ଜଣା ଅଜଣା

ଓଡ଼ିଆ ଭାଷାର ପ୍ରଥମ ଚଳଚ୍ଚିତ୍ର

ଲେଖା: ଦେଵ ତ୍ରିପାଠୀ
୧୯୩୬ ମସିହା, ଏପ୍ରିଲ ୨୮, ମଙ୍ଗଳବାର, ଲକ୍ଷ୍ମୀ ଟକିଜ୍, ପୁରୀ ।
ସେଦିନ ଥିଲା ଜାତୀୟଗୌରବ କୁଳବୃଦ୍ଧ ମଧୁସୂଦନଙ୍କ ପବିତ୍ର ଜନ୍ମତିଥି । ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନର ସୁଖଦ ଅନୁଭଵ ଆଣିଦେଇଛି ଓଡିଆଙ୍କୁ । ସେଭଳି ଖୁସିକୁ ଦ୍ଵିଗୁଣିତ କରିବା ପାଇଁ ଏଇ ଦିନରେ ଓଡ଼ିଆଙ୍କୁ ମିଳିଛି ଏକ ସ୍ବତନ୍ତ୍ର ଉପହାର, ଏ ମାଟିର ଭାଷାରେ ତିଆରି ପ୍ରଥମ କଥାକୁହା ଚଳଚ୍ଚିତ୍ରସୀତାବିବାହ”, ଏ ସୈାଭାଗ୍ୟ ଥିଲା ଓଡ଼ିଆଙ୍କ ପାଇଁ ଏକ ନୂତନ ସକାଳର ସ୍ବର୍ଣ୍ଣିମଲଗ୍ନ ।
ବିଚିତ୍ର ରାମାୟଣର କଥାବସ୍ତୁକୁ ନେଇ ନାଟ୍ୟକାର କାମପାଳ ମିଶ୍ର କଳ୍ପନା କରିଥିଲେ ଓଡ଼ିଆ ଭାଷାର ପ୍ରଥମ ଚଳଚ୍ଚିତ୍ର ସୀତାବିବାହର ପୃଷ୍ଠଭୂମି । ଋଷି ବିଶ୍ଵାମିତ୍ରଙ୍କ ଅନୁରୋଧ କ୍ରମେ ଯଜ୍ଞସ୍ଥଳୀରେ ଭୟଙ୍କର ତାଣ୍ଡବ ସୃଷ୍ଟି କରୁଥିବା ତାଡକାସୁରକୁ ଶ୍ରୀରାମଚନ୍ଦ୍ର ବଧ କରିବାଠାରୁ ଶିବଧନୁ ଭଙ୍ଗ, ସୀତାଙ୍କ ବିବାହ ପର୍ଯ୍ୟନ୍ତ ଦୃଶ୍ୟାବଳୀର ପରିକଳ୍ପନା କରିଥିଲେ ପଣ୍ଡିତ ମିଶ୍ର ।
ହରିଚରଣ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସର କିଛି ଛାନ୍ଦ ଏବଂ ବିଚିତ୍ର ରାମାୟଣର କିଛି ଗୀତକୁ ନିର୍ବାଚିତ କରିସାରିଥିଲେ ପଣ୍ଡିତ ମିଶ୍ର ।  କାଳି ଫିଲ୍ମସ୍ ବ୍ୟାନରରେ କଥାବସ୍ତୁକୁ ଚିତ୍ର ରୂପ ଦେବା ପାଇଁ ଆଗେଇ ଆସିଥିଲେ ପ୍ରିୟନାଥ ଗାଙ୍ଗୁଲିଚଣ୍ଡୀଚରଣ ସାହା । ତେବେ ଗାଙ୍ଗୁଲି ମହାଶୟ କଥାଚିତ୍ରର ସମସ୍ତ ଖର୍ଚ୍ଚ ବହନ କରିଥିଲେ ମଧ୍ୟ ନିଜର ପୂଜ୍ୟ ଗୁରୁ ମୋହନ ସୁନ୍ଦରଦେବ ଗୋସ୍ୱାମୀଙ୍କୁ ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବେ ଘୋଷଣା କରିଥିଲେ ।
ମୋହନସୁନ୍ଦର ଏ ଚଳଚ୍ଚିତ୍ରରେ ବିଶ୍ଵାମିତ୍ରଙ୍କ ଭୂମିକା ନିର୍ବାହ ସହିତ ସଂଯୋଜନାର ଦାୟିତ୍ଵ ଗ୍ରହଣ କରିଥିଲେ । ଗୀତିକାର ତଥା ଅନ୍ୟ ମୁଖ୍ୟ କଳାକାର ନୃସିଂହ ନନ୍ଦଙ୍କ ଏକ ଗୀତ ସହିତ ମୋହନସୁନ୍ଦର ମଧ୍ୟ ରଚିଥିଲେ ଏକ ଗୀତ । ତିରିଶ ହଜାର ଟଙ୍କାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ମୋହନ ସାନ୍ୟାଲ ଚିତ୍ର ଉତ୍ତୋଳନ ସହିତ ସହ-ନିର୍ଦ୍ଦେଶକର ଦାୟିତ୍ବ ତୁଲାଇଥିଲେ ।
ମାତୃଭାଷାର ପ୍ରଥମ ଚଳଚ୍ଚିତ୍ର ହୋଇଥିବା କାରଣରୁ ପ୍ରତ୍ୟେକ ଦର୍ଶକ ଏହାକୁ ଥରୁଟିଏ ହେଲେ ମଧ୍ୟ ଦେଖିବାକୁ ଭୁଲି ନ ଥିଲେ, ମାତ୍ର ମୋହନ ସୁନ୍ଦର ଦେବ ଏ ଚଳଚ୍ଚିତ୍ର ନିର୍ମାଣ ବାବଦରେ ଖର୍ଚ୍ଚର ଭରଣା ପାଇ ପାରି ନ ଥିବା ଏବଂ ପରବର୍ତ୍ତୀ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ନୂତନ ଚିତ୍ର ପ୍ରସ୍ତୁତ ନ ହୋଇପାରିବା କାରଣରୁ ଏହାକୁ କେହି କେହି ଗବେଷକ ସଫଳ ଚିତ୍ରର ମାନ୍ୟତା ଦିଅନ୍ତି ନାହିଁ ।
ଯାହା ହେଉ ନା କାହିଁକି, ଓଡ଼ିଆ ଭାଷାର ପ୍ରଥମ ଚଳଚ୍ଚିତ୍ର ପ୍ରସ୍ତୁତି ବାବଦରେ କାମପାଳ ମିଶ୍ରଙ୍କ ନିଷ୍ଠା ଓ ଅଧ୍ୟବସାୟ, ପ୍ରିୟନାଥ ଗାଙ୍ଗୁଲିଙ୍କ ତ୍ୟାଗ ଏବଂ ମୋହନ ସୁନ୍ଦରଦେବଙ୍କ ଅକ୍ଳାନ୍ତ ପରିଶ୍ରମ ନିଶ୍ଚିତ ଭାବରେ ସ୍ବୀକାର୍ଯ୍ୟ ।
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago