ଲେଖା: ଦେଵ ତ୍ରିପାଠୀ
ମହାନ କବି, ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ସଂଗୀତ ନିର୍ଦ୍ଦେଶକ ତଥା ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନସୁନ୍ଦର ଦେବ ଗୋସାଇଁ (ଲୋକମୁଖରେ ମୋହନ ଗୋସାଇଁ ଭାବରେ ପରିଚିତ)ଙ୍କ ଜନ୍ମତିଥିରେ (୧୮୯୨ ମସିହା ଅଗଷ୍ଟ ୮/ପ୍ରକାରାନ୍ତରେ ଅଗଷ୍ଟ ୭) ଅନ୍ତରଙ୍ଗ କଳିଙ୍ଗ ତାଙ୍କର ସ୍ମୃତିଚାରଣ କରୁଛି I
ପୁରୀରେ ଜନ୍ମଗ୍ରହଣ କରିଥିବା ଏହି ମହାନ କଳାପ୍ରେମୀ ଥିଲେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର “ସୀତାବିବାହ“ର ନିର୍ଦ୍ଦେଶକ, ପ୍ରଯୋଜକ ତଥା ଅଭିନେତା । ବିଚିତ୍ର ରାମାୟଣର କଥାବସ୍ତୁକୁ ନେଇ ନାଟ୍ୟକାର କାମପାଳ ମିଶ୍ର କଳ୍ପନା କରିଥିଲେ ସୀତାବିବାହର ପୃଷ୍ଠଭୂମି । ମୋହନ ସୁନ୍ଦର ଏ ଚଳଚ୍ଚିତ୍ରରେ ବିଶ୍ଵାମିତ୍ରଙ୍କ ଭୂମିକା ନିର୍ବାହ ସହିତ ସଂଯୋଜନାର ଦାୟିତ୍ଵ ଗ୍ରହଣ କରିଥିଲେ । ବହୁ ପ୍ରତିକୂଳ ପରିସ୍ଥିତିରେ ୧୯୩୬ ମସିହାରେ ଓଡ଼ିଶାରେ ସିନେମା କରିବାର ସ୍ବପ୍ନ ଦେଖି ତାକୁ ଫଳବତୀ କରାଇଥିବା ଏହି କିମ୍ବଦନ୍ତୀ ପୁରୁଷ ଆମ ସାଂସ୍କୃତିକ ଜଗତର ଏକ ଚିରସ୍ମରଣୀୟ ବ୍ୟକ୍ତିତ୍ଵ ।
ଚଳଚ୍ଚିତ୍ର ବ୍ୟତୀତ ସେ ରାସ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ କଳା ସଂସ୍କୃତିକୁ ବହୁଳ ପ୍ରଚାର ପ୍ରସାର କରିଥିଲେ ।
ପିଲାବେଳୁ ସଙ୍ଗୀତ ଓ ନାଟକ ପ୍ରତି ଆକର୍ଷିତ ଥିବା ମୋହନ ଗୋସ୍ବାମୀ ହାରମୋନିୟମ୍, ପଖୌଜ, ଯୋଡ଼ିନାଗରା, ମୃଦଙ୍ଗ ଇତ୍ୟାଦି ବିଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର ବଜାଇବାରେ ସିଦ୍ଧହସ୍ତ ଥିଲେ, ବିଶ୍ୱାସ କରାଯାଏ ଯେ ୨୭ ପ୍ରକାରର ବଜାଇ ପାରୁଥିଲେ ସେ ।
ମୋହନ ଗୋସେଇଁ ଥିଲେ ବିଂଶ ଶତାବ୍ଦୀରେ ଓଡ଼ିଶାରେ ରାସର ପ୍ରଧାନ ପ୍ରବର୍ତ୍ତକ । ଅତ୍ୟନ୍ତ ଲୋକପ୍ରିୟ ମୋହନ ଗୋସ୍ୱାମୀଙ୍କ ରାସଦଳ ପ୍ରାଚୀନ କବିମାନଙ୍କ କୃତ ଚଉପଦୀ, ଛାନ୍ଦ, ଜଣାଣ ଇତ୍ୟାଦି ସଙ୍ଗେ ସଙ୍ଗେ ପାରମ୍ପରିକ ଢଙ୍ଗରେ ଲିଖିତ ଆଧୁନିକ ରଚନା ମଧ୍ୟ ପ୍ରୟୋଗ କରୁଥିଲେ । ମୋହନ ସୁନ୍ଦର ନିଜେ ମଧ୍ୟ ଅନେକ ଛୋଟ ଛୋଟ ଗୀତ ଲେଖି ଉପଯୁକ୍ତ ସ୍ଥାନଗୁଡ଼ିକରେ ଖଞ୍ଜି ପରିବେଷଣକୁ ଅଧିକ ରସାଳ କରିପାରୁଥିଲେ ।
ରାସ ଆରମ୍ଭ ପୂର୍ବରୁ ମଞ୍ଚ ଉପରେ ଗୋସାଇଁଙ୍କର ରାସତତ୍ତ୍ୱ ପର୍ଯ୍ୟାଲୋଚନା ଏବଂ ଆରମ୍ଭରେ ଅଭିନେତା ବାଳକ ବାଳିକାମାନଙ୍କର ବୃନ୍ଦାବତୀ ଗହଣରେ କୀର୍ତ୍ତନ । ସରଳ ଭାଷା, ସୁନ୍ଦର ଉପସ୍ଥାପନା ଶୈଳୀ ଏବଂ ନିଚ୍ଛକ ପାରମ୍ପରିକ ସଙ୍ଗୀତ ପ୍ରୟୋଗ ଯୋଗୁଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ରାସ ଓଡ଼ିଶାବାସୀଙ୍କର ବେଶ ଆଦରର ପାତ୍ର ହୋଇପାରିଥିଲା ।
ଏତଦବ୍ୟତୀତ ମୋହନ ସୁନ୍ଦର ୨୫ଟି ନୃତ୍ୟ ନାଟିକା ରଚନା କରିଥିଲେ । ଏହି କୃତବିଦ୍ୟ ଯୋଗଜନ୍ମାଙ୍କ ମହାନ ଅବଦାନକୁ ସମ୍ମାନ ଜଣାଇ ଓଡ଼ିଆ ଚଳଚ୍ଚିତ୍ର ଜଗତରେ “ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର” ପ୍ରବର୍ତ୍ତନ କରାଯାଇଛି I
୧୯୪୮ ମସିହା ଜାନୁଆରୀ ୧୧ ତାରିଖରେ ଏହି ମହାନ କଳାସାଧକ ଇହଲୀଳା ସମ୍ବରଣ କରିଥିଲେ ।
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…