‘ଉତ୍କଳ ସାହିତ୍ୟ ପ୍ରେସ’ ରୁ ମୁଦ୍ରିତ କରି ବିତରଣ କରିଥିଲେ। ଏହା ପରେ ପିତାଙ୍କ ନିଧନାନ୍ତେ ୧୯୪୮ ମସିହାରୁ ବିରଜା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବରେ ଆସି ଯୋଗ ଦେଲେ। ଆଉ ୧୯୫୯ ମସିହା ବେଳକୁ ତ ଜଣେ ଦକ୍ଷ ଶିକ୍ଷକ ଭାବେ ପ୍ରତିଷ୍ଠିତ କରେଇଥିଲା । ତାଙ୍କର ରଚନାବଳୀ ମାନଙ୍କରେ ‘ବାମନାବତାର’, ‘ପାଞ୍ଚାଳୀ ପଟ୍ଟାପହରଣ’, ‘ମେଘନାଦ ବଧ’, ‘ବ୍ରାହ୍ମଣ’, ‘ଦାକ୍ଷାୟଣୀ’, ‘ପରୀକ୍ଷିତ ବ୍ରହ୍ମାଶାପ’, ‘ପାଦୁକା’, ‘କିସ୍କିନ୍ଧ୍ୟା’, ‘କଚ ଦେବଯାନୀ’, ‘ଚଣ୍ଡାଶୋକ’, ‘ହରିଶ୍ଚନ୍ଦ୍ର’, ‘ଦେବବ୍ରତ’, ‘ନିମାଇଁ ସନ୍ୟାସ’, ‘ଶ୍ରୀ ଗୌରଗାଥା’ ଇତ୍ୟାଦି ଖଣ୍ଡକାବ୍ୟ ଥିଲା। ସିଏ ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା ଶ୍ରୀଜଗନ୍ନାଥ ଚଳଚ୍ଚିତ୍ରରେ ମଧ୍ୟ ଗୀତ ଲେଖିଛନ୍ତି। ଏଥି ସହ ଗଦ୍ୟ ରଚନାବଳୀ, ପ୍ରବନ୍ଧମାନ ଓ ନାଟ୍ୟନାଟିକାରେ ତାଙ୍କ କୃତୀତ୍ଵ ସହସ୍ରାଧିକ। ଶ୍ରୀଜଗନ୍ନାଥ ଚଳଚ୍ଚିତ୍ରରେ ‘ପିୟାସୀରେ ନୀର ଖୋଜୁ କ୍ଷୀର ଦେବି ମୁହିଁ’ ଗୀତ ତାଙ୍କୁ ଅନେକ ପ୍ରଶଂସା ସାଉଁଟି ଆଣିଥିଲା। ୧୯୪୭ ମସିହାରେ ସେ ସ୍ଵାଧୀନତା ଦିବସ ଦିନ ସହସ୍ରାଧିକ ଛାତ୍ର ଓ ଶିକ୍ଷକଙ୍କର ଏକ ବିରାଟ ଶୋଭାଯାତ୍ରା ନେଇ ସେ ଯାଜପୁର ସହର ପରିକ୍ରମା କରିବା ସହ ତତ୍କାଳୀନ ଶିକ୍ଷାବିଭାଗ ଇନିସପେକ୍ଟର ମାୟାଧର ମାନସିଂହଙ୍କ ସହ ବନ୍ଧୁତ୍ଵ ସ୍ଥାପିତ ହୋଇ ପ୍ରତ୍ୟହ ପତ୍ରାଳାପ ମଧ୍ୟ କରୁଥିଲେ। ୧୯୫୫ ମସିହା ବେଳକୁ ସେ ଶିକ୍ଷକ ଜୀବନରୁ ଅବସର ଗ୍ରହଣ ପରେ ମଧ୍ୟ ବହୁ ଯୁବକ ଓ ପାଲାକାରଙ୍କୁ ବିନା ମୂଲ୍ୟରେ ସଙ୍ଗୀତରେ ତାଲିମ ଦେଉଥିଲେ। ତାଙ୍କ ରଚନା ସମ୍ଭାର ଅଗ୍ରଣୀ ପତ୍ରିକାରେ ପ୍ରକାଶିତ ହେବା ପରେ ଓଡିଆ ସାହିତ୍ୟ ଏକାଡେମୀ ଦ୍ବାରା ସେ ସମ୍ବର୍ଦ୍ଧିତ ହୋଇଥିଲେ କଵିମଞ୍ଜୁଳ କୃଷ୍ଣପ୍ରସାଦ ବସୁ। ଅଗଷ୍ଟ ୧୮ ତାରିଖ, ୧୯୬୮ । ସେଦିନ ଆକାଶରେ ପ୍ରଚଣ୍ଡ ଝଡ଼ବର୍ଷା। ରାତି ଠିକ୍ ୧୦ଟା ବେଳକୁ, ଜୀବନର ଅନ୍ତିମ ନିଃଶ୍ଵାସ ତ୍ୟାଗ କରିଲେ କଵିମଞ୍ଜୁଳ କୃଷ୍ଣପ୍ରସାଦ ବସୁ। ଶେଷରେ ବୈତରଣୀ ମଧ୍ୟସ୍ଥ ବାରୁଣୀ ପଡିଆରେ ଲେଲିହାନ ଶିଖାର ତଳେ ଅସ୍ତମିତ ହୋଇଗଲା ଏକ ମହତ ଜୀବନ। ତାଙ୍କ ଅମରାତ୍ମାକୁ ପାଥେୟ କରି ଏତିକି ଶ୍ରଦ୍ଧାଞ୍ଜଳି । “ଆମ୍ଭେମାନେ ଓଡ଼ିଆ ସାହିତ୍ୟର ଚିହ୍ନରା ଗ୍ରାହକମାନଙ୍କୁ ଆଉ ଏକ ମତିମାନ୍, ମେଧାବାନ୍, ଗୁଣବାନ୍, ରସବିତ୍ ଓ ସ୍ଵରସଂଳାପୀ କ୍ଷଣଜନ୍ମା ପୁରୁଷଙ୍କର ସ୍ମରଣ ଦେଇ ନିଜକୁ କୃତାର୍ଥ ମନେ କରୁଛୁ।” (‘ଡଗର’ ପତ୍ରିକା)
| |
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…