ତଥ୍ୟ ଓ ଗବେଷଣା: ଶିଶିର ସାହୁ ମନୋଜ

ଏ ମାଟିର ଅନେକ ନାମ ତନ୍ମଧ୍ୟରେ କଳିଙ୍ଗ, ଉତ୍କଳ ଓ ଓଡ଼ିଶା ନାମ ସର୍ଵତ୍ର ଲୋକପ୍ରିୟ । ଅଖଣ୍ଡ ଓଡ଼ିଶା ଵା କଳିଙ୍ଗର ଅର୍ଦ୍ଧେକ ଭାଗ ଆଜି ଆଧିକାରିକ ଓଡ଼ିଶା ରାଜ୍ୟ ଭାଵରେ ଜଣାଶୁଣା । ସେଇ କଳିଙ୍ଗର ଆଉ ଏକ ସାହିତ୍ୟିକ—ଵୈଜ୍ଞାନିକ ନାମ ହେଲା ଉତ୍କଳ । ଏ ଉଭୟ ଶବ୍ଦର ଵ୍ୟାଖ୍ୟା ନିମ୍ନରେ ପ୍ରଦାନ କରାଗଲା ।

** ଉତ୍କଳ **
ଉତ୍କଳ ଶବ୍ଦଟି ଉତ୍ +କଳ=ଉତ୍କଳ ଏଇ ଭଳି ଦୁଇଗୋଟି ଶବ୍ଦ “ଉତ୍” ଏବଂ “କଳ” ଯୋଡ଼ି ହୋଇ ଗଠିତ ହୋଇଛି ।

‘ଉତ୍’ ଏକ ଉପସର୍ଗ (ଉ+କ୍ବିପ୍)
ଏହାର କେତେକ ଅର୍ଥ ଯଥା, ଊର୍ଦ୍ଧ୍ଵେ, ସମ୍ୟକଭାବେ, ଇତସ୍ତତଃ, ଉଚ୍ଚୈଃସ୍ବରେ, ଉତ୍କଟ, ଓଲଟା, ଉତ୍କର୍ଷ, ସମୁଚ୍ଚୟ, ପ୍ରଶ୍ନ, ବିତର୍କ, ଅଧିକ ଇତ୍ୟାଦି . .

ଏବଂ ‘କଳ’ ଶବ୍ଦଟି ଏକ ଧାତୁ ଶବ୍ଦ ଯାହା ତିନୋଟି ମୂଳ ଅର୍ଥରେ ବ୍ୟବହୃତ ହୋଇଥାଏ:

୧.ଗମନ କରିବା
୨.ଗଣନା କରିବା
୩.ଶବ୍ଦ କରିବା

ଏହା ବ୍ୟତୀତ ‘କଳ’ର ଏକ ବିଶିଷ୍ଟ ଶବ୍ଦ ହିସାବରେ ମଧ୍ଯ ଅନେକ ଅର୍ଥ ଅଛି, ଯଥା:
୧. ଅତ୍ୟନ୍ତ ମଧୁର ଧ୍ବନୀ,
୨. ଭ୍ରମର ଆଦିର ଗୁଞ୍ଜନ,
୩. ଶାଳବୃକ୍ଷ,
୪. ଶୁକ୍ର,
୫. ଅଙ୍କୁର,ଗଜା,
୬. ଅଜୀର୍ଣ୍ଣ,
୭. ଯନ୍ତ୍ର,କୌଶଳ,
୮. ସୁବିଧା,
୯. କନ୍ଦର,
୧୦. ଖୁଞ୍ଜ,
୧୧. ବଶ୍ୟତା,
୧୨. ଅଧିକତା,
୧୩. ସୁଯୋଗ
ଏବଂ ମୁହଁର କଳ ତଥା କାମୁଡ଼ ଥର ବା ପୁଳା ଆଦି…

ତେବେ ଯଦି ଏହି ଶବ୍ଦଦ୍ୱୟର ଅର୍ଥ ସବୁକୁ ନେଇ ‘ଉତ୍କଳ’ ଶବ୍ଦର ବ୍ୟାଖ୍ୟା କରାଯାଏ ତେବେ ତାହା କିଭଳି ହେବ ?
୧. ଯେଉଁ ଅଞ୍ଚଳର ଅଧିବାସୀ ସଦା ଉର୍ଦ୍ଧ୍ଵକୁ ଗତି କରନ୍ତି ବା ଗମନ କରନ୍ତି, ଯେଉଁ ଜାତିର ଲୋକଙ୍କ ମନରେ ଜାତି, ଧର୍ମ ନାମରେ ମୌଳିବାଦୀ ହୀନମନ୍ୟତା ବିରଳ;

୨. ଯେଉଁ ଜାତିର ଗଣନା ସମସ୍ତ ଭାରତୀୟ ଜାତିଙ୍କ ମଧ୍ୟରେ ସବା ଉପରେ ସେ ଜାତି ଉତ୍କଳୀୟ ବା ଯେଉଁ ଦେଶ ଭାରତ ମଧ୍ୟରେ ସବୁଥିରେ ଉର୍ଦ୍ଧ୍ଵରେ ଅର୍ଥାତ୍ ଭୂସ୍ବର୍ଗ;

୩. ଯେଉଁ ଅଞ୍ଚଳର ଅଧିବାସୀଙ୍କର ଉଚ୍ଚ ଗର୍ଜନାରେ ହିଁ ଶତ୍ରୁ ଓଲଟା ପାଦରେ ପଳାୟନ କରିଦିଅନ୍ତି;

୪. ଯେଉଁ ଭୂମିର ଲୋକ ସମ୍ଯକ ମଧୁରଭାଷୀ ସାଧୁ ସ୍ୱଭାବର । ଅକାରଣେ କାହାର ବୈରୀ ହୁଅନ୍ତି ନାହିଁ;

୫. ଯେଉଁ ଅଞ୍ଚଳ ସ୍ବର୍ଗସମ ଉତ୍କର୍ଷ ତେଣୁ ସେଠାର ନନ୍ଦନକାନନ ସମ ଉପବନ ଗୁଡ଼ିକରେ ଭ୍ରମର କଳ କଳ ଗୁଞ୍ଜନ କରନ୍ତି;

୬. ଯେଉଁ ଦେଶର ଭୂଭାଗରେ ସର୍ବାଧିକ ଶାଳ ପିଆଶାଳ କରଞ୍ଜ ଆଦି ଗଛ ଜନ୍ମିଥାଏ, ଯେଉଁ ଦେଶ ବୃକ୍ଷାଦିରେ ପରିପୂର୍ଣ୍ଣ ଏବଂ ପ୍ରାକୃତିକ ଶୋଭାରେ ଶୋଭାପାଉଥାଏ;

୭. ଯେଉଁ ଦେଶର ଉର୍ଦ୍ଧ୍ଵରେ ଶୁକ୍ରଗ୍ରହ ସବୁଠୁ ଅଧିକ ଉଜ୍ବଳ ଦିଶନ୍ତି । ଯେଉଁ ଦେଶର କୀର୍ତ୍ତି ଶୁକ୍ର ଗ୍ରହର ଶୁଭ୍ରାଲୋକ ଭଳି ସଦା ପ୍ରକଟିତ ହୋଇ ରହିଛି;

୮. ଯେଉଁ ଉତ୍କର୍ଷ କଳାର ଦେଶରେ ବୌଦ୍ଧ, ଜୈନ ତଥା ମହିମା ଧର୍ମ ଠାରୁ ଆରମ୍ଭ କରି ଓଡିଶୀ, ଛଉ ନୃତ୍ୟ ଏବଂ ନାନାଦି କଳାର ଅଙ୍କୁରୋଦ୍ଗମ ହୋଇଛି;

୯. ଯେଉଁ ଦେଶ ଏବଂ ତହିଁର ଅଧିବାସୀ ଉତ୍କଟ ଭୀଷଣ ଶତ୍ରୁ ପାଇଁ ମଧ୍ଯ ଅଜୀର୍ଣ୍ଣ, ଏହି ସେହି ଜାତି, ଶତ୍ରୁ ମଧ୍ଯ ବାଧ୍ୟ ହୋଇ କଳିଙ୍ଗା ସାହାସିକାଃ ବୋଲି କହିଯାଇଛି;

୧୦. ଯେଉଁ ମାଟି ସମ୍ୟକ ଭାବେ ଯନ୍ତ୍ର ତଥା କୌଶଳାଦି ପାଇଁ ପୃଥିବୀ ବିଖ୍ୟାତ;

୧୧. ଯେଉଁ ଭୂମିରେ ଜୀବନଯାପନର ସର୍ବାଧିକ ସୁବିଧା ପ୍ରକୃତି ଖଞ୍ଜିଛି, ଅନେକାନେକ ନଦନଦୀ, ହ୍ରଦ ପର୍ବତ ଉପତ୍ୟକାରେ ପରିପୂର୍ଣ୍ଣ ଯେଉଁ ଦେଶ ସ୍ବର୍ଗସମ ଶୋଭାପାଇଥାଏ;

୧୨. ଯେଉଁ ଦେଶର ସମାଜ ନୀଳକନ୍ଦର ପୁରୁଷୋତ୍ତମ କ୍ଷେତ୍ର ପ୍ରତି ନିଷ୍ଠାବାନ ଏବଂ ଜଗନ୍ନାଥ ଯାହାଙ୍କ ରାଜେଶ୍ବର, ଯେଉଁ ଦେଶରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସର୍ବେ ଏକ ସୁତ୍ରରେ ଯୁକ୍ତ ସେହି ଦେଶ ଉତ୍କଳ;

୧୩. ଭ୍ରାନ୍ତପ୍ରଶ୍ନ କରି ବିତର୍କପ୍ରେମୀ ଭାରତୀୟଜାତି ମାନେ ମଧ୍ଯ ଯେଉଁ ଦେଶ ଆଗରେ ନତମସ୍ତକ ହୋଇଯାଇଥିଲେ, ଏକଦା ଏହି ଜାତିକୁ ମ୍ଳେଚ୍ଛ କହି ହୀନ ମନେକରୁଥିବା ଲୋକେ ମଧ୍ଯ ଉତ୍କଳୀୟଙ୍କ ପୁରୁଷାର୍ଥରେ ପ୍ରଭାବିତ ହୋଇ ନିଜ ବାକ୍ଯ ଓଲଟେଇବାକୁ ବାଧ୍ଯ ହୋଇଥିଲେ, ଆଗଙ୍ଗା ଗୋଦାବରୀ ଯେଉଁ ଦେଶର ଜଗନ୍ନାଥ ସଂସ୍କୃତି ଦ୍ବାରା ପ୍ରଭାବିତ ଏହି ସେହି ଉତ୍କଳ !

ସେହିଭଳି ସାହିତ୍ଯରେ ଉତ୍କଳ ଶବ୍ଦ ଅନେକ ଅର୍ଥରେ ବ୍ୟବହୃତ ହୋଇଥାଏ, ଯେମିତି କି
୧. ଉତ୍କଣ୍ଠିତ– ଜ୍ଞାନ ତଥା କଳା ପାଇଁ ଉତ୍କଣ୍ଠିତ ତେଣୁ
୨. ଶିକାରୀ, ବ୍ୟାଧ – ଶତ୍ରୁଙ୍କ ଶିକାରରେ ସିଦ୍ଧହସ୍ତ ତେଣୁ
୩. କର୍କଷ ଗର୍ଜନ – ସିଂହ ହିଁ କରନ୍ତି ଭୀରୁ ନୁହେଁ
୪. ବଙ୍ଗାଳୀମାନେ ବିଶ୍ବକୋଷ ଲେଖିଲାବେଳେ ତହିଁରେ ଉତ୍କଳର ଅର୍ଥ ଭାରବାହକ ଯୋଡିଲେ । ସେତେବେଳକୁ କଳିଙ୍ଗୋଦ୍ର, କଳିଙ୍ଗସାଗର ଆଦି ନାମରେ ପ୍ରସିଦ୍ଧ ମହୋଦଧି ବଙ୍ଗୋପସାଗରରେ ପରିଣତ ହୋଇଯାଇଥିଲା ।

ଓଡ଼ିଆମାନେ ପରାଧୀନ ହୋଇ ନିଜର ସ୍ଵାତନ୍ତ୍ର୍ୟ ହରାଇ ବଙ୍ଗାଳୀଙ୍କ ଗାଁ ସହରରେ ଖଟୁଥିଲେ, ତଥାପି ଆମେ ସେହି ଭାରବାହକ ଶବ୍ଦ ଭଧ୍ଯ ଗ୍ରହଣ କରି ସ୍ବାଭିମାନର ସହ କହୁଛୁ କି, ହଁ, ଠିକ୍ ଅଛି, ଆମେ ଉତ୍କଳୀୟମାନେ ଭାରବାହକ ! କାରଣ ଉତ୍କଳୀୟ ମାନେ ହିଁ ଭାରତୀୟ ସଂସ୍କୃତିକୁ ବୋହି ନେଇ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇ ଦେଇଥିଲେ । ଜାଭା, ବୋର୍ଣ୍ଣିଓ, ମାଲେସିଆ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଶ୍ରୀଲଙ୍କା, ବର୍ମା, ଥାଇଲ୍ଯାଣ୍ଡ, କାମ୍ବୋଡିଆ, ଭିଏତନାମ, ଲାଓସ, ଚୀନ, ଜାପାନ ଯାଏଁ ଭାରତୀୟ ଭାଷା ସଂସ୍କୃତି ଏବଂ ଧର୍ମ ପହଞ୍ଚାଇ ସେମାନଙ୍କ ସମାଜକୁ ଉନ୍ନତ କରିଦେଇଥିବା ଓଡ଼ିଆମାନଙ୍କୁ ଭାରବାହକ କହି ବରଂ ଆମ ବଙ୍ଗଳୀ ଭାଇମାନେ ମହାନ କାର୍ଯ୍ୟ କରିଅଛନ୍ତି । ଏଥିପାଇଁ ଓଡ଼ିଆମାନେ ସେମାନଙ୍କ ନିକଟରେ ଚିରକୃତଜ୍ଞ ରହିବେ ।

** ଉଡ୍ର, ଓଡ଼ରାଷ୍ଟ୍ର, ଓଡ଼ିଶା **
‘ଓଡ଼ିଆ’ ଏବଂ ‘ଓଡ଼ିଶା’ ଶବ୍ଦଦ୍ଵୟ  “ଉଡ୍ର/ଓଡ୍ର” ଶବ୍ଦରୁ ଆସିଅଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଓଡ୍ର/ଉଡ୍ର ଶବ୍ଦର ନିରୁକ୍ତି ଵ୍ୟାଖ୍ୟା ଅଛି―

“ଆ=ସମ୍ୟକ+ଉଡ୍ ଧାତୁ(ଆଲିଙ୍ଗନ, ସ୍ତୁତି କରିବା) + ସଂଜ୍ଞାର୍ଥ.ର
ଅର୍ଥାତ୍ “ଯେ ଭାତୃତୁଲ୍ୟ ଅନ୍ୟଜାତୀୟ ଲୋକଙ୍କୁ ଆଲିଙ୍ଗନ କରନ୍ତି ସେମାନଙ୍କର ମହିମାଗାନ ପୂର୍ଵକ ଉତ୍ସାହିତ କରନ୍ତି ସେ ଜାତୀୟ ଲୋକ ‘ଉଡ୍ର’ ଭାବେ ଖ୍ୟାତ ଅଟନ୍ତି ।”

ଓଡ଼ିଆଲୋକେ ଗତ ତିନିଶହ ବର୍ଷ ହେବ ଏ ଦେଶରେ କେତେ ଯେ ଅପମାନ ସହି ସହି ବଞ୍ଚି ରହିଛନ୍ତି ତା’ କଳନା ବାହାରେ ! ଦେଶ ଭାଗବଣ୍ଟା ହୋଇ ପଡୋ଼ଶୀ ନେବା ଠାରୁ ଭାଷାମାରଣ ଓ ନାନାଦି ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇ ସୁଦ୍ଧା ଏ କଳିଙ୍ଗଦେଶର ମୋ ଭାଇ ଓ ଭଉଣୀମାନଙ୍କର ଭାରତ-ଭାରତୀପ୍ରୀତି ତଥାପି କାଣିଚାଏ ମଧ୍ଯ ଅଳପ ହୋଇନାହିଁ ।

ସେହିପରି ମୂଳ ଦ୍ରାଵିଡ଼ ପ୍ରାକୃତର ଓଡ଼ ଧାତୁର ଅର୍ଥ ଚାଷ କରିବା ।
ମୂଳ ଦ୍ରାଵିଡୀୟ  ଓଡ଼ ଧାତୁରୁ ପୁଣି ଆଉ ଏକ ଦିଗରୁ ‘ଓରିଆ’ ଶବ୍ଦ ସୃଷ୍ଟି ହୋଇଛି ।

ଗଡ଼ଜାତ ଅଞ୍ଚଳରେ ରାଜା ଓ ଦେବତାଙ୍କ ଭାତ ଵା ଅନ୍ନକୁ ‘ଓରିଆ’ କୁହାଯାଏ ଯାହାକୁ କଟକ ଏବଂ ଅନ୍ୟ ଅଞ୍ଚଳରେ ‘କାନିକା’ କୁହାଯାଇଥାଏ । ସେହିପରି ଗଞ୍ଜାମ ଅଞ୍ଚଳରେ ଓରିଆ ଏବଂ ଉଡ଼ ଶବ୍ଦ ସହ ସାମଜସ୍ୟ ଥିବା ଫୁଟିଆଣୀ ଅର୍ଥରେ ଶବ୍ଦଟିଏ ଚଳେ ଓରିଆଣି !

ଓଡ଼ିଶା ଏବଂ ଓଡ଼ିଆ ଶବ୍ଦର ମୂଳରେ ଥିବା ଉଭୟ ସଂସ୍କୃତ (ଉଡ୍ ଧାତୁ )ତଥା ଦ୍ରାଵିଡୀୟ ମୂଳଶବ୍ଦ (ଓଡ଼ ଧାତୁ) ଗୁଡି଼କର ଆର୍ଥିକ ଵ୍ୟାଖ୍ୟାରୁ ଏହିଭଳି ଉଚ୍ଚ କଥାମାନ ଜାଣିବାକୁ ମିଳିଥାଏ ।

ଓଡ଼ିଆମାନେ ସବୁଜାତିର ଲୋକଙ୍କ ସହିତ ଭାତୃଭାବ ରଖି ଚଳିଆସିଛନ୍ତି ଏବଂ ଚଳୁଅଛନ୍ତି ମଧ୍ଯ ! ଓଡ଼ିଆ ଜାତିର ମହାନତା ଆମ ଦେଶର ନାମରେ ହିଁ ଲୁକ୍କାୟିତ ହୋଇ ରହିଛି । କେଵଳ ମାତୃଭୂମି ଭକ୍ତ ହିଁ ଏ କଥା ଅନୁଭଵ କରିପାରନ୍ତି ।

Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

4 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

4 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

5 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

1 month ago