ଗବେଷଣା ଓ ଲେଖା: ଡ. ସୁରେନ୍ଦ୍ର କୁମାର ମହାରଣା
~ ଆମ ଲୋକସାହିତ୍ୟ ~
ଓଡ଼ିଆ ଭାଷାରେ ବିଧିବଦ୍ଧ ସାହିତ୍ୟ ଲିଖିତ ହେବାର ବହୁପୂର୍ବରୁ #ଢଗଢ଼ମାଳି, ନୀତିବଚନ, #କାନ୍ଦଣା, #କୃଷକଗୀତ, #ଦୋଳିଗୀତି, ନାନା ପ୍ରକାର #ଲୋକକାହାଣୀ ଇତ୍ୟାଦି ଲୋକମୁଖରେ ପ୍ରଚଳିତ ହୋଇ ଆସୁଥିବାରୁ ଏସବୁକୁ ମୌଖିକ ସାହିତ୍ୟ, କଥିତ ସାହିତ୍ୟ ବା #ଲୋକସାହିତ୍ୟ ଭାବରେ ଗ୍ରହଣ କରାଯାଏ ।
‘ଲୋକ’ ଶବ୍ଦ ଅତ୍ୟନ୍ତ ବ୍ୟାପକ । ‘ଲୋକ’ର ଅର୍ଥ ସାଧାରଣ ଜନସମାଜ ହୋଇପାରେ; ପୁନଶ୍ଚ ଏହା ସମଗ୍ର ଭୁବନକୁ ମଧ୍ୟ ବୁଝାଏ । ଜନସମାଜ କହିଲେ ପଲ୍ଲୀ ବା ଗ୍ରାମୀଣ ଜନତାକୁ ବୁଝାଏ ନାହିଁ, ନଗରବାସୀ ଜନତାକୁ ମଧ୍ୟ ବୁଝାଏ । ପ୍ରଥମେ ଗ୍ରାମ ଓ ପରେ ନଗରର ସୃଷ୍ଟି । ଲୋକସାହିତ୍ୟ ବା କଥା ସାହିତ୍ୟର ଅଙ୍କୁରୋଦ୍‌ଗମ ତେଣୁ ଗ୍ରାମ ବା ପଲ୍ଲୀରୁ ହୋଇଛି, ନଗରରୁ ନୁହେଁ; ତେଣୁ ‘ଲୋକସାହିତ୍ୟ’କୁ #ପଲ୍ଲୀସାହିତ୍ୟ ବା #ଗ୍ରାମ୍ୟସାହିତ୍ୟ ନାମରେ ମଧ୍ୟ ନାମିତ କରାଯାଏ ।
ଭାରତୀୟ ସଂସ୍କୃତି ଗଠିତ ହୋଇଛି ବୈଦିକ ସଂସ୍କୃତି ଓ ଲୋକସଂସ୍କୃତିର ସମ୍ମିଶ୍ରଣରେ । ବୈଦିକ ସଂସ୍କୃତି ଲୋକସଂସ୍କୃତିର ଉପର ସ୍ତର ଓ ଅଳ୍ପସଂଖ୍ୟକ ବିଦ୍ୱାନଙ୍କ ମଧ୍ୟରେ ସୀମିତ । ମାତ୍ର ଲୋକସଂସ୍କୃତିର ପରିସର ଅତି ବ୍ୟାପକ । ଲୋକସାହିତ୍ୟ ଲୋକସଂସ୍କୃତିର ଅଂଶବିଶେଷ । ଏହା ସମଗ୍ର ଜନସମାଙ୍କର ସାହିତ୍ୟ । ତେଣୁ #ଲୋକରତ୍ନ ଡ. କୁଞ୍ଜବିହାରୀ ଦାଶ ଲୋକସାହିତ୍ୟର ସଂଜ୍ଞା ନିଶ୍ଚୟ କରି କହନ୍ତି– ‘‘ଯେଉଁ ସାହିତ୍ୟକୁ ମହାନ ବିଦ୍ୱାନଠାରୁ ଗଣମୂର୍ଖ ପର୍ଯ୍ୟନ୍ତ ସମସ୍ତେ ବୁଝିପାରନ୍ତି, ତାହାକୁ ଲୋକସାହିତ୍ୟ କହନ୍ତି ।’’ (ଓଡ଼ିଆ ଲୋକଗୀତ ଓ କାହାଣୀ, ପୃ:୬) ।
ଲୋକଗୀତର ଅନ୍ୟତମ ସଫଳ ସଂଗ୍ରାହକ ଶ୍ରୀଯୁକ୍ତ #ଚକ୍ରଧର_ମହାପାତ୍ର ଲୋକଗୀତ ବା ଗ୍ରାମ୍ୟଗୀତର ଯେଉଁ ସଂଜ୍ଞା ପ୍ରଦାନ କରିଛନ୍ତି ତାହା ଅଧୁକ ଯଥାର୍ଥ ମନେହୁଏ ତାଙ୍କ ଭାଷାରେ– ‘‘ଯେଉଁ କବିତାମାନ ଏବେ ମଧ୍ୟ ମୁଖେ ମୁଖେ ରହିଆସିଛି, କେବେହେଲେ ଗ୍ରନ୍ଥ ଭାବରେ ପରିଚିତ ହେବାର ସୁଯୋଗ ଲାଲ କରି ନାହିଁ ବା କୌଣସି ବ୍ୟକ୍ତିଦ୍ଵାରା କେଉଁ ଅଜ୍ଞାତ କୋଣରେ ସୃଷ୍ଟି ଲାଭକରି ତା’ର ବିଚକ୍ଷଣ ମହକରେ ସେ ଜନସମାଜର କୋଣେ କୋଣେ ପ୍ରଚାରିତ ହୋଇ ସାର୍ବଜନୀନ ହୋଇପାରିଛି ସେହିମାନଙ୍କୁ ହିଁ #ଗ୍ରାମ୍ୟଗୀତି ବୋଲି ଅଭିହିତ କରିବା ସମୀଚୀନ ।” (ଓଡ଼ିଆ ଗ୍ରାମ୍ୟଗୀତି, ପୃ. ୩) । ତେଣୁ ସାଧାରଣତଃ ସାହିତ୍ୟକୁ ୧. #ଶିଷ୍ଟସାହିତ୍ୟ ବା #ବିଦଗ୍ଧ ସାହିତ୍ୟ ଓ ୨. ଲୋକସାହିତ୍ୟ ବା #ଲଘୁସାହିତ୍ୟ ଭାବରେ ବିଭକ୍ତ କରାଯାଇଥାଏ ।
ଲୋକଗୀତ ଯୁଗାନୁକ୍ରମେ ଯେତେ ପରିବର୍ତ୍ତିତ ହେଲେ ମଧ୍ୟ ଏଥିରେ ପ୍ରାଚୀନଧାରା ସର୍ବଦା ସଂରକ୍ଷିତ । ଏହା ପ୍ରାଚୀନ ଯୁଗର ସନ୍ଦେଶ ଆମ ପାଖରେ ପହଞ୍ଚାଏ । ପ୍ରଥମେ ଏହା ମୁଖେ ମୁଖେ ଗତି କରିଥିଲା । ଲିପି ଉଦ୍ଭାବିତ ହୋଇ ଲିଖିତ ଭାଷାର ସୃଷ୍ଟି ହେବାପରେ ଏହା ଲିପିବଦ୍ଧ ହେଲା ଏବଂ କ୍ରମେ ସମ୍ଭବତଃ ଏହି ଧାରାରୁ ବିଚ୍ଛିନ୍ନ ହୋଇ ସ୍ବତନ୍ତ୍ର ରୀତିରେ ବିଦଗ୍ଧ ସାହିତ୍ୟର ସୃଷ୍ଟି ହେଲା । ଏହି ଦୃଷ୍ଟିରୁ ଲୋକସାହିତ୍ୟ ଶିଷ୍ଟ-ସାହିତ୍ୟ ବା ବିଦଗ୍ଧ-ସାହିତ୍ୟର ଜନକ
ଲୋକଗୀତ, ଲୋକକାହାଣୀ, ଢଗଢ଼ମାଳି ଇତ୍ୟାଦିକୁ ଆମେ ଆଜି ଯେଉଁ ରୂପରେ ପାଉ, ସେଗୁଡ଼ିକ ମଧ୍ୟରୁ ଅନେକର ଜନ୍ମକାଳୀନ ରୂପ ହୁଏତ ଏପରି ନଥିଲା । ସ୍ଥାନ, କାଳ ଓ ପାତ୍ରର ଅନୁକୂଳତାରେ ସେଗୁଡ଼ିକର ରୂପରେ ପରିବର୍ତ୍ତନ ଘଟିଛି । ଲୋକସାହିତ୍ୟ କଣ୍ଠରୁ କଣ୍ଠକୁ ଆସୁଥିବାରୁ ପ୍ରତି ଯୁଗରେ ଏହା କଥିତ ଭାଷାର ପରିବର୍ତ୍ତନ ସଙ୍ଗେ ସଙ୍ଗେ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହୋଇ ନିଜର ମୌଳିକ ରୂପ ହରାଇଛି । ଗୋଟିଏ ଯୁଗର ନରନାରୀ ସେମାନଙ୍କ ପୂର୍ବପୁରୁଷଙ୍କ ଦ୍ୱାରା ଏଥିରେ ଶିକ୍ଷିତ ଓ ଦୀକ୍ଷିତ ହୋଇଥା’ନ୍ତି । କେଉଁ ଆଦିମ କାଳରୁ ଏହି ଧାରା ଅବିଚ୍ଛିନ୍ନ ଭାବରେ ପ୍ରବାହିତ ।
‘ବେଦ’ ଭଳି ପୁରୁଷାନୁକ୍ରମେ ଶ୍ରୁତିରୁ ଶୁତିକୁ ଗତି କରିଥିବାରୁ ଏହାହିଁ ଯଥାର୍ଥତଃ #ଲୋକବେଦ
ଜୟ ଭାଷା ଜନନୀ ।।
ବନ୍ଦେ ଉତ୍କଳ ଜନନୀ ।।
ଉପସ୍ଥାପନା: ଶୁଭରଞ୍ଜନ ପୃଷ୍ଟି
Images: Akshay Ojha, Dillip Kumar Sahoo
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago