ଲେଖା: ସୁବ୍ରତ କୁମାର ନାୟକ

ପ୍ରତି ମଣିଷ ନୂଆକରି ପୃଥିବୀକୁ ଅତିଥି ହୋଇ ଆସିଥିବା ସମୟରେ ତା’ର ପ୍ରଥମ ଶିକ୍ଷକ ମା’। ମା’ର ଭାଷା ମାତୃଭାଷା। ସମସ୍ତଙ୍କ ପରିଚୟର ମୂଳ ଯଦି ଖୋଜାଯାଏ, ତା’ର ମାତୃଭାଷାରେ ହିଁ ତା’ର ପରିଚୟ ମିଳିଯାଇଥାଏ। ମାତୃଭୂମି ପରି ମାତୃଭାଷା ପାଇଁ ମଧ୍ୟ ଏ ବିଶ୍ୱ ଅନେକ ଲଢ଼େଇ ମଧ୍ୟ ଦେଖିଛି। ଏହାର ଅନେକ ଉଦାହରଣ ରହିଥିବାବେଳେ ଫେବୃଆରୀ ୨୧ ସାରା ବିଶ୍ୱ ପାଳିଥାଏ ଅନ୍ତର୍ଜାତୀୟ ମାତୃଭାଷା ଦିବସ। ୧୯୫୨ ମସିହା ଫେବୃଆରୀ ୨୧ ତାରିଖରେ ପୂର୍ବବଙ୍ଗ (ବର୍ତ୍ତମାନର ବାଂଲାଦେଶ)ର କଲେଜ୍‌ ପଢ଼ୁଆ ଛାତ୍ରମାନେ ଉର୍ଦ୍ଦୁ ବଦଳରେ ବଙ୍ଗଳାକୁ ଜାତୀୟ ଭାଷା କରିବା ଦାବିରେ ଆନ୍ଦୋଳନ କରିଥିଲେ। ପୁଲିସ୍‌ ଗୁଳିରେ ଜୀବନ ଦେଇଥିବା ଏହି ଛାତ୍ରଙ୍କ ବଳିଦାନକୁ ସମ୍ମାନ ଜଣାଇ ମିଳିତ ଜାତିସଂଘ ଫେବୃଆରୀ ୨୧କୁ ମାତୃଭାଷା ଦିବସ ଭାବେ ପାଳନ କରୁଛି।

ତେବେ ଓଡ଼ିଶାର ଭାଷା ଆନ୍ଦୋଳନ ଏହାଠାରୁ ଆହୁରି ପୂରୁଣା। ଏହି ରାଜ୍ୟ ଭାଷା ଭିତ୍ତିରେ ହିଁ ଗଠିତ। ୧୯୩୬ ଏପ୍ରିଲ ୧ରେ ଏହି ସ୍ୱତନ୍ତ୍ର ରାଜ୍ୟ ଗଠିତ ହୋଇଥିବା ଆମେ ସମସ୍ତେ ଜାଣୁ। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ପାରଳା ରାଜା କୃଷ୍ଣଚନ୍ଦ୍ର ଗଜପତି, କର୍ମବୀର ଗୌରୀଶଙ୍କର ରାୟ, କବିବର ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ, ପଲ୍ଲୀକବି ନନ୍ଦକିଶୋର ବଳ ଏବଂ ସ୍ୱଭାବକବି ଗଙ୍ଗାଧର ମେହେର ଆଦିଙ୍କ ଯୋଗଦାନ ଆଜିବି ଅଭୁଲା। ଏହି ଓଡ଼ିଆପ୍ରାଣଙ୍କ ଦ୍ୱାରା ଗଠିତ ‘ଉତ୍କଳ ସମ୍ମିଳନୀ’ର ଲଢ଼େଇ ପରେ ସ୍ୱତନ୍ତ୍ର ରାଜ୍ୟ ଉତ୍କଳ ବା ଓଡ଼ିଶାର ଗଠନ ସମ୍ଭବପର ହେଲା ସତ, ମାତୃଭାଷାର ଲଢ଼େଇ ଆଜି ମଧ୍ୟ ଜାରି ରହିଛି। ‘ଉଡ଼ିଆ ଏକ୍‌ଟା ସ୍ୱତନ୍ତ୍ର ଭାଷା ନଏ’ଠାରୁ ଆରମ୍ଭ କରି ଆଜି ଆମେ ‘ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା’ ସ୍ଥାନରେ ପହଞ୍ଚି ସାରିଛୁ। ସମ୍ବିଧାନ ଏହାକୁ ସ୍ୱୀକାର କରିବା ସହ ଓଡ଼ିଆ ଲିପିରେ ଏଖିତ ପୋଥି ପୁରାଣର ସଂଖ୍ୟା ଓ ମାନ ଆଜି ବିଶ୍ୱ ଜାଣୁଛି। ଦିନେ ଯାହାକୁ ବଙ୍ଗଳା ଭାଷାର ଉପଭାଷା କୁହାଯିବାର ଦୁଃସାହସ କରାଯାଉଥିଲା ପରେ ସେହି ଭାଷାର ଆଧାରରେ ହିଁ ଭାରତବର୍ଷର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଠିତ ହୋଇଥିଲା।  ଏହାପରେ ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ସହ ଭାଷା ବଞ୍ଚାଇବା ପାଇଁ ବିଭିନ୍ନ ନୀତି ନିୟମ ଆସିଛି ।

ତେବେ ମହାନ ମନିଷୀଙ୍କ ପରିକଳ୍ପିତ ମାର୍ଗରେ ଆମେ କେତେ ଯାଇଛେ ତାହା ଆଜି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଭାଷାକୁ ଅଧିକାର ମିଳିଯାଇଛି ସତ, ଏହି ଭାଷା କହୁଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ସାରା ରାଜ୍ୟରେ ହିନ୍ଦୀର ପ୍ରାବଲ୍ୟ ବ୍ୟବହାର ଦେଖିବାକୁ ମିଳୁଥିବାବେଳେ ଅନ୍ୟ କେଉଁଠି ଅନ୍ୟ କିଛି ଭାଷା ଓଡ଼ିଆର ସ୍ଥାନ ନେବାକୁ ବସିଲାଣି। କିଛି ଲୋକ ହୁଏତ ଏହାକୁ ହିଁ ଉଦାରବାଦ କହିପାରନ୍ତି ଏବଂ ଅନ୍ୟ ଭାଷାର ବ୍ୟବହାର ଅଧିକ ହେଉଥିବା କହିବାକୁ ରକ୍ଷଣଶୀଳତା କହିପାରନ୍ତି। କିନ୍ତୁ ବେଳହୁଁ ସାବଧାନ ନହେଲେ ଯେ, ଏହା ମାତୃଭାଷା ପ୍ରତି ବିପଦ ସାବ୍ୟସ୍ତ ନହେବ କିଏ କହିବ। ଏହା ବ୍ୟତୀତ ଭାଷା ଭିତ୍ତିରେ ଗଠିତ ଏକ ରାଜ୍ୟରେ ଭାଷାଟି ଯେ ଅସ୍ତିତ୍ୱ ପାଇଁ ସଂଘର୍ଷ କରିବ ତାହା ଦୁଃଖଦାୟକ ନିଶ୍ଚୟ।

ମାତୃଭାଷାର ଗୁରୁତ୍ୱ ବାବଦରେ ମହାତ୍ମା ଗାନ୍ଧିଙ୍କର ଏକ ଉଦାହରଣ ଏଠାରେ ଦିଆଯାଇପାରେ। ୧୯୨୧ ମସିହା ମାର୍ଚ୍ଚ ୨୩ରେ କାଠଯୋଡ଼ି ପଠାରେ ଏକ ସଭାରେ ଗାନ୍ଧି ଯୋଗଦେଇଥା’ନ୍ତି। ଗାନ୍ଧିଙ୍କ ବିଚାରକୁ ବିରୋଧ କରୁଥିବା ବହୁତ ଲୋକ ମଧ୍ୟ କଳା ପତାକା ନେଇ ସେ ସ୍ଥାନକୁ ଆସିଥା’ନ୍ତି। ସେହି ସଭାରେ ଶ୍ରୋତାମଣ୍ଡଳୀରୁ ଜଣେ ପଚାରିଥିଲେ, ଆପଣ ଇଂରାଜୀ ଭାଷାରେ ଶିକ୍ଷିତ, ନିଜେ ଜଣେ ବାରିଷ୍ଟର। ପୂର୍ବରୁ ରାଜା ରାମମୋହନ ରାୟ ବିଦେଶ ଯାଇ ଇଂରାଜୀ ଭାଷାରେ ପାଠ ପଢ଼ି ପରିବର୍ତ୍ତନର କଥା ସଂଚାର କରିଥିଲେ। ବାଲଗଙ୍ଗାଧର ତିଲକ ମଧ୍ୟ ଇଂରାଜୀ ଭାଷାରେ ଶିକ୍ଷିତ। ଆପଣମାନେ ଯେଉଁ ଉଚ୍ଚକୁ ଯାଇଛନ୍ତି ତାହା କେବଳ ସେହି ଭାଷା କାରଣରୁ ସମ୍ଭବ ହୋଇଛି। ତେଣୁ ଇଂରାଜୀ ଭାଷାରେ ଶିକ୍ଷା ଦିଆଯିବା ଉଚିତ କି ନା ଜଣାଇବାକୁ ଗାନ୍ଧିଙ୍କୁ ସେହି ଶ୍ରୋତା ପ୍ରଶ୍ନ କରିଥିଲେ। ଗାନ୍ଧିଜୀ କହିଥିଲେ, ମୁଁ ମାନୁଛି ତିଲକ ମହୋଦୟ ଏବଂ ରାଜା ରାମମୋହନ ରାୟ ଇଂରାଜୀରେ ପାଠ ପଢ଼ି କିଛି ସଫଳତା ଅର୍ଜନ କରିଛନ୍ତି। କିନ୍ତୁ ଗୁରୁ ନାନକ, ଚୈତନ୍ୟ, ଶଙ୍କର ଏବଂ କବୀରଙ୍କ କଥା ଯଦି କୁହାଯାଏ ଏମାନେ କେହି ମଧ୍ୟ ଇଂରାଜୀରେ ପଢ଼ିବା ଆବଶ୍ୟକ ପଡ଼ିନଥିଲା। ତିଲକ, ରାଜା ରାମମୋହନ ରାୟ ଏବଂ ଏପରିକି ମୁଁ ଯଦି ନିଜ ଭାଷାରେ ଅଧ୍ୟୟନ କରିଥା’ନ୍ତୁ ଆହୁରି ଉଚ୍ଚକୁ ଯାଇପାରିଥା’ନ୍ତୁ। କାରଣ ବିଦ୍ୟାର ଅସଲ ଉଦ୍ଦେଶ୍ୟ ହେଉଛି ଭିତରର କଥାକୁ ବାହାରର କଥା ସହ ଯୋଡ଼ି ନିଜକୁ ଜାଗରିତ କରିବା। ଯେତେବେଳେ ଆମେ ନିଜ ଭାଷାଠାରୁ ଦୂରେଇ ଯାଉ ଆମ ଭିତରର କଥାକୁ ବାହାର ଦୁନିଆ ସହ ଯୋଡ଼ିବାରେ ସମସ୍ୟା ଭୋଗ କରୁ।

ଓଡ଼ିଆରେ ଲିଖିତ ତଥା କାଳଜୟୀ ସାବ୍ୟସ୍ତ ହୋଇଥିବା ଦୁଇଟି କବିତା ମଧ୍ୟ ଏଠାରେ ସ୍ମରଣ କରିବା ଉଚିତ ହେବ। ସ୍ୱଭାବକବି ଗଙ୍ଗାଧର ମେହେର ଲିଖିତ,
‘ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ,
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ’ ଉକ୍ତି ଆଜି ବି ଉଦାହରଣ ପାଲଟେ। ସେହିଭଳି ଭକ୍ତକବି ମଧୁସୂଦନ ରାଓ ଲେଖିଥିଲେ,
‘ମାତୃଭୂମି ମାତୃଭାଷା ଉଭୟେ ଜନନୀ,
ସେବି ତାଙ୍କୁ ଭକ୍ତିଭରେ ଦିବସ ରଜନୀ।’

ଭାଷା ହଜିଯାଉଛି ହଜିଯାଉଛି କହିଲେ ମଧ୍ୟ ଭାଷା ବଞ୍ଚିବ ବୋଲି ଭାବିବା ଭୁଲ ହେବ। ବର୍ତ୍ତମାନ ଉର୍ଦ୍ଦୁ, ଇଂରାଜୀ ଏବଂ ସର୍ବୋପରି ହିନ୍ଦୀ ଶବ୍ଦଗୁଡ଼ିକ ଏତେ ବ୍ୟବହାର ହେଉଛି। କିନ୍ତୁ ଏସବୁ ଶବ୍ଦ ଓଠରେ ବାଜିଲେ ପାପବୋଧ ହେଉନାହିଁ। ଠିକ୍‌ ସେହି ସମୟରେ ସମ୍ବଲପୁର, ବାଲେଶ୍ୱର, ଢେଙ୍କାନାଳ, ବ୍ରହ୍ମୁପର, ଏବଂ କୋରାପୁଟିଆ (ଦେଶୀଆ) ଶୈଳୀରେ କେହି କଥା ହେଲେ ଯେଉଁ ଭ୍ରୁକୁଞ୍ଚନ ଆସେ ବା ନାକଟେକା ହୁଏ। ଯଦି ଶବ୍ଦ ଅଭାବ ପଡ଼ୁଛି, ଏସବୁ ଅଞ୍ଚଳର ସ୍ଥାନୀୟ ଶବ୍ଦ ସାହିତ୍ୟ, ଚଳଚ୍ଚିତ୍ର ଏବଂ ଅନ୍ୟ କ୍ଷେତ୍ରରେ ପ୍ରୟୋଗ କରାଯିବାରେ କିଛି ସମସ୍ୟା ଅଛି କି? ଅନ୍ୟପକ୍ଷରେ ଆମ ରାଜ୍ୟ ଆଦିବାସୀ ସଂସ୍କୃତି ସମୃଦ୍ଧ। ଆଦିବାସୀଙ୍କ ନୃତ୍ୟ ଯେତିକି ନିଆରା ସେମାନଙ୍କ ଭାଷାଗୁଡ଼ିକରେ ରହିଥିବା ଶବ୍ଦର ଲାଳିତ୍ୟ ମଧ୍ୟ ମନୋହର। ସେମାନେ ଯେମିତି ଆପଣାର ସେମାନଙ୍କ ଭାଷା ସଂସ୍କୃତି ମଧ୍ୟ ଆମର ଆପଣାର ହୋଇଥିବାରୁ ଆମ ଲିଖିତ (ମାନକ ବୋଲି ନ କହିବା ଠିକ୍‌ ବୋଧହୁଏ) ଏବଂ କଥିତ ଓଡ଼ିଆରେ ପ୍ରୟୋଗ କରିପାରିବାନି କି? ଏହା କରି ପାରିଲେ ଶୈଳୀକୁ ନେଇ ଦ୍ୱନ୍ଦ୍ୱ ବଦଳରେ ଆମ ଭାଷାର ମହାନତା ତଥା ପ୍ରକୃତ ଉଦାରତା ଉଦାହରଣ ପାଲଟିବ।

ଏତଦ୍‌ବ୍ୟତୀତ ଭାଷାର ଉତ୍ଥାନ ପାଇଁ ଆମକୁ ଏହାର ବ୍ୟବହାର ପାଇଁ ଆବେଗ ରଖିବାକୁ ହେବ। ଓଡ଼ିଆ ଭାଷାର ପ୍ରୟୋଗ ବା ବ୍ୟବହାର ଫ୍ରାନ୍ସ ବା ଆମେରିକାର ଲୋକେ ନୁହେଁ, ଏଇଠି ଆମେ କରିବାକୁ ହେବ। ହିନ୍ଦୀ ବା ବଙ୍ଗଳା ଭାଷାରେ ଛପୁଥିବା ପତ୍ରପତ୍ରିକାର ସଂଖ୍ୟା ସହ ଆମର ପତ୍ରପତ୍ରିକାର ତୁଳନା କରି ସକାରାତ୍ମକ ପ୍ରତିଯୋଗୀତାରେ ଓହ୍ଲାଇବାକୁ ହେବ। ଆମେ କେତେ ଓଡ଼ିଆ ପଢ଼ୁଛେ ଓ ପଢ଼ାଉଛେ ବୋଲି ନିଜକୁ ପଚାରିବାକୁ ହେବ। ଏହାପରେ ସୀମା ସେପାଖେ ରହୁଥିବା ଓଡ଼ିଆ ପ୍ରାଣଙ୍କ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ।

Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

4 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

4 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

5 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago