ଉପସ୍ଥାପନା: ଶିଶିର ସାହୁ ମନୋଜ
ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା ଚାଲୁଥାଏ । ତାହା ହେଲା !
“ଓଡ଼ିଆ ଵର୍ଣ୍ଣମାଳାରେ ଅକ୍ଷର ସଂଖ୍ୟା କେତେ ? କେତୋଟି ମାତ୍ରା ଵା କାର ଓ କେତେଗୋଟି ଫଳା ରହିଛି ?”
ଏ ଵିଷୟରେ ଏକ ଗବେଷଣାଲବ୍ଧ ତଥ୍ୟ ଏଠାରେ ଉପସ୍ଥାପନ କରାଗଲା !
~ ଓଡ଼ିଆ ଵର୍ଣ୍ଣମାଳାରେ ଅକ୍ଷର ସଂଖ୍ୟା କେତେ ? ~
ଓଡ଼ିଆ ଲିପିରେ ଅକ୍ଷର ସଂଖ୍ୟା ସମ୍ବନ୍ଧୀୟ ପ୍ରାଥମିକ ମତ ସର୍ଵପ୍ରଥମେ ଓଡ଼ିଆ ଭାଗଵତ ରଚୟିତା ଜଗନ୍ନାଥ ଦାସ ପଦ୍ୟାକାରରେ ଦେଇଯାଇଛନ୍ତି । ନିମ୍ନରେ ତାହା ଉଲ୍ଲେଖ କରାଗଲା:
“ତ୍ରୟସ୍ୱରୂପୀ ବ୍ରହ୍ମ ଜ୍ୟୋତି ।
ବ୍ରହ୍ମ ପ୍ରକାଶ ହୋଇଛନ୍ତି ।
ଏକାକ୍ଷର ବ୍ରହ୍ମ ପ୍ରଣଵ ।
ଶବଦ ରୂପୀ ବୀଜ ସର୍ବ ।
ତାହାଙ୍କ ତହୁଁ ଉତପନ୍ନ ।
ଚଉଦ ଆକାରାଦି ବର୍ଣ୍ଣ
ଚଉଦ ସ୍ୱର ଏ ବୋଲାନ୍ତି ।
ଏ ଭାବେ ଅକ୍ଷରର ଗତି ।
କ କାର ଆଦି ଚଉତିଶ ।
ବ୍ୟଞ୍ଜନ ଶବଦ ବିଶେଷ ।
ସ୍ୱରମାନେ ଯେ ଦୀର୍ଘ ହ୍ରସ ।
ପ୍ଲୁତ ନାମରେ ପରକାଶ ।
ସନ୍ଧି ଅକ୍ଷର ଏ ବୋଲାଇ ।
ଏ କାର ଆଦି ଚାରି ସେହି ।
ପଚିଶ ବର୍ଣ୍ଣେ ପଞ୍ଚ ପଞ୍ଚ ।
ପାଞ୍ଚ ବର୍ଣ୍ଣରେ ବର୍ଗ ସଞ୍ଚ ।
ଏ ଅନ୍ତେ ଅନ୍ତଃସ୍ଥ ଏ ଜାଣ ।
ଯ ର ଳ ଵ ଏ ଚାରିବର୍ଣ୍ଣ ।
ଶ ଷ ସ ହ ଏ ଚାରିଵର୍ଣ୍ଣ ।
ଉଷ୍ମଵର୍ଣ୍ଣ ବୋଲିଣ ଜାଣ ।
ବିନ୍ଦୁନୁସ୍ଵାର ଏ ବୋଲାଇ ।
ଏସବୁ ବିନ୍ଦୁ ଦୁଇ ହୋଇ ।
ଵିସର୍ଗ ନାମ ଯେ ବୋଲାଇ ।
ଗଜ ଶଣ୍ଢାକୃତି ସେ ହୋଇ ।
ଏମନ୍ତ ହୋଇ ଶବ୍ଦ ବ୍ରହ୍ମ ।
ପଞ୍ଚାଶ ଵର୍ଣ୍ଣ ଭେଦ ନାମ ।।”
ତେଵେ ଓଡ଼ିଆ ଵର୍ଣ୍ଣମାଳାରେ ସମୁଦାୟ ଅକ୍ଷର ସଂଖ୍ୟା ୫୪ ବୋଲି ଅନେକ ଵୈୟାକରଣିକ ମତ ଦିଅନ୍ତି । ଵର୍ତ୍ତମାନ ସମୟରେ କେହି କେହି ଦୀର୍ଘ ୠ, ହର୍ସ୍ଵ ଌ, ଦୀର୍ଘ ୡ ଇତ୍ୟାଦିକୁ ଵର୍ଣ୍ଣମାଳାରୁ ବାଦ୍ ଦେଇ ଗଣନା କରନ୍ତି ପୁଣି ଅଵର୍ଗ୍ଯ ‛ଵ’ କୁ ଅର୍ଦ୍ଧସ୍ଵର ୱ ଵିଚାର କରି ସମୁଦାୟ ଅକ୍ଷର ସଂଖ୍ୟା ୫୦ ବୋଲି ମତ ଦିଅନ୍ତି । କେହି କେହି କ୍ଷ କୁ ସ୍ଵତନ୍ତ୍ର ଵର୍ଣ୍ଣ ନମାନି ୪୯ ବୋଲି ମଧ୍ୟ ମତ ଦେଇଥାନ୍ତି ।
ଦକ୍ଷିଣ ଭାରତରେ ଦୀର୍ଘ ୠ, ହର୍ସ୍ଵ ଌ ଓ ଦୀର୍ଘ ୡ ର ଵ୍ଯଵହାର ଏଵେ ବି ରହିଛି କିନ୍ତୁ ଓଡ଼ିଆ ଭାଷାରେ ଉତ୍ତର ଭାରତୀୟ ଭାଷା ଶୈଳୀର ପ୍ରଭାଵ ବଢି଼ଵା ଯୋଗୁଁ ଏସବୁ ଵର୍ଣ୍ଣର ଵ୍ଯଵହାର ଅନେକାଂଶରେ ହ୍ରାସ ପାଇଛି ।
ଵର୍ଗ୍ଯ ବ, ଅଵର୍ଗ୍ଯ ଵ ଓ ଅର୍ଦ୍ଧସ୍ଵର ୱ ଇତ୍ୟାଦିର ଭିନ୍ନତା ବୁଝିଵାକୁ ହେଲେ ଇଂରାଜୀର B,V ଓ W ଇତ୍ୟାଦିର ତର୍ଜମା ଆଵଶ୍ୟକ ।
ଇଂରାଜୀରେ B = ବ (ଓଡ଼ିଆ)
ଇଂରାଜୀରେ V = ଵ (ଓଡ଼ିଆ)
ଇଂରାଜୀରେ W = ୱ (ଓଡ଼ିଆ)
ତେଣୁ ଓଡ଼ିଆ ଭାଷାରେ
Boat = ବୋଟ୍
Vote = ଵୋଟ୍
Watt = ୱାଟ୍
ଲେଖାଯିଵା ଵିଧେୟ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରଣୟନ ସମୟରେ ତାୱା ହାୱା ଭଳି ଅନେକ ଵୈଦେଶିକ ଶବ୍ଦ ଲେଖାଯିଵା ପାଇଁ ଏକ ସ୍ବତନ୍ତ୍ର ଵର୍ଣ୍ଣ ଆଵଶ୍ଯକ ହେଵାରୁ ଅଭିଧାନକାର ଅର୍ଦ୍ଧସ୍ଵର ‘ୱ’ ପ୍ରଣୟନ କରିଵାକୁ ଵାଧ୍ଯ ହୋଇଥିଲେ । ‘ୱ’ କୁ ‘ଉ ତଥା ‘ଅ’ ସ୍ଵରର ଦୃତ ଉଚ୍ଚାରଣ ଦ୍ଵାରା ପ୍ରାପ୍ତ କରାଯାଇଥାଏ ତେଣୁ ଏହାକୁ ଅର୍ଦ୍ଧସ୍ଵର କୁହାଯାଏ ।
ସେଇଭଳି କିଛି ଲୋକ ଅନସ୍ଵାର(ଂ), ଚନ୍ଦ୍ରଵିନ୍ଦୁ(ଁ) ଓ ଵିସର୍ଗ(ଃ)କୁ ଚିହ୍ନ ଵିଚାର କରି ଵର୍ଣ୍ଣମାଳାରେ ଗଣିଵାକୁ କୁଣ୍ଠାବୋଧ କରନ୍ତି । ଏଭଳି ଲୋକେ ଅର୍ଦ୍ଧ ଅ (ଽ), ଓମ୍ (ॐ), ଦିଵଙ୍ଗତ (୰), ଶତକଡ଼ା(%) ଓ ସ୍ଵସ୍ତିକ(卐)ର ଉଦାହରଣ ଦେଇ କୁହନ୍ତି ଯେ ଂ, ଁ ଓ ଃ କେଵଳ ଚିହ୍ନ ମାତ୍ର ।
ତେଵେ ଅନେକ ପ୍ରାଚୀନ ଭାରତୀୟ ବର୍ଣ୍ଣ ସୂଚୀରେ ଅନସ୍ଵାର, ଚନ୍ଦ୍ରଵିନ୍ଦୁ ଓ ଵିସର୍ଗକୁ ବର୍ଣ୍ଣମାଳାରେ ସ୍ଥାନ ଦିଆଯାଇଥିଵାରୁ ସେଇ ପରମ୍ପରାକୁ ରକ୍ଷାକରି କେହି କେହି ଏଗୁଡ଼ିକୁ ବର୍ଣ୍ଣମାଳା ମଧ୍ୟରେ ଗଣନା କରିଥାନ୍ତି ।
ଆଉ କେତେକ ଲୋକ ଅଛନ୍ତି ଯେଉଁମାନେ ‛କ୍ଷ’କୁ ଏକ ଯୁକ୍ତାକ୍ଷର ବୋଲି ମତ ଦେଇ ତାକୁ ଵର୍ଣ୍ଣମାଳାରେ ରଖନ୍ତି ନାହିଁ । ତେଵେ ହିନ୍ଦୀର क्ष(क+ष; ksha) ଠାରୁ ଓଡ଼ିଆ ‛କ୍ଷ’ର ଉଚ୍ଚାରଣ ଭିନ୍ନ ପୁଣି ଓଡ଼ିଆ ଭାଷାରେ “କ―ଖ―ଷ―କ୍ଷ―ଚ―ଛ―ଝ―ଜ” ଇତ୍ୟାଦି ଵର୍ଣ୍ଣର ଏକ ମଧ୍ଯାଵର୍ତ୍ତୀ ଉଚ୍ଚାରଣରୁ କ୍ଷ(khya) ସୃଷ୍ଟ ହୋଇଥିଵାରୁ ଵର୍ଣ୍ଣମାଳାରେ ସ୍ଥାନ ପାଇଵାକୁ ଯୋଗ୍ଯ ଅଟେ ବୋଲି କେତେକ ଭାଷାଵିଦ ମତ ଦିଅନ୍ତି ।
ଵର୍ତ୍ତମାନ ପର୍ଯ୍ୟନ୍ତ ଯେତେ ବୁଦ୍ଧିଜୀଵୀ ଵର୍ଣ୍ଣଗୁଡି଼କର ସୂଚୀ କରିଛନ୍ତି, ସେ ସମସ୍ତ ଆଧାରରେ ଓଡ଼ିଆ ଵର୍ଣ୍ଣମାଳାରେ ଅକ୍ଷର ସଂଖ୍ୟା ୫୪ ହୋଇଥାଏ ।
ଓଡ଼ିଆ ଲିପିରେ ସ୍ଵରଵର୍ଣ୍ଣରେ ଅ, ଆ, ଇ, ଈ, ଉ, ଊ, ଋ, ୠ, ଏ, ଐ, ଓ, ଔ, ଌ, ୡ ଇତ୍ୟାଦି ଅକ୍ଷର ରଖାଯାଇଥାଏ ଏଵଂ ତନ୍ମଧ୍ୟରୁ
ୠ, ଌ ଓ ୡର ଵ୍ଯଵହାର ଆଉ ନାହିଁ ।
ଵ୍ଯଞ୍ଜନ ଵର୍ଣ୍ଣକୁ ଦୁଇଭାଗରେ ଵିଭକ୍ତ କରାଯାଇଛି । ଵର୍ଗ୍ଯ ଓ ଅଵର୍ଗ୍ଯ । ଵର୍ଗ୍ଯ ଵ୍ଯଞ୍ଜନ ଵର୍ଣ୍ଣଗୁଡି଼କୁ କ, ଚ, ଟ, ତ, ପ ଭେଦରେ ଵର୍ଗିକୃତ କରାଯାଇଛି ।
କ ଵର୍ଗ = କ, ଖ, ଗ, ଘ, ଙ
ଚ ଵର୍ଗ = ଚ, ଛ, ଜ, ଝ, ଞ
ଟ ଵର୍ଗ = ଟ, ଠ, ଡ, ଢ, ଣ
ତ ଵର୍ଗ = ତ, ଥ, ଦ, ଧ, ନ
ପ ଵର୍ଗ = ପ, ଫ, ବ, ଭ, ମ
ଅଵର୍ଗ୍ଯ ଵ୍ଯଞ୍ଜନ ଵର୍ଣ୍ଣରେ ଯ, ୟ, ର, ଳ, ଲ, ଵ, ଶ, ଷ, ସ, ହ, କ୍ଷ, ୱ ଇତ୍ୟାଦି ରଖାଯାଇଛି ।
ପୂର୍ଵର ଅନେକ ଵର୍ଣ୍ଣମାଳା ସୂଚୀ ମଧ୍ୟରେ ଂ, ଁ, ଃ ଇତ୍ୟାଦିକୁ କେଉଁଠି କେଉଁଠି ସ୍ଵରଵର୍ଣ୍ଣ ମଧ୍ୟରେ ରଖାଯାଇଥିଵା ଵେଳେ ଆଉ କେଉଁଠି ଵ୍ଯଞ୍ଜନ ଵର୍ଣ୍ଣର ତଳେ ସ୍ଵତନ୍ତ୍ର ଵିଭାଗରେ ରଖାଯାଇଛି ।
ଅନସ୍ଵାର, ଚନ୍ଦ୍ରଵିନ୍ଦୁ ଓ ଵିସର୍ଗକୁ ବାଦ୍ ଦେଲେ ଓଡ଼ିଆ ଭାଷାର ଲିପିରେ ମୋଟ ଅକ୍ଷର ସଂଖ୍ୟା ୫୧ ହୋଇଥାଏ ! ଯଥା:
ସ୍ଵର: ଅ, ଆ, ଇ, ଈ, ଉ, ଊ, ଋ, ୠ, ଌ, ୡ, ଏ, ଐ, ଓ, ଔ
ଵ୍ଯଞ୍ଜନ: କ, ଖ, ଗ, ଘ, ଙ, ଚ, ଛ, ଜ, ଝ, ଞ, ଟ, ଠ, ଡ, ଢ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ୟ, ର, ଳ, ଲ, ଵ, ଶ, ଷ, ସ, ହ, କ୍ଷ, ୱ
ଏଥିପାଇଁ ଓଡ଼ିଆ ଭାଷାରେ ଅକ୍ଷର ସଂଖ୍ଯାକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ ମତ ଚଳୁଅଛି । କେହି ୪୯ କହୁଛି ତ ଆଉ କେ ୫୦ କି ୫୧ ତେଵେ ସର୍ଵମୋଟ ଓଡ଼ିଆ ଅକ୍ଷର ସଂଖ୍ୟା ୫୪ ବୋଲି ଵ୍ଯାକରଣ ଶାସ୍ତ୍ର ଜ୍ଞାତା ଓଡ଼ିଆ ଵିଦ୍ଵାନମାନେ ମତ ଦେଇଥାନ୍ତି ।
~ ଆମ ଲିପିରେ ଫଳାର ସଂଖ୍ୟା କେତେ ? ~
ଵ୍ଯଞ୍ଜନ ଵର୍ଣ୍ଣରେ ଅନ୍ୟ ଵ୍ଯଞ୍ଜନ ଵର୍ଣ୍ଣ ସଂଯକ୍ତ ହେଵାର ଆକୃତିକୁ ଫଳା କୁହାଯାଏ । ପ୍ରଥମ ଵ୍ଯଞ୍ଜନଵର୍ଣ୍ଣରେ ଦ୍ଵିତୀୟ ଵ୍ଯଞ୍ଜନଵର୍ଣ୍ଣ ଯୁକ୍ତ ହେଲାଵେଳେ ଦ୍ଵିତୀୟ ଵ୍ଯଞ୍ଜନ ଵର୍ଣ୍ଣକୁ ପ୍ରକାଶ କରୁଥିଵା ଯେଉଁ ସାଙ୍କେତିକ ଚିହ୍ନ ଵ୍ଯଵହୃତ ହୋଇଥାଏ ତାହାକୁ ଫଳା କୁହା ଯାଇଥାଏ । ଓଡ଼ିଆରେ ସାଧାରଣତଃ ୧୭ଗୋଟି ଫଳା ରହିଛି । ଏହାକୁ ପିଲାମାନେ ସାଧାରଣତଃ ଵର୍ଣ୍ଣ ପରିଚୟ ପରେ ଶିଖିଥାଆନ୍ତି ।
ନିମ୍ନଲିଖିତ ୧୭ଟି ଫଳା ଓଡ଼ିଆ ଵର୍ଣ୍ଣ ପରିଚୟରେ ପିଲାମାନେ ଶିଖନ୍ତି ।
୧. କ ଫଳା – କ୍କ, ସ୍କ, ଲ୍କ
୨. ଟ ଫଳା – କ୍ଟ, ଷ୍ଟ, ପ୍ଟ
୩. ତ ଫଳା
ଵର୍ଣ୍ଣର ପରେ କ୍ତ, ନ୍ତ, ପ୍ତ, ଫ୍ତ, ସ୍ତ
ଵର୍ଣ୍ଣର ପୂର୍ଵେ ତ୍କ, ତ୍ସ, ତ୍ନ, ତ୍ପ
୪. ଥ ଫଳା – ନ୍ଥ, ସ୍ଥ
୫. ନ ଫଳା – କ୍ନ,ତ୍ନ,ନ୍ନ,ପ୍ନ
୬. ବ ଫଳା (ଵର୍ଗ୍ଯ ଓ ଅଵର୍ଗ୍ଯ) – ମ୍ବ, ଦ୍ବ, କ୍ବ, ଜ୍ବ, ଡ଼୍ବ, ତ୍ବ, ନ୍ବ
[ମ ଓ ଦ ଅକ୍ଷର ଛଡ଼ା ଅନ୍ୟ ଅକ୍ଷର ସଙ୍ଗେ ‘ବ’ ଫଳା ଯୁକ୍ତ ହେଲେ ଉକ୍ତ ‘ବ’ ଫଳା ଅଵର୍ଗ୍ଯ ଵ ରୂପେ ଉଚ୍ଚାରିତ ହୁଏ । ‘ମ’ରେ ‘ବ’ ଫଳା ଯୁକ୍ତ ହେଲେ ଉକ୍ତ ଫଳା କେଵେ ‘ଵର୍ଗ୍ଯ ବ’ ତ କେଵେ ଅଵର୍ଗ୍ଯ ‘ଵ’ ରୂପେ ଉଚ୍ଚାରିତ ହୁଏ, ଯେମିତିକି
ଅମ୍ବର (ଵର୍ଗ୍ଯ ବ ଉଚ୍ଚାରଣ)
ଚମ୍ବାହରଣ (ଅଵର୍ଗ୍ଯ ବ ଉଚ୍ଚାରଣ)
‘ଦ’ ରେ ‘ବ’ ଫଳା ଯୁକ୍ତ ହେଲେ ମଧ୍ୟ ଦୁଇ ପ୍ରକାରେ ଉଚ୍ଚାରିତ ହୁଏ
ଯଥା:
ସଦ୍ବଳ (ଵର୍ଗ୍ଯ ବ ଉଚ୍ଚାରଣ)
ଅଦ୍ବୈତ (ଅଵର୍ଗ୍ଯ ଵ ଉଚ୍ଚାରଣ)
୭. ମ ଫଳା – କ୍ମ, କ୍ଷ୍ମ, ତ୍ମ, ଦ୍ମ, ଧ୍ମ, ନ୍ମ, ମ୍ମ
୮. ଯ ଫଳା – କ୍ଯ, ଖ୍ଯ, ଗ୍ଯ, ଚ୍ଯ, ଜ୍ଯ
(ୟ ଏକ ଦ୍ଵିସ୍ଵର; ଇ+ଅ)
୯. ର ଫଳା
ଵର୍ଣ୍ଣର ପରେ – କ୍ର, ଖ୍ର, ଗ୍ର
ଵର୍ଣ୍ଣର ପୂର୍ଵେ – ର୍କ, ର୍ଖ, ର୍ଗ
ଓଡ଼ିଆ ଭାଷାର ନିଜସ୍ୱ ସ୍ଵାଭାଵିକ ଵ୍ଯାକରଣ ଅନୁସାରେ ଵର୍ଣ୍ଣର ପୂର୍ଵେ “ର” ଵର୍ଣ୍ଣ ଯୁକ୍ତ ହେଲେ ଉକ୍ତ ଵର୍ଣ୍ଣ ଵିକଳ୍ପେ ଦ୍ବିତ୍ବ ହୁଏ ଏଵଂ ଏହାକୁ ଵର୍ଣ୍ଣଦ୍ଵିତକରଣ କୁହାଯାଏ । ଏହାର ଉଦାହରଣ ଯଥା: ର୍ଚ୍ଚ, ର୍ଜ୍ଜ, ର୍ତ୍ତ, ର୍ତ୍ଥ, ର୍ଦ୍ଦ।
୧୦. ଳ ଫଳା – କ୍ଳ, ଖ୍ଳ, ଗ୍ଳ, ଘ୍ଳ
୧୧. ଲ ଫଳା – ସ୍ଲ, ଲ୍ଲ
୧୨. ରେଫ+ନ ଫଳା – ର୍କ୍ନ
୧୩. ରେଫ୍+ଯ ଫଳା – ର୍କ୍ଯ
୧୪. ରେଫ୍+ମ ଫଳା – ର୍କ୍ମ
୧୫. ରେଫ୍+ବ ଫଳା – ର୍କ୍ବ
୧୬. ରେଫ୍+ର ଫଳା – ର୍କ୍ର
ରେଫ+ଲ ଫଳା ଯଥା – ର୍କ୍ଲ
~ ଫଳାକୁ ନେଇ କେତେକ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ~
୧. ଭାରତୀୟ ଆର୍ଯ୍ୟଭାଷାଗୁଡି଼କ ମଧ୍ୟରେ ଓଡ଼ିଆ ଭାଷାର ଲିପିରେ ହିନ୍ଦୀ ଓ ବଙ୍ଗାଳୀ ଅପେକ୍ଷା ଯୁକ୍ତାକ୍ଷରର ଫଳାଗୁଡି଼କ ସ୍ପଷ୍ଟ ବାରିହୋଇଯାଏ
୨. ଓଡ଼ିଆ ଭାଷାରେ ସଂସ୍କୃତ ସହ ସର୍ଵାଧିକ ଫଳା ପ୍ରଚଳିତ
୩. ତଦ୍ଭଵ ଫଳା ଶବ୍ଦଟି ତତ୍ସମ ଫଳ/ଫଳକ ସହିତ ସମଦ୍ଧୃତ ଏଵଂ ଏ ଉଭୟ ଶବ୍ଦର ଏକ ଅର୍ଥ ଚିହ୍ନ ଅଟଇ । ଦୁଇଗୋଟି ଵ୍ଯଞ୍ଜନଵର୍ଣ୍ଣ ପରସ୍ପର ସହ ଯୁକ୍ତ ହେଲାଵେଳେ ଦ୍ଵିତୀୟ ଵ୍ଯଞ୍ଜନ ଵର୍ଣ୍ଣକୁ ବୁଝାଉଥିଵା ତାହାର ଏକ ସାଙ୍କେତିକ ରୂପ ପ୍ରଥମ ଵ୍ଯଞ୍ଜନ ଵର୍ଣ୍ଣରେ ଲାଗୁଥିଵା ହେତୁ ଏହାକୁ ଚିହ୍ନ ଅର୍ଥରେ ଫଳା ବୋଲି ଅଭିହିତ କରାଯାଇଥାଏ ।
୪. ହିନ୍ଦୀ ଓ ବଙ୍ଗାଳୀରେ ଏହି ଫଳା ଵା ଚିହ୍ନ ଅସ୍ପଷ୍ଟ ହୋଇଥିଵା ହେତୁ ସେଗୁଡ଼ିକୁ ଫଳା କହିଵା ଉଚିତ କି ଅନୁଚିତ ତାହା ଗଵେଷଣା ସାପେକ୍ଷ ।
୫. ଅନୁନାସିକ ଵର୍ଣ୍ଣ ସଙ୍ଗେ ସେହି ଵର୍ଗର ଵ୍ଯଞ୍ଜନ ଵର୍ଣ୍ଣ ଯୁକ୍ତ ହେଲେ ତାହାକୁ ଫଳା ବୋଲାଯାଏ ନାହିଁ। ଯଥା:
ଙ+କ=ଙ୍କ ବା ଙ୍କ
ଙ+ଖ=ଙ୍ଖ ବା ଙ୍ଖ
ଙ+ଗ =ଙ୍ଗ ବା ଙ୍ଗ
ଙ+ଘ=ଙ୍ଘ ବା ଘଂ
ଞ+ଚ=ଞ୍ଚ, ଞ+ ଛ=ଞ୍ଛ
ଞ+ଜ=ଞ୍ଜ
ଞ+ଝ=ଞ୍ଝ
ଣ+ଟ=ଣ୍ଟ
ଣ+ଠ=ଣ୍ଠ
ଣ+ଡ=ଣ୍ଡ
ଣ+ଢ=ଣ୍ଢ
ନ+ଦ= ନ୍ଦ
ନ+ଧ=ନ୍ଧ
ମ+ପ=ମ୍ପ
ମ+ଫ=ମ୍ଫ
୩. ଦ୍ବିତ ଵ୍ଯଞ୍ଜନକୁ ମଧ୍ୟ ଫଳା ବୋଲାଯିଏ ନାହିଁ, ଯଥା:
ଚ୍ଚ, ଚ୍ଛ, ଜ୍ଜ, ଜ୍ଝ, ଟ୍ଟ,ଠ୍ଠ,ଡ୍ଡ, ଡ଼୍ତ, ତ୍ତ, ତ୍ଥ, ଦ୍ଦ, ଦ୍ଧ, ବ୍ଧ, ବ୍ଭ ଇତ୍ୟାଦି
ତେଵେ ଆମ ଲିପିରେ ଅକ୍ଷର ସଂଖ୍ୟାକୁ ନେଇ ଯେତେ ମତ ପାର୍ଥକ୍ଯ ରହିଛି ସେହିପରି ଵିଵାଦ ଫଳାର ସଂଖ୍ଯା ଓ ଵିଭାଗ ସମ୍ବନ୍ଧୀୟ ତଥ୍ଯକୁ ନେଇ ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ । କେତେକ ଲୋକ ଋ ଏକ ସ୍ବରଵର୍ଣ୍ଣ ହେଲେ ସୁଦ୍ଧା ବ୍ଯଞ୍ଜନ ଵର୍ଣ୍ଣ ସହିତ ମିଶିଲେ ଫଳା କହନ୍ତି। ବଙ୍ଗଦେଶରେ ଏଭଳି ମତ ଆଗେ ପ୍ରଚଳିତ ଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଉଲ୍ଲେଖରୁ ଜଣାଯାଏ ।
~ ଓଡ଼ିଆ ଭାଷାରେ ମାତ୍ରା ଵା କାର ଓ ତହିଁର ସଂଖ୍ୟା ~
ଓଡ଼ିଆ ଭାଷାରେ ଵ୍ଯଞ୍ଜନ ଵର୍ଣ୍ଣରେ ଯୁକ୍ତ ହେଵା ସ୍ବରଵର୍ଣ୍ଣର ଚିହ୍ନମାନଙ୍କୁ ‘ମାତ୍ରା’ ବୋଲାଯାଏ । ଵ୍ଯଞ୍ଜନ ଵର୍ଣ୍ଣରେ ଆ, ଇ, ଉ, ଏ, ଓ, ଔ ଆଦି ସ୍ବରଵର୍ଣ୍ଣର ପ୍ରତିନିଧିତ୍ଵ କରୁଥିଵା ସାଙ୍କେତିକ ଚିହ୍ନ ଵିଶେଷ ସାଧାରଣତଃ ମାତ୍ରା କୁହାଯାଉଥିଲେ ହେଁ କେହି କେହି ଫଳାଗୁଡି଼କୁ ବି ମାତ୍ରା କହିଥାଆନ୍ତି । ଓଡ଼ିଶାରେ ମାତ୍ରା ଅପେକ୍ଷା ତତ୍ସମ “କାର” ଶବ୍ଦର ପ୍ରୟୋଗ The sign of a vowel ଵା ସ୍ଵରଵର୍ଣ୍ଣର ଚିହ୍ନ ଅର୍ଥରେ ଵିଶେଷ ଭାଵେ ଵ୍ଯଵହୃତ ହୋଇଥାଏ ।
ପ୍ରଥମ ସ୍ଵରଵର୍ଣ୍ଣ “ଅ”ର କୌଣସି ମାତ୍ରା ନାହିଁ କିନ୍ତୁ “ଅ”ର ଅର୍ଦ୍ଧସ୍ଵର ଚିହ୍ନ (ଽ ) ରହିଛି ଏଵଂ ଦୀର୍ଘ “ଋ”ର ମାତ୍ରା ଓଡ଼ିଆ ଭାଷାରେ ସାଧାରଣତଃ ଦୃଶ୍ଯ ହୁଏନାହିଁ କିନ୍ତୁ ଏହାର ମାତ୍ରା ବା କାର ରହିଛି ।
ନିମ୍ନୋକ୍ତ ମାତ୍ରାଗୁଡି଼କ ଓଡ଼ିଆ ଭାଷାରେ ପ୍ରଚଳିତ –
ଆକାର – ା (ଦକ୍ଷଣ ପାର୍ଶ୍ଵରେ ଵ୍ଯଵହୃତ ହୁଏ- କା)
ଇକାର – ି (ଉପରେ-କି) ଓ (ନିମ୍ନରେ – ଖି)
ଈକାର – ୀ ଈ: ୀ (ଦକ୍ଷିଣ ପାଶ୍ୱର୍ରେ- କୀ)
ଉକାର – ୁ (ନିମ୍ନରେ = କୁ)
ଊକାର – ୂ (ନିମ୍ନରେ = କୂ)
ଋକାର – ୃ (ନିମ୍ନରେ = କୃ)
ୠକାର – ୄ (ନିମ୍ନରେ = କୄ)
ଌକାର – ୢ (ନିମ୍ନରେ = କୢ)
ୡକାର – ୣ (ନିମ୍ନରେ = କୣ)
ଏକାର – େ (ଵାମ ପାର୍ଶ୍ଵରେ = କେ)
ଐକାର – ୈ (ଅକ୍ଷରର ବାମ ପାଖରେ ଓ ଆଙ୍କୁଡି଼ ଉପରେ = କୈ)
ଓକାର – ୋ (ଅକ୍ଷରର ଉଭୟ ପାର୍ଶ୍ଵରେ = କୋ)
ଔକାର – ୌ (ଅକ୍ଷର ଉଭୟ ପାର୍ଶ୍ଵରେ ତଥା ଆଙ୍କୁଡି଼ ଉପରି ଭାଗରେ = କୌ)
ଓଡ଼ିଆ ଭାଷାରେ ତେରଗୋଟି କାର ଥିଲେ ହେଁ ଦୀର୍ଘ ୠ, ହ୍ରସ୍ଵ ଌ ଓ ଦୀର୍ଘ ୡ ଇତ୍ୟାଦିର ବ୍ୟବହାର ସାଧାରଣତଃ ଅତି ଅଳ୍ପ ହୋଇଥାଏ ।
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…