ମହାମନିଷୀଗଣ

ଓଡିଶୀନୃତ୍ୟର ଯୁଗପ୍ରବର୍ତ୍ତକ ଗୁରୁ ପଦ୍ମବିଭୂଷଣ ଡଃ କେଳୁଚରଣ ମହାପାତ୍ର (Dr. Kelucharan Mohapatra)

ଲେଖା: ଦେଵ ତ୍ରିପାଠୀ
ବିଂଶ ଶତାବ୍ଦୀରେ ଓଡ଼ିଶୀନୃତ୍ୟର ପ୍ରତିଷ୍ଠା, ପରିବ୍ୟାପ୍ତ ତଥା ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଇବାରେ ରହିଥିଲା ତାଙ୍କର ପ୍ରମୂଖ ଭୂମିକା । ଓଡିଶୀର ଆଦିଗୁରୁ ପଦ୍ମଶ୍ରୀ ପଙ୍କଜଚରଣ ଦାସଙ୍କ ରୋପିତ ମହାଦ୍ରୁମକୁ ସୁଦୃଢ, ସୁଦୃଶ୍ୟ, ପଲ୍ଲବିତ ଆଉ ବିକଶିତ କରାଇପାରିଥିଲେ ସେ । ଓଡିଶୀନୃତ୍ୟରେ ନବଜାଗରଣ ସୃଷ୍ଟି କରାଇ, ପ୍ରାୟ ୨୦୦ ଏକକ ପ୍ରଦର୍ଶନ ଓ ୫୦ଟି ନୃତ୍ୟ ନାଟିକାର ସଂଯୋଜନ ଯୋଗେ ସେ ଏହାକୁ କରାଇଥିଲେ ପରିପୁଷ୍ଟ । ସେ ହେଉଛନ୍ତି ଓଡିଶୀନୃତ୍ୟ ଜଗତର ଅଦ୍ୱିତୀୟ ଗୁରୁ ପଦ୍ମବିଭୂଷଣ ଡଃ କେଳୁଚରଣ ମହାପାତ୍ର
ଶିଳ୍ପୀଗ୍ରାମ ରଘୁରାଜପୁରର  ୧୯୨୬ ମସିହା ଜାନୁଆରୀ ୮ ତାରିଖରେ ଏକ ଶିଳ୍ପୀ ପରିବାରରେ ଜନ୍ମିତ କେଳୁଚରଣ କଳାର ମାୟାରେ ପଡ଼ି କେବେ ଗୋଟିପୁଅ ନୃତ୍ୟ ତ କେବେ ରାସଲୀଳାରେ ଅଭିନୟ, କେବେ ପୁଣି ମଞ୍ଚସଜ୍ଜା, ମେକ୍ ଅପ୍, ନୃତ୍ୟ ସଂଯୋଜନା, କେବେ ଅବା ଗାଁ ଗାଁ ବୁଲି କୃଷ୍ଣଲୀଳା ଓ ପୁରାଣର ଅନ୍ୟ ଉପାଖ୍ୟାନ ନୃତ୍ୟ ସଙ୍ଗୀତ ମାଧ୍ୟମରେ ପରିବେଷଣ କରିଥିଲେ । ସଙ୍ଗୀତ ପ୍ରତି ଅହେତୁକ ଆଗ୍ରହରୁ ସେ ଗୁରୁ ଅଗାଧୁ ମହାରଣାଙ୍କଠାରୁ ମୃଦଙ୍ଗ ଓ କ୍ଷେତ୍ରମୋହନ କରଙ୍କଠାରୁ ତବଲା ବଜେଇବା ଶିଖିଥିଲେ । କେବେ ପୁଣି ଜୀବିକା ନିର୍ବାହ ପାଇଁ ମୂଲିଆ ଭାବରେ କାର୍ଯ୍ୟ କରିଥିଲେ ପାନବରଜରେ ।
ମାତ୍ର କଳାକାର ହେବାର ମୋହ, ପ୍ରେରଣା ଓ ବିବେକର ତାଗଡ଼ା ନିର୍ଦ୍ଦେଶରେ ସେ ଗାଁ ଛାଡି କଟକ ଚାଲି ଆସି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟର୍ସରେ ଯୋଗ ଦେଇ ମଞ୍ଚସଜ୍ଜା, ମର୍ଦଳ, ତବଲା ବାଦନ ଆଦି କରୁ କରୁ “ଅନ୍ନପୂର୍ଣ୍ଣା ବି” ଦଳରେ ଯୋଗ ଦେଇଥିଲେ । ଏଠାରେ ଗୁରୁ ପଙ୍କଜଚରଣ ଦାସଙ୍କ ସଂସ୍ପର୍ଶରେ ଆସି ତାଙ୍କ ନୃତ୍ୟପ୍ରୂତିଭାର ବିକାଶ ଘଟିଥିଲା ।ପଙ୍କଜ ଚରଣଙ୍କ ସଂଯୋଜନାରେ ନୃତ୍ୟ ନାଟିକା “ଦେବୀ ଭସ୍ମାସୁର”ରେ “ନଟରାଜ” ଭୂମିକାରେ ଅଭିନୟ କରି ବୃହତ୍ତର ନୃତ୍ୟ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଅନ୍ନପୂର୍ଣ୍ଣା ବି ଦଳରେ ଥାଇ, କେଳୁଚରଣ ଗୁରୁ ଦୁର୍ଲଭଚନ୍ଦ୍ର ସିଂ, ଗୁରୁ ଦୟାଳ ଶରଣ ଆଦିଙ୍କ ଠାରୁ ଅଭିନୟ ନୃତ୍ୟ ଓ ବ୍ୟାକରଣରେ ଆହରଣ କରିଥିଲେ ଅଧିକ ଜ୍ଞାନ ଓ ପରାକାଷ୍ଠା ଏବଂ ପ୍ରତିଷ୍ଠା କରିପାରିଥିଲେ ନିଜକୁ ଜଣେ ନର୍ତ୍ତକ, ବାଦକ ଓ ନୃତ୍ୟ ସଂଯୋଜକ ଭାବରେ ।
ମାହାରୀ ଗୋଟିପୁଅ ନୃତ୍ୟ ଉପରେ ଗବେଷଣା ସହିତ କଟକ କଳାବିକାଶ କେନ୍ଦ୍ରରେ ସେ ୧୫ ବର୍ଷ କାଳ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରି ସେ ସୃଷ୍ଟି କରିପାରିଥିଲେ ଅଗଣିତ ଶିଷ୍ୟଶିଷ୍ୟା, ଦେଶ ଏବଂ ବିଦେଶରେ ଓଡ଼ିଶୀନୃତ୍ୟକୁ ନେଇ କରି ଓ କରାଇଥିଲେ ଅସଂଖ୍ୟ କାର୍ଯ୍ୟକ୍ରମ । ସଫଳତାର ପାହାଚମାନ ଅତିକ୍ରମ କରି ସେ ବନିଯାଇଥିଲେ ଓଡିଶୀର ସର୍ବକାଳୀନ ପ୍ରସିଦ୍ଧ ଓ ପ୍ରତିଷ୍ଠିତ ଗୁରୁ ।
“ପଞ୍ଚପୁଷ୍ପା”, “କୃଷ୍ଣଗାଥା”, “ଗୀତଗୋବିନ୍ଦ”, “ଉର୍ବଶୀ”, “କୃଷ୍ଣଲୀଳା”, “ସାକ୍ଷୀଗୋପାଳ”, “କୋଣାର୍କ” ଆଦି ନୃତ୍ୟ ସଂଯୋଜନା କରି ସେ ମଧ୍ୟ ଓଡିଶୀକୁ କରିଥିଲେ ବିଭାସିତ। କଳାବିକାଶ କେନ୍ଦ୍ର ସହଯୋଗରେ ସେ ଓଡ଼ିଶାର ବିଭିନ୍ନ ମନ୍ଦିରରେ ଖୋଦେଇ ହୋଇଥିବା ନର୍ତ୍ତକ/ନର୍ତ୍ତକୀ ମାନଙ୍କର ମୁଦ୍ରା ଉପରେ ଗବେଷଣା କରି, ସେଗୁଡିକୁ ନିଜ ନୃତ୍ୟ ମଧ୍ୟରେ କରିପାରିଥିଲେ ଆୟତ୍ତ, ଆଉ ବନିଯାଇଥିଲେ ଓଡ଼ିଶୀରେ ନୂତନ ଯୁଗପ୍ରବର୍ତ୍ତକ।
କଟକରେ ଶତ ଶତ ଦେଶୀବିଦେଶୀ ଆଗ୍ରହୀ ନୃତ୍ୟାଶୀଙ୍କୁ ନୃତ୍ୟଶିକ୍ଷା ଦେଇ ପରବର୍ତ୍ତୀ ସମୟରେ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଓଡ଼ିଶୀନୃତ୍ୟ ବାବଦରେ ବହୁ ପ୍ରଲେଖନ ଆଦି ପ୍ରସ୍ତୁତ କରି ସେ ହିଁ କରିଥିଲେ ଓଡିଶୀକୁ ପରପିଢି ପାଇଁ ସଂରକ୍ଷିତ କରିବା ପରି ମହାର୍ଘକାର୍ଯ୍ୟ ।
ଓଡିଶୀନୃତ୍ୟର ଏଇ ଅପ୍ରତିଦ୍ଵନ୍ଦୀ ସମ୍ରାଟଙ୍କୁ ଦେଶବାସୀ ସମ୍ମାନିତ କରିଥିଲେ ପଦ୍ମବିଭୂଷଣରେ, ଏଇ ସମ୍ମାନରେ ସମ୍ମାନିତ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ । ଓଡିଶୀ ପ୍ରତି ନିଷ୍ଠାପର ଅବଦାନ ପାଇଁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ସଙ୍ଗୀତ ନାଟକ ଏକାଡେ଼ମୀ ପୁରସ୍କାର, ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ, ମଧ୍ୟପ୍ରଦେଶ ସରକାରଙ୍କ ତରଫରୁ କାଳିଦାସ ସମ୍ମାନ, ଡକ୍ଟରେଟ ସମ୍ମାନ, ଆସାମ ସରକାରଙ୍କ ତରଫରୁ ଶଙ୍କରଦେବ ସମ୍ମାନରେ ସମ୍ମାନିତ କରାଯାଇଛି ସେହି ମହାଗୁରୁଙ୍କୁ ।
ଓଡିଶୀନୃତ୍ୟର ସେହି ପ୍ରାତଃସ୍ମରଣୀୟ ଗୁରୁଙ୍କ ମହାପ୍ରୟାଣ ଘଟିଥିଲା ୨୦୦୪ ମସିହା ଏପ୍ରିଲ ୭ ତାରିଖରେ ।
Spread the love
admin

View Comments

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago