ଉପସ୍ଥାପନା : ଶୁଭରଞ୍ଜନ ପୃଷ୍ଟି
~ ଆମ ଲୋକସାହିତ୍ୟ ~
“ଜହ୍ନିଫୁଲ ଠୋ ଠା,
କାକୁଡିଫୁଲ ଠୋ ଠା,
ଗୁଣ୍ଡୁଚିମୂଷା କହିଯାଇଛି,
ଚାଉଳ ମୁଠେ ରଖିଥା” ।।
#କୁଆଁର_ପୁନେଇଁ ରାତି ! ଜ୍ୟୋତ୍ସ୍ନା ମାୟାରେ ବର୍ଷାଧୂଆ ଓ କାକରଭିଜା ଧୂଳିକଣା ବିରହିତ ପବନରେ ମନ ଆଜି ମତୁଆଲା ! ଉଚ୍ଚାଟ ଆଜି କୁଆଁରୀଝିଅଙ୍କ ମନ !
ଦିଗବଳୟର ମଥାନକୁ ରୂପାଥାଳି ପରି ପୂର୍ଣ୍ଣମୀର ଜହ୍ନ ଉଠିଲା ବେଳକୁ, ଶଙ୍ଖ, ହୁଳହୁଳି ଶବ୍ଦରେ ଉଛୁଳିପଡ଼ିବ ଗାଁ ଦାଣ୍ଡ ! #ଚାନ୍ଦପୂଜା ହେବ ! ଏମିତି ମୁକୁଳା ଜହ୍ନପରି ଜୀବନ ହୋଇଉଠୁ ପରିପୂର୍ଣ୍ଣ, ଚନ୍ଦ୍ରପରି ଶାନ୍ତ, ସୁକୁମାର ପତିଟିଏ ମିଳୁ ! ମନାସିବେ କୁଆଁରୀଏ !
#କୁମାର ଅର୍ଥାତ କାର୍ତ୍ତିକେୟଙ୍କୁ ଏହି ଦିନ ପୂଜା କରାଯାଇଥିବାରୁ ଏହାର ଏପରି ନାମକରଣ । କାର୍ତ୍ତିକେୟଙ୍କ ଭଳି ସୁନ୍ଦର ବର ଜଣେ ଜଣେ ପାଇବାପାଇଁ ଆମ ଓଡ଼ିଆ ଝିଅମାନେ ମାସାଧିକ କାଳ ବ୍ରତଟିଏ ମଧ୍ୟ ପାଳନ କରନ୍ତି । #ଜହ୍ନିଓଷା !
#ଇନ୍ଦୁ_ପୁନେଇଁ ଠାରୁ ଆରମ୍ଭ ହୋଇ #କୁମାର_ପୂର୍ଣ୍ଣିମା ଦିନ ଉଜୁଆଁ ହେଉଥିବା ଏଇ ଓଷାରେ କୁମାରୀମାନେ ପ୍ରତି ସନ୍ଧ୍ୟାରେ ଏକ କାଠପିଢ଼ାରେ ଗୁଆ ରଖି ଚନ୍ଦନ, ସିନ୍ଦୂର, ଜହ୍ନିଫୁଲ ଇତ୍ୟାଦି ଦ୍ଵାରା ପୂଜା କରନ୍ତି । କେତେକ ସ୍ଥାନରେ ଜହ୍ନିଫୁଲ ସହିତ କାକୁଡ଼ିଫୁଲ ମଧ୍ୟ ବ୍ୟବହୃତ ହୁଏ । ପୂଜା ସମୟରେ କୁମାରୀ କନ୍ୟାମାନଙ୍କ କଣ୍ଠରୁ ଭାସିଆସେ
‘‘ଜହ୍ନି ଜହ୍ନି ଆଞ୍ଜୁଳି,
ନିତି ପଳାଏ ତିନି ଆଞ୍ଜୁଳି
ଦୋଳିରେ ଯାଏ, ଦୋଳିରେ ଆସେ,
ପଟାପିଢ଼ା ଖଣ୍ଡ ମାଡ଼ି ବସେ,
ମୋ ବୋହୂ ମୋ କୋଡ଼ରେ ବସେ,
ନାତୁଣୀ ବୋହୂ ରାନ୍ଧି ପରଶେ,
ହାଣ୍ଡିପୋଛା ଭାତ ଦିଏ,
ହାଣ୍ଡିପୋଛା ତିଅଣ ଦିଏ” !
ଇଏ ଆମର #ଜହ୍ନିଓଷା_ଗୀତ ! ଆମ ଲୋକସାହିତ୍ୟ ଜଗତର ଅନବଦ୍ୟ ବିଭବ !
କଥା ଏତିକିରେ ସରେନି !
ଏ ଭିତରେ ଦୂରରୁ ଭାସି ଆସୁଥିବ #କୁଆଁର_ପୁନେଇଁ_ଜହ୍ନ_ଗୋ_ଫୁଲ_ବଉଳବେଣୀ ଗୀତ ଅବା ‘ପୁଚି ଲୋ ଘୁଞ୍ଚି ଯା, ଗୋଡ଼ ଦୁଇଟା ଲୁଚି ଯା’ ! ଗାଁ ମୁଣ୍ଡରେ ପୁଚିଖେଳର ପର୍ବ । କୁଆଁରପୁନେଇଁ ସଞ୍ଜର ସଙ୍ଗୀତମୟ ଉଲ୍ଲାସର ପରିବେଶ !
କୁଆଁର ପୁନେଇଁର ମହାର୍ଘ ବେଳାରେ ଆମ କାନ ଉଲୁସିଯାଏ ! ଏମିତି #କୁଆଁରପୁନେଇଁ_ଗୀତ ଆଉ #ପୁଚିଖେଳ_ଗୀତ ର ମହକରେ !
କିଏ ତେବେ ରଚିଥିଲା ଏତେ ସବୁ #ଲୋକଗୀତ ?
ନା ଏସବୁ ପିଢ଼ି ପରେ ପିଢ଼ିକୁ ସମୟର ସୁଅରେ ଚାଲିଆସେ ?
କେତେ ମହାନ ଆମ ଲୋକସଂସ୍କୃତି ! କେତେ ମନମତାଣିଆ ଆମର ପୁନିଅଁପରବର ଗୀତ ! ଆମ ଲୋକଗୀତ ! ଆମ ଲୋକସାହିତ୍ୟର ରତ୍ନମାନ ! ସେ ଦିନ କ’ଣ ଆଉ ଫେରିବ ?
କୁଆଁର ପୁନେଇଁ ସହିତ ପୁଚିଖେଳର ସ୍ମୃତି କିନ୍ତୁ ବଡ଼ ତୀବ୍ର ଓ ଗହନ ଥିଲା ଓଡ଼ିଆଣୀଙ୍କ ଜୀବନରେ ! ଜୀବନସାରା ରହୁଥିଲା ଉଜ୍ଜୀବିତ ! ଅବଶ୍ୟ ଅଶୀ ନବେ ଦଶକ ପରେ ଜନ୍ମିଥିବା ଆମ ଓଡ଼ିଆ ଝିଅବୋହୂଏ ସେଇ ପୁଲକ ଆଉ ସ୍ମୃତିରୁ ବଞ୍ଚିତ ଥିବେ ପ୍ରାୟ !
ତେବେ ଏଇ #ପୁଚିଖେଳ ଆମ ଓଡ଼ିଶାର ଏକାନ୍ତ ନିଜସ୍ଵ ! ଭାରତର ଅନ୍ୟ କୌଣସି ସ୍ଥାନରେ ଏ ଖେଳର ପ୍ରଚଳନ ଥିବା ଜଣାଯାଏ ନାହିଁ ! ପୁଅ ପିଲାଙ୍କ ପରି ଓଡ଼ିଆ ଝିଅମାନେ #ଡୁଡ଼ୁ, କବାଡ଼ି ପ୍ରଭୃତି ଖେଳିପାରୁ ନ ଥିବାରୁ ସେମାନଙ୍କ ପାଇଁ ଏହି ଖେଳ କାଇଁ କେଉଁ କାଳରୁ ପ୍ରଚଳିତ ।
ପୁଚିଖେଳ ଆମ ଓଡ଼ିଆ ଝିଅଙ୍କର ଏକ #ଗୀତିମୟ_କସରତ । ଏହି କ୍ରୀଡ଼ା ଦ୍ଵାରା ଯୌବନ ପୂର୍ବରୁ କନ୍ୟାର ଜନନେନ୍ଦ୍ରିୟ ନିରୋଗ ଓ ସୁଦୃଢ଼ ହୁଏ, ଜଙ୍ଘ ଓ କଟିର ମାଂସପେଶୀ ମଧ୍ୟ ସବଳ ହୁଏ । ଫଳରେ ଏହା ଭବିଷ୍ୟତରେ ସହଜ ପ୍ରସବରେ ସହାୟକ ହୁଏ !
ଏହି ଖେଳ ମାଧ୍ୟମରେ ବାଳିକାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲେ । ଜଣେ ଅନ୍ୟ ଜଣକୁ ହରାଇବା ପାଇଁ ଚେଷ୍ଟା କରି ତା’ ଆଡ଼କୁ ମାଡ଼ିଯାଏ । ଖେଳ ସହିତ ସେ ଗାଉଥାଏ:
“ପୁଚି ଲୋ ଘୁଞ୍ଚି ଯା,
ଗୋଡ଼ ଦୁଇଟା ଲୁଚି ଯା”,
ଅବା
“ଗହୀର ବିଲରେ ମଇଁଷି…”
କିମ୍ବା
‘‘କଳା ବାଇଗଣ ଧଳା ବାଇଗଣ କାଟିଦେଲି ଗଉଣିଏ,
ମୋ ସାଙ୍ଗେ ଯେ ପୁଚି ଖେଳିବ, ମାରିଦେବି କହୁଣିଏ”
କିମ୍ବା
‘‘ତେଣିକି ଯା, ତେଣିକି ଯା,
ତେଣିକି ନ ଗଲେ ଗୋଇଠା ଖା”
ଶେଷରେ ବିଜୟିନୀ ଝିଅଟି ପରାଜିତା ଝିଅ ଉଦ୍ଦେଶ୍ୟରେ ବିଦ୍ରୁପର ବାଣୀ ଶୁଣାଏ:
‘‘ହଟାଇଲିରେ ହଟାଇଲି,
ଚୁଡ଼ା ଦୁଇମାଣ କୁଟାଇଲି,
ଅଇଁଠା ପତର ଚଟାଇଲି ।’’
ପୁଚିଖେଳ ଦୁଇ ପ୍ରକାରର, #ବସାପୁଚି#ଠିଆପୁଚି । ଠିଆ ପୁଚିରେ ବାଳିକାଗଣ ଠିଆହେବା ଅବସ୍ଥାରେ ମୁଣ୍ଡ ଉପରେ ଦୁଇହାତକୁ ରଖୁ ଦୁଇଗୋଡ଼କୁ ପ୍ରସାରିତ ଓ ସଂକୁଚିତ କରନ୍ତି ଆଉ ତା’ ତାଳେ ତାଳେ ଗାଆନ୍ତି,
‘‘ଠିଆ ପୁଚି ନାରଙ୍ଗ
ଗୋଡ଼ ଦିଇଟା ସାରଙ୍ଗ,
ସାରଙ୍ଗ ବାଡ଼ିକି ଯାଇଥିଲି
ନାରଙ୍ଗ ଦିପୁଞ୍ଜା ଆଣିଥିଲି .. ” ଇତ୍ୟାଦି
ସେକାଳ ପଖାଳ ତ ଏବକୁ ନାହିଁ ! ନହେଲେ ଆମ ଉପକୂଳିଆ ଜିଲ୍ଲାଗୁଡି଼କର ଗାଁ ଦାଣ୍ଡରେ ନିଇତି ସନ୍ଧ୍ୟାରେ ଆମେ ପୁଚିଖେଳ ପ୍ରତିଯୋଗିତା ଦେଖୁଥାଆନ୍ତେ ! ମାଟ୍ରିମୋନିଆଲ ସାଇଟ ଓ ଲିଭ-ଇନ୍ ରିଲେସନସିପର ସଂସ୍କୃତି ଭିତରେ ଆଜିର କୁଆଁରୀ ଚାନ୍ଦ ପାଖରେ ମାନସିକ କରି ମନର ମଣିଷକୁ ଖୋଜିବାକୁ ଆଉ ଉପଯୁକ୍ତ ମନେକରୁନି ! ତେଣୁ ଯେମିତି ହଜିଯାଇଛି କୁଆଁର ପୁନେଇଁର ପୁଲକ ସେମିତି ଆମ ଓଡ଼ିଆ ଚଳଣିରୁ ଉଭେଇ ଯାଇଛି ପୁଚିଖେଳ ଆଉ ଜହ୍ନିଓଷାର ଉଲ୍ଲାସ ! ଆଉ ତା’ ସହିତ ହଜି ଯାଇଛି ଆମ ଲୋକସାହିତ୍ୟ ଗୁଡ଼ିକର ମହକ !
© ଅନ୍ତରଙ୍ଗ କଳିଙ୍ଗ (Antaranga Kalinga)
କୃତଜ୍ଞତାପୂର୍ବକ ତଥ୍ୟ ଆହରଣ: ଡ. ସୁରେନ୍ଦ୍ର କୁମାର ମହାରଣା ଓ ପୁରାତନ ‘ସମାଜ’
ଫଟୋ: ସାମାଜିକ ଗଣମାଧ୍ୟମ
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago