ଲେଖା: ଦେଵ ତ୍ରିପାଠୀ
ଜମ୍ବୁଦ୍ଵୀପ ଭ୍ରଥଖଣ୍ଡେ ଓଡ଼ରାଷ୍ଟ୍ର ମଣ୍ଡଳେ,
ଚିତ୍ର ଉତ୍ପଳାନଦୀ ଈଶାନୀ ଭାଗ କୂଳେ,
ଜଂଘେରପୁର ବୋଲିଣ ସେ ଗ୍ରାମର ନାମ,
କନକାବତୀପାଟଣା ଯାହା ସ୍ରିଜିଲେ ପର୍ଶୁରାମ II”
ସେ ଥିଲା ଓଡ଼ିଶା ଭୂଖଣ୍ଡର ସୁବର୍ଣ୍ଣଯୁଗ । ରତ୍ନଗର୍ଭା ଥିଲା ଓଡିଶା । ଓଡିଆ ଚଷାପୁଏ ଏଇ ମାଟିକୁ କରିଥିଲେ ସୁଜଳାସୁଫଳା ଶସ୍ୟଶ୍ୟାମଳା, ଓଡିଆ ସାଧବପୁଏ ଯାଉଥିଲେ ସାତଦରିଆ ପାରେ ବୋଇତ ମେଲି, ଆଣୁଥିଲେ କେତେ ଧନଧାନ୍ୟ, ଓଡ଼ିଶା ମାଟି ଥିଲା ସ୍ବର୍ଣ୍ଣପ୍ରସୂ, ଆଗୁସାର ଥିଲା ସମୃଦ୍ଧିରେ, ସ୍ବାଚ୍ଛନ୍ଦ୍ୟରେ, କଳାରେ, ସଂସ୍କୃତିରେ, ଧର୍ମରେ, ରାଜକୀୟତାରେ ।
ବୀରଶ୍ରୀ ଗଜପତି ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର କପିଳେନ୍ଦ୍ର ଦେବଙ୍କ ଶାସତ୍ୱରେ ଓଡ଼ିଶା ଥିଲା ଦେବଭାଷା ସଂସ୍କୃତରେ ମଣ୍ଡିତ, ସାହିତ୍ୟ ଥିଲା କେବଳ ବ୍ରାହ୍ମଣ ପଣ୍ଡିତ ମାନଙ୍କର ଅଧିକୃତ, ସାଧାରଣ ଓଡିଆଙ୍କ ପାଇଁ ଅଗମ୍ୟ, ଅବୋଧ୍ୟ । ପୁରାଣ ଆଦିର ଗାଥା, ଭାବ, ତତ୍ତ୍ଵ, ଦିବ୍ୟରସ ଥିଲା ସେମାନଙ୍କ ପାଇଁ ଦୁଃସ୍ବପ୍ନ । ସବୁସମୃଦ୍ଧିର ଶୀର୍ଷରେ ଥାଇ ମଧ୍ୟ ଏ ଜାତି ଥିଲା ନିରଳସ, ରଙ୍ଗହୀନ, ପ୍ରାଣହୀନ ।
ସେପରି ଏକ ସମୟରେ ଦେବଦୂତ ବନିଯାଇଥିଲା ଏଇ ମାଟିର ପୁଅଟିଏ । ସେ ଦେଖିପାରୁଥିଲା ସାରା ଓଡିଶାର ମୂକଜନତାର ଅନ୍ତରର ସଂଗୁପ୍ତ ଅଭୀପ୍ସାର ରୂପାୟନ । ମାଟି ସହିତ ମାଟି ହୋଇ ଜୀଉଁଥିବା ଶ୍ରୀଅକ୍ଷର ବିବର୍ଜିତ ସେଇ ଯୁବକଟି ଦିନେ ଓଡ଼ିଆ ଭାଷା ସାହିତ୍ୟର ସ୍ବର୍ଣ୍ଣମୟ ସୌଭାଗ୍ୟକୁ ଡାକିଆଣିଲା; ଆଉ ସମଗ୍ର ଓଡ଼ିଆଜାତିର ପ୍ରତିନିଧିରୂପେ ଜଣେ ସେଇ ଜ୍ଞାନୀ, ସନ୍ଥ, ତତ୍ତ୍ଵଦର୍ଶୀ ଯୁବକବିର ସୃଜନୀ ପ୍ରତିଭା ହେଲା ଅନୁପ୍ରାଣିତ ।
ବାଗଦେବୀଙ୍କର ଅଦୃଶ୍ୟ ଆଶିଷ ସେଇ ଯୁବକର ଲେଖନୀ ମଧ୍ୟରେ ସଞ୍ଚରିତ ହୋଇରହିଲା । ତା’ର ଗଭୀର ନିଷ୍ଠା ଓ ଅଧ୍ୟବସାୟରୁ ଉତୁରିଆସିଲା ଗଭୀର ଅନ୍ତର୍ବୋଧ ତଥା ମହାନ ତତ୍ତ୍ଵମୟ ସର୍ଜନା ନିଜ ଜାତିର ଭାଷାରେ, ମାତୃଭାଷାରେ, ଅଗଣିତ ଓଡ଼ିଆଙ୍କ ଭାଷାରେ . . ମହାଗ୍ରନ୍ଥ ମହାଭାରତ । ହଳୁଆ ଯୁବକର ବଳୁଆ ହାତରେ ସୂକ୍ଷ୍ମ ଲେଖନୀରୁ ସୃଷ୍ଟି ହେଲା ଚଣ୍ଡୀପୁରାଣ, ବିଲଙ୍କା ରାମାୟଣ, ଲକ୍ଷ୍ମୀନାରାୟଣ ବଚନିକା ପରି କେତେ କେତେ ଗ୍ରନ୍ଥ । ସଂସ୍କୃତ ପୁରାଣ ଆଦର୍ଶରେ ରଚିତ ହୋଇଥିଲେ ମଧ୍ୟ ସେସବୁ ସାହିତ୍ୟରେ ଥିଲା କବିର ମୌଳିକତା, ପାଣ୍ଡିତ୍ୟ, ଜାତିପ୍ରେମ ଓ ବଳିଷ୍ଠ କବିତ୍ବ । ସେସବୁ ମହାସାହିତ୍ୟରେ ସ୍ଥାନିତ ହେଲା ଓଡ଼ିଆ ଜନଜୀବନର ରୀତିନୀତି, ଆଚାରବ୍ୟବହାର, ଲୋକଧର୍ମର ବଳିଷ୍ଠ ରୂପ; ଉତ୍କଳୀୟ ପରିବେଶରେ ସେସବୁର ବର୍ଣ୍ଣନା ଦେଲା ସେଇ ଯୁବକବିର ଅନନ୍ୟ ସାଧାରଣ ଦିବ୍ୟପ୍ରତିଭାର ଯଥାର୍ଥ ପରିଚାୟକ ।
ସେହି ମହାଗ୍ରନ୍ଥମାନ ହୋଇଗଲେ ସମଗ୍ର ଓଡ଼ିଆ ଜାତି ଓ ତା’ର ସାହିତ୍ୟ ସଂସ୍କୃତି ପାଇଁ ଏକ ଏକ ମହାନ ସ୍ମରଣୀୟ ପ୍ରସ୍ଫୁଟନ । ସେଇ ସର୍ଜନା ଓଡ଼ିଆ ମହାଭାରତ ପରିଣତ ହୋଇଗଲା ଓଡ଼ିଆମାନଙ୍କୁ ସର୍ବଭାବ ଓ ଚିନ୍ତା ଉଦ୍ରେକକାରୀ ଅନବଦ୍ୟ ଭାଷାସମ୍ପଦ, ସମଗ୍ର ଓଡ଼ିଆଜାତି ପାଇଁ ଏକ ସର୍ବଜନଗ୍ରାହ୍ୟ ଭାଷା; ଆଉ ସେ ମହାନ ଯୁବକ ଜଣକ ବନିଗଲେ ସର୍ବଜନାଦୃତ ଓ ସର୍ବଜନମାନ୍ୟ ଆଦିକବି ସାରଳା ଦାସ
ସାରଳାଙ୍କର ସେ ସମସ୍ତ ଲୋକଧର୍ମୀ ସୃଷ୍ଟିରେ ସଞ୍ଚରିତ ହେଲା ସୁସ୍ଥସମାଜ ଗଠନ ପାଇଁ ଅଭିପ୍ରେରଣା । ସେ ସମସ୍ତ ସୃଷ୍ଟି ଜନତାଙ୍କ ପ୍ରତି ଉପଦେଶ-ପ୍ରେରିତ, ରାଜନ୍ୟବର୍ଗଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶ-ସମ୍ବଳିତ । ସାରଳାଙ୍କ ମହାଭାରତ ଦେଲା ରାଜା ଓ ପ୍ରଜା ମଧ୍ୟରେ ସୁସମ୍ପର୍କ ସ୍ଥାପନା ନିମନ୍ତେ ସୁଚିନ୍ତିତ ପରାମର୍ଶ, ଆଦର୍ଶ ରାଜ୍ୟପାଳନ ନିମନ୍ତେ ଉପସ୍ଥାପିତ କବିଙ୍କ ନିର୍ଦ୍ଦେଶମାନ ଦେଲା ତାଙ୍କର ବିଚକ୍ଷଣ ବୁଦ୍ଧିମତ୍ତା ଓ ଗଭୀର ଚିନ୍ତାଧାରାର ସାର୍ଥକ ନିଦର୍ଶନ । ଭ୍ରଷ୍ଟାଚାର ଓ ସାମାଜିକ ବ୍ୟଭିଚାରଠାରୁ ମଣିଷ ସମାଜକୁ ନିବୃତ୍ତ ରଖିବା ଉଦ୍ଦେଶ୍ୟରେ କବିଙ୍କ ଅବତାରଣା ହେଲା ଚିରସ୍ଥାୟୀ । ସୁସ୍ଥ ସମାଜ ଗଠନ ଓ କୁସଂସ୍କାରର ମୂଳୋତ୍ପାଟନ ଦିଗରେ ତାଙ୍କର ମସୀ ଥିଲା ଚଳମାନ ।
ଓଡ଼ିଆ ସାହିତ୍ୟରେ ପୁରାଣ ରଚନାର ନୂତନ ପରମ୍ପରା ସୃଷ୍ଟି, ଓଡ଼ିଶାର ଜନମାନସରେ ପୁରାଣସାହିତ୍ୟର ସୁଦୂରପ୍ରସାରୀ ପ୍ରଭାବର ଉଦ୍ରେକ କରି, ଅତୀତର ବିଭବ କାହାଣୀ ଉପସ୍ଥାପନ ମାଧ୍ୟମରେ ଜାତିର ଗୌରବ ପ୍ରଖ୍ୟାପନ କରାଇ ଏଇ ଧୂରୀଣ କବି ହୋଇଗଲେ ଓଡ଼ିଆ ସାହିତ୍ୟ ଜଗତର ଆଦିଶଙ୍କର, ଯୁଗପ୍ରବର୍ତ୍ତକ ସ୍ରଷ୍ଟା; ନୂତନ ଯୁଗର କର୍ଣ୍ଣଧାର । ଓଡ଼ିଆର ସବୁଠାରୁ ପ୍ରିୟତମ ଇଷ୍ଟଦେବତା ଜଗନ୍ନାଥଙ୍କ ପରି ସବୁଠାରୁ ପ୍ରିୟତମ ଇଷ୍ଟକବି, ରହିଗଲେ ଓଡିଆର ହୃଦୟରେ ଚିରସ୍ମରଣୀୟ, ସଦାପୂଜନୀୟ ହୋଇ, ମହର୍ଷିର ଆସନ ନେଇ
ମାଘ ସପ୍ତମୀର ମହାର୍ଘ ତିଥିରେ ମହାପ୍ରୟାଣ ଲଭିଥିଲେ ଏଇ ଶୁଦ୍ରମୁନି ଆଦିକବି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago