ଲେଖା: ଦେଵ ତ୍ରିପାଠୀ
~ କଳାହାଣ୍ଡି ~
ପ୍ରତି ମଣିଷର ଶୈଶବର ସ୍ମୃତିରେ ବିଜଡ଼ିତ କେତେ ରାଜା ଓ ରାଣୀଙ୍କ ଗାଥା ! ଇତିହାସ ପୃଷ୍ଠାରେ ହିଁ ରହିଯାଇଛି କେତେ କେତେ ସମ୍ରାଟ ଓ ସାମ୍ରାଜ୍ୟର କଥା ! ମ୍ଳାନ ଗୋଧୂଳିର ଅପରାହ୍ଣ ପରି କ୍ଷୀଣ, ଅତୀତର ସେହି ସମୟ ! ଜରାଜୀର୍ଣ୍ଣ ପଞ୍ଜୁରୀ ପରି ରାଜ ପରମ୍ପରାର ପ୍ରାଚୀର ଭାଙ୍ଗିଚାଲିଛି ଅନବରତ ! ଜନମାନସରେ ବହୁଦୂରେ ରହିଯାଇଛି #ରାଜପ୍ରାସାଦ ! ସମୟର ନିର୍ଘାତ ମାଡ଼ରେ ସ୍ବାଧୀନତା ପରେ ବଦଳି ଯାଇଛି ସବୁ ଚିତ୍ରପଟ ! ରାଜା, ମହାରାଜା ଓ ରାଜପରିବାର ରହିଛନ୍ତି; କିନ୍ତୁ ରହିନାହିଁ ସେମାନଙ୍କର ସାମ୍ରାଜ୍ୟ, ସିଂହାସନ ଓ ସ୍ବର୍ଣ୍ଣ-ମୁକୁଟ ।
ସ୍ଵାଧୀନ ଭାରତର ନୂତନ ସମ୍ବିଧାନ ଲେଖା ହେବା ପୂର୍ବରୁ ରାଜାମାନଙ୍କ ହାତରୁ କ୍ଷମତା କାଢି ନିଆଗଲା ! ବୋଧହୁଏ ପ୍ରଥମେ ଏ ପ୍ରକ୍ରିୟା ଆରମ୍ଭ ହେଲା ଓଡ଼ିଶାରେ ! ତଥାପି ହୃତସାମ୍ରାଜ୍ୟ, ଶୂନ୍ୟ ସିଂହାସନ ଓ ଅପସାରିତ କ୍ଷମତା ମଧ୍ୟରେ ମୁକୁଟ-ବିହୀନ ସମ୍ରାଟ ଓ ରାଜନ୍ୟବର୍ଗ ବଞ୍ଚିରହିଲେ ଜରାଜୀର୍ଣ୍ଣ ରାଜପ୍ରାସାଦ ଭିତରେ ! କେହି କେହି ଆଦରିନେଲେ ରାଜନୀତିର ପଙ୍କିଳ ରଣାଙ୍ଗନକୁ ! ରାଜପଦ ବଦଳରେ କିଛି ଲଭିଲେ ମନ୍ତ୍ରୀପଦ ! ଏସବୁ ସତ୍ତ୍ୱେ; ସାଧାରଣ ଜନତା ଓ ରାଜପରିବାର ମଧ୍ୟରେ ରହିଗଲା ଏକ ନିରାପଦ ଦୂରତ୍ୱ ! ସେମାନଙ୍କ ଜୀବନଧାରାକୁ ଯେପରି ଘେରି ରହିଗଲା ଏକ ମେଘନାଦ ପାଚେରି ! ଅନେକ ରାଜନ୍ୟବର୍ଗ ଆଜି ଜନମାନସରେ ବିସ୍ତୃତ, ଅନେକ ତଥାପି ବିସ୍ମୟ !
ସେପରି ବିସ୍ମୟର ଅଧିକାରୀ #କଳାହାଣ୍ଡି ପ୍ରତି ଅହେତୁକ ଆକର୍ଷଣକୁ ଧ୍ୟାନ ଦେଇ ଆମେ ଆଗେଇ ଯାଇଥିଲୁ #ଭବାନୀପାଟଣା ନଗରୀକୁ ! ଆମର ‘ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା’ର ୨୫ତମ ପର୍ବ ଭାବେ !
ଭବାନୀପାଟଣା ସହର ମଧ୍ୟସ୍ଥ ବସଷ୍ଟାଣ୍ଡ ପାଖରୁ ଦୃଶ୍ୟମାନ ହୁଏ ଶୁଭ୍ର ଭବ୍ୟ ଦେଉଳଟିର ଚୂଡ଼ା ! ଅଗଣିତ ଫୁଲଦୀପ, ଭୋଗ ଦୋକାନର ସମ୍ଭାରକୁ ଟପି ଆଡ଼କୁ ଆଗେଇଲେ ଭବ୍ୟ ରାଜ୍ୟପ୍ରସାଦ ସମେତ ଦୃଶ୍ୟ ହୁଏ ଏଇ ଦେଉଳ – କଳାହାଣ୍ଡିର ଇଷ୍ଟଦେବୀ ତଥା ଆଖପାଖ ଜିଲ୍ଲା ଓ ପଡ଼ୋଶୀ ରାଜ୍ୟର ବସ୍ତର ଜିଲ୍ଲାବାସୀଙ୍କ ଭକ୍ତି, ଭୟ ଓ ଅଖଣ୍ଡ ବିଶ୍ବାସର ଦେଵୀ ମା’ ମାଣିକେଶ୍ଵରୀଙ୍କର !
ପ୍ରାୟ ସାତହଜାର ବର୍ଷ ତଳୁ ଗଢ଼ିଉଠିଥିବା ପ୍ରାଚୀନ ସଭ୍ୟତା କଳାହାଣ୍ଡି ଅଞ୍ଚଳ ବିଭିନ୍ନ ସମୟରେ ଶାକ୍ତ, ବୌଦ୍ଧ, ଶୈବ, ବୈଷ୍ଣବ, ପ୍ରଭୃତି ଧର୍ମୀୟ ଆନ୍ଦୋଳନରେ ସଂଯୋଜିତ ! ମାତ୍ର ଶାକ୍ତ ଧର୍ମର ପରମ୍ପରା ଏ ଅଞ୍ଚଳରେ ବ୍ୟାପକ ଓ ସର୍ବପୁରାତନ ! ସେଥିପାଇଁ କଳାହାଣ୍ଡିର ସଭ୍ୟତାର ବିକାଶ ସହିତ ପ୍ରକୃତିପୂଜା ଓ ଶକ୍ତି ସ୍ଥାପନା ଜଡ଼ିତ ! ସେଥିପାଇଁ ବୋଧେ ଜିଲ୍ଲାର ଅଗଣିତ ଦେଵୀପୀଠଗୁଡ଼ିକଙ୍କ ପରି ଅଲିଖିତ ସମୟକାଳରୁ ପୂଜା ପାଇଆସୁଛନ୍ତି ଅସୁମାରୀ ଲୋକକଥା ଜନଶ୍ରୁତିର ନାୟିକା ଦେଵୀ #ମାଣିକେଶ୍ଵରୀ !
ମହାଭାରତ ଯୁଗରୁ ନିଜର ଗାରିମା ଦର୍ଶାଇ ଆସୁଥିବା ଏଇ ମହିମାମଣ୍ଡିତ ଅଞ୍ଚଳ ପାଇଁ ଦଶମରୁ ତ୍ରୟୋଦଶ ଶତାବ୍ଦୀ କାଳ ଥିଲା ଘଟଣାବହୁଳ, ଅଶାନ୍ତକର ଓ ଦୁଃସମୟ ! #ତ୍ରିକଳିଙ୍ଗ ଓ ଦକ୍ଷିଣ କୋଶଳ ଉପରେ ପ୍ରାଧାନ୍ୟ ବିସ୍ତାର ପାଇଁ #ଚିନ୍ଦକନାଗ ଓ ସେମାନଙ୍କ ବନ୍ଧୁଶକ୍ତି #ଗଙ୍ଗ, #ସୋମ, #ଚୋଳ#କାଳଚୁରୀଶକ୍ତିମାନଙ୍କ ମଧ୍ୟରେ ଦୀର୍ଘ କାଳ ଧରି କ୍ଷମତା ଲଢ଼େଇର କେନ୍ଦ୍ର ଥିଲା ଏଇ #କାରୁଣ୍ଡ ଅବା କଳାହାଣ୍ଡି ଅଞ୍ଚଳ ! ଦୀର୍ଘ କାଳର ଯୁଦ୍ଧ ପ୍ରଭାବରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ଜୀବନଧାରା ! ଶକ୍ତି ଉପାସନାର ଗୁରୁତ୍ୱ ବଢ଼ିଥିଲା ଏପରି ପରିବେଶରେ !
ଯୁଦ୍ଧକାଳୀନ ପରିସ୍ଥିତିରେ ବିଜୟର ପ୍ରତୀକ ଭାବେ ବିଜିତ ରାଜ୍ୟର ଦେବୀ ବିଜୟୀ ରାଜ୍ୟକୁ ଆନୀତ ହେବା ବେଳେ, ନିଜ ବିଜୟୀ ରାଜ୍ୟର ଦେବଦେବୀଙ୍କୁ ପରାଜିତ ରାଜ୍ୟରେ ପ୍ରତିଷ୍ଠା କରାଯିବାର ଥିଲା ଏକ ମହନୀୟ ପରମ୍ପରା ! ଏହି କାଳରେ ଇନ୍ଦ୍ରାବତୀ ଅବବାହିକାରେ ରାଜତ୍ଵ କରୁଥିବା ‘ଚିନ୍ଦକନାଗ’ଙ୍କ ଇଷ୍ଟଦେବୀ ଥରେ ମାଣିକ୍ୟ ଦେବୀ । କାଳଚୁରୀ ରାଜା ପ୍ରଥମ ଜାଜଲ୍ୟଦେବଙ୍କ ଦ୍ବାରା ଚିନ୍ଦକନାଗ ରାଜା ପରାଜିତ ହେବା ସହ ତାଙ୍କ ରାଜଧାନୀ ବିଧ୍ୱସ୍ତ ହେବାପରେ, ତାଙ୍କ ଇଷ୍ଟଦେବୀ #ମାଣିକ୍ୟ_ଦେବୀ ଚିନ୍ଦକନାଗଙ୍କ ବନ୍ଧୁ ଗଙ୍ଗରାଜାମାନଙ୍କ ଇଷ୍ଟଦେବୀ ହୋଇଥିବା ଇତିହାସ ପୃଷ୍ଠାରୁ ଜଣାଯାଏ ! ଗଙ୍ଗରାଜା #ରାଜରାଜ_ଦେବ କାଳଚୁରୀ ଶକ୍ତିକୁ ଦୀର୍ଘକାଳର ସଂଗ୍ରାମ ପରେ ପରାଭୁତ କରି ସମଗ୍ର ଓଡ଼ିଶା ଅଞ୍ଚଳରେ ନିରଙ୍କୁଶ ଶାସନ କରିଥିଲେ ସତ ! କିନ୍ତୁ ପରବର୍ତ୍ତୀ ଗଙ୍ଗରାଜାମାନଙ୍କ ଦୁର୍ବଳତାରୁ ବଲାଙ୍ଗିର ଅଞ୍ଚଳରେ #ଚୌହାନ ଓ କଳାହାଣ୍ଡିରେ ବର୍ତ୍ତମାନର #ନାଗବଂଶ ସ୍ଥାନୀୟ ଶକ୍ତି ଭାବେ ବିଦ୍ୟମାନପୂର୍ବକ ଶାସନ ଅଳଙ୍କୃତ କରିଥିଲେ !
କଳାହାଣ୍ଡି ରାଜବଂଶୀୟ ଦରବାର ରେକର୍ଡ଼ରୁ ଜଣାଯାଏ ଯେ, ୧୨୦୧ ଖ୍ରୀଷ୍ଟାବ୍ଦରେ ଏହି ବଂଶର ଷଷ୍ଠ ରାଜା #ହରିଶ୍ଚନ୍ଦ୍ର_ଦେଓ ଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ରାଣୀ ନାବାଳକ ପୁତ୍ର ରାମଚନ୍ଦ୍ର ଦେଓଙ୍କ ସହ ତାଙ୍କ ଗଙ୍ଗବଂଶୀ ପିତ୍ରାଳୟ ଗଦାପୁରକୁ ଚାଲି ଯାଇଥିଲେ । ପରେ ରାଜ୍ୟରେ ଅରାଜକତା ପରିସ୍ଥିତି ଦୂର କରିବା ପାଇଁ କନ୍ଧ ଉମରା ଓ ଅନ୍ୟ ବିଶିଷ୍ଟ ପ୍ରଜାମାନେ ରାଣୀ ଓ ପୁଅ ରାମଚନ୍ଦ୍ରଙ୍କୁ ରାଜ୍ୟକୁ ଫେରାଇ ଆଣିଥିଲେ । ରାଜପୁତ୍ର #ରାମଚନ୍ଦ୍ର_ଦେଓ ତାଙ୍କ ସହ ସ୍ଵୀୟ ମାତା ଓ ଦେବୀ ମାଣିକେଶ୍ୱରୀଙ୍କୁ ନେଇ କଳାହାଣ୍ଡି ଆସିଥିଲେ ।
#ଯୁଗସାଇପାଟଣା ଠାରେ ପାଟମାଝୀଙ୍କ କୋଳରେ ହିଁ ରାଜ୍ୟାଭିଷେକ ହେଲା କୁମାର ରାମଚନ୍ଦ୍ରଙ୍କର ! ସେହିଦିନୁ ପରବର୍ତୀ ନାଗରାଜାମାନଙ୍କ ପାଇଁ ପାଟମାଝୀଙ୍କ କୋଳରେ ରାଜ୍ୟାଭିଷେକ ହେଲା ଏକ ପରମ୍ପରା ! ଆଉ ମାଣିକ୍ୟ ଦେବୀ ହେଲେ ନାଗବଂଶର କୁଳଦେବୀ (ପରିବାର ଦେବୀ/Family Goddess) ଭାବେ ପୂଜିତା ଏବଂ ମାଣିକେଶ୍ଵରୀ ନାମରେ ପରିଚିତା !
ତେବେ ମାମୁଁ ଘର ରାଜ୍ୟରୁ ଆଣିଥିବା ଦେବୀଙ୍କୁ କୁମାର ରାମଚନ୍ଦ୍ର ଦେଓ ଭଣ୍ଡେଶିର ଗଡ଼ଠାରେ ସ୍ଥାପନା କରି ରାଜଧାନୀ #ଜେନାବଳିପାଟଣା (ଆଧୁନିକ ଜୁନାଗଡ଼)ରୁ ରାଜ୍ୟ ଶାସନ ଚଳାଇଲେ ! ଉକ୍ତ #ଭଣ୍ଡେଶିର_ଗଡ଼ ହିଁ ଆଜିର ଚଳଚଞ୍ଚଳ ଭବାନୀପାଟଣା ! ସେ ସମୟରେ ଦେଵୀ ମାଣିକେଶ୍ୱରୀ ପୂଜା ପାଉଥିଲେ ଏକ ଛୋଟ ମନ୍ଦିରରେ !
ନାଗବଂଶର ୨୭ତମ ରାଜା #ଫତେନାରାୟଣ_ଦେଓ ଙ୍କ ଶାସନ କାଳରେ ଜୁନାଗଡ଼ରେ ଦେଖା ଦେଲା ମହାମାରୀ ! ନାବାଳକ ଦ୍ଵିତୀୟ ପୁତ୍ର କୃଷ୍ଣ ଦେଓଙ୍କ ମହାମାରୀରେ ଅକାଳ ବିୟୋଗ ପରେ ରାଜା ମୁମୂର୍ଷୁ ଜ୍ୟେଷ୍ଠ ପୁତ୍ର #ଉଦିତପ୍ରତାପ_ଦେଓ ଙ୍କୁ ଆଣି ରାଜା ଭଣ୍ଡେଶିର ଗଡ଼ରେ ମାଣିକେଶ୍ଵରୀଙ୍କ ଗୁଡ଼ିରେ ଅଧିଆ ପଡ଼ିଥିଲେ । ଯୁବରାଜ ଉଦିତ ପ୍ରତାପ ଆରୋଗ୍ୟ ଲାଭ କଲାପରେ ୧୮୫୦ରେ ରାଜା ଫତେନାରାୟଣ ଦେଓଙ୍କ ହାତରେ ରାଜଧାନୀ ସ୍ଥାନାନ୍ତରିତ ହେଲା ଭଣ୍ଡେଶିର ଗଡ଼କୁ !
ଭଣ୍ଡେଶିର ଗଡ଼ର ସେଇ ପୁରୁଣା ଛୋଟ ମନ୍ଦିର ସ୍ଥାନରେ ୧୮୫୧ ଖ୍ରୀଷ୍ଟାବ୍ଦରେ ରାଜା ଫତେନାରାୟଣଙ୍କ ଦ୍ବାରା ନୂତନ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ! ଶାସନ ଅଳଙ୍କୃତ ପରେ ପୁତ୍ର ଉଦିତପ୍ରତାପ ସେଠାରେ ତୋଳାଇଥିଲେ ଏକ ଭବ୍ୟ ପ୍ରାସାଦ ! ପ୍ରାସାଦର ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଦେବୀଙ୍କ ଦେଉଳ ନିର୍ମାଣରେ ହୋଇଥିଲା ଅହେତୁକ ବିଳମ୍ବ ! ରାଜନୈତିକ ଅସ୍ଥିରତା ତଥା ବ୍ରିଟିଶ ସରକାରଙ୍କ ଦ୍ଵାରା ରାଜ୍ୟ ରାଜନୀତି ବହୁଧା ପ୍ରଭାବିତ ହେବା କାରଣରୁ ଦେଉଳ ନିର୍ମାଣ କାର୍ଯ୍ୟ ପାଇଁ ବିତିଯାଇଥିଲା କେତେ ଦଶନ୍ଧି !
ତେବେ ବିଂଶ ଶତାବ୍ଦୀର ଦ୍ଵିତୀୟ ଦଶନ୍ଧିରୁ ଶେଷ ବେଳକୁ କଳାହାଣ୍ଡି ରାଜ୍ୟରେ ଆବିର୍ଭୁତ ହେଇଥିଲେ ଜଣେ ମହାନ ପ୍ରଜାମଙ୍ଗଳକାରୀ ମହାରାଜା #ବ୍ରଜମୋହନ_ଦେଓ ! ସେ ହିଁ ତୋଳାଇଥିଲେ ଅନ୍ୟ ଏକ ପ୍ରାସାଦ – ଯାହା ଆଜି ସଗର୍ବେ ବିଦ୍ୟମାନ ! ୫୬ ଫୁଟ ଉଚ୍ଚତାର ଭବ୍ୟ ଶୁଭ୍ର ସୁଦୃଶ୍ୟ ରେଖା ଦେଉଳଟିର ନିର୍ମାଣ ଶେଷ ହେଲା ରାଜାଙ୍କ କରକମଳରେ ! ୧୯୩୫ ଖ୍ରୀଷ୍ଟାବ୍ଦରେ !
ଦେଵୀ ମାଣିକେଶ୍ଵରୀ ଦେଉଳକୁ ଲାଗି ରହିଥିବା ମଣ୍ଡପର ସ୍ତମ୍ଭ ଓ କାନ୍ଥମାନଙ୍କରେ ଦଶମହାବିଦ୍ୟା ଓ କଳାହାଣ୍ଡିର ବିଭିନ୍ନ ପ୍ରାକୃତିକ ଦୃଶ୍ୟମାନଙ୍କୁ ନେଇ ତୈଳଚିତ୍ରମାନ ଅଙ୍କା ଯାଇଥିଲା ! ଏବକୁ ସେସବୁ ଦୃଶ୍ୟମାନ ହୁଏନା ! ମାଣିକେଶ୍ୱରୀଙ୍କ ମନ୍ଦିରର ପଛପଟେ ତିନୋଟି ଛୋଟ ‘ରେଖା ମନ୍ଦିର’ରେ ତିନି ମାତୃଦେବୀ ବୈଷ୍ଣବୀ, ବରାହୀନାରସିଂହୀ ପୂଜା ପାଉଥିବା ବେଳେ ମନ୍ଦିରର ଉତ୍ତର ଦୂରରେ ଏକ ପିଢ଼ମନ୍ଦିରରେ ମହାକାଳ ଭୈରବ ବା ବୁଢ଼ାରଜାଙ୍କ ମନ୍ଦିର ରହିଛି ।
ପ୍ରାୟ ୬୦୦ମିଟରର ଲମ୍ବ ଓ ୪୦୦ମିଟରର ପ୍ରସ୍ଥ ବିଶିଷ୍ଟ ବିରାଟ ଅଞ୍ଚଳରେ ପରିବ୍ୟାପ୍ତ ରାଜପ୍ରାସାଦ ବ୍ୟତୀତ ଭବାନୀପାଟଣା ସହରରେ ଦୃଶ୍ୟମାନ ହୁଏ ବହୁ ଐତିହାସିକ କୋଠାମାନ ! ରାଜକୀୟ ସଂରଚନାରେ ନିର୍ମିତ ଜିଲ୍ଲାପାଳଙ୍କ ବିଶାଳ ହର୍ମ୍ୟ କାର୍ଯ୍ୟାଳୟ ଭବନ, ୧୯୧୬ ଖ୍ରୀଷ୍ଟାବ୍ଦରେ ନିର୍ମିତ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ସୁଦୃଶ୍ୟ କୋଠାମାନେ ସହରର ଶୋଭାବର୍ଦ୍ଧନ କରିଥାନ୍ତି !
ପୁରୀ, କୋଣାର୍କ କିମ୍ବା ଚିଲିକା ପରିଦର୍ଶନ ଅନ୍ତେ ଯଦି କେହି ଭବାନୀପାଟଣା ଭ୍ରମଣରେ ଆସନ୍ତି, ତେବେ ମା’ ମାଣିକେଶ୍ଵରୀଙ୍କ ସମେତ ମହାପ୍ରଭୁ ଭବାନୀଶଙ୍କର, ମା’ ଦକ୍ଷିଣକାଳୀ, ପ୍ରଭୁ ରାମସ୍ବାମୀ, ବାଲାଜୀ, ମା’ ତାରିଣୀ ତଥା ୨୦୦ ବର୍ଷର ପୁରୁଣା ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିବାକୁ ଯେପରି ନ ଭୁଲନ୍ତି ! ଅତ୍ୟୁଚ୍ଚ ପାହାଡ଼ ଉପରୁ ତାରିଣୀ ମନ୍ଦିର ଦର୍ଶନ ସହିତ ସମଗ୍ର ସହରର ଦୃଶ୍ୟ ଅଭୁଲା ରହିଯିବ ନିଶ୍ଚୟ !
ଜୟ କଳାହାଣ୍ଡି ।।
ବନ୍ଦେ ଉତ୍କଳ ଜନନୀ ।।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୂରରେ ଥାଇ ଅଗ୍ରଜ Ambika Patnaik ଏବଂ କଳାହାଣ୍ଡି ରାଜ୍ୟ ଇତିହାସ ତଥା କଳାହାଣ୍ଡିର ସଂସ୍କୃତି ଗବେଷକ ଓ ମହାବୀର ସାଂସ୍କୃତିକ ଅନୁଷ୍ଠାନର ଶ୍ରୀଯୁକ୍ତ ସତ୍ୟନାରାୟଣ ସିଂହଙ୍କ ସାହାଯ୍ୟ ବିନା ଏ ବାବଦ ତଥ୍ୟ ସଂଗ୍ରହ ଦ୍ଵାରା ହିଁ ସମ୍ଭବ ହୋଇପାରି ନ ଥାନ୍ତା ସହୃଦୟ କୃତଜ୍ଞତା ଉଭୟ ଅଗ୍ରଜଙ୍କୁ !
ଆଧାର: ୧. କଳାହାଣ୍ଡିର ଦେବଦେବୀ, ସଂ ପରମେଶ୍ବର ମୁଣ୍ଡ, ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା;
୨. History and Culture of Kalahandi, by Jitamitra Prasad Singhdeo, Mahabir Sanskrutik Anusthan, Bhabanipatana
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago