ଲେଖା: ଅକ୍ଷୟ ଓଝା
“ବାସୁକି ସହିଛି ବସୁଧା ଭାର ଲୋ ବୋଉ
ବୃକ୍ଷ କି ସହିଛି ଫଳର ଭାର ଲୋ ବୋଉ
ନଦୀ କି ସହିଛି ମୀନର ଭାର ଲୋ ବୋଉ
ନ ସହି ପାରିଲୁ ମୋହର ଭାର ଲୋ ବୋଉ
**************
ବନସ୍ତରେ ପାରା ଯୋଡିକି ଯୋଡ଼ି ଲୋ ମାେ ମାଆମାନେ
ସେ ପାରା ଯାଆନ୍ତି ଆକାଶେ ଉଡି ଲୋ ମୋ ମାଆମାନେ
ସେ ପାରା ହସ୍ତରେ ସୁନା ଆଙ୍ଗୁଠି ଲୋ ମାେ ମାଆମାନେ
ମାେହରି ହସ୍ତରେ ବିଶ ଆଙ୍ଗୁଠି ଲୋ ମାେ ମାଆମାନେ . . “
ବିବାହ ବେଳେ କାନ୍ଦଣା ଗୀତ ଆଉ ଆମ ଗ୍ରାମ୍ୟ ସମାଜରେ ନାହିଁ । ସମୟକ୍ରମେ ଏହା ବିଲୁପ୍ତ ହେଇ ଗଲାଣି । ଆମ ଗ୍ରାମ୍ୟ ସମାଜରେ ଏହା ଏକ ଅଭିନ୍ନ ଅଙ୍ଗ ଥିଲା । ଆଜି ପରିଦୃଶିତ ହେଉ ନାହିଁ । ଝିଅଟିଏ ବିବାହ ସମୟରେ ନିଜର ଅନ୍ତଃ ବେଦନାକୁ ଗୀତ ଲହରୀ ମାଧ୍ୟମରେ ପରିପ୍ରକାଶ କରୁଥିଲା ।
ସେତେବେଳେ ଗ୍ରାମ୍ୟ ଜୀବନରେ ବିବାହ ଏକ ସାମାଜିକ ପର୍ବ ଭଳି ପାଳନ କରାଯାଉ ଥିଲା । ପୁରା ସାହିରେ ଆନନ୍ଦ ଉତ୍ସବ । ପୁରା ସାହି ଯାକ ଗୋଟିଏ ପରିବାର ଭଳି ହେଇ ଯାଉଥିଲା । ପିଲାମାନେ ଏକାଠି ହେଇ ଯାଉଥିଲେ ବିବାହ ଘରେ । ବନ୍ଧୁବାନ୍ଧବ ଝିଅଝିଆଣିରେ ଘର ଭରି ଯାଉଥିଲା । ଏକ ପାରିବାରିକ ଆତ୍ମୀୟତା ସେ ବସ୍ତି ଆନନ୍ଦରେ ଉଛୁଳି ଉଠୁଥିଲା । ପୁଅ ବାହାଘର ଠାରୁ ଝିଅ ବାହାଘର ଆହୁରି ଭାବପୂର୍ଣ୍ଣ ଥିଲା ।
ବାହାଘର ସ୍ଥିର ହେଇଗଲା ପରେ ଝିଅ ଘର ବିବାହ ବ୍ୟବସ୍ଥାରେ ଲାଗି ପଡନ୍ତି । ଝିଅ ପାଇଁ ଗହଣା, କପଡ଼ା ଉପଢୌକନ, ବାହାଘର ଜିନିଷ, ବନ୍ଧୁବାନ୍ଧବଙ୍କ ପାଇଁ କପଡ଼ାଲତା, ବିବାହଭୋଜି ପାଇଁ ରନ୍ଧନଦ୍ରବ୍ୟ ଛୁଞ୍ଚିଠୁ ପଲଙ୍କ ଯାଏଁ ସବୁର ବ୍ୟବସ୍ଥାରେ ଲାଗି ଥାଆନ୍ତି ପରିବାର । ସୁନାରୂପାର ଅଳଙ୍କାର ଜୋଇଁ ପସନ୍ଦ ହାରମୁଦି କେତେ କଣ ଯୁଦ୍ଧ ଭିତ୍ତିକ ପରିସ୍ଥିତିରେ ରାତିଦିନ ତିଆରି ଚାଲିଥାଏ ।
ଆମ ସମାଜର ରୀତିରିବାଜ ଅନୁଯାୟୀ ହୁଳହୁଳି ସହିତ ଢ଼ିଙ୍କିମଙ୍ଗୁଳା, ଝିଅମଙ୍ଗୁଳା ଆରମ୍ଭ ପୂର୍ବରୁ ଝିଅ ପଡୋଶୀମାନଙ୍କ ଘର ବୁଲି ଯାଉଥିଲା । ଝିଅ ଜନମ ପର ଘରକୁ । ପର ଘରକୁ ଚାଲିଯିବ ତେଣୁ ଖୁଡି, ବଡ଼ବୋଉ, ଭାଉଜମାନେ ନିଜ ଘରକୁ ଡ଼ାକି ରୋଷେଇ କରି ଭାରି ଆଦରରେ ଖୁଆନ୍ତି । ଝିଅର ଭାରି ପ୍ରଶଂସା କରନ୍ତି । ଏଭଳି ଝିଅ ହଜାରରେ ଗୋଟିଏ । ଚାଲିଗଲେ ଗାଁ ଖାଁ ଖାଁ ଲାଗିବ । ପୁରା ଗାଆଁ ଗୋଟାକ ଝୁରିବ । ଇତ୍ୟାଦି ଇତ୍ୟାଦି ।
