ଲେଖା: ଦେଵ ତ୍ରିପାଠୀ

“ସିଂହଳ ଦ୍ଵୀପରୁ ଚାରୁ ମଙ୍ଗଳା ମୂରତି,
ଅଣାଇ ନିଜ ନଗରେ ନରେନ୍ଦ୍ର ସୁମତି ।।”
ସରସ୍ବତୀ ଦାମୋଦର ମିଶ୍ରଙ୍କ #ଭଞ୍ଜକନିକା କାବ୍ୟର ନାୟକ #ନରେନ୍ଦ୍ର_ସାଧବ ଯେ କେବଳ #ସିଂହଳ ଦ୍ଵୀପରୁ ମା’ ମଙ୍ଗଳାଙ୍କ ମୂର୍ତ୍ତି ଆଣି ଉତ୍କଳର ପବିତ୍ର ମାଟିରେ ଥାପନା କରିଥିଲେ ଏବଂ ତାଙ୍କରି ନାମ ଅନୁସାରେ ପ୍ରାଚୀନ ଉତ୍କଳର ଏକ ପ୍ରଧାନ ନୌବନ୍ଦର #ଛତ୍ରପଦା, ନରେନ୍ଦ୍ରପୁର ନାମରେ ନାମିତ ହୋଇଥିଲା, ସେକଥା ନୁହେଁ, ବରଂ ତାଙ୍କର ପରୋକ୍ଷ ଅବଦାନରେ ଗଢ଼ି ଉଠିଥିଲା ଉତ୍କଳର ସର୍ବଶ୍ରେଷ୍ଠ, ସମୃଦ୍ଧ ଗାରିମାମୟ ଗଡ଼ଜାତ । ଏକଦା ସେହି ଗଡ଼ଜାତ ଥିଲା #ଉତ୍କଳୀୟ_ନୌବାଣିଜ୍ୟ ଏକ ପ୍ରମୁଖ ପେଣ୍ଠସ୍ଥଳ ତଥା ଉତ୍କଳ ଭୂଖଣ୍ଡର ସର୍ବାଧିକ ରାଜସ୍ୱ ପ୍ରଦାନକାରୀ ! ଉତ୍କଳୀୟଙ୍କ ଉନ୍ନତି କଳ୍ପେ ସମ୍ପୃକ୍ତ ରାଜବଂଶର ଅବଦାନ ସର୍ବାଦୌ ସ୍ମରଣୀୟ ।
ଦିନ ଥିଲା । ଅତ୍ୟନ୍ତ ପ୍ରତିପତ୍ତିଶାଳୀ #କୁଜଙ୍ଗ ରାଜ୍ୟରେ ଗୃହବିବାଦର ନିଆଁ ଜଳୁଥିଲା । ପାରିବାରିକ ଷଡ଼ଯନ୍ତ୍ର ପହଞ୍ଚିଥିଲା ଶେଷ ସୀମାରେ । ରାଜଗାଦିର ମୋହ ପାଇଁ ଶତ୍ରୁପକ୍ଷ ଯେ କୌଣସି ହୀନକାର୍ଯ୍ୟ କରିବାକୁ ପଶ୍ଚାତପଦ ହେବେ ନାହିଁ, ଏକଥା ହୃଦୟଙ୍ଗମ କରୁଥିଲେ ରାଜବଂଶ ପ୍ରତି ଅନୁରକ୍ତ ବୃଦ୍ଧା ଧାଈ ମା’ ! ଏକାକୀ ଅସହାୟା ବୃଦ୍ଧାଟି ଅବା ରାଜା କିମ୍ବା ରାଣୀଙ୍କ ସୁରକ୍ଷା ପାଇଁ କ’ଣ କରିପାରିବ ? କିନ୍ତୁ ଶିଶୁକନ୍ୟାଟି ବଞ୍ଚିରହୁ ! ନିଶାର୍ଦ୍ଧରେ ରାଣୀଙ୍କ କୋଳରୁ ଶିଶୁକନ୍ୟାଟିକୁ ଉଠାଇ ନେଇ ଧାଈ ମା’ ଧାଇଁ ଯାଇଥିଲେ ଦୂର ରାଜ୍ୟକୁ । ନରେନ୍ଦ୍ରପୁରରେ ନରେନ୍ଦ୍ର ସାଧବଙ୍କ କୋଳରେ ଶିଶୁକନ୍ୟାକୁ ଟେକି ଦେଇ ରାଜପରିବାର ପ୍ରତି ନିଜର କର୍ତ୍ତବ୍ୟ ପାଳିଥିଲେ ସେଇ ମା’ । ସସୈନ୍ୟ ଆସି ନରେନ୍ଦ୍ର ସାଧବ ଯେ ବନ୍ଧୁ ରାଜା ଓ ରାଣୀଙ୍କୁ ଜୀବିତାବସ୍ଥାରେ ପାଇ ପାରି ନଥିଲେ ସେ କାହାଣୀ ଏଠାରେ ଅପ୍ରାସଙ୍ଗିକ । ଅଗତ୍ୟା କନ୍ୟାଟିକୁ ନେଇ ସଯତ୍ନେ ପାଳିଥିଲେ ନରେନ୍ଦ୍ର !
କୁହାଯାଏ, ନିଃସନ୍ତାନ କୁଜଙ୍ଗରାଣୀ କୁଳଦେବତା ମହାଦେବଙ୍କ ଅନ୍ନକଣିକା ସେବନ ଓ ଆଶୀର୍ବାଦରୁ ଲଭିଥିଲେ ଯେଉଁ କନ୍ୟା ସନ୍ତାନକୁ, ତା’ର ନାମ ରଖିଥିଲେ ‘କନିକା’, କଣିକାର ଅପଭ୍ରଂଶ କରାଇ !
ସମୟକ୍ରମେ ମୟୁରଭଞ୍ଜ ରାଜବଂଶର ଜନୈକ ରାଜକୁମାର ପାରିବାରିକ କାରଣରୁ ରାଜ୍ୟ ତ୍ୟାଗ କରି ଆସି ଆଶ୍ରୟ ନିଅନ୍ତି ନରେନ୍ଦ୍ର ସାଧବଙ୍କ ଉଆସରେ । ଏ ବେଳକୁ ନରେନ୍ଦ୍ରଙ୍କ ପାଳିତା କନ୍ୟା କନିକା ବିବାହଯୋଗ୍ୟା । ଅତଃ ରାଜକୁମାର #ଭୁଜବଳ ଭଞ୍ଜଙ୍କ (ପ୍ରକାରାନ୍ତରେ ଜଗଦ୍ଵୀଶ୍ୱର ଭଞ୍ଜ) ସହିତ ବିବାହ ବନ୍ଧନରେ ଛନ୍ଦିଦେଲେ କନ୍ୟାକୁ । କରିତକର୍ମା ଭୁଜବଳ ନରେନ୍ଦ୍ରଙ୍କ ସଶ୍ରଦ୍ଧ ସହଯୋଗରେ ନରେନ୍ଦ୍ରପୁରର ଆଖପାଖ ଅଞ୍ଚଳକୁ ନିଜ ଅକ୍ତିଆରରେ ରଖିଲେ, #ନରେନ୍ଦ୍ରପୁର ଏବଂ ଭିତରକନିକାରେ ଭବ୍ୟ ଉଆସଦୁଇଟି ତୋଳାଇଲେ । ଦ୍ଵାଦଶ ଶତାବ୍ଦୀ ବେଳକୁ ରାଜା ଭୁଜବଳ #ବଜ୍ରଗଡ, #ଅନନ୍ତପୁର, #ଜୟନଗର, #ବାଦରଜା, #ତ୍ରୈଲୋକ୍ୟପୁର, #ବର୍ତ୍ତନୀ ପରି ୬ଟି #ମୁକା ବା ଛ’ମୁକାକୁ ନିଜ ଅକ୍ତିଆରକୁ ନେଇଗଲେ । ଇତିମଧ୍ୟରେ #କେରଡ଼ାଗଡ଼, #ଭିତରଗଡ, #ବାହାରଗଡ, #ନରଣଗଡ, ଧୋବେଇଗଡ, ଚମ୍ପାଗଡ, #ରାଜଗଡ ଓ ନଗଡ ସହିତ #ରିଘାଗଡ ପରି ୯ଟି ଗଡକୁ ଜିତି ନୂତନ ଏକ ରାଜ୍ୟରେ ପରିଣତ କଲେ ।
ନରେନ୍ଦ୍ର ସାଧବଙ୍କ #ପାଟଣା ନରେନ୍ଦ୍ରପୁରରେ ପୂଜାପା’ନ୍ତି ସିଂହଳଦେଶରୁ ଆନୀତ ତଥା ସାଧବକୂଳର ଇଷ୍ଟଦେବୀ #ପାଟଣା_ମଙ୍ଗଳା, ସେଇ ପୀଠରୁ ହିଁ ଉଦ୍ଭବ ହେଲା ନୂତନ ଏକ ରାଜ୍ୟ । ରାଜପୁତ୍ର ଭୁଜବଳ ଓ କୁଜଙ୍ଗ ରାଜକନ୍ୟା ତଥା ନରେନ୍ଦ୍ର ସାଧବଙ୍କ ପାଳିତା କନ୍ୟା କନିକାଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା ଏଇ ପୀଠରୁ । ନରେନ୍ଦ୍ରଙ୍କ ଅନ୍ତେ ଯୁବକ ରାଜା ମା’ ମଙ୍ଗଳାଙ୍କୁ ସାକ୍ଷୀ ରଖି ନିଜ ପ୍ରାଣପ୍ରିୟା ରାଣୀଙ୍କ ନାମରେ ନୂତନ ରାଜ୍ୟର ନାମ ଦେଲେ #କନିକା ! ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ପରିପୁଷ୍ଟ କରାଇ ନୂତନ ଗୌରବମୟ ଇତିହାସ ରଚିବାକୁ ଯାଉଥିଲା ନୂତନ ରାଜ୍ୟ କନିକା !
ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ମହାରାଣୀ କନିକା ଶ୍ରୀମନ୍ଦିରରେ ଯେଉଁ ଖେଚୁଡ଼ି ଅନ୍ନଭୋଗ ଖଞ୍ଜି ଦେଇଥିଲେ, ରାଣୀଙ୍କ ନାମାନୁସାରେ ଭୋଗର ନାମ ହେଲା #କାନିକା
ଆଧାର: ୧. ‘ଗୋନାସିକା ନନ୍ଦିନୀ ବୈତରଣୀ’, ଡ. ରଞ୍ଜନ ପ୍ରଧାନ କ୍ରିଏଟିଭ୍ ଓଡ଼ିଶା, କେନ୍ଦ୍ରାପଡ଼ା;
୨. ‘ଭଞ୍ଜକନିକା’, ସରସ୍ବତୀ ଦାମୋଦର ମିଶ୍ର, କାଶୀନାଥ ପ୍ରେସ୍ ଅଲିଶା ବଜାର, କଟକ;
୩. ‘ଖୁଲଣା ସୁନ୍ଦରୀ’ ବୀଣାପାଣି ପୁସ୍ତକ ଭଣ୍ଡାର, ଅଲିଶାବଜାର, କଟକ;
୪. ‘କନିକା’, ଶୁଭ୍ରାଂଶୁ ଭୂଷଣ ସୂତାର, ରାଜକନିକା, କେନ୍ଦ୍ରାପଡ଼ା;
୫. District Gazetteers, Cuttack;
© ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA
Images: Subhrasit Sahoo, Lalit Mohan Ray, Social Media
admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

1 week ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

1 week ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

1 week ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

2 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

2 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

2 weeks ago