ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

~ କାଇମାଟି, କାଇମାଟିଆ, କାଇପଡ଼ା, କାଇପଦର ଓ ପିଙ୍ଗୁଆ ଗ୍ରାମର ନାମକରଣ ପ୍ରସଙ୍ଗ ~
ଢେଙ୍କାନାଳରୁ କପିଳାସ ଆଡକୁ ଗଲାଵେଳେ ଗୋଟାଏ ସ୍ଥାନ ଆସେ କାଇମାଟି । ଏହି ଅଞ୍ଚଳଟି ଢେଙ୍କାନାଳ କପିଳାସ ସଡ଼କର ପୂର୍ଵ ପଟେ ଅଵସ୍ଥିତ । ଏହି ଅଞ୍ଚଳର ନାମକରଣ ବଡ଼ କୌତୁହଳପ୍ରଦ କିନ୍ତୁ ଯଥାର୍ଥ ଓ ପ୍ରାମାଣିକ ମଧ୍ୟ। ଢେଙ୍କାନାଳ ଓ କଟକରେ ସାଧାରଣତଃ ଲାଲ୍ ମାଟିକୁ କାଇମାଟି କୁହାଯାଏ । ଏ ଅଞ୍ଚଳରେ ଲାଲମାଟି ପ୍ରଚୁର ପରିମାଣରେ ମିଳୁଥିଵା ହେତୁରୁ ଏଭଳି ନାମକରଣ ହୋଇଅଛି । ହେଲେ କାଇମାଟିରେ ଥିଵା କାଇ ଶବ୍ଦର ଅର୍ଥ କ’ଣ ଲାଲ୍ କି ? ଏ ଶବ୍ଦର କୌଣସି ଶାସ୍ତ୍ରୀୟ ରୂପ ରହିଛି କି ?
ଓଡ଼ିଆ ଭାଷାରେ କାଇ ଏକ ବହୁ ଅର୍ଥବୋଧକ ଶବ୍ଦ ଅଟେ ‌। ଜାମୁ, ଆମ୍ବ ଓ କୁସୁମ ଗଛର ପତ୍ରକୁ ଯୋଡ଼ି ବସାବାନ୍ଧି ରହୁଥିଵା ଏକ ଜାତୀୟ ନାଲି ଜନ୍ଦା Oecophylla smaragdinaକୁ ଓଡ଼ିଆ ଭାଷାରେ କାଇ କୁହାଯାଏ ।
“ସେ ସିନାଷ୍ଠ ଫଳ ଆମ୍ବ ତୋଳଇ,
କାଇ କାମଡ଼ାକୁ ଯେ ପାରେ ସହି !!”
(ଡାକଵଚନ)
ଏମାନେ ଦେଖିଵାକୁ ଲାଲ୍ ରଙ୍ଗର ବୋଲି ଏମାନଙ୍କର ଓଡ଼ିଆ ନାମ କାଇ ରଖାଯାଇଥିଲା । କାଇମାନେ ଜନ୍ଦାଙ୍କ ପରି ଆକୃତିଵିଶିଷ୍ଟ କିନ୍ତୁ ନାଲିଆ। ଏମାନେ ଜାମୁ, କୁସୁମ ଓ ଆମ୍ବ ଆଦି ଗଛରେ ଥାଆନ୍ତି ଓ ଅଠାଦ୍ବାରା ଗଛପତ୍ରକୁ ଯୋଡ଼ି ଥଳି ଵା ମୁଣି ପରି କରି ସେଥିରେ ବସା କରି ରହନ୍ତି। ଏମାନଙ୍କ କାମୁଡ଼ା ଭାରି ଯନ୍ତ୍ରଣାପ୍ରଦ। ଲୋକେ କାଇ ମାନଙ୍କ ଡିମ୍ବକୁ ବନିଶୀ ପାଇଁ ଚାରା କରି ବନିଶୀକଣ୍ଟାରେ ଫୋଡ଼ି ମାଛ ଧରୁଥିଲେ । ଆଗେ କଳିଙ୍ଗ ଦେଶର କେତେକ ଜନଜାତିର ଲୋକେ ଏମାନଙ୍କ ଡିମ୍ବକୁ ପୋଡ଼ି ଭକ୍ଷଣ କରୁଥିଲେ ।
ସାଜିମାଟି, ଲାଲମାଟି ଓ କେଉଁଠି କେଉଁଠି ପୀତଵର୍ଣ୍ଣ ମୃତ୍ତିକାକୁ କାଇମାଟି କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ କାଇ ଶବ୍ଦ ଓଡ଼ିଆ ଭାଷାର କେତେକ ଶୈଳୀରେ କାହିଁ, କ’ଣ ଓ କେଉଁଠି ଅର୍ଥରେ ମଧ୍ୟ ଵ୍ୟଵହାର କରାଯାଏ । କାଇ ଶବ୍ଦଟି ଲାଲରଙ୍ଗ ଅର୍ଥରେ ଆଗେ ପ୍ରୟୋଗ କରାଯାଉଥିଲା ଯେତେବେଳେ ଓଡ଼ିଶାରେ ଵୈଦେଶିକ ମୂଳର ଲାଲ୍ ଶବ୍ଦ ନାଲି ହୋଇ ପ୍ରଚଳିତ ହୋଇନଥିଲା ‌ ।
ଯୋଗୀନ୍ଦ୍ର ଵିପ୍ରଙ୍କ ଟୀକା ଗୋବିନ୍ଦଚନ୍ଦ୍ରରେ ଆମେ କାଇ ଶବ୍ଦକୁ ଈଷତ୍ ଲାଲ୍ ଅର୍ଥରେ ପ୍ରୟୋଗ କରାଯାଇଥିଵା ଦେଖିଥାଉ . .
“କାଇ ଵସ୍ତ୍ର ଦେଖି କୁକୁରେ ବେଢ଼ନ୍ତି ଦେଖିଣ ରାଜା କାତର,
ବାଡ଼ି ଧରି କରି ହାଁ ହାଁ ସେ କରନ୍ତି ଚିତ୍ତ ରଖି ହରିଠାର ।”
ପ୍ରକୃତରେ ଏହି କାଈ ଶବ୍ଦ ସହିତ କପିଳ, କପିଶ, କହରା, କଇରା, କସରା ଆଦି ଶବ୍ଦ ସମୋଦ୍ଧୃତ ବୋଲି ଅନୁମାନ କରାଯାଇପାରେ । ସାଧାରଣତଃ କପିଳ କପିଶ ଶବ୍ଦ ସହିତ ସମୋଦ୍ଧୃତ ଅନେକ ତଦ୍ଭଵ ଓଡ଼ିଆ ଶବ୍ଦ ଆମ ଦେଶରେ ଚଳୁଅଛି। ଯଥା,
● କହରା ଵା କହଁରା ଓ କହରୀ
● କଇରା ଓ କଇରୀ
● କଇଁରା―କପିଳଵର୍ଣ୍ଣ,ତାମ୍ରଵର୍ଣ୍ଣ
● କଇଁରୀ କଣ୍ଟିଆ(କପିଳଵର୍ଣ୍ଣର କଙ୍କଡା଼ବିଛା)
● କସରା ଓ କସରୀ (ଲାଲ୍ ରଙ୍ଗର ଗୋରୁ, କପିଳା ଗାଭୀ) ଇତ୍ୟାଦି ଇତ୍ୟାଦି . .
ସାଧାରଣତଃ ନୀଳପୀତ, ମାଟିଆଵର୍ଣ୍ଣ, ପାଉଁଶିଆ ଵର୍ଣ୍ଣକୁ କପିଶ ଵର୍ଣ୍ଣ କୁହାଯାଏ । କିନ୍ତୁ ଓଡ଼ିଆ ଭାଷାରେ ଏହି ଶବ୍ଦରୁ ଵିଶେଷ ଭାବେ ଈଷତ୍ ଲାଲରଙ୍ଗକୁ ଦର୍ଶାଇଵା ପାଇଁ କାଇ, କଇରା ଓ କସରା ଆଦି ଶବ୍ଦ ସୃଷ୍ଟି ହୋଇଅଛି ।
କାଇମାଟି (୭୫୯୦୨୭) ଗ୍ରାମରେ ସର୍ଵତ୍ର ଲାଲମାଟି ମିଳେ । ଏ ଅଞ୍ଚଳରେ କେତେକ ସ୍ଥାନରେ ବାହାରକୁ ମଧ୍ୟ ଲାଲମାଟି ସ୍ପଷ୍ଟ ଭାବରେ ଦେଖାଯାଏ। ଏତେ ପରିମାଣର ଲାଲମାଟି ଥିଵାରୁ ଏହି ଗ୍ରାମକୁ କାଇମାଟି ଭାବେ ନାମିତ କରାଯାଇଛି । କାଇମାଟି ଗ୍ରାମଠାରୁ କିଛି ଦୂରରେ ଭୁବନେଶ୍ୱର ନଗର ପାଖରେ କାଇମାଟିଆ ଓ କାଇମାଟିଆପାଟଣା (୭୫୨୦୫୪) ବୋଲି ଆଉ ଦୁଇଟି ସ୍ଥାନ ଅଛି ଏଵଂ ସେଠାକାର ମାଟି ମଧ୍ୟ ଲାଲ ରଙ୍ଗର ହୋଇଥାଏ।
ଖୋର୍ଦ୍ଧାରୁ ୧୬ ନମ୍ବର ରାଜପଥ ଦେଇ ଜଙ୍କିଆ ଗଲାବେଳେ କାଇପଦର (୭୫୨୦୫୬) ବୋଲି ଗୋଟିଏ ଗାଆଁ ପଡ଼େ । ଏହି ଗାଆଁରେ ମଧ୍ୟ ଲାଲମାଟି ପଦାକୁ ସ୍ପଷ୍ଟ ଦୃଶ୍ୟମାନ ହୋଇଥାଏ ‌ । ବ୍ରାହ୍ମଣୀ ନଦୀ କୂଳରେ କଳାମାଟିଆ ଓ କାଇପଡ଼ା (୭୫୫୦୧୦) ଗ୍ରାମ ଲାଗିକରି ରହିଛି । କଳାମାଟିଆ ଗ୍ରାମରେ କଳାମାଟି ବାହାରକୁ ସ୍ପଷ୍ଟ ଭାବରେ ଦେଖାଯାଉଥିଲା ବେଳେ କାଇପଡ଼ାରେ ମାଟି ଲାଲ ମିଶା କଳା ରଙ୍ଗର ହୋଇଥାଏ ।
ଢେଙ୍କାନାଳରେ ମାଟିର ରଙ୍ଗକୁ ନେଇ ପିଙ୍ଗୁଆ (୭୫୯୦୧୬) ବୋଲି ଆଉ ଏକ ଗ୍ରାମର ନାମକରଣ ମଧ୍ୟ କରାଯାଇଛି । ଓଡ଼ିଆ ଭାଷାରେ ପିଙ୍ଗ ଶବ୍ଦର ଵିଭିନ୍ନ ଅର୍ଥ ମଧ୍ୟରେ କପିଶ ବର୍ଣ୍ଣ, ନୀଳ ପୀତ ମିଶ୍ରିତ ଵର୍ଣ୍ଣ, କପିଳ, ମାଟିଆ ଵର୍ଣ୍ଣ, ପିଙ୍ଗଳ ଓ ପିଙ୍ଗଳ ଵର୍ଣ୍ଣଯୁକ୍ତ ଆଦି ଅର୍ଥ ରହିଛି । ପିଙ୍ଗୁଆ ଗ୍ରାମର ମାଟି ଈଷତ୍ ହଳଦିଆ ରଙ୍ଗର ହୋଇଥିଵାରୁ ଏଭଳି ନାମକରଣ କରାଯାଇଛି ।
Kai, Kaimati, Kaimatia, Kaimatiapatana, Kaipadar, Kalamatia, Pingua, Dhenkanal
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago