ଲେଖା: ଦେଵ ତ୍ରିପାଠୀ
~ କନିକା ~
“ତାଳୀବନ-ଶ୍ୟାମ କନିକା, କୁଜଙ୍ଗ
ମରିଚ ହରିଶପୁର ଅସ୍ତରଙ୍ଗ ।
ବରାହ-ପାଳିତ ବାଲିପୂର୍ଣ୍ଣ ଆଳି
କ୍ଷତ୍ରିବୃନ୍ଦ ଯାର ମହାବୀର୍ଯ୍ୟଶାଳୀ ।”
ଇଏ ଏମିତି ଏକ ରାଜ୍ୟ, ଯାହାର ସୁଦୁର ଅତୀତକୁ ରୋମନ୍ଥନ କଲେ ଦୃଶ୍ୟମାନ ହୁଏ ଇତିହାସର ବହୁ ବିସ୍ମୟକର ସ୍ମାରକୀ ! ନାଚି ଯାଏ ବାରମ୍ବାର ଆଖି ସାମ୍ନାରେ ! ଇତିହାସର ପଞ୍ଜରରେ ପ୍ରାଣସଞ୍ଚାର ହୁଏ ! ଗତ ଦିନର ମହକର ପରମ୍ପରା ଭାସିଆସେ ପବନର ମୃଦୁ ହିଲ୍ଲୋଳରେ ! ଅପୂର୍ବ ଆନନ୍ଦର ଲହରୀ ଖେଳିଯାଏ ଦେହରେ, ମନରେ ! ରକ୍ତକଇଁ ଫୁଟିଉଠେ ଶିରାପ୍ରଶିରାରେ ! ଅମୃତ ଝରିଯାଏ କଣ୍ଠରୁ ! ଚନ୍ଦନବାସ୍ନା ବିତରିଯାଏ ନିଃଶ୍ୱାସରେ !
ସେ ସ୍ବପ୍ନରାଇଜ ! କନକପୁରୀ !
କବିବର ରାଧାନାଥଙ୍କ କାବ୍ୟକଳାପୂର୍ଣ୍ଣ #ତାଳୀବନ_ଶ୍ୟାମ_କନିକା, କବିରତ୍ନ #ସରସ୍ୱତୀ_ଦାମୋଦର_ମିଶ୍ର ଙ୍କ ସୁନ୍ଦର ଅନୁଭୁତିର ମାଟି #ଭଞ୍ଜକନିକା, ବିପ୍ଳବୀ କବି #ଆନନ୍ଦ_ଜେନା ଙ୍କ #ଦୁଃଖିନୀ_କନିକା, ସିଦ୍ଧସାଧକ ବାୟାବାବା ନଣ୍ଡାବାବାଙ୍କ ସାଧନାର ତପୋବନ #ସ୍ୱର୍ଣ୍ଣଭୁମି_କନିକା, ଗଣକବି ବୈଷ୍ଣବ ପାଣିଙ୍କ କର୍ମଭୂମି ‘କନକ କନିକା’, କର୍ମଯୋଗୀ #ରାଜେନ୍ଦ୍ର_ନାରାୟଣ_ଭଞ୍ଜଦେବଙ୍କ ଲୀଳାଭୁମି, ‘ବୃହତ୍ତର କନିକା’ !
ଓଡ଼ିଶାର ଇତିହାସ ଓ ସାଂସ୍କୃତିକ ପରମ୍ପରାର ପରିସର କଥା ଚିନ୍ତା କଲାବେଳେ ସ୍ତତଃ କନିକାର କଥା ଉଙ୍କିମାରେ ! #କଳିଙ୍ଗ_ସାଗର ବିଧୌତ ଜନପଦ ଧନ-କନକ-ସମୃଦ୍ଧ ଚାରୁଶସ୍ୟ ଶ୍ୟାମ ଏଇ କନିକା, ଯେଉଁଠି ଉତ୍କଳ ଗଜପତିଙ୍କ ସାମନ୍ତରାଜା ଥାଟପଟୁଆର ଧରି ବାହାରି ଯାଆନ୍ତି ଆବଙ୍ଗତୈଲଙ୍ଗ ମହୀ ଓଡ଼ିଶାର ବିଜୟଧ୍ୱଜା ଉଡ଼ାଇବାକୁ, ଯେଉଁଠି ଉତ୍କଳ ଜନନୀର କନକନନ୍ଦିନୀ ବନ୍ଦାପନା କରେ ସାଗର ସେପାରିରୁ ଫେରି ଆସିଥିବା #ସାଧବ ପୁଅକୁ, ଯେଉଁଠି ସାଧବଝିଅ ତଅପୋଈ ମା’ ମଙ୍ଗଳାଙ୍କୁ ଆରାଧନା କରି ମହାସଙ୍କଟରୁ ଉଦ୍ଧାର ପାଏ, ଯେଉଁଠି #ରିଘାଗଡ଼ର ତୂର୍ଯ୍ୟନାଦରେ ସିଂହ ଓଡ଼ିଆ ବୀରବିକ୍ରମରେ ଜାଗିଉଠେ, ଯେଉଁଠି କନକ ଉପତ୍ୟକାର ବର୍ଣ୍ଣାଢ଼୍ୟ ବେଦୀ ଉପରେ ଭୀମକାନ୍ତ ପ୍ରକୃତିର କମ୍ର ପରିବେଶର ମାଧୁରିମା ଆକର୍ଷଣ କରେ ସ୍ରଷ୍ଟାଙ୍କ ସୃଷ୍ଟିକୁ ! ସେଇ କନିକା ଆଜି ଇତିହାସର ଗବାକ୍ଷରେ ଅତୀତକୁ ନିରୀକ୍ଷଣ କରୁଛି । ସେ ରାଜ୍ୟ ନାହିଁ, ରାଜା ନାହାଁନ୍ତି, ରାଜାପଣ ନାହିଁ ! ହେଲେ ପବନରେ ଘୁରିବୁଲୁଛି ସେ ପରମ୍ପରର ମହକ ! ଖୋଜା ଚାଲିଛି ଅତୀତର ଘଟଣାବଳୀ ! ସୁଦୀର୍ଘ ଆଠଶହ ବର୍ଷର ଇତିହାସକୁ ପ୍ରାଣ ଭିତରେ ଧରି ସେଇ କନିକା ଏବେ ମଧ୍ୟ ଜୀବନ୍ତ !
କନିକା ! କବି ବଡ଼କୁମାର ବଳଭଦ୍ର ଦେବଙ୍କ #ତାଳୀବନାକୀର୍ଣ୍ଣ_ନକ୍ରଚକ୍ରଯୂତ_ଜଳଦୁର୍ଗ କନିକା ! ସମୁଦ୍ର କୂଳର ସୁଘଞ୍ଚ ‘ତାଳୀ’ ବା ହେନ୍ତାଳବନରେ ଶୋଭିତ ! ଜଙ୍ଗଲରେ ବାଘ, ଭାଲୁ, ହରିଣ, ପ୍ରଭୃତି ବନ୍ୟପଶୁଙ୍କ ବିଚରଣ ! କୁମ୍ଭୀରପୂର୍ଣ୍ଣ ପ୍ରାକୃତିକ ଗଡ଼ଖାଇ ସଦୃଶ ପ୍ରବାହିତା ନଦୀ ! ସେଭଳି ଏକ ଦୁର୍ଭେଦ୍ୟ ଭୌଗୋଳକ ଭିତ୍ତିଭୂମି ମଧ୍ୟରେ ଅବସ୍ଥିତ କନିକାର ରାଜନ୍ୟବର୍ଗ ଥିଲେ ସମର ବିଶାରଦ ! ଦୁଃସାହସୀ ! ଅତୁଳନୀୟ ସେମାନଙ୍କ ବୀରତ୍ବ ! ହିଂସ୍ର ବନ୍ୟଜନ୍ତୁଙ୍କ ସହ ମଲ୍ଲଯୁଦ୍ଧ କରିବା ପରି ବିରଳ ସଉକର ଅଧିକାରୀ ଥିଲେ କନିକାର କ୍ଷତ୍ରିକୁଳ !
ହଁ, କନିକାବାସୀଙ୍କ ବୀରତ୍ୱରେ ମହକୁଥିଲା ଏ କଳିଙ୍ଗ ମାଟି ! ଶତ୍ରୁ ଆକ୍ରମଣର ସାମ୍ନା କରିବାକୁ କମ୍ପିଉଠିଛି କନିକାର କରବାଳ ! ଜାଗିଉଠିଛି ଭୁଜଦଣ୍ଡ ! କନିକାର କ୍ଷତ୍ରିୟକୁଳ ଉଭା ହୋଇଛନ୍ତି ଓଡ଼ିଶା ଗଜପତିଙ୍କ ସୈନ୍ୟବଳ ରୂପେ ! ବିସ୍ତରିଛନ୍ତି ସାମ୍ରାଜ୍ୟ ! ପ୍ରାଣବଳି ଦେଇଛନ୍ତି ଆଫଗାନ୍, ମୋଗଲ୍, ମରହଟ୍ଟା, ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ି ! କନିକାର ସାଧବମାନେ ସାତ ସମୁଦ୍ରରେ ମେଲିଛନ୍ତି ବଣିଜର #ଗୋରାପ ! କନିକିଆଙ୍କ ପ୍ରଚଣ୍ଡ ସ୍ବାଭିମାନ ଉଦଣ୍ଡତାକୁ ଦେଖିଛି ଓଡ଼ିଆ ଜାତି ! ରଚାଯାଇଛି ଗୌରବମୟ ଇତିହାସ ! ଇଂରେଜମାନଙ୍କ ଅପକୌଶଳ, ହିଂସା ଓ ବିଶ୍ଵାସଘାତକତାକୁ ପଣ୍ଡ କରିବା ନିମିତ୍ତ ଲଢ଼ିଛି କନିକା, #କୁଜଙ୍ଗ#ଖୋର୍ଦ୍ଧା ସହିତ ମିଶି ! ଥରାଇଦେଇଛି ବ୍ରିଟିଶ ସାମ୍ରାଜ୍ୟର ପଞ୍ଜରା ! ଦେଶାନ୍ତର ଦଣ୍ଡ ଭୋଗିଛନ୍ତି ଜନତାର ନେତା ବାମଦେବ ପାଟ୍ଟଯୋଶୀ ! ଭାରତର ସଶସ୍ତ୍ର ଗଣବିପ୍ଳବରେ ଅମଳିନ ଅକ୍ଷରରେ ଲିପିବଦ୍ଧ ହୋଇଛି କନିକାର ନାମ ! ସପ୍ରଶଂସ ଭାଷାରେ କନିକା ମାଟିର ଗାଥା ଗାଇଛନ୍ତି #ହଣ୍ଟର, #ଟଏନବୀଙ୍କ ପରି ଇଂରେଜ ଐତିହାସିକଗଣ ! କହିବା ବାହୁଲ୍ୟ, ଏମିତି କେତେ କେତେ ଗାରିମାମୟ ଅତୀତର ଅଧିକାରୀ ଏଇ କନିକା !
ଏମିତି କେତେ କଥା ! କନିକାର ମାଟି କହେ ! କଥା କହେ ଅଧିକାର ବନ, ବିଲ, ଆକାଶ ! ଗୀତ ଗାଆନ୍ତି କଳିଙ୍ଗ ସାଗର ଅଭିମୁଖେ ନିୟତ ପ୍ରବହମାନା ପୁତସଲିଳା #ବ୍ରାହ୍ମଣୀ, #ବୈତରଣୀ, #ଖରସ୍ରୋତା ସଦୃଶ ସିନ୍ଧୁପ୍ରୀତି ବ୍ୟାକୁଳିତା ନଦୀମାନ ! ଚିରସ୍ରୋତା ନଦୀନାଳ, ବେଳାଭୂମି, ବନ୍ୟସମ୍ଭାରରେ ବିଭୂଷିତା ସୁଦ୍ଧା, ସୁବଳୟା, ଶସ୍ୟଶ୍ୟାମଳା ଏଇ କନିକା ଉପକୂଳରେ ନୌବାଣିଜ୍ୟ ଯୁଗର ସୁରଭି ଏବେ ବି ହାତଠାରି ଡାକେ ପଥିକକୁ ! କନିକାର ଜଙ୍ଗଲରେ ହରିଣ ନାଚିଲେ, ଅଜଣା ବନପକ୍ଷୀଟିଏ ଗୀତ ଗାଇଲେ, ଗହୀରମଥାର ବାଲୁକା ଶଯ୍ୟାରେ କଇଁଛ ଖେଳିଲେ, ସାତଭାୟା ବେଳାରେ ସମୁଦ୍ର ଉଚ୍ଛଳ ହେଲେ, ଧାମରା ମୁହାଁଣରେ ନୌତରୀ ଭାସିଲେ, ଏକ ଅସ୍ବାଭାବିକ ତନ୍ମୟତାରେ ଶିହରିଯାଏ ତନୁମନ ! ମନେପଡ଼େ ଅତୀତର କଥା !
ଚିତ୍ର: Bhubaneswar Buzz, Biswa Mallick
admin

Recent Posts

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…

1 year ago

ବାସୁଦେବ ସୁଢ଼ଳଦେବ

ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…

2 years ago

ମହିମା ମେଳା

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…

2 years ago

କଂସା ବାସନ

ଲେଖା: ଡ. ଜୟଶ୍ରୀ ନନ୍ଦ ~ କଂସା ବାସନ ~ ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର…

2 years ago

ତୁଳସୀ ପୂଜା

ଲେଖା: ଡ. ଜୟଶ୍ରୀ ନନ୍ଦ   ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡିଆ ଘରର ପରମ୍ପରା…

2 years ago

ମଣ୍ଡା ପିଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…

2 years ago