ଲେଖା: ଓମ୍ ପ୍ରକାଶ ବିଶ୍ୱାଳ

ଓଡ଼ିଶାର ଖାଦ୍ୟ ଯେତେ ସୁନ୍ଦର ଖାଦ୍ୟକୁ ନେଇ ଥିବା ଲୋକ କଥା ଓ କାହାଣୀ ଗୁଡା ବି ଆହୁରି ସୁନ୍ଦର। ଆଜି ଆପଣମାନଙ୍କୁ ଶୁଣେଇବି ଚକୁଳି ପିଠାକୁ ନେଇ ଏକ ବହୁତ ମଜାଦାର ଲୋକ କାହାଣୀ…

ମୂଳ କାହାଣୀକୁ ମୁଁ ମୋ ଢଙ୍ଗରେ ପୁନର୍କଥନ କରିଛି…

“ସାତ ଚକୁଳି ଚଉଦ ଚେଁ, ଶାଶୁ ବୁଝିଲେ ଜ୍ୱାଇଁ ସର୍ବଜ୍ଞେ ….”
ଉପକୂଳ ଓଡିଶାର ଗାଁ ଗହଳିରେ ଏମିତି ଏକ ଢ଼ଗ ଚାଲେ। ଗାଁ ଲୋକେ କଥାବାର୍ତ୍ତା ହେଲା ବେଳେ କି ଗାଁ ମାଇପିଏ ଝଗଡାଝାଟି କଲା ବେଳେ ପରସ୍ପରକୁ ଛିଗୁଲେଇ ଏଇ ଢଗ ବୋଲନ୍ତି। କଣ ଏ ଢଗର ମାନେ..? କଣ ୟା ପଛର କାହାଣୀ..?
ଆସନ୍ତୁ ଜାଣିବା . .

କାହିଁ କେଁ ଦିନ ତଳର କଥା। ଓଡ଼ିଶାର କେଉଁ ଏକ୍ ଗାଉଁଲି ମୁଲକରେ ଏକ୍ ଯେ ଥିଲା ବିଧବା ବୁଢ଼ୀ। ବୁଢ଼ୀର ସଂସାର ବୋଇଲେ ଝିଅଟିଏ। ଝିଅ ବଡ଼ ହେଲା, ପିନ୍ଧା ବାସ ଛୋଟ ହେଲା। ଝିଅ ଦେହକୁ ଯଉବନ ଛୁଇଁଲା। ବୁଢ଼ୀ ମୁଣ୍ଡରେ ଚଡକ, କଥାରେ ଅଛି ଝିଅ – ଘିଅ, ବେଶୀଦିନ ରଖିବା କଥା ନୁହଁ। ସେଇଠୁ ଆରମ୍ଭ ହେଲା ଝିଅ ପାଇଁ ପାତ୍ର ଖୋଜା। ଡ଼କରା ପଡିଲା ହରି ମାହାନ୍ତିଙ୍କୁ।

ମାହାନ୍ତିଏ ଖଣ୍ଡମଣ୍ଡଳର ନାଁ କରା ଘଟକ, ବୁଢ଼ୀ ଭାଷାରେ କହିଲେ ମଧ୍ୟସ୍ଥି। ବହୁ ଖୋଜାଖୋଜି ପରେ ମାହାନ୍ତିଏ ଚଉକସ ପ୍ରସ୍ତାବଟିଏ ଆଣିଲେ। ପାତ୍ର ଆମର ଭେଣ୍ଡିଆ ଟୋକା, ନିଜ ଜମିରେ ହିଡ ଦେଇ ସୁନା ଫଳଉଛି। ଘରର ରହଣି ସହଣୀ ଭଲ।

ତା’ ପରେ ପୁଅ ଆସିଲା ଝିଅ ଦେଖିବାକୁ। ପାତ୍ରକୁ ଦେଖୁଦେଖୁ ବୁଢ଼ୀ ମନ ଖଟା, କଥା କଣ କି ପାତ୍ରଟି ଆମର ଗୋଟେ ଆଖିରେ ଟେରା। ଯାହାକୁ କୁହନ୍ତି ଚନ୍ଦ୍ର ଟେରା। ହରି ମାହାନ୍ତିଙ୍କୁ ଆଡୁଆକୁ ଡାକିନେଇ ବୁଢ଼ୀ ପଚାରିଲା ‘ହଇହେ ମାହାନ୍ତି ପୁଅ! ଇଏ କଣ ? ଏ ଟୋକା କଣ ଟେରା? କାହିଁ କହୁ ନ ଥିଲତ ମୋତେ।’ ମାହାନ୍ତି ଉତ୍ତର ଦେଲେ, ‘ଆରେ ଟେରା ହେଲେ କଣ ହେଲା, ଭାରି ପାରିବାର ପିଲା। ଭାରି ବୁଦ୍ଧିଆ। ମାଟିକୁ ସୁନା କରିଦେବ ଏ ଟୋକା।’

ସେଇଠୁ ଝିଅ ଦେଖା ହେଲା। ଝିଅ ବଡ଼ ପସନ୍ଦ ଆସିଲା ପାତ୍ରକୁ। ବୁଢ଼ୀ ବୋଇଲା ‘ହଉ ବସ ମୁଁ ଚକୁଳି ଦୁଇଟା ପକେଇ ଦିଏ ଖାଇଦେଵ।’ ବୁଢ଼ୀ ଚକୁଳି କରି ବାଢ଼ିଦେଲା। ବର ପାତ୍ର ଓ ମାହାନ୍ତିଏ ଦୁଇ ଦୁଇଟି ଲେଖାଏଁ ପିଠା ଖାଇସାରିବା ପରେ ବୁଢ଼ୀ କଅଁଳେଇକି ବରପାତ୍ରକୁ ପଚାରିଲା ‘ବାପରେ! ଆଉ ଖଣ୍ଡେ ପିଠା ଦେବିକି ?’ ଏ ପାତ୍ର ଆମର ସଂଗେ ସଂଗେ ଜବାବ ଦେଲା ‘ନାଇଁ ମା! ଥାଉ, ସବୁ ୭ ଟା ପିଠା କରିଛନ୍ତି । ଆମେ ତ ଦୁଇ ଦୁଇଟା କରି ୪ ଟା ଖାଇସାରିଲୁଣି। ଆଉ ଦିଅନି ।’ ଏ କଥା ଶୁଣି ବୁଢ଼ୀ କାବା।

ମାହାନ୍ତିଏ ପୁଣି ଡ଼କା ହେଲେ ଆଡୁଆକୁ। ବୁଢ଼ୀ ପଚାରିଲା, ‘ଏ ମାହାନ୍ତି ପୁଅ ! ମୁଁ ତ ମୋର ରୋଷେଇ ଖଞ୍ଜାରେ ରୋଷେଇ କରୁଥିଲି ଆଉ ତେମେ ଦିହେଁ ମେଲା ଘରେ ବଇଥିଲ । ଆଉ ଏ ଜୋଇଁ ପୁଅ କେମିତି ଜାଣିଲେ ମୁଁ ୭ ଖଣ୍ଡି ପିଠା କରିଛି ବୋଲି ?’  ମାହାନ୍ତିଏ କହିଲେ, ‘ମୁଁ କହୁନଥିଲି ପିଲାଟା ଟେରା ହେଲେ କଣ ହେବ ଭାରି ହୁସିଆର ବୋଲି, ଆଉ ମୁଁ କି ଜାଣେ ତାକୁ କି ବିଦ୍ୟା ଜଣା । ହେଲା ଏବେ ଜୋଇଁ ବୋଲିତ କହିସାରିଲଣି କଥା ଛିଡେଇବା ଆଉ ।’ ବୁଢ଼ୀକି ଆଉ ଅରାଜି ହୁଅନ୍ତା !ଦିନ ବାର ଠିକ୍ କରି ଖବର ଦେବ ବୋଲି କହି ଆମ ପାତ୍ର, ମାନେ ବୁଢ଼ୀର ଭାବୀ ଜ୍ୱାଇଁ ମାହାନ୍ତିଏଙ୍କ ସହ ଯିବାକୁ ବାହାରିଲେ। ବାଟରେ ଗଲାବେଳେ ମାହାନ୍ତିଏ ଜୋଇଁଙ୍କୁ ଚକୁଳି ରହସ୍ୟ ପଚାରିବାରୁ ଜାଣିଲେ କି ଗୋଟେ ଚକୁଳି ପଡିଲେ ଦୁଇ ଥର ଚେଁ କରି ଶବ୍ଦ ହୁଏ। ଆଣ (ପିଠଉ) ପକେଇଲା ବେଳେ ଓ ଲେଉଟାଇଲା ବେଳେ । ଆଉ ୧୪ ଚେଁ ଗଣି ୭ ଚକୁଳି ବୋଲି ଜ୍ୱାଇଁ ଜାଣିଲେ। ସେବେଠୁ କଥା ପଡ଼ିଛି, ‘ସାତ ଚକୁଳି ଚଉଦ ଚେଁ, ଶାଶୁ ବୁଝିଲେ ଜ୍ୱାଇଁ ସର୍ବଜ୍ଞେ।”
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago