~ ଉଦବୋଧନ ~
ଲେଖା: ଅମୃତେଶ ଖଟୁଆ
ସ୍ଵଭାବକବି ଗଙ୍ଗାଧର ମେହେର ନିଜ ମଧ୍ୟରେ ଜଣେ ଐଶୀପ୍ରେରଣାର ସ୍ଵତଃ ନିଃସୃତ ହୋଇଥିବା ଉତ୍ସ ସଦୃଶ ଅନିବାର ଓଡ଼ିଆ ସାହିତ୍ୟର ବିଭୋର ସାଗରରେ ଅବଗାହନ କରି ସେ ସଂଗ୍ରହ କରି ଆମ୍ଭମାନଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି ଅସଂଖ୍ୟ ଚରିତ୍ରମାନଙ୍କ ରୂପରେ ଆମ ଜାତୀୟ ଐଶ୍ଵର୍ଯ୍ୟ । ସର୍ବଦା କବି ନିମନ୍ତେ ଆବଶ୍ୟକ ଯେଉଁ ଭାବମଧୁର ସୁଧାର ରସାସ୍ଵାଦନ ଓ ତଜ୍ଜନିତ ଆନନ୍ଦର ମହିମାମୟ ପରିବେଶ ସୃଷ୍ଟି, ଏହି ଉଭୟର ଏକତମ ବିଜ୍ଞାନୀ ରୂପେ ସମସାମୟିକ ସାହିତ୍ୟିକବୃନ୍ଦଙ୍କ ସମାଦର ଲାଭ କରିଛନ୍ତି ।
ଯେତେ ଧରଣର ସୌନ୍ଦର୍ଯ୍ୟକୁ ନେଇ ସଂସାର ଏକ ଶିଳ୍ପର ତୂଳିକା ମଧ୍ୟରେ ସ୍ଥାନ ପାଏ, ତନ୍ମଧ୍ୟରେ କବି ହେଉଛି ସେହି ଶିଳ୍ପୀର ପାର୍ଥିବ ପରିଚୟ । ସେ ନିଜ ପୃଥିବୀ ବାସିନ୍ଦାଙ୍କ ନିକଟରେ ଅନନ୍ୟ ହୋଇ ପ୍ରକାଶିତ ହୁଏ । ଅପରପକ୍ଷରେ ସେହି ସୌନ୍ଦର୍ଯ୍ୟ ଯେତେବେଳେ ତାହାର ଅନ୍ତଃକରଣରେ ହିଁ ବିଦ୍ୟମାନ ଥାଏ, ତେବେ ତାହା ବରଂ ପୃଥ୍ଵୀର ମୂଲ୍ୟବୋଧ ଓ ଶୋଭାମୟ ସାରବତ୍ତାକୁ ଅଧିକତର ଆହରଣ କରେ । ନିରନ୍ତର କବିର ମହାନୁଭବତା ହିଁ ତାହାକୁ ଏଥିରେ ଉଦ୍ୟତ କରାଇଚାଲେ ।
ଆନନ୍ଦ ପ୍ରଦାନ କରିବା ସେହି ପରି ଜଣେ କବିର ଲକ୍ଷ୍ୟ । ସେ କଳାଜୀବୀ । ଏହି ସୃଷ୍ଟି ମୂଳରେ କବିର ଯଦି ସୌନ୍ଦର୍ଯ୍ୟ ଚେତନାକୁ ଅନୁଭୂତିର ପ୍ରାପ୍ତି ସକାଶେ ଉତ୍ତମ କଳାର ବିକାଶ ନାହିଁ, ତେବେ ସେଠାରେ ସୌନ୍ଦର୍ଯ୍ୟର କିଅବା ଆବଶ୍ୟକତା ପୁଣି ? ତେବେ, ତାହା ତ ନଶ୍ବର ରୂପର ନାମମାତ୍ର ଆଡ଼ମ୍ବର ବୋଲି ଲୋକମାନଙ୍କ ଧାରଣାର ବଶବର୍ତ୍ତୀ ହୋଇ ଏକ ନ୍ୟୂନ ସ୍ଵାର୍ଥରେ ଉପବିଷ୍ଟ ହୁଏ । କବିମାନେ ତେଣୁ ସଚେତନ ଯେ ଏହାଠାରୁ ଊର୍ଦ୍ଧ୍ଵରେ ଗତି କରି ନିଗୂଢ ଆନନ୍ଦର ପରିଣାମରେ କଳାର ସେହି ପ୍ରଚ୍ଛନ୍ନ ଉତ୍ସର ସନ୍ଧାନ ଲାଭ କରିବ ।
ଅଥଚ ସୃଷ୍ଟି ପର୍ଯ୍ୟାୟରେ ମାନବ ଜୀବନ ଯେ ନାନା ଜଟିଳ ସ୍ଥିତିର ସମ୍ମୁଖୀନ ହେଉଛି, ଏଥିରେ ତାହା ଲାଗି ସୌନ୍ଦର୍ଯ୍ୟର ସନ୍ଧାନ କେତେ ସାଧିତ ହୋଇପାରୁଛି । କେବଳ ଜୀବନ ଧାରଣ ନୁହେଁ – ମାନବିକ ସମାଜ, ରାଷ୍ଟ୍ର ଅନୁଷ୍ଠାନ ସକଳ, ଦେଶକାଳ ମଧ୍ୟରେ ମନୁଷ୍ୟର ନାନା ଭାବ, ନାନା ସ୍ବପ୍ନ ଘେନି ଚିର ମଗ୍ନ ରହିଛି । କେତେବେଳେ କେଉଁ ଭାବ, କେଉଁ ଅନୁଭୂତି ପ୍ରବଳ ବା ପ୍ରବଳତର, କ୍ଷୀଣରୁ ପ୍ରବଳ ବା କ୍ଷୀଣତର ହେଉଥାଏ । କେତେବେଳେ କେଉଁ ନୀଡ଼ାଶ୍ରୟୀ ସ୍ଵପ୍ନର ସୁଲଭ ଆଶ୍ରୟ ଘେନି ଚଞ୍ଚଳ ଚିତ୍ତ ହୁଏ ବ୍ୟଗ୍ର ଓ ଉଦ୍ୟତ । ମାତ୍ର, ଏସବୁ ମଧ୍ୟରେ ବିବେକାଧୀନ ମନୁଷ୍ୟ ତଥାପି ନିଜର ଏକ ଆଦର୍ଶ ସତ୍ତାକୁ ନେଇ ସର୍ବଦା ତାହା ଲାଗି ପ୍ରଧାବିତ ।
ସେହି ଶ୍ରେଷ୍ଠ ଅନୁଭୂତି ବା ଆଦର୍ଶ ସତ୍ତା ମଧ୍ୟରେ ଯାବତୀୟ ରୂପବାନ୍, କୁତ୍ସିତ, ରୁଗ୍ଣ, ସୁସ୍ଥ, ଧନୀ, ନିର୍ଦ୍ଧନ ବା ଶ୍ରମିକ, ସମ୍ରାଟ୍ ଶ୍ରେଣୀଙ୍କ ସହାବସ୍ଥିତି ସତ୍ତ୍ଵେ ସର୍ବପ୍ରଥମେ ଆଶାଶୀଳ ଜୀବନର ସାର୍ଥକ ବିକାଶ ହିଁ ପ୍ରଧାନ । ଲକ୍ଷ୍ୟ ପ୍ରତି ତାହାର ଏକ ସ୍ଥିର ଦୃଷ୍ଟିଭଙ୍ଗୀକୁ ନିଜ ମସୃଣ ଚିନ୍ତାଧାରା ବଳରେ ଗଠନ କରି ନାନା ଦିଗରେ ତାହାର ସଜ୍ଜିକରଣ‌ ସକାଶେ ଜାତୀୟ ଭାବନା ସହ ଯୋଗସୂତ୍ର ସ୍ଥାପନ କରେ । କବି ତାହାର ଅନ୍ୟତମ ସୂତ୍ରଧର । ଜନଜୀବନର ବୋଧିବୃକ୍ଷ ଅଧୋଦେଶରେ ସେ ଜଣେ ଜାଗରୁକ ତପସ୍ଵୀ । ଅନ୍ତଃସଲିଳା ଫଲ୍ଗୁର ଧାରା ଦେଇ ସ୍ପର୍ଶ କରିଛି ଅଥଚ ଜାତିର କେତେ ଦାରୁଣ ନିର୍ବେଦ ଓ ବେଦନା । ତେଣୁ, ତାହାରି କୂଳରେ ତାହାର ନିର୍ବାଣ, ତାହାର ନୈତିକ ସିଦ୍ଧି ।
ଅଧିକନ୍ତୁ ଏହି ଅମୃତପ୍ରାପ୍ତି ପୂର୍ବରୁ କବି ନିଶ୍ଚୟ ନିଜ ସମ୍ମୁଖରେ ଲକ୍ଷ୍ୟ କରେ ପ୍ରଥମେ ଏହି ଜନଜୀବନର ଇତରତାକୁ । କାରଣ, ସଙ୍ଘର୍ଷ ଚେତନାରୁ ଆରମ୍ଭ ଉକ୍ତ ଜାତୀୟ ରୋମନ୍ଥନର ଭିତ୍ତି ଏଇଠାରୁ । ଜୀବନର ବାଞ୍ଛିତ ଉନ୍ନୟନ ଲାଗି ସେମାନେ କିପରି ସତ୍ୟର ଯାଚିତ ମୂଲ୍ୟ ପ୍ରଦାନ କରିବା ଲୋଡ଼ା, ଏହା କବି ଗଙ୍ଗାଧରଙ୍କ କବିତ୍ଵର ଅନ୍ୟତମ ବିଭାବ । ସେ ଦରିଦ୍ରତାକୁ ନିଜ ଜୀବନର ପଙ୍କିଳ ପଲ୍ଵଳ ବା ପୁଷ୍କରିଣୀରେ ବିକଶିତ ପଦ୍ମପୁଷ୍ପର ଆବଶ୍ୟକତା ମନେ କରି ତାହାକୁ ପ୍ରଦାନ କଲେ ଶୁଦ୍ଧ ଚେତନାର ସୂର୍ଯ୍ୟକାନ୍ତି । ସତ୍ୟଦ୍ରଷ୍ଟାର ନିଜସ୍ଵ ତେଜଃପୁଞ୍ଜ ଯେ ଦେଶ ବା ଜାତି ନିମନ୍ତେ କେତେ ଉଦ୍ଦୀପନା ଆଣିପାରେ, ତାହା ହିଁ କବିର ସମ୍ପଦ ରୂପେ ବିନିମୟ ହୁଏ ।
ଏହି ତେଜୋରାଶି ହିଁ ବିଶ୍ଵସ୍ତ ଜୀବନର ଜାତୀୟ ସମ୍ଵଳ । ସେହି ସମ୍ଵଳକୁ ଅବଲମ୍ଵନ କରି ମାନବିକ ବିକାଶର ପ୍ରୟୋଜନ ଓ ପରିଣତି ବିଶେଷତଃ ପ୍ରତିଷ୍ଠିତ । ତାହାର ମୂଳରେ ରହିଛି କବିର ଅନବଦ୍ୟ ଅବଦାନ । ଗଙ୍ଗାଧରଙ୍କ କବିତ୍ଵ ମଧ୍ୟରେ ତାହାର ସନ୍ଧାନ କିପରି କରାଯାଇପାରେ ? ଆଲୋଚ୍ୟ ପ୍ରସଙ୍ଗରେ ଡ. ମାୟାଧର ମାନସିଂହ କହିଛନ୍ତି : “ଗଙ୍ଗାଧରଙ୍କ କାବ୍ୟ ସୃଷ୍ଟି ଭିତରେ ଆମେ ତାଙ୍କର ବ୍ୟକ୍ତିତ୍ଵ ସନ୍ଧାନ କେଉଁଠି ପାଉଁ ? ତାହା କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ନାହିଁ । ତାହା ତାଙ୍କ କାବ୍ୟାବଳୀ ଓ କବିତାବଳୀରେ ଓତପ୍ରୋତ ଭାବରେ ମିଶିରହିଛି । ତାହା କାବ୍ୟ ଓ କବିତାର ବିଷୟବସ୍ତୁରେ ନାହିଁ, ଅଛି କବିଙ୍କ ଲେଖନୀରେ, ସେସବୁର ଅନ୍ୟଠାରୁ ବିଭିନ୍ନ ଚିତ୍ରଣରେ, ସେସବୁକୁ କବି କି ଭାବରେ ତାଙ୍କର ନିଜର ଦୃଷ୍ଟିକୋଣରୁ ଦେଖିପାରିଛନ୍ତି ତାହା ଜାଣିବାରେ । ତାଙ୍କ କାବ୍ୟ-କବିତାବଳୀ ସମଗ୍ର ବିଚାର କରି ଦେଖୁଁ ଯେ ଗଙ୍ଗାଧର ବିଦଗ୍ଧ ଶବ୍ଦ ଚିତ୍ରକର ତ ଥିଲେ, ତାହା ଛଡ଼ା ସେ ଥିଲେ ବିଚାରବନ୍ତ, ଦେଶପ୍ରେମୀ, ସମାଜର ସ୍ପଷ୍ଟ ସମାଲୋଚକ, ଉଚ୍ଚକୋଟୀର ନୈତିକ ଆଦର୍ଶବାଦୀ, ସାର୍ବଜନୀନ ମାନବ, ପ୍ରଗତିଶୀଳ ନାଗରିକ ଓ ଈଶ୍ଵରଙ୍କ ବିନୀତ ଭକ୍ତ । ସର୍ବ କ୍ଷେତ୍ରରେ ତାଙ୍କ ଲେଖନୀ ସଂଯତ, ସ୍ଥିତପ୍ରଜ୍ଞ । ତାହା ଯେତିକି ଦରକାର ସେତିକି କହେ, ସତ୍ୟ କଥାଟି କହେ, ଅଥଚ ସୁନ୍ଦର କରି କହେ ।”
ନିକଟ ପରିପ୍ରେକ୍ଷୀରେ ବର୍ତ୍ତମାନ ତାଙ୍କର ପ୍ରଥିତଯଶା କାବ୍ୟ-ସଙ୍କଳନ ‘ଅର୍ଘ୍ୟଥାଳୀ’ ଅନ୍ତର୍ଗତ ଏକ ବହୁବିଦିତ ପଦ୍ୟ ହେଉଛି ‘ଉଦବୋଧନ’ । ଗୌରବୋଜ୍ଜ୍ଵଳ ଓଡ଼ିଆ ଜାତିର ଉନ୍ନତ ଅତୀତ ଅପେକ୍ଷା ତତ୍କାଳୀନ ସମାଜରେ ଚତୁର୍ଦ୍ଦିଗ ଓଡ଼ିଆ ଜାତିକୁ ଏକପ୍ରକାର ଜଡତା ମାଡ଼ି ବସିଛି । ବରାବର ପ୍ରତିବେଶୀ ଆକ୍ରମଣ ଓ ସର୍ବସ୍ବ ଭୂଲୁଣ୍ଠନ କ୍ରମେ ପତିତ ଆମ ମାଟିର ମହନୀୟା ସଂସ୍କୃତିର ଉଦ୍ଧାର ଲାଗି କୌଣସି ଚେଷ୍ଟା ନଥାଏ । ମୋହଭଙ୍ଗ ଓ ମୋହଗ୍ରସ୍ତତା ମଧ୍ୟରେ ଦୋଦୁଲ୍ଯମାନ ଓଡ଼ିଆମାନଙ୍କ ହିମଶୀତଳ ନିଶ୍ଚେତନା । ରଙ୍ଗାଜୀବ ଗଙ୍ଗାଧରଙ୍କୁ ତାହା ବ୍ୟଥିତ କରିଛି । ସେହି ବ୍ୟଥାର ପ୍ରତିଫଳନ ଉଦବୋଧନ କବିତାରେ ।
ଇଂରେଜମାନଙ୍କ ଦ୍ଵାରା ଓଡ଼ିଶା ଅଧିକୃତ ହେଇ ସାରିଥିବା ବେଳେ ଲର୍ଡ୍ କର୍ଣ୍ଣୱାଲିସ୍’ଙ୍କ ଦ୍ଵାରା ‘ଚିରସ୍ଥାୟୀ ଜମି ବନ୍ଦୋବସ୍ତ’ ସମେତ କଲିକତାରୁ ଓଡ଼ିଶାରେ ନବନିଯୁକ୍ତି ଲାଗି ଆଗତ ଅଣଓଡ଼ିଆମାନଙ୍କ ଭୀଷଣ କୁଚକ୍ର କବଳରେ ଓଡ଼ିଶାର ସାଂସ୍କୃତିକ ଜୀବନ ବିପନ୍ନ ହୋଇପଡ଼େ । ଓଡ଼ିଶାର ସାଂସ୍କୃତିକ ଜୀବନରେ ଏହାର ଦୁର୍ବିସହ ପରିଣତି ପରିଲକ୍ଷିତ ହେବା ସହ ଓଡ଼ିଆ ମାତୃକାର ସର୍ବାନ୍ତଃକରଣରେ ଲବ୍ଧପ୍ରତିଷ୍ଠା ମାତୃଭାଷା ମଧ୍ୟ ଏମାନଙ୍କ ଚକ୍ଷୁଶୂଳ ହୋଇଛି ।
କାହିଁ ଥିଲା ଆମ ଆଗଙ୍ଗାଗୋଦାବରୀ ପ୍ରସାରିତ ଅଖଣ୍ଡ ଉତ୍କଳୀୟ ସାମ୍ରାଜ୍ୟର ସାରସ୍ଵତ ଜନଜୀବନର ସମଧିକ ବିସ୍ତୃତି ? ଏ ପ୍ରତିଧ୍ଵନିକୁ କେହି ଉତ୍ତର ଦେବା ନିମିତ୍ତ ସତ୍ ସାହସକୁ ପାଥେୟ କରିପାରିନଥିଲେ । ଊନବିଂଶ ଶତାବ୍ଦୀର ମଧ୍ଯ ଭାଗରେ ଏହି ସ୍ଥିତି କ୍ରମେ ଉଦ୍ବେଗଜନକ ସ୍ତର ଅତିକ୍ରମ କରି ସମସ୍ତ ରାଜନୈତିକ ଶୋଷଣର ଏକ କୁତ୍ସିତ ରୂପରେଖକୁ ପଦା କରିଦେଲା ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ । ତିନିବର୍ଷ ବ୍ୟାପୀ ଓଡ଼ିଶାର ସମଗ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଅନାବୃଷ୍ଟି ଯୋଗୁଁ ନିପୀଡ଼ନ ସତ୍ତ୍ଵେ ତତ୍କାଳୀନ ନବନିଯୁକ୍ତ ଇଂରେଜ ସାହେବଙ୍କ କାନ ଯାଏଁ କଥା ନେଇ ହେଇନଥିଲା ।
ଏହି କୃତ୍ରିମ ଜାତୀୟ ଅବହେଳାର ପ୍ରତିକ୍ରିୟାରେ ଚେଇଁ ଉଠିବା ଲାଗି ଓଡ଼ିଆ ଯୁବକଶ୍ରେଣୀ ଶିକ୍ଷିତ ଓ ଉନ୍ମେଷର ଦୀପିତ ପ୍ରଭାତକୁ ଇଙ୍ଗିତ କରି ଆଗୁଁସାର ହେବା ନିମନ୍ତେ ସଶକ୍ତ । ସେମାନେ ପାଶ୍ଚାତ୍ୟ ଶିକ୍ଷା ଓ ତଜ୍ଜନିତ ପ୍ରଗତିପ୍ରଖର ସଭ୍ୟତା ହେତୁ ଉନ୍ମେଷ ଆଣନ୍ତି । ସଂସ୍କୃତିର ପରିପ୍ରସାର ଯୋଗୁଁ ଆଗାମୀ ଶତାବ୍ଦୀରେ ଏ ଦେଶ ଓ ଲୋକଜୀବନର ଚିତ୍ତ-ରାଜ୍ୟରେ ଏକ ଅଭିନବ ରୁଚିବୋଧର ଉଦ୍ଭବ ଅବଶ୍ୟମ୍ଭାବୀ ବୋଲି ସେମାନଙ୍କ ଦୃଢ଼ ଆତ୍ମପ୍ରତ୍ୟୟ । ଆଧୁନିକ କବିତାର ଅନେକ ବିଭବ ତେଣୁ, ଏହି ନୂତନ ପ୍ରବର୍ତ୍ତିତ ଉନ୍ମେଷ ଜନିତ ସଂସ୍କୃତିପ୍ରୀତି ଓ ମାତୃଭୂମିର ମୌଳିକ ଉନ୍ନୟନକୁ ପ୍ରଧାନ ବିବେଚିତ କରିଛି ।
ଆମ ଭାଷା ଓ ସାହିତ୍ୟର ପ୍ରଚଳିତ ପରମ୍ପରାକୁ ନୂତନ ଆଭିମୁଖ୍ୟ ମଧ୍ୟ ପ୍ରଦାନ କରାଗଲା । ବିଭିନ୍ନ ଜ୍ଞାନ ଓ ବିଜ୍ଞାନ ସହିତ ଦୂରପ୍ରସାରୀ ଜଗତରେ ପ୍ରତିଷ୍ଠିତ ନବ୍ୟ ଚିନ୍ତନ ପ୍ରତି ଆଧୁନିକ ଯୁବଗୋଷ୍ଠୀ ବିମୁଗ୍ଧ ହୋଇପଡିଲେ । ଅତୀତ ପ୍ରତି ଏପର୍ଯ୍ୟନ୍ତ ସ୍ଥିତ ବୀତସ୍ପୃହତା ମଧ୍ୟରୁ ଜନ୍ମ ନେଇଥିଲା ମୋହମୁକ୍ତିର ସାଫଲ୍ଯ ଅଭିମୁଖେ ବିଚିତ୍ର ଅଭିସାର । ହେଲେ ଓଡ଼ିଆ ଜାତି ନିଜ ମାତୃଭାଷାକୁ ପରଶ୍ରୀକାତର ପ୍ରତିବେଶୀଙ୍କ ନିକଟରେ ଅବଦମିତ ଦେଖିବା ପରେ ସୁଦ୍ଧା ନିଜର କର୍ମବଳକୁ ଏତେ ଶିଥିଳ ଓ ସଙ୍କୁଚିତ କ’ଣ ପାଇଁ ରଖିଛି ?
ଯଦି ଦୁର୍ଭାଗ୍ୟର ସ୍ତିମିତ କଳେବରକୁ ନିଜସ୍ଵ ବୋଲି ମନେ କରନାହିଁ, ତେବେ ହେ ସ୍ଵଜନ ଓଡ଼ିଆମାନେ । ରଙ୍ଗାଜୀବଙ୍କ ନେତୃତ୍ଵରେ ପ୍ରଦତ୍ତ ଏ ‘ଉଦବୋଧନ’ କବିତାକୁ ପାଠ କରିବ :
~ଉଦବୋଧନ~
ନବ ବର୍ଷେ ଆଜ ନବୀନ ପ୍ରଭାତେ
ନବ ଭାଗ୍ୟ-ରବି ନବ ତେଜେ ଭାତେ !
ନବ ସମ୍ରାଟଙ୍କ ନବୀନ ରଚନ
କରିଅଛୁ ନବ ପ୍ରଦେଶ ଗଠନ ।
ଉତ୍କଳ ଜୀବନେ ପଶି ନବ ବଳ
ନବ ଆଶା-ପଥ କରୁଛି ଉଜ୍ଜ୍ୱଳ ।
ବାରିଷ୍ଟର ପଦେ ଉତ୍କଳ-ନନ୍ଦନ
ଫେରି ମାତୃପଦେ କରିଛି ବନ୍ଦନ ।
ଚୌଦିଗେ ଶୁଭୁଛି ଉଠ ଜାଗ ଜାଗ,
ଅଣ୍ଟା ଭିଡ଼ି ନିଜ କର୍ମେ ଲାଗ ଲାଗ ।
କର୍ମ-ବାଷ୍ପରଥ ଧାଇଁ ଶଙ୍ଖସ୍ଵନେ
ଆସି ଏବେ ଲାଗିଗଲାଣି ଷ୍ଟେସନେ ।
ଚଢ଼ିବା ସମୟ ହେଲାଣି ନିକଟ,
ଶୋଇପଡ଼ିଅଛ ନ କିଣି ଟିକଟ ?
ଦେଖୁଛ ସମ୍ମୁଖେ କେମନ୍ତ ଉଦ୍‌ବେଗେ
ଚଢ଼ି ଯାଉଛନ୍ତି ଯାତ୍ରିଗଣ ବେଗେ ।
ଚାହୁଁଥିବ ଯେବେ ଦୃଶ୍ୟେ ହୋଇ କାବା,
ବୃକ୍ଷତଳେ ଭୋକେ ମରୁଥିବ ବାବା !
ଯହିଁ ପାଇଁ ଏତେ ଦୂରକୁ ଆସିଛ,
ପଛେ ପଡ଼ିଗଲେ ସବୁ ହେବ ମିଛ |
ନବ ରବିକରେ ଫୁଟଇ କମଳ,
ଉତ୍‌ଫୁଲ୍ଲେ ଉଠନ୍ତି ବିହଙ୍ଗମଦଳ |
ଆହାର ବିହାର ପାଇଁ ତେଜି ପୁର,
ଉଡ଼ି ଯାଉଛନ୍ତି କେତେ କେତେ ଦୂର ।
ମହୁମାଛି ମଧୁ ସଞ୍ଚୟ ଲାଳସେ
ବହୁଦୂର ବନପର୍ବତେ ବିଳସେ ।
ବଳ ଥାଉଁ କେହି ନିଶ୍ଚୟ ମଉନ
ଥାଇ ନ କରନ୍ତି ଜୀବନ ନିଊନ ।
ସୁପ୍ତ ସିଂହ ମୁଖେ ନ ପଶେ ଆହାର,
ଶ୍ରମେ ପିପୀଲିକା ପୂରାଏ ଭଣ୍ଡାର ।
ମେଲିଥିଲେ ପାଟି ଶୋଇ ବୃକ୍ଷତଳେ,
ବୃକ୍ଷଚ୍ୟୁତ ଫଳ ନ ପଡ଼େ କବଳେ ।
ଗଜ ସିଂହ ବ୍ୟାଘ୍ର ଦେହେ ଅଛି ବଳ,
ତାଙ୍କୁ ବାନ୍ଧି ନର ପ୍ରକାଶି କୌଶଳ ।
କୌଶଳଜନକ ଜ୍ଞାନ ଅଟେ ସିନା,
ଜନମି ନ ପାରେ ଜ୍ଞାନ ଭାଷା ବିନା !
ଭାଷା ଯୋଗୁଁ ସିନା ଦମି ଜୀବଗଣ
ମାନବ କରଇ ବିଶ୍ବେ ରାଜପଣ ।
ଯା ଭାଷା ଦୁର୍ବଳା ସେ ନିଶ୍ଚେ ଅଧମ,
କାହିଁ ହେବ ଆନେ ପ୍ରତିଯୋଗେ କ୍ଷମ ?
ଉଚ୍ଚଭାଷୀ ଲୋକେ ତାକୁ ନୀଚ ଗଣି,
ଉଚ୍ଚ ସମାଜରେ ହୁଅନ୍ତି ଅଗ୍ରଣୀ ।
ଯେ ନର ନ ବୁଝେ ମାନ ଅପମାନ,
ନୁହଇ କି ସେହୁ ପଶୁର ସମାନ ?
ଯା ଭାଷା ଦୁର୍ବଳା କାହିଁ ତାର ଜ୍ଞାନ ?
କାହିଁ ତାର ରାଜଦୁଆରେ ସମ୍ମାନ ?
ଉଚ୍ଚ ହେବା ପାଇଁ କର ଯେବେ ଆଶା,
ଉଚ୍ଚ କର ଆଗେ ନିଜ ମାତୃଭାଷା ।
ନାହିଁ ଯେବେ ହୃଦେ ଉଚ୍ଚ ଅଭିଳାଷ,
କର ଆମୋଦର ପଲଙ୍କେ ବିଳାସ ।
ପ୍ରତିବେଶୀଙ୍କର ଚରଣ ପ୍ରହାର—
ଚିହ୍ନଶ୍ରେଣୀ କର ବକ୍ଷଦେଶେ ହାର |
ଉଚ୍ଚ ପଦ ପାଇଁ ଡାକିଲେ ରାଜନ,
କେତେ ଜଣ ଅଛ ତହିଁକି ଭାଜନ ?
ପ୍ରତିବେଶୀଙ୍କର ସହିତ ତୁଳନା
କରି କର ନିଜ ମଧ୍ୟରେ କଳନା ।
ତହିଁରୁ ବୁଝିବ ନିଜେ କେଡ଼େ ଦୀନ,
କରିଅଛ ପୁଣି ମାତୃଭାଷା ହୀନ ।
ମାତୃଭାଷା ପୋଥି ଛୁଇଁବାକୁ କରେ,
ଅନ୍ୟ କେଉଁ ଜାତି ଲଜ୍ଜାବୋଧ କରେ ?
ଉଠ ଭାଇ, ଉଠ ନବୀନ ଆଲୋକେ,
ଶୋଇଥିଲେ ଚାହିଁ ହସୁଥିବେ ଲୋକେ ।
ଶୁଭ କର୍ମପଥେ ହୁଅ ଅଗ୍ରସର,
ଚକ୍ଷୁ ମଳିବାକୁ ନାହିଁ ଅବସର ।
ମାତୃଭୂମି ମାତୃଭାଷାର ବଦନ,
ଦୀପ୍ତ କର ଦେଇ ଧନ ଧ୍ୟାନ ମନ ।
ଶୁଭ ପଥେ ବିଭୁ କରିବେ ମଙ୍ଗଳ,
ଶୁଭ କର୍ମେ ହେବ ଜୀବନ ସଫଳ ।
‘ଅର୍ଘ୍ୟଥାଳୀ’ (୧୯୧୮) ସଙ୍କଳନର ଇତିହାସ ବିହଙ୍ଗାବଲୋକନ :
“ଗଙ୍ଗାଧର ଉତ୍କଳ ସମ୍ମିଳନୀରେ ଯୋଗଦେବାପାଇଁ ବିଜେପୁର, ସମ୍ବଲପୁର, ପଦ୍ମପୁର ଓ ବରପାଲିରୁ ଯଥାକ୍ରମେ କଟକ, ପାରଳାଖେମୁଣ୍ଡି, ସମ୍ବଲପୁର ଓ ବାଲେଶ୍ଵର ଏବଂ କଟକ ଯାଇଥିଲେ । ଏହା ଦ୍ୱାରା ସେ ପରିଚିତ ବନ୍ଧୁ କବିବର ରାଧାନାଥ ରାୟ, ବାଗ୍ମୀ ବିଶ୍ଵନାଥ କର, ବ୍ୟାସକବି ଫକୀରମୋହନ ସେନାପତି, ନୀଳମଣି ବିଦ୍ୟାରତ୍ନ, ଭକ୍ତକବି ମଧୁସୂଦନ ରାଓ ଆଦିଙ୍କୁ ଭେଟି ପାରିଥିଲେ । ମୋଗଲବନ୍ଦୀ ଅଞ୍ଚଳର ସାଂସ୍କୃତିକ କେନ୍ଦ୍ର ରୂପେ ପରିଚିତ କଟକର ସାହିତ୍ୟ-ପାଣିପାଗ ସମ୍ପର୍କରେ ଅବଗତ ହୋଇପାରୁଥିଲେ ।
ଏଇଥିପାଇଁ ସେ ଆସୁଥୁଲେ କହିବା ଠିକ ହେବ ନାହିଁ । ଓଡ଼ିଆ ଭାଷାଭାଷୀଙ୍କୁ ଗୋଟିଏ ପ୍ରଦେଶଭୁକ୍ତ କରିବା ପାଇଁ ଉତ୍କଳ ସମ୍ମିଳନୀ ଯେଉଁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଥିଲା, ସେଥୁପ୍ରତି ଆନ୍ତରିକ ସମର୍ଥନ ଥିଲା ଗଙ୍ଗାଧରଙ୍କର । ଭଲ କାମ ପାଇଁ ଆଗୁଁସାର ହେବା ଗଙ୍ଗାଧରଙ୍କର ମହତ ପ୍ରକୃତି । ଭଲ କାମରେ ଆଗେଇଥିବା ଲୋକଙ୍କୁ ପ୍ରଶଂସା କରିବାରେ ସେ କାର୍ପଣ୍ୟ କରୁ ନଥିଲେ । ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସହିତ ତାଙ୍କର କି’ ବା ସମ୍ପର୍କ !
ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ପାରଳାଖେମୁଣ୍ଡିରେ ସଫଳ ଭାବେ କରାଇବାରେ ତାଙ୍କର ଉଦ୍‌ଯୋଗ ପ୍ରତ୍ୟକ୍ଷ କରିଥିଲେ ଗଙ୍ଗାଧର । ‘ଅର୍ଘ୍ୟଥାଳୀ’ (୧୯୧୮) ପୁସ୍ତକର ଆରମ୍ଭରେ ସେ ପାରଳା ମହାରାଜାଙ୍କ ଉଦ୍ଦେଶ୍ୟରେ ଅଭିବାଦନ ଜଣାଇଛନ୍ତି । ପାରଳାର ନବର ସୁପରିଟେଣ୍ଡେଣ୍ଟ ନିତ୍ୟାନନ୍ଦ ପଟ୍ଟନାୟକଙ୍କ ଠାରୁ ରାଜାଙ୍କ ଶୁଭଦୃଷ୍ଟି ତାଙ୍କ ପ୍ରତି ଥ‌ିବା କଥା ଜାଣିଛନ୍ତି । ଏସବୁ ସମ୍ଭବ ହୋଇଛି ରାଜ୍ୟ ପର୍ଯ୍ୟଟନ କ୍ରମେ ଭ୍ରମଣ ହେତୁ । ଗଙ୍ଗାଧର ତାଙ୍କ ଭ୍ରମଣ ପର୍ଯ୍ୟାୟରେ ଉତ୍କଳ ସମ୍ମିଳନୀର ଅଧିବେଶନଗୁଡ଼ିକରେ ଯୋଗ ଦେବା ତାଙ୍କ ବ୍ୟକ୍ତିତ୍ଵର ବିଶେଷତା ସୂଚାଏ ।
ଜାତି, ଭାଷା, ମାଟି, ସଂସ୍କୃତିପ୍ରୀତିର ମଣିଷ ନହୋଇଥିଲେ ସେ ବାରମ୍ବାର ପଥଶ୍ରମ ଓ ଅର୍ଥବ୍ୟୟ କରି ଉତ୍କଳ ସମ୍ମିଳନୀର ଭିନ୍ନ ଭିନ୍ନ ଅଧିବେଶନରେ ଯୋଗ ଦେଇ ନଥାନ୍ତେ । ସେ ବୁଝିଥିଲେ, ବାଳକଟିଏ ନିଜ ଘର ଛାଡ଼ି ପଡ଼ୋଶୀମାନଙ୍କ ଘର ବୁଲିଗଲେ ଜାଣିପାରେ, ଅନ୍ୟ ଘରସବୁ ତା ସଙ୍ଗୀ ବାଳକଙ୍କର । ଯେତେବେଳେ ନିଜ ପଡ଼ାରୁ ଅନ୍ୟ ପଡ଼ାକୁ ସେ ବୁଲିଯାଏ, ସେତେବେଳେ ପର ପଡ଼ାକୁ ନିଜ ପଡ଼ା ଭଳି ଭାବିଥାଏ । ସେହିପରି ନିଜ ଗାଆଁରୁ ଅନ୍ୟ ଗାଆଁକୁ, ନିଜ ରାଜ୍ୟରୁ ଅନ୍ୟ ରାଜ୍ୟକୁ, ନିଜ ଦେଶରୁ ଅନ୍ୟ ଦେଶକୁ ଗଲେ ତାର ସଂକୀର୍ଣ୍ଣ ଅବବୋଧ ହଟିଯାଏ ।
ଜ୍ଞାନ ହେତୁ ସେ ଯେଉଁଦିନ ଜାଣେ ସମସ୍ତଙ୍କର ପିତା ହେଉଛନ୍ତି ଜଗତ୍‌ପତି, ସେହିଦିନ ସେ ବିଶ୍ବମାନବଙ୍କୁ ସହୋଦର ଜ୍ଞାନ କରେ । ଏହି କବିତାର ଶେଷରେ ଗଙ୍ଗାଧର ଦର୍ଶାଇଛନ୍ତି, ଯେ ଯେତେ ମଣିଷଙ୍କର ଉପକାର କରେ, ସେ ବିଶ୍ଵପତିଙ୍କର ଗୃହବାସୀ ହେବାପାଇଁ ସେତିକି ଯୋଗ୍ୟ । ତେଣୁ ମଣିଷମାନଙ୍କ ଜୀବନରେ ‘ତୋର-ମୋର’ ଭାବ ହଟିଯାଇ ବିଶ୍ଵପ୍ରାଣତା ସେତିକିବେଳେ ଆସିପାରିବ, ଯେତେବେଳେ ଯିବା ଆସିବା ବଢ଼ିବ ।
କୂଅରେ ଥ‌ିବା ବେଙ୍ଗ ସେହି ଅନ୍ଧଗଳିକୁ ବିରାଟ ସାମ୍ରାଜ୍ୟ ଭାବୁଥାଏ, କାରଣ ତହିଁରୁ ବାହାରି ବାହାରର ବିସ୍ତୀର୍ଣ୍ଣ ଭୂଖଣ୍ଡ, ଉଜ୍ଜ୍ବଳ ଆଲୋକ ସେ ଦେଖୁନଥାଏ । ଦୁଇଟି ପ୍ରସଙ୍ଗରେ ଅନୁରକ୍ତ ହେଲେ ବ୍ୟକ୍ତି ପ୍ରଶସ୍ତତା ଆଡ଼କୁ ଯାଏ । ଗୋଟିଏ ହେଉଛି ମାତୃଭୂମି ଓ ଅପରଟି ମାତୃଭାଷା । ଦେଶପ୍ରେମ ହିଁ ମାତୃଭାଷା ପ୍ରୀତିର ନାମାନ୍ତର । ଅନ୍ତତଃ ଗଙ୍ଗାଧର ମେହେର ଏତିକି ବୁଝିଥିଲେ ଯେ ଭ୍ରମଣ ହେତୁ ବ୍ୟକ୍ତି ଭିତରେ ସେ ପାଇଥିଲେ ମାତୃଭୂମି ପ୍ରତି ସମ୍ଵେଦନଶୀଳତା ଓ ମହାନୁଭବତା ।
(ଉଦବୋଧନ: ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ‘ଅର୍ଘ୍ୟଥାଳୀ’ ସଙ୍କଳନରୁ ସଂଗୃହୀତ)
@ ମୋ ପ୍ରିୟତମ ପାଥେୟର ସରଣୀ : ଅମୃତେଶ (୦୧.୦୯.୨୦୨୩)
Spread the love
admin

Recent Posts

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (୬ଷ୍ଠ ପର୍ବ) ~ ଆପଣମାନଙ୍କ ସଦିଚ୍ଛା ସ୍ପର୍ଶରେ ସଙ୍ଘାତ ଓ ସଂଘର୍ଷର ଦିନଗୁଡ଼ିକ…

20 hours ago

ଓଡ଼ିଆ ଅସ୍ମିତାର ମହାପର୍ବ

~ ଓଡ଼ିଆ ଅସ୍ମିତାର ମହାପର୍ବ ~ ୧୯୦୩ ମସିହା । ଡିସେମ୍ବର ମାସ ୩୦ ଓ ୩୧ ତାରିଖ ।…

1 day ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ପଞ୍ଚମ) ~ ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ…

1 day ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ଚତୁର୍ଥ-୨) ~ ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ…

2 days ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ଚତୁର୍ଥ) ~ ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ…

2 days ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ତୃତୀୟ) ~ ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ…

2 days ago