| ଲେଖା: କୁଳମଣି ଷଡ଼ଙ୍ଗୀ ମହାନଦୀକୁ ‘ଉତ୍କଳଗଙ୍ଗା’ ନାମରେ ନାମିତ କରିବାର ଯଥାର୍ଥତା ଅଛି। ଅମର କଣ୍ଟକରୁ ବାହାରି, ବହୁ ଦୀର୍ଘପଥ ଅତିକ୍ରମକରି ସିନ୍ଧୁରେ ବିଲୀନ ହେବା ଆଗରୁ ଉତ୍କଳ ଭୂଇଁ ଛୁଇଁ ଏହା ତିନୋଟି କାରଣରୁ ପବିତ୍ର ହୋଇଯାଇଛି । ପ୍ରଥମତଃ ସୁବର୍ଣ୍ଣପୁର ଠାରେ “ସୁବର୍ଣ୍ଣାକ୍ଷ ମହାଦେବ”ଙ୍କର ପଦଧୌତକରି ପବିତ୍ର ହେବାପରେ, ମହାନଦୀ କଣ୍ଟିଲୋ ଠାରେ ପରମ ପାବନ ନୀଳମାଧବ କ୍ଷେତ୍ର ବ୍ରହ୍ମାଦ୍ରିରେ ମଥା ପାତି ପ୍ରଭୁ ନୀଳମାଧବଙ୍କୁ ପୂଜା କରିଛି। ତତ୍ପରେ ମା’ ଭଟ୍ଟାରିକାଙ୍କର ପାଦ ଛୁଇଁ ଆଶୀର୍ବାଦ ଭିକ୍ଷା କରିବାପରେ କଳକଳ ଛଳଛଳ ଚିତ୍ରୋତ୍ପଳା ପରମ ଆରାଧ୍ୟା, ଜଗଜ୍ନନନୀ ମାଆ ଚର୍ଚ୍ଚିକାଙ୍କ ପାଦ ସ୍ପର୍ଶକରି ସାଗରାଭିମୁଖୀ ହୋଇଛି। ଗଙ୍ଗାର ତ୍ରିବେଣୀ ସଙ୍ଗମ ଭଳି, ନୀଳମାଧବ କ୍ଷେତ୍ରରେ ମହାନଦୀ ସହିତ ସଙ୍ଗମ ହୋଇଛି ଆଉ ଦୁଇଟି ନଦୀର, କୁସୁମୀ ଏବଂ କୁମାରୀକା । ପ୍ରଭୁ ନୀଳମାଧବଙ୍କର କନିଷ୍ଠ ପଦାଙ୍ଗୁଳିରୁ ପ୍ରବହମାନ ହେଉଛନ୍ତି ପବିତ୍ର ଗଙ୍ଗା। ମହାନଦୀ ଜଳରେ ମିଶି ତାହା ପବିତ୍ର କରିଦେଇଛନ୍ତି ନଦୀଘାଟକୁ। ମାଘମାସରେ ଭୌମୀ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ଯନ୍ତ କଣ୍ଟିଲୋ ଠାରେ ଏହି ପବିତ୍ର ନଦୀଘାଟରେ ବୁଡ ପକାଇ ପ୍ରଭୁ ବ୍ରହ୍ମାଦ୍ରିନାଥ ନୀଳମାଧବଙ୍କୁ ଦର୍ଶନ କରି ଲକ୍ଷ ଲକ୍ଷ ଯାତ୍ରୀ ତନୁ ମନ ପବିତ୍ର କରନ୍ତି। ସେହି ମାଘୋତ୍ସବ ସମୟରେ ଏକ ବିରାଟ ଯାତ୍ରାର ଆୟୋଜନ ଏଠାରେ କରାଯାଏ । ତାହା “କଣ୍ଟିଲୋ ଯାତ୍ରା” ନାମରେ ଆଖପାଖରେ ପ୍ରଖ୍ୟାତ ଏବଂ ସେ ଯାତ୍ରାରେ ବିରାଟ ଜନସମାଗମ ହୁଏ।
ମନ୍ଦିର ଭିତରେ ଚତୁର୍ଭୁଜ ବିଷ୍ଣୁଙ୍କର, ଉପର ଦୁଇ ହାତରେ ଶଙ୍ଖ ଏବଂ ଚକ୍ର ସୁଶୋଭିତ। ତଳ ଦୁଇ ହାତ ଲମ୍ବିଯାଇଛି ଅଭୟ ଆଶୀର୍ବାଦ ଛଳରେ ପାଦ ପାଖରେ ବସିଥିବା ପ୍ରିୟତମା ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କ ମଥା ଉପରକୁ। ନୀଳାଦ୍ରିରେ ଜଗନ୍ନାଥଙ୍କର ରତ୍ନ ସିଂହାସନ ପାଖରେ ଶ୍ରୀଦେବୀ ଏବଂ ଭୂଦେବୀ ଆସୀନ। ସେହିପରି ନୀଳମାଧବଙ୍କ ପାଖରେ ବିରାଜିତା ହୋଇଛନ୍ତି ଲକ୍ଷ୍ମୀ ଓ ସରସ୍ୱତୀ। ମାଧବଙ୍କର ମଥା ଉପରେ ଅନନ୍ତନାଗ, ତାଙ୍କର ସମସ୍ତ ଫଣାକୁ ଛତ୍ର ଆକାରରେ ତୋଳି ଧରିଛନ୍ତି । ଅପୂର୍ବ ସେ ଅନୁପମ ଦୃଶ୍ୟ ! ମନ୍ଦିର ବେଢାରେ ଠିଆହେଲେ ମହାନଦୀର ନୈସର୍ଗିକ ସୌନ୍ଦର୍ଯ୍ୟ ଆଗନ୍ତୁକକୁ ନେଇଯାଏ ସ୍ୱପ୍ନ ରାଜ୍ୟକୁ। ପାହାଡ, ପର୍ବତ ଗିରି ବନ ରାଜି ଭିତରଦେଇ ମହାନଦୀର ନୀଳବେଣୀ ଲମ୍ବିଯାଇଛି ଦୂରରୁ ଦୂରକୁ। ଚତୁର୍ଦ୍ଦିଗରେ ସୁଷମାର ମଧୁଚକ୍ର। ଶାନ୍ତ କାନ୍ତ କମନୀୟ ପରିବେଶ। ମନରେ ପ୍ରଶ୍ନ ଉଠେ “ବାସ୍ତବ ବିଶ୍ବେ କି ଏ ଛବି ସମ୍ଭବ !” ମନ୍ଦିର ବେଢାର ଦକ୍ଷିଣ ପାର୍ଶ୍ବରେ ଦେବଧିଦେବ ମହାଦେବ ‘ସିଦ୍ଧେଶ୍ୱର’ଙ୍କର ମନ୍ଦିର। ଦେବାଧିଦେବଙ୍କର ଲିଙ୍ଗ ପାତାଳୀ।ଯେତେ ଜଳଶାୟୀ କଲେ ମଧ୍ୟ ଟୋପାଏ ପାଣି ରହେନାହିଁ, ପାଦୁକ ପାଇବାପାଇଁ ମଧ୍ୟ ଟୋପାଏ ପାଣି ମିଳେନାହିଁ।ଏଭଳି ଆଶ୍ଚର୍ଯ୍ଯ ଘଟଣା ଅନ୍ୟ କୌଣସି ଶିବାଳୟରେ ଅନ୍ତତଃ ଦେଖା ଯାଉନଥିବ।ମନ୍ଦିରର ପଶ୍ଚିମପାର୍ଶ୍ବରେ ଶ୍ରୀ ଶ୍ରୀ ହନୁମାନ ‘ପଦ୍ମାଦ୍ରି’ରେ ବିରାଜିତ। କିମ୍ବଦନ୍ତୀ ଅନୁଯାୟୀ, ‘ପଦ୍ମାଦ୍ରି’ ଉପରୁ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ କପିରାଜ ହନୁମାନ ସେହିସ୍ଥାନରେ, ବିଷ୍ଣୁଙ୍କ ଠାରୁ ଆଜ୍ଞା ନେଇ ଆସ୍ଥାନ ଜମେଇ ବସିଯାଇଛନ୍ତି।ବ୍ରହ୍ମାଦ୍ରିନାଥ ନୀଳମାଧବଙ୍କର ମନ୍ଦିର ପରସରର, ନୀଳାଦ୍ରି ବିହାରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିସର ସହିତ ଅନେକ ସମାନତା ଅଛି । ‘କାଳିଆ ପଲ୍ଲୀ‘କୁ ଗଲେ, ଜାଣିବା ଶୁଣିବା ଲୋକଙ୍କ ମୁହଁରୁ “କାଳିଆ ମାଧବ” ନାଁ’ଟି ଶୁଣିବାକୁ ମିଳେ।ଏହି ‘କାଳିଆ ମାଧବ’ ଅନ୍ୟ କେହି ନୁହନ୍ତି, ନିଜେ ସ୍ୱୟଂ ନୀଳ ମାଧବ। ଶବର ରାଜା ବିଶ୍ୱାବସୁ ନୀଳମାଧବଙ୍କୁ ସେହି ନାମରେ ଡାକୁଥିଲେ। ସେହି ନାମ ଅନୁସାରେ ଗ୍ରାମଟିର ନାମ “କାଳିଆ ପଲ୍ଲୀ” ରଖା ଯାଇଥିଲା। ପ୍ରେମ-ବିଦଗ୍ଧ ବ୍ରାହ୍ମଣ ଯୁବକ ବିଦ୍ୟାପତି ଏହି “କାଳିଆ ପଲ୍ଲୀ”ରେ କନ୍ଦର୍ପ ଶରାଘାତରେ ଲଳିତାଙ୍କ କୋଳରେ ଅଭୟ ପ୍ରେମାଶ୍ରୟ ନେଇଥିଲେ । ୨୦୦୩ ମସିହାରେ କଣ୍ଟିଲୋ ନିକଟସ୍ଥ “ଧାନ ଚେଙ୍ଗେଡା” ଗ୍ରାମରୁ ପ୍ରାପ୍ତ “ତାମ୍ରଲିପି”ରୁ ନୀଳମାଧବ ମନ୍ଦିରର ନିର୍ମାଣ କାଳ ସମ୍ବନ୍ଧରେ ଅନେକ କଥା ଜଣାପଡେ। “ଓଡିଶା ରିଭ୍ୟୁ” ଜୁନ୍, ୨୦୦୯ ସଂଖ୍ଯାରେ, ସାକ୍ଷୀଗୋପାଳ ମହାବିଦ୍ଯାଳୟର ଅଧ୍ୟକ୍ଷା ଶ୍ରୀମତୀ ଗୀତାଦେବୀ ଏକ ଗବେଷଣାମୂଳକ ପ୍ରବନ୍ଧରେ ଏକଥା ଉଲ୍ଲେଖ କରିଛନ୍ତି । ଏହି ପ୍ରବନ୍ଧ ନୀଳମାଧବ ମନ୍ଦିରର ନିର୍ମାଣ କାଳ, କଣ୍ଟିଲୋ ଗ୍ରାମର ନାମକରଣ ଏବଂ ନୀଳମାଧବ ପୀଠର ସାମାଜିକ ପରିସ୍ଥିତି ପ୍ରଭୃତି ବିଷୟ ଉପରେ ଆଲୋକପାତ କରେ। କେତେକଙ୍କ ମତରେ କଣ୍ଟାପୂର୍ଣ୍ଣ ବଣଜଙ୍ଗଲଘେରା ଅଞ୍ଚଳ ହୋଇଥିବାରୁ ନୀଳମାଧବ କ୍ଷେତ୍ରର ନାମ କଣ୍ଟିଲୋ ରଖାଯାଇଥିଲା; କିନ୍ତୁ ଏହା ଅନୁମାନ ବ୍ୟତୀତ ଅନ୍ୟ କିଛି ନୁହେଁ।ବାସ୍ତବରେ ଏ ସ୍ଥାନ ମହାନଦୀ କୂଳରେ ଅବସ୍ଥିତ ଥିବାରୁ ଏକ ଉନ୍ନତ ବାଣିଜ୍ୟ କେନ୍ଦ୍ର ଥିଲା। ମହାନଦୀରେ ନୌକାରେ ବୈଶ୍ୟ/ବଣିକମାନେ ‘ଦଣ୍ଡି’ ବା ‘କଣ୍ଟା’ରେ ପଣ୍ୟଦ୍ରବ୍ୟ ମାପି/ଓଜନ କରି ବଣିକମାନଙ୍କର ନୌକାପାଖରେ ମହାନଦୀ କୂଳରେ ପଇଠ କରୁଥିଲେ। ଏହି ‘କଣ୍ଟା’ ନାମକ ମାପ/ଓଜନ ଯନ୍ତ୍ର ବ୍ୟବହାର ଯୋଗୁଁ କାଳକ୍ରମେ ଏହି ବାଣିଜ୍ୟକ୍ଷେତ୍ରର ନାମ କଣ୍ଟିଲୋରେ ପରିଣତ ହେଲା। “ଧାନ ଚେଙ୍ଗେଡା” ଗ୍ରାମରୁ ପ୍ରାପ୍ତ ତାମ୍ରଲିପି, ୯୩୯ ଖ୍ରୀଷ୍ଟାବ୍ଦରେ ଭଂଜ ବଂଶର ରାଜା ଶତ୍ରୁ ଭଂଜଙ୍କ ଦ୍ୱାରା ପ୍ରଚଳିତ ହୋଇଥିଲା।ଏହାର ପ୍ରାପ୍ତିସ୍ଥାନ (ଧାନଚେଙ୍ଗେଡା), କଣ୍ଟିଲୋ ଓ କାଳିଆ ପଲ୍ଲୀ ଠାରୁ ଅନତି ଦୂରରେ ଅବସ୍ଥିତ। ଏଥିରୁ ଅନୁମାନ କରାଯାଏ ଯେ, କଣ୍ଟିଲୋ ଭଞ୍ଜବଂଶ ଅଧୀନରେ ଶାସିତ ହେଉଥିଲା। ଭଞ୍ଜ ବଂଶର ରାଜାମାନଙ୍କର ରାଜଧାନୀ ଥିଲା ମୟୂରଭଞ୍ଜ। ଶତ୍ରୁଭଂଜ ପରମ ବୈଷ୍ଣବ ସଙ୍ଗେ ସଙ୍ଗେ ପରମ ଶୈବ ମଧ୍ୟ ଥିଲେ। ଶତ୍ରୁଭଂଜ, ଶୀଳଭଂଜଙ୍କର ପୁତ୍ର ଏବଂ ବିଦ୍ୟାଧର ଭଂଜଙ୍କର ପୌତ୍ର ଥିଲେ। ତାଙ୍କର ଦ୍ବିତୀୟ ରାଜଧାନୀ ଥିଲା “ଗନ୍ଧାରାଡି”।ବୌଦ୍ଧଜିଲ୍ଲାରେ, ମହାନଦୀ କୂଳରେ ଏହି ଗନ୍ଧାରାଡିର ଜହ୍ନପଙ୍କ ଅଞ୍ଚଳରେ ଶତ୍ରୁଭଞ୍ଜ “ଚାରିଶମ୍ଭୁ” ମନ୍ଦିର ନିର୍ମାଣ କରିଥିଲେ। ଏହା ଦଶମ ଶତାବ୍ଦୀରେ ଗଠିତ ଏକ ଦ୍ବୈତ-ମନ୍ଦିର। ଏଠାରେ ନୀଳମାଧବ ଏବଂ ସିଦ୍ଧେଶ୍ୱର ଶିବ ଗୋଟିଏ ପରିସରରେ ପୂଜା ପାଆନ୍ତି। କଣ୍ଟିଲୋ ନୀଳମାଧବ ମନ୍ଦିର ତାର ଅନୁରୂପ । ତେଣୁ ବିଶ୍ବାସ କରାଯାଏ ଯେ ଭଂଜବଂଶ ଦ୍ୱାରା ନୀଳମାଧବ ମନ୍ଦିର ଦଶମ ଶତାବ୍ଦୀରେ ନିର୍ମିତ ହୋଇଥିଲା। ବହୁବର୍ଷ ପର୍ଯ୍ଯନ୍ତ ଭଂଜ ରାଜବଂଶୀମାନେ ପ୍ରଭୁ ନୀଳମାଧବଙ୍କର ଭୋଗରାଗ ପାଇଁ ଖଞ୍ଜା ସ୍ଥିର କରିଥିଲେ ବୋଲି ମନ୍ଦିର ପ୍ରଶାସନ ଠାରୁ ପ୍ରାପ୍ତ ତଥ୍ୟରୁ ଜଣାଯାଏ। ଗନ୍ଧାରାଡିଠାରେ ଥିବା ବିଷ୍ଣୁମୂର୍ତ୍ତି ଏବଂ ବ୍ରହ୍ମାଦ୍ରିର ବିଷ୍ଣୁ ମୂର୍ତ୍ତି ଭିତରେ କିଛିଟା ପ୍ରଭେଦ ପରିଲକ୍ଷିତ ହୁଏ। ଗନ୍ଧାରାଡି ବିଷ୍ଣୁ ଚତୁର୍ଭୁଜରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଛନ୍ତି, ମାତ୍ର ବ୍ରହ୍ମାଦ୍ରିନାଥ ନୀଳମାଧବ ଉପର ଦୁଇ ହାତରେ ଶଙ୍ଖ ଚକ୍ର ଧାରଣକରି ତଳ ଦୁଇ ହାତକୁ ପ୍ରିୟତମା ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କ ମସ୍ତକ ଉପରେ ରଖିଛନ୍ତି ।ଏହି ପ୍ରଭେଦରୁ ଅନୁମାନ କରାଯାଏ ଯେ ମନ୍ଦିର ନୂତନ ଥିଲା କିନ୍ତୂ ମୂର୍ତ୍ତି ଥିଲେ ପୁରାତନ; ବୋଧହୁଏ ଏ ହେଉଛନ୍ତି ବିଶ୍ଵାବସୁ ପୂଜିତ “କାଳିଆ ମାଧବ”। | |
Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…
'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…
ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…
~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…
~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…
~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…