ଲେଖା: ଶୁଭ୍ରଶିତ ସାହୁ
କଥାରେ ଅଛି
“ଓଳକଣା ମେଳଣ,
ଆଳି ରାଜା ଝୁଲଣ
ଅସୁରେଶ୍ୱର ରାମ ନବମୀ,
ପୁରସ୍ତମ ଚନ୍ଦନ”ବିଭିନ୍ନ ସ୍ଥାନରେ ହେଉଥିବା ବିଭିନ୍ନ ଦୋଳ ମେଳଣ ମଧ୍ୟରୁ ଅବିଭକ୍ତ କଟକ ଜିଲ୍ଲା ତଥା କଟକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ମିଳନ ସ୍ଥଳରେ ହେଉଥିବା ଓଳକଣା ମେଳଣ ଏକ ସ୍ବତନ୍ତ୍ର ତଥା ପୌରାଣିକ ତଥ୍ୟ ସହ ଜଡ଼ିତ ଥିବା ମେଳଣ ଅଟେ। କାରଣ ଏହି ମେଳଣ ପଡ଼ିଆଟି ମହାଭାରତର ବିଭିନ୍ନ ଚରିତ୍ର ସହ ଏହାର ସାମଞ୍ଜସ୍ୟ ରହିଛି।ଏହି ପଡ଼ିଆରେ ଭକ୍ତ ବିଦୁର, ଉଦ୍ଧବ ଓ ଦ୍ରୋଣ ମନ୍ଦିର ଥିବାବେଳେ ଏହାର ଅଳ୍ପକିଛି ଦୂରରେ ପାଣ୍ଡବ ପାଞ୍ଚଭାଇଙ୍କ ମନ୍ଦିର ସହ କୁନ୍ତୀ ଓ ଦ୍ରୌପଦୀଙ୍କ ମନ୍ଦିର ରହିଛି।

ଲୋକକଥା ଅନୁସାରେ ପୁରାଣ ଯୁଗରେ ଦୁର୍ଯ୍ୟୋଧନ ସହ ଜୁଆ ଖେଳରେ ପାଞ୍ଚଭାଇ ହାରିଯାଇ ବନବାସରେ ବୁଲୁଥିବା ସମୟରେ ଶ୍ରୀକୃଷ୍ଣ ପାଣ୍ଡବ ପାଞ୍ଚଭାଇ ରହିବା ପାଇଁ ପାଞ୍ଚଟି ପଡ଼ା ମାଗିବାକୁ ଦୁର୍ଯ୍ୟୋଧନ ପାଖକୁ ଯାଇଥିଲେ ଏବଂ ଦୁର୍ଯ୍ୟୋଧନ ବିନା ଯୁଦ୍ଧରେ ଇଞ୍ଚେ ବି ଜାଗା ଦେବା ପାଇଁ ମନା କରିଦେବାରୁ ଶ୍ରୀକୃଷ୍ଣ ଫେରିଆସିବା ସମୟରେ ଏହିଠାରେ ବିଦୁରଙ୍କ ସହ ଶ୍ରୀକୃଷ୍ଣଙ୍କର ଦେଖା ହୋଇଥିଲା ଏବଂ ଶ୍ରୀକୃଷ୍ଣଙ୍କୁ ଭୋକ ହେଉଥିବାରୁ ସେ ବିଦୁରଙ୍କୁ କିଛି ଖାଇବାକୁ ମାଗିଥିଲେ ଏବଂ ବିଦୁର ଶାଗ ଭାତ ଦେଇ ଶ୍ରୀକୃଷ୍ଣଙ୍କ ଭୋକ ନିବାରଣ କରିଥିଲେ। ଶ୍ରୀକୃଷ୍ଣ ଏଥିରେ ସନ୍ତୁଷ୍ଟ ହୋଇ ବର ମାଗିବା ପାଇଁ କହିଲେ । ବିଦୁର କହିଥିଲେ “ମୁଁ ଆପଣଙ୍କୁ ହରିହର ରୂପରେ ଦେଖିବାକୁ ଚାହେଁ”, ଶ୍ରୀକୃଷ୍ଣ ଏହାଶୁଣି ବିଦୂରଙ୍କୁ କହିଥିଲେ, “ତୁମକୁ ଅପେକ୍ଷା କରିବାକୁ ପଡ଼ିବ, ଫଗୁ ଚତୁର୍ଦ୍ଦଶୀ ରାତି ଓ ପୂର୍ଣ୍ଣିମା ଦିନ ସକାଳେ ମୁଁ ତୁମକୁ ହରିହର ରୂପରେ ଦର୍ଶନ ଦେବି।ଏହି ଓଳକଣା ମେଳଣକୁ ପ୍ରାୟ ୨୫୦ରୁ ଅଧିକ ବିମାନରେ ରାଧାକୃଷ୍ଣ  ଆସୁଥିବାବେଳେ ମାହାଙ୍ଗାର ବିରଭଦ୍ରେଶ୍ଵରରୁ ଆସୁଥିବା ବିମାନରେ ବାବା #ବିରଭଦ୍ରେଶ୍ୱର ମହାଦେବଙ୍କ ପ୍ରତିନିଧି ସ୍ୱରୂପ ତାଙ୍କ ଚୂଳମାଳ ଆସିଥାଏ। ବୀରଭଦ୍ରେଶ୍ୱର ମହାଦେବ ବୃଷଭ ସହ ୧୦୮ ଘଣ୍ଟ ଧରି ବିରାଟ ଶୋଭାଯାତ୍ରାରେ ମେଲଣ ପଡି଼ଆକୁ ଆସିଥାନ୍ତି ଏବଂ ଭକ୍ତ ବିଦୁରଙ୍କ ସମ୍ମୁଖରେ ମହାଆଳତି କରାଯାଇ ହରିହର ଭେଟ କରାଯାଏ ଓ ଶାଗଭାତ ଭୋଗ କରାଯାଇ ଭକ୍ତମାନଙ୍କୁ ପ୍ରସାଦ ରୂପେ ଦିଆଯାଏ।

ଏହି ମେଳଣକୁ ଆସୁଥିବା ବିମାନମାନଙ୍କ ମଧ୍ୟରୁ ଆଳି ରାଜାଙ୍କ ବିମାନ ମୁଖ୍ୟ। ଏହି ବିମାନ ସମ୍ପୂର୍ଣ୍ଣ ପିତ୍ତଳର ହୋଇଥିବାରୁ ଏହାକୁ କାନ୍ଧେଇବାପାଇଁ ପ୍ରାୟ ୩୦ରୁ ଅଧିକ ବେହେରା ନାକେଦମ୍ ହୋଇଯାଆନ୍ତି। ଏହି ମେଳଣ ଅନ୍ୟ ମେଳଣଠାରୁ ସମ୍ପୂର୍ଣ୍ଣ ଭିନ୍ନ ! କାରଣ ମେଲଣକୁ ଆସିବା ପାଇଁ କୌଣସି ଠାକୁରଙ୍କୁ ନିମନ୍ତ୍ରଣ କରାଯାଇ ନଥାଏ କି ବରଣି ମଧ୍ୟ କରାଯାଏ ନାହିଁ ଏବଂ ବସିବା ପାଇଁ ଆସନ ମଧ୍ୟ ଦିଆଯାଏ ନାହିଁ । ଏଠାରେ ଠାକୁରମାନେ ତଳେ ବସିଥା’ନ୍ତି, ଆଉ ଏକ ଅଦ୍ଭୁତ ପରମ୍ପରା କୌଣସି ଠାକୁରଙ୍କୁ ମେଳଣ ତରଫରୁ ଭୋଗ ଲଗାଯାଇ ନଥାଏ ଏଠାରେ ବିମାନ ମାନଙ୍କ ସମ୍ମୁଖରେ କପଡା ପରାଯାଇଥାଏ ଓ ଭକ୍ତମାନେ ସିଧାସଳଖ ସେମାନଙ୍କ ମାନସିକ ଭୋଗ ବିଭିନ୍ନ ବିମାନ ସମ୍ମୁଖରେ ଏହି କପଡା ଉପରେ ପକାଇଥାନ୍ତି।


ଏହି ମେଳଣର ଅନ୍ୟ ଏକ ପରମ୍ପରା କୌଣସି ଠାକୁର ନିଜ ମନ ଇଚ୍ଛା ପଡ଼ିଆ ମଧ୍ୟକୁ ପ୍ରବେଶ କରିନଥାନ୍ତି । ବିଭିନ୍ନ ଦିଗରୁ ଆସୁଥିବା ବିମାନମାନ ପୂର୍ବ ପରମ୍ପରା ଅନୁଯାୟୀ କ୍ରମନ୍ୱୟରେ ଆସିଥାନ୍ତି ଏବଂ ପୂର୍ବ ଦିଗରୁ ଆସୁଥିବା ଆଳି ରାଜାଙ୍କ ବିମାନ ଓ ଲକ୍ଷ୍ମୀଙ୍କ ବିମାନ ବସିସାରିବା ପରେ ଅନ୍ୟ ବିମାନ ବସିଥା’ନ୍ତି। ମା’ ଲକ୍ଷ୍ମୀଙ୍କ ବିମାନ ସମ୍ମୁଖରେ ଏକ ଧାନ କଳସୀ ରଖାଯାଇଥାଏ ଏହି କଳସୀରୁ ଧାନ ନେବା ପାଇଁ ଭକ୍ତମାନେ ଅପେକ୍ଷା କରି ରହିଥାନ୍ତି ।ଏହି ମେଳଣକୁ କୌଣସି କାରଣରୁ ଯଦି କୌଣସି ବିମାନ ଆସି ନପାରନ୍ତି ତେବେ ସେ ବାର ବର୍ଷ ଯାଏଁ ଏଠାକୁ ଆସନ୍ତି ନାହିଁ।ବର୍ଷର ଅନ୍ୟ ଦିନ ଏହି ମେଳଣ ପଡ଼ିଆର ବିଶେଷ ଗୁରୁତ୍ଵ ନଥିବା ବେଳେ ମେଳଣ ଦିନ ଏହା ଏକ ତୀର୍ଥଭୂମିରେ ପରିଣତ ହୋଇଥାଏ ଏବଂ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଓ କଟକ ଜିଲ୍ଲା ମାହାଙ୍ଗା ବ୍ଲକର ସୀମାନ୍ତରେ ଅବସ୍ଥିତ ଏହି ମେଳଣ ପଡିଆକୁ ତିନୋଟି ଜିଲ୍ଲାରୁ ଆସୁଥିବା ପ୍ରାୟ ୨୫୦ରୁ ଅଧିକ ବିମାନ ଓ ହଜାର ହଜାର ଭକ୍ତଙ୍କ ସମାଗମ ପାଇଁ ଉଭୟ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଡେରାବିଶ ଓ ମାହାଙ୍ଗା ଥାନା ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ। ଏଠାକୁ ଯିବାକୁ ହେଲେ ଚଣ୍ଡିଖୋଲ – ପାରାଦୀପ ଜାତୀୟ ରାଜପଥର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରବେଶ ପଥ ପଞ୍ଚୁପାଣ୍ଡବ ଛକ ଠାରୁ ମାତ୍ର ଦେଢ଼ରୁ ଦୁଇ କିଲୋମିଟର ଆସିଲେ ଏହି ମେଳଣ ପଡିଆ ପଡ଼େ। ଏଥିସହ  ନିକଟରେ ଥିବା ବୀରଭଦ୍ରେଶ୍ଵର ମହାଦେବ ମନ୍ଦିର, ଲଛମନଜୀଊ ମନ୍ଦିର, ନିକଟସ୍ଥ ଐତିହାସିକ ପଞ୍ଚୁପାଣ୍ଡବ ମନ୍ଦିର (କୁହାଯାଏ ଯେ ଏଠାରେ ପାଣ୍ଡବମାନେ ଅଜ୍ଞାତବାସ ସମୟରେ କିଛି ଦିନ ଅବସ୍ଥାନ କରିଥିଲେ), ପ୍ରସିଦ୍ଧ ଓଳାଶୁଣି ଗୁମ୍ଫା ଓ ମହାପୁରୁଷ ଅରକ୍ଷିତ ଦାସଙ୍କ ସମାଧିସ୍ଥଳ, ଲଳିତଗିରିର ବୌଦ୍ଧସ୍ତୁପ ଏବଂ ଏଠାରୁ ୧୫ କି.ମି ଦୂର କେନ୍ଦ୍ରାପଡ଼ା ସହର ମଧ୍ୟରେ ଥିବା ତୁଳସୀକ୍ଷେତ୍ରର ବଳଦେବଜୀଉ ମନ୍ଦିର ମଧ୍ୟ ବୁଲିପାରିବେ।

©Subhrasit Sahoo

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago