ଜଣା ଅଜଣା

ଓଡ଼ିଆ ଭାଷାର ପ୍ରଥମ ଚଳଚ୍ଚିତ୍ର

ଲେଖା: ଦେଵ ତ୍ରିପାଠୀ
୧୯୩୬ ମସିହା, ଏପ୍ରିଲ ୨୮, ମଙ୍ଗଳବାର, ଲକ୍ଷ୍ମୀ ଟକିଜ୍, ପୁରୀ ।
ସେଦିନ ଥିଲା ଜାତୀୟଗୌରବ କୁଳବୃଦ୍ଧ ମଧୁସୂଦନଙ୍କ ପବିତ୍ର ଜନ୍ମତିଥି । ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନର ସୁଖଦ ଅନୁଭଵ ଆଣିଦେଇଛି ଓଡିଆଙ୍କୁ । ସେଭଳି ଖୁସିକୁ ଦ୍ଵିଗୁଣିତ କରିବା ପାଇଁ ଏଇ ଦିନରେ ଓଡ଼ିଆଙ୍କୁ ମିଳିଛି ଏକ ସ୍ବତନ୍ତ୍ର ଉପହାର, ଏ ମାଟିର ଭାଷାରେ ତିଆରି ପ୍ରଥମ କଥାକୁହା ଚଳଚ୍ଚିତ୍ରସୀତାବିବାହ”, ଏ ସୈାଭାଗ୍ୟ ଥିଲା ଓଡ଼ିଆଙ୍କ ପାଇଁ ଏକ ନୂତନ ସକାଳର ସ୍ବର୍ଣ୍ଣିମଲଗ୍ନ ।
ବିଚିତ୍ର ରାମାୟଣର କଥାବସ୍ତୁକୁ ନେଇ ନାଟ୍ୟକାର କାମପାଳ ମିଶ୍ର କଳ୍ପନା କରିଥିଲେ ଓଡ଼ିଆ ଭାଷାର ପ୍ରଥମ ଚଳଚ୍ଚିତ୍ର ସୀତାବିବାହର ପୃଷ୍ଠଭୂମି । ଋଷି ବିଶ୍ଵାମିତ୍ରଙ୍କ ଅନୁରୋଧ କ୍ରମେ ଯଜ୍ଞସ୍ଥଳୀରେ ଭୟଙ୍କର ତାଣ୍ଡବ ସୃଷ୍ଟି କରୁଥିବା ତାଡକାସୁରକୁ ଶ୍ରୀରାମଚନ୍ଦ୍ର ବଧ କରିବାଠାରୁ ଶିବଧନୁ ଭଙ୍ଗ, ସୀତାଙ୍କ ବିବାହ ପର୍ଯ୍ୟନ୍ତ ଦୃଶ୍ୟାବଳୀର ପରିକଳ୍ପନା କରିଥିଲେ ପଣ୍ଡିତ ମିଶ୍ର ।
ହରିଚରଣ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସର କିଛି ଛାନ୍ଦ ଏବଂ ବିଚିତ୍ର ରାମାୟଣର କିଛି ଗୀତକୁ ନିର୍ବାଚିତ କରିସାରିଥିଲେ ପଣ୍ଡିତ ମିଶ୍ର ।  କାଳି ଫିଲ୍ମସ୍ ବ୍ୟାନରରେ କଥାବସ୍ତୁକୁ ଚିତ୍ର ରୂପ ଦେବା ପାଇଁ ଆଗେଇ ଆସିଥିଲେ ପ୍ରିୟନାଥ ଗାଙ୍ଗୁଲିଚଣ୍ଡୀଚରଣ ସାହା । ତେବେ ଗାଙ୍ଗୁଲି ମହାଶୟ କଥାଚିତ୍ରର ସମସ୍ତ ଖର୍ଚ୍ଚ ବହନ କରିଥିଲେ ମଧ୍ୟ ନିଜର ପୂଜ୍ୟ ଗୁରୁ ମୋହନ ସୁନ୍ଦରଦେବ ଗୋସ୍ୱାମୀଙ୍କୁ ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବେ ଘୋଷଣା କରିଥିଲେ ।
ମୋହନସୁନ୍ଦର ଏ ଚଳଚ୍ଚିତ୍ରରେ ବିଶ୍ଵାମିତ୍ରଙ୍କ ଭୂମିକା ନିର୍ବାହ ସହିତ ସଂଯୋଜନାର ଦାୟିତ୍ଵ ଗ୍ରହଣ କରିଥିଲେ । ଗୀତିକାର ତଥା ଅନ୍ୟ ମୁଖ୍ୟ କଳାକାର ନୃସିଂହ ନନ୍ଦଙ୍କ ଏକ ଗୀତ ସହିତ ମୋହନସୁନ୍ଦର ମଧ୍ୟ ରଚିଥିଲେ ଏକ ଗୀତ । ତିରିଶ ହଜାର ଟଙ୍କାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ମୋହନ ସାନ୍ୟାଲ ଚିତ୍ର ଉତ୍ତୋଳନ ସହିତ ସହ-ନିର୍ଦ୍ଦେଶକର ଦାୟିତ୍ବ ତୁଲାଇଥିଲେ ।
ମାତୃଭାଷାର ପ୍ରଥମ ଚଳଚ୍ଚିତ୍ର ହୋଇଥିବା କାରଣରୁ ପ୍ରତ୍ୟେକ ଦର୍ଶକ ଏହାକୁ ଥରୁଟିଏ ହେଲେ ମଧ୍ୟ ଦେଖିବାକୁ ଭୁଲି ନ ଥିଲେ, ମାତ୍ର ମୋହନ ସୁନ୍ଦର ଦେବ ଏ ଚଳଚ୍ଚିତ୍ର ନିର୍ମାଣ ବାବଦରେ ଖର୍ଚ୍ଚର ଭରଣା ପାଇ ପାରି ନ ଥିବା ଏବଂ ପରବର୍ତ୍ତୀ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ନୂତନ ଚିତ୍ର ପ୍ରସ୍ତୁତ ନ ହୋଇପାରିବା କାରଣରୁ ଏହାକୁ କେହି କେହି ଗବେଷକ ସଫଳ ଚିତ୍ରର ମାନ୍ୟତା ଦିଅନ୍ତି ନାହିଁ ।
ଯାହା ହେଉ ନା କାହିଁକି, ଓଡ଼ିଆ ଭାଷାର ପ୍ରଥମ ଚଳଚ୍ଚିତ୍ର ପ୍ରସ୍ତୁତି ବାବଦରେ କାମପାଳ ମିଶ୍ରଙ୍କ ନିଷ୍ଠା ଓ ଅଧ୍ୟବସାୟ, ପ୍ରିୟନାଥ ଗାଙ୍ଗୁଲିଙ୍କ ତ୍ୟାଗ ଏବଂ ମୋହନ ସୁନ୍ଦରଦେବଙ୍କ ଅକ୍ଳାନ୍ତ ପରିଶ୍ରମ ନିଶ୍ଚିତ ଭାବରେ ସ୍ବୀକାର୍ଯ୍ୟ ।
Spread the love
admin

Recent Posts

ଶାମ୍ବ ଦଶମୀ

~ ଶାମ୍ବ ଦଶମୀ ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ପଞ୍ଚଦେବଙ୍କ ମଧ୍ୟରେ ଅନ୍ୟତମ ଦିନମଣି ଦିବାକରଙ୍କ ଉପାସନାର ପାବନ ଅବସର…

1 day ago

ଖୁଦୁରୁକୁଣୀ ପଟି

~ ଖୁଦୁରୁକୁଣୀ ଓଷାର ନିଆରା ପରମ୍ପରା ଖୁଦୁରୁକୁଣୀ ପଟି ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଆ ଘରେ ବର୍ଷର ବିଭିନ୍ନ…

4 days ago

ବଡ଼ମ୍ବାର ଜଗନ୍ନାଥ ମନ୍ଦିର

~ ବଡ଼ମ୍ବାର ଜଗନ୍ନାଥ ମନ୍ଦିର ~ ଉପସ୍ଥାପକ:  ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଶାର ସଂସ୍କୃତି, ପରମ୍ପରା, ଲୋକବିଶ୍ୱାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ…

5 days ago

ଶ୍ରୀକ୍ଷେତ୍ରରେ ଗଣେଶ ପୂଜା

~ ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ~ ଉପସ୍ଥାପକ: ଶ୍ରୀ ଦୁର୍ଗାମାଧବ ମହାନ୍ତି ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ। ନିର୍ବିଘ୍ନମ୍…

5 days ago

ଝୁଲଣ ଯାତ୍ରା

~ ଝୁଲଣ ଯାତ୍ରା ~ ଉପସ୍ଥାପକ: ଦୁର୍ଗାମାଧବ ମହାନ୍ତି ଚଳିତ ବର୍ଷ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଝୁଲଣ ଯାତ୍ରା…

5 days ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ସପ୍ତମ ପର୍ବ) ~ ୨୨ ଜୁନ ୨୦୨୫: ଆମ ମାଟିର ଅଗଣିତ ପ୍ରେରଣାପ୍ରଦ…

5 days ago