ଲେଖା: ଶିଶିର ସାହୁ ମନୋଜ

କାଞ୍ଜି ସମସ୍ତ ଏସିଆରେ ଲୋକପ୍ରିୟ ହୋଇଥିବା ଏକ ଖାଦ୍ୟଦ୍ରବ୍ୟ । ଏହା ପଖାଳ ଵା ଅନ୍ନର ଵାସିତୋରାଣିରୁ ତିଆରି କରାଯାଇଥାଏ । ବହୁତ ସମ୍ଭବ ଏ ଶବ୍ଦଟି ଦକ୍ଷିଣ ଭାରତୀୟ କିମ୍ବା ପୂର୍ଵଭାରତୀୟ ଦ୍ରାଵିଡ ଭାଷା ପରିଵାରର ଶବ୍ଦ ।

ଦ୍ରାଵିଡ ଭାଷାପରିବାରର ସବୁଠାରୁ ଶକ୍ତିଶାଳୀ ଭାଷା ତାମିଳରେ କାଞ୍ଜିର ଅର୍ଥ ଉଭୟ ପଖାଳ ଏବଂ କାଞ୍ଜି ଅଟେ । ଵିଶ୍ଵର ଵିଭିନ୍ନ ଭାଷାରେ କାଞ୍ଜି/ପଖାଳର ନାମ →hsan pyok (ବର୍ମୀ ଭାଷା)
→kanji (ତାମିଳ/ତୁଲୁ)
→kaṇhji (ମଲାୟଲମ)
→ganji (କନ୍ନଡ/ତେଲୁଗୁ)
→baw baw (ଖମେର)
→juk (ହକ୍କା, କାଣ୍ଟୋନୀଜ, କୋରିଆନ୍)
→muay (ହୁକ୍କୀନ, ତେଉଚେଉ)
→zhōu (ମାଣ୍ଡାରିନ୍)
→cháo (ଭିଏତନାମୀ)
→deythuk (ତିବ୍ବତ)
→chokorkhao tom (ଥାଇ)
→kayu (ଜାପାନୀ)
→lúgaw (ତଗାଲଗ)
→Bubur, kanji (ମାଳୟ, ଭାଷା ଇଣ୍ଡୋନେସିଆ)
→jaulo (ନେପାଳୀ) 
→jaou (ବଙ୍ଗାଳୀ)
→କାଞ୍ଜିକା (ସଂସ୍କୃତ) 
→canja (Portuguese)

ଚୀନଦେଶର ଐତିହାସିକଙ୍କ ମତରେ ଜାଉ ଶବ୍ଦଟା ତାଙ୍କର ! ସେମାନଙ୍କ ଅନୁସାରେ ଏହାର ମୂଳ ଶବ୍ଦ ହେଉଛି zhōu ଯାହାର ଗୋଟିଏ ଅର୍ଥ ଆମ ଭାଷା ପରି ଚୀନରେ ଖୀରିସା-ଖୀରି ଵା gruel) ଅଟେ । 

ଚୀନ ଦେଶୀୟ ଏକ ପୁସ୍ତକ “The Book of Zhou” ଅନୁସାରେ “ସମ୍ରାଟ ହ୍ଵାଙ୍ଗୁଦୀ (Huangdi) ପ୍ରଥମେ ଯଵରୁ କାଞ୍ଜି ବା ଖିରି ତିଆରି କରିଥିଲେ ।

ଏ ତଥ୍ୟକୁ ଧରି ସେଠାର ଲୋକେ କହନ୍ତି ଜାଉ ଶବ୍ଦଟା ଆମର । 

ଏଠାରେ ଜାଣିରଖିବାକୁ ହେବ ଯେ କାଞ୍ଜି ଓ ଖିରି ଦୁଇଟି ଭିନ୍ନ ଖାଦ୍ୟ ଦ୍ରଵ୍ୟ ଏବଂ ଏ ଉଭୟକୁ ତିଆରି କରିବାର ବିଧି ମଧ୍ୟ ଭିନ୍ନ । 
ଏଇଥି ଯୋଗୁଁ କାଞ୍ଜି ଏବଂ ଜାଉ ଦୁଇଟି ଭିନ୍ନ ଭିନ୍ନ ଅର୍ଥ ସହିତ ଆମ ଭାଷାରେ ଵ୍ୟଵହାର ହୋଇଥାଏ ।

ଭାରତୀୟ ନିରୁକ୍ତୀ ଶାସ୍ତ୍ର ଅନୁସାରେ ଜାଉ ଶବ୍ଦଟି ହୁଏତ ଭାରତୀୟ ଶବ୍ଦ ହୋଇଥିବ କାରଣ ଏହାର ମାନକ ସଂସ୍କୃତ ପ୍ରତିଶବ୍ଦ ହେଉଛି ଯବାଗୂ ଯାହାର ନିରୁକ୍ତୀ ହେଲା:
ଯୁ ଧାତୁ+ କର୍ମ.ଆଗୂ

ଏହି ଯୁ ଧାତୁର ଅନେକ ଅର୍ଥ ଅଛି 
୧. ମିଶ୍ରଣ କରିବା 
୨. ଯୋଡି଼ବା 
୩. ବାନ୍ଧିବା 
୪. ପୃଥକ କରିବା

ଏ ଯୁ ଧାତଟି ଯୁଜ୍ ଧାତୁର ମୂଳ । 

ଯୁଜ୍ ଧାତୁରୁ ଯୁକ୍ତ, ଯୁକ୍ତି, ଶବ୍ଦ ନିଷ୍ପନ୍ନ ହୋଇଥିଲା ବେଳେ ଯୁ ଧାତୁରୁ ଯୁଗ ପରି ଅନେକ ଶବ୍ଦର ନିରୁକ୍ତୀ ନିର୍ଣ୍ଣୟ ହୋଇଅଛି । ଏ ଧାତୁ ଶବ୍ଦର ଵ୍ୟଵହାର ମଧ୍ୟ ବିସ୍ତୃତ । ତେଣୁ ବହୁତ ସମ୍ଭବ ଭାରତୀୟ ମାନଙ୍କର ମୂଳ ଶବ୍ଦ ଜାଉ ଇତ୍ୟାଦି ଚୀନ ଯାଇ ସେଠାରେ ଯ୍ହାଉ ହୋଇଛି ଯେହେତୁ ଟି ଚୀନ ଦେଶ ୨୦୦୦ ଵର୍ଷ ତଳେ ଭାରତ ଠାରୁ ଶର୍କରା ତିଆରି ଜ୍ଞାନ କୌଶଳ ପାଇଥିଲା ଆଉ ବିନା ଶର୍କରାରେ ଜାଉ ତିଆରି କଷ୍ଟକର ବ୍ୟାପାର । ତା ଛଡ଼ା ଧାନ ତଥା ଯବଧାନର ଜନ୍ମସ୍ଥଳୀ ହେଉଛି ଭାରତ । ଭାରତରେ ସେଇଥିପାଇଁ ଧାନର ଚାଉଳରୁ ତିଆରି ନାନାଵିଧ ଦ୍ରଵ୍ୟ ଵ୍ୟଵହାର କରାଯାଇଥାଏ । ତେଣୁ ବୋଧହୁଏ ଓଡ଼ିଆମାନଙ୍କ ଯୋଗୁଁ ଜାଉ ଶବ୍ଦଟି ଏସିଆ ମହାଦେଶରେ ଲୋକପ୍ରିୟ ହୋଇଥିଲା ଏବଂ ସେତିକି ପ୍ରସିଦ୍ଧ ହୋଇଥିଲା କାଞ୍ଜି ଶବ୍ଦ ।

ଓଡ଼ିଶାର ଦକ୍ଷିଣାଞ୍ଚଳରେ ଲୋକେ ସର୍ବାଧିକ କାଞ୍ଜି ତିଆରି କରି ଖାଇଥାନ୍ତି । ତହିଁରେ ପୁଣି ବ୍ରାହ୍ମଣ ସମାଜରେ କାଞ୍ଜିର ଆଦର ବହୁତ ଅଧିକ ! କିନ୍ତୁ କାହିଁକି ? 

ଏ ଵିଷୟରେ ଏକ କୌତୁକିଆ ଗୀତଟିଏ ଅଛି ଯାହାକୁ ଏକଦା ଅକ୍ଷୟ ମହାନ୍ତି ତାଙ୍କ ଦୈବୀଦତ୍ତ କଣ୍ଠରେ ଗାଇଥିଲେ । ଗୀତଟି ଏଇମିତି:

କାର୍ତ୍ତିକ ମାସରେ ଆସିଲା କାଞ୍ଜି 
କାଞ୍ଜି କି କଲେ ନାୟକ ପୁଞ୍ଜି
ପାଞ୍ଜି ରେ ଦେଲେ ଅକ୍ଷତ ଦୂବ
କାଞ୍ଜି କି କହିଲେ ଦେଶକୁ ଯିବ କି ଦେଶକୁ ଯିବ !

ତହୁଁ କାଞ୍ଜି ଗଲା ଖରେ 
ଯାଇ ପସିଲା କମାର ଘରେ
ଏଣେ କମାରୁଣୀ ତେଣେ କମାର
କାଞ୍ଜି କି କହିଲେ ହାତୁଡି଼ ଧର କି ହାତୁଡି଼ ଧର

ତହୁଁ କାଞ୍ଜି ଗଲା ଖରେ
ଯାଇ ପସିଲା ଭଣ୍ଡାରୀ ଘରେ
ଏଣେ ଭଣ୍ଡାରୁଣୀ ତେଣେ ଭଣ୍ଡାରୀ
କାଞ୍ଜି କି ଦେଲେ ଖିଅର କରି କି ଖିଅର କରି

ତହୁଁ କାଞ୍ଜି ଗଲା ଖରେ 
ଯାଇ ପସିଲା ଗଉଡ଼ ଘରେ 
ଏଣେ ଗଉଡୁଣୀ ତେଣେ ଗଉଡ଼
କାଞ୍ଜି କି ଦେଲେ ବାହୁଙ୍ଗି ମାଡ଼ କି ବାହୁଙ୍ଗି ମାଡ଼

ତହୁଁ କାଞ୍ଜି ଗଲା ଖରେ
ଯାଇ ପସିଲା କରଣ ଘରେ
କରଣ ଘରେ ଦେଖି ପଲମ
ଆମ୍ଵିଳି ପାଣିରେ ରହିଲା ମନ କି ରହିଲା ମନ

ତହୁଁ କାଞ୍ଜି ଗଲା ଖରେ 
ଯାଇ ପସିଲା ବାହ୍ମଣ ଘରେ 
ଏଣେ ବାହ୍ମୁଣୀ କି ତେଣେ ବାହ୍ମୁଣ
କାଞ୍ଜି କି କଲେ ବଡ଼ ତିଅଣ କି ବଡ଼ ତିଅଣ

© ଶିଶିର ସାହୁ ମନୋଜ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago