ଉପସ୍ଥାପନା: ଶିଶିର ସାହୁ ମନୋଜ
ଇୟେ ଆମ ଢଗଢମାଳି କଥା ।
■ଯାହାକୁ ନ ଖାଏ ଝିଅ
ତାକୁ ଜୋଇଁ ପତରରେ ଦିଅ ।■
ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ଖୁବ୍‌ ଚର୍ଚ୍ଚା କରାଯାଇଥାଏ । ତାଙ୍କ ଖାଇଵା ପିଇଵାରେ ଯେମିତି କିଛି ଊଣା ରହି ନ ଯାଏ ସେ ନେଇ ଵିଶେଷ ଦୃଷ୍ଟି ଦିଅାଯାଇଥାଏ। ତେଵେ ଝିଅକୁ ଯାହା ତାହା କରି ଖାଇଵାକୁ ଦେଲେ ବି ଚଳିଯାଏ । ଯେହେତୁ ଘରକଥା, ଝିଅ ଚଳେଇ ଦେଇଥାଏ । ଅନ୍ୟ ଅର୍ଥରେ ଯେଉଁ ଖାଦ୍ୟ ଜିନିଷ ଖରାପ ଲାଗୁଥିଵା କାରଣରୁ ଝିଅକୁ ଦେଵାକୁ ଇଚ୍ଛା ହେଉ ନ ଥାଏ ତାକୁ ଜ୍ୱାଇଁଙ୍କୁ ଦେଵା ଲାଗି କଥା ହେଉଥିବା ଅର୍ଥରେ ଏଭଳି ଉକ୍ତିର ଉଲ୍ଲେଖ କରାଯାଇଛି ଆମ ଢଗଢମାଳି ଗୁଡିକରେ ।
■ଯେଡ଼ିକି ଦିଅଁକୁ ତେଡ଼ିକି ପୂଜା,
ବାଲି ଗରଡ଼ାକୁ ଚାଉଳ ଭଜା ।■
ମଣିଷର ଗୁଣ ଏବଂ ଵ୍ଯଵହାର ହିଁ ତା’ର ଅସଲ ପରିଚୟ ଓ ଯୋଗ୍ୟତା ହୋଇଥାଏ। ଯେଉଁମାନେ ଅନ୍ୟ ପ୍ରତି ଭଦ୍ରୋଚିତ ଵ୍ଯଵହାର ଦେଖାନ୍ତି, ତାଙ୍କ ପ୍ରତି ଅନ୍ୟମାନେ ମଧ୍ୟ ସେଭଳି ଵ୍ଯଵହାର ଦେଖାଇଥାନ୍ତି। ଯିଏ ଯେମିତି ଵ୍ଯଵହାର ପାଇଵା ଯୋଗ୍ୟ ତାକୁ ସେମିତି ଵ୍ଯଵହାର ମିଳିଵା ଅର୍ଥରେ ଆମ ଢଗଢମାଳି ଗୁଡିକରେ ଏଭଳି ଉକ୍ତି ପ୍ରକାଶ କରାଯାଇଛି ।
■ଯାହାର କାନ ଅଛି,
ତାହାର ସୁନା ନାହିଁ;
ଯାହାର ସୁନା ଅଛି,
ତାହାର କାନ ନାହିଁ ।■
ସମସ୍ତଙ୍କର ସବୁଜିନିଷ ପରିପୂର୍ଣ୍ଣ ହୋଇ ନ ଥାଏ। କାହାର ବହୁକୁଟୁମ୍ବୀ ପରିଵାର ଥିଵ କିନ୍ତୁ ଧନ ଅଭାଵରୁ ପିଲାମାନଙ୍କ ପେଟକୁ ଗଣ୍ଡେ ଖାଇଵାକୁ ଦେଵା କଷ୍ଟକର ହେଉଥିଵ ତ କାହାର ଅଚଳାଚଳ ସମ୍ପତ୍ତି ଅଛି କିନ୍ତୁ ନିଃସନ୍ତାନ, ଅର୍ଥାତ୍ ଭୋଗ କରିଵାକୁ ଲୋକ ନାହାନ୍ତି । ପୁଣି କାହାର ଲୋକ ଥିଲେ ବି ରହିଵାକୁ ଘର ନାହିଁ। ଈଶ୍ୱରଙ୍କ ସୃଷ୍ଟିରେ ରହିଥିଵା ଏପ୍ରକାର ପ୍ରଭେଦକୁ ଲକ୍ଷ୍ୟରେ ରଖି ଏପରି ଉକ୍ତିର ଵର୍ଣ୍ଣନା କରାଯାଇଛି।
■ଯାହା ନାହିଁ ଭାରତେ
ତାହା ନାହିଁ ଭାରତେ ।■
ମହାଭାରତ ଗ୍ରନ୍ଥରେ ଭାରତର ସଭ୍ୟତା, ସଂସ୍କୃତି ଓ ରୀତିନୀତି ଵର୍ଣ୍ଣିତ । ମହାଭାରତରେ ସମଗ୍ର ଭାରତବର୍ଷର ପ୍ରତିଫଳନ ଦେଖିଵାକୁ ମିଳିଥାଏ । ମହାଭାରତରେ ଯାହା ବଵର୍ଣ୍ଣନା କରା ନ ଯାଇଛି ତାହା ଭାରତଵର୍ଷରେ  ନ ଥିଵା ଅର୍ଥରେ ଏଭଳି ଉକ୍ତି ପ୍ରକାଶ କରାଯାଇଛି ।
■ଯିଏ ଖୁଅାଇଛି ମାଣ୍ଡିଅା  ଜାଉ,
ହାତ  ଧରି ସିଏ ହଗେଇ ନେଉ ।■
ମାଣ୍ଡଅା  ଜାଉ  ଟିକେ  ଅଧିକ  ପରିମାଣର  ଖାଇଦେଲେ  କେତେକଙ୍କ  ପେଟ  ଖରାପ ହୋଇଯାଇଥାଏ ।  ଅନ୍ୟ  ଅର୍ଥରେ  ଯାହା  ପାଇଁ  ଵା ଯାହା  ଯୋଗୁଁ  ଅନ୍ୟ  ଜଣେ ଅସୁବିଧାରେ  ପଡ଼େ  ତଥା  କଷ୍ଟ  ଭୋଗ  କରେ  ତା’ର  ସୁଖ  ସୁବିଧା  ପ୍ରତି  ଦୃଷ୍ଟିଦେଵା ଉକ୍ତ  ଵ୍ଯକ୍ତି  ପକ୍ଷେ  ଅତି ଆଵଶ୍ଯକ ହୋଇଯାଏ।  ଏପରିକି  ଵିପଦ  ଅାପଦରେ  ତା’ପାଖେ ପାଖେ  ରହିଵା  ନେଇ  ସେ  ଏକ ପ୍ରକାରେ  ବାଧ୍ୟ  ହେଉଥିବା  ଅର୍ଥରେ  ଏଭଳି  ଉକ୍ତିର ଉଲ୍ଲେଖ  କରାଯାଇଛି ।
■ଯିଏ କହୁଛି ଏତେ ବଡ଼ କଥା
ସିଏ କୋଉ  ପୁରୁଷରେ ଲେଖା ? ■
କିଛି ବ୍ୟକ୍ତି ଅନେକ  ବଡ଼  ବଡ଼  କଥା  କହି ଅନ୍ୟମାନଙ୍କର  ଦୃଷ୍ଟି ଅାକର୍ଷଣ କରଥାନ୍ତି । ନିଜେ  ଯେତେ  ନୁହେଁ କି ଯାହା  ନୁହେଁ ତା’ଠୁ ଅଧିକ ଦେଖେଇ  ହୋଇଥାନ୍ତି । ତେବେ ମଣିଷ  କେତେ  ଦକ୍ଷ ଵା  ଯୋଗ୍ୟ  ତାହା  ତାଙ୍କ  କାର୍ଯ୍ୟଶେଳୀରୁ ହିଁ  ଜଣାପଡ଼ିଥାଏ ।  ଦକ୍ଷତା  ନ  ଥିଵା  ଵ୍ଯକ୍ତି  ଅନ୍ୟ  ଅାଗରେ  ନିଜର  ଅାତ୍ମବଡ଼ମା  ଦେଖାଇଵା  ଦ୍ୱାରା ପରହାସର  ପାତ୍ର  ହେଉଥିଵା  ସ୍ଥଳେ  ମଣିଷର  ଯୋଗ୍ୟତା  ଆକଳନ  କରାଯିଵା ଅର୍ଥରେ  ଏଭଳି ତାତ୍ସଲ୍ୟଭରା  ଉକ୍ତି ପ୍ରକାଶ  କରାଯାଇଛି ।
■ସେଦିନ ସେକାଳ  ଗଲା
ଝାଡ଼ବନସ୍ତରେ କୋଇଲି କାନ୍ଦିଲା
ଝୁରିଝୁରି ଦିନ ଗଲା ।■
ଦେଖା ସାକ୍ଷାତର ଭାଵ ପ୍ରୀତି, ମନ ଦିଅାନିଅା ପରେ ଦେଖା ନ ହେବାରୁ ମନ ଊଣା । ପ୍ରତୀକ୍ଷା  ସାଧାରଣତଃ  ଯନ୍ତ୍ରଣାଦାୟକ  ହୋଇଥାଏ ।   ମନର  ମଣିଷକୁ ଅାପଣାର କରିଵା ପାଇଁ ଦୀର୍ଘ  ପ୍ରତୀକ୍ଷାରତ  ରମଣୀ  ଵିରହଜନିତ  ଦୁଃଖରେ  ଭାଙ୍ଗିପଡ଼ିଵା ସ୍ୱାଭାଵିକ  ହୋଇଥଵା ସ୍ଥଳେ  ତା’ର  ହତାଶ  ତଥା  ଵ୍ଯଥିତ  ମନୋଭାଵକୁ  ଦୃଷ୍ଟିରେ ରଖି ଏଭଳି ଉକ୍ତି ଉଲ୍ଲେଖ କରାଯାଇଛି ।
■ସବୁ ପିଠାପଣା  ଭାତର  ତଳ
ସବୁ ବାପଭାଇ  କାଚର  ତଳ ।■
ପିଠାପଣା  ସାମୟିକ ଭଲ  ଲାଗେ,  କିନ୍ତୁ ତାହା  କେଵେ ଭାତ  ସମକକ୍ଷ  ହୋଇ  ପାରି ନ ଥାଏ। ଝିଅ ଵାହାହେଵା ପର୍ଯ୍ୟନ୍ତ ବାପା ଭାଇ ତା’ର ସମସ୍ତ ଦାୟିତ୍ୱ ତୁଲାଇଥାନ୍ତି। କିନ୍ତୁ ଵାହାହୋଇ  ଶାଶଘରକୁ  ଚାଲିଗଲେ  ବାପାଭାଇଙ୍କର  ଚିନ୍ତା  ସରିଯାଇଥାଏ।   ଯାହାକୁ  ସେ  ବିଭା  ହୋଇଥାଏ  ସେହି ସ୍ୱାମୀ  ଜୀବନର  ସୁଖଦଃଖରେ ସବୁଵେଳେ  ସାଥୀ  ହୋଇ  ରହିଥାଏ।  ଝିଅ ପାଇଁ ବାପାଭାଇ  ଅପେକ୍ଷା  ସ୍ୱାମୀ  ଶ୍ରେଷ୍ଠ ହେଉଥିଵା  ଅର୍ଥରେ  ଏଭଳି ଉକ୍ତ ପ୍ରକାଶ  କରାଯାଇଛି ।
■ସାନ ମୁହଁରୁ ବଡ଼ କଥା,
ଶୁଣିଲେ ମନେ ଲାଗେ ବ୍ୟଥା।■
ବଡ଼ଙ୍କ ଯଥୋଚିତ ସମ୍ମାନ ନ ଦେଖାଇଲେ ସାନ ସମସ୍ତଙ୍କ ଅାଖିରେ ଅାହୁରି ଛୋଟ ହୋଇଯାଏ । ଛୋଟ ମୁହଁରେ ବଡ଼କଥା ଶୋଭା ପାଇ ନ ଥାଏ। ଵୟସର ସ୍ତରକୁ ଭୁଲି ବେଖାତିର କରି ବସିଲେ ଵା ବଡ଼ ବଡ଼ କରି କଥା କହିଲେ ଶୁଣିଵା ଲୋକ ମନରେ  ଅାଘାତ ସୃଷ୍ଟି ହେଵା ସ୍ୱାଭାଵିକ ଅର୍ଥରେ ଏଭଳି ଉକ୍ତ ପ୍ରକାଶ କରାଯାଇଛି।
■ସେଇ ନାନମାନ ସେଇ କାକରା
ସେଇଥିପାଇଁ କି ଗାଆଁ ଡାକରା।■
ଜୋଇଁ ଡାକରାରେ ନିମନ୍ତ୍ରିତ ହୋଇ ଅାସୁଥିଵା ଜ୍ୱାଇଁଙ୍କୁ ଖୁବ୍‌ ଚର୍ଚ୍ଚା କରାଯାଇଥାଏ । ରହଣି କାଳରେ ତାଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଅାଯିଵା ସହ ରୁଚିକର ଖାଦ୍ୟ ପରଷା ଯାଇ ମନ ଖୁସି କରିଵାକୁ ଚେଷ୍ଟା କରାଯାଇଥାଏ। ତେଵେ ଚର୍ଚ୍ଚା କରିଵାରେ ଯଦି ସେଭଳି ଵିଶେଷ ଅାୟୋଜନ କରାଯାଇ ନ ଥାଏ, ତା’ହେଲେ ଏପରି ଜୋଇଁ ଡାକରାର ମୂଲ୍ୟ କ’ଣ ବୋଲି ମନରେ ପ୍ରଶ୍ନ ଉଠିଵା ସ୍ୱାଭାଵିକ ଅର୍ଥରେ ଏଭଳି ଉକ୍ତ ଉଲ୍ଲେଖ କରାଯାଇଛି ।
ଆମ ଢଗଢମାଳି କଥା ଯେତେ ଆଲୋଚନା କଲେ ସରେନା ପରା !
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago