ଲେଖା: ଶୁଭରଞ୍ଜନ ପୃଷ୍ଟି
~ ଆମ ଲୋକସାହିତ୍ୟ ~
(ଭାଗ ୩)
“ନଣନ୍ଦ ଗୋରୀ, ଚଉ ପାହାରୀ
ବସିଥାଏ ପାଆ ଭାଗେ,
ଟିକିନିଖି କରି ଫୋଡ଼ି ଦେଉଥାଏ
ଭାଇ ଘଇତାର ଆଗେ !”
ଇସ ! କି ଅବାଗିଆ କଥାଗୁଡ଼ା ! ! ସାଧାରଣତଃ ଏଇଭଳି ଘୃଣାଭରା ମନ୍ତବ୍ୟ ମିଳେ ଆମ ଶିକ୍ଷିତ ଓଡ଼ିଆଙ୍କ ଠାରୁ ଏସବୁ #ଢଗଢ଼ମାଳି କାହା କାନରେ ପଡ଼ିଲେ !
ଆମ ଲୋକସାହିତ୍ୟ ଓ ଆମ ଭାଷାର ମୂଳପିଣ୍ଡ’ ଏଇ ଢଗଢ଼ମାଳି ଆଦି ଉପରେ ଏପରି ନାକଟେକା ଲକ୍ଷ୍ୟକରି #ଓଡ଼ିଆ_ଭାଷାକୋଷର ମହାପ୍ରଣେତା #ଗୋପାଳଚନ୍ଦ୍ର_ପ୍ରହରାଜ ମନ୍ତବ୍ୟ ଦିଅନ୍ତି, “ଦେଶର ଢଗଢ଼ମାଳିକୁ ଯେଉଁମାନେ ଘୃଣାଚକ୍ଷୁରେ ଦେଖନ୍ତି, ସେମାନଙ୍କୁ ଭଲା ପଚାରିଲେ, ଇତର ଲୋକମୁହଁରୁ ଶୁଣିଲେ ବୋଲି କଅଣ ଚାଣକ୍ୟଙ୍କୁ ପାଶୋରି ପକାଇଲେ ! ଢଗଢ଼ମାଳି ବହୁ ଶତ ବର୍ଷର ! ବହୁ ପୁରୁଷାନୁକ୍ରମେ ସଞ୍ଚିତ ମାନବପ୍ରକୃତି ଉପରେ ଟୀକା ! ଗୋଟିଏ ଗୋଟିଏ ଢଗ ଭିତରେ ଖଣ୍ଡିଏ ଖଣ୍ଡିଏ ପୁସ୍ତକ ରୁଚି ରହିଥାଏ; କେତେ ଗଭୀର ଉପଦେଶ ଗମ୍ଭିରୀ ମଧ୍ୟରେ ଛପିଥାଏ ! ସେଗୁଡ଼ିକ ନ ଦେଖି ଢଗଗୁଡ଼ିକ ହାଡୁ ମଳିକର ବୁଢ଼ୀମା’ ଠାରୁ ଶୁଣାଗଲା ବୋଲି ହସରେ ଉଡ଼େଇ ଦେବା କେତେ ଅନ୍ୟାୟ !” (#ବାଇମହାନ୍ତି_ପାଞ୍ଜି)
ଦିନ ଥିଲା, ଓଡ଼ିଆ ନାରୀର ପାଟିରେ ଏମିତି ଢଗଢ଼ମାଳି ବସା ବାନ୍ଧି ରହୁଥିଲା, କଥା କଥାକେ ସେ ଢଗ ବୋଲି ଦେଉଥିଲା, ଦରକାର ପଡ଼ିଲେ ସେ କେବଳ ଢଗଢ଼ମାଳିରେ କଥାବାର୍ତ୍ତା କରି ପାରୁଥିଲା ! ଏହାକୁ ଅସ୍ତ୍ର କରି ସେ ସମୟେ ସମୟେ ପୁରୁଷକୁ ମଧ୍ୟ ଚୁପ୍ କରି ଦେଇ ପାରୁଥିଲା ! ସ୍ମୃତିକୋଷରୁ ଚୟନ କରି ସେ ଢଗ ପରେ ଢଗ ଗୀତ ଗାଇଲା ଭଳି ଗାଇ ଯାଉଥିଲା । ଅଶିକ୍ଷିତା ଓ ନିରକ୍ଷରା ଓଡ଼ିଆ ଗ୍ରାମ୍ୟନାରୀର ପ୍ରଖର ସ୍ମୃତିଶକ୍ତି ବାସ୍ତବିକ ଥିଲା ଆଶ୍ଚର୍ଯ୍ୟଜନକ !
ଆମେ ଲୋକସାହିତ୍ୟର ବିକାଶ କଥା ଆଲୋଚନା କରିଥିଲେ । ତେବେ ଲୋକଗୀତର ଅନନ୍ୟ ନାରୀଗୀତ ସବୁ ଭିତରେ ଏଇ ଢଗଢ଼ମାଳି ଅନ୍ୟତମ ! ଲୋକଗୀତ ଆବାଳବୃଦ୍ଧବନିତାଙ୍କ ଦ୍ୱାରା ଆଦୃତ ହେଉଥିବାରୁ ଆଲୋଚନାର ସୁଗମତା ଦୃଷ୍ଟିରୁ ଏହାକୁ #ନାରୀଗୀତ, #ପୁରୁଷଗୀତ, #ନାରୀପୁରୁଷଗୀତ#ଶିଶୁଗୀତ ଏହିପରି ଚାରି ଗୋଟି ବିଭାଗରେ ଅନ୍ତର୍ଭୁକ୍ତ କରାଯାଇପାରେ ।
#କାନ୍ଦଣାଗୀତ, ଢଗଢ଼ମାଳି, #ନାନାବାୟା ଗୀତ, #କୁଆଁର ପୁନେଇଁ ଗୀତ, #ପୁଚିଗୀତ, #ଚିତାକୁଟା ଗୀତ, ଓଷାପୂଜା ଗୀତ, #ବାରମାସୀ ଗୀତ, #ଡାଲଖାଇ ଗୀତ ଇତ୍ୟାଦି ମହିଳା ଓ ବାଳିକାମାନେ ଗାଉଥିବାରୁ ଏଗୁଡ଼ିକୁ ନାରୀଗୀତ ବିଭାଗରେ ସ୍ଥାନିତ କରାଯାଇପାରେ ।
ଢଗଢ଼ମାଳି ଲୋକସାହିତ୍ୟରେ ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କରେ । ଏଗୁଡ଼ିକ ଏକପଦ ବା ଏକାଧିକ ପଦକୁ ନେଇ ଗଠିତ ଓ ପ୍ରାୟଶଃ ଯତିପାତମୂଳକ । ଢଗଢ଼ମାଳି ଗଠନରୀତି ସମାନ; ମାତ୍ର #ଢଗ କୌତୁକସଂପନ୍ନ ଓ ପରିହାସପୂର୍ଣ୍ଣ ହେଲେ #ଢମାଳି ନାମରେ ପରିଚିତ ହୋଇଥାଏ ଅନୁଭୂତି । ନିରାଟ ସତ୍ୟତା ଓ ସଂସ୍କାରରୁ ଜନ୍ମଲାଭ କରିଥାଏ ଏହି ଜଗଢ଼ମାଳି । ସହଜ ଓ ସରଳ ଭାଷାରେ ରଚିତ ଏହି ଢଗଢ଼ମାଳିର ପ୍ରଧାନ ଉପାଦାନ ହେଉଛି ସମାଜ; କାରଣ ସମାଜର ରୀତି, ନୀତି, ଆଚାର, ବ୍ୟବହାର, ସ୍ଵଭାବ ଓ ଚରିତ୍ର ଏଥରେ ଫୁଟି ଉଠିଥାଏ ।
ଏବକୁ ଏସବୁ ସାତସପନ ! ତେବେ ସେ ସମୟରେ ଏସବୁର ବ୍ୟବହାର ସତରେ ଥିଲା କେତେ ଆବେଗପୂର୍ଣ୍ଣ ! ସମୟେ ସମୟେ ଗ୍ରାମର ନୂଆବୋହୂ ଓ ସେମାନଙ୍କର ସମବୟସୀ ନଣନ୍ଦମାନଙ୍କ ମଧ୍ୟରେ ଥଟ୍ଟା କୌତୁକରେ ବହୁ ବଚନିକା ଚାଲୁଥିଲା ! ଏଗୁଡ଼ିକ ଢଗ ଧରଣର । ରସରସିଆ ପଦମାନଙ୍କ ମଧ୍ୟରେ ସେମାନେ ଜୀବନକୁ ସରସ, ସୁନ୍ଦର କରୁଥିଲେ ! ଏହାଦ୍ୱାରା ସେମାନଙ୍କ ମଧ୍ୟରେ ସ୍ନେହଶ୍ରଦ୍ଧା ବୃଦ୍ଧି ପାଉଥିଲା ! ଜଣେ ଅନ୍ୟଜଣକୁ ପରିହାସ ଛଳରେ କହୁଥିବ,
“ଅରୁଆ ଚାଉଳ ଖିରିକି,
ତୋହ ରାଇଜର ନୁହେଁ ମୁଁ ସୁନ୍ଦରୀ
କେତେ ଚାହୁଁଥାଉ ନିରେଖି !”
ଅନ୍ୟ ଜଣକ ମଧ୍ୟ କମ୍ ଚତୁରୀ ନୁହେଁ ! ସେ ପଦ ଲେଉଟାଇ କହିବ !
“ଲେଉଟିଆ ମୂଳେ କଂସା ମୁଁ ମାଜୁଛି
ଲେଉଟି ନ ଚାହେଁ ତୋତେ ରେ,
ମୋର ଗୁଣମଣି ତୋ’ ଠାରୁ ସୁନ୍ଦର
ଗୋଲାମ ରଖିବ ତୋତେ ରେ !”
ଯଦି ପ୍ରଥମ ବଚନିକାଟି ଏହିପରି କୁହାଯାଏ
‘‘ଅରୁଆ ଚାଉଳ ଖିରୀକି,
ତୋହ ରାଇଜର ନୁହେଁ ରେ କାଳିଆ
କେତେ ଚାହୁଁଥାଉ ନିରେଖି !”
ତେବେ ପ୍ରତ୍ୟୁତ୍ତର ହେବ . .
‘‘ଛି ଲୋ ଛିକୁଣୀ ତୋ ମୁଣ୍ଡେ ଉକୁଣୀ
ତୋତେ କିଏ ମୋର ଚାହୁଁଛି,
ମୋହର ଘରଣୀ ତୋ’ ଠାରୁ ସୁନ୍ଦରୀ
ଶାଶୂକୋଳେ ଦିନ ନେଉଛି ।”
ଭାଉଜ ନଣନ୍ଦର କାନକୁହା ପ୍ରକୃତିକୁ ନିନ୍ଦା କରି କହେ
“ନଣନ୍ଦ ଗୋରୀ, ଚଉ ପାହାରୀ
ବସିଥାଏ ପାଆ ଭାଗେ,
ଟିକିନିଖି କରି ଫୋଡ଼ି ଦେଉଥାଏ
ଭାଇ ଘଇତାର ଆଗେ ।”
ଏଥୁରେ ନଣନ୍ଦ ପ୍ରତି ତା’ର ତିକ୍ତ ମନୋଭାବ ପ୍ରକାଶିତ ହେଉ ଥିଲେ ହେଁ ଏହା ଏପରି ପରିହାସମୂଳକ ଯେ ନଣନ୍ଦକୁ ଏହା ବିନ୍ଧିଲେ ମଧ୍ୟ ସେ ଚୁପ ରହିବାକୁ ବାଧ୍ୟ ହୁଏ ।
ଲୋକମୁଖରେ ସ୍ମରଣାତୀତ କାଳରୁ ପ୍ରଚଳିତ ଏହି ଢଗଢ଼ମାଳି ହିଁ ପଞ୍ଚଦଶ ଶତାବ୍ଦୀର #ମାଟିର_ମହାକବି #ସାରଳା_ଦାସ ଙ୍କ ପୁରାଣମାନ ରଚିତ ହୋଇଥିବା ଦାଣ୍ଡିବୃତ୍ତର ଉତ୍ସ !
ଆଧାର: ଓଡ଼ିଆ ସାହିତ୍ୟର ଇତିହାସ, ଡ. ସୁରେନ୍ଦ୍ର କୁମାର ମହାରଣା
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

6 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago