ଲେଖା: ଇଂ ବିଜୟ କେତନ ସାହୁ

~ ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ – ଏକ ଦୃଷ୍ଟିପାତ (Part 1) ~

ଓଡିଶା ଜନଜୀବନର ପ୍ରାଣନ ସଙ୍ଗୀତ ଓଡ଼ିଆ ଭାଗବତ। ପ୍ରତିଟି ଓଡ଼ିଆର ପ୍ରାଣର ଆବେଗତା ଭରି ରହିଛି ଏଇ ଭାଗବତରେ। ଅତିବଡି ଜଗନ୍ନାଥ ଦାସଙ୍କର ଏଇ ଭାଗବତ କେବଳ ଏକ ପୌରାଣିକ ଗଳ୍ପ ସମନ୍ବିତ ରଚନା ନୁହେଁ ବରଂ ଏକ ଆନ୍ଦୋଳନ। କଳିତଲଳିତ ପଦାବଳୀ, ଅପୂର୍ବ ଛନ୍ଦମାଧୂରୀ ତଥା ସର୍ବୋପରି ପବିତ୍ର ପ୍ରେମଭକ୍ତିର ମାଧୂର୍ଯ୍ୟତା, ସରଳ ଓଡ଼ିଆର ନିଷ୍ପାପ ମନରେ ଯେଉଁ ଧାର୍ମିକ ଆନ୍ଦୋଳନ ସୃଷ୍ଟି କରିଛି ତାହାରି ଫଳସ୍ୱରୂପ ଉତ୍କଳର ପ୍ରତିଟି ଗ୍ରାମରେ ସୃଷ୍ଟି ହୋଇଛି ଭାଗବତଟୁଙ୍ଗି। ଷୋଢ଼ଶ ଶତାବ୍ଦୀ ଠାରୁ ଅଦ୍ୟାବଧି ଏହି ଭାଗବତଟୁଙ୍ଗି ହୋଇଛି ଓଡିଶା ଗଣଜୀବନର ଧାର୍ମିକ ତଥା ସାଂସ୍କୃତିକ ପଥ ପ୍ରଦର୍ଶକ। ଜୀବନର ଅନ୍ତିମ କ୍ଷଣର ପ୍ରୟାଣ ସମୟରେ ଭାଗବତ ବର୍ଣ୍ଣିତ “ହା! କୃଷ୍ଣ ବୋଲି ଜୀବ ଯାଉ” ଆତ୍ମାକୁ ପରମାତ୍ମାଙ୍କ ସହିତ ମିଳନ କରାଏ।

ପବିତ୍ର ଭାଗବତରେ ରହିଛି ନିର୍ମଳ ଓଡ଼ିଆ ମନର ସମସ୍ତ ଆଶା, ବିଶ୍ୱାସ, ଭକ୍ତି ଓ ମୋକ୍ଷ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନିର୍ମାଲ୍ୟ କଣିକା, ପବିତ୍ର ନାମ ସଂକୀର୍ତ୍ତନ, ତଥା ଅତିବଡି ଜଗନ୍ନାଥ ଦାସଙ୍କ ରଚିତ ପବିତ୍ର ଭାଗବତର ଅମୃତମୟ ପଦାବଳୀ ହିଁ  ଓଡ଼ିଆ ଜୀବନର ମୁକ୍ତିତୀର୍ଥ

ପରମବୈଷ୍ଣବ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମ ହୁଏ ଇଂରାଜୀ ୧୪୯୨ ମସିହା ଭାଦ୍ରବ ମାସ, ଶୁକ୍ଳପକ୍ଷ, ରାଧାଷ୍ଟମୀ ତିଥିରେ। କଥିତ ଅଛି ଯେ, ଅତିବଡ଼ି ଜଗନ୍ନାଥ ଦାସ ଥିଲେ ଶ୍ରୀରାଧାଙ୍କ ଅଂଶାବତାର। ପ୍ରେମମୟ ପ୍ରଭୁ ପରମପୁରୁଷ ଶ୍ରୀକୃଷ୍ଣଚନ୍ଦ୍ରଙ୍କ ଅନ୍ତରଙ୍ଗା ଶକ୍ତି ହେଉଛନ୍ତି ପରମା ପ୍ରକୃତି ଶ୍ରୀରାଧା। ଉତ୍କଳୀୟ ବୈଷ୍ଣବ ଶାସ୍ତ୍ର କହେ, ଏଇ ପ୍ରେମମୟୀ ଶ୍ରୀରାଧାଙ୍କ ମଧୁର ହାସ୍ୟରୁ ଭକ୍ତକବି ଜଗନ୍ନାଥ ସୃଷ୍ଟି ହୋଇ ମର୍ତ୍ତ୍ୟକୁ ଅବତରିତ ହୋଇଥିଲେ। ପୁଣ୍ୟ ରାଧାଷ୍ଟମୀ ତିଥିରେ ଜଗନ୍ନାଥ ଦାସଙ୍କ ଜନ୍ମଗ୍ରହଣ ତଥା ପରବର୍ତ୍ତୀ ଜୀବନରେ ସ୍ୱୟଂ ଶ୍ରୀକୃଷ୍ଣଙ୍କ ପ୍ରେମାବତାର ମହାପ୍ରଭୁ ଶ୍ରୀଚୈତନ୍ୟଙ୍କ ଅନ୍ତରଙ୍ଗ ସଖା ରୁପରେ ତାଙ୍କର ମାନବୀୟ ଲୀଳା ଏଇ ସତ୍ୟକୁ ପ୍ରତିପାଦନ କରେ।


ଜଗନ୍ନାଥଙ୍କ ପିତାଙ୍କ ନାମ ଥିଲା ଭଗବାନ ଦାସ ଓ ମାତାଙ୍କ ନାମ ଥିଲା ପଦ୍ମାବତୀ।  ତାଙ୍କ ପିତା ପୁରାଣ-ପଣ୍ଡା ଉପାଧୀ ତତ୍କାଳୀନ ଉତ୍କଳର ମହାରାଜା ଗଜପତି ପ୍ରତାପରୁଦ୍ରଦେବଙ୍କ ଠାରୁ ପ୍ରାପ୍ତ ହୋଇଥିଲେ କାରଣ ସେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ପ୍ରତ୍ୟହ ପୁରାଣ ପାଠ କରୁଥିଲେ। ପିତାଙ୍କ ପ୍ରଭାବରେ ଜଗନ୍ନାଥ ଅନେକ ପୁରାଣ ଅଧ୍ୟୟନ କରି ମାତ୍ର ତରୁଣ ବୟସରେ ଅସମ୍ଭବ ପାଣ୍ଡିତ୍ୟ ଅର୍ଜନ କରିଥିଲେ।

ଉଭୟ ସଂସ୍କୃତ ଓ ଓଡ଼ିଆ ଭାଷାରେ ପ୍ରବୀଣ ଥିଲେ ଜଗନ୍ନାଥ। ପିତୃବିୟୋଗ ପରେ ସଂସାରର ମୋହମାୟା ପ୍ରତି ସେ ବୀତସ୍ପୃହ ହୋଇପଡିଥିଲେ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଚରଣରେ ମନୋନିବେଶ କରି ସେ ରଚନା କରିଥିଲେ ଓଡ଼ିଆ ଜାତିର କାଳଜୟୀ ଗ୍ରନ୍ଥ “ଓଡ଼ିଆ ଭାଗବତ”। ଓଡ଼ିଆ ଭାଗବତ ମୌଳିକ ସଂସ୍କୃତ ଭାଷାର  ଏକ ଆକ୍ଷରିକ ଅନୁବାଦ ନୁହେଁ ବରଂ ଏକ ଭାବାନୂବାଦିତ ଗ୍ରନ୍ଥ

କୁହାଯାଏ ଯେ, ଜଗନ୍ନାଥଙ୍କ ନିରକ୍ଷରା ମାତା ସଂସ୍କୃତ ଭାଗବତ ବୁଝିବାକୁ ଅସମର୍ଥ ଥିଲେ। ସୁତରାଂ ପୁତ୍ର ଜଗନ୍ନାଥଙ୍କ ନିକଟରେ ଏହାର ଓଡ଼ିଆ ଭାଵାର୍ଥ ଶୁଣିବାକୁ ଇଛା ପ୍ରକାଶ କରିଥିଲେ। ମାତାଙ୍କ ଇଚ୍ଛାକୁ ସାକାର ରୂପ ଦେବାକୁ ଯାଇ ସେ ଯେଉଁ ଅମୃତମୟ ଭକ୍ତିପୂର୍ଣ୍ଣ ସୁରମ୍ୟ ରଚନା କରିଥିଲେ ତାହା ହେଉଛି ଏଇ ଓଡ଼ିଆ ଭାଗବତ। ସମଗ୍ର ଭାରତବର୍ଷରେ ପ୍ରାନ୍ତୀୟ ବା ପ୍ରାକୃତ ଭାଷାରେ ରଚିତ ପ୍ରଥମ ମହାପୁରାଣ ହେଉଛି “ଓଡ଼ିଆ ଭାଗବତ”, ପୂନଶ୍ଚ ସମଗ୍ର ଭାରତରେ ପ୍ରାନ୍ତୀୟ ଭାଷାରେ ରଚିତ କେବଳ ଦୁଇଟି ଗ୍ରନ୍ଥ ହିଁ ମହାପୁରାଣର ଆଖ୍ୟା ପାଇବାକୁ ଯୋଗ୍ୟ, ଯଥା, ହିନ୍ଦୀ ଭାଷାରେ ଶ୍ରୀରାମଭକ୍ତ ତୁଳସୀ ଦାସଙ୍କ ରଚିତ “ରାମଚରିତ  ମାନସ” ଓ ଅନ୍ୟଟି ହେଉଛି ଉତ୍କଳ ଭାଷାରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ “ଶ୍ରୀମଦ୍ ଭାଗବତ”

ଉତ୍କଳ ସଂସ୍କୃତିର ଆତ୍ମନେପଦୀ, ଓଡ଼ିଆ ଜାତିର ଅସ୍ମିତା, କଳିଙ୍ଗ ଭୂଖଣ୍ଡର ସ୍ୱାଭିମାନ, ଓଡିଶା ମାଟିର ଗର୍ବ-ଗୌରବ ଏଇ ଆମ ପବିତ୍ର ଭାଗବତ . .

#ହିରଣ୍ୟଗର୍ଭା

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago