ଲେଖା: ଦେଵ ତ୍ରିପାଠୀ
ଓଡିଶାରେ ବୋଦ୍ଧଧର୍ମର ବିଲୟ, ତାନ୍ତ୍ରିକଧର୍ମର ଅଭ୍ୟୁଦୟ ଓ ଭକ୍ତିଧର୍ମର ଆତ୍ମପ୍ରକାଶ ପରେ ‘ଆଧ୍ୟାତ୍ମିକ ମନୋରଞ୍ଜନ’ର ମାଧ୍ୟମ ଭାବରେ ପରିପ୍ରକାଶ ପାଇଥିଲା ସୁଲଳିତ ପଦାବଳୀ ସମ୍ବଳିତ ସାଙ୍ଗୀତିକତାରେ ଉଛ୍ୱସିତ “ଲୀଳା” ଯୁଗର ମହାର୍ଘ ପରମ୍ପରା । ଲୋକନାଟକର ସଶକ୍ତ ଶାଖା ରୂପେ ଏହି ଲୀଳାଯୁଗର ପ୍ରବର୍ତ୍ତକ ଥିଲେ ଭକ୍ତିଯୁଗର ଉଦ୍ଗାତା ଅତିବଡ଼ି ଜଗନ୍ନାଥ ଦାସ । ଏହାର ଆଦ୍ୟ ପ୍ରବର୍ତ୍ତକ ଭାବରେ ଜୟଦେବଙ୍କ ଗୀତଗୋବିନ୍ଦ ବୋଲି କେହି କେହି ଐତିହାସିକ ମତବ୍ୟକ୍ତ କରନ୍ତି, ତେବେ ସଂଖ୍ୟାଧିକ ଗବେଷକ ଏହି ଧାରାର ପ୍ରେରଣାଦାୟୀ ଭାବରେ ୧୭୦୯ ଖ୍ରୀଷ୍ଟାବ୍ଦରେ ବିଶ୍ୱନାଥ ଖୁଣ୍ଟିଆଙ୍କ ଦ୍ଵାରା ପ୍ରଣିତ ‘ବିଲଙ୍କା ରାମାୟଣ’ ଆଧାରରେ ସୃଷ୍ଟ, ପରିଚିତ ତଥା ପରିବ୍ୟାପ୍ତ “ବିଶି ରାମଲୀଳା”କୁ ହିଁ ଗ୍ରହଣ କରିଥାନ୍ତି ।
ଅଧୁନା କନ୍ଧମାଳ ଜିଲ୍ଲାର ବିଶିପଡ଼ା ଗ୍ରାମରୁ ସୃଷ୍ଟ ମାତ୍ର ଗଞ୍ଜାମ ଜିଲ୍ଲାର ସଂଖ୍ୟାଧିକ କଳାପ୍ରେମୀମାନଙ୍କ ଦ୍ଵାରା ପରିପୁଷ୍ଟ ଏହି ଲୀଳାରେ ବ୍ୟବହୃତ ବିଚିତ୍ର ରାମାୟଣର ‘କହ ହନୁ ମୋର କାନ୍ତର କୁଣ୍ଡଳ’ କିମ୍ବା ‘ମନ୍ତ୍ରୀ ମୁଖୁ ଶୁଣି କୋପେ ବିଂଶପାଣି’ ଇତ୍ୟାଦି ଛାନ୍ଦ ଉତ୍କଳୀୟ ପୁରପଲ୍ଲୀରେ ବହୁଧା ଆଦୃତ । ଜୀବନଧର୍ମୀ ଓ ଅକ୍ଳିଷ୍ଟଭାଷା ଏହାର ସାର୍ବଜନୀନତାର ଅନ୍ୟ ଏକ କାରଣ । ଏଇ ମହାଲୀଳାର ଅନ୍ୟତମ ବୈଶିଷ୍ଟ୍ୟ ଏହାର ଲୋକବୃତ୍ତ ଏବଂ ବିଦଗ୍ଧବୃତ୍ତର ସନ୍ତୁଳିତ ସମ୍ମିଶ୍ରଣ ।
ବିଶି ରାମଲୀଳା ବ୍ୟତୀତ ଓଡ଼ିଶାର ରାମଲୀଳା ଗୁଡିକ ଜନମାନସରେ ଉଦ୍ଭାସିତ ସେଥିରୁ ଜଗମୋହନ ରାମାୟଣ ଆଧାରିତ ରଘୁନାଥ ଦାସଙ୍କ ରାମଲୀଳା ଉଲ୍ଲେଖନୀୟ । ଏଥିରେ କାଣ୍ଡ ପରିବର୍ତ୍ତେ ଘଟଣାକୈନ୍ଦ୍ରିକ ବିଭାଜନ କରାଯାଇ ‘ବିଭାଲୀଳା’, ‘ବନବାସଲୀଳା’, ‘ବଧଲୀଳା’, ‘ଶକ୍ତିଭେଦଲୀଳା’, ‘ରାଜ୍ଯାଭିଷେକ ଲୀଳା’ ଇତ୍ୟାଦି ରୂପରେ ବର୍ଣ୍ଣନା କରାଯାଇଛି । ସେହିପରି ଅଷ୍ଟାଦଶ ଶତାବ୍ଦୀର ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳର ଲୀଳାକାର ଅନଙ୍ଗ ନରେନ୍ଦ୍ରଙ୍କ କବି ବୈଶ୍ୟ ସଦାଶିବଙ୍କ ବୈଦେହୀଶ ବିଳାସ ଆଧାରରେ ରଚିତ ରାମଲୀଳା, ବିପ୍ର ଜନାର୍ଦ୍ଦନଙ୍କ ‘ଶ୍ରୀରାମ ଚରିତାମୃତ’ ଏବଂ ବିକ୍ରମ ନରେନ୍ଦ୍ରଙ୍କ ‘ରାଘବ ଚରିତାମୃତ’ ଲୀଳାଗୁଡିକ ବହୁଳ ଲୋକପ୍ରିୟ । କବି ଗୋପାଳକୃଷ୍ଣଙ୍କ ପଦ୍ୟାବଳୀର ପ୍ରଭାବରୁ ମୁକ୍ତ ନୁହେଁ ଏ ସବୁ ଲୀଳାର ସଙ୍ଗୀତ ।
ଉନ୍ନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ରାଜା ବ୍ରଜବନ୍ଧୁ ସାମନ୍ତସିଂହାର, ପାଲୁରଗଡର କେଶବ ପଟ୍ଟନାୟକ, ରଘୁନାଥ ପରିଛା ଇତ୍ୟାଦି ଲୀଳାକାରଗଣ ରାମଲୀଳା ରଚନା କରି ସ୍ଵକୀୟ ପ୍ରତିଭାର ପରିଚୟ ଦେଇଛନ୍ତି । ଈଶ୍ୱର ଦାଶଙ୍କ ରାମଲୀଳାରେ ସୀତାଙ୍କ ବସନଭୂଷଣ ଏବଂ ଆଚରଣରେ ଜଣେ ପଲ୍ଲୀବାସିନୀ ଉତ୍କଳୀୟ ରମଣୀର ଚିତ୍ର ଭାସିଉଠେ । ଏକଦା ଲୋକକଳାର ସ୍ବର୍ଗ ଗଞ୍ଜାମ ଜିଲ୍ଲାର ଆସିକା, ଚିକିଟି, ଖୋଳଖାଳି, ଖାରିଆ, ପୂରୁଷୋତ୍ତମପୁର, ବୋଇରାଣି, ବେଲଗୁଣ୍ଠା, ଭଞ୍ଜନଗର, କଟକ ଜିଲ୍ଲାର ଆଠଗଡ଼, ବଡ଼ମ୍ବା, ନରସିଂହପୁର, କଟକ ନଗର, ଅବିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା, ରଣପୁର, ବାଙ୍କି, ଖଣ୍ଡପଡ଼ା, ରଣପୁର, ଦଶପଲ୍ଲା, ନୟାଗଡ଼ ତଥା ସୁବର୍ଣ୍ଣପୁର ଏବଂ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାମଲୀଳାର ଏହି ମହାନ ଆଧ୍ୟାତ୍ମିକ ପରମ୍ପରା ଉତ୍କଳୀୟମାନଙ୍କ ମନପ୍ରାଣକୁ ଆନ୍ଦୋଳିତ କରୁଥିଲା ।
ତେବେ ଆଜି, କାଳର କରାଳ ଚକ୍ରରେ ଆଧୁନିକ ମନୋରଞ୍ଜନ ମାଧ୍ୟମ ଓ ଅପସଂସ୍କୃତିର ପ୍ରହାରରେ ଓଡ଼ିଶାର ରାମଲୀଳା ପରମ୍ପରା ଧୂଳିସାତ । ତଥାପି ସାଂସ୍କୃତିକ ନଗରୀ କଟକ ସମେତ ଗାରିମମୟ ଗଞ୍ଜାମର କିଛି ସଂସ୍କୃତି ପ୍ରେମୀ ଜନସାଧାରଣ ଏବଂ ଅନୁଷ୍ଠାନ ଏ ଲୋକକଳାକୁ ବଞ୍ଚାଇବା ପାଇଁ ଶତତ ଚେଷ୍ଟିତ ।
ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ ଗଞ୍ଜାମ)ର ବିଶିପଡ଼ା । ୧୮୩୨ ମସିହାରେ ବିଷୋୟୀପଡ଼ାର ସମ୍ଭାବ୍ୟ ଅପଭ୍ରଂଶରୁ ସୃଷ୍ଟି ହୋଇଥିବା ଏହି ଗ୍ରାମର ବିଶୋୟୀମାନଙ୍କ ବିଦ୍ରୋହରେ ଅତିଷ୍ଠ ବ୍ରିଟିଶ ସରକାର ଦିନେ ମୁଣ୍ଡ ନୁଆଇଁଥିଲା ଏହାର ଦାୟାଦ ସଂଗ୍ରାମୀ ନବଘନ କହଁର, ଚକରା ବିଷୋୟୀ ଏବଂ ସାଥୀମାନଙ୍କ ପାଖରେ । ସେହି ବଂଶର ଐତିହ୍ୟଭାବେ ପ୍ରଚାରିତ ବିଶିପଡ଼ାର ଲଙ୍କାପୋଡି ଯାତ୍ରା
ଅଗମ୍ୟ ଏହି ବନ୍ୟ ସଂସ୍କୃତିରେ ବ୍ରିଟିଶ ସରକାରଙ୍କ ‘ଏଜେଣ୍ଟ’ଭାବେ ତହସିଲଦାର ହୋଇ ଧସେଇ ପଶନ୍ତି ଦୀନବନ୍ଧୁ ପଟ୍ଟନାୟକ । ବ୍ରିଟିଶ ସରକାରଙ୍କ ପ୍ରିୟଭାଜନ ହେବା ପାଇଁ ଏବଂ ସଂଗ୍ରାମକୁ ଦମନ କରିବା ପାଇଁ ‘ଡିଭାଇଡ୍ ଆଣ୍ଡ ରୁଲ୍’ ନୀତି ସହ ତାଳ ମିଳାଇ ଧୂର୍ତ୍ତ ଚାମଚା ପଟ୍ଟନାୟକ ମଧ୍ୟ ଆରମ୍ଭକରେ ନିଜସ୍ବ ‘ପଟ୍ଟନାୟକୀୟ’ ନୀତି । ଧର୍ମପ୍ରାଣ ବିଶିପଡ଼ାବାସୀଙ୍କ ଚେତନାରେ ‘ରାମ’ନାମକୁ ପ୍ରତିହତ କରି ‘ରାବଣ’ନାମକୁ ବ୍ୟାପ୍ତ କରିବାର କୁତ୍ସିତ ଉଦ୍ଦେଶ୍ୟରେ ପ୍ରଚଳିତ “ରାମଲୀଳା”ରେ ପରିବର୍ତ୍ତନ ଆଣି ନୂତନ ଲୋକନୃତ୍ୟଟିଏ ପ୍ରଚଳନ କରିଥିଲା ମନ୍ଦବୁଦ୍ଧି ପଟ୍ଟନାୟକ । ରାମଲୀଳାର ସେହି ପରିବର୍ତ୍ତିତ ସଂସ୍କରଣ ଥିଲା “ଲଙ୍କାପୋଡ଼ି ଯାତ୍ରା” ।
ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମହିମାରେ ବିଭାସିତ ବିଶିପଡ଼ାବାସୀଙ୍କ ଧାର୍ମିକ ମେରୁଦଣ୍ଡକୁ ଭାଙ୍ଗି ପାରି ନ ଥିଲା ପଟ୍ଟନାୟକ । ବରଂ ନୂତନ ଉତ୍ସାହ ଓ ଉଦ୍ଦୀପନାର ସହିତ ଆଗେଇ ଚାଲିଲା ସେଇ ମହାର୍ଘ ଲଙ୍କାପୋଡି ଯାତ୍ରା, ଉଭୟ ବ୍ରିଟିଶ ସରକାର ଓ ପଟ୍ଟନାୟକର ଧୈର୍ଯ୍ୟବଳ ଭାଙ୍ଗି, ରାମପ୍ରେମୀ ଜନତାଙ୍କ ହୃଦୟରେ ରାମଙ୍କ ମହିମାର ଗାଥା ଗାଇ, ଏକତା ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ଜଣାଇ, ସଂଗ୍ରାମର ପ୍ରେରଣା ଜଗାଇ ।
ଫୁଲବାଣୀ ଅବା ଗଞ୍ଜାମର ସୀମାସରହଦ ପାରହୋଇ ଏଇ ଲଙ୍କାପୋଡି ଯାତ୍ରା ନୟାଗଡ଼ ଜିଲ୍ଲାରେ ଲୋକପ୍ରିୟତା ହାସଲକରି ଦୃଷ୍ଟି ଆକର୍ଷଣ କରିପାରିଲା ବିଦେଶୀ ଗବେଷକମାନଙ୍କର । ଯୁକ୍ତରାଷ୍ଟ୍ରରୁ ଯୁକ୍ତରାଜ୍ୟ ପର୍ଯ୍ୟନ୍ତ ପରିଚିତ, ପ୍ରସିଦ୍ଧ ଓ ପରିବ୍ୟାପ୍ତ ଏହି ଉତ୍କଳୀୟ ଲୋକନୃତ୍ୟର ପ୍ରଭାବରେ ଅନ୍ୟତମ ସଂସ୍କୃତିସମ୍ପନ୍ନ ରାମପ୍ରେମୀ ହିନ୍ଦୁରାଷ୍ଟ୍ର ଇଣ୍ଡୋନେସିଆରେ ସୃଷ୍ଟି ହେଲା ଏକ ଅନବଦ୍ୟ ଲୋକନୃତ୍ୟ – COCKWIN ନାମରେ । ତେବେ ମନ୍ଦ ଉଦ୍ଦେଶ୍ୟ ନେଇ ଆରମ୍ଭ କରିଥିଲେ ମଧ୍ୟ ଏପରି ସ୍ବତନ୍ତ୍ର ଲୋକନୃତ୍ୟର ସ୍ଥାପନା ପାଇଁ ଧୂର୍ତ୍ତ ପଟ୍ଟନାୟକକୁ ସମ୍ମାନଦେବାରେ କେବେ କୁଣ୍ଠିତ ହୋଇନାହାନ୍ତି ବୀରଭୂମି ବିଶିପଡ଼ାର ଉଦାରମନା ସଂସ୍କୃତିପ୍ରେମୀ ଜନତା ।
ମହାନ ରାମଲୀଳା ଯେ ଉତ୍ତର ଭାରତରୁ ଆମଦାନୀ ପରି ବିଭ୍ରାନ୍ତିକର ଦାବି ପାଇଁ ଆଧୁନିକ ଓଡ଼ିଆ ବୁଦ୍ଧିଜୀବିମାନଙ୍କ ନିର୍ଲଜପଣକୁ ଶତଧିକ କରି ଏ ଲୀଳା ଆଜି ତା’ର ଜୟଯାତ୍ରା ବଜାୟ ରଖିଛି । ଏଇ ରାମଲୀଳା ଯେ ଓଡ଼ିଶା ମାଟିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ସେଇ ମାଟିରେ ପରିପୁଷ୍ଟ ହୋଇଛି ଏଥିରେ ଦ୍ଵିମତ ନାହିଁ ।
ଓଡ଼ିଆଙ୍କ ଧାର୍ମିକ ଆବେଗ ହେଉ କି ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ କରୁଣାରୁ ହେଉ ଉତ୍ତର ଭାରତରେ ଲୋପ ପାଇ ଯାଉଥିବା ବେଳେ ଆଧୁନିକ ଓଡିଶାର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଓଡ଼ିଶାର ରାମଲୀଳା ରାମପ୍ରେମୀଙ୍କୁ ଭାବାବେଗରେ ବାନ୍ଧି ରଖିଚାଲିଛି ।
ଜୟ ଶ୍ରୀରାମ ।।
ବନ୍ଦେ ଉତ୍କଳ ଜନନୀ ।।
ତଥ୍ୟ ଓ ଗବେଷଣା: ଶ୍ରୀଯୁକ୍ତ ସମରେନ୍ଦ୍ର ଦାସ
ଚିତ୍ର ସୌଜନ୍ୟ: Bandhan Dalai
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago