ମହାଳୟା ନାମରେ କଥିତ ଆଶ୍ୱିନ ଅମାବାସ୍ୟା ପିତୃପକ୍ଷ/ଅପରପକ୍ଷର ଶେଷଦିନ l ଏକ କୃତଜ୍ଞ ସମାଜ ପିତୃପକ୍ଷଙ୍କୁ ଶ୍ରାଦ୍ଧତର୍ପଣ କରେ l ଶ୍ରାଦ୍ଧ ଆଉ କଣ କି, ଶ୍ରଦ୍ଧା ସହ ପୂର୍ବଜ ମାନଙ୍କୁ ସ୍ମରଣ କରିବା ହିଁ ଶ୍ରାଦ୍ଧ l
ତେବେ ଆକୁମାରୀ ହିମାଚଳ ଭାରତ ବର୍ଷ ଯେତେବେଳେ “ଓଁ ତଦ ବିଷ୍ଣୋ ପରମ ପଦଂ ୟ ପଶନ୍ତି ସୁରୟ8” ନାଦରେ ମନ୍ଦ୍ରିତ ହୋଇ ପିତୃ ପୁରୁଷଙ୍କୁ ଆବାହନ କରେ, ଦକ୍ଷିଣ ଓଡିଶାର କଣେ କଣେ ଶିଶୁମାନଙ୍କ କଳରବରେ ନିମ୍ନ ପଦ ସବୁ ମୁଖରିତ ହୁଏ:
“ବାଡ଼ି ପଟେ ନେଉଳ
ବେଇଗି ଦିଅ ଚାଉଳ”
“ହାଣ୍ଡି ଉପରେ ହାଣ୍ଡି
ଦିଅ ଗୋ ମା ଭେଣ୍ଡି “
“ଗଛ ଉପରେ ମାଙ୍କଡ
ଜଲଦି ଦିଅ କାଙ୍କଡ଼”
ଏମିତି ଅନେକ ଗୀତ ଗାଇ ପିଲାମାନେ, ବିଧାନ ଅନୁସାରେ ସାତ ଘରୁ ଚାଉଳ ପରିବା ସଂଗ୍ରହ କରନ୍ତି l ଅବଶ୍ୟ ଅଧିକାଂଶ ସମୟରେ ସାତ ଘର ସତର ଘର ବି ହୋଇ ଯାଏ l ପିଲାଙ୍କ ଉତ୍ସାହରେ କିଏ ବାଧା ଦେବ?
ରାଜା ଆଉ ରଙ୍କ ସବୁ ପ୍ରକାର ପିଲାମାନେ ଥାଆନ୍ତି l ମା’ ମାନେ କୁଲା, ପାଛିଆରେ ଚାଉଳ, ଗୋଟା ବା କଟା ପରିବା ରଖି ଥାନ୍ତି l ପିଲାମାନଙ୍କୁ ଦିଅନ୍ତି l ଜଣେ ଜଣେ ସ୍ୱାଭାବିକ ଲଜ୍ଜା ବଶତଃ ମାଗି ବାକୁ ଯାଇ ପାରନ୍ତି ନାହିଁ, ସେମାନେ ଆଗନ୍ତୁକ ପିଲାମାନଙ୍କୁ ଚାଉଳ ପରିବା ଦେଇ ତାଙ୍କ ବ୍ୟାଗରୁ କିଛି ନେଇ ନିଜ ପାଇଁ ରଖନ୍ତି l ଵିଧି ରକ୍ଷା ହେଲେ ଗଲା l
ଚାଉଳ ପରିବା ସଂଗ୍ରହ ହେଲେ, ମା’ ମାନେ ସେଥିରେ ଆରଦ୍ରା ଓ ସାତ ଶାଗ ଘାଣ୍ଟ କରନ୍ତି l ଷଠି ମା ଶିଳପୁଆ ରୂପେ ବିରାଜିତା l ଏମିତିରେ ଶିଳପୁଆର ମହିମା ଅନେକ l ଯେମିତି ଚିକଣ ମସଲା ବଟା ହୁଏ, ହଳଦୀ ବଟା ହୁଏ, ନଡ଼ିଆ ଭାଙ୍ଗିବାରେ କାମରେ ଲାଗେ, ସେମିତି ସାବିତ୍ରୀ ଅମାବାସ୍ୟାରେ ଲଷ୍ମୀନାରାୟଣ ବା ସାବିତ୍ରୀଙ୍କ ରୂପ, ଷଠୀ ପୂଜାରେ ମା’ ଷଠୀ l ବଜ୍ରମୁଳୀ, ଅପମାରଙ୍ଗ ଇତ୍ୟାଦି ପାଞ୍ଚ ପ୍ରକାର ଗୁଳ୍ମ ବନ୍ଧା ହୋଇ ଥିବ l ସନ୍ଧ୍ୟା ସମୟରେ ମା ମାନେ ପୂଜା ସାରି ବଜ୍ରମୂଳୀ ପିଲାମାନଙ୍କ ମୁଣ୍ଡରେ ଦେହରେ ଛୁଏଁଇ ଦେଇ ସାତ କେରା ସୁତା ହଳଦୀ ମଖେଇ ହାତରେ ବାନ୍ଧି ଦେବେ l ପିଲାମାନଙ୍କ ଶରୀର ବଜ୍ର ପରି ଟାଣ ହେବ l ପିଲାମାନଙ୍କ ଭବିଷ୍ୟତ ପାଇଁ ମା ମାନଙ୍କ ସାଧନା l
ଆଶ୍ୱିନ ଅମାବାସ୍ୟା “ପୋଲରୀ“, “ଫୁଳ୍ଲରୀ”, “ଫୁଲେରୀ” ଅମାବାସ୍ୟା ନାମରେ ବିଖ୍ୟାତ l ତେବେ ସାତଘର ଭିକ୍ଷା କାହିଁକି? କାରଣ ସନ୍ୟାସୀ ମାନଙ୍କ ନିମିତ୍ତ ସଂଚୟ ନିଷିଦ୍ଧ l ମାଧୁକରୀ ସାତ ଘରରୁ ନେବାକୁ ହେବ l ପ୍ରଥମେ “ବଜ୍ରମୂଳୀ ପୂଜା” ସମ୍ଭବତଃ କାଳକ୍ରମେ “ଇନ୍ଦ୍ର ଉତ୍ସବ ପୂର୍ଣ୍ଣିମା” ଇନ୍ଦୁ ପୂର୍ଣ୍ଣିମାରେ ପରିବର୍ତନ ହେଲା ପରି, ଏହା ମଧ୍ୟ “ବଜ୍ର ମହାକାଳୀ” ପୂଜା ନାମରେ ପ୍ରସିଦ୍ଧ l
ଏକ ଆଖ୍ୟାନ ଅନୁସାରେ କୌଣସି ସାଧବ ପତ୍ନୀ ପୂଜା ପାଇଁ ଚାଉଳ ଭାଜୁ ଭାଜୁ ନିଜେ ଦୁଇଟା ଖାଇ ଦେଇ ଥିଲା, ଏଥିରେ ମା ବଜ୍ର ମହାକାଳୀ କ୍ଷୁବ୍ଧ ହୋଇ ଅନେକ ଶାସ୍ତି ଦିଆଇ ଥିଲେ l ପରେ ବଜ୍ର ମହାକାଳୀ ଆରାଧନା କରି ସେ ସନ୍ତାନ ବତୀ ହୋଇ ଥିଲା ଓ ସମୃଦ୍ଧିର ଅଧିକାରିଣୀ ହୋଇ ଥିଲା l
ବୌଦ୍ଧ ବଜ୍ରଯାନ ଅନୁସାରେ “ବଜ୍ର ମହାକାଳ” ପ୍ରମୁଖ ରକ୍ଷକ ଏବଂ ଧର୍ମପାଳ ନାମରେ ବିଦିତ l ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଓଡିଶାରେ ଏହା ପାଳିତ l