ଝିଅ ଭାବବିହ୍ଵଳିତ ହେଇଯାଇଥିଲା । ଗୀତି କନ୍ଦଣା/କାନ୍ଦଣା ଲହରୀ ମାଧ୍ୟମରେ ମନର କଥା କହି କାନ୍ଦି କାନ୍ଦି କଥା ମାଧ୍ୟମରେ ପରିପ୍ରକାଶ କରିଥାଏ । ତାକୁ ଢୁଆ ଦେଇ ଭାଉଜମାନେ କିମ୍ବା ମାଆ ବଡ଼ମା’ ସାନମା’ ମାନେ କାନ୍ଦନ୍ତି । ପରିସ୍ଥିତି ଅଶ୍ରୁଳ ହେଇ ଯାଉଥିଲା ସମସ୍ତେ ଆଖିରୁ ଲୁହପୋଛୁ ଥିଲେ । ଏମିତି ମଙ୍ଗୁଳି ହେବାର ଆଠଦିନ ପୂର୍ବରୁ ଚାଲୁଥିଲା । ଯେଉଁ ଗାଆଁରେ ବଢିଲା ଯେଉଁ ମାନଙ୍କ ଆଦର, କଟକଣାରେ ବଡ଼ ହେଲା ସେମାନଙ୍କ ଠାରୁ ବିଦାୟ ନେଇ ଯିବା ଏକ କଷ୍ଟକର ଅନୁଭୂତି ନିଶ୍ଚୟ । ସେଇ ଗାଆଁର ପାଣି ପବନ ବିଲବଣ, ସ୍କୁଲ୍, ସଡ଼କ ପୋଖରୀ ମନ୍ଦିର ଓ ନିଜ ଘର ଯେଉଁଠି ଜନ୍ମ ନେଇଛି ଯେଉଁଠି ତାର ଷଠିଘର ଅଛି, ସେଭଳି ନିତିଦିନିଆ ଜୀବନରୁ ବିଦା ହେଇ ଯିବା ଏକ କଷ୍ଟକର ଅନୁଭୂତି । ସେ କାଳରେ ଏହାକୁ କଥାଗୀତି ମାଧ୍ୟମରେ ପରିପ୍ରକାଶ କରି ନିଜ ବ୍ୟଥା ବଖାଣୁଥିଲା ।
“ବିରି ଗଛ ମୂଳେ ଥିରି ପବନ ଲୋ ଭାଉଜମାନେ
ମୋ ଚାରି ଭାଇ ଚନ୍ଦ୍ର ଭୁବନ ଲୋ ଭାଉଜମାନେ
***********
ସବୁ ମାଆ ମାନେ ଆସିଛ ଧାଇଁ ଲୋ ମାେ ମାଆ ମାନେ
ମୋର ଦୁଃଖ କଷ୍ଟ ଦେଖିବା ପାଇଁ ଲୋ ମାେ ମାଆ ମାନେ
ସବୁ ମାଆ ମାନେ ହୋଇଛ ଠିଆ ଲୋ ମୋ ମାଆ ମାନେ
କାହାରି ମନରେ ଦୟା ତ ନାହିଁ ଲୋ ମାେ ମାଆ ମାନେ”
ମଙ୍ଗୁଳି ପରେ କନ୍ୟା ବାଡ଼ୁଅ ପାଣିରେ ଗାଧଉ ଥିଲା । ଏହା ପରେ କନ୍ୟା ଆଉ ଘରୁ ନ ବାହାରିବାର ନିୟମ ଥିଲା । ସାହିର ମାଟି କାନ୍ଥରେ ଚିତା ଝୋଟି ଲାଗୁଥିଲା । ସେଥିରୁ ଅନୁମାନ ହେଉ ଯାଉଥିଲା ଏହି ଜାତିର ଗୋଷ୍ଠୀ ଗାଆଁର କେଉଁଠୁ କେଉଁ ପର୍ଯ୍ୟନ୍ତ ବୋଲି । ବିବାହ ବେଦୀ ବିବାହ ଘର ଦାଣ୍ଡରେ ସଜା ଯାଉଥିଲା । କଦଳୀ ଗଛରେ ଝାଲେରି ପତାକାରେ ବେଦୀ ସଜା ଯାଉଥିଲା ।
କେଇଦିନ ଆଗରୁ ଘିଅପିଠା, ବୁନ୍ଦି, କାକରା, ଛଣାଛଣି ଜୋରସୋରରେ ହେଇଥାଏ ।
ବିବାହ ଭୋଜି ଗାଆଁ ଲୋକେ ଏକତ୍ରିତ ହେଇ ଭୋଜନ କରିଥାଆନ୍ତି ।ବଡ଼ ଆଡମ୍ବରରେ ବରଯାତ୍ରୀ ଅତିଥିଙ୍କ ଚର୍ଚ୍ଚା କରାଯାଏ । ତଳେ ଚଟ ପକେଇ ପଂକ୍ତିରେ ବସି କଦଳୀପତ୍ରରେ ଭୋଜି ଭାତ ଖିଆଯାଏ ।
ଦିନ ତମାମ ବିବାହ କାର୍ଯ୍ୟ ସମ୍ପନ୍ନ ହେଲେ ସଂଜକୁ ବରକନ୍ୟା ବିଦାୟ ହୁଏ । ସେ ସମୟ ଅତି ଗମ୍ଭୀର ଓ ଭାବ ବିହ୍ବଳ ପରିବେଶ ହୋଇଥାଏ । ପୁରା ସାହିର ଝିଅବୋହୂ ଏକାଠି ହେଇ ଯାଆନ୍ତି କନ୍ୟା ପାଖରେ । ଦାଣ୍ଡ ଦୁଆରେ ସବାରୀ ଥୁଆ ହୋଇଥାଏ । ଚାରିଜଣ ବହାକ କାନ୍ଧରେ ଗାମୁଛା ପକେଇ ପ୍ରସ୍ତୁତ ରୁହନ୍ତି ।
ଟିକେ ଶକ୍ତି ପ୍ରୟୋଗ କରି ଝିଅକୁ ଘରୁ ବାହାର କରିବାକୁ ପଡିଥାଏ । ସମସ୍ତେ ପ୍ରାୟ ଅଶ୍ରୁଳ ହେଇ ପଡିଥାନ୍ତି । ଟାଣି ଘୋଷାରି ଯେମିତି ହେଉ ଝିଅକୁ ସବାରୀରେ ବସେଇବାକୁ ପଡ଼ିଥାଏ । ଏତେ ଦିନ ଯାଏ ବଢେଇ କୁଢେଇ ମଣିଷ କରି ଥିବା ବାପା ଅସହାୟ ହେଇ ପଡେ । ଯିଏ ସବୁ ସୁଖ ଦୁଃଖରେ ସାହାରା ହେଇ ପଡୁଥିବା ମଣିଷ ଅସହାୟ ଝିଅର କ୍ରନ୍ଦନର ପଥର ପାଲଟି ଯାଏ । ଗାମୁଛାରେ ଲୁହ ପୋଛେ । ମାଆ ଛାତି ପିଟେ ଘର ଭିତରେ । ଭାଇଭଉଣୀ ଖୁବ କାନ୍ଦନ୍ତି ।
ସବାରୀ ଉଠେ । ମୁଣ୍ଡ ପିଟି କାନ୍ଦୁଥିବା ଝିଅ ଗଛଲତା ପାଣିପବନକୁ ସାକ୍ଷୀ କରି ସବୁ ଅଭିମାନର କଥା କହିଚାଲେ କାନ୍ଦଣା ଲହରୀରେ । ବେହୋସ୍ ହେଇଯାଏ । ଦାନ୍ତ ପଡିଯାଏ । ପାଣି ଲୋଟାରେ ପାଣି ଧରି ଦୋୖଡିଥାଏ ବଡ଼ଭାଈ ଗାଆଁ ମୁଣ୍ଡ ପର୍ଯ୍ୟନ୍ତ । ଗାଆଁ କାନ୍ଦି ଉଠେ ଘଡ଼ିଏ ।
ବାସ ଗାଆଁ ମୁଣ୍ଡ ପାରି ହେଲେ ଆଉ ସୁଭେନା ଲହରୀ କାନ୍ଦଣାର । କେଇ ଦିନ ବୋଉ ଦାଣ୍ଡ ପିଣ୍ଡାରେ ବସି ଝିଅକୁ ଝୁରେ । ପୋଖରୀତୁଠ, ସଂଜଚହୁରା, ସାହିପଡିଶା ଖୁବ ଝୁରେ ।
ଆଜି ଆଉ ସେ କାନ୍ଦଣା ଲହରୀ ନାହିଁ । କିଏ ଥିଲା ସେ କାନ୍ଦଣା ଲହରୀର ଲେଖକ ? କେଉଁ କାଳରୁ ଚାଲି ଆସୁଥିଲା ଏ ପରମ୍ପରା କେହି କହି ପାରିବେନି । ଆଜି କିନ୍ତୁ ବିଲୁପ୍ତ ପ୍ରାୟ ! ସମାଜରେ ସେହି ବନ୍ଧନବିଚ୍ଛେଦ ଅଛି କିନ୍ତୁ କାନ୍ଦଣା ଲହରୀ ନାହିଁ !
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